ଦେଶର ସମସ୍ତ ସହରାଞ୍ଚଳରେ ସେପ୍ଟିକ୍ ଟାଙ୍କି ଓ ସିୱର୍ ସଫେଇ କାର୍ଯ୍ୟ ଆଉ ମନୁଷ୍ୟ ହାତରେ କରାନଯାଇ ସମ୍ପୂର୍ଣ୍ଣ ରୂପେ ମେସିନ୍ ସାହାଯ୍ୟରେ କରାଯିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଏହା ସୁବିଦିତ ଯେ ସେପ୍ଟିକ୍ ଟାଙ୍କି ଆଦିରେ ଥିବା ବଡ଼ ଆକାରର କଣାର ନାମ ରଖାଯାଇଛି- ‘ମ୍ୟାନହୋଲ୍’, ଯେଉଁବାଟ ଦେଇ ଜଣେ ମାନବ ଶ୍ରମିକ ସେଇ ପୂତିଗନ୍ଧମୟ ନର୍କରେ ପ୍ରବେଶ କରିଥାଏ। ସେଇ ‘ମ୍ୟାନ୍ହୋଲ୍’କୁ ‘ମେସିନ୍ହୋଲ୍’େର ପରିବର୍ତ୍ତନ କରିବା ପାଇଁ ବଜେଟ୍ରେ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ଯଦି ସାକାର ହୁଏ ତେବେ ପ୍ରତି ସ୍ବଚ୍ଛ ଅଭିଯାନ ଶେଷରେ ୱିଲସନ୍ ଏଣିକି ଏକ ସେପ୍ଟିକ୍ ଟାଙ୍କି ସିନା ଦେଖି ଚାଲିବେ କିନ୍ତୁ ପୂର୍ବଭଳି ଜଣେ ଦଳିତଙ୍କୁ ମଧ୍ୟ ସେଠାରେ ଦେଖିବାକୁ ପାଇବେ ନାହିଁ; ସେଠାରେ ସେ ଦେଖିବେ ଏକ ମେସିନ୍କୁ।
କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କର ଯେଉଁ ଏକ ପଦକ୍ଷେପ ଶତ୍ରୁମିତ୍ର ନିର୍ବିଶେଷରେ ପ୍ରାୟ ସମସ୍ତଙ୍କର ପ୍ରଶଂସାଭାଜନ ହୋଇଛି, ତାହା ହେଉଛି- ସ୍ବଚ୍ଛ ଭାରତ ଅଭିଯାନ। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତକୁ ଖୋଲା ମଳତ୍ୟାଗ ରୂପକ ଏକ ପାରମ୍ପରିକ କଳଙ୍କରୁ ମୁକ୍ତି ପ୍ରଦାନ କରିବା। ପୃଥିବୀର ଅନ୍ୟତମ ପ୍ରାଚୀନତମ ସଭ୍ୟତା ସହିତ ଯୁଗ ଯୁଗ ଧରି ଜଡ଼ିତ ହୋଇ ରହି ଆସିଥିବା ଏହି ଅସଭ୍ୟ ଅସଂଗତିର ଦୂରୀକରଣ ଉଦ୍ୟମ ପ୍ରତି ଦେଶବାସୀମାନେ ପ୍ରଦର୍ଶନ କରିଥିବା ଅନୁକୂଳ ମନୋଭାବ ଅତୀବ ଉତ୍ସାହଜନକ ହୋଇଥିଲେ ହେଁ, ଏଥିରେ ତଥାପି ଏପରି ଏକ ଦୁର୍ବଳତା ଯୋଡ଼ି ହୋଇ ରହିଛି, ଯାହା ଯେତିକି ଘୃଣ୍ୟ, ସେତିକି ବେଦନାଦାୟକ। ତାହା ହେଉଛି ଯେଉଁ ପାଇଖାନା ମାଧ୍ୟମରେ ଖୋଲା ମଳତ୍ୟାଗେର ଅନ୍ତ ଘଟାଯାଇଥାଏ, ତାହାର ମଇଳା ଟାଙ୍କି ସଫେଇ କାର୍ଯ୍ୟ ଅନେକ ସ୍ଥାନରେ ମନୁଷ୍ୟ ହାତରେ ସମ୍ପନ୍ନ କରାଯିବା, ଯାହାକୁ ଇଂରେଜୀରେ କୁହାଯାଇଥାଏ- ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍। ଏବଂ ଯାହା ହେଉଛି ଏକ ଅପ୍ରିୟ ତଥା ଅସୁବିଧାଜନକ ସାମାଜିକ ସତ୍ୟ, ତାହା ହେଲା ମୁଖ୍ୟତଃ ଦଳିତ ଶ୍ରେଣୀର ସଦସ୍ୟମାନେ ହିଁ ଏହି ଅସନା, ଅସ୍ବାସ୍ଥ୍ୟକର ତଥା ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ଥାନ୍ତି। ସେଥିପାଇଁ ସ୍ବଚ୍ଛ ଭାରତ ଅଭିଯାନକୁ ତାଚ୍ଛଲ୍ୟ କରି ‘ସଫାଇ କର୍ମଚାରୀ ଆନ୍ଦୋଳନ’ର ଅନ୍ୟତମ ପ୍ରତିଷ୍ଠାତା ତଥା ଜାତୀୟ ଆବାହକ ବେଜୱାଡ଼ା ୱିଲ୍ସନ୍ କହିଛନ୍ତି: ‘‘ସେସବୁ ଠିକ୍ ଅଛି, କିନ୍ତୁ ପ୍ରତ୍ୟେକ ସ୍ବଚ୍ଛ ଅଭିଯାନର ଶେଷରେ ଥାଏ ଏକ ସେପ୍ଟିକ୍ ଟାଙ୍କି ଓ ଜଣେ ଦଳିତ।’’
ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ହେଉଛି ଏପରି ଏକ କାର୍ଯ୍ୟ ଯାହା ନୈତିକତା ଦୃଷ୍ଟିରୁ ଯେତିକି ଦୁର୍ବଳ, ନିରାପତ୍ତା ଦୃଷ୍ଟିରୁ ମଧ୍ୟ ସେତିକି ବିପଦ ସଙ୍କୁଳ। ବାସ୍ତବରେ ମନୁଷ୍ୟର କେଉଁ ଏକ ଆଚରଣକୁ ଯଦି ଦାର୍ଶନିକ ଇମାନୁଏଲ୍ କାଣ୍ଟ୍ଙ୍କର ପ୍ରସିଦ୍ଧ ‘କାଟିଗରିକାଲ୍ ଇମ୍ପରେଟିଭ୍’ ନାମକ ନୀତିବାଣୀର ଦ୍ବିତୀୟ ନିର୍ଦ୍ଦେଶର ଏକ ନଗ୍ନ ଉଲ୍ଲଂଘନ ରୂପେ ବିଚାର କରାଯାଇପାରେ, ତାହା ହେଉଛି ଅନ୍ୟ ଜଣେ ମନୁଷ୍ୟକୁ ଏପରି ମାନବ ମଳ ସଫେଇ କାର୍ଯ୍ୟରେ ନିୟୋଜିତ କରିବା। କାଣ୍ଟ୍ ୧୭୮୫ରେ ପ୍ରକାଶିତ ତାଙ୍କର ରଚନା ‘ଗ୍ରାଉଣ୍ଡୱାର୍କ ଅଫ୍ ଦି ମେଟାଫିଜିକ୍ସ ଅଫ୍ ମୋରାଲ୍ସ’ରେ ପ୍ରଦାନ କରିଥିବା ଏହି ନୈତିକ ନିର୍ଦ୍ଦେଶ ଥିଲା ଏହିପରି: ‘‘ଏପରି ଭାବରେ କାର୍ଯ୍ୟ କର, ଯେପରି ତୁମେ ନିଜ ଠାରେ ନିହିତ ଥିବା ମାନବତ୍ବକୁ କିମ୍ବା ଅନ୍ୟ ଠାରେ ନିହିତ ଥିବା ମାନବତ୍ବକୁ କେବଳ କୌଣସି ଏକ ଲକ୍ଷ୍ୟ ହାସଲର ସାଧନ ରୂପେ ବ୍ୟବହାର ନ କରି ତାହାକୁ ଖୋଦ୍ ଏକ ଲକ୍ଷ୍ୟ ରୂପେ ବିଚାର କର।’’ ଆମ ପ୍ରସଙ୍ଗେର ଏହାର ମର୍ମ ହେଲା, ସ୍ବଚ୍ଛ ଭାରତ ଏକ ମହତ୍ ଲକ୍ଷ୍ୟ ହୋଇଥାଇପାେର, କିନ୍ତୁ ତାହାକୁ ହାସଲ କରିବା ଉଦ୍ଦେଶ୍ୟରେ କୌଣସି ବ୍ୟକ୍ତିକୁ ଏକ ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ସାଧନ ରୂପେ ବ୍ୟବହାର କରିବା ହେଉଛି ତା’ ଠାରେ ନିହିତ ଥିବା ମାନବତ୍ବ ପ୍ରତି ଦାରୁଣ ଆଘାତ ଓ ଅପମାନ। ତା’ର ମାନବତ୍ବକୁ ସମ୍ମାନ ପ୍ରଦର୍ଶନ ମଧ୍ୟ ହେଉଛି ସେଇଭଳି ଏକ ମହତ୍ ଲକ୍ଷ୍ୟ, ଯେଉଁଭଳି ସ୍ବଚ୍ଛ ଭାରତ ହେଉଛି ଏକ ମହତ୍ ଲକ୍ଷ୍ୟ।
ଗତ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଦେଶରେ ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ଉଚ୍ଛେଦ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଯେଉଁସବୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ତାହା ଯେ ଏଇଭଳି କାଣ୍ଟ୍ ସୁଲଭ ଚିନ୍ତାଧାରା ଦ୍ବାରା ପ୍ରଭାବିତ ହୋଇଥିବା ନିଶ୍ଚିତ, ଏଥିରେ କୌଣସି ସନ୍ଦେହ ନାହିଁ। ଏଥିରେ ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ନିଷେଧ ଆଇନ, ୨୦୧୩ କାର୍ଯ୍ୟକାରୀ ହେବାରେ ଅଗ୍ରଗତିରୁ ଆରମ୍ଭ କରି ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ଜନିତ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପର୍କରେ ଛ’ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ନିମିତ୍ତ ଅଦାଲତ କେନ୍ଦ୍ର ସରକାରଙ୍କର ‘ସୋସିଆଲ୍ ଜଷ୍ଟିସ୍ ଆଣ୍ଡ୍ ଏମ୍ପାୱାର୍ମେଣ୍ଟ’ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅଦାଲତ ଜଣେ ଓକିଲଙ୍କୁ ମଧ୍ୟ ଆମିକସ୍ କ୍ୟୁରି ରୂପେ ନିଯୁକ୍ତ କରିଛନ୍ତି।
ନିୟମିତ ଭାବରେ ପ୍ରକାଶିତ ବିଭିନ୍ନ ସର୍ବେକ୍ଷଣ ରିପୋର୍ଟମାନଙ୍କରୁ ଜଣା ପଡ଼ିଥାଏ ଯେ ଦେଶର ଅଧିକାଂଶ ଅଞ୍ଚଳରେ ଏବେ ମଧ୍ୟ ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ବ୍ୟବସ୍ଥା ବଳବତ୍ତର ଅଛି, ଯଦିବା ବହୁଦିନରୁ ଏହାକୁ ବିଧିବଦ୍ଧ ଭାବରେ ନିଷେଧ କରାଯାଇଛି। ପ୍ରଥମେ ୧୯୯୩ରେ ପାର୍ଲିଆମେଣ୍ଟରେ ଏକ ଆଇନ ପ୍ରଣୟନ ଦ୍ବାରା ଏହି ନିଷେଧାଦେଶ କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୧୩ରେ ଏହି ଉଦ୍ଦେଶ୍ୟରେ ଏକ ଅଧିକ କଠୋର ଆଇନ ପ୍ରଣୀତ ହୋଇଥିଲା ଯେଉଁଥିରେ ଏହି ବୃତ୍ତିରେ ନିୟୋଜିତ ଥିବା ମାନୁଆଲ୍ ସ୍କାଭେଞ୍ଜର୍ମାନଙ୍କର ଥଇଥାନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। କିନ୍ତୁ ଯାହା ଦେଖାଯାଏ, ଆଇନର ଉପସ୍ଥିତି ସେତ୍ତ୍ବ ଏହି ଘୃଣ୍ୟ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନ୍ତ ଘଟିନାହିଁ। ଏହାର ପ୍ରମାଣ ସ୍ବରୂପ ଗତବର୍ଷ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ଯେ ୧୯୯୩ରୁ ଏ ମଧ୍ୟରେ ମଇଳା ନଳା (ସିୱର୍) ଓ ସେପ୍ଟିକ୍ ଟାଙ୍କି ସଫା କରିବା ଅବସରରେ ୯୭୧ ଜଣ ସଫେଇ କର୍ମୀଙ୍କ ମୃତ୍ୟୁ ଘଟି ସାରିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ନଳାନର୍ଦ୍ଦମା ସଫା କରିବା ସମୟରେ ୩୨୧ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ ପାଇଛି। ଯଦି କେତେକ ଏଭଳି ଘଟଣା ପ୍ରକାଶ ନ ପାଇ ଲୁଚି ରହିଯାଇଥାଏ, ତେବେ ପ୍ରକୃତ ମୃତ୍ୟୁ ସଂଖ୍ୟା ଉପରୋକ୍ତ ପରିସଂଖ୍ୟାନ ଠାରୁ ଯଥେଷ୍ଟ ଅଧିକ ହୋଇଥିବାର ସମସ୍ତ ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଏଥି ପୂର୍ବରୁ ଦେଶରେ ତଥାପି ମାନୁଆଲ୍ ସ୍କାଭେଞ୍ଜିଙ୍ଗ୍ ପ୍ରଥା ସକ୍ରିୟ ଥିବା କଥା ସରକାର ଅସ୍ବୀକାର କରିଥିଲେ।
ବେଜ୍ୱାଡ଼ା ୱିଲ୍ସନ୍ କହିଥିବା ଭଳି ଏହି ମାନୁଆଲ୍ ସ୍କାଭେଞ୍ଜର୍ମାନେ ପ୍ରାୟ ସମସ୍ତେ ହେଉଛନ୍ତି ଦଳିତ ଏବଂ ସାମାଜିକ-ଅର୍ଥନୈତିକ ଶିଡ଼ିର ସବା ତଳ ପାହାଚରେ ସୀମାବଦ୍ଧ। ସହରର ସ୍ବାୟତ୍ତ ଶାସନ ସଂସ୍ଥାମାନ ଓ ସେମାନେ ସଫେଇ କାର୍ଯ୍ୟ ପାଇଁ ନିଯୁକ୍ତ କରୁଥିବା ଠିକାଦାରମାନେ ଏହି କାର୍ଯ୍ୟ ନିମିତ୍ତ ଆବଶ୍ୟକ ଶ୍ରମିକମାନଙ୍କୁ ଅପେକ୍ଷାକୃତ ଶସ୍ତାରେ ପାଇବା ପାଇଁ ଏହି ଗୋଷ୍ଠୀ ଉପରେ ନିର୍ଭର କରିଥାନ୍ତି। ଗତ ବର୍ଷ ଅଦାଲତରେ ଏକ ଆବେଦନ ଆଗତ ହୋଇଥିବା ଦେଖାଯାଇଥିଲା ଯେଉଁଥିରେ ପ୍ରାର୍ଥନା