ଓଡ଼ିଶାର ନୂତନ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏହି ପଦ ଗ୍ରହଣ କରିବାର କିଛି ଦିନ ପୂର୍ବେ ମୟୂରଭଞ୍ଜ ଜିଲ୍ଲାର ଏକ ସାନ୍ତାଳ ଦଳ ଯେତେବେଳେ ତାଙ୍କୁ ସାନ୍ତାଳୀ ଲିପି ‘ଅଲ୍ ଚିକି’ର ପ୍ରଚାରପ୍ରସାର ପାଇଁ ସମ୍ବର୍ଦ୍ଧିତ କଲେ, ସେତେବେଳେ ସେ ଭାବପ୍ରବଣ ହୋଇ ପଡ଼ିଥିଲେ। ସେ କହିଥିଲେ ‘ମୁଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାନ୍ତାଳମାନଙ୍କ ପାଇଁ କରିଥିବା କାର୍ଯ୍ୟ ବାବଦରେ ଏ ରାଜ୍ୟର ଆଦିବାସୀମାନେ ଜାଣିଥିଲେ, ଯଦିଓ ବିରୋଧୀ ଲୋକେ ସେଠାରେ ମୋତେ ଆଦିବାସୀ-ବିରୋଧୀ ଭାବେ ଚିତ୍ରଣ କରିଦେଲେ।’ ଏହି ଲେଖକକୁ ସେ କହିଥିଲେ ଯେ ‘ତାହା ଥିଲା ଏକ ବିଡ଼ମ୍ବନା।’ ଏଥିରେ ଦ୍ବିରୁକ୍ତି ନାହିଁ ଯେ ତାଙ୍କ କଥା ଅନେକାଂଶରେ ଠିକ୍ ହିଁ ଥିଲା। ୨୦୧୯ ମସିହାରେ ଝାଡ଼ଖଣ୍ଡର ସାନ୍ତାଳ ପରଗନା ଅଞ୍ଚଳର ସମସ୍ତ ୬ଟି ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ‘ଅଲ୍ ଚିକି’ ପ୍ରଚଳନ ଲାଗି ସେ ହିଁ ପଦକ୍ଷେପ ନେଇଥିଲେ। ବିଦ୍ୟାଳୟମାନଙ୍କରେ ‘ଅଲ୍ ଚିକି’ ପଢ଼ାଇବା ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତ କରିବାକୁ ମଧ୍ୟ ସାନ୍ତାଳ ପରଗନାର ଜିଲ୍ଲାଗୁଡ଼ିକର ଡେପୁଟି କମିସନରମାନଙ୍କୁ ତାଙ୍କ ସରକାର କହିଥିଲେ। ଏଥି ସହିତ ସାନ୍ତାଳ ପରଗନା ଅଞ୍ଚଳର ସମସ୍ତ ସରକାରୀ ଦପ୍ତରରେ ହିନ୍ଦୀ ଓ ଇଂରେଜୀ ସହିତ ‘ଅଲ୍ ଚିକି’ ଲିପିରେ ଲିଖିତ ନାମ ଫଳକ ଲଗାଇବାର ନିର୍ଦ୍ଦେଶ ସେ ଦେଇଥିଲେ।
୨୦୧୪ ମସିହା ନିର୍ବାଚନରେ ଏନ୍.ଡି.ଏ.କୁ ବହୁମତ ମିଳିବା ପରେ ତାଙ୍କୁ ଝାଡ଼ଖଣ୍ଡର ପ୍ରଥମ ଅଣ-ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯିବା ଅନେକଙ୍କ ପାଇଁ ବିସ୍ମୟର କାରଣ ଥିଲା। ତାଙ୍କ ଠାରୁ ଅଧିକ ଲୋକପ୍ରିୟ ତଥା ଆଦିବାସୀ ନେତା ଅର୍ଜୁନ ମୁଣ୍ଡା ଥିବା ସତ୍ତ୍ବେ ରଘୁବର ଦାସଙ୍କୁ ଏହି ଦାୟିତ୍ବ ସକାଶେ ଚୟନ କରାଯାଇଥିଲା। ଅବଶ୍ୟ, କେହି କେହି କହନ୍ତି ଯେ ମୁଣ୍ଡାଙ୍କ ସହ ରହି ଆସିଥିବା ତାଙ୍କର ଦୀର୍ଘକାଳୀନ ମତାନ୍ତର େହତୁ ଆଦିବାସୀମାନଙ୍କ ମନ ଜିଣିବା ଭଳି ଅନେକ ନିଷ୍ପତ୍ତି ସେ ନେଇଥିଲେ। ୨୦୧୪-୧୫ରେ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କଲା ବେଳେ ଝାଡ଼ଖଣ୍ଡର ଆଦିବାସୀ ଉପ-ଯୋଜନାର ବ୍ୟୟ ବରାଦ ୧୧,୯୨୦ କୋଟି ଟଙ୍କା ଥିଲା, ଯାହା ୨୦୧୯-୨୦ରେ ୨୨,୨୬୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ତାଙ୍କ କାର୍ଯ୍ୟକାଳରେ ହିଁ ରାଞ୍ଚିର ପୁରୁଣା ବିର୍ସା ମୁଣ୍ଡା ଜେଲ୍ରେ ଆଦିବାସୀ ସହିଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏବେ ଉକ୍ତ ଜେଲ୍ ଆଦିବାସୀ ସଂଗ୍ରହାଳୟରେ ପରିଣତ ହୋଇଛି ଏବଂ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ତାଙ୍କ କାର୍ଯ୍ୟ କାଳରେ ହିଁ ପ୍ରତି ଆଦିବାସୀ ଅଧ୍ୟୁଷିତ ଗାଁର ବିକାଶ ପାଇଁ ଆଦିବାସୀ ଗ୍ରାମ ସମିତି ଗଠନ କରାଯାଇ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର କ୍ଷମତା ପ୍ରଦାନ କରାଯାଇଥିଲା। ପ୍ରଥମ ଥର ପାଇଁ ତାଙ୍କ ସରକାର ଗାଁର ଆଦିବାସୀ ମୁଖିଆ (ମାନ୍କିମାନଙ୍କୁ ୩ ହଜାର ଟଙ୍କା ଏବଂ ମୁଣ୍ଡା ଓ ପରଗନାୟତ୍ତମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ପାରିତୋଷିକ ଦେବାର ବ୍ୟବସ୍ଥା ଆରମ୍ଭ କରିଥିଲେ। ଆଦିବାସୀ ସଂସ୍କୃତିକୁ ପ୍ରାଣୋଚ୍ଛଳ କରିବା ଲାଗି ଲୁଗୁବୁରୁ, ହିଜାଲା ଓ ମୁରମା ଆଦିବାସୀ ମେଳାକୁ ତାଙ୍କ ନିର୍ଦ୍ଦେଶରେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଥିଲା। ଲୁଗୁବୁରୁରେ ଗୋଟିଏ ମନ୍ଦିର, ଅତିଥି ଭବନ ଓ ଧ୍ୟାନ କେନ୍ଦ୍ର ତାଙ୍କ ସରକାର ଅମଳରେ ନିର୍ମିତ ହୋଇଛି। ତେବେ, ସର୍ବାଧିକ ମହତ୍ତ୍ବପୂର୍ଣ୍ଣ କଥା ହେଲା ଆଦିବାସୀଙ୍କ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ଲାଗି ସେମାନଙ୍କ ଧର୍ମ ପରିବର୍ତ୍ତନକୁ ରୋକିବା ଉଦ୍ଦେଶ୍ୟରେ ତାଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଆଇନ ମଧ୍ୟ ପ୍ରଣୀତ ହୋଇଥିଲା। ଝାଡ଼ଖଣ୍ଡରେ ଆଇନ ଶୃଙ୍ଖଳା ରକ୍ଷାରେ ଆଦିମ ଜନଜାତିଙ୍କ ଅଂଶ ଗ୍ରହଣକୁ ସୁନିଶ୍ଚିତ କରିବା ସକାଶେ ତାଙ୍କ ସରକାର ପାହାଡ଼ିଆଙ୍କର ଦୁଇଟି ପୁଲିସ ବାଟାଲିଅନ୍ ଗଠନ କରିଥିଲେ। ସରନା-ମସନା, ଜହେର ଓ ମସନା ଆଦି ସ୍ଥାନରେ ବାଡ଼ ଘେରାଇବା ଲାଗି ସେ ୧,୫୯୯ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ, ମୁଣ୍ଡା-ମନ୍କି ଘର ଓ ଧୁମ କୁଡ଼ିଆ ନିର୍ମାଣ ଲାଗି ସେ ୨୧୧ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ, ଯାହାର ଲକ୍ଷ୍ୟ ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା। ଝାଡ଼ଖଣ୍ଡର ଆଦିବାସୀ ସହିଦଙ୍କୁ ସମ୍ମାନିତ କରିବା ନିମନ୍ତେ ସେ ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଆଦିବାସୀ ନେତାମାନଙ୍କ ଗ୍ରାମର ବିକାଶ ଲାଗି ଉଦ୍ୟମ କରିଥିଲେ, ଯାହା ୨୦୧୭-୧୮ ମସିହାରେ ‘ସହିଦ ଗ୍ରାମ ଯୋଜନା’ ଭାବେ ରୂପ ପାଇଥିଲା। ତାଙ୍କ ପ୍ରଚେଷ୍ଟାରେ ଜୀବିକା ସୃଷ୍ଟି ଓ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଆଦିବାସୀ ଯୁବକମାନେ ରୋଜଗାରକ୍ଷମ ହୁଅନ୍ତୁ ବୋଲି ସେ ସେମାନଙ୍କ ତାଲିମ ଉପରେ ଗୁରୁତ୍ବ ପ୍ରଦାନ କରୁଥିଲେ, ଯାହାର ଫଳ ସ୍ବରୂପ ୨୫ଟି କଲ୍ୟାଣ ଗୁରୁକୁଳ ତାଙ୍କ ସରକାରଙ୍କ ଅମଳରେ ପ୍ରତିଷ୍ଠିତ ହୋଇଥିଲା। ସେହିପରି ତାଙ୍କ ପ୍ରୟାସରେ ଆଦିବାସୀ ଯୁବବର୍ଗଙ୍କ ପାଇଁ ଚାନ୍ହୋରେ ଏକ ନର୍ସିଂ କଲେଜ ମଧ୍ୟ ସ୍ଥାପିତ ହୋଇଥିଲା। ନିଃସଙ୍ଗ ଆଦିବାସୀ ମହିଳାଙ୍କ ପରିବାରଗୁଡ଼ିକୁ ଦାରିଦ୍ର୍ୟର ଗଭୀର ଗର୍ଭରୁ ବାହାର କରିବା ପାଇଁ ସେ ପଶ୍ଚିମ ସିଂହଭୂମ ଓ ସାନ୍ତାଳ ପରଗନାରେ ‘ଟାର୍ଗେଟିଂ ଦି ହାର୍ଡକୋର୍ ପୁଅର’(ଟିଏଚ୍ପି) ପ୍ରକଳ୍ପ ଆରମ୍ଭ କରିଥିଲେ।
ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ
ଶ୍ରୀ ରଘୁବର ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି।
ଶ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ରାଜ୍ୟପାଳ ପଦାସୀନ ହୋଇଥିବା ରଘୁବର ଦାସ ହେଉଛନ୍ତି ଦ୍ବିତୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ; ଏହା ପୂର୍ବରୁ ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ
ଶ୍ରୀ ଏସ୍. ସି. ଜମିର ୨୦୧୩ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ରହିଥିଲେ। ନବନିଯୁକ୍ତ ରାଜ୍ୟପାଳ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖସମୃଦ୍ଧି ପ୍ରାର୍ଥନା କରିବା ସହ ରାଜଭବନର ଫାଟକ ଜନସାଧାରଣଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ ବୋଲି ଭରସା ଦେଇଛନ୍ତି।
ଏହା ସତ୍ତ୍ବେ ୨୦୧୯ ମସିହା ନିର୍ବାଚନରେ ବିଜେପି ସରକାର ଗାଦିଚ୍ୟୁତ ହେଲା। ଏଥି ପାଇଁ ରଘୁବର ଦାସଙ୍କୁ ଦାୟୀ ମଧ୍ୟ କରାଗଲା। ଆଦିବାସୀମାନଙ୍କୁ ସେମାନଙ୍କ ଜମିରୁ ବେଦଖଲ ହେବାରୁ ରକ୍ଷା କରିବା ଲାଗି ୨୦୧୬ ମସିହାରେ ସେ ସାନ୍ତାଳ ପରଗନା ଟେନାନ୍ସି ଆକ୍ଟ ଓ ଛୋଟ ନାଗପୁର ଟେନାନ୍ସି ଆକ୍ଟ ନାମରେ ଦୁଇଟି ଆଇନରେ ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ, ଯାହା କିନ୍ତୁ ସଫଳ ହୋଇ ନଥିଲା। ବିନା ବାଧାରେ ଶିଳ୍ପ ପ୍ରତିଷ୍ଠା ସକାଶେ ଆଦିବାସୀଙ୍କ ଜମି ବିକ୍ରି ଓ ହସ୍ତାନ୍ତର ଉପରେ ରହିଥିବା କଟକଣାକୁ ହଟାଇବା ଲାଗି ଜୋରଦାର ଦାବି କରାଯାଇଥିଲା। ୨୦୧୬ ମସିହାରେ ଜମି ବ୍ୟାଙ୍କ ଗଠନ ଏହି ସମସ୍ୟାକୁ ଅଧିକ ଦ୍ବନ୍ଦ୍ବ ବିଜଡ଼ିତ କଲା। ପ୍ରକାଶ ଥାଉ କି, ‘ମୋମେଣ୍ଟମ୍ ଝାଡ଼ଖଣ୍ଡ’ ପ୍ରକଳ୍ପ ଅଧୀନରେ ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ୨୦ ଲକ୍ଷ ଏକର ଜମି ବ୍ୟାଙ୍କ ପାଇଁ ଧାର୍ଯ୍ୟ କରାଯାଇଥିଲା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେ.ଏମ୍.ଏମ୍.), ବିଭିନ୍ନ ଆଦିବାସୀ ସଂଗଠନ ଏବଂ ଅର୍ଜୁନ ମୁଣ୍ଡାଙ୍କ ସମେତ ଆଦିବାସୀ ବିଜେପି ନେତାଙ୍କ ପ୍ରବଳ ବିରୋଧ ମଧ୍ୟରେ ତତ୍କାଳୀନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏହି ସଂଶୋଧିତ ବିଲ୍କୁ ଫେରାଇ ଦେଇ ପ୍ରସ୍ତାବିତ ସଂଶୋଧନର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବାଧ୍ୟ ହୋଇ ଉକ୍ତ ବିଲ୍କୁ ପ୍ରତ୍ୟାହାର କରି ନିଆଗଲା। ବିରୋଧୀ ଜେ.ଏମ୍.ଏମ୍. ଓ କଂଗ୍ରେସ ତାଙ୍କୁ ଜଣେ ଆଦିବାସୀ-ବିରୋଧୀ ରାଜନେତା ରୂପେ ଚିତ୍ରଣ କରିବାରେ ସଫଳ ହେଲେ ଏବଂ ସେମାନେ ୨୦୧୯ ମସିହାର ବିଧାନସଭା ନିର୍ବାଚନରେ ୨୮ଟି ସଂରକ୍ଷିତ ଜନଜାତି ଆସନରୁ ୨୬ଟି ଦଖଲ କରିଥିଲେ। ବିଜେପି ଶାସନରେ ଆଦିବାସୀମାନଙ୍କ ସଂସ୍କୃତି ଓ ସମ୍ବଳ ସୁରକ୍ଷିତ ରହିବ ନାହିଁ ବୋଲି ଝାଡ଼ଖଣ୍ଡର ଆଦିବାସୀମାନଙ୍କୁ ବିରୋଧୀ ଦଳଗୁଡ଼ିକ ବୁଝାଇ ଦେବାରେ ସକ୍ଷମ ହୋଇଥିଲେ। ଝାଡ଼ଖଣ୍ଡର ଔଦ୍ୟୋଗୀକରଣକୁ ତ୍ବରାନ୍ବିତ କରିବା ଲାଗି ନିଆଯାଇଥିବା ନିଷ୍ପତ୍ତି ଆଦିବାସୀମାନଙ୍କ ଉନ୍ନତି ସକାଶେ ରଘୁବର ଦାସ କରିଥିବା ସମସ୍ତ ଭଲ କାର୍ଯ୍ୟକୁ ନିଷ୍ପ୍ରଭ କରିଦେଲା।
୧୯୫୫ ମସିହା ମେ ୩ ତାରିଖରେ ରଘୁବର ଦାସ ଜାମସେଦପୁରର ଏକ ଶ୍ରମିକ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିତା ଚଭନ ରାମ ସେଠାକାର ଇସ୍ପାତ କମ୍ପାନିରେ କାମ କରୁଥିଲେ। ସେ ଓ ତାଙ୍କ ଛଅ ଭାଇଭଉଣୀଙ୍କ ଶିକ୍ଷା ସକାଶେ ତାଙ୍କ ଦରିଦ୍ର ପରିବାରକୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ଜାମସେଦପୁର ସମବାୟ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ କରି