ଭାରତ ହାସଲ କରିଥିବା ଏକ ଉଚ୍ଚ ୮୧ ଶତାଂଶ ସାକ୍ଷରତା ହାର ହେଉଛି ନିଶ୍ଚିତ ରୂପେ ଆମ ପାଇଁ ଏକ ଗର୍ବବୋଧ କରିବାର ଉପଲବ୍ଧି। ତେବେ ଏଥିସହିତ ଆମକୁ ହୃଦୟଙ୍ଗମ କରିବାକୁ ହେବ ଯେ ସାକ୍ଷରତା ହାରରେ ବୃଦ୍ଧି ହେଉଛି ଅର୍ଥନୈତିକ ଅଭିବୃଦ୍ଧିର ଏକ ମାଧ୍ୟମ; ଏହାକୁ ପୂର୍ଣ୍ଣ ରୂେପ ଉପଯୋଗ କଲେ ଯାଇ ଏହାର ସଂପୂର୍ଣ୍ଣ ସୁଫଳ ଆମ ପାଇଁ ଉପଲବ୍ଧ ହେବ।
ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ। କିନ୍ତୁ କେବଳ ଜନସଂଖ୍ୟା ଏକ ଦେଶକୁ ଶକ୍ତିଶାଳୀ କରି ନ ଥାଏ। ସେଇ ଜନସଂଖ୍ୟାର ମସ୍ତିଷ୍କ ଶକ୍ତି ଏଥିପାଇଁ ଏକ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଉ ଏହି ମସ୍ତିଷ୍କ ଶକ୍ତି ନିର୍ଭର କରିଥାଏ ଶିକ୍ଷା ଉପରେ। ଶିକ୍ଷାର ମୂଳ ଭିତ୍ତି ହେଉଛି ସାକ୍ଷରତା। ସ୍ବାଧୀନତା ପ୍ରାପ୍ତି ପରେ ୧୯୫୧ରେ ଯେତେବେଳେ ପ୍ରଥମ ଜନଗଣନା ଅନୁଷ୍ଠିତ ହୋଇଥିଲା, ସେଥିରୁ ଉପଲବ୍ଧ ତଥ୍ୟ ଅନୁସାରେ ଭାରତରେ ସେତେବେଳେ ସାକ୍ଷରତା ହାର ଥିଲା ମାତ୍ର ୧୮.୩ ଶତାଂଶ। ସେବେଠାରୁ ଏହି ନୀଚା ସାକ୍ଷରତା ହାରରେ ବୃଦ୍ଧି ଘଟାଇ ଭାରତକୁ ଏକ ଜ୍ଞାନ ଶକ୍ତିରେ ପରିଣତ କରିବା ପାଇଁ ଆମେ ଅନବରତ ଉଦ୍ୟମ କରିଆସିଛୁ। ଜୁନ୍ ୩ରେ ପ୍ରକାଶିତ ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ ୨୦୨୩-୨୪ (ପିଏଲ୍ଏଫ୍ଏସ୍)ରୁ ଉପଲବ୍ଧ ତଥ୍ୟ ଦେଖିଲେ ମନେ ହୋଇଥାଏ ଯେ ସ୍ବାଧୀନତାର ଅମୃତ କାଳରେ ଆମର ସେଇ ଉଦ୍ୟମ ଫଳବତୀ ହୋଇ ଶତପ୍ରତିଶତ ସାକ୍ଷରତା ଆମର ହାତପାଆନ୍ତାକୁ ଆସିବାକୁ ବସିଛି। ଏହା ଅନୁସାରେ ଭାରତରେ ଏବେ ସାତ ବର୍ଷ ବୟସରୁ ଅଧିକ ଜନସଂଖ୍ୟାର ସାକ୍ଷରତା ହାର ପ୍ରାୟ ୮୧ ଶତାଂଶ ଛୁଇଁ ସାରିଲାଣି। ଉଲ୍ଲେଖନୀୟ ଭାବରେ ଏକବିଂଶ ଶତାବ୍ଦୀର ଆରମ୍ଭରେ ୨୦୦୧ରେ ସାକ୍ଷରତା ହାର ୬୪.୮ ଶତାଂଶ ଥିବାବେଳେ ବର୍ତ୍ତମାନର ହାର ଏ କ୍ଷେତ୍ରରେ ଏକ ନିରନ୍ତର ଅଗ୍ରଗତି ଘଟି ଚାଲିଥିବାର ସ୍ବାକ୍ଷର ବହନ କରିଥାଏ।
‘ପିଏଲ୍ଏଫ୍ଏସ୍’ର ଏହି ପରିସଂଖ୍ୟାନ ଆମର ସନ୍ତୋଷବିଧାନ କରୁଥିଲେ ହେଁ ଏଥିରେ ଯେଉଁ ଏକ ଅସ୍ବସ୍ତିକର ସତ୍ୟ ଲୁଚି ରହିଥାଏ, ତାହା ହେଲା ଏହାର ଅନ୍ତର୍ନିହିତ ବିଭାଜନମାନ। ଏଭଳି ଗୋଟିଏ ବିଭାଜନ ହେଉଛି- ଗ୍ରାମାଞ୍ଚଳ/ସହରାଞ୍ଚଳ ବିଭାଜନ। ସହରାଞ୍ଚଳରେ ସାକ୍ଷରତା ହାର ପ୍ରାୟ ୮୯ ଶତାଂଶ ହୋଇଥିବାବେଳେ, ଗ୍ରାମାଞ୍ଚଳରେ ତାହା ହେଉଛି ୭୭.୫ ଶତାଂଶ। ଗ୍ରାମାଞ୍ଚଳ ଏପରି ସହରାଞ୍ଚଳର ପଛରେ ପଡ଼ିବାର କାରଣ କାହାରିକୁ ଅଜଣା ନୁହେଁ: ତାଲିମପ୍ରାପ୍ତ ଶିକ୍ଷକ, ପାଠ୍ୟ ଉପକରଣ, ଆନୁଷଙ୍ଗିକ ଭିତ୍ତିଭୂମି ଆଦିର ଅଭାବ ସହିତ ଅଧାରେ ଶିକ୍ଷାଲାଭ ତ୍ୟାଗ କରି ପିଲାମାନଙ୍କର ପଳାୟନ ଯୋଗୁଁ ଏହି ପାର୍ଥକ୍ୟ ସୃଷ୍ଟି ହୋଇଥାଏ।
ଉକ୍ତ ସର୍ଭେ ଦ୍ବାରା ଉନ୍ମୋଚିତ ଆଉ ଏକ ବିଭାଜନ ହେଉଛି- ଲିଙ୍ଗଗତ ବିଭାଜନ। ଦେଶରେ ପୁରୁଷମାନଙ୍କ ମଧ୍ୟରେ ସାକ୍ଷରତା ହାର ୮୭ ଶତାଂଶରୁ ଅଧିକ ହୋଇଥିବାବେଳେ ମହିଳାମାନଙ୍କ ମଧ୍ୟରେ ସେଇ ହାର ହେଉଛି ୭୪.୬ ଶତାଂଶ। ଉଭୟ ଲିଙ୍ଗ ମଧ୍ୟରେ ସାକ୍ଷରତାରେ ଏହି ତଫାତ୍ କେବଳ ଏକ ଶୁଷ୍କ ପରିସଂଖ୍ୟାନ ନୁହେଁ। କନ୍ୟା ସନ୍ତାନମାନେ ବିଶେଷ କରି ଗ୍ରାମାଞ୍ଚଳରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ବାଛବିଚାର ସେମାନଙ୍କର ଶିକ୍ଷା ଲାଭ ପଥରେ ବାଧକ ସାଜିଥାଏ। ଏହି ବାଛବିଚାର କେବଳ ନାରୀମାନଙ୍କ ମଧ୍ୟରେ ସାକ୍ଷରତାକୁ ପ୍ରଭାବିତ କରିଥାଏ, ତାହା ନୁହେଁ, ଶେଷରେ ଏହା ଶ୍ରମ ଶକ୍ତିରେ ନାରୀମାନଙ୍କର ନୀଚା ଅଂଶଗ୍ରହଣ (ଫିମେଲ୍ ଲେବର୍ ଫୋର୍ସ ପାର୍ଟିସିପେସନ୍) ଅନୁପାତରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ୨୦୨୩-୨୪ରେ ୭୮.୮ ଶତାଂଶ ଭାରତୀୟ ପୁରୁଷମାନେ ଶ୍ରମ ଶକ୍ତିରେ ଅଂଶଗ୍ରହଣ କରିଥିବାବେଳେ ନାରୀମାନଙ୍କ ପାଇଁ ଏହି ଅନୁପାତ ଥିଲା ମାତ୍ର ୪୧.୭ ଶତାଂଶ।
ରାଜ୍ୟମାନଙ୍କ ମଧ୍ୟରେ ସାକ୍ଷରତା ହାରରେ ମଧ୍ୟ ବ୍ୟାପକ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ମିଜୋରାମରେ ସାକ୍ଷରତା ହାର ପାଖାପାଖି ଶତପ୍ରତିଶତ (୯୮.୨ ଶତାଂଶ) ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶରେ ତାହା ହୋଇଥାଏ ୭୨.