କହିବାର ଅର୍ଥ ହେଲା ଇଣ୍ଟରନେଟ୍ ମାଧ୍ୟମରେ ମେଧା, ଉଚ୍ଚ ଶିକ୍ଷା ଓ ବୈଷୟିକ ଜ୍ଞାନ ମିଶି ଉତ୍କର୍ଷ ସ୍ଥାପନ କରିବା ପରିବର୍ତ୍ତେ ଆତଙ୍କବାଦର ଘାତକ କକ୍ଟେଲ ପ୍ରସ୍ତୁତ କରିବାରେ ମଧ୍ୟ ନିୟୋଜିତ। ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ସରି ଆସିବା ବେଳକୁ ଏହା ହେଉଛି ପୃଥିବୀ ଲାଗି ଏକ ଦାରୁଣ ଦୁର୍ଭାଗ୍ୟ।
ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ବୋମା ବିସ୍ଫୋରଣ ଘଟଣା ଓ ଚକ୍ରାନ୍ତରେ ଗୋଟିଏ ଉଚ୍ଚ ଶିକ୍ଷିତ ତଥା ସରକାରୀ ବୃତ୍ତିଧାରୀ ଡାକ୍ତରୀ ଦଳର ସଂପୃକ୍ତି କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ବିସ୍ମୟ ଓ ଭ୍ରୂକୁଂଚନ ସୃଷ୍ଟି କରିଛି। କିନ୍ତୁ, ଆତଙ୍କବାଦ ଓ ମତାନ୍ଧୀକରଣ(ରେଡିକାଲାଇଜେସନ) ପ୍ରକ୍ରିୟା ଉପରେ ଦୃଷ୍ଟି ରଖିଥିବା ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଗତ ଏକ ଦଶନ୍ଧି ଭିତରେ ଏ ସଂଦର୍ଭରେ ଭୂଚଳନତୁଲ୍ୟ ପରିବର୍ତ୍ତନ ଘଟିଲାଣି; ଯହିଁରେ ଆତଙ୍କବାଦୀ ଆକ୍ରମଣର ଷଡ୍ଯନ୍ତ୍ର ଆଉ ଆଫଗାନିସ୍ତାନର ତୋରାବୋରା ପର୍ବତ ଗୁଂଫାରୁ କୌଣସି ମହମ୍ମଦ ବିନ ଲାଡେନ ଦ୍ବାରା ରଚିତ ନ ହୋଇ ସହରର ବାତାନୁକୂଳିତ ପ୍ରକୋଷ୍ଠରେ ସୁଶିକ୍ଷିତ ଏପରିକି ଉଚ୍ଚ ବେତନଯୁକ୍ତ ବୃତ୍ତିରେ ନିଯୁକ୍ତ ବ୍ୟକ୍ତିବିଶେଷଙ୍କ ଦ୍ବାରା ହେଉଛି, ଯହିଁରେ ଇଣ୍ଟରନେଟ୍ ସେମାନଙ୍କୁ ତାଙ୍କ ଗୋପନୀୟ ଆଡ୍ଡାରେ ପହଞ୍ଚାଇବାର ରାଜପଥରେ ପରିଣତ ହୋଇଛି। ତେଣୁ ମୌଳବାଦୀ ଉଗ୍ରତା ଓ ଆତଙ୍କ ସୃଷ୍ଟି ପରିପ୍ରେକ୍ଷୀରେ ପୃଥିବୀ ଅତ୍ୟନ୍ତ ଦ୍ରୁତ ଗତିରେ ଅଧିକରୁ ଅଧିକ ବିପଜ୍ଜନକ ହୋଇ ଉଠୁଛି।
