ବାଟ-ଅବାଟ

ଗତ ବୁଧବାର ଦିନ କର୍ଣ୍ଣାଟକ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର‌୍‌ କେ ସୁଧାକର ଆକ୍ଷରିକ ଭାବରେ ଏକ ବିରୁଡ଼ି ବସାରେ ହାତ ମାରି ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ତା’ପରେ ତାଙ୍କୁ କିପରି ବିରୋଧୀ କ˚ଗ୍ରେସ ଦଳର ବିରୁଡ଼ିମାନଙ୍କରୁ ଆରମ୍ଭ କରି ନିଜ ଦଳ ଭାଜପାର ବିରୁଡ଼ି; ପୁରୁଷ ବିରୁଡ଼ିଙ୍କ ଠାରୁ ମହିଳା ବିରୁଡ଼ିଙ୍କ ପର୍ଯ୍ୟନ୍ତ ମିଳିତ ଆକ୍ରମଣ କରିଛନ୍ତି, ତାହାର ରୋଚକ ବର୍ଣ୍ଣନା ସବୁ କିସମର ଗଣମାଧୢମରେ ପ୍ରମୁଖ ସ୍ଥାନ ଅଧିକାର କରିବା ଦେଖା ଯାଇଛି। ଏହି ବିରୁଡ଼ିମାନେ ହେଉଛନ୍ତି କର୍ଣ୍ଣାଟକ ବିଧାନ ସଭାର ମାନ୍ୟବର ବିଧାୟକଗଣ। ଡକ୍ଟର୍‌ ସୁଧାକରଙ୍କ ପ୍ରତି ସେମାନଙ୍କ କ୍ରୋଧର କାରଣ ହେଲା ସୁଧାକର ସେମାନଙ୍କୁ ଦେଇଥିବା ଆହ୍ବାନ।

ବିଧାନ ସଭାରେ ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ଓ ତାଙ୍କ ନିଜ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି ବିରୋଧୀ କ˚ଗ୍ରେସ ଚଳାଇଥିବା ଅବିରାମ ଆକ୍ରମଣରେ ଅତିଷ୍ଠ ହୋଇ ପଡ଼ି ସୁଧାକର ଗୃହର ସମସ୍ତ ୨୨୫ ଜଣ ଯାକ ସଦସ୍ୟ ଏକ ‘ମନୋଗାମି’ (ଏକ ପତ୍ନୀ/ପତି ବ୍ରତ) ପରୀକ୍ଷାର ସମ୍ମୁଖୀନ ହେବାକୁ ଆହ୍ବାନ ଦେଇଥିଲେ। ତାଙ୍କର ଏଭଳି ଆହ୍ବାନର ମର୍ମ ହେଲା ଯେ ସୁଧାକର ଉଭୟ ତାଙ୍କର ମିତ୍ର ଓ ଶତ୍ରୁ ପକ୍ଷର ରାଜନେତାମାନଙ୍କର ‘ମନୋଗାମି’ ପାଳନ ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ତେଣୁ ସ୍ବାଭାବିକ ଭାବରେ ସେମାନଙ୍କର ପ୍ରତିକ୍ରିୟା ସୁଧାକରଙ୍କୁ ସମ ସ୍ବରରେ ଭର୍ତ୍ସନାରେ ପରିଣତ ହୋଇଛି। ବିବାଦଟିର ମୂଳରେ ଯାହା