‘ଏଫ.ଏ.ଟି.ଏଫ.’ର ଏହି ରିପୋର୍ଟରେ ଯାହା ସର୍ବାଧିକ ଉଦ୍ବେଗ ସୃଷ୍ଟିକାରୀ, ତାହା ହେଲା ଆତଙ୍କବାଦୀ କାର୍ଯ୍ୟକଳାପର ଦ୍ରୁତ ଓ ସହଜ ପ୍ରସାରରେ ‘ଭର୍ଚ୍ୟୁଆଲ’ ମାଧ୍ୟମର ଭୂମିକା। କହିବା ଅନାବଶ୍ୟକ ଯେ ସାମାଜିକ ଗଣମାଧ୍ୟମରେ ନିରଙ୍କୁଶ ବିଚରଣର ସୁଯୋଗ ପାଇ ଦୁଷ୍ଟ ଶକ୍ତିଗୁଡ଼ିକ ତୀବ୍ର ହୋଇ ଉଠି ତାହାକୁ ଏକ ଶ୍ବପଦସଂକୁଳ ଅରଣ୍ୟରେ ପରିଣତ କଲେଣି। ସୁତରାଂ, ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଆଇନ ପ୍ରଣୟନ କରି ବିଭିନ୍ନ ପ୍ରକାର ଅଙ୍କୁଶ ଲଗାଯିବା ଉପରେ ସଂପ୍ରତି ଗୁରୁତ୍ବ ଆରୋପ କରାଯାଉଛି, ଯଦ୍ଦ୍ବାରା ହୁଏତ ଅନ୍ଲାଇନ୍ କାର୍ଯ୍ୟକଳାପ ପୂର୍ବ ଭଳି ସାବଲୀଳ ରହି ନ ପାରେ; ଅନେକ ପରିଚୟ ପତ୍ର ବା ବାରମ୍ବାର ‘କେ.ୱାଇ.ସି.’ର ପ୍ରମାଣ ଦେଇ ନାଗରିକମାନେ କ୍ଳାନ୍ତ ହୋଇଯାଇପାରନ୍ତି।
ଅନେକ ବର୍ଷ ଧରି ଭାରତ ପକ୍ଷରୁ ଯେଉଁ ଅଭିଯୋଗ ବାରମ୍ବାର ସପ୍ରମାଣ କରାଯାଇ ଆସୁଥିବା ସତ୍ତ୍ବେ ପାଶ୍ଚାତ୍ୟ ଦୃଷ୍ଟି ଓ ଯୁକ୍ତି ତାହାକୁ ସ୍ବୀକାର କରିବାକୁ କୁଣ୍ଠିତ ଥିଲା, ତାହା ସଦ୍ୟ ଏକ କର୍ତ୍ତୃତ୍ବସଂପନ୍ନ ଜାତିସଂଘୀୟ ଅନୁଷ୍ଠାନର ରିପୋର୍ଟରେ ସ୍ପଷ୍ଟ ରୂପେ ପ୍ରତିପାଦିତ ହେବା ଆମ ଦେଶ ସକାଶେ ନିଶ୍ଚିତ ଭାବେ ଆଶ୍ବାସନାମୂଳକ ହୋଇଛି। ଶଂସିତ ଅନୁଷ୍ଠାନ ‘ଫାଇନାନ୍ସ ଅକ୍ସନ ଟାସ୍କ ଫୋର୍ସ’ ବା ‘ଏଫ.ଏ.ଟି.ଏଫ୍.’ ଦ୍ବାରା ପ୍ରସ୍ତୁତ ରିପୋର୍ଟଟି ନିର୍ଦ୍ଦିଷ୍ଟ ଭାବେ ପୁଲୱାମା(୨୦୧୯) ଏବଂ ଗୋରଖନାଥ ମନ୍ଦିର(୨୦୨୨)ରେ ସଂଘଟିତ ଆତଙ୍କବାଦୀ ଆକ୍ରମଣକୁ ଅନୁଧ୍ୟାନ କରି ତା’ ପଛରେ ଥିବା ଷଡ୍ଯନ୍ତ୍ରର ଗଭୀରତାକୁ ବୁଡ଼ି ଯେଉଁ ତଥ୍ୟମାନ ସହିତ ଆବିର୍ଭୂତ ହୋଇଛି, ସେଥିରେ ପାକିସ୍ତାନର ନାମୋଲ୍ଲେଖ ନ ଥିଲେ ସୁଦ୍ଧା ସେହି ଦେଶର ସଂପୃକ୍ତି ଓ ଭୂମିକା ବିଷୟ ପ୍ରାଂଜଳ ହୋଇଯାଇଛି। ପ୍ରକାଶ ଥାଉ କି ଆତଙ୍କବାଦୀ ସଂଗଠନ, ନିଶା ଦ୍ରବ୍ୟ କାରବାର ଏବଂ ଆନ୍ତର୍ଜାତିକ ଅପରାଧ ଇତ୍ୟାଦି ସକାଶେ ପ୍ରବାହିତ ସନ୍ଦିଗ୍ଧ ଅର୍ଥ ସ୍ରୋତ ଉପରେ ‘ଏଫ.ଏ.ଟି.ଏଫ୍.’ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥାଏ ଏବଂ ଯେଉଁ ରାଷ୍ଟ୍ରଗୁଡ଼ିକ ଏଭଳି କାରବାରର ପେଣ୍ଠ ବା ପୃଷ୍ଠପୋଷକ ଭାବେ ପରିଗଣିତ ହୁଅନ୍ତି, ସେମାନଙ୍କୁ ଧୂସର ଓ କଳା ତାଲିକାଭୁକ୍ତ କରାଯାଏ, ଯଦ୍ବାରା ସେ ସବୁ ରାଷ୍ଟ୍ରକୁ ସ୍ବୀକୃତି ପ୍ରାପ୍ତ ଅନ୍ତର୍ଜାତୀୟ ବ୍ୟାଙ୍କ ବା ପାଣ୍ଠିରୁ ମିଳୁଥିବା ଆର୍ଥିକ ସହାୟତା ଉପରେ କଟକଣା ଲାଗେ। କହିବା ବାହୁଲ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା’ ପରବର୍ତ୍ତୀ ‘ଅପରେସନ ସିନ୍ଦୂର’ ପରିପ୍ରେକ୍ଷୀରେ ଏଭଳି ଏକ ରିପୋର୍ଟ ସ୍ବାଭାବିକ ଭାବେ ଆଲୋଡ଼ନ ସୃଷ୍ଟି କରିବ।
ତେବେ ପ୍ରଥମେ ଚୁମ୍ବକରେ ‘ଏଫ.ଏ.ଟି.ଏଫ୍.’ ରିପୋର୍ଟର ସାରାଂଶ, ଯହିଁରେ ଅଛି ଯେ ପୁଲୱାମା ଆତଙ୍କବାଦୀ ବୋମା ବିସ୍ଫୋରଣରେ ବ୍ୟବହୃତ ‘ଆଲୁମିନିଅମ ପାଉଡର’କୁ ଆମାଜନ ଭଳି ଇ-କମର୍ସ ପ୍ରାଙ୍ଗଣରୁ ଅନାୟାସରେ କ୍ରୟ କରାଯାଇ ବ୍ୟବହାର କରାଯାଇଥିଲା, ଯେଉଁଥିରେ ‘ଅନ୍ଲାଇନ୍’ ବ୍ୟବସ୍ଥାରେ ଅର୍ଥ ପଇଠ କରାଯାଇଥିଲା; ସେହିଭଳି ଗୋରଖନାଥ ଆତଙ୍କବାଦୀ ଆକ୍ରମଣ ଭିଆଇବା ଲାଗି ଜଣେ ବ୍ୟକ୍ତି ମୋବାଇଲରେ ‘ଭି.ପି.ଏନ୍.’ ବ୍ୟବହାର କରି ନିଜ ପରିଚୟକୁ ଗୁପ୍ତ ରଖିବା ସହିତ ‘ପେ ପାଲ୍’ ଭଳି ଏକ ଅର୍ଥ ଦେଣ-ନେଣ ‘ଆପ୍’ ମାଧ୍ୟମରେ ‘ଆଇ.ଏସ.ଆଇ.ଏସ.’ ଭଳି ଆତଙ୍କବାଦୀ ସଂଗଠନକୁ ଛଅ ଲକ୍ଷରୁ ଅଧିକ ଟଙ୍କା ପ୍ରେରଣ କରିବାରେ ସଫଳ ହୋଇଥିଲା, ଯଦିଓ ଏକ ସଂକ୍ଷିପ୍ତ ଅବଧି ମଧ୍ୟରେ ସେହି ଏକାଉଣ୍ଟରୁ ଚଉରାଳିଶ ଥର ବିଦେଶକୁ ଅର୍ଥ ପ୍ରେରଣ ସନ୍ଦେହ ସୃଷ୍ଟି କରିବାରୁ ‘ପେ ପାଲ୍’ ପକ୍ଷରୁ ପରିଶେଷରେ ତାକୁ ହଟାଇ ଦିଆଯାଇଥିଲା। ଏହି ରିପୋର୍ଟ କହିଛି ଯେ ପ୍ରବଳ ଜନପ୍ରିୟ ଅନ୍ଲାଇନ୍ ଗେମିଂ ଓ ମେସେଜିଂ ଆପ୍ଗୁଡ଼ିକ ମାଧ୍ୟମରେ ଆତଙ୍କବାଦୀ ସଂଗଠନଗୁଡ଼ିକ ନୂତନ ସଦସ୍ୟଙ୍କୁ ଦୀକ୍ଷିତ କରିବା ସହିତ ଅର୍ଥ ଯୋଗାଡ଼ କରିବାରେ ସଫଳ ହେଉଛନ୍ତି। ସେହିଭଳି ଦରିଦ୍ରଙ୍କ ଆଶୁ ଚିକତ୍ସା ହେଉ ବା କୌଣସି ଜନ କଲ୍ୟାଣକାରୀ କାର୍ଯ୍ୟ ସକାଶେ ଅନ୍ଲାଇନ୍ ମଞ୍ଚଗୁଡ଼ିକ ଦ୍ବାରା ସଂଗ୍ରହ କରାଯାଉଥିବା ବିପୁଳ ଅର୍ଥ (କ୍ରାଉଡ୍ ଫଣ୍ଡିଙ୍ଗ) ମଧ୍ୟ ଅନେକ ସ୍ଥଳେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସବଳ କରୁଛି। ଏହି ରିପୋର୍ଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ ସହିତ ଛଦ୍ମ ପରିଚୟ ସହିତ ଆବିର୍ଭୂତ ହେଉଥିବା ଆତଙ୍କବାଦୀ ସଂଗଠନ(ଟି.ଆର.ଏଫ୍. ଭଳି)ଗୁଡ଼ିକ ବିଷୟରେ କୁହାଯାଇଛି, ଯେଉଁମାନଙ୍କ ଲକ୍ଷ୍ୟ ବିଭିନ୍ନ ରାଷ୍ଟ୍ରର ଗୁଇନ୍ଦା ସଂସ୍ଥାଗୁଡ଼ିକର ଅନ୍ତର୍ଭେଦୀ ଦୃଷ୍ଟିରୁ ବର୍ତ୍ତିବା। ସେହି ରିପୋର୍ଟର ଏକ ପୂର୍ଣ୍ଣ ଅଧ୍ୟାୟ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ଶୀର୍ଷକରେ ରହିଛି। ଏହି ରିପୋର୍ଟରେ କୌଣସି ରାଷ୍ଟ୍ରର ନାମ ନିଆ ଯାଇ ନ ଥିଲେ ସୁଦ୍ଧା ପାକିସ୍ତାନରେ ପ୍ରତିପାଳିତ ହୋଇ ନିରଙ୍କୁଶ ଭାବେ ବିଚରଣ କରୁଥିବା ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ, ଲସ୍କର ଏ ତୋଇବା ଏବଂ ତେହରିକ ଏ ପାକିସ୍ତାନ ତାଲିବାନର ଦୃଷ୍ଟାନ୍ତ କେବଳ ସେହି ଅନୁଚ୍ଚାରିତ ସତ୍ୟକୁ ଉଜାଗର କରିଛି ଯାହା! ଏବଂ ତା’ ସହିତ ଏହା ମଧ୍ୟ ସତ ଯେ ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ନେଇ ଭାରତ ଦ୍ବାରା କରାଯାଇ ଆସୁଥିବା ପ୍ରାୟ ନିଷ୍ଫଳ ଚିତ୍କାର ଏବେ ଶ୍ରବଣକାରୀ କର୍ଣ୍ଣ ପାଇବ! କେବଳ ସେତିକି ନୁହେଁ, ‘ଏଫ.ଏ.ଟି.ଏଫ.’ର ଏହି ରିପୋର୍ଟ ଭାରତର ଦାବିକୁ ସାବ୍ୟସ୍ତ କଲା ଭଳି ଏକ ପ୍ରମାଣ ରୂପେ ମଧ୍ୟ ଉଭା ହୋଇଛି।
ଉଲ୍ଲେଖଯୋଗ୍ୟ, ଭାରତର ତୁମୂଳ ପ୍ରତିବାଦ ସତ୍ତ୍ବେ ଆନ୍ତର୍ଜାତିକ ମୁଦ୍ରା କୋଷ(ଆଇଏମଏଫ), ବିଶ୍ବ ବ୍ୟାଙ୍କ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଭଳି ସର୍ବମାନ୍ୟ ଆନ୍ତର୍ଜାତିକ ପାଣ୍ଠିରୁ ପାକିସ୍ତାନକୁ ବିପୁଳ ଅର୍ଥ ସହାୟତା େଯାଗାଇ ଦିଆଯାଇଥିଲା। ଭାରତର ତର୍କ ଥିଲା ଯେ ଏହାର ଏକ ବୃହତ୍ ଅଂଶ ଅବଲୀଳା କ୍ରମେ ଯେ ଆତଙ୍କବାଦୀ ସଂଗଠନଗୁଡ଼ିକ ନିକଟରେ ପହଞ୍ଚିବ। ‘ଏଫ.ଏ.ଟି.ଏଫ.’