ଦିଲ୍ଲୀ ଅନ୍ତର୍ଘାତୀ ବୋମା ବିସ୍ଫୋରଣକୁ ରୂପ ଦେବା ଲାଗି ଉପରୋକ୍ତ ଡାକ୍ତର ଦଳ ‘ସିଗନାଲ’ ନାମକ ଏକ ବାର୍ତ୍ତା ପ୍ରସାରଣକାରୀ ଆପ୍(ହ୍ବାଟ୍ସ ଆପ୍ ଭଳି)ର ବ୍ୟବହାର କରି ଆଲୋଚନାରତ ଥିଲେ। ପ୍ରକାଶ ଥାଉ କି ବ୍ୟକ୍ତିଗତ ଗୋପନୀୟତାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିବା ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରୁ ସିଗନାଲ ହେଉଛି ଅନ୍ୟତମ, ଯହିଁରେ ପ୍ରେରକ ଓ ପ୍ରାପକ ବ୍ୟତୀତ ପ୍ରେରିତ ସନ୍ଦେଶକୁ ଅନ୍ୟ କୌଣସି ବ୍ୟକ୍ତି ବା ସାଧନ ଦ୍ବାରା ପଢ଼ାଯିବା ସଂପୂର୍ଣ୍ଣ ଅସମ୍ଭବ। ସୁତରାଂ, ବିଶେଷ ଭୟ ନ କରି, ମୋଟାମୋଟି ଭାବେ ସନ୍ଦେହରୁ ଊର୍ଦ୍ଧ୍ବରେ ରହି ସନ୍ତର୍ପଣରେ କୌଣସି ଚକ୍ରାନ୍ତର ରୂପରେଖ ପ୍ରସ୍ତୁତ କରାଯାଇପାରେ। ସେହି ଭଳି ସହଜ ଲଭ୍ୟ ଦ୍ରବ୍ୟଗୁଡ଼ିକ ଦ୍ବାରା ଉଚ୍ଚ କ୍ଷମତାସଂପନ୍ନ ବୋମା ବା ପ୍ରାଣଘାତୀ ଜହର ପ୍ରସ୍ତୁତ କରିବାର ଅସଂଖ୍ୟ ଉପାୟ ବିଭିନ୍ନ ୱେବ୍ସାଇଟ୍ରେ ଉପଲବ୍ଧ; ଯାହାକୁ ଆଧାର କରି ଗୁଜରାଟର ଜଣେ ଡାକ୍ତର ଜଡ଼ା ତେଲ ଓ ମଞ୍ଜିରୁ ‘ରାଇସିନ’ ଭଳି ପ୍ରାଣଘାତୀ ବିଷ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲେ, ଯାହା ଆକସ୍ମିକ ଭାବେ ଧରା ପଡ଼ି ନ ଥିଲେ ଏକ ବଡ଼ଧରଣର ଗଣହତ୍ୟା ଅନାୟାସରେ ଘଟି ଯାଇଥାଆନ୍ତା। କେବଳ ସେତିକି ନୁହେଁ, ଆମାଜନ ବା ଫ୍ଲିପ୍କାର୍ଟ ବା ସେହି ଭଳି ଅନ୍ୟାନ୍ୟ ଅନେକ ‘ଇ କମର୍ସ’ ମଞ୍ଚରେ ଏ ସବୁ ଦ୍ରବ୍ୟ ପ୍ରଚୁର ଭାବେ ଉପଲବ୍ଧ ଏବଂ ଅର୍ଡର ମିଳିବା ମାତ୍ରକେ ସେ ସବୁ ନିର୍ଭରଯୋଗ୍ୟ ପ୍ୟାକିଂରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ପ୍ରସ୍ତୁତ ହୋଇ ଯାଆନ୍ତି। ଏଠାରେ କହିବାର ତାତ୍ପର୍ଯ୍ୟ ହେଲା, ବାସ୍ତବ ପୃଥିବୀକୁ କ୍ଷତବିକ୍ଷତ କରିଦେବା ଲାଗି ଇଣ୍ଟରନେଟ୍ ସୃଷ୍ଟ ଅଭାସୀ ପୃଥିବୀରେ ଉପାୟ, ସାଧନ ଓ ସୁଯୋଗ ଉପଲବ୍ଧ ଏବଂ ଚିନ୍ତାର ବିଷୟ ହେଲା, ଏବଂ ଏ ଯାବତ୍ ଏହାର ସମର୍ଥ ପ୍ରତିଷେଧକ ବା ପ୍ରତିକାରକ ବସ୍ତୁତଃ ନାହିଁ। ଅବଶ୍ୟ, ବିଭିନ୍ନ ଦେଶର ସରକାରଗୁଡ଼ିକ ପକ୍ଷରୁ ଏଭଳି ସ୍ଥିତିର ମୁକାବିଲା ସକାଶେ ଆଇନମାନ ପ୍ରଣୀତ ହେଲାଣି; କେତେକ ଟେକ୍ କଂପାନି ସେମାନଙ୍କ ସାମାଜିକ ଗଣମାଧ୍ୟମ ମଞ୍ଚରେ ସ୍ଥାନ ପାଉଥିବା ବିଷୟବସ୍ତୁର ଯଥାସମ୍ଭବ ବିଶୁଦ୍ଧୀକରଣ ଦିଗରେ ଚେଷ୍ଟା ମଧ୍ୟ କଲେଣି; କିନ୍ତୁ ଏ ସବୁ ବିଶେଷ ଫଳପ୍ରଦ ହେଉନାହିଁ।
