ଆମ ଭାଷାରେ ପ୍ରବାଦଟିଏ ରହିଛି ଯେ ‘ବେକରେ ଜୁଆଳି ପଡ଼ିଲେ ହଳ ନ କରି ବାଟ କାହିଁ!’ ଏହି ଆପ୍ତବାକ୍ୟସୁଲଭ ବଚନର ଅନୁସରଣ କରି ମନୁଷ୍ୟକୁ ବଳଦତୁଲ୍ୟ ବିବେଚନା କରିବାରେ ସମ୍ବେଦନଶୂନ୍ୟତା ସହିତ ଏକ ମୌଳିକ ଭ୍ରାନ୍ତି ପରିଦୃଷ୍ଟ ହୋଇଥାଏ। ତାହା ହେଲା ମନୁଷ୍ୟ ବଳଦ ନୁହେଁ। ମୁକ୍ତ ଚିନ୍ତନର ସାମର୍ଥ୍ୟ ରଖୁଥିବା ମନୁଷ୍ୟ ତା’ ମନରେ ଯେଉଁ ଆଶା, ଅଭୀପ୍ସା, ସ୍ବପ୍ନ, ଉଦ୍ଦୀପନା ଆଦି ସଂଚାର ଘଟାଇଥାଏ ଏବଂ ତହିଁରେ ବ୍ୟାଘାତ ଘଟିଲେ ସେ ଯେମିତି ହତାଶା ଜର୍ଜର ହୋଇଯାଏ, ଯାହା ବଳଦ କ୍ଷେତ୍ରରେ ଘଟୁ ନ ଥିବ! ଅବଶ୍ୟ, ବଳଦ ସଂଦର୍ଭରେ ମନସ୍ତାତ୍ତ୍ବିକ ଗବେଷଣା କରାଯାଇନାହିଁ; କିନ୍ତୁ, ମନୁଷ୍ୟର ମନସ୍ତତ୍ତ୍ବ ନେଇ ଗବେଷଣା ଓ ତଜ୍ଜନିତ ନିଷ୍କର୍ଷରେ ତ ପୃଥିବୀ ଭରପୂର! ତେଣୁ ଏହି ସରଳ କଥାଟିକୁ ବୁଝିଗଲେ ସେନାବାହିନୀର କର୍ମ ସଂସ୍କୃତିରେ ଏକ ସର୍ବନିମ୍ନ ସଂବେଦନା ପ୍ରବେଶ କରନ୍ତା, ଯାହା ଅତ୍ୟନ୍ତ କଠିନ କାର୍ଯ୍ୟ ଓ ଦାୟିତ୍ବ ସଂପାଦନ କରୁଥିବା ସୈନିକମାନଙ୍କ ମନୋବଳକୁ ଭାଙ୍ଗି ପକାନ୍ତା ନାହିଁ।
ବିଗତ କିଛି ଦିନ ଧରି ବିଭିନ୍ନ ରାଜନୈତିକ ବିବାଦର କେଳାହଳ, ‘ଚନ୍ଦ୍ରଯାନ-୩’ ଦ୍ବାରା ସଫଳ ଚନ୍ଦ୍ରାବତରଣର ଉଲ୍ଲାସ ଓ ‘ଜି-୨୦’ ଶିଖର ସମ୍ମିଳନୀ ଆୟୋଜନ ନେଇ ଅତ୍ୟୁତ୍ସାହଜନିତ ଉଚ୍ଚାଟ ଆମମାନଙ୍କ ମନ ପଟଳକୁ ଘୋଟି ରହିଥିବା ବେଳେ ଯେଉଁ ଏକ ଅତ୍ୟନ୍ତ ବିମର୍ଷକର ସମ୍ବାଦ ଅଗତ୍ୟା ଆଢୁଆଳରେ ରହି ଯାଇଛି, ତାହା ହେଲା ଗଲା ଅଗଷ୍ଟ ୧୨ ତାରିଖରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟବର୍ତ୍ତୀ ୨୩ ଦିନରେ ୧୦ ଜଣ ‘ସି.ଆର୍.ପି.ଏଫ୍’ (ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ୍) ସୈନିକ ଆତ୍ମହତ୍ୟା କରିଛନ୍ତି, ଅର୍ଥାତ୍ ପ୍ରତି ୭୨ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଜଣେ! କହିବାରେ ଦ୍ବିଧା ନାହିଁ ଯେ ସଂପ୍ରତି ଭାରତରେ ଆତ୍ମହତ୍ୟା ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିଛି; ଯେଉଁ ସଂଦର୍ଭରେ ବିଭିନ୍ନ ମଞ୍ଚରେ ଉଦ୍ବେଗଭରା ଆଲୋଚନାମାନ ଶ୍ରୁତି ଏବଂ ଦୃଷ୍ଟିର ଗୋଚର ହେଉଛନ୍ତି। କିନ୍ତୁ ଏକ ବିଡ଼ମ୍ବନା ହେଲା ଏଭଳି ଆଲୋଚନାରେ ରାଷ୍ଟ୍ରର ସଶସ୍ତ୍ର ବାହିନୀରେ ନିୟମିତ ସଂଘଟିତ ହେଉଥିବା ଅାତ୍ମହତ୍ୟା ବିଷୟ ଗୁରୁତ୍ବ ଲାଭ କରି ନ ଥାଏ। ତେବେ, ଏ ସଂକ୍ରାନ୍ତରେ ପ୍ରଶ୍ନ ଉଠିବା ଉଚିତ ନୁହେଁ କି ଯେ କିଂବଦନ୍ତୀୟ କଷ୍ଟ ସହିଷ୍ଣୁତା ଓ ସାହସର ଉଦାହରଣମାନ ସ୍ଥାପନ କରି ଆସୁଥିବା ଏହି ସୈନିକମାନେ ଏତେ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି କାହିଁକି? ସୁତରାଂ, ଏ ପରିପ୍ରେକ୍ଷୀରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ, ପ୍ରଥମେ କେତେକ ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଗଲା ବର୍ଷ ମାର୍ଚ୍ଚ ୨୯ ତାରିଖରେ ସରକାରଙ୍କ ଦ୍ବାରା ସଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ଗଲା ଦଶ ବର୍ଷ ମଧ୍ୟରେ ‘ସି.ଏ.ପି.ଏଫ୍’ ବା ‘କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ’ର ୧୨୦୫ ଜଣ ସୈନିକ ଆତ୍ମହତ୍ୟା କରିଛନ୍ତି। ପ୍ରକାଶ ଥାଉ କି ‘ସି.ଏ.ପି.ଏଫ୍’ ହେଉଛି ପୃଥିବୀର ବୃହତ୍ତମ ସଶାସ୍ତ୍ର ବାହିନୀ, ଯହିଁରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ମୁତୟନ ଅଛନ୍ତି। ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୯, ୨୦୨୦, ୨୦୨୧ ଏବଂ ୨୦୨୨ ମସିହାରେ ଯଥାକ୍ରମେ ୧୨୯, ୧୪୩, ୧୫୭ ଏବଂ ୧୩୬ ଜଣ ‘ସି.ଏ.ପି.ଏଫ୍.’ ସୈନିକ ଆତ୍ମହତ୍ୟା କରିଥିଲେ। ଏକ ଉଲ୍ଲେଖନୀୟ ବିଷୟ ହେଲା ଜାତୀୟ ଅପରାଧ ରେକର୍ଡସ୍ ବ୍ୟୁରୋର ତଥ୍ୟ ଅନୁସାରେ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ନକ୍ସଲ-ଉପଦ୍ରୁତ ଅଞ୍ଚଳରେ ମୁତୟନ ଥିବା ‘ସି.ଏ.ପି.ଏଫ୍’ ସୈନିକଙ୍କ ଆତ୍ମହତ୍ୟା ସଂଖ୍ୟା ଥିଲା ୪୩୯, ଯେତେବେଳେ କି ସେଠାରେ ସଂଘର୍ଷ କାରଣରୁ ପ୍ରାଣ ହରାଇଥିବା ଯବାନଙ୍କ ସଂଖ୍ୟା ଥିଲା ୨୨୦।
ପ୍ରକାଶ ଥାଉ କି ଏଭଳି ଏକ ସ୍ପର୍ଶକାତର ପରିସ୍ଥିତି ପଛରେ ନିହିତ କାରଣ ଅନୁସନ୍ଧାନ କରିବା ଲାଗି ୨୦୧୮ ମସିହାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସଂସଦୀୟ କମିଟି ଯେଉଁ ବିଷୟଗୁଡ଼ିକ ପ୍ରତି ଇଙ୍ଗିତ କରିଥିଲା, ତହିଁରେ ପ୍ରମୁଖତା ପାଇଥିଲା କର୍ମସ୍ଥଳର ପରିବେଶ ଏବଂ କାର୍ଯ୍ୟ ଧାରା ଇତ୍ୟାଦି ଦ୍ବାରା ସୃଷ୍ଟ ଚାପ; ଯାହା ଅନେକ ସମୟରେ ଅସହନୀୟ ହୋଇ ଆତ୍ମହତ୍ୟା କରିବାକୁ ବା ଏଥି ଜନିତ ହତାଶା କାରଣରୁ ସହକର୍ମୀମାନଙ୍କୁ ହତ୍ୟା କରିବାକୁ ବା ନିରୁପାୟ ହୋଇ ଚାକିରି ପରିତ୍ୟାଗ କରିବାକୁ ସୈନିକମାନଙ୍କୁ ବାଧ୍ୟ କରିଥାଏ। ଗୋଟିଏ ସଂଘର୍ଷ ପ୍ରପୀଡ଼ିତ ଅଞ୍ଚଳରୁ ଅନ୍ୟ ଏକ ସଂଘର୍ଷମୟ ଅଞ୍ଚଳକୁ ମୁହୁର୍ମୁହୁଃ ବଦଳି, ବିଶ୍ରାମ ବା ବିରତି ରହିତ ଭାବେ ଦୀର୍ଘ ଓ ଅକ୍ଳାନ୍ତ କାର୍ଯ୍ୟ କରିବାର ଦୁର୍ବିଷହ ମାନସିକ ପୀଡ଼ା ସେମାନଙ୍କୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥାଏ ବୋଲି ରିପୋର୍ଟଟି କହିଥିଲା। ପ୍ରକାଶ ଥାଉ କି ୨୦୨୨ ମସିହାରେ ସରକାର ଛୁଟି ଦିବସର ସଂଖ୍ୟାକୁ ୭୫ ଦିନରୁ ୧୦୦ ଦିନକୁ ବୃଦ୍ଧି କରିଥିଲେ ହେଁ ୮୦ ପ୍ରତିଶତ ସୈନିକଙ୍କ ଭାଗ୍ୟରେ ଛୁଟି ନେବାର ମହାର୍ଘ ଅବସର ଜୁଟିନାହିଁ। ପ୍ରକାଶିତ ରିପୋର୍ଟ ଅନୁସାରେ ଗଲା ୨୦୧୭ ମସିହାରୁ ୨୦୨୧ ମସିହା ମଧ୍ୟରେ ପ୍ରାୟ ୭୬ ହଜାର ସୈନିକ ସେମାନଙ୍କ କାର୍ଯ୍ୟରୁ ସ୍ବଇଚ୍ଛାରେ ଅବ୍ୟାହତି ନେଇ ଚାଲି ଯାଇଛନ୍ତି। ସେଇଭଳି ୨୦୧୯ ମସିହାରୁ ୨୦୨୧ ମସିହା ଅର୍ଥାତ୍ ମାତ୍ର ତିନି ବର୍ଷ ମଧ୍ୟେର ହତାଶା ଜର୍ଜର ସୈନିକମାନଙ୍କ ଗୁଳିରେ ସହକର୍ମୀମାନଙ୍କ ମୃତ୍ୟୁ ଭଳି ଘଟଣାର ସଂଖ୍ୟା ଥିଲା ପଚିଶ। ଏଥିରୁ ସୈନିକମାନେ ଭୋଗୁଥିବା ହତାଶା କିଭଳି ନିଦାରୁଣ ତାହା ଅନୁମାନ କରି ହୋଇଥାଏ।