୬ ଶତାଂଶ। ସାକ୍ଷରତା ମାନ୍ୟତା ତାଲିକାର ଉପରିଭାଗରେ ମିଜୋରାମ ପରକୁ ଲାକ୍ଷାଦ୍ବୀପ (୯୭.୩ ଶତାଂଶ), କେରଳ (୯୫.୩ ଶତାଂଶ), ତ୍ରିପୁରା (୯୩.୭ ଶତାଂଶ), ଗୋଆ (୯୩.୬ ଶତାଂଶ) ଭଳି ରାଜ୍ୟମାନେ ରହିଥିବାବେଳେ ତାଲିକାର ପାଦଦେଶରେ ଅଛନ୍ତି ଆନ୍ଧ୍ର ପ୍ରଦେଶ, ଓଡ଼ିଶା (୭୯.୦ ଶତାଂଶ), ଉତ୍ତର ପ୍ରଦେଶ (୭୮.୨ ଶତାଂଶ), ରାଜସ୍ଥାନ (୭୫.୮ ଶତାଂଶ) ଭଳି ରାଜ୍ୟମାନ।
ଦେଶରେ ସାକ୍ଷରତା ହାରରେ ଏହି ଉଲ୍ଲେଖନୀୟ ବୃଦ୍ଧି ସ୍ବାଭାବିକ ଭାବରେ ନିଯୁକ୍ତିରେ ସାକ୍ଷରମାନଙ୍କ ଅଂଶଗ୍ରହଣ ଅନୁପାତରେ ବୃଦ୍ଧିରେ ପ୍ରତିଫଳିତ ହେବା ଆଶା କରାଯାଏ। ଏହା ଅର୍ଥନୀତି ପାଇଁ ଲାଭଜନକ ହୋଇଥାଏ, କାରଣ ନିରକ୍ଷରମାନଙ୍କ ଅପେକ୍ଷା ସାକ୍ଷରମାନଙ୍କର ଉତ୍ପାଦନଶୀଳତା ଅଧିକ ହେବାର ଦୃଢ଼ ଯୁକ୍ତିନିଷ୍ଠ ସମ୍ଭାବନା ଥାଏ। ଭାରତରେ ଏହା ଘଟିଛି, କିନ୍ତୁ ଏଥିରେ ଆମର ପୂର୍ଣ୍ଣ କ୍ଷମତାର ଉପଯୋଗ ହୋଇପାରି ନ ଥିବା ଜଣାପଡ଼ିଛି। ୨୦୨୪ରେ ଦେଶରେ ସାକ୍ଷରମାନଙ୍କର ନିଯୁକ୍ତିରେ ଅଂଶଗ୍ରହଣ ଅନୁପାତ ସୂଚାଉଥିବା ‘ୱର୍କର ପପୁଲେସନ୍ ରେସିଓ’ (‘ଡବ୍ଲ୍ୟୁପିଆର୍’)ରେ ବୃଦ୍ଧି ଘଟି ୬୮.୫ ଶତାଂଶରେ ପହଞ୍ଚିଥିଲା। କିନ୍ତୁ ମାଧ୍ୟମିକ ଶିକ୍ଷା କିମ୍ବା ଉଚ୍ଚତର ଶିକ୍ଷା ଲାଭ କରିଥିବା କର୍ମଜୀବୀମାନଙ୍କ ପାଇଁ ଏହି ଅନୁପାତ ୫୨ ଶତାଂଶ ହୋଇଥିବାବେଳେ ସ୍ନାତକ ଡିଗ୍ରିଧାରୀମାନଙ୍କ ପାଇଁ ଏହା ଥିଲା ୫୭.୫ ଶତାଂଶ। ଏଥିରେ ସ୍ପଷ୍ଟ ରୂପେ ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ଥିବା ତାଳମେଳର ଅଭାବ ପରିଲକ୍ଷିତ ହୋଇଥାଏ। ସାକ୍ଷରତା ଯେ ସଂପୂର୍ଣ୍ଣ ରୂପେ ନିଯୁକ୍ତିକୁ ରୂପାନ୍ତରିତ ହେଉ ନାହିଁ, ଏହି ପରିସଂଖ୍ୟାନ ତା’ର ପ୍ରମାଣ ବହନ କରିଥାଏ। ଏହାର ଅର୍ଥ ଭାରତୀୟ ଅର୍ଥନୀତି ଏବେ ମଧ୍ୟ ଅସଂଗଠିତ, ଉପଯୁକ୍ତ ଶିକ୍ଷାବିହୀନ, ନିମ୍ନ ଉତ୍ପାଦନଶୀଳ ଶ୍ରମ ଉପରେ ନିର୍ଭରଶୀଳ ହୋଇଥାଏ। ଯାହା ହେଉଛି ଆହୁରି ଦୁର୍ଭାଗ୍ୟଜନକ, ତାହା ହେଲା ଶିକ୍ଷିତା ଉଚ୍ଚ ଉତ୍ପାଦନଶୀଳା ମହିଳାମାନେ ଯଥେଷ୍ଟ ସଂଖ୍ୟାରେ ଶ୍ରମ ଶକ୍ତିରେ ଅଂଶଗ୍ରହଣ କରିପାରୁ ନାହାନ୍ତି।