କରାଯାଇଥିଲା ଯେ କାର୍ଯ୍ୟରତ ମାନୁଆଲ୍ ସ୍କାଭେଞ୍ଜର୍ଙ୍କ ମୃତ୍ୟୁ ଘଟିଲେ ତାଙ୍କୁ ସେ କାର୍ଯ୍ୟରେ ନିଯୁକ୍ତ କରିଥିବା ଠିକାଦାର, ସମ୍ପୃକ୍ତ ଏଜେନ୍ସି ତଥା ବିଭାଗୀୟ ଅଧିକାରୀଙ୍କ ବିରୋଧରେ ‘କଲ୍ପେବ୍ଲ ହୋମିସାଇଡ୍ ନଟ୍ ଆମାଉଣ୍ଟିଙ୍ଗ୍ ଟୁ ମର୍ଡର’ (ହତ୍ୟାକାଣ୍ଡ ହୋଇନଥିବା କିନ୍ତୁ ଆପରାଧିକ ନରହତ୍ୟା ରୂପେ ବିବେଚିତ) ଅଭିଯୋଗ ଅଣାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ସମସ୍ୟା ସମାଧାନର ଯେଉଁ ଏକ ଉପାୟ ସର୍ବାଧିକ ଫଳପ୍ରଦ ମନେ ହୋଇଥାଏ, ତାହା ହେଉଛି ଏହି ମଇଲା ସଫେଇ କାର୍ଯ୍ୟରେ ଯନ୍ତ୍ର ଓ ଆଧୁନିକ ବୈଜ୍ଞାନିକ ପଦ୍ଧତିର ବ୍ୟବହାର। ଏହି ପରିପ୍ରେକ୍ଷୀରେ ଏ ବର୍ଷର କେନ୍ଦ୍ର ବଜେଟ୍ରେ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ମନେହୁଏ। ଦେଶର ସମସ୍ତ ସହରାଞ୍ଚଳରେ ସେପ୍ଟିକ୍ ଟାଙ୍କି ଓ ସିୱର୍ ସଫେଇ କାର୍ଯ୍ୟ ଆଉ ମନୁଷ୍ୟ ହାତରେ କରାନଯାଇ ସମ୍ପୂର୍ଣ୍ଣ ରୂପେ ମେସିନ୍ ସାହାଯ୍ୟରେ କରାଯିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଏହା ସୁବିଦିତ ଯେ ସେପ୍ଟିକ୍ ଟାଙ୍କି ଆଦିରେ ଥିବା ବଡ଼ ଆକାରର କଣାର ନାମ ରଖାଯାଇଛି- ‘ମ୍ୟାନହୋଲ୍’, ଯେଉଁବାଟ ଦେଇ ଜଣେ ମାନବ ଶ୍ରମିକ ସେଇ ପୂତିଗନ୍ଧମୟ ନର୍କରେ ପ୍ରବେଶ କରିଥାଏ। ସେଇ ‘ମ୍ୟାନ୍ହୋଲ୍’କୁ ‘ମେସିନ୍ହୋଲ୍’େର ପରିବର୍ତ୍ତନ କରିବା ପାଇଁ ବଜେଟ୍ରେ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ଯଦି ସାକାର ହୁଏ ତେବେ ପ୍ରତି ସ୍ବଚ୍ଛ ଅଭିଯାନ ଶେଷରେ ୱିଲସନ୍ ଏଣିକି ଏକ ସେପ୍ଟିକ୍ ଟାଙ୍କି ସିନା ଦେଖି ଚାଲିବେ କିନ୍ତୁ ପୂର୍ବଭଳି ଜଣେ ଦଳିତଙ୍କୁ ମଧ୍ୟ ସେଠାରେ ଦେଖିବାକୁ ପାଇବେ ନାହିଁ; ସେଠାରେ ସେ ଦେଖିବେ ଏକ ମେସିନ୍କୁ। ତେବେ ସରକାରଙ୍କୁ ସେଥିପାଇଁ ପୂର୍ବତନ ସଫେଇ କର୍ମଚାରୀମାନଙ୍କ ଠାରେ କାଣ୍ଟ୍ ସୁଲଭ ମାନବତ୍ବର ଉପସ୍ଥିତି ସ୍ବୀକାର କରି ସେମାନଙ୍କର ଉପଯୁକ୍ତ ବିକଳ୍ପ ଥଇଥାନ ନିଶ୍ଚିତ କରିବାକୁ ହେବ।