ଯନ୍ତ୍ରଗୁଡ଼ିକ କେବଳ ସେତିକି କାର୍ଯ୍ୟ କରନ୍ତି, ଯାହା ସଂପାଦନ କରିବା ଉଦ୍ଦେଶ୍ୟରେ ସେଗୁଡ଼ିକ ନିର୍ମିତ। କିନ୍ତୁ ‘ଏ.ଆଇ.’ ଏକ ‘ଟୁଲ୍’ ମାତ୍ର ନୁହେଁ; ଏହା ମନୁଷ୍ୟ ଦ୍ବାରା ସୃଷ୍ଟ ମନୁଷ୍ୟର ଏକ ପ୍ରତିନିଧି। ପୁଣି ମନୁଷ୍ୟ ସଂଭୂତ ଜ୍ଞାନର ବିଶାଳ ଗନ୍ତାଘରକୁ ଉପଯୋଗ କରି ‘କୃତ୍ରିମ ବୁଦ୍ଧମତ୍ତା’ ଯେଉଁ ବେଗରେ ବିକଶିତ ହେବାରେ ଲାଗିଛି, ତାହା ମନୁଷ୍ୟର ମସ୍ତିଷ୍କକୁ ପରାସ୍ତ କରିବାକୁ ଅଚିରେ ସକ୍ଷମ ହେବ।
କୃତ୍ରିମ ବୁଦ୍ଧିମତ୍ତା ବା ‘ଏ.ଆଇ.’ର ଆବିର୍ଭାବ ପରେ ସଂପ୍ରତି ସାରା ପୃଥିବୀରେ କଂପାନିଗୁଡ଼ିକରେ ଆରମ୍ଭ ହୋଇଯାଇଥିବା ବିପୁଳ ସଂଖ୍ୟକ କର୍ମଚାରୀ ଛଟେଇ ପରିପ୍ରେକ୍ଷୀରେ ମାଇକ୍ରୋସଫ୍ଟ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ବିଶେଷ କୌତୂହଳ ସୃଷ୍ଟି କରିଥାଏ। ସେହି ଅନୁଶୀଳନାତ୍ମକ ରିପେର୍ଟାରେ ‘ଏ.ଆଇ.’ ଦ୍ବାରା ଭବିଷ୍ୟତ୍ରେ ସତ୍ତା ହରାଇବାର ସର୍ବାଧିକ ଆଶଙ୍କା ବହନକାରୀ ଦଶଟି ବୃତ୍ତିର ଏକ ତାଲିକା ପ୍ରଦାନ କରାଯାଇଛି। ସୁତରାଂ, ସେଭଳି ବୃତ୍ତିଧାରୀମାନେ ହେବେ ଯଥାକ୍ରମେ ଅନୁବାଦକ ବା ଭାଷାନ୍ତରକାରୀ, ଇତିହାସକାର, ଲେଖକ, ‘କଷ୍ଟମର କେୟାର’ ବା ଗ୍ରାହକ ସେବା ପ୍ରଦାନକାରୀ, ‘ସେଲ୍ସ ପର୍ସନ’ ବା ବିକ୍ରୟ ପ୍ରତିନିଧି, ପ୍ରୁଫ୍ ସଂଶୋଧନକାରୀ, ସଂପାଦକ, ସାମ୍ବାଦିକ, ସମ୍ବାଦ-ସମୀକ୍ଷକ ଓ ଡେଟା ବିଜ୍ଞାନୀ। ତେବେ, ‘ଏ.ଆଇ.’