ରିଜର୍ଭ ବ୍ୟାଙ୍କ୍ ତେଣୁ ଅକ୍ଟୋବରର ନୀଚା ମୁଦ୍ରାସ୍ଫୀତି ହାର ଦ୍ବାରା ଭଳି ନ ଯାଇ ବନସ୍ତ ଭିତରେ ଥାଇ ତା’ ଉପରେ ତଥାପି ସତର୍କ ନଜର ରଖିଛି ବୋଲି ପ୍ରକାଶ କରି ନିଜର ବୁଦ୍ଧିମତ୍ତା ତଥା ଦାୟିତ୍ବ ସଚେତନତାର ପରିଚୟ ଦେଇଛି। ମହାଭାରତର ପଞ୍ଚପାଣ୍ଡବଙ୍କ ପରି ରିଜର୍ଭ ବ୍ୟାଙ୍କ୍ ଗଭର୍ନର ଶକ୍ତିକାନ୍ତ ଦାସ ଓ ମୁଦ୍ରାନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’)ର ସଦସ୍ୟ ଥିବା ତାଙ୍କର ଅନ୍ୟ ପାଞ୍ଚ ସାଥୀଙ୍କର ବନ ପର୍ବ ସମାପ୍ତ ହେବାର ସମୟ ଆସି ନାହିଁ।
ଗତ ସପ୍ତାହରେ ପ୍ରକାଶିତ ସୂଚନା ଅନୁସାରେ ଲଗାତାର ଦ୍ବିତୀୟ ମାସ ପାଇଁ ଅକ୍ଟୋବରରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟି ହୋଇଛି ୪.୮୭ ଶତାଂଶ, ଯାହା ସେପ୍ଟେମ୍ବରରେ ଥିଲା ୫.୦୨ ଶତାଂଶ। ଅକ୍ଟୋବରର ଏହି ମୁଦ୍ରାସ୍ଫୀତି ହାର ହେଉଛି ବିଗତ ପାଞ୍ଚ ମାସ ମଧ୍ୟରେ ସର୍ବନିମ୍ନ। ମୁଖ୍ୟତଃ ପୋଷାକପତ୍ର, ଜୋତା ଓ ପରିବହନ ଆଦି ଖାଉଟି ଦ୍ରବ୍ୟ ଓ ସେବା ଆଦିର ଦର ବୃଦ୍ଧିରେ ଦେଖାଯାଇଥିବା ଶିଥିଳତା ଯୋଗୁଁ ମୁଦ୍ରାସ୍ଫୀତି ହାରରେ ଏହି ନିମ୍ନ ଗତି ପରିଦୃଷ୍ଟ ହୋଇଥିଲେ ହେଁ ଏହି ହିସାବ ନିମିତ୍ତ ବ୍ୟବହାର କରାଯାଉଥିବା ଭିତ୍ତି ହାରର ପ୍ରଭାବ ମଧ୍ୟ ଏଥିରେ ସୁସ୍ପଷ୍ଟ। ବିଗତ ମାସମାନଙ୍କରେ ପନିପରିବା ଦରରେ ଅତ୍ୟଧିକ ବୃଦ୍ଧି ମୁଦ୍ରାସ୍ଫୀତି ହାରକୁ ଉପରମୁହଁା କରିଥିବା ବେଳେ ଅକ୍ଟୋବରରେ ସେଥିରେ ମାତ୍ର ୨.୭ ଶତାଂଶ ହାରରେ ବୃଦ୍ଧି ଘଟିଛି। ତେବେ ଅକ୍ଟୋବରରେ ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ହାର ତଥାପି ଏକ ଅପେକ୍ଷାକୃତ ଉଚ୍ଚା ୬.୬୧ ଶତାଂଶ ସ୍ତରରେ ରହିଥିବା ଦେଖାଯାଇଛି। ଖାଦ୍ୟଶସ୍ୟରେ ମୁଦ୍ରାସ୍ଫୀତି ହାର ଦୁଇ ଅଙ୍କ ବିଶିଷ୍ଟ ରହିବା ହେଉଛି ଏହାର ଏକ ଗୁରୁତ୍ବପୂର୍ଣ୍ଣ କାରଣ।
