ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଙ୍କ ଦ୍ବାରା ପରିପୁଷ୍ଟ ‘ନାଟୋ’ ସେନା ୟୁକ୍ରେନ ଯୁଦ୍ଧରେ ପକ୍ଷଭୁକ୍ତ, କିନ୍ତୁ ତାହା କୌଣସି ଏସୀୟ ବା ଆଫ୍ରିକୀୟ ରାଷ୍ଟ୍ରର ଯୁଦ୍ଧ ହେବ କାହିଁକି? ବୋଧହୁଏ ଦେଶ ଆବିଷ୍କାର ଏବଂ ତହିଁରେ ଉପନିବେଶ ସ୍ଥାପନ ବଳରେ ପ୍ରଭୁତ୍ବ ବିସ୍ତାର କରିଥିବା ଶ୍ବେତାଙ୍ଗମାନେ ସେଇ ପୁରୁଣା ଅହଂକାରକୁ ବଳବତ୍ତର ରଖିଛନ୍ତି, ଯହିଁରେ ସେମାନେ ନିଜ ସମସ୍ୟାକୁ ପୃଥିବୀର ସମସ୍ୟା ରୂପେ ଦେଖିଥାନ୍ତି। ସେଥିପାଇଁ ତ ମାତ୍ର କିଛି ୟୁ‌େରାପୀୟ ରାଷ୍ଟ୍ରଙ୍କ ମଧ୍ୟରେ ହୋଇଥିବା ଦୁଇଟି ଯୁଦ୍ଧକୁ ସେମାନେ ବିଶ୍ବଯୁଦ୍ଧର ଆଖ୍ୟା ଦେଇଥିଲେ!

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟ ସମାପ୍ତ ରୁଷିଆ ଗସ୍ତ ପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଠାରେ ଉଲ୍ଲେଖନୀୟ ଯେ ୟୁକ୍ରେନ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ନେତୃତ୍ବରେ ରୁଷିଆ ଉପରେ ଜାରି ଉତ୍କଟ ଆର୍ଥିକ ବାସନ୍ଦ ଆଦେଶକୁ ଭାରତ ଦ୍ବାରା ଅମାନ୍ୟ କରାଯିବା ଏବଂ ଜାତିସଂଘରେ ରୁଷିଆ ବିରୋଧୀ ମତଦାନରେ ଭାରତର ଅନୁପସ୍ଥିତି ଭଳି ଘଟଣା ସ୍ବାଭାବିକ ଭାବେ ଆମେରିକାକୁ କ୍ଷୁବ୍‌ଧ କରିଥିବ; କିନ୍ତୁ, ଏ ‌େନଇ ସେ ଦେଶ ପକ୍ଷରୁ ବିଶେଷ କୌଣସି ପ୍ରତିକ୍ରିୟା ଶ୍ରୁତିଗୋଚର ହୋଇ ନ ଥିଲା। ସୁତରାଂ, ସଂପ୍ରତି ସୃଷ୍ଟି ହୋଇଥିବା ପ୍ରତିକ୍ରିୟାର ଉଚ୍ଚାଟ ପ୍ରଣିଧାନଯୋଗ୍ୟ, ଯାହା ମଧ୍ୟରୁ ଭାରତରେ ଅବସ୍ଥାପିତ ଆମେରିକୀ ରାଷ୍ଟ୍ରଦୂତ ଏରିକ ଗାରସେଟିଙ୍କ ମନ୍ତବ୍ୟ ଅତ୍ୟନ୍ତ ତୀକ୍ଷ୍‌ଣ ଏବଂ ଯାହା, ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ, ପ୍ରେମିକର ଧ୍ୟାନରୁ ବଞ୍ଚିତା ମର୍ମାହତ ପ୍ରେମିକାର ଅଭିମାନବ୍ୟଂଜକ ଚେତାବନୀ ଭଳି ଶୁଭିଥାଏ। ଭାରତ ଏବଂ ଯୁକ୍ତରାଷ୍ଟ୍ର ଆାମେରିକା ମହତ୍ତ୍ବପୂର୍ଣ୍ଣ ରଣନୈତିକ ସହଯୋଗୀ ସୂତ୍ରରେ ଆବଦ୍ଧ ଥିବା ବେଳେ ଆମେରିକାକୁ ରୁଷ୍ଟ କଲା ଭଳି ପ୍ରଧାମନ୍ତ୍ରୀଙ୍କ ରୁଷିଆ ଭ୍ରମଣର କାରଣ କ’ଣ ହୋଇପାରେ? ଏହାର ଉତ୍ତର ଖୋଜାଯିବା ଉଚିତ। ଏହାର ଆବଶ୍ୟକତା ଏବଂ ପ୍ରାସଙ୍ଗିକତା ସଂପର୍କରେ କ୍ଷୁଦ୍ର ଆଲୋଚନା ମଧ୍ୟ ଜରୁରି।
ପ୍ରଥମରୁ କହି ରଖିବା ଉଚିତ ହେବ ‌େଯ ରୁଷିଆ ସହିତ ଭାରତର ନିରବଚ୍ଛିନ୍ନ ମିତ୍ରତାପୂର୍ଣ୍ଣ ସଂପର୍କ ସୁଦୀର୍ଘ ଛଅ ଦଶନ୍ଧି ପୁରୁଣା, ଯାହାକୁ ଅଧିକ ପ୍ରଗାଢ଼ କରାଯିବାର ସମୟ ସଂପ୍ରତି ଉପନୀତ। କାରଣ, ଇତିମଧ୍ୟରେ ରୁଷିଆ ଚୀନର ଏକ ବଶମ୍ବଦ ରାଷ୍ଟ୍ର ତୁଲ୍ୟ ଆଚରଣ ପ୍ରଦର୍ଶନ କଲାଣି, ଯାହାର ଏକ ଉଦାହରଣ ହେଲା ଭାରତ ଦ୍ବାରା ଅୟୋଜିତ ‘ଜି-୨୦ ଶିଖର ସମ୍ମିଳନୀରେ ଉଭୟ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ଅନୁପସ୍ଥିତି। ସୁତରାଂ, ରଣନୈତିକ ବିଶେଷଜ୍ଞଙ୍କ ମତରେ ଯଦି ଭାରତ ପକ୍ଷରୁ ପୁରୁଣା ମିତ୍ରତାକୁ ଦୃଢ଼ କରା ନ ଯାଏ, ତେବେ ସମୟ କ୍ରମେ ପାକିସ୍ତାନ ଏବଂ ରୁଷିଅାକୁ ନେଇ ଚୀନ ପକ୍ଷରୁ ଏକ ଭାରତ ବିରୋଧୀ ସାମ୍ମୁଖ୍ୟ ଗଢ଼ି ତୋଳା ଯାଇପାରେ। ଏହା ମଧ୍ୟ ଏକ ବାସ୍ତବତା ଯେ ୨୦୨୧ ମସିହା ପର ଠାରୁ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ କୌଣସି ଦ୍ବି-ପାକ୍ଷିକ ଶିଖର ସମ୍ମିଳନୀ ଆୟୋଜିତ ହୋଇ ପାରିନାହିଁ; ଯଦିଓ ଅନ୍ୟାନ୍ୟ କେତେକ ସମ୍ମିଳନୀରେ ଏହି ଦୁଇ ନେତାଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଦ୍ବାରା ନିର୍ଦ୍ଧାରିତ ସ୍ବଳ୍ପ ସମୟର ସାକ୍ଷାତ ସମ୍ଭବ ହୋଇଛି, କିନ୍ତୁ ତାହା ଯଥେଷ୍ଟ ନୁହେଁ। ପୁଣି, ସାମରିକ ସରଂଜାମ ଯୋଗାଣ କ୍ଷେତ୍ରରେ ରୁଷିଆ ଉପରେ ଭାରତର ନିର୍ଭରଶୀଳତାକୁ ଅଣଦେଖା କରାଯାଇ ନ ପାରେ, ଯେଉଁ ଦୀର୍ଘକାଳୀନ ଚୁକ୍ତି ଏବଂ କ୍ରୟ-ବିକ୍ରୟର ବ୍ୟବସ୍ଥାରେ ଭାରତ ଅଦ୍ୟାବଧି ରୁଷିଆ ଠାରୁ ଅନେକ ସାମରକି ସରଂଜାମ ଏବଂ ମରାମତି ଲାଗି ଯନ୍ତ୍ରାଂଶ ଲୋଡ଼ିଥାଏ। ସୁତରାଂ, ହୃଦ୍‌ବୋଧ କରିହୁଏ ଯେ ଭାରତର ରାଷ୍ଟ୍ରୀୟ ସ୍ବାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷିଆ ଗସ୍ତ ଅପରିହାର୍ଯ୍ୟ ଥିଲା ଏବଂ ସେ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପରସ୍ପର ସହିତ ଏକ ନିବିଡ଼ ଭଲ୍ଲୁକ ଆଲିଙ୍ଗନରେ ଆବଦ୍ଧ ହେବାର ଦୃଶ୍ୟରୁ ଭାରତର କୌଣସି ଦୁରଭିସନ୍ଧିକୁ ଖୋଜିବା ମୂଢ଼ତା ମାତ୍ର ହେବ! ଏହା ମଧ୍ୟ କେହି ପାସୋରି ଯିବା ଉଚିତ ନୁହେଁ ଯେ ୨୦୨୨ ମସିହାର ସାଂଘାଇ ସହଯୋଗ ସମ୍ମିଳନୀ(ଏସ୍‌ସିଓ)ରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ରୁଷିଆ ପ୍ରତି ଅଭିପ୍ରେତ ଯେଉଁ ଅତ୍ୟନ୍ତ ସ୍ପଷ୍ଟ ଅଭିବ୍ୟକ୍ତି ଶୁଣିବାକୁ ମିଳିଥିଲା, ତାହା ସଦ୍ୟ ସମାପ୍ତ ରୁଷିଆ ଗସ୍ତ ବେଳେ ମଧ୍ୟ ଶୁଭିଛି। ତାହା କହିଥାଏ ଯେ ‘ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ; ଯୁଦ୍ଧ କ୍ଷେତ୍ରରେ ଶାନ୍ତି ଅନ୍ବେଷଣ କରିବା ନିରର୍ଥକ, ଯାହା କେବଳ ପାରସ୍ପରିକ ବାର୍ତ୍ତାଳାପ ମାଧ୍ୟମରେ ସମ୍ଭବ।’ କହିବା ବାହୁଲ୍ୟ, ଏଥିରୁ ଯୁଦ୍ଧ ପ୍ରତି ଭାରତର ମନୋଭାବ ନେଇ ଆମେରିକା ଏକ ଇଙ୍ଗିତ ପାଇଯିବା ଉଚିତ। କିନ୍ତୁ, ବିଡ଼ମ୍ବନା, ଆମେରିକା ସମ୍ଭବତଃ ତାହା ହୃଦୟଙ୍ଗମ କରି ପାରିନାହିଁ।
ବ୍ଲୁମ୍‌ବର୍ଗ ଏବଂ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟମାନ କହିଥିଲା ଯେ ଭାରତ ଗସ୍ତରେ ଆସିଥିବା ଏକ ଆମେରିକୀୟ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ପରମ ହିତାକାଂକ୍ଷୀ ଭଳି ସତର୍କ କରାଇ ଦେଇ ଯାଇଥିଲେ ଯେ ଯଦି କଦାଚିତ୍‌ ଭାରତ ସହିତ ଚୀନର ସଂଘର୍ଷ ଘଟେ, ତେବେ ରୁଷିଆ ନିର୍ଦ୍ବନ୍ଦ୍ବରେ ଚୀନକୁ ହିଁ ସମର୍ଥନ କରିବ। କିନ୍ତୁ, ଏଭଳି ସନ୍ଦେଶ ପ୍ରଦାନ କଲା ବେଳେ ସେମାନେ ସମ୍ଭବତଃ ଭୁଲିଯାଇଥିଲେ ଯେ ୨୦୨୧ ମସିହାରେ ଗଲୱାନ ଅଞ୍ଚଳରେ ଚୀନର ବଳପୂର୍ବକ ଅନୁପ୍ରବେଶ ସଂଦର୍ଭରେ ଭାରତର ରଣନୈତିକ ସହଯୋଗୀ ଆମେରିକା ସଂବେଦନଶୂନ୍ୟ ନିରବତା ଅବଲମ୍ବନ କରିଥିଲା! କହିବା ବାହୁଲ୍ୟ ଯେ ୟୁ‌େକ୍ରନ ଯୁଦ୍ଧ ପରେ ଉତ୍କଟ ଆର୍ଥିକ ବା‌ସନ୍ଦର ଶିକାର ରୁଷିଆ ଯେତେବେଳେ ଅନନ୍ୟୋପାୟ ହୋଇ ଅତ୍ୟନ୍ତ ଶସ୍ତାରେ ଖଣିଜ ତୈଳ ବିକ୍ରୟ କରିବା ଆରମ୍ଭ କରିଥିଲା, ସେତେବେଳେ ତା’ର ସୁଯୋଗ ନେଇ ପ୍ରଚୁର ତୈଳ କ୍ରୟ କରିବା ଭାରତର ଜାତୀୟ ସ୍ବାର୍ଥ ହିତରେ ଥିଲା; କିନ୍ତୁ ୟୁରୋପୀୟ-ଆମେରିକୀୟ ଗଣମାଧ୍ୟମ ଏଭଳି ପ୍ରଚାର କରିଥିଲେ, ସତେ ଯେମିତି ଏହି ଅର୍ଥ ୟୁକ୍ରେନ ବିରୋଧରେ ରୁଷିଆର ମାରକ କ୍ଷମତା ବୃଦ୍ଧିରେ ସହାୟକ ହୋଇଛି! ଏଣେ ବିଡ଼ମ୍ବନା ହେଲା, ଆର୍ଥିକ ବାସନ୍ଦକୁ ଦୃଢ଼ ସମର୍ଥନ କରୁଥିବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଗୋପନରେ ରୁଷିଆ ଠାରୁ ଶସ୍ତା ପ୍ରାକୃତିକ ଗ୍ୟାସ କ୍ରୟ କରିବାରେ ପ୍ରବୃତ୍ତ ଥିଲେ! ସୁତରାଂ, ଭାରତ ଅନ୍ତତଃ ପକ୍ଷେ କପଟାଚାରୀ ନ ଥିଲା, ଏବଂ ବାସନ୍ଦ ବେଳେ ରୁଷିଆ ସହିତ ସଂପର୍କ ଜାରି ରଖିବାର ଅଧିକାରକୁ ‘ରଣନୈତିକ ସ୍ବାଧୀନତା’ର ଆଖ୍ୟା ପ୍ରଦାନ କରିଥିଲା। କିନ୍ତୁ, ଏହି ନୀତିକୁ ସ୍ବୀକାର କରିବାକୁ ଆମେରିକା ଅମଙ୍ଗ। ଏହି ପରିପ୍ରେକ୍ଷୀରେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାଟସେଟିଙ୍କ ଶାଣିତ ପ୍ରତିକ୍ରିୟା କହିଛି ଯେ ଯୁଦ୍ଧ କାଳରେ ‘ରଣନୈତିକ ସ୍ବାଧୀନତା’ ବୋଲି କିଛି ନାହିଁ। କିନ୍ତୁ ପ୍ରଶ୍ନ ହେଲା କାହାର ଏ ଯୁଦ୍ଧ?
