ପୃଥିବୀର ସର୍ବାଧିକ ଲୋକପ୍ରିୟ କଥାକାର ରୂପେ ପିଢ଼ି ପରେ ପିଢ଼ି ପାଠକପାଠିକାମାନଙ୍କ ଦ୍ବାରା ଆଦୃତ ଊନବିଂଶ ଶତାବ୍ଦୀର ଆମେରିକୀୟ କ୍ଷୁଦ୍ରଗଳ୍ପ ଲେଖକ ‘ଓ ହେନ୍‌ରୀ’ଙ୍କର ଏକ ନିଆରା ଶୈଳୀର କାହାଣୀ, ‘ମେମ୍‌ୱାର୍‌ସ ଅଫ୍ ଏ ୟେଲୋ ଡଗ୍’ (‘ଏକ ପୀତ କୁକୁରର ସ୍ମୃତିକଥା’)ରେ ସେ ଗଳ୍ପର ମୁଖ୍ୟ ଚରିତ୍ର ସେଇ ହଳଦିଆ ରଙ୍ଗର କୁକୁରଟି ଠାଏ କ୍ଷୋଭ ପ୍ରକାଶ କରିଛି ଯେ କୁକୁରମାନେ କେବଳ କାଳ୍ପନିକ କାହାଣୀରେ ମନୁଷ୍ୟମାନଙ୍କ ସହିତ କଥାବାର୍ତ୍ତା କରିପାରନ୍ତି, ବାସ୍ତବରେ ତାହା ସମ୍ଭବ ହୋଇ ନ ଥାଏ। ଯଦି ତାହା ସମ୍ଭବ ହୋଇଥାନ୍ତା, ତେବେ ହୁଏତ ମହୁଆ ‌ମଇତ୍ର, ଜୟ ଅନନ୍ତ ଦେହାଦ୍‌ରାଏ ଓ ନିଶିକାନ୍ତ ଦୁବେଙ୍କ ସହିତ ଭାରତୀୟ ସଂସଦର ସଦାଚାର କମିଟି ସମ୍ମୁଖରେ ସାକ୍ଷ୍ୟ ପ୍ରଦାନ ନିମିତ୍ତ ‘ଓ ହେନ୍‌ରୀ’ଙ୍କ ନାମ ବହନ କରୁଥିବା ହେନ୍‌ରୀ ନାମକ ତିନି ବର୍ଷ ବୟସର ରଟ୍‌ୱାଇଲର୍ ମଧ୍ୟ ଉପସ୍ଥିତ ହୋଇଥାନ୍ତା, କାରଣ ଯେଉଁ ଘଟଣାବଳୀ ବର୍ତ୍ତମାନ କେବଳ ଭାରତ ନୁହେଁ, ସମଗ୍ର ପୃଥିବୀର ସଂସଦୀୟ ଇତିହାସରେ ବୋଧହୁଏ ସର୍ବାଧିକ ରୋମାଞ୍ଚକର ତଥା ମନୋରଞ୍ଜକ ନାଟକ ରୂପେ ଆବିର୍ଭୂତ ହୋଇଛି, କୁହାଯାଉଛି ଯେ ତା’ର ସୂତ୍ରଧର ହେଉଛି ସେଇ କୁକୁର ହେନ୍‌ରୀ।
ବିଗତ କେତେ ସପ୍ତାହ ଧରି ଦେଶବାସୀଙ୍କର ମନୋରଞ୍ଜନ କରିବାରେ ବର୍ତ୍ତମାନ ଭାରତରେ ଚାଲିଥିବା ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଟୁର୍ନାମେଣ୍ଟ ସହିତ ପ୍ରତିଯୋଗିତା କରୁଥିବା ଏହି ‘ପ୍ରଶ୍ନ ପାଇଁ ପଇସା’ (‘କ୍ୟାସ୍ ଫର୍ କ୍ବେରି’) ପ୍ରସଙ୍ଗରେ ଯେଉଁସବୁ ମସଲା ଭର୍ତ୍ତି ହୋଇ ରହିଛି, ତାହା ଏହି ଶ୍ରେଣୀର ରହସ୍ୟ ରୋମାଞ୍ଚ ଉପନ୍ୟାସ ରଚନାରେ ସିଦ୍ଧହସ୍ତ ଲର୍ଡ ଜେଫ୍ରୀ ଆର୍ଚର୍‌ଙ୍କୁ ଏକ ନୂତନ ବେଷ୍ଟସେଲର୍ ଉପନ୍ୟାସ ଉତ୍ପାଦନ କରିବାକୁ ଖୋରାକ ଯୋଗାଇ ପାରନ୍ତା। ଏହି