ରହିଛି, ତାହା ହେଲା ଉଭୟ ପକ୍ଷ ପ୍ରଦର୍ଶନ କରିବାକୁ ଚାହାଁନ୍ତି ଯେ ସେମାନେ ପ୍ରତ୍ୟେକ ହେଉଛନ୍ତି ‘ମନୋଗାମି’ର ପୂଜାରୀ, କିନ୍ତୁ ଉଭୟ ପକ୍ଷ ପରସ୍ପର ପ୍ରତି ବାଟ ହୁଡ଼ିବା ଅଭିଯୋଗ ଆଣିବାରେ ଲାଗିଛନ୍ତି। ଶେଷରେ ସୁଧାକର ଦେଇଥିବା ଆହ୍ବାନ ବସ୍ତୁତଃ ଘୋଷଣା କରିଛି ଯେ ଉଭୟ ପକ୍ଷରେ ଏମିତି କେହି ନାହିଁ, ଯିଏ ବାଟ ହୁଡ଼ି ଅବାଟରେ କେବେ ହେଲେ ପାଦ ଦେଇ ନଥିବ।

ଏହି ବାଟ-ଅବାଟର ଅସଲ ଚେର ଖୋଜିବା ପାଇଁ ଯଦି କୌଣସି ଅନୁସନ୍ଧାନକାରୀ ବାହାରି ପଡ଼ନ୍ତି, ସେ ବର୍ତ୍ତମାନ କର୍ଣ୍ଣାଟକ ବିଧାନ ସଭାରେ ଚାଲିଥିବା ଆତସବାଜି ପ୍ରଦର୍ଶନୀକୁ ଭେଦ କରି ଯେଉଁଠି ପହଞ୍ଚିବେ, ତାହା ହେଉଛି ଏକ ଓଜନଦାର ତାତ୍ତ୍ବିକ ଇଲାକା- ‘ବିବର୍ତ୍ତନବାଦୀ ମନସ୍ତତ୍ତ୍ବ’। କର୍ଣ୍ଣାଟକର ମନ୍ତ୍ରୀ, ବିଧାୟକମାନେ ସେମାନଙ୍କର ‘ମନୋଗାମି’ ପ୍ରତି କେହି ସନ୍ଦେହ ପ୍ରକଟ କଲେ ଏପରି ଉତ୍‌କ୍ଷିପ୍ତ ହୋଇପଡ଼ିବାର କାରଣ ହେଲା ଆଜିର ଅଧିକା˚ଶ ସଭ୍ୟ ସମାଜରେ ଏହାକୁ ଏକ ଆଦର୍ଶ ଆଚରଣ ବିଧି ଭାବରେ ଗ୍ରହଣ କରାଯାଇଥାଏ, ବିଶେଷ କରି ଏକ ଗଣତାନ୍ତ୍ରିକ ଦେଶରେ (ରାଜତନ୍ତ୍ରରେ ଏହା ଭିନ୍ନ ହୋଇପାରେ; ୧୯୭୯ରେ ଭୁଟାନ୍‌ର ତତ୍‌କାଳୀନ ରାଜା ଜିଗ୍‌ମେ ସିଙ୍ଗ୍ୟେ ଵାଙ୍ଗ୍‌ଚୁକ୍‌ ଏକ ସମୟରେ ଚାରିଜଣ ଭଉଣୀଙ୍କୁ ବିବାହ କରିଥିଲେ)। ‘ଆଦର୍ଶ’, କାରଣ କେତେକ ବିଶ୍ବାସ କରନ୍ତି ଯେ ବିବର୍ତ୍ତନବାଦ ତତ୍ତ୍ବ ଦୃଷ୍ଟିରୁ ‘ମନୋଗାମି’ ହେଉଛି ମନୁଷ୍ୟର ସ୍ବାଭାବିକ ଯୌନାଚରଣ।

ଏହି ମତବାଦର ଅନ୍ୟତମ ମୁଖ୍ୟ ପ୍ରବକ୍ତା ହେଉଛନ୍ତି ୯୩ ବର୍ଷୀୟ ପ୍ରସିଦ୍ଧ ବ୍ରିଟିସ୍‌ ଜୀବ ବିଜ୍ଞାନୀ, ଡେସ୍‌ମଣ୍ତ୍‌ ମରିସ୍‌, ଯାହାଙ୍କର ୧୯୬୭ରେ ପ୍ରକାଶିତ ଏ ସମ୍ପର୍କିତ ପୁସ୍ତକ ‘ଦି ନେକେଡ୍‌ ଏପ୍‌’ (‘ଉଲଗ୍ନ ମର୍କଟ’) ସେ ସମୟରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା ଏବ˚ ବର୍ତ୍ତମାନ ମଧୢ ବହୁଳ ଆଦୃତ। ମରିସ୍‌ ତାଙ୍କ ପୁସ୍ତକ ମାଧୢମରେ ଯେଉଁ ଏକ ଧାରଣାର ପ୍ରଚାର ଓ ପ୍ରସାର ଘଟାଇ ତାହାକୁ ଏକ ଦୃଢ଼ ବୌଦ୍ଧିକ ମୂଳଭିତ୍ତି ପ୍ରଦାନ କରିଥିଲେ, ତାହା ହେଲା- ‘ମନୁଷ୍ୟ ହେଉଛି ଏକ ଯୋଡ଼ି-ଗଠନକାରୀ ପ୍ରଜାତି’ ବା ଇ˚ରେଜୀରେ ‘ପେଆର‌୍‌-ବଣ୍ତିଙ୍ଗ୍‌ ସ୍ପିସିଜ୍‌’। ମରିସ୍‌ ବିଶ୍ବାସ କରନ୍ତି ଯେ ଏକ ଆଦିମ ଶିକାରୀ-ସ˚ଗ୍ରହକାରୀ ସମାଜରେ ନିଜର ପତ୍ନୀକୁ ଏକାକିନୀ ଛାଡ଼ିଦେଇ ଦୂରକୁ ଶିକାର ବା ଫଳମୂଳ ସ˚ଗ୍ରହ କରିବାକୁ ଯିବା ପୂର୍ବରୁ ପୁରୁଷ ଜଣକ ନିଶ୍ଚିତ ହେବାକୁ ଚାହୁଁଥିଲା ଯେ ତା’ର ପତ୍ନୀ ତା’ ପ୍ରତି ବିଶ୍ବସ୍ତ ରହିବ। ତେଣୁ ଡାର‌୍‌ଵିନ୍‌ଙ୍କ ‘ପ୍ରାକୃତିକ ଚୟନ’ ପ୍ରକ୍ରିୟା କ୍ରମେ ଉଭୟଙ୍କ ମଧୢରେ ଏକ ଯୋଡ଼ି ଗଠନ ପ୍ରବୃତ୍ତି ସୃଷ୍ଟି କଲା।

ମରିସ୍‌ଙ୍କ ଏହି ଯୁକ୍ତିରେ କିନ୍ତୁ ଏକ ଅନ୍ତର୍ନିହିତ ଦୁର୍ବଳତା ରହିଛି: ନାରୀ ଓ ପୁରୁଷଙ୍କ ପ୍ରଜନନ କ୍ଷମତା ମଧୢରେ ରହିଥିବା ଅସାମଞ୍ଜସ୍ୟତା। ଜଣେ ପୁରୁଷ ସୁଯୋଗ ମିଳିଲେ ବହୁସ˚ଖ୍ୟକ ନାରୀଙ୍କ ମାଧୢମରେ ଗୋଟିଏ ବର୍ଷରେ ଶହ ଶହ ପ୍ରଜନନରେ ଭାଗ ନେଇ ପାରେ, ଜଣେ ନାରୀ କିନ୍ତୁ ବର୍ଷକ ମଧୢରେ ଥରେ ମାତ୍ର ପ୍ରଜନନରେ ଅ˚ଶ ଗ୍ରହଣ କରିପାରେ (ଭୁଟାନ୍‌ ରାଜା ବର୍ଷକ ମଧୢରେ ଚାରିଟି ପ୍ରଜନନ ଘଟାଇ ପାରନ୍ତି; ତାଙ୍କର ଜଣେ ରାଣୀ କିନ୍ତୁ ବର୍ଷକରେ ଗୋଟିଏ ଥର ମାତ୍ର ପ୍ରଜନନ ଘଟାଇ ପାରନ୍ତି)। ‘ପ୍ରାକୃତିକ ଚୟନ’ର ଅସଲ ଉଦ୍ଦେଶ୍ୟ ହେଉଛି ପ୍ରଜନନ ମାଧୢମରେ ପ୍ରଭାବଶାଳୀ ଜିନ୍‌ ସବୁକୁ ପିଢ଼ି ପରେ ପିଢ଼ି ସର୍ବାଧିକ ସମ୍ଭବ ସ˚ଖ୍ୟକ ଉତ୍ତରାଧିକାରୀଙ୍କ ନିକଟକୁ ହସ୍ତାନ୍ତରିତ କରିବା। ତା’ହେଲେ ‘ମନୋଗାମି’ ପୁରୁଷର ପ୍ରଜନନ ସକ୍ରିୟତାକୁ ସ˚କୁଚିତ କରି ‘ପ୍ରାକୃତିକ ଚୟନ’ର ଉଦ୍ଦେଶ୍ୟ ଭଣ୍ତୁର କରିଥାଏ ବୋଲି କହିବାକୁ ହେବ (ଭୁଟାନ୍‌ ରାଜାଙ୍କର ଜଣେ ମାତ୍ର ରାଣୀ ଥିଲେ ଯାହା ହୁଅନ୍ତା)। ଏହା ଏକ ଅନ୍ୟାୟ ଏବ˚ ଅପ୍ରିୟ ସତ୍ୟ ହେଲେ ମଧୢ ଏଥିରେ ସନ୍ଦେହ ନାହିଁ ଯେ ଇତିହାସ ସାରା ମାନବ ସମାଜ ଏ ପର୍ଯ୍ୟନ୍ତ ପୁରୁଷ ଆଧିପତ୍ୟାଧୀନ ହୋଇ ରହି ଆସିଛି। ଏଭଳି ସମାଜରେ ତା’ହେଲେ ‘ମନୋଗାମି’ ଭଳି ପୁରୁଷର ପ୍ରାକୃତିକ ପ୍ରବୃତ୍ତିକୁ ଗୁରୁତର ଭାବରେ ସ˚କୁଚିତ କରୁଥିବା ଏକ ଯୌନାଚରଣ ପରମ୍ପରାର ଆବିର୍ଭାବ ଘଟି ଏଭଳି ପ୍ରାଧାନ୍ୟ ଲାଭ କଲା କିପରି?

ଏହାର ଉତ୍ତର ଖୋଜିବାକୁ ଯାଇ ପ୍ରଖ୍ୟାତ ଆମେରିକୀୟ ଜୀବବିଜ୍ଞାନୀ ସ୍ବର୍ଗତ ରିଚାର୍ଡ ଆଲେକ୍‌ଜାଣ୍ତର‌୍‌ ୧୯୭୫ରେ ‘ମନୋଗାମି’କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥିଲେ: ପରିବେଶକୃତ; ସମାଜକୃତ। ଯଦି ଏକ ସମାଜର ଅର୍ଥନୈତିକ ପରିବେଶରେ ଆଦୌ ବୈଷମ୍ୟ ନଥାଏ, ଅର୍ଥାତ୍‌ ପ୍ରତ୍ୟେକ ପୁରୁଷର ଆର୍ଥିକ ସ୍ଥିତି ପ୍ରତ୍ୟେକ ଅନ୍ୟ ପୁରୁଷର ଆର୍ଥିକ ସ୍ଥିତି ସହିତ ସମାନ ହୋଇଥାଏ, ତେବେ କୌଣସି ନାରୀ ପକ୍ଷରେ ଜଣେ ବିବାହିତ ପୁରୁଷର ଦ୍ବିତୀୟ ପତ୍ନୀ ହେବା ଅର୍ଥ କୌଣସି ପୁରୁଷର ଏକମାତ୍ର ପତ୍ନୀ ହେବା ତୁଳନାରେ ଅର୍ଦ୍ଧେକ ପୁରୁଷକୁ ବିବାହ କରିବା। ଆଗାମୀ ସନ୍ତାନମାନଙ୍କର ତଥା ନିଜର ମଙ୍ଗଳ ଚିନ୍ତା କରୁଥିବା କୌଣସି ନାରୀ ଏପରି ଆତ୍ମହାନିକାରକ ନିଷ୍ପତ୍ତି ନେବ ନାହିଁ। ଏଭଳି ସାମ୍ୟବାଦୀ, ଅଣ-ସ୍ତରୀ କୃତ (ମୁଖ୍ୟତଃ ଦାରିଦ୍ର୍ୟ ଅଧ୍ୟୁଷିତ) ସମାଜରେ ‘ମନୋଗାମି’ ଦୃଢ଼ ଅାସ୍ଥାନ ଜମାଇଥିବା ନୃତତ୍ତ୍ବବିତ୍‌ମାନେ ଆବିଷ୍କାର କରିଛନ୍ତି।