ର ସଦ୍ୟ ରିପୋର୍ଟ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ସଂଦର୍ଭରେ ଏହି ତର୍କକୁ ସମର୍ଥନ କରିଛି, ଯହିଁରେ କୁହାଯାଇଛି ଯେ ଏଭଳି କାର୍ଯ୍ୟ କେତେକ ସ୍ଥଳେ ଏକ ରାଷ୍ଟ୍ରୀୟ ନୀତିରେ ମଧ୍ୟ ପରିଣତ ହୋଇଛି। ଏଠାରେ କହି ରଖାଯିବା ଉଚିତ ଯେ ଗଲା ଜୁନ୍ ମାସରେ କେନ୍ଦ୍ର ଅର୍ଥ ଓ ରାଜସ୍ବ ବିଭାଗ ପକ୍ଷରୁ ‘ଏଫ.ଏ.ଟି.ଏଫ’କୁ ପ୍ରେରଣ କରାଯାଇଥିବା ପ୍ରମାଣ ସଂବଳିତ ତିନିଟି ପତ୍ର ଏ ପ୍ରକାର ରିପୋର୍ଟ ପ୍ରସ୍ତୁତିରେ ସହାୟକ ହୋଇଥିବ, କାରଣ ତହିଁରେ ନିର୍ଦ୍ଦିଷ୍ଟ ଭାବେ ଭାରତରେ ଘଟିଥିବା ଦୁଇଟି ଆତଙ୍କବାଦୀ ଘଟଣାକୁ ‘କେସ ଷ୍ଟଡି’ ଭାବେ ଗ୍ରହଣ କରାଯାଇ ତହିଁରେ ସାମାଜିକ ଗଣମାଧ୍ୟମର ବିପଜ୍ଜନକ ଭୂମିକାକୁ ଅନାବରଣ କରାଯାଇଛି। ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏହି ରିପୋର୍ଟ ଏବଂ ଜୁନ୍ ମାସରେ ପ୍ରକାଶିତ ‘ଏଫ.ଏ.ଟି.ଏଫ’ର ଆଉ ଏକ ରିପୋର୍ଟକୁ ଭିତ୍ତି କରି ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଏଫ.ଏ.ଟି.ଏଫ’ର ବୈଠକରେ ପାକିସ୍ତାନକୁ ଧୂସର ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଭାରତ ପକ୍ଷରୁ ଦୃଢ଼ ଦାବି କରାଯିବ। ପ୍ରକାଶ ଥାଉ କି କାଣ୍ଡଲା ଠାରେ ଚୀନରୁ କରାଚୀ ଅଭିମୁେଖ ଯାଉଥିବା ଏକ ପଣ୍ୟବାହୀ ଜାହାଜର ତନଖି କରାଗଲା ବେଳେ ତହିଁରେ ଡାକ୍ତରୀ ଉପକରଣ ଭାବେ ରପ୍ତାନି ହେଉଥିବା ଦ୍ରବ୍ୟମାନ ପ୍ରକୃତରେ ଚୀନା ନିର୍ମିତ କ୍ଷେପଣାସ୍ତ୍ରର ଯନ୍ତ୍ରାଂଶ ଥିଲା ବୋଲି ଜୁନ୍ ମାସର ‘ଏଫ.ଏ.ଟି.ଏଫ.’ ରିପୋର୍ଟରେ ସ୍ଥାନ ପାଇଛି। ଉଲ୍ଲେଖନୀୟ ବିଷୟ ହେଲା, ପୂର୍ବରୁ ୨୦୦୮, ୨୦୧୨ ଓ ୨୦୧୮ ମସିହାରେ ପାକିସ୍ତାନ ‘ଏଫ.ଏ.ଟି.ଏଫ.’ର ଧୂସର ତାଲିକାଭୁକ୍ତ ହେବାର ସନ୍ଦିଗଧ ପରିଚିତି ସହିତ ଅଢ଼େଇ ହଜାରରୁ ଅଧିକ ଦିନ ଅତିବାହିତ କରିସାରିଛି। ସୁତରାଂ, ଏଭଳି ଏକ ଦାଗୀ ଦେଶ ସକାଶେ ଚତୁର୍ଥ ଥରର କାର୍ଯ୍ୟାନୁଷ୍ଠାନ ବିଶେଷ ଭ୍ରୂକୁଂଚନ ସୃଷ୍ଟି କରିବା ଉଚିତ ନୁହେଁ। କେବଳ ସେତିକି ନୁହେଁ, ‘ଏଫ.ଏ.ଟି.ଏଫ.’ର ରିପୋର୍ଟ କେତେକ ପାଶ୍ଚାତ୍ୟ ଦେଶ ଲାଗି ଏକ ବେତ୍ରାଘାତ ସଦୃଶ, ଯେଉଁମାନେ ଆତଙ୍କବାଦ ସଂଦର୍ଭରେ ପୂର୍ବାଗ୍ରହ ଓ କପଟାଚାର ଜର୍ଜର!
