ମସ୍କୀୟ ଉଦ୍‌ବେଗ

ମାତ୍ର ତିନି ଦିନ ତଳେ ଟେସଲା ମୋଟର ଗାଡ଼ି କଂପାନିର ମାଲିକ ଏଲନ୍‌ ମସ୍କଙ୍କ ଦ୍ବାରା ପ୍ରଦତ୍ତ ଏକ ମନ୍ତବ୍ୟ ପୃଥିବୀର ଅନ୍ୟ କେଉଁଠି ଆଲୋଡ଼ନ ସୃଷ୍ଟି କରି ଥାଉ ବା ନ ଥାଉ, ଭାରତରେ କିନ୍ତୁ ଭୀଷଣ ତର୍କ-ବିତର୍କର ଝଡ଼ ସୃଷ୍ଟି କରିଛି। ପ୍ରକାଶ ଥାଉ କି ଯୁକ୍ତରାଷ୍ଟ୍ର ଆମେରିକାର ପୁଏର୍ଟୋରିକୋ ଅଞ୍ଚଳରେ ଅନୁଷ୍ଠିତ ଏକ ନିର୍ବାଚନରେ ବ୍ୟବହୃତ ‘ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ’ ବା ‘ଇ.ଭି.ଏମ୍‌.’ ପରିପ୍ରେକ୍ଷୀରେ ମସ୍କଙ୍କ ମତଟି କହିଥିଲା ଯେ ‘ଇ.ଭି.ଏମ୍‌.’ଗୁଡ଼ିକୁ ମନୁଷ୍ୟ ବା କୃତ୍ରିମ ବୁଦ୍ଧିମତ୍ତା (‘ଏ.ଆଇ.’) ଦ୍ବାରା ‘ହ୍ୟାକ୍‌’ କରାଯିବା ସମ୍ଭବ ହୋଇଥିବାରୁ ଏହାର ପ୍ରଚଳନ ବନ୍ଦ ହେବା ଉଚିତ। ‘ଏକ୍‌ସ’ ହାଣ୍ଡଲରେ ଆବିର୍ଭୂତ ମସ୍କଙ୍କ ଏହି ମନ୍ତବ୍ୟରେ ଯଦିଓ ଭାରତୀୟ ‘ଇ.ଭି.ଏମ୍‌.’ଗୁଡ଼ିକ ପ୍ରତି ଆଦୌ କୌଣସି କଟାକ୍ଷ ନ ଥିଲା, ତଥାପି ଗଲା ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଭାରତରେ ପ୍ରଚଳିତ ହୋଇ ଆସିଥିବା ‘ଇ.ଭି.ଏମ୍‌.’ର ସ୍ବଚ୍ଛତା ବା ପାରଦର୍ଶିତାକୁ ନେଇ କେବେ ବି ମରୁ ନ ଥିବା ସନ୍ଦେହ ଏବଂ ସଘନ ବିବାଦ କାରଣରୁ ମସ୍କଙ୍କ ମନ୍ତବ୍ୟ ଏଠାରେ ପରସ୍ପର ବିରୋଧୀ ପ୍ରତିକ୍ରିୟାର ଚକ୍ରବାତ ସୃଷ୍ଟି କରିଛି, ଯହିଁରେ ଅବଲୀଳା କ୍ରମେ ମସ୍କ ମଧ୍ୟ ଛନ୍ଦି ହୋଇଯାଇଛନ୍ତି। ହ୍ୟାକିଂ ଦୃଷ୍ଟିରୁ ଭାରତୀୟ ‘ଇ.ଭି.ଏମ୍‌.’ଗୁଡ଼ିକ ସଂପୂର୍ଣ୍ଣ ଅ‌େଭଦ୍ୟ ବୋଲି ଭାରତର ପୂର୍ବତନ ସୂଚନା ପ୍ରଯୁକ୍ତି ବିଭଗର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଦୃଢ଼ୋକ୍ତି ମସ୍କଙ୍କ ଠାରୁ ଯେଉଁ ଟିପ୍ପଣୀକୁ ଆମନ୍ତ୍ରଣ କରିଛି, ତା’ର ମର୍ମ ହେଲା ‘ଏମିତି କିଛି ନାହିଁ, ଯାହା ହ୍ୟାକିଂ ହେବାରୁ ନିସ୍ତାର ପାଇଯିବ!’ ଏଭଳି ଏକ କୌତୂହଳପ୍ରଦ ସ୍ଥିତିରେ ଏଲନ୍ ମସ୍କଙ୍କୁ ବୁଝିବାର ଉଦ୍ୟମ କରାଯିବା ସହିତ ଭାରତୀୟ ‘ଇ.ଭି.ଏମ୍‌.’ ମେସିନଗୁଡ଼ିକର ରାଜନୈତିକ ନିଷ୍ପକ୍ଷତା ସାବ୍ୟସ୍ତ କରିବାର ଏକ ଉଦ୍ୟମ ଏଠାରେ ଯଥାର୍ଥ ବୋଲି ମନେ ହୋଇଥାଏ।
ପ୍ରକାଶ ଥାଉ କି, ଏଲନ୍‌ ମସ୍କଙ୍କ ତୁଲ୍ୟ ଅପୂର୍ବ ବିଚକ୍ଷଣ ପ୍ରଯୁକ୍ତିଗତ ବୁଦ୍ଧିର ଅଧିକାରୀମାନେ ପ୍ରକାଶ୍ୟ ବା ପ୍ରଚ୍ଛନ୍ନରେ ପୃଥିବୀର ସମସ୍ତ ଚିଜରେ ହ୍ୟାକିଂଯୋଗ୍ୟ ଛିଦ୍ରମାନ ଅନ୍ବେଷଣ କରିବାରେ ଆଗ୍ରହୀ ହୁଅନ୍ତି, ଯାହାର ଅନ୍ୟାନ୍ୟ ଉଦାହରଣ ମଧ୍ୟରେ ବିଲ୍ ଗେଟ୍‌ସ ବା ଷ୍ଟିଭ ଜବ୍‌ସ ବା ୱଜଲିଆକ୍‌ଙ୍କ ଭଳି ସପ୍ତମ ଦଶକରେ ଆବିର୍ଭୂତ ‘ସିଲିକନ୍‌ ଭେଲି’ର ରୂପକାରମାନେ ମଧ୍ୟ ଅନ୍ତର୍ଭୁକ୍ତ; ଯେଉଁମାନଙ୍କ ଅଭିଭାବକତ୍ବରେ କଂପ୍ୟୁଟର ବିଜ୍ଞାନ କ୍ଷେତ୍ର ବୈପ୍ଳବିକ ପରିବର୍ତ୍ତନ ଦେଖିଲା, ଅଥଚ ମନ୍ଦ ବୁଦ୍ଧି ପ୍ରଣୋଦିତ ହୋଇଥିଲେ ଏମାନେ ପ୍ରତ୍ୟେକ ଜ‌େଣ ଜଣେ ଅଦ୍ବିତୀୟ କଂପ୍ୟୁଟର ‘ହ୍ୟାକର୍‌’ ହୋଇ ପାରିଥାଆନ୍ତେ। ନିଜ ଶରୀରର ଜୈବ ବ୍ୟବସ୍ଥାକୁ ହ୍ୟାକ୍‌ କରିବା ଉଦ୍ଦେଶ୍ୟରେ ଷ୍ଟିଭ ଜବ୍‌ସଙ୍କ ପରୀକ୍ଷାନିରୀକ୍ଷା ଏଭଳି ଆଗ୍ରହର ନିଦର୍ଶନ ମାତ୍ର! ଏହି ମର୍ମରେ ୧୯୮୯ ମସିହାରେ ଲିଖିତ ପୁସ୍ତକ ‘ହ୍ୟାକ୍‌ର୍‌ସ’ରେ ଲେଖକ ଷ୍ଟିଭେନ୍‌ ଲେଭି କହିଛନ୍ତି ଯେ, କୌଶଳ ପ୍ରୟୋଗ କରି କୌଣସି ଯନ୍ତ୍ରକୁ ଲକ୍ଷ୍ୟ ଭ୍ରଷ୍ଟ କରାଇବା ଅର୍ଥାତ୍‌ ଯେଉଁ ଉଦ୍ଦେଶ୍ୟରେ ତାହାର ନିର୍ମାଣ, ତହିଁରୁ ତା’କୁ ବିଚ୍ୟୁତ କରିବା ହେଉଛି ‘ହ୍ୟାକିଂ’, ଯାହା ଅନୁସାରେ ଗୋଟିଏ ସାଇକେଲ ଭଳି ନିରୀହ ଯନ୍ତ୍ରଟିକୁ ମଧ୍ୟ ‘ହ୍ୟାକ୍‌’ କରାଯିବା ସମ୍ଭବ। ଏଭଳି ସ୍ଥଳେ ଏଲନ୍‌ ମସ୍କଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ପୂର୍ବତନ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ, ଯାହା ଅନୁସାରେ ଭାରାତୀୟ ‘ଇ.