ଉଲ୍ଲେଖଯୋଗ୍ୟ ଯେ ଆଜିକୁ ଏକ ଦଶନ୍ଧି ପୂର୍ବେ, ଅର୍ଥାତ୍ ୨୦୧୪-୧୫ ମସିହାରେ ‘ଆଇସିସ୍’ ଭଳି ଜଘନ୍ୟ ଆତଙ୍କବାଦୀ ସଂଗଠନ ହିଁ ସଦସ୍ୟ ସନ୍ଧାନ, ନିଜ ଆଭିମୁଖ୍ୟ ଓ ଦର୍ଶନର ପ୍ରଚାର, ଷଡ୍ଯନ୍ତ୍ର ରଚନା, ଆକ୍ରମଣ ଯୋଜନା, ଆକ୍ରମଣ ପରବର୍ତ୍ତୀ ଭୟାବହତା ଓ ଅକଥନୀୟ କ୍ରୂରତାର ଭିଡିଓ ପ୍ରସାରଣ ଆଦି ସକାଶେ ଇଣ୍ଟରନେଟ୍ର ବ୍ୟବହାର କରି ଆତଙ୍କବାଦର ଚିତ୍ର ଓ ଚରିତ୍ରେର ସଂପୂର୍ଣ୍ଣ ପରିବର୍ତ୍ତନ ଘଟାଇ ଦେଇଥିଲା। ତା’ ପରଠାରୁ କେବଳ ଧର୍ମୀୟ ଘୃଣା ଆଧାରିତ ଆତଙ୍କବାଦ ନୁହେଁ, ବର୍ଣ୍ଣ, ଲିଙ୍ଗ, ଶ୍ରେଣୀ ଇତ୍ୟାଦିକୁ ଘେନି ଘୃଣା, ଆକ୍ରୋଶ ଓ ଆକ୍ରମଣର ଆହ୍ବାନକୁ ବ୍ୟାପକ କରିବା ଲାଗି ଇଣ୍ଟରନେଟ୍ର ବିପୁଳ ବ୍ୟବହାର କରାଯାଉଛି। ଏହି କ୍ଷେତ୍ରରେ ଦୀର୍ଘ କାଳ ଧରି ଅନୁଶୀଳନ କରୁଥିବା ବିଶେଷଜ୍ଞମାନେ କହନ୍ତି ଯେ ସଂପ୍ରତି ଇଣ୍ଟରନେଟ୍ରେ ‘ମତାନ୍ଧୀକରଣ’ର ପ୍ରକ୍ରିୟା ଏଭଳି ବ୍ୟାପକ ଯେ ଜୋତା ହଳେ ଖର୍ଦ୍ଦି କରିବାକୁ ଇଣ୍ଟରନେଟ୍ ମଧ୍ୟକୁ ପ୍ରବେଶ କରି ଭଲ ବ୍ରାଣ୍ଡ୍ଟିଏ ଖୋଜାଲୋଡ଼ା କରୁଥିବା ଜଣେ ତରୁଣ ସମସ୍ତଙ୍କ ଅଲକ୍ଷ୍ୟରେ କିଛି ଦିନ ମଧ୍ୟରେ ଜଣେ ଜେହାଦୀ ହୋଇ ଆବିର୍ଭୂତ ହୋଇପାରେ। ମାସାଚ୍ୟୁସେଟ୍ସ ବିଶ୍ବବିଦ୍ୟାଳୟରେ ସୁରକ୍ଷା କ୍ଷେତ୍ରରେ ଗବେଷଣା କରୁଥିବା ପ୍ରସିଦ୍ଧ ମନସ୍ତତ୍ବବିତ୍ ଡକ୍ଟର ଜନ ହୋର୍ଗାନ କହନ୍ତି ଯେ ଅତ୍ୟନ୍ତ ଆକର୍ଷଣୀୟ ଚିତ୍ର, ଭିଡିଓ ଓ ବକ୍ତବ୍ୟ ମାଧ୍ୟମରେ କୁତୁହଳୀ ‘ବ୍ରାଉଜର’ମାନଙ୍କୁ ପ୍ରଥମେ ଆକର୍ଷିତ କରାଯାଏ ଏବଂ ସୋପାନ କ୍ରମେ ଧୀରେ ଧୀରେ ସେମାନଙ୍କ ଧାରଣା ଓ ବିବେଚନାବୋଧରେ ପରିବର୍ତ୍ତନ ଘଟାଇ ଦିଆଯାଏ; ଏଥିରେ ବ୍ୟବହୃତ ସୁନିର୍ଦ୍ଦିଷ୍ଟ ଉପାୟଟି ହେଲା ପୃଥିବୀକୁ ବହୁବର୍ଣ୍ଣୀ ବଦଳରେ କଳା-ଧଳା ରୂପେ ଉପସ୍ଥାପନ କରିବା; ଅର୍ଥାତ୍ କେବଳ ଭଲ-ମନ୍ଦ ବା ଠିକ୍-ଭୁଲ୍ ଭଳି ଧାରଣା ଦ୍ବାରା ପୃଥିବୀକୁ ବିଭାଜିତ କରି ‘ମନ୍ଦ’ ବା ‘ଭୁଲ୍’ର ବିଲୋପନ ନିତାନ୍ତ ଜରୁରି ବୋଲି ହୃଦ୍ବୋଧ କରାଇବା। ସାମାଜିକ ଗଣମାଧ୍ୟମରେ ଏଭଳି ସହମତବାଦୀମାନେ ସ୍ବତନ୍ତ୍ର ଗୋଷ୍ଠୀ ବା ‘କମ୍ୟୁନିଟି’ ଗଢ଼ନ୍ତି ଓ ଆପଣା ପରିଚୟକୁ ଗୁପ୍ତ ରଖି ନିଭୃତରେ ଅଭିସନ୍ଧି ପୂରଣ କରିବାରେ ବ୍ୟାପୃତ ହୁଅନ୍ତି। କହିବା ବାହୁଲ୍ୟ, ଏଭଳି ସୁଯୋଗ ଇଣ୍ଟରନେଟ୍ର ଅନୁପସ୍ଥିତିରେ ଆଦୌ ସମ୍ଭବ ହୁଅନ୍ତା ନାହିଁ। ତେବେ, ଦୈବାତ୍ ଧରାପଡ଼ିଯାଇ ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ଗୋଷ୍ଠୀ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ମଞ୍ଚରୁ ନିଷ୍କାସିତ ହୁଅନ୍ତି, ସେମାନେ ତତ୍କ୍ଷଣାତ୍ ଆଉ ଏକ ଅପେକ୍ଷାକୃତ କମ୍ ପରିଚିତ ମଞ୍ଚକୁ ଚାଲିଯାଇ ସେମାନଙ୍କ ଉଦ୍ଦେଶ୍ୟ ସାଧନର ପ୍ରଚେଷ୍ଟାକୁ ଅକ୍ଷୁଣ୍ଣ ରଖନ୍ତି। ଦେଖିବାକୁ ମିଳିଛି ଯେ ଆମେରିକାରେ ଗଣହତ୍ୟା ସଂଘଟିତ କରିଥିବା ତୀବ୍ର ଶ୍ବେତାଙ୍ଗବାଦୀ ଉଗ୍ରପନ୍ଥୀମାନେ ସେମାନଙ୍କ ସନ୍ଦେଶ ପ୍ରସାରଣ ଲାଗି ‘8 chan’ ନାମକ ଏକ ସାମାଜିକ ଗଣମାଧ୍ୟମ ମଞ୍ଚର ବ୍ୟବହାର କରୁଥିଲେ। ସଂପ୍ରତି ‘8 chan’ ନିଷିଦ୍ଧ ହୋଇଯାଇଛି। କିନ୍ତୁ, କାର୍ଯ୍ୟାନୁଷ୍ଠାନ ହେଲାବେଳକୁ ‘8 chan’ର ବ୍ୟବହାରକାରୀଙ୍କ ସଂଖ୍ୟା ଥିଲା ପ୍ରାୟ ଦଶ ଲକ୍ଷ। ପ୍ରକାଶ ଥାଉ କି ‘8 chan’ ଭଳି ସନ୍ଦେଶ ବିନିମୟଭିତ୍ତିକ ଅନେକ ଆପ୍ ‘ଡାର୍କ ୱେବ୍’ ବା ‘ଅନାଲୋକିତ ୱେବ୍’ରେ ସକ୍ରିୟ, ଯାହା ମାଧ୍ୟମରେ ଏହି ଦଶ ଲକ୍ଷ ବ୍ୟବହାରକାରୀ ସେମାନଙ୍କ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ପୂରଣ କରିବାର ସୁଯୋଗ ପାଇବେ! ଡକ୍ଟର ହୋର୍ଗାନ କହିଥାଆନ୍ତି ଯେ ଏକୁଟିଆ ଆସି ଆତଙ୍କବାଦୀ ଆକ୍ରମଣ ରଚନା କରୁଥିବା ବ୍ୟକ୍ତିିମାନଙ୍କୁ ‘ଲୋନ୍ ଉଲ୍ଫ’ ବା ‘ନିଃସଙ୍ଗ ଗଧିଆ’ ବୋଲି ଆଖ୍ୟାୟିତ କରାଯାଉଥିଲେ ହେଁ ସେମାନେ ଆଦୌ ନିଃସଙ୍ଗ ବା ଏକୁଟିଆ ହୋଇ ନ ଥାଆନ୍ତି, ଇଣ୍ଟରନେଟ୍ରେ ସେମାନେ ଏକ ବିଶାଳ ଗୋଷ୍ଠୀର ଅଂଶବିଶେଷ ହୋଇ ସମନ୍ବୟ ରକ୍ଷା କରି କାର୍ଯ୍ୟ କରନ୍ତି।
ସମାଜତତ୍ତ୍ବବିତ୍ମାନେ କହିଥାଆନ୍ତି ଯେ ଅସ୍ତ୍ରଶସ୍ତ୍ରର କ୍ରମ ବିକାଶର ଇତିହାସ ହେଉଛି ହିଂସାପ୍ରବଣ ମନୁଷ୍ୟର ଭୀରୁତାର ଏକ ପ୍ରାମାଣିକ ଦସ୍ତାବେଜ; କାରଣ ରକ୍ତପାତ ଘଟାଇବା ଲାଗି ଖଡ଼୍ଗ ବା ବର୍ଚ୍ଛା ତୁଳନାରେ ବନ୍ଧୁକର ପ୍ରୟୋଗ ମନୁଷ୍ୟ ଲାଗି ଅଧିକ ସହଜସାଧ୍ୟ, ସୁବିଧାଜନକ ଓ କମ୍ ବିଚଳିତକର ହୋଇଥାଏ ଏବଂ ସେହି କ୍ରମରେ ନିଜ ବୈଠକ ଘରେ ବସି କେବଳ ଏକ ରିମୋଟ୍ କଣ୍ଟ୍ରୋଲର ସୁଇଚ୍ ଦ୍ବାରା ସିରିଜ ବୋମା ବିସ୍ଫୋରଣ ଘଟାଇ ଅନେକ ବ୍ୟକ୍ତିଙ୍କ ନିଧନର କାରଣ ହୋଇଥିଲେ ସୁଦ୍ଧା ଜଣେ ହତ୍ୟାକାରୀ ସଂପୂର୍ଣ୍ଣ ନିରୁଦ୍ବିଗ୍ନ ରହିପାେର। ଦାରୁଣ ରକ୍ତପାତ ଘଟାଇଥିବା ଆକ୍ରମଣକାରୀକୁ ସେହି ବିଭୀଷିକାରୁ ସଂପୂର୍ଣ୍ଣ ଦୂରରେ ରଖିବା ଲାଗି ଡ୍ରୋନ୍ର ବ୍ୟବହାର ହେଉଛି ଆଧୁନିକ ଯୁଦ୍ଧର ଏକ ସମର୍ଥ କୌଶଳ। କହିବା ବାହୁଲ୍ୟ, ପ୍ରଯୁକ୍ତିଗତ ବିକାଶର ଏଭଳି ସୁଯୋଗର ବ୍ୟବହାର କରିବାକୁ ଏବର ଆତଙ୍କବାଦୀମାନେ ମଧ୍ୟ ଆଗ୍ରହୀ ଏବଂ ଇଣ୍ଟରନେଟ୍ରେ ଏହାର ନିର୍ମାଣ ଓ ବ୍ୟବହାର କୌଶଳ ଉପଲବ୍ଧ। କହିବାର ଅର୍ଥ ହେଲା ଇଣ୍ଟରନେଟ୍ ମାଧ୍ୟମରେ ମେଧା, ଉଚ୍ଚ ଶିକ୍ଷା ଓ ବୈଷୟିକ ଜ୍ଞାନ ମିଶି ଉତ୍କର୍ଷ ସ୍ଥାପନ କରିବା ପରିବର୍ତ୍ତେ ଆତଙ୍କବାଦର ଘାତକ କକ୍ଟେଲ ପ୍ରସ୍ତୁତ କରିବାରେ ମଧ୍ୟ ନିୟୋଜିତ। ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ସରି ଆସିବା ବେଳକୁ ଏହା ହେଉଛି ପୃଥିବୀ ଲାଗି ଏକ ଦାରୁଣ ଦୁର୍ଭାଗ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)