କାହାଣୀର ଅଂଶ ରୂପେ ଯେଉଁ ଚରିତ୍ରମାନେ ବର୍ତ୍ତମାନ ଆଲୋଚନାର ବିଷୟବସ୍ତୁ ପାଲଟିଛନ୍ତି, ସେମାନେ ହେଉଛନ୍ତି ରାଜନୀତିରୁ ବ୍ୟବସାୟ କ୍ଷେତ୍ର ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ସକ୍ରିୟ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନେ।
ଅଭିଯୋଗ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପ୍ରସ୍ତୁତ କରି ନିଜର ଖ୍ୟାତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଖର ବୁଦ୍ଧିମତୀ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ସଂସଦରେ ଶିଳ୍ପପତି ଗୌତମ ଆଦାନିଙ୍କୁ ଲକ୍ଷ୍ୟ କରି ପ୍ରଶ୍ନବାଣ ବିନ୍ଧୁଥିଲେ। ଏହି ଉଦ୍ୟମରେ ତାଙ୍କୁ ଯିଏ ସହାୟତା ପ୍ରଦାନ କରୁଥିଲେ ସେ ହେଉଛନ୍ତି ଆଉ ଜଣେ ତୁଙ୍ଗ ଶିଳ୍ପପତି, ଦର୍ଶନ ହୀରାନନ୍ଦାନି। ଏହି ଗୋପନୀୟ ତଥ୍ୟ ଯିଏ ପ୍ରକାଶ କରିଦେଲେ ‌ସେ ହେଉଛନ୍ତି ମହୁଆଙ୍କ ଘୋଷଣା ଅନୁସାରେ ତାଙ୍କର ‘‘ଜିଲ୍‌ଟେଡ୍ ଏକ୍‌ସ’’ (‘‘ପ୍ରତ୍ୟାଖ୍ୟାତ ପୂର୍ବତନ ପ୍ରେମିକ’’), ସୁପ୍ରିମ୍ କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍‌ରାଏ। ଏହାଙ୍କ ଅଭିଯୋଗ ଅନୁସାରେ ହୀରାନନ୍ଦାନିଙ୍କ ଠାରୁ ବିଭିନ୍ନ ପାରିତୋଷିକ ଗ୍ରହଣ କରି ମହୁଆ ତାଙ୍କୁ ଆଦାନିଙ୍କ ବିରୁଦ୍ଧରେ ପ୍ରଶ୍ନ ପଚାରିବା ପାଇଁ ନିଜର ଲୋକସଭା ‘ଆଇପି’ ଦେଇ ଦେଇଥିଲେ। ଉଭୟ ହୀରାନନ୍ଦାନି ଓ ମହୁଆ ଏହା ସ୍ବୀକାର କରିଥିବା ବେଳେ ମହୁଆ ପାରି‌େତାଷିକ ଗ୍ରହଣ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ ଦର୍ଶନ ହୀରାନନ୍ଦାନିଙ୍କୁ ତାଙ୍କର ଜଣେ ପ୍ରିୟ ବନ୍ଧୁ ରୂପେ ଅଭିହିତ କରିଛନ୍ତି। ଏହି ସମୟରେ ଦୃଶ୍ୟପଟ୍ଟରେ ଏକ ପାର୍ଶ୍ବ ଚରିତ୍ର ରୂ‌େପ ସାଂସଦ ଶଶୀ ଥରୁର୍‌ଙ୍କର ମଧ୍ୟ ଆବିର୍ଭାବ ଘଟିଛି; ଗଣମାଧ୍ୟମରେ ମହୁଆଙ୍କ ସହିତ ତାଙ୍କର ଅନ୍ତରଙ୍ଗ ବ୍ୟକ୍ତିଗତ ଫଟୋର ପ୍ରସାରକୁ ଥରୁର୍ ତୀବ୍ର ନିନ୍ଦା କରିଛନ୍ତି। ସାଂସଦ ନିଶିକାନ୍ତ ଦୁବେ ଏ ସମସ୍ତ ବ୍ୟାପାର ସଂପର୍କରେ ସଂସଦର ସଦାଚାର କମିଟି ନିକଟରେ ଅଭିଯୋଗ ଉପସ୍ଥାପନ କରିବା ପରେ ସେଠାରେ ଶୁଣାଣି ସମୟରେ ମହୁଆଙ୍କ ବିଷୋଦ୍‌ଗାର ଓ କ୍ରୁଦ୍ଧ ଅବତାର କାହାଣୀକୁ ଆହୁରି ରୋମାଞ୍ଚକର କରିଛି।
ଜୟ ଦେହାଦ୍‌ରାଏ ଅଗ୍ନିବର୍ଷୀ ସାଂସଦ ନିଶିକାନ୍ତ ଦୁବେଙ୍କ ମାଧ୍ୟମରେ ସମଗ୍ର ବ୍ୟାପାରଟିକୁ ପ୍ରଘଟ କରିଦେବା ମୂଳରେ ରହିଛି ରଟ୍‌ୱାଇଲର୍ ହେନ୍‌ରୀ। ଗଣମାଧ୍ୟମରେ ପ୍ରକାଶିତ ସୂଚନାମାନଙ୍କରୁ ଯାହା ଜଣାଯାଏ, ଦେହାଦ୍‌ରାଏ ୭୫,୦୦୦ ଟଙ୍କା ମୂଲ୍ୟ ଦେଇ ୪୦ ଦିନର ଛୁଆ ହେନ୍‌ରୀକୁ କ୍ରୟ କରିଥିଲେ। ହେନ୍‌ରୀକୁ ସେ ନିଜର ସନ୍ତାନ ପରି ପାଳନ କରିଛନ୍ତି ଏବଂ ତା’ର ପ୍ରତ୍ୟେକ ଆବଶ୍ୟକତା ସେ ହୃଦୟଙ୍ଗମ କରିପାରନ୍ତି ଓ ପୂରଣ କରନ୍ତି ବୋଲି ଦେହାଦ୍‌ରାଏ ପ୍ରକାଶ କରିଛନ୍ତି। ମହୁଆଙ୍କ ସହିତ ତାଙ୍କର ସଂପର୍କ ଛିନ୍ନ ହେବା ପରେ ଦିନେ ମହୁଆ ତାଙ୍କ ଘରେ ଅନୁପ୍ରବେଶ କରି ହେନ୍‌ରୀକୁ ହରଣଚାଳ କରି ନେଇ ନିଜ ପାଖରେ ଅଟକ ରଖିଛନ୍ତି ବୋଲି ଦେହାଦ୍‌ରାଏ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ହେନ୍‌ରୀକୁ ହରାଇବାର ରାଗ ଶୁଝାଇବା ପାଇଁ ଦେହାଦ୍‌ରାଏ ମହୁଆଙ୍କର ଯେଉଁ ପେଡ଼ି ‌ଫିଟାଇ ଦେଇଛନ୍ତି, ତା’ ଭିତରୁ ଏହି ରୋମାଞ୍ଚକର ନାଟକର ଆବିର୍ଭାବ ଘଟିଛି।
ଇତି ମଧ୍ୟରେ ହେନ୍‌ରୀ ଉପରେ ପିତୃତ୍ବ/ମାତୃତ୍ବ ପ୍ରମାଣିତ କରିବା ଉଦ୍ଦେଶ୍ୟରେ ବୋଧହୁଏ ସାମାଜିକ ଗଣମାଧ୍ୟମରୁ ମୁଖ୍ୟସ୍ରୋତ ଗଣମାଧ୍ୟମ ପର୍ଯ୍ୟନ୍ତରେ ତା’ ସହିତ ଉଭୟ ଦେହାଦ୍‌ରାଏ ଓ ମହୁଆଙ୍କର ସ୍ନେହସିକ୍ତ ସଂପର୍କର ଭିଡିଓମାନ ପ୍ରସାରିତ ହେବାରେ ଲାଗିଛି। ଏଥିରେ ହେନ୍‌ରୀକୁ ‘‘ମାଇଁ ବିଉଟିଫୁଲ୍ ବାବା’’ ବୋଲି ସଂବୋଧନ କରି ମହୁଆ ତା’ ମୁହଁରେ ମାତୃ ସ୍ନେହଭରା ଚୁମ୍ବନମାନ ଅଜାଡ଼ି ଦେଇ ଚାଲିଥିଲେ ହେଁ ଏବଂ ତା’ର ଗୋଡ଼ଗୁଡ଼ିକୁ ମାଲିସ୍ କରି ଚାଲିଥିଲେ ହେଁ ହେନ୍‌ରୀ ଠାରେ କୌଣସି ହେଲେ ପ୍ରତିକ୍ରିୟା ଦେଖିବାକୁ ମିଳୁ ନାହିଁ; ଅପରପକ୍ଷେ ଜୟଙ୍କ ସହିତ ହେନ୍‌ରୀକୁ ମହା ଉଲ୍ଲାସରେ ଖେଳିବା ଦେଖାଯାଉଛି। ଏଠାରେ ବୋଧହୁଏ ଜର୍ମାନ୍ ମୂଳର ବଳିଷ୍ଠ ରଟ୍‌ୱାଇଲର୍ ଜାତିର କୁକୁରମାନଙ୍କ ଆଚରଣ ସମ୍ବନ୍ଧରେ ଏକ ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି। ତାହା ହେଲା, ସେମାନେ ବଦ୍‌ରାଗୀ ଓ ଆକ୍ରମଣାତ୍ମକ ବୋଲି ଏକ ଧାରଣା ବଳବତ୍ତର ଥିଲେ ହେଁ, ସେମାନେ ପରିବାର ଭିତରେ ଶାନ୍ତ ସ୍ବଭାବ ପ୍ରଦର୍ଶନ କରିଥାନ୍ତି ଓ ପିଲାମାନଙ୍କ ପ୍ରତି ସ୍ନେହ ପ୍ରକାଶ କରିଥାନ୍ତି। ଅବଶ୍ୟ ନିଜର ପରିବାରକୁ ସୁରକ୍ଷା ପ୍ରଦାନ ନିମିତ୍ତ ସେମାନେ ସର୍ବଦା ଆଗେଇ ଆସିଥାନ୍ତି।
ଓ ହେନ୍‌ରୀଙ୍କ ଗଳ୍ପର କୁକୁର ଅବଶ୍ୟ ରଟ୍‌ୱାଇଲର୍ ନ ଥିଲା; କିନ୍ତୁ ଉପରୋକ୍ତ ଭିଡିଓମାନଙ୍କରେ ମହୁଆ ଓ ଜୟ ଅନନ୍ତଙ୍କ ପ୍ରତି ହେନ୍‌ରୀର ଆଚରଣରେ ପରିଦୃଷ୍ଟ ହେଉଥିବା ପାର୍ଥକ୍ୟ ବୁଝିବାରେ ବୋଧହୁଏ ସେ ସହାୟକ ହେବ। ସେ କାହାଣୀର ଏକ ସ୍ଥାନରେ ନିଜର ସ୍ମୃତି ଚାରଣ କରୁଥିବା ପୀତ କୁକୁର ପାଠକଙ୍କୁ ପଚାରିଛି, ହେ ସୁଧୀ ପାଠକ, ମତେ କୁହ, ତୁମକୁ କେବେ ଜଣେ ମହିଳା ଧରି ତୁମ ଦେହସାରା ନାକ ଘଷି ଏକ ତୀବ୍ର ସ୍ବରରେ ତୁମକୁ କହି ଚାଲିବାର ସମ୍ମୁଖୀନ ହୋଇଛ କି: ‘‘ଓଃ, ଉସ୍ ଅମ୍ ଉଡ୍‌ଲମ୍, ଟୁଡ୍‌ଲମ୍, ବିଟ୍‌ସି-ୱିଟ୍‌ସ ସ୍କୁଡ୍‌ଲମ୍‌ସ?’’... ‘‘ଏଇଭଳି ଶବ୍ଦମାନ ଉଚ୍ଚାରଣ କରି ସେ ଯେତେବେଳେ ମୋ ନାକ ଉପରେ ଚୁମା‌ ଦେଇ ଚାଲନ୍ତି, ମୁଁ ବା କରେ କ’ଣ? କୁକୁର ଜଣେ ତ ଲବଙ୍ଗ ଚୋବାଇ ପାରିବ ନାହିଁ।’’ ପୀତ କୁକୁରଟି ପାଠକପାଠିକାମାନଙ୍କୁ ଅବଗତ କରାଇଛି ଯେ ସେ ‌େଯଉଁଭଳି ବିମର୍ଷ ଥିଲା, ତା’ ମାଲିକାଣୀଙ୍କର ସ୍ବାମୀ ମଧ୍ୟ ସେଇଭଳି ବିମର୍ଷ ଥିଲେ। ଦୁଇ ଜଣଙ୍କ ମଧ୍ୟରେ ଏତେ ସାଦୃଶ୍ୟ ଥିଲା ଯେ ସେମାନେ ଯେତେବେଳେ ସାଙ୍ଗ ହୋଇ ବାହାରକୁ ଯାଉଥିଲେ, ଲୋକମାନେ ତାହା ଲକ୍ଷ୍ୟ କରିପାରୁଥିଲେ ବୋଲି ସେ ତା’ର ସ୍ମୃତି ଚାରଣରେ ଉଲ୍ଲେଖ କରିଛି।
ବୈବାହିକ ବିଫଳତା ଜର୍ଜରିତ ତା’ର ଏହି ବିମର୍ଷ ମାଲିକଙ୍କ ବିଷାଦ ଦୂର କରିବା ପାଇଁ ପୀତ କୁକୁର ତା’ର ଏକ ପରିଚିତ କଳା-ତମ୍ବାଳିଆ କୁକୁରକୁ ଏହାର ଉପାୟ ବିଷୟରେ ପଚାରିଛି। ସେ ତା’ର ଏହି ସାଥୀ କୁକୁରକୁ ଏହା ପଚାରିବାର କାରଣ ହେଲା, ପ୍ରତିଦିନ ସନ୍ଧ୍ୟାବେଳେ ସେ ଯେତେବେଳେ ତା’ର ବିଷଣ୍ଣ ମାଲିକଙ୍କ ସହିତ ବୁଲିବାକୁ ବାହାରେ, ସେତେବେଳେ ସେ ଦେଖେ କଳା-ତମ୍ବାଳିଆକୁ ଧରି ତା’ର ମାଲିକ ହସ ହସ ବଦନରେ ଘରକୁ ଫେରୁଥାନ୍ତି। ବାଟରେ ଥିବା ଏକ ପାନଶାଳା ହେଉଛି ଏ ହର୍ଷୋଲ୍ଲାସର କାରଣ ବୋଲି କଳା-ତମ୍ବାଳିଆ ଠାରୁ ଗୋପନୀୟ ତଥ୍ୟ ସଂଗ୍ରହ କଲା ପରେ ହଳଦିଆ କୁକୁର ସେଇ ପାନଶାଳାର ଦ୍ବାରରେ ଇସାରା ଦେଇ ତା’ର ବିମର୍ଷ ମାଲିକଙ୍କୁ ତାକୁ ସାଙ୍ଗରେ ଧରି ପାନଶାଳାରେ ପ୍ରବେଶ ନିମିତ୍ତ ପ୍ରବୃତ୍ତ କରିଛି। ପାନଶାଳାରେ ଗୋଟିଏ ଘଣ୍ଟା ବିତାଇବା ପରେ ମାଲିକ ଯେତେବେଳେ ଉଲ୍ଲସିତ ଅବସ୍ଥାରେ ବାହାରିଛନ୍ତି, ସେତେବେଳେ ସେ ପୀତ କୁକୁର ବେକରୁ ପଟି ଓ ଜଞ୍ଜିର ଖୋଲିଦେଇ ତାକୁ ବନ୍ଧନ ମୁକ୍ତ କରିଦେଇ ଯେଉଁଆଡ଼େ ଇଚ୍ଛା ସେଆଡ଼େ ଚାଲିଯିବାକୁ କହିଛନ୍ତି ଓ ଆଶ୍ବାସନା ଦେଇଛନ୍ତି ଯେ ଏଥର ମାଲିକାଣୀ ତାକୁ ଆଉ ଚୁମା ଦେଇ ପାରିବେ ନାହିଁ। ପୀତ କୁକୁର ତାଙ୍କୁ କିନ୍ତୁ ଛାଡ଼ି ଯିବାକୁ ରାଜି ନ ହେବାରୁ ଦୁହେଁ ମିଶି ଘର ତ୍ୟାଗ କରି ରକି ପର୍ବତମାଳା ଦିଗରେ ପଳାୟନ କରିଛନ୍ତି। ଓ ହେନ୍‌ରୀ ଯଦି ଆମର ଏଇ ହେନ୍‌ରୀକୁ ନେଇ କାହାଣୀ ଲେଖନ୍ତେ, ତେବେ ବୋଧହୁଏ କହନ୍ତେ ହିମାଳୟ ତାକୁ ଓ ତା’ର ମାଲିକଙ୍କୁ ହାତଠାରି ଡାକୁଛି!