ର ଗତିବିଧି ଓ ବିକାଶ ଉପରେ ଦୃଷ୍ଟି ରଖିଥିବା ବ୍ୟକ୍ତିମାନେ ଏ ସଂଦର୍ଭରେ ମତ ଦିଅନ୍ତି ଯେ ଏହା ଏକ ସ୍ଥୂଳ ଏବଂ ଅସଂପୂର୍ଣ୍ଣ ତାଲିକା ଏବଂ ମନନ, ଚିନ୍ତନ ଓ ହିସାବକିତାବ ଭଳି ମନୁଷ୍ୟ ମସ୍ତିଷ୍କ ଦ୍ବାରା ହେଉଥିବା ଅଧିକାଂଶ ବୃତ୍ତି ‘ଏ.ଆଇ.’ ଦ୍ବାରା ଅପହୃତ ହୋଇଯିବେ; ସୁରକ୍ଷା ବଳୟରେ ରହିଯିବେ ଶାରୀରିକ ଶ୍ରମ ବା ମାନବ ଶରୀରର ଉପଯୋଗ ଲୋଡୁଥିବା କତିପୟ କାର୍ଯ୍ୟ ବା ବୃତ୍ତି। କିନ୍ତୁ, ପ୍ରଶ୍ନ ଉଠିଥାଏ ଯେ ଏହି ତାଲିକାରେ ସ୍ଥାନିତ ‘ଇତିହାସକାର’ ବା ‘ଲେଖକ’ (ଉପନ୍ୟାସକାର ବା ନାଟ୍ୟକାର ବା କବି)ଙ୍କୁ ଶୁଷ୍କ ବୃତ୍ତିଧାରୀ ବୋଲି କୁହାଯାଇପାରିବ କି? କାରଣ ଏଭଳି କାର୍ଯ୍ୟରେ ଲିପ୍ତ ହେବା ଅନେକଙ୍କ ସକାଶେ ଅନ୍ତରଙ୍ଗ ଧ୍ୟେୟ ହୋଇଥାଏ। ତେଣୁ ସେଭଳି ବ୍ୟକ୍ତିମାନେ ‘ଏ.ଆଇ.’ ଦ୍ବାରା କ୍ଷତିଗ୍ରସ୍ତ ହେବେ କି? ଏବଂ ହେବ ଯଦି ତାହାହେଲେ କିପରି?
୧୯୯୬ ମସିହାରେ ଇଣ୍ଟର୍ନେଟ୍ରେ ‘ଗୁଗଲ’ର ଆବିର୍ଭାବ ଘଟିବା ପରେ ଯେଉଁ ବିଶେଷ ପରିବର୍ତ୍ତନଟି ଦୃଷ୍ଟିଗୋଚର ହୋଇଥିଲା, ତାହା ଥିଲା କୌଣସି ସୂଚନା ବା ତଥ୍ୟ ପାଇବା ଲାଗି ଇଚ୍ଛୁକ ବ୍ୟକ୍ତି ଲାଇବ୍ରେରି ନ ଯାଇ, ପୁସ୍ତକ ଏବଂ ପତ୍ରିକାର ମହୋଦଧିରେ ମଗ୍ନ ନ ହୋଇ, ଅଧ୍ୟବସାୟଜନିତ ଅବସାଦରୁ ମୁକ୍ତ ରହି ଯେଉଁଠି ଇଚ୍ଛା ସେଇଠି ରହି କାର୍ଯ୍ୟରେ ସଫଳ ହେବା; କାରଣ ‘ଗୁଗଲ ସର୍ଚ୍ଚ ଇଂଜିନ୍’ରୁ ନିସୃତ ତଥ୍ୟ ଓ ସୂଚନାର ଅସରନ୍ତି ପ୍ରବାହରୁ ତାହା ସମ୍ଭବ ହେଲା। କିନ୍ତୁ, ଏଭଳି ଅଧ୍ୟବସାୟଶୂନ୍ୟ ଭାବେ ସୂଚନା, ତଥ୍ୟ ଓ ଜ୍ଞାନ ଆହରଣର ପ୍ରକ୍ରିୟାକୁ ଅନେକ ନୈଷ୍ଠିକ ବିଦ୍ବାନ, ଗୁଗଲ ଆସିବାର