କହିବା ବାହୁଲ୍ୟ ପ୍ରବାସୀ ଭାରତୀୟଙ୍କ ବିରୋଧରେ ଘୃଣାର ପ୍ରଚାର, ଆକ୍ରମଣର ଦୃଶ୍ୟ ଏବଂ ସେମାନଙ୍କ ବିଷୟରେ ପୂର୍ବାଗ୍ରହ ସଂବଳିତ ବାର୍ତ୍ତା ଆଦିର ପ୍ରସାରଣରେ କିଛି ଉଗ୍ର ଜାତୀୟତାବାଦୀ ଓ ଦକ୍ଷିଣପନ୍ଥୀ ‘ସୋସିଆଲ ମିଡିଆ ଇନଫ୍ଲୁଏନସର’ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି, ଯେମିତି ସିଡନିରେ ହୋଇଥିବା ପ୍ରଦର୍ଶନର ମୂଳରେ ଅଛି ‘ବ୍ୟାକ ଫ୍ରିଡମ’ ନାମକ ୟୁଟ୍ୟୁବରେ ସକ୍ରିୟ ଏକ ଚ୍ୟାନେଲ।
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବାସୀ ଭାରତୀୟମାନଙ୍କୁ ଘେନି ଏକ ରାଜନୈତିକ ପ୍ରସଙ୍ଗ ବିଧିବଦ୍ଧ ଭାବେ ଶିରୋତ୍ତୋଳନ କରିଛି ସତ; କିନ୍ତୁ ଯାହା ଅପ୍ରତ୍ୟାଶିତ ଭାବେ ଅନେକ ଭାରତୀୟଙ୍କୁ ଉଦ୍ବିଗ୍ନ ଏବଂ ଶଙ୍କାଗ୍ରସ୍ତ କଲାଣି, ତାହା ହେଲା କାନାଡା, ଇଂଲାଣ୍ଡ, ଆୟାର୍ଲାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ସେଠାକାର ଜନ ସମାଜରେ ପ୍ରବାସୀ ଭାରତୀୟମାନଙ୍କ ପ୍ରତି ଘୃଣା ବା ବିଦ୍ବେଷ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଅଷ୍ଟ୍ରେଲିଆର ମେଲବୋର୍ନ ଓ ସିଡନି ନଗରୀରେ, ଯଦିଓ ସ୍ଥୂଳତଃ, ସମଗ୍ର ପ୍ରବାସୀ ସମୁଦାୟ ବିରୋଧରେ ପ୍ରଦର୍ଶନ ଆୟୋଜିତ ହୋଇଥିଲା, ତହିଁରେ ନିର୍ଦ୍ଦିଷ୍ଟ ଭାବେ ବହିରାଗତ ଭାରତୀୟମାନଙ୍କ ପ୍ରତି ଦ୍ବେଷ ଓ ଅସହିଷ୍ଣୁତା ପରିଦୃଷ୍ଟ ହୋଇଥିଲା। ଅନେକ ବିଦ୍ବାନ ମତ ଦିଅନ୍ତି ଯେ ଏହା ହେଉଛି ଇତିହାସର ସେହି କଡ଼ ଲେଉଟାଇବାର ବେଳ, ଯେତେବେଳେ ଅନେକ ପୁରୁଣା ଧାରା ଓ ଧାରଣାମାନ ଭୂଲୁଣ୍ଠିତ ହୋଇଯିବା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଭଳି ସ୍ଥଳେ ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ପୃଥିବୀର ପ୍ରାୟ ସମସ୍ତ ଦେଶରେ ବସବାସ କରି ଆସୁଥିବା ଭାରତୀୟ ମୂଳୋଦ୍ଭବଙ୍କ ସଂଖ୍ୟା ହେଉଛି ପ୍ରାୟ ୩ କୋଟି ୪୦ ଲକ୍ଷ, ଅବଶ୍ୟ ଯେଉଁମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଅସ୍ଥାୟୀ ଭାବେ ବିଦେଶ ଗମନ କରିଥିବା ଭାରତୀୟ ଅନ୍ତର୍ଭୁକ୍ତ! ଏହା ମଧ୍ୟ ଏକ ବାସ୍ତବତା ଯେ ୟୁରୋପ ବା ଆମେରିକା ଅଥବା ଆଫ୍ରିକା କିମ୍ବା ଅଷ୍ଟ୍ରେଲିଆ; ସର୍ବତ୍ର ପ୍ରବାସୀ ଭାରତୀୟ ସମୁଦାୟ ବା ‘ଭାରତୀୟ ଡାୟାସ୍ପୋରା’ ଅତ୍ୟନ୍ତ ସଫଳ, ପ୍ରଭାବଶାଳୀ ଓ ବିତ୍ତଶାଳୀ; ଯେମିତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରବାସୀ ଭାରତୀୟଙ୍କ ହାରାହାରି ଆୟ ସେ ଦେଶର ହାରାହାରି ଜାତୀୟ ଆୟର ଦୁଇ ଗୁଣ। ଏହା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ସେହି ସବୁ ରାଷ୍ଟ୍ରର ଅର୍ଥନୀତିକୁ ସମୃଦ୍ଧ କରିବାରେ ‘ଭାରତୀୟ ଡାୟାସ୍ଫୋରା’ର ଭୂମିକା ଅତୁଲ୍ୟ। ତେଣୁ ପ୍ରଶ୍ନ ଉଠିଥାଏ ଯେ ସେ ସବୁ ଦେଶରେ ପ୍ରବାସୀ ଭାରତୀୟମାନେ ହଠାତ୍ ସେଠାକାର ଶ୍ବେତାଙ୍ଗ ଗୋଷ୍ଠୀଙ୍କ ଲାଗି ଚକ୍ଷୁଶୂଳ ହୋଇ ଉଠିଛନ୍ତି କାହିଁକି?
ପ୍ରଥମ କାରଣଟି ହେଲା ଏକ ବ୍ୟାଖ୍ୟାନର ସୃଷ୍ଟି ଯେ ସେ ସବୁ ଦେଶକୁ ପ୍ରତି ବର୍ଷ ପ୍ରବେଶ କରୁଥିବା ଭାରତୀୟଙ୍କ ସଂଖ୍ୟାଧିକ୍ୟ ହେତୁ ସେଠାରେ ଗହଳି, ଅପରିଚ୍ଛନ୍ନତା, ଗୃହାଭାବ, ଭଡ଼ାରେ ତୀବ୍ର ବୃଦ୍ଧି, ମୁଦ୍ରାସ୍ଫୀତି ଓ ସ୍ଥାନୀୟ ମୂଳ ବାସିନ୍ଦାଙ୍କ ରୋଜଗାର ହାନି ଆଦି ଘଟୁଛି।
ଏକ ଆକଳନ ଅନୁସାରେ ସଂପ୍ରତି ଆୟର୍ଲାଣ୍ଡ ଭଳି ଏକ ସ୍ବଳ୍ପ ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୮୦ ହଜାର। କାନାଡା ଏବଂ ଅଷ୍ଟ୍ରେଲିଆରେ ସମଗ୍ର ପ୍ରବାସୀ ସମୁଦାୟ ଭିତରେ ଭାରତୀୟମାନେ ସଂଖ୍ୟାଗରିଷ୍ଠ; ୨୦୨୫ ମସିହା ସୁଦ୍ଧା କାନାଡାକୁ ଆସିଥିବା ଭାରତୀୟମାନଙ୍କ ସଂଖ୍ୟା ହେଉଛି ୨ ନିୟୁତ, ଯାହା ସମୁଦାୟ କାନାଡା ଜନସଂଖ୍ୟାର ୫ ପ୍ରତିଶତ। ଦ୍ବିତୀୟ କାରଣଟି ଏକ ପୂର୍ବାଗ୍ରହ ଯେ ଭାରତୀୟମାନେ ସ୍ବଭାବତଃ ମୁଖର ଓ ଉଚ୍ଚାଟ ସୃଷ୍ଟିକାରୀ, ସେମାନଙ୍କ ‘ସିଭିକ୍ ସେନ୍ସ’ ବା ‘ନାଗରିକ ଦାୟିତ୍ବବୋଧ’ ଦୟନୀୟ ପର୍ଯ୍ୟାୟର ଏବଂ ସେମାନେ ବସବାସ କରୁଥିବା ଅଞ୍ଚଳକୁ ବସ୍ତୁତଃ କବଜା କରି ନେଇ ଭାରତର ଏକ କ୍ଷୁଦ୍ର ସଂସ୍କରଣଟିଏର ଆବିର୍ଭାବ ଘଟାନ୍ତି। କହିବା ବାହୁଲ୍ୟ ଯେ ବେଳେବେଳେ ଅତ୍ୟୁତ୍ସାହରେ ସଡ଼କ ଅବରୋଧ କରି ‘ଦାଣ୍ଡିଆ’ ନୃତ୍ୟ କରିବା ବା ସୁଯୋଗ ପାଇଲେ ସେଠାକାର ନିର୍ମଳ ନଦୀରେ ‘ସ୍ନନ, ତର୍ପଣ ଓ ଆଚମନ’ ଆଦି ସଂପନ୍ନ କରି ପ୍ରଦୂଷଣ ସୃଷ୍ଟି କରିବା ଅଥବା କେଉଁଠି କେଉଁଠି କାନ୍ଥକୁ ପାନ ପିକରେ ରଂଜିତ କରିଦେବା ଭଳି କାର୍ଯ୍ୟକଳାପରେ ନିୟୋଜିତ ମୁଷ୍ଟିମେୟ ଭାରତୀୟ ଏଭଳି ପୂର୍ବାଗ୍ରହକୁ ପ୍ରଗାଢ଼ ମଧ୍ୟ କରିଥାଆନ୍ତି।
ତୃତୀୟ କାରଣଟି ହେଉଛି ଭାରତୀୟ ସାଂସ୍କୃତିକ ଆଟୋପ, ଯେମିତି କାନାଡାର ଟରୋଣ୍ଟୋ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ସ୍ଥାପିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଷାଠିଏ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ମୂର୍ତ୍ତି ଏବଂ ତା’ର ଉନ୍ମୋଚନକାଳୀନ ଉଦ୍ଘୋଷଣା ଯେ ଏଣିକି ବିମାନରେ ସହରକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀ ଆକାଶ ମାର୍ଗରୁ ସର୍ବ ପ୍ରଥମେ ଶ୍ରୀରାମଙ୍କ ଦର୍ଶନ କରିବେ! କହିବା ଅନାବଶ୍ୟକ ଏହାକୁ ସେଠାକାର ଅନେକ ଅସହନୀୟ ସାଂସ୍କୃତିକ ଅହମିକା ଭାବେ ଦେଖନ୍ତି। ସେହିଭଳି ଗତ ବର୍ଷ ବ୍ରାଂପଟନ ସହରରେ ପ୍ରାୟ ସମ ଉଚ୍ଚତା ବିଶିଷ୍ଟ ପ୍ରଭୁ ହନୁମାନଙ୍କ ମୂର୍ତ୍ତିର ସ୍ଥାପନା ସେଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟ କରିଥିଲା। ପ୍ରକାଶ ଥାଉ କି ବିଭିନ୍ନ ଦେଶରେ ପ୍ରବାସୀ ଭାରତୀୟମାନଙ୍କ ଦ୍ବାରା ଏଭଳି ଅତିକାୟ ମୂର୍ତ୍ତି ଓ ମନ୍ଦିରମାନ ଗଢ଼ି ଉଠି ଏକ ବିଚଳିତବୋଧକୁ ଜନ୍ମ ଦେଲାଣି ଯେ ଏହି କାରଣରୁ ସେଠାକାର ଭୂମିଜ ସଂସ୍କୃତି ଅବଲୀଳା