ପ୍ରକାଶ ଥାଉ କି, ଯୁୂକ୍ତରାଷ୍ଟ୍ର ଆମେରିକା ଏକତରଫାା ଭାବେ ପୃଥିବୀର ବିଭିନ୍ନ ଅଞ୍ଚଳରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଯୁଦ୍ଧ ଓ ସଂଘର୍ଷରେ ବ୍ୟାପୃତ। ଆତଙ୍କବାଦ ବିଲୋପନ ନାମରେ ଆଫଗାନିସ୍ତାନ ଉପ‌େର ହେଉ ଅଥବା ଗଣବିଧ୍ବଂସୀ ଅସ୍ତ୍ରଶସ୍ତ୍ର ମହଜୁଦ କରିଥିବା ଆରୋପରେ ସଦ୍ଦାମ ହୁସେନଙ୍କ ଇରାକ ଉପ‌େର ହେଉ ବା ଗାଜା ବା ୟୁକ୍ରେନ ଅବା ଷଷ୍ଠ ଦଶକରେ ଭିଏତ୍‌ନାମ ଉପରେ ହେଉ; ପ୍ରାୟ ସମସ୍ତ ଯୁଦ୍ଧଭୂମିରେ ଆମେରିକାର ପଦଚିହ୍ନ ଦିଶିଥାଏ। ତେଣୁ ସେ ସବୁ ଆମେରିକାର ଯୁଦ୍ଧ ହୋଇପାରେ, ତହିଁରେ ସଂପୃକ୍ତ ନ ଥିବା ଅନ୍ୟ କୌଣସି ଦେଶର ଯୁଦ୍ଧ ହେବ ବା କାହିଁକି? ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଙ୍କ ଦ୍ବାରା ପରିପୁଷ୍ଟ ‘ନାଟୋ’ ସେନା ୟୁକ୍ରେନ ଯୁଦ୍ଧରେ ପକ୍ଷଭୁକ୍ତ, କିନ୍ତୁ ତାହା କୌଣସି ଏସୀୟ ବା ଆଫ୍ରିକୀୟ ରାଷ୍ଟ୍ରର ଯୁଦ୍ଧ ହେବ କାହିଁକି? ବୋଧହୁଏ ଦେଶ ଆବିଷ୍କାର ଏବଂ ତହିଁରେ ଉପନିବେଶ ସ୍ଥାପନ ବଳରେ ପ୍ରଭୁତ୍ବ ବିସ୍ତାର କରିଥିବା ଶ୍ବେତାଙ୍ଗମାନେ ସେଇ ପୁରୁଣା ଅହଂକାରକୁ ବଳବତ୍ତର ରଖିଛନ୍ତି, ଯହିଁରେ ସେମାନେ ନିଜ ସମସ୍ୟାକୁ ପୃଥିବୀର ସମସ୍ୟା ରୂପେ ଦେଖିଥାନ୍ତି। ସେଥିପାଇଁ ତ ମାତ୍ର କିଛି ୟୁ‌େରାପୀୟ ରାଷ୍ଟ୍ରଙ୍କ ମଧ୍ୟରେ ହୋଇଥିବା ଦୁଇଟି ଯୁଦ୍ଧକୁ ସେମାନେ ବିଶ୍ବଯୁଦ୍ଧର ଆଖ୍ୟା ଦେଇଥିଲେ! କିନ୍ତୁ ଏଣିକି ଅନ୍ତତଃ ହୃଦ୍‌ବୋଧ ହେବା ଦରକାର ଯେ ଆମେରିକାର ସ୍ବାର୍ଥ ଆଉ ପୃଥିବୀର ସ୍ବାର୍ଥ ରୂପେ ଗଣାଯାଉନାହିଁ, ଆମେରିକାର ଆଦେଶ ଶିରୋଧାର୍ଯ୍ୟ ହେବାର ସ୍ଥିତି ଆଉ ନାହିଁ ଏବଂ ଆମେରିକା ଓ ତା’ର ସମଧର୍ମାମାନେ ସଂପୃକ୍ତ ଥିବା ଏକ ଯୁଦ୍ଧ ଭାରତର ଯୁଦ୍ଧ ହେବା ବାଧ୍ୟତା‌ମୂଳକ ନୁହେଁ!