ତିନି ଦଶନ୍ଧି ପରେ ମଧ୍ୟ ନାପସନ୍ଦ କରନ୍ତି; କାରଣ ସେମାନଙ୍କ ମତରେ ତାହା ହେଉଛି ବିନା ପରିଶ୍ରମରେ ଅନ୍ୟମାନଙ୍କ ‘ଶ୍ରମ’ରୁ ଲବ୍ଧ ତଥ୍ୟର ଅପହରଣ ଓ ବ୍ୟବହାର! ପୁସ୍ତକାଗାରକୁ ଯାଉଥିବା ବ୍ୟକ୍ତିି ଯଦିଓ ସେହି କାର୍ଯ୍ୟ କରିଥାଆନ୍ତି, କିନ୍ତୁ ତହିଁରେ ଅନ୍ତତଃ ଅଧ୍ୟବସାୟ ରହିଥାଏ। ତେବେ, ସେ ଯାହା ହେଉ, ‘ଏ.ଆଇ.’ର ଆଗମନ ପରେ ସେହି ‘ଶ୍ରମ ଚୋରି’ର ପରିସର ଅଧିକ ବିସ୍ତୃତ ହୋଇଛି; ଯହିଁରେ ଗୁଗଲରୁ ଆହୃତ ତଥ୍ୟକୁ ଘେନି, ମସ୍ତିଷ୍କ ଖଟାଇ, ସମ୍ଭାଳି ଓ ସଜାଡ଼ି ନିର୍ଭୁଲ୍ ଭାଷାରେ ଲିଖନଟିଏ ପ୍ରସ୍ତୁତ କରିବାର ଦାୟିତ୍ବଟି ମଧ୍ୟ ନ ଥାଏ। କାରଣ ‘ଏ.ଆଇ.’ ଚାଟ୍ବଟ୍ଗୁଡ଼ିକ ତାହା ମଧ୍ୟ କରିବାକୁ ସକ୍ଷମ; ସଂପ୍ରତି ଅତ୍ୟନ୍ତ ଲୋକପ୍ରିୟ ଚାଟ୍ବଟ୍ ‘ଚାଟ୍ ଜିପିଟି’ ବା ତା’ର ଅନେକ ସମଧର୍ମାଙ୍କ ମାଧ୍ୟମରେ ଦପ୍ତରର ଔପଚାରିକ ପତ୍ର ଠାରୁ ଆରମ୍ଭ କରି ଉପନ୍ୟାସ; ଇତିହାସ ବା ମନସ୍ତତ୍ତ୍ବ ବା ଦର୍ଶନ ସଂବଳିତ ପୁସ୍ତକମାନ ମଧ୍ୟ ରଚନା କରାଯାଇପାରେ; କୌଣସି ପ୍ରସିଦ୍ଧ କବିଙ୍କ ଶୈଳୀରେ ଲିଖିତ କବିତା ଅପଦାର୍ଥଙ୍କ ନାମରେ ମୁଦ୍ରିତ ହୋଇପାରେ! ସୁତରାଂ, ସ୍ଥିତିଟି ହେଉଛି ଅନେକ ଅଲେଖକ, ଅଣଇତିହାସକାର ଓ ଶଠ ବିଦ୍ବାନମାନେ ମହତ୍ତ୍ବାକାଂକ୍ଷୀ ପୃଥୁଳ ପୁସ୍ତକମାନ ଧରି ଆବିର୍ଭୂତ ହୋଇପାରନ୍ତି, ଯେଉଁମାନଙ୍କ କୋଳାହଳ ମଧ୍ୟରେ ହୁଏତ ଗୁଣୀମାନେ ନିଷ୍ପ୍ରଭ ହୋଇଯିବେ। ସମ୍ଭବତଃ, ଏଭଳି ଏକ ସ୍ଥିତିକୁ ଧ୍ୟାନରେ ରଖି ଇତିହାସକାର ଓ ଲେଖକମାନେ ବୃତ୍ତି ନିବୃତ୍ତ ହୋଇଯିବେ ବୋଲି ମାଇକ୍ରୋସଫଟ ରିପୋର୍ଟ ଉଲ୍ଲେଖ କରିଛି! କିନ୍ତୁ ବାସ୍ତବତାଟି ହେଲା ଅନ୍ତରଙ୍ଗ ଆଗ୍ରହରୁ ଏଭଳି କାର୍ଯ୍ୟରେ ବ୍ରତୀମାନେ ତ ସର୍ବଦା ରହିବେ, କିନ୍ତୁ ସେମାନଙ୍କୁ ଖୋଜି ପାଇବା ଲାଗି ହୁଏତ ଚିହ୍ନରା ଗ୍ରାହକ ଲୋଡ଼ା ପଡ଼ିବେ!
ଏହି ସଂଦର୍ଭରେ ଏକ ଭିନ୍ନ ଚର୍ଚ୍ଚାରେ ଆଉ ଧାପେ ଆଗେଇ ଯାଇ ଜେରୁଜେଲମସ୍ଥିତ ହିବ୍ର୍ୟୁ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ତଥା ‘ସାପିଏନ୍ସ’ ଓ ‘ହୋମୋଡିଅସ’ ଭଳି ବହୁ ଆଲୋଚିତ ଓ ପଠିତ ପୁସ୍ତକର ଲେଖକ ୟୋଭାଲ ନୋଆ ହାରାରିଙ୍କ ମତାନୁସାରେ ‘ଏ.ଆଇ.’ ବିକାଶର ବେଗ ଓ ଦିଗରୁ ଅନୁମାନ କରି ହୁଏ ଯେ କେବଳ ବୃତ୍ତି ବା ଚାକିରି ନୁହେଁ, ମନୁଷ୍ୟର ବିଦ୍ୟା, ବୁଦ୍ଧି, ଚିନ୍ତା, ଚେତନା ଓ ପ୍ରଜ୍ଞା ଦ୍ବାରା ଏ ଯାବତ୍ ସଂପନ୍ନ ହୋଇ ଆସିଥିବା ପ୍ରାୟ ସମସ୍ତ କାର୍ଯ୍ୟ ଅବଲୀଳା କ୍ରମେ ‘ଏ.ଆଇ.’ ଦ୍ବାରା ଅପହୃତ ହୋଇଯିବ! ତାଙ୍କ ମତକୁ ପ୍ରାଂଜଳ କରିବାକୁ ଯାଇ ସେ ବିଭିନ୍ନ କଂପାନି ଦ୍ବାରା ପ୍ରସ୍ତୁତ କରାଯାଉଥିବା ଆଧ୍ୟାତ୍ମିକ ‘ଏ.ଆଇ.’ ମଡେଲର ଦୃଷ୍ଟାନ୍ତ ଦିଅନ୍ତି; ଯେଉଁ ମଡେଲଗୁଡ଼ିକ ଦ୍ବନ୍ଦ୍ବ, ଦୁଶ୍ଚିନ୍ତା ଓ ମନସ୍ତାପ ଗ୍ରସ୍ତ ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ସକାଶେ ଆଧ୍ୟାତ୍ମିକ ଗୁରୁଙ୍କ ଭୂମିକା ନିର୍ବାହ କରିବେ। ‘ଏ.ଆଇ.’ ମଡେଲଗୁଡ଼ିକ ଦ୍ବାରା ମାନବ ଗୁରୁ ବା ଦିଗ୍ଦର୍ଶକମାନେ ବିସ୍ଥାପିତ ହେବାର କାରଣ ହେଲା ଧର୍ମ ଶାସ୍ତ୍ର, ଦାର୍ଶନିକ ତତ୍ତ୍ବ ଓ ତାହାର ଗଭୀର ବ୍ୟାଖ୍ୟା ସମ୍ବନ୍ଧୀୟ ଯେତିକି ପରିମାଣର ଜ୍ଞାନ ଓ ତାକୁ ଠିକଣା ଭାବରେ ବ୍ୟବହାର କରିବାର ସାମର୍ଥ୍ୟ ନେଇ ‘ଏ.ଆଇ.’ ମଡେଲଗୁଡ଼ିକ ଉପସ୍ଥିତ ହେବେ, ତାହା ହୁଏତ କୌଣସି ମାନବ ପକ୍ଷରେ ଅସମ୍ଭବ; କାରଣ ମନୁଷ୍ୟର ଜ୍ଞାନ ଆହରଣର କ୍ଷମତା ସୀମିତ। ପୁଣି ଧର୍ମ ଗୁରୁମାନଙ୍କ ତୁଳନାରେ ‘ଏ.ଆଇ.’ ମଡେଲଗୁଡ଼ିକ ସୁଲଭ ଓ ସହଜଲଭ୍ୟ ମଧ୍ୟ ହେବେ! ଅବଶ୍ୟ, ହାରାରିଙ୍କ ସହିତ ଏକମତ ହେଉ ନ ଥିବା ଅନେକ ଲୋକ କହି ପାରନ୍ତି ଯେ ଜେଣ ଆଧ୍ୟାତ୍ମିକ ଗୁରୁଙ୍କ ଚୁମ୍ବକୀୟ ବିଦ୍ୟମାନ୍ୟତା, ତାଙ୍କ ମୁଖ ମଣ୍ଡଳ ବା ଅଙ୍ଗ ଭଙ୍ଗୀରେ ଥିବା ଜୈବିକ ସ୍ପନ୍ଦନ, ଚେତନା ସ୍ପର୍ଶକାରୀ ତାଙ୍କ କଣ୍ଠ ସ୍ବର ଏବଂ ବେଳେ ବେଳେ ତାଙ୍କ ସ୍ପର୍ଶ, ଯାହା କୌଣସି ବ୍ୟକ୍ତି ମନରେ ଭକ୍ତି ଓ ଶ୍ରଦ୍ଧା ଜାତ କରିଥାଏ, କୌଣସି ‘ଏ.ଆଇ.’ ମଡେଲ କ୍ଷେତ୍ରରେ ଯାହା କଦାପି ହେବ ନାହିଁ। କିନ୍ତୁ ହାରାରି କହନ୍ତି ଯେ ଏଭଳି ପ୍ରତିବନ୍ଧକ ଅତିକ୍ରମ୍ୟ; ଯେମିତି ସଂପ୍ରତି ଅନେକ ନିଃସଙ୍ଗ ବ୍ୟକ୍ତି ‘ଏ.ଆଇ.’ ମଡେଲମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କ ଠାରୁ ମନସ୍ତାତ୍ତ୍ବିକ ପରାମର୍ଶମାନ ଗ୍ରହଣ କଲେଣି; ଅର୍ଥାତ୍ ମନୋଚିକିତ୍ସକମାନେ ବିସ୍ଥାପିତ ହେବାକୁ ଆରମ୍ଭ କଲେଣି! ସେହି ଦୃଷ୍ଟିରୁ ହାରାରି ଏକ ଭୀତି ସଂଚାରକାରୀ ଭବିଷ୍ୟତ୍ର ଇଙ୍ଗିତ ଦିଅନ୍ତି, ଯହିଁରେ ରାଜନୀତି, ବାଣିଜ୍ୟ, ଯୁଦ୍ଧ ବିଗ୍ରହ ଆଦି ସମସ୍ତ କ୍ଷେତ୍ରରେ ମନୁଷ୍ୟର ଭୂମିକା ‘ଏ.ଆଇ.’ ଦ୍ବାରା ଅପହୃତ ହୋଇଯିବ!