କ୍ରମେ ଭାରତୀୟ ସାଂସ୍କୃତିକ ପ୍ଳାବନରେ ହୁଏତ ସତ୍ତା ହରାଇବ। ଚତୁର୍ଥ କାରଣଟି ହେଉଛି ଭାରତୀୟମାନଙ୍କ ବିଚକ୍ଷଣତା ଓ ଦକ୍ଷତା, ଯାହା ସେମାନଙ୍କୁ ବିଭିନ୍ନ ଦେଶରେ ରାଜନୀତି ଠାରୁ ଆରମ୍ଭ କରି ଶିକ୍ଷା, ବାଣିଜ୍ୟ ଏବଂ ଗବେଷଣା ଓ ବିମର୍ଶ ନିର୍ମାଣ ପର୍ଯ୍ୟନ୍ତ କ୍ଷେତ୍ରରେ ଶୀର୍ଷ ସୋପାନରେ ଅଧିଷ୍ଠିତ କଲାଣି, ଯାହାର ପ୍ରମାଣ ଇଂଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୂନକ ବା ଗୁଗଲର ସି.ଇ.ଓ ସୁନ୍ଦର ପିଚାଇ ବା ବିଶିଷ୍ଟ ରାଜନୈତିକ ବିଶ୍ଳେଷକ ଫରିଦ ଜାକାରିଆ। ଦୀର୍ଘ କାଳ ଧରି ଶ୍ବେତାଙ୍ଗ ଉପନିବେଶ ଅଧୀନସ୍ଥ ଥିବା ଏହି ଜାତି ମାତ୍ର ସାତ ଦଶନ୍ଧି ମଧ୍ୟରେ ତା’ର ପୂର୍ବ ଶାସକ ଗୋଷ୍ଠୀଙ୍କ ସହିତ ସମକକ୍ଷ ହେବା ବା ଅନେକତ୍ର ସେମାନଙ୍କୁ ଅତିକ୍ରମ କରିଯିବା ସ୍ବାଭାବିକ ଭାବେ ସେମାନଙ୍କ ଲାଗି ଅସହନୀୟ ହେଉଥିବ, ଯାହାର ପରିଣାମ ଏଭଳି ଉତ୍କଟ ଅସୂୟା!
ପ୍ରକାଶ ଥାଉ କି ‘କାନାଡିଆନ ରେସ ରିଲେସନ ଫାଉଣ୍ଡେସନ’ର ତଥ୍ୟ ଅନୁସାରେ ୨୦୧୯ ମସିହା ତୁଳନାରେ ୨୦୨୨ରେ ପ୍ରବାସୀ ଭାରତୀୟଙ୍କ ଉପରେ ଆକ୍ରମଣରେ ୧୪୩% ବୃଦ୍ଧି ଘଟିଛି। ବିଦେଶ ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୧୯ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରବାସୀ ଭାରତୀୟଙ୍କ ଉପରେ ୯୧ଟି ହିଂସାତ୍ମକ ଆକ୍ରମଣ ସଂଘଟିତ ହୋଇଛି। ଏଭଳି ସ୍ଥିତିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି, ଯହିଁରେ କାନାଡାରେ ଘଟିଥିବା ମୃତ୍ୟୁ ସଂଖ୍ୟା ହେଉଛି ୧୬, ଯାହା ସର୍ବାଧିକ। କହିବା ବାହୁଲ୍ୟ ପ୍ରବାସୀ ଭାରତୀୟଙ୍କ ବିରୋଧରେ ଘୃଣାର ପ୍ରଚାର, ଆକ୍ରମଣର ଦୃଶ୍ୟ ଏବଂ ସେମାନଙ୍କ ବିଷୟରେ ପୂର୍ବାଗ୍ରହ ସଂବଳିତ ବାର୍ତ୍ତା ଆଦିର ପ୍ରସାରଣରେ କିଛି ଉଗ୍ର ଜାତୀୟତାବାଦୀ ଓ ଦକ୍ଷିଣପନ୍ଥୀ ‘ସୋସିଆଲ ମିଡିଆ ଇନଫ୍ଲୁଏନସର’ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି, ଯେମିତି ସିଡନିରେ ହୋଇଥିବା ପ୍ରଦର୍ଶନର ମୂଳରେ ଅଛି ‘ବ୍ୟାକ ଫ୍ରିଡମ’ ନାମକ ୟୁଟ୍ୟୁବରେ ସକ୍ରିୟ ଏକ ଚ୍ୟାନେଲ।