ତେବେ, ‘ଏଫ.ଏ.ଟି.ଏଫ.’ର ଏହି ରିପୋର୍ଟରେ ଯାହା ସର୍ବାଧିକ ଉଦ୍ବେଗ ସୃଷ୍ଟିକାରୀ, ତାହା ହେଲା ଆତଙ୍କବାଦୀ କାର୍ଯ୍ୟକଳାପର ଦ୍ରୁତ ଓ ସହଜ ପ୍ରସାରରେ ‘ଭର୍ଚ୍ୟୁଆଲ’ ମାଧ୍ୟମର ଭୂମିକା। କହିବା ଅନାବଶ୍ୟକ ଯେ ସାମାଜିକ ଗଣମାଧ୍ୟମରେ ନିରଙ୍କୁଶ ବିଚରଣର ସୁଯୋଗ ପାଇ ଦୁଷ୍ଟ ଶକ୍ତିଗୁଡ଼ିକ ତୀବ୍ର ହୋଇ ଉଠି ତାହାକୁ ଏକ ଶ୍ବପଦସଂକୁଳ ଅରଣ୍ୟରେ ପରିଣତ କଲେଣି। ସୁତରାଂ, ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଆଇନ ପ୍ରଣୟନ କରି ବିଭିନ୍ନ ପ୍ରକାର ଅଙ୍କୁଶ ଲଗାଯିବା ଉପରେ ସଂପ୍ରତି ଗୁରୁତ୍ବ ଆରୋପ କରାଯାଉଛି, ଯଦ୍ଦ୍ବାରା ହୁଏତ ଅନ୍ଲାଇନ୍ କାର୍ଯ୍ୟକଳାପ ପୂର୍ବ ଭଳି ସାବଲୀଳ ରହି ନ ପାରେ; ଅନେକ ପରିଚୟ ପତ୍ର ବା ବାରମ୍ବାର ‘କେ.ୱାଇ.ସି.’ର ପ୍ରମାଣ ଦେଇ ନାଗରିକମାନେ କ୍ଳାନ୍ତ ହୋଇଯାଇପାରନ୍ତି। ଏଭଳି ପ୍ରକ୍ରିୟାରେ ନାଗରିକମାନଙ୍କ ସ୍ବାଧୀନତା ଓ ଅଧିକାର ମଧ୍ୟ ଅନେକାଂଶରେ କ୍ଷୁଣ୍ଣ ହୋଇପାରେ, ଯାହା ତୀବ୍ର ପ୍ରତିବାଦର ସ୍ବରକୁ ମଧ୍ୟ ଜନ୍ମ ଦେଇପାରେ। କିନ୍ତୁ ତା’ ସତ୍ତ୍ବେ ଆତଙ୍କବାଦକୁ ପ୍ରତିହତ କରିବା ଲାଗି ଅଙ୍କୁଶର ଆବଶ୍ୟକତା ରହିଛି। ଏକ ଅରଣ୍ୟରେ ସବୁ ପ୍ରାଣୀଙ୍କ ବିଚରଣ ଲାଗି ନିରଙ୍କୁଶ ସ୍ବାଧୀନତା ଥାଏ ସତ, କିନ୍ତୁ ଶିଷ୍ଟ ଓ ଦୁର୍ବଳ ପ୍ରାଣୀଗୁଡ଼ିକ ସାରା ଜୀବନ କେବଳ ସଂତ୍ରସ୍ତ ହୋଇ ବଞ୍ଚି ରହନ୍ତି। ସୁତରାଂ, ଏଭଳି ନିରଙ୍କୁଶତାରେ ମଧ୍ୟ ମୁକ୍ତିର ବୋଧ ନ ଥାଏ।