ତେବେ ଏହା ମଧ୍ୟ ମନେ ରଖିବାକୁ ହେବ ଯେ କେବଳ ସାକ୍ଷରତା ହାସଲ କରିବା ଗୁଣାତ୍ମକ ଶିକ୍ଷା ଲାଭ କରିବା ସହିତ ସମାନ ନୁହେଁ। ଉପରୋକ୍ତ ସର୍ବେକ୍ଷଣରେ କେବଳ ଉତ୍ତରଦାତାଙ୍କର ମୌଳିକ ଲେଖିବା ଓ ପଢ଼ିବା କ୍ଷମତାକୁ ବିଚାରକୁ ନିଆଯାଇଛି। ଏହା କର୍ମୋପଯୋଗୀ ଶିକ୍ଷାର ପରିଚାୟକ ନୁହେଁ। ଆଜିର ଅର୍ଥନୀତି ପାଇଁ ଅତ୍ୟାବଶ୍ୟକ ବିବେଚିତ ହେଉଥିବା ଡିଜିଟାଲ୍ ସାକ୍ଷରତା, ଗାଣିତିକ ଦକ୍ଷତା, ଅବଧାରଣା ସଂଗ୍ରହ ଆଦି ସମ୍ବନ୍ଧରେ ଏହି ସର୍ବେକ୍ଷଣରୁ କୌଣସି ସୂଚନା ମିଳି ନ ଥାଏ। ତେବେ ବି ଏହି ସର୍ବେକ୍ଷଣରୁ ଯେତିକି ସୂଚନା ଉପଲବ୍ଧ ହୋଇଥାଏ ତାହା ଦେଶରେ ଶିକ୍ଷା କ୍ଷେତ୍ରରେ ରହିଥିବା ଉପରବର୍ଣ୍ଣିତ ତାରତମ୍ୟମାନଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରି ତାହାକୁ ଦୂର କରିବା ନିମିତ୍ତ ନୀତିଗତ ପଦକ୍ଷେପମାନଙ୍କର ଆବଶ୍ୟକତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ।
ଭାରତ ହାସଲ କରିଥିବା ଏକ ଉଚ୍ଚ ୮୧ ଶତାଂଶ ସାକ୍ଷରତା ହାର ହେଉଛି ନିଶ୍ଚିତ ରୂପେ ଆମ ପାଇଁ ଏକ ଗର୍ବବୋଧ କରିବାର ଉପଲବ୍ଧି। ତେବେ ଏଥିସହିତ ଆମକୁ ହୃଦୟଙ୍ଗମ କରିବାକୁ ହେବ ଯେ ସାକ୍ଷରତା ହାରରେ ବୃଦ୍ଧି ହେଉଛି ଅର୍ଥନୈତିକ ଅଭିବୃଦ୍ଧିର ଏକ ମାଧ୍ୟମ; ଏହାକୁ ପୂର୍ଣ୍ଣ ରୂେପ ଉପଯୋଗ କଲେ ଯାଇ ଏହାର ସଂପୂର୍ଣ୍ଣ ସୁଫଳ ଆମ ପାଇଁ ଉପଲବ୍ଧ ହେବ। ସାକ୍ଷରତା ବୃଦ୍ଧି ପାଇଁ ଆମର ଉଦ୍ୟମ କେବଳ ଏକ ଉଚ୍ଚ ପରିସଂଖ୍ୟାନ ହାସଲରେ ସୀମିତ ରହିବା ଯଥେଷ୍ଟ ନୁହେଁ; ଏକ ଅତ୍ୟନ୍ତ ଜଟିଳ ଦୁନିଆ ସହିତ ମୁକାବିଲା କରିବା ନିମିତ୍ତ କଅଁଳ ମସ୍ତିଷ୍କମାନଙ୍କୁ ଉପଯୁକ୍ତ କରିବା ଏହାର ଅସଲ ଲକ୍ଷ୍ୟ ହେବା ଉଚିତ। ଲିଙ୍ଗ, ଭୌଗୋଳିକ ଅଞ୍ଚଳ, ଆର୍ଥିକ ଅବସ୍ଥା ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଯେପରି ସମାନ ଭାବରେ ନିଜର ବୌଦ୍ଧିକ ବିକାଶ ପାଇଁ ସୁଯୋଗ ପାଇପାରିବେ, ତାହା ନିଶ୍ଚିତ କରିବା ଆମର ଲକ୍ଷ୍ୟ ହେବା ଜରୁରି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)