ହାରାରି କାହିଁକି ଏଭଳି ଭାବନ୍ତି? କାରଣ ତାଙ୍କ ମତରେ ଏ ଯାବତ୍ ମନୁଷ୍ୟ ଯାହା କିଛି ଉଦ୍ଭାବନ କରି ଆସିଛି, ସେଗୁଡ଼ିକ ହେଉଛନ୍ତି ଉପକରଣ ବା ଇଂରେଜୀ ଭାଷାରେ ‘ଟୁଲ୍’; ଯେଉଁଗୁଡ଼ିକୁ ବ୍ୟବହାର କରି ମନୁଷ୍ୟ ଅଧିକ ସମର୍ଥ ହୋଇଛି। ଯେତେ ସୂକ୍ଷ୍ମ ବା ବିଶାଳ ଯନ୍ତ୍ର ହୋଇଥିଲେ ହେଁ ତାହା ଏକ ‘ଟୁଲ୍’ ଏବଂ ସର୍ବଦା ମନୁଷ୍ୟର ଆଜ୍ଞା ବା ଇଚ୍ଛାନୁସାରେ ପରିଚାଳିତ। ଯନ୍ତ୍ରଗୁଡ଼ିକ କେବଳ ସେତିକି କାର୍ଯ୍ୟ କରନ୍ତି, ଯାହା ସଂପାଦନ କରିବା ଉଦ୍ଦେଶ୍ୟରେ ସେଗୁଡ଼ିକ ନିର୍ମିତ। କିନ୍ତୁ ‘ଏ.ଆଇ.’ ଏକ ‘ଟୁଲ୍’ ମାତ୍ର ନୁହେଁ; ଏହା ମନୁଷ୍ୟ ଦ୍ବାରା ସୃଷ୍ଟ ମନୁଷ୍ୟର ଏକ ପ୍ରତିନିଧି। ପୁଣି ମନୁଷ୍ୟ ସଂଭୂତ ଜ୍ଞାନର ବିଶାଳ ଗନ୍ତାଘରକୁ ଉପଯୋଗ କରି ‘କୃତ୍ରିମ ବୁଦ୍ଧମତ୍ତା’ ଯେଉଁ ବେଗରେ ବିକଶିତ ହେବାରେ ଲାଗିଛି, ତାହା ମନୁଷ୍ୟର ମସ୍ତିଷ୍କକୁ ପରାସ୍ତ କରିବାକୁ ଅଚିରେ ସକ୍ଷମ ହେବ। କୌଣସି ‘ଏ.ଆଇ.’ ମଡେଲକୁ ପ୍ରଶ୍ନଟିଏ ପଚାରି ତା’ର ଜ୍ଞାନଗରିମା ସଂବଳିତ ପ୍ରାଂଜଳ ଉତ୍ତର ସମକ୍ଷରେ ନତମସ୍ତକ ହେବାର ଅନୁଭୂତି ଅନେକ ବ୍ୟକ୍ତି ଲାଭ କରିସାରିଲେଣି। ଏଭଳି ସ୍ଥିତିରେ କେବଳ ମନୁଷ୍ୟର ବୃତ୍ତି ନୁହେଁ, ବୁଦ୍ଧିବୃତ୍ତି ମଧ୍ୟ ‘ଏ.ଆଇ.’ ଦ୍ବାରା ଅପହୃତ, ନିୟନ୍ତ୍ରିତ ଓ ପରିଚାଳିତ ହେବାର ସମ୍ଭାବନା ଅଛି। ସୁତରାଂ, ହାରାରିଙ୍କ ଅନୁମାନ ହୁଏତ ଠିକ୍ ହୋଇପାରେ। ଦିନେ ହୁଏତ ମନୁଷ୍ୟର ଭୂମିକା ଅନେକାଂଶରେ ‘ଏ.ଆଇ.’ ଦ୍ବାରା ବିସ୍ଥାପିତ ହୋଇଯାଇପାରେ!