ଏହି ପରିପ୍ରେକ୍ଷୀରେ ତେଣୁ ନଭେମ୍ବର ପାଇଁ ପ୍ରକାଶିତ ବୁଲେଟିନ୍ର ଅର୍ଥନୀତିର ଅବସ୍ଥା ସଂପର୍କିତ ‘ଷ୍ଟେଟ୍ ଅଫ୍ ଦି ଇକନମି’ ରିପୋର୍ଟରେ ରିଜର୍ଭ ବ୍ୟାଙ୍କ୍ ରବର୍ଟ୍ ଫ୍ରଷ୍ଟ୍ଙ୍କର ପ୍ରସିଦ୍ଧ କବିତାରୁ କେତେକ ଅଭିବ୍ୟକ୍ତି ଉଦ୍ଧାର କରି ‘‘ଆମେ ତଥାପି ବନସ୍ତ ଭିତରୁ ବାହାରି ନାହୁଁ ଏବଂ ଆହୁରି ମାଇଲ୍ ମାଇଲ୍ ପଥ ଅତିକ୍ରମ କରିବାକୁ ଅଛି’’ ବୋଲି ଯେଉଁ ଘୋଷଣା କରିଛି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେଇ ସୁପରିଚିତ କବିତାରେ କବି କହିଥିଲେ ଯେ ବନାନୀର ମାୟାର ଆବେଶରେ ତାଙ୍କର ଶୋଇ ପଡ଼ିବାକୁ ଇଚ୍ଛା ହେଉଥିଲେ ହେଁ, ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ତାଙ୍କୁ ବିଶ୍ରାମ ନେବା ପୂର୍ବରୁ ଆହୁରି ମାଇଲ୍ ମାଇଲ୍ ବାଟ ଯିବାକୁ ହେବ। ରିଜର୍ଭ ବ୍ୟାଙ୍କ୍ ପାଇଁ ଏହି ପ୍ରତିଶ୍ରୁତି ହେଉଛି ଦେଶରେ ମୁଦ୍ରାସ୍ଫୀତି ହାରକୁ ବାର୍ଷିକ ୪ ଶତାଂଶ ହାରରେ ବାନ୍ଧି ରଖିବା ପାଇଁ ତା’ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ବ।
୨୦୧୬ ଅଗଷ୍ଟ ଠାରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ‘ଇନ୍ଫ୍ଲେସନ୍ ଟାର୍ଗେଟିଙ୍ଗ୍ ଫ୍ରେମ୍ୱାର୍କ’ (‘ଆଇଟିଏଫ୍’) ଅନୁସାରେ ରିଜର୍ଭ ବ୍ୟାଙ୍କ ମଧ୍ୟମରୁ ଦୀର୍ଘ କାଳ ମଧ୍ୟରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାରକୁ ବାର୍ଷିକ ୪ ଶତାଂଶ ହାରରେ ସ୍ଥିର ରଖିବା ପାଇଁ ବଚନବଦ୍ଧ, ଯଦିବା ଏହା ଏକ ୨ ଶତାଂଶ ବଳୟ ଦ୍ବାରା ପରିବେଷ୍ଟିତ, ଅର୍ଥାତ୍ ମୁଦ୍ରାସ୍ଫୀତି ହାର ବାସ୍ତବରେ ୨-୬ ଶତାଂଶ ବଳୟ ମଧ୍ୟରେ ଉପର ତଳ ହୋଇପାରେ।
ରିଜର୍ଭ ବ୍ୟାଙ୍କ୍ ପାଇଁ ଏହି ଦାୟିତ୍ବ ନିର୍ବାହ କରିବା କିନ୍ତୁ ଏକ ସରଳ ବ୍ୟାପାର ନୁହେଁ। ୨୦୧୨ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାନୀତି ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ପାଇକାରୀ ଦରଦାମ୍ ସୂଚନାକୁ ଅନୁସରଣ କରୁଥିଲା। ଏଣୁ ଦେଶରେ ମୁଦ୍ରାସ୍ଫୀତିର ଗତି ଠଉରାଇବା ପାଇଁ ପାଇକାରୀ ଦର ସୂଚକାଙ୍କ ବା ‘ହୋଲ୍ସେଲ୍ ପ୍ରାଇସ୍ ଇନ୍ଡେକ୍ସ’ (‘ଡବ୍ଲ୍ୟୁପିଆଇ’) ବ୍ୟବହୃତ ହେଉଥିଲା। ୨୦୧୨ ପରଠାରୁ ଏହି ଉଦ୍ଦେଶ୍ୟରେ ଏହା ସ୍ଥାନରେ ବ୍ୟବହୃତ ହେଉଛି ଖାଉଟି ଦର ସୂଚକାଙ୍କ ବା ‘କନ୍ସ୍ୟୁମର୍ ପ୍ରାଇସ୍ ଇନ୍ଡେକ୍ସ’ (‘ସିପିଆଇ’)। ଉପଭୋଗ ସର୍ବେକ୍ଷଣ (କନ୍ସମ୍ପସନ୍ ସର୍ଭେ)ରୁ ଉପଲବ୍ଧ ସୂଚନା ବ୍ୟବହାର କରା ହୋଇ ‘ସିପିଆଇ’ ପ୍ରସ୍ତୁତ କରାଯାଇଥାଏ। ଭାରତର ମୋଟ ଆୟ ବା ‘ଜିଡିପି’ରେ ବୃଦ୍ଧି ବର୍ତ୍ତମାନ ବହୁଚର୍ଚ୍ଚିତ ହୋଇଥିଲେ ହେଁ ଆମର ବିଶାଳ ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ମୁଣ୍ଡପିଛା ଆୟ ତଥାପି ନୀଚା ହୋଇଥାଏ। ସ୍ବାଭାବିକ ଭାବରେ ଆୟ ନୀଚା ହୋଇଥିବା ବେଳେ ଏହାର ଏକ ବୃହତ୍ ଅଂଶ ଖାଦ୍ୟପଦାର୍ଥ କ୍ରୟରେ ଖର୍ଚ୍ଚ ହୋଇଥାଏ, ଯାହା ଅର୍ଥଶାସ୍ତ୍ରର ସୁବିଦିତ ‘‘ଏଙ୍ଗେଲ୍’ସ ଲ’’କୁ ଅନୁସରଣ କରିଥାଏ। ଏଣୁ ଉପଭୋଗ ସର୍ବେକ୍ଷଣରୁ ଉପଲବ୍ଧ ସୂଚନା ଅନୁସରଣ କରି ‘ସିପିଆଇ’ ପ୍ରସ୍ତୁତିରେ ଖାଦ୍ୟପଦାର୍ଥ ଓ ଇନ୍ଧନକୁ ୫୩ ଶତାଂଶ ଗୁରୁତ୍ବ ବା ‘ୱେଟ୍’ ପ୍ରଦାନ କରାଯାଇଥାଏ, ଯଦିବା ‘ଡବ୍ଲ୍ୟୁପିଆଇ’ ପ୍ରସ୍ତୁତିରେ ଏଗୁଡ଼ିକୁ ଦିଆଯାଇଥିଲା ୪୫ ଶତାଂଶ ୱେଟ୍।
ମୁଦ୍ରାସ୍ଫୀତି ନିରୂପଣ ପଦ୍ଧତିରେ ଏହି ପରିବର୍ତ୍ତନ କିନ୍ତୁ ରିଜର୍ଭ ବ୍ୟାଙ୍କ୍ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ତା’ ଉପରେ ଯେଉଁ ଦାୟିତ୍ବ ନ୍ୟସ୍ତ କରାଯାଇଛି ରିଜର୍ଭ ବ୍ୟାଙ୍କ୍ ତାହା ପାଳନ କରିବା ନିମିତ୍ତ ଯେଉଁ ମୁଖ୍ୟ ଆୟୁଧ ବ୍ୟବହାର କରିଥାଏ, ତାହା ହେଉଛି ସୁଧ ହାର ବା ‘ରେପୋ ରେଟ୍’ରେ ହ୍ରାସ ବୃଦ୍ଧି। ସୁଧ ହାରରେ ପରିବର୍ତ୍ତନ ଅର୍ଥାତ୍ ମୁଦ୍ରାନୀତିରେ ପରିବର୍ତ୍ତନ ବଜାରର ଚାହିଦା ପାର୍ଶ୍ବ ମାଧ୍ୟମରେ ମୁଦ୍ରାସ୍ଫୀତି ଅର୍ଥାତ୍ ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ। ସମସ୍ୟା ହେଲା ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଆଦିର ବଜାର ଦର ଅଧିକ ପ୍ରଭାବିତ ହୋଇଥାଏ ଯୋଗାଣ ଦ୍ବାରା, ଚାହିଦା ଦ୍ବାରା ନୁହେଁ; ତେଣୁ ଉପରେ ପ୍ରଦତ୍ତ ସୂଚନାରୁ ସ୍ପଷ୍ଟ ହୋଇଥାଏ ଯେ ଯେଉଁ ସମସ୍ତ ଦ୍ରବ୍ୟମାନଙ୍କର ଦରବୃଦ୍ଧି ନିୟନ୍ତ୍ରଣ ଦାୟିତ୍ବ ରିଜର୍ଭ ବ୍ୟାଙ୍କ୍ ଉପରେ ନ୍ୟସ୍ତ କରାଯାଇଛି, ତା’ ମଧ୍ୟରୁ ଅଧାରୁ ଅଧିକ ଦ୍ରବ୍ୟମାନଙ୍କର ଦରଦାମ୍ ଉପରେ ରିଜର୍ଭ ବ୍ୟାଙ୍କ୍ ଦ୍ବାରା ଅନୁସୃତ ମୁଦ୍ରାନୀତିର କୌଣସି ପ୍ରଭାବ ନ ଥାଏ। ବୃଷ୍ଟିପାତ ଠାରୁ ଆରମ୍ଭ କରି ବିଦେଶୀ ଯୁଦ୍ଧ ପର୍ଯ୍ୟନ୍ତ ଯୋଗାଣକୁ ପ୍ରଭାବିତ କରି ଏହି ଦ୍ରବ୍ୟମାନଙ୍କର ଦରଦାମ୍କୁ ପ୍ରଭାବିତ କରୁଥିଲେ ମଧ୍ୟ ମୁଦ୍ରାନୀତିରେ କୌଣସି ପରିବର୍ତ୍ତନ କରି ରିଜର୍ଭ ବ୍ୟାଙ୍କ୍ ତାହାକୁ ପ୍ରତିହତ କରିବାରେ ପ୍ରାୟ ସକ୍ଷମ ହୋଇ ନ ଥାଏ।
ଏହି ସମସ୍ୟାକୁ ଏଡ଼ାଇବା ପାଇଁ ମୁଦ୍ରାସ୍ଫୀତି ଝୁଡ଼ିରୁ ଖାଦ୍ୟ ଓ ଇନ୍ଧନକୁ ବାଦ୍ ଦେଇ ବାକିତକ ଦ୍ରବ୍ୟ ଓ ସେବାର ଦରଦାମ ଭିତ୍ତିରେ ମୁଦ୍ରାସ୍ଫୀତି ହିସାବ କରିବା ପାଇଁ କେତେକ ଅର୍ଥନୀତିଜ୍ଞ ପରାମର୍ଶ ଦେଇଥାନ୍ତି। ଏହି କିସମର ମୁଦ୍ରାସ୍ଫୀତିକୁ ‘କୋର୍ ଇନ୍ଫ୍ଲେସନ୍’ ବା ‘ମଞ୍ଜ ମୁଦ୍ରାସ୍ଫୀତି’ ରୂପେ ନାମକରଣ କରାଯାଇଥାଏ। ‘ମଞ୍ଜ ମୁଦ୍ରାସ୍ଫୀତି’କୁ ରିଜର୍ଭ ବ୍ୟାଙ୍କ୍ ତା’ର ମୁଦ୍ରାନୀତି ଦ୍ବାରା ପ୍ରଭାବିତ କରିପାରିଥାଏ, କିନ୍ତୁ ସମସ୍ୟା ହେଲା କେବଳ ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ୍ ଯଦି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଏ, ତେବେ ଝୁଡ଼ିର ଅର୍ଦ୍ଧେକ ଦ୍ରବ୍ୟ ଉପରେ ତା’ର କୌଣସି ପ୍ରଭାବ ପଡ଼ିବ ନାହିଁ।