ଭି.ଏମ୍‌.’ଗୁଡ଼ିକ କୌଣସି ବାହାର ନେଟ୍‌ୱର୍କ ଦ୍ବାରା ସଂଯୋଜିତ ହୋଇ ନ ଥିବାରୁ ବାହ୍ୟ ନିୟନ୍ତ୍ରଣ ଦ୍ବାରା ସଂପୂର୍ଣ୍ଣ ମୁକ୍ତ, ତେଣୁ ତାହାର ବ୍ୟବସ୍ଥା ମଧ୍ୟକୁ ସନ୍ତର୍ପଣରେ ଅନୁପ୍ରବେଶ କରିହେବନାହିଁ। କେବଳ ସେତିକି ନୁହେଁ, ଭାରତୀୟ ‘ଇ.ଭି.ଏମ୍‌.’ଗୁଡ଼ିକ ଏଭଳି ସରଳ ପ୍ରଯୁକ୍ତି ଦ୍ବାରା ନିର୍ମିତ ଓ ପରିଚାଳିତ ଯେ ଏହାକୁ ହ୍ୟାକ୍‌ କରିବାର ଅବକାଶ ନ ଥାଏ, ଯେମିତି କି ସାଧାରଣ ‘କାଲ୍‌କୁଲେଟର୍‌’ଗୁଡ଼ିକୁ ହ୍ୟାକ୍‌ କରାଯାଇ ପାରି ନ ଥାଏ। କିନ୍ତୁ ପ୍ରକାଶ ଥାଉ କି, ୨୦୦୯ ମସିହାରେ ବେଞ୍ଜାମିନ୍‌ ମୁଡି ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ‘ଟେକ୍‌ସାସ ଇନ୍‌ଷ୍ଟ୍ରୁମେଣ୍ଟ ୮୩’ କାଲ୍‌କୁଲେଟର୍‌ ମଧ୍ୟ ହ୍ୟାକିଂର ଶରବ୍ୟ ହୋଇ ଚାଞ୍ଚଲ୍ୟ ଖେଳାଇଥିଲା। ତେଣୁ ମସ୍କୀୟ ପରିଭାଷା ଅନୁସାରେ ହୁଏତ ସବୁ ଯନ୍ତ୍ର ଭଳି ଭାରତୀୟ ‘ଇ.ଭି.ଏମ୍‌’ଗୁଡ଼ିକର ମଧ୍ୟ ହ୍ୟାକିଂ କରାଯିବା ସମ୍ଭବ, କିନ୍ତୁ ଏହା ସତ୍ତ୍ବେ ସେଭଳି ଘଟିବାର ସମ୍ଭାବନା ଯେଉଁ କାରଣରୁ ନ ଥାଏ, ସେ ସଂପର୍କରେ ଏବେ ଆଲୋଚନା କରାଯାଉ।
ପ୍ରଥମ କଥା ହେଲା, ପୃଥିବୀର ଏହି ବୃହତ୍ତମ ଗଣତନ୍ତ୍ରରେ ଅନୁଷ୍ଠିତ ନିର୍ବାଚନର ‘ଇକୋ ସିଷ୍ଟମ’ରେ ‘ଇ.ଭି.ଏମ୍‌.’ ହ୍ୟାକିଂ ସକାଶେ ସୁଯୋଗ ଉତ୍ପନ୍ନ ହୋଇ ନ ଥାଏ। ୧୯୯୯ ମସିହାରେ ଗୋଆ ନିର୍ବାଚନରେ ଏହାର ପ୍ରଥମ ବ୍ୟବହା‌ର ଦିନ ଠାରୁ ଏ ଯାବତ୍‌ ହୋଇଥିବା ୫ଟି ସା‌ଧାରଣ ନିର୍ବାଚନ ଏବଂ ଅ‌େନକ ରାଜ୍ୟ ନିର୍ବା‌ଚନଗୁଡ଼ିକରେ ପ୍ରାୟ ୪୦୦ କୋଟି ମତଦାତା ଏହି ଯନ୍ତ୍ର ମାଧ୍ୟମରେ ଭୋଟ ଦେଇ ଆସିଛନ୍ତି ଏବଂ ସମୟାନ୍ତରେ ସରକାରମାନ ଭୂଲୁଣ୍ଠିତ ହୋଇଛନ୍ତି। ସୁତରାଂ, ‘ଇ.ଭି.ଏମ୍‌.’ଗୁଡ଼ିକ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ପକ୍ଷଭୁକ୍ତ ବୋଲି ବିରୋଧୀ ପକ୍ଷ ବିଶେଷ କରି କଂଗ୍ରେସ ପକ୍ଷରୁ ଉଠୁଥିବା ଅଭିଯୋଗମାନ ଅଗତ୍ୟା ଅମୂଳକ ବୋଲି ସାବ୍ୟସ୍ତ ହୋଇଥାଏ। ଚଳିତ ନିର୍ବାଚନରେ ୫ ନିୟୁତ ‘ଇ.ଭି.ଏମ୍‌.’ ବ୍ୟବହୃତ ହୋଇଥିଲା, ଯହିଁରେ ୬୪ କୋଟିରୁ ଅଧିକ ମତଦାତା ଭୋଟ ଦେଇଥିଲେ। ପ୍ରକାଶ ଥାଉ କି, ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଉପସ୍ଥିତିରେ ପ୍ରତ୍ୟେକ ‘ଇ.ଭି.ଏମ୍‌’.ର କାର୍ଯ୍ୟ ଦକ୍ଷତା ଏବଂ ସଠିକତା ଯାଞ୍ଚ କରିବା ଲାଗି ଏକ ‘ମକ୍‌ ଡ୍ରିଲ୍‌’ ଭଳି ୫୦ଟି ମତ ନିଆଯାଏ, ଯାହା ସମସ୍ତଙ୍କ ଦ୍ବାରା ଅନୁମୋଦିତ ହେବା ପରେ ପ୍ରକୃତ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସେହିଭଳି ଭୋଟ ଦାନ ପରେ ‘ଇ.ଭି.ଏମ୍‌.’ଗୁଡ଼ିକୁ ପରିବହନ କରି ନେଉଥିବା ଯାନଗୁଡ଼ିକର ଗତିବିଧି ଉପରେ ‘ଜିପିଏସ୍‌’ ଜରିଆରେ ତୀକ୍ଷ୍‌ଣ ଲକ୍ଷ୍ୟ ରଖାଯାଇଥାଏ। ଯେଉଁ ଷ୍ଟ୍ରଙ୍ଗ ରୁମ୍‌ରେ ସେଗୁଡ଼ିକ ରହେ, ତାହା ମଧ୍ୟ ସୁରକ୍ଷା ପ୍ରହରୀ ଏବଂ ପ୍ରାର୍ଥୀମାନଙ୍କ ସମର୍ଥକମାନଙ୍କ ସତର୍କ ଦୃଷ୍ଟିରେ ରହିଥାଏ। ସେହିଭଳି ସବୁ ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଭୋଟ ଗଣତି କାର୍ଯ୍ୟ ସମାହିତ ହୋଇଥାଏ। ସୁତରାଂ, ଏକ ଅତ୍ୟନ୍ତ କଠୋର ସତର୍କତାମୂଳକ ବ୍ୟବସ୍ଥା ଅଧୀନରେ ‘ଇ.ଭି.ଏମ୍‌.’ଗୁଡ଼ିକର ପରିଚାଳନା କାରଣରୁ ତହିଁରେ ହେରଫେର ହେବାର ସମ୍ଭାବନା ନ ଥାଏ। କିନ୍ତୁ ଏହା ସତ୍ତ୍ବେ ମସ୍କୀୟ ସନ୍ଦେହର ବୀଜାଣୁ ଅନ୍ତର୍ହିତ ହେଉନାହିଁ, କାରଣ ତାହା କହିଥାଏ ଯେ ପ୍ରତ୍ୟେକ ଯନ୍ତ୍ର ‘ହ୍ୟାକିଂ’ଶୀଳ!
ଏଲନ୍‌ ମସ୍କଙ୍କ ଟୁଇଟ୍‌ ସଂଦର୍ଭରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟ କହିଥାଏ ଯେ ‘ଇ.ଭି.ଏମ୍‌.’ଗୁଡ଼ିକ ବିମାନର ‘ବ୍ଲାକ୍‌ ବକ୍‌ସ’ ସଦୃଶ ରହସ୍ୟାବୃତ ହୋଇ ରହିଛି, ଯାହା ସଂପୂର୍ଣ୍ଣ ରୂପେ ସ୍ବଚ୍ଛ ବା ପାରଦର୍ଶୀ ହେବା ଆବଶ୍ୟକ। ଅନେକ ବିଶେଷଜ୍ଞ ମଧ୍ୟ ଏହା ସହିତ ଏକମତ ହୁଅନ୍ତି। କାରଣ, ‘ଇ.ଭି.ଏମ୍‌.’ଗୁଡ଼ିକରେ ବ୍ୟବହୃତ ‘ସଫ୍‌ଟୱେର୍’ ଏବଂ କେତେକ ଗୂଢ଼ ପ୍ରଯୁକ୍ତି କେବଳ ଏହାର ନିର୍ମାଣକାରୀ ଉଦ୍ୟୋଗ ‘ଭାରତ ଇଲେକ୍ଟ୍ରୋନିକ୍‌ସ ଲିମିଟେଡ୍‌’ ଏବଂ ‘ଇଲେକ୍ଟ୍ରୋନିକ୍‌ସ’ କର୍ପୋରେସନ ଅଫ୍ ଇଣ୍ଡିଆ’ର ଗବେଷକ ଏବଂ ଇଂଜିନିଅରଙ୍କ ନିକଟରେ ଉପଲବ୍‌ଧ। ସେହି କାରଣରୁ ମତ ପ୍ରକାଶ ପାଇଥାଏ ଯେ ‘ଇ.ଭି.ଏମ୍‌.’ ମେସିନ ସଂକ୍ରାନ୍ତ ସମସ୍ତ ପ୍ରଶ୍ନର ଉତ୍ତର ଏବଂ ସନ୍ଦେହ ମୋଚନ ସକାଶେ ସୂଚନାମାନ ନିର୍ବାଚନ କମିସନଙ୍କ ପକ୍ଷରୁ ସାର୍ବଜନୀନ ଏବଂ ସ୍ପଷ୍ଟ କରାଯିବା ଉଚିତ। ‘ଇ.ଭି.ଏମ୍‌.’ ମେସନକୁ ଘେରି ରହିଥିବା ଧୂମ ପଟଳ ପରିଷ୍କୃତ ହେଲେ ଏଗୁଡ଼ିକରେ ହେରଫେର ହେଉଥିବାର ସନ୍ଦେହ ଦୁର୍ବଳ ହେବ ଏବଂ ରାହୁଳ ଗାନ୍ଧୀ ବା ତାଙ୍କ ସମଧର୍ମାମାନଙ୍କୁ ଏହା ବିମାନର ‘ବ୍ଲାକ୍‌ ବକ୍‌ସ’ ଭଳି ମନେ ହେବନାହିଁ।
ସମସ୍ତ ଯନ୍ତ୍ର ‘ହ୍ୟାକିଂ’ଶୀଳ ବୋଲି ଏଲନ୍‌ ମସ୍କଙ୍କ ମନ୍ତବ୍ୟଟି ମନୁଷ୍ୟ ମରଣଶୀଳ ଭଳି ଏକ ଚିରନ୍ତନ ଆପ୍ତ ବାକ୍ୟ ଭଳି ଶୁଭିଥାଏ। କିନ୍ତୁ ଏହି ସୁନିଶ୍ଚିତ ସତ୍ୟ ସତ୍ତ୍ବେ ମରଣଶୀଳ ମନୁଷ୍ୟ ତା’ର ଜୀବନକୁ ପଲ୍ଲବିତ କରିବାକୁ କୁଣ୍ଠାବୋଧ କରିଥାଏ କି? ସେମିତି ‘ହ୍ୟାକିଂ’ଶୀଳ ହୋଇଥିବା ସତ୍ତ୍ବେ କିଭଳି ତାହା ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାକୁ ସୁନିୟୋଜିତ କରାଯାଇପାରିବ, ତାହା ହିଁ ଏକ ଲକ୍ଷ୍ୟ ହେବା ଉଚିତ। ମସ୍କୀୟ ବିଚକ୍ଷଣତା ବରଂ ଭାରତର ଦୃଷ୍ଟାନ୍ତରୁ ପ୍ରେରଣା ନେଉ। ସ୍ପେସ୍‌ ଏକ୍‌ସ ମାଧ୍ୟମରେ ମହାକାଶ ବିଜୟ କରି ସାରିଥିବା ଏଲନ୍‌ ମସ୍କ ‘ଇ.ଭି.ଏମ୍‌.’ ଟାଂପରିଂ ଆଶଙ୍କାରେ ଉଦ୍‌ବିଗ୍ନ ନ ହୋଇ ଆମେରିକା ଭଳି ଏକ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାକୁ ପୁରୁଣା କାଳିଆ କରି ରଖିବାର ପରାମର୍ଶ ଦେବାରୁ ନିବୃତ୍ତ ରହନ୍ତୁ।

ସମ୍ବନ୍ଧିତ ଖବର