ଟାଟା ଷ୍ଟିଲ୍ରେ ଚାକିରି ଜୀବନ ଆରମ୍ଭ କରିଥିଲେ। କଲେଜରେ ପଢୁଥିବା ବେଳେ ସେ ଇନ୍ଦିରା ସରକାର ବିରୋଧରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ବରେ ସଂଘଟିତ ବିଶାଳ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କ ରାଜନୀତି ଜୀବନର ମୂଳଦୁଆ ପଡ଼ିଥିଲା। ୧୯୮୦ ମସିହାରେ ବିଜେପିର ଗଠନ ପରେ ସେ ସେହି ଦଳରେ ଯୋଗ ଦେଇଥିଲେ। ୧୯୯୫ ମସିହାରେ ସେ ପ୍ରଥମ ଥର ପାଇଁ ପୂର୍ବ-ଜାମସେଦପୁର ନିର୍ବାଚନମଣ୍ଡଳିରୁ ଅବିଭକ୍ତ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ମସିହା ନିର୍ବାଚନରେ ପରାଜିତ ହେବା ପୂର୍ବରୁ ସେ ଏହି ଆସନରୁ ୫ ଥର ନିର୍ବାଚିତ ହୋଇ ଆସିଥିଲେ। ସେ ବାବୁଲାଲ ମାର୍ଣ୍ଡିଙ୍କ ସରକାରରେ ଝାଡ଼ଖଣ୍ଡର ଶ୍ରମମନ୍ତ୍ରୀ ହୋଇଥିଲେ ଏବଂ ୨୦୦୫ ମସିହାରେ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପଦର ଦାୟିତ୍ବ ତୁଲାଇଥିଲେ। ତାହା ପରେ ୨୦୦୯ ମସିହା ଡିସେମ୍ବରରୁ ୨୦୧୦ ମସିହା ମେ’ ମାସ ଯାଏ ସେ ଶିବୁ ସୋରେନ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସଂପାଦନ କରିଥିଲେ। ତାଙ୍କର ପାଞ୍ଚ ବର୍ଷର ମୁଖ୍ୟମନ୍ତ୍ରିତ୍ବ ଅବଧିରେ ରାଜ୍ୟରେ କୌଣସି ପ୍ରକାର ସାମାଜିକ ଅସ୍ଥିରତା ଦେଖା ଯାଇନଥିଲା। ୨୦୧୯ ମସିହା ବିଧାନସଭା ନିର୍ବାଚନରେ ତାଙ୍କର ଦୁର୍ଗ ଭାବେ ବିବେଚିତ ପୂର୍ବ ଜାମସେଦପୁର ଆସନରେ ସ୍ବାଧୀନ ପ୍ରାର୍ଥୀ ସରଯୁ ରାୟ ଜିତିଥିଲେ। ଉକ୍ତ ନିର୍ବାଚନରେ ବିଜେପି ହାତରୁ ଜେ.ଏମ୍.ଏମ୍. ଶାସନ କ୍ଷମତା ଛଡ଼ାଇ ନେଲା। ରଘୁବର ଦାସ ରାଜନୈତିକ ଦୃଷ୍ଟିକୋଣରୁ ଏକଘରିକିଆ ହୋଇ ଯାଇଥିଲେ। ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କ ନୂତନ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ସେ ଗୋଟିଏ ଅତି ସାଧାରଣ ପୃଷ୍ଠଭୂମିରୁ ଆସି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ଦାୟିତ୍ବ ସଂପାଦନ କରିଛନ୍ତି। ତାଙ୍କ ରାଜନୈତିକ ଜୀବନରେ ସେ ଥିଲେ ଜଣେ ଜନନେତା। ତେଣୁ ଓଡ଼ିଶାର ରାଜ୍ୟପାଳ ଭାବେ ଭୁବନେଶ୍ବର ଠାରେ ଗଣମାଧ୍ୟମକୁ ନିଜର ପ୍ରଥମ ସାକ୍ଷାତକାରରେ ‘ସର୍ବସାଧାରଣଙ୍କ ପାଇଁ ରାଜଭବନ ଚବିଶ ଘଣ୍ଟା ଖୋଲା ରହିବ’ ବୋଲି କହିବାରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ।
[email protected]