କହିବା ବାହୁଲ୍ୟ ଯେ ଏକଦା ପୃଥିବୀର ତିନି-ଚତୁର୍ଥାଂଶ ସ୍ଥଳଭାଗ ଏବଂ ତାହାର ବାସିନ୍ଦାଙ୍କୁ କରାୟତ୍ତ କରିଥିବା ଉଚ୍ଚାଭିଳାଷୀ ୟୁରୋପୀୟ ଶ୍ବେତାଙ୍ଗମାନଙ୍କ କୁଶାସନ ଓ ଶୋଷଣର ପରିଣତି ଏବେ ସେମାନଙ୍କ କାନ୍ଧ ଉପରେ ଅବିମୋଚନୀୟ ବେତାଳର ବୋଝ ଭଳି ଝୁଲି ରହିଛି; ଊନବିଂଶ ଶତାବ୍ଦୀରେ ବିଦେଶକୁ ଶ୍ରମିକ ଭାବେ ଚାଲାଣ ହୋଇ ନ ଥିଲେ ବା କ୍ରୀତଦାସ ଭାବେ ସଂଗୃହୀତ ହୋଇ ନ ଥିଲେ ଶ୍ବେତାଙ୍ଗ ପରିପୁଷ୍ଟ ଭୂଖଣ୍ଡଗୁଡ଼ିକରେ ଭାରତୀୟ ବା କୃଷ୍ଣକାୟ ଆଫ୍ରିକୀୟ ମୂଳୋଦ୍ଭବମାନେ ପରିଦୃଷ୍ଟ ହୋଇଥାଆନ୍ତେ ବା କାହିଁକି? ଦୁଇ ଶହରୁ ଅଧିକ ବର୍ଷର ଶାସନ, ଲୁଣ୍ଠନ, ବ୍ୟବସ୍ଥିତ ନିପୀଡ଼ନ ଓ କୁଚକ୍ର ଇତ୍ୟାଦି ଦେଇ ଔପନିବେଶିକ ଶାସକ ଓ ଶାସିତମାନେ ଯେଉଁ ସଘନ ‘ନିବିଡ଼ତା’ର ସୂତ୍ରରେ ବାନ୍ଧି ହୋଇଥିଲେ, ସେଭଳି ସ୍ଥିତିରେ ଅଧୀନସ୍ଥମାନଙ୍କୁ ଉଚ୍ଛିଷ୍ଟ ତୁଲ୍ୟ ଏକାବେଳକେ ପରିତ୍ୟାଗ କରି ଦାଗଶୂନ୍ୟ ଭାବେ ବାହାରି ଆସିବାର ପ୍ରଚେଷ୍ଟା ବା ଇଚ୍ଛା ଅସମ୍ଭବ ହୋଇଥାଏ। କିନ୍ତୁ ଇତିହାସର ଏହି ବାସ୍ତବତାକୁ ହୃଦୟଙ୍ଗମ ଓ ସ୍ବୀକାର କରି ପାରୁ ନଥିବା ଶ୍ବେତାଙ୍ଗ ବହୁଳ ଦେଶଗୁଡ଼ିକରେ ତୀବ୍ର ଜାତୀୟତାବାଦୀ ଦକ୍ଷିଣପନ୍ଥୀ ରାଜନୀତିର ଆବିର୍ଭାବ ଘଟି ଆପଣା ପରିଚୟର ପୁନଃ-ପ୍ରତିଷ୍ଠା କରିବାର ଉଦ୍ୟମ ଆରମ୍ଭ ହୋଇଛି, ଯାହାର ମୂଳରେ ଥିବା ଭାବାବେଗଟି ସେଭଳି ଗୋଷ୍ଠୀଗୁଡ଼ିକୁ ଦୀର୍ଘ କାଳ ସକାଶେ ରାଜନୈତିକ ପ୍ରାସଙ୍ଗିକତା ଆଣିଦେବ; ଆମେରିକାକୁ ପୁନର୍ବାର ମହାନ କରିବାକୁ ଟ୍ରଂପଙ୍କ ସ୍ଲୋଗାନ ତାହାର ଏକ ଉଦାହରଣ, ଯାହା ଭବିଷ୍ୟତରେ ବାରମ୍ବାର ଓ ଦୀର୍ଘ କାଳ ଯାଏ ଶୁଭିବ ଓ ପ୍ରବାସୀମାନଙ୍କୁ କାରଣେ ଅକାରଣେ ତ୍ରସ୍ତ କରି ରଖିବ।