ମୁଦ୍ରାସ୍ଫୀତିକୁ କାବୁ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଗତ ଦଶ ମାସ ମଧ୍ୟରେ ‘ରେପୋ ରେଟ୍’ରେ ୨୫୦ ବେସିସ୍ ପଏଣ୍ଟ (୨.୫ ଶତାଂଶ) ବୃଦ୍ଧି ଘଟାଇ ତାହାକୁ ୬.୫ ଶତାଂଶ ହାରରେ ପହଞ୍ଚାଇଛି। ଏହାର ଫଳ ସ୍ବରୂପ ବର୍ଷ ଆରମ୍ଭରେ ମୁଦ୍ରାସ୍ଫୀତିରେ ହ୍ରାସ ଘଟିଥିଲେ ମଧ୍ୟ ଖାଦ୍ୟ ଦରରେ ବୃଦ୍ଧି ଯୋଗୁଁ ଜୁଲାଇ-ଅଗଷ୍ଟରେ ସାମଗ୍ରିକ ମୁଦ୍ରାସ୍ଫୀତି ବା ‘ଶିରୋନାମା’ ମୁଦ୍ରାସ୍ଫୀତିରେ ପୁଣି ତୀକ୍ଷ୍ଣ ବୃଦ୍ଧି ଘଟିବା ଦେଖାଯାଇଥିଲା। ରିଜର୍ଭ ବ୍ୟାଙ୍କ୍ ତେଣୁ ଉପରୋକ୍ତ ରିପୋର୍ଟରେ ଖାଦ୍ୟ ମୁଦ୍ରାସ୍ଫୀତିକୁ ତା’ର ୪ ଶତାଂଶ ମୁଦ୍ରାସ୍ଫୀତି ହାର ରୂପକ ଲକ୍ଷ୍ୟ ଭେଦ କରିବା ପଥରେ ଏକମାତ୍ର ପ୍ରତିବନ୍ଧକ ରୂପେ ବର୍ଣ୍ଣନା କରିଛି। ଖାଦ୍ୟଶସ୍ୟ, ଚିନି, ଡାଲି, ପିଆଜ ଓ ଟମାଟୋ ଆଦି ଦରରେ ପୁଣି ବୃଦ୍ଧି ଦେଖା ଦେବାକୁ ଲାଗିଲାଣି ବୋଲି ରିଜର୍ଭ ବ୍ୟାଙ୍କ୍ ଉଲ୍ଲେଖ କରିଛି।
ଅକ୍ଟୋବରରେ ମୁଦ୍ରାସ୍ଫୀତିରେ ସ୍ଖଳନ ଘଟିଥିଲେ ହେଁ ନଭେମ୍ବର ଓ ଡିସେମ୍ବରରେ ସେଥିରେ ପୁଣି ବୃଦ୍ଧି ଦେଖା ଦେଇପାରେ ବୋଲି ରିଜର୍ଭ ବ୍ୟାଙ୍କ୍ ଆଶଙ୍କା ପ୍ରକାଶ କରିଛି। ଏଭଳି ଆଶଙ୍କା ଅମୂଳକ ନୁହେଁ। ମୌସୁମୀ ବୃଷ୍ଟିପାତର ଅସମତୁଲ ବଣ୍ଟନ ଯୋଗୁଁ ଖରିଫ ଶସ୍ୟ ଅମଳ ବାଧା ପାଇପାରେ। ଜଳଭଣ୍ଡାରମାନ ଏଥିଯୋଗୁଁ ସଂପୂର୍ଣ୍ଣ ଭର୍ତ୍ତି ହୋଇ ନ ଥିବାରୁ ରବି ଫସଲ ଆବଶ୍ୟକ କରୁଥିବା ଜଳସେଚନ ନିଅଣ୍ଟ ହୋଇପାରେ। ଏହି କାରଣରୁ ଯଦି ଉଭୟ ଖରିଫ ଓ ରବି ଅମଳ ଆଶାଜନକ ନ ହୁଏ, ତେବେ ଯୋଗାଣ ସଂକୋଚନ ଘଟି ମୁଦ୍ରାସ୍ଫୀତି ଚାପ ସୃଷ୍ଟି କରିବ। ରିଜର୍ଭ ବ୍ୟାଙ୍କ୍ ତେଣୁ ଅକ୍ଟୋବରର ନୀଚା ମୁଦ୍ରାସ୍ଫୀତି ହାର ଦ୍ବାରା ଭଳି ନ ଯାଇ ବନସ୍ତ ଭିତରେ ଥାଇ ତା’ ଉପରେ ତଥାପି ସତର୍କ ନଜର ରଖିଛି ବୋଲି ପ୍ରକାଶ କରି ନିଜର ବୁଦ୍ଧିମତ୍ତା ତଥା ଦାୟିତ୍ବ ସଚେତନତାର ପରିଚୟ ଦେଇଛି। ମହାଭାରତର ପଞ୍ଚପାଣ୍ଡବଙ୍କ ପରି ରିଜର୍ଭ ବ୍ୟାଙ୍କ୍ ଗଭର୍ନର ଶକ୍ତିକାନ୍ତ ଦାସ ଓ ମୁଦ୍ରାନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’)ର ସଦସ୍ୟ ଥିବା ତାଙ୍କର ଅନ୍ୟ ପାଞ୍ଚ ସାଥୀଙ୍କର ବନ ପର୍ବ ସମାପ୍ତ ହେବାର ସମୟ ଆସି ନାହିଁ।