କିନ୍ତୁ ଯାହା ହେଉଛି ଏକ ବିଡ଼ମ୍ବନା ଭଳି, ତାହା ହେଲା ଏକ ସ୍ତରୀକୃତ, ସମୃଦ୍ଧ ସମାଜରେ ‘ମନୋଗାମି’ର ଦୃଢ଼ ଉପସ୍ଥିତି। ବିଶୁଦ୍ଧ ‘ପ୍ରାକୃତିକ ଚୟନ’ ଦୃଷ୍ଟିକୋଣରୁ ଦେଖିଲେ ଜଣେ ରାଜାଙ୍କର ଚତୁର୍ଥ ରାଣୀ ହେବା ଜଣେ ଦରିଦ୍ରର ଏକମାତ୍ର ପତ୍ନୀ ହେବା ଠାରୁ ବହୁ ଗୁଣ ଅଧିକ ଆକର୍ଷଣୀୟ। ବର୍ଣ୍ଣାଡ୍‌ ଶ ତାଙ୍କର ୧୯୦୮ରେ ପ୍ରକାଶିତ ନାଟକ ‘ଗେଟିଙ୍ଗ୍‌ ମ୍ୟାରିଡ୍‌’ (‘ବାହା ହେବା’)ରେ କହିଥିବା ଭଳି ନିଜର ସନ୍ତାନସନ୍ତତିଙ୍କ ମଙ୍ଗଳ ଚାହୁଁଥିବା ଜଣେ ନାରୀ ‘‘ହଜାରରେ ଜଣେ ହୋଇଥିବା ଏକ ପୁରୁଷର ହଜାରେ ଭାଗରୁ ଭାଗେ ପାଇବାକୁ କୌଣସି ଅପଦାର୍ଥକୁ ପୂରା ଅଧିକାର କରିବା ଠାରୁ ଅଧିକ ପସନ୍ଦ କରିବ।’’ ଏଭଳି ସମାଜରେ ଦେଖାଯାଉଥିବା ‘ମନୋଗାମି’ ତେଣୁ ହେଉଛି ସମାଜକୃତ, ଅର୍ଥାତ୍‌ ଆଇନ କୃତ। ନଚେତ ଏଠାରେ ଅର୍ଥନୈତିକ ଏବ˚ ରାଜନୈତିକ ପିରାମିଡ୍‌ର ଉପରି ଭାଗରେ ଥିବା ପୁରୁଷମାନେ ହାରେମ୍‌ ସ୍ଥାପନ କରନ୍ତେ, ସାଧାରଣ ବର୍ଗର ପୁରୁଷମାନେ କନିଆ ଅଭାବରୁ ଅବିବାହିତ ରହନ୍ତେ। ତେଣୁ ଏକ ବିଡ଼ମ୍ବନା ଭଳି ମନେ ହେଉଥିଲେ ହେଁ ସ˚ଖ୍ୟାଗରିଷ୍ଠ ପୁରୁଷମାନେ ‘ମନୋଗାମି’କୁ ସମର୍ଥନ କରନ୍ତି। ଆଲେକ୍‌ଜାଣ୍ତର‌୍‌ଙ୍କ ମତରେ ପୁରୁଷକୁ ‘ପଲିଜିନି’ ବା ‘ବହୁ ପତ୍ନୀ ଗ୍ରହଣ’ରୁ ନିବୃତ୍ତ କରିବା ପାଇଁ ଯୌତୁକ ଦିଆଯାଇଥାଏ।

ସେ କହିଛନ୍ତି ଯେ ଯେଉଁଠି ସମାଜକୃତ ‘ମନୋଗାମି’ ବଳବତ୍ତର ଥାଏ, ସେଠାରେ ସମାଜର ବାହ୍ୟ ଆବରଣ ତଳେ ସର୍ବଦା ଛକି ରହିଥାଏ ‘ପଲିଜିନି’, ସୁଯୋଗ ପାଇବା ମାତ୍ରେ ଉଙ୍କି ମାରିବାକୁ- ଯେମିତି ଘଟିଛି କର୍ଣ୍ଣାଟକରେ।

ସମ୍ବନ୍ଧିତ ଖବର