ତେବେ, ଏଭଳି ସ୍ଥିତି ସକାଶେ ସରକାର ଯେଉଁ ସବୁ କାରଣକୁ ଦାୟୀ କରନ୍ତି, ସେଗୁଡ଼ିକ ହେଲେ ପାରିବାରିକ ଅଶାନ୍ତି, ବ୍ୟାଧି ଏବଂ ଅନେକ ସମୟରେ ଆର୍ଥିକ ଦୁଃସ୍ଥିତି। ତେବେ, ଟିକିଏ ଯତ୍ନର ସହିତ ଦୃଷ୍ଟି ପକାଇଲେ ସହଜରେ ହୃଦୟଙ୍ଗମ କରିହେବ ଯେ ଏଭଳି ସମସ୍ୟାମାନ ଉପୁଜିବା ପଛରେ ମଧ୍ୟ ରହିଛି ଦୀର୍ଘ କାଳ ଧରି ଛୁଟି ନ ପାଇବା ଭଳି ସ୍ଥିତି। ଏହା ନିଃସନ୍ଦେହ ଯେ ଅନେକ ଦିନ ଧରି ପରିବାରରେ ସେମାନଙ୍କ ଅନୁପସ୍ଥିତି ହେତୁ କର୍ତ୍ତାର ଅଭାବରେ ପରିଦୃଷ୍ଟ ହେଉଥିବା ବିଶୃଙ୍ଖଳା, ପରିଚାଳନାଗତ ଅବ୍ୟବସ୍ଥା ଓ ତଜ୍ଜନିତ ଆର୍ଥିକ ଦୁଃସ୍ଥିତି, ବୈବାହିକ ସଂପର୍କ ମଧ୍ୟରେ ସନ୍ଦେହ ଓ ଈର୍ଷାର ପ୍ରବେଶ ଆଦି ଭଳି ସ୍ଥିତି ସୃଷ୍ଟି ହୋଇଥାଏ, ଯାହା ସେମାନଙ୍କୁ ବେଳେ ବେଳେ ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥାଏ। କେବଳ ସେତିକି ନୁହେଁ, ଶାରୀରିକ ଶକ୍ତି ଓ ସାହସକୁ କେନ୍ଦ୍ରରେ ରଖୁଥିବା ସୈନିକ ପ୍ରଶିକ୍ଷଣ ଏବଂ ସେମାନଙ୍କୁ ଯନ୍ତ୍ରତୁଲ୍ୟ ଆଜ୍ଞାବହରେ ପରିଣତ କରି ପକାଉଥିବା କର୍ମ ସଂସ୍କୃତି ଅନେକ ସମୟରେ ସେମାନଙ୍କୁ ‘ଜୋମ୍ବି’ ସୁଲଭ ଉଦ୍ବେଗଶୂନ୍ୟ ଯାନ୍ତ୍ରିକତା ପ୍ରଦାନ କରିଥାଏ। ଏଭଳି ପରିସ୍ଥିତିରେ ଅେନକ ସମୟରେ ସୈନିକମାନେ ଉପରିସ୍ଥ ଅଧିକାରୀମାନଙ୍କ ଦ୍ବାରା ଚରମ ସେମ୍ବଦନଶୂନ୍ୟ ଏପରିକି ନିଷ୍ଠୁର ଆଚରଣର ନିରବ ଶିକାରରେ ମଧ୍ୟ ପରିଣତ ହେଉଥିବାର ଅଭିଯୋଗ ମିଳିଥାଏ। ସୈନ୍ୟବାହିନୀର ଏକାନ୍ତ ଧ୍ୟେୟ କଠୋର ଶୃଙ୍ଖଳାର ଆବରଣ ତଳେ ଏ ସବୁ କିନ୍ତୁ ସ୍ବୀକୃତି ପାଇଯାଏ। ତେବେ, ମନୁଷ୍ୟ ଯେ ସର୍ବଦା ଯନ୍ତ୍ରତୁଲ୍ୟ ହୋଇପାରି ନ ଥାଏ, ତା’ର ନିଦର୍ଶନ ସ୍ବରୂପ ଚରମ ହତାଶାର ଅଭିବ୍ୟକ୍ତିି ଭାବେ ଆତ୍ମହତ୍ୟା ବା ସତୀର୍ଥମାନଙ୍କ ହତ୍ୟା ଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାମାନ ଘଟୁଛି। ତେବେ, ସଂପ୍ରତି ଅତ୍ୟନ୍ତ କଠିନ ସମୟରେ ମାନସିକ ସନ୍ତୁଳନ ରକ୍ଷା କରିବା ସକାଶେ ସୈନ୍ୟମାନଙ୍କୁ ସକ୍ଷମ କରିବା ସକାଶେ ମନୋଚିକିତ୍ସକଙ୍କ ସହାୟତା ଗ୍ରହଣ କରାଯାଉଛି; ସେମାନଙ୍କ ଲାଗି ମନୋରଂଜନର ବ୍ୟବସ୍ଥା ମଧ୍ୟ କରାଯାଉଛି; କିନ୍ତୁ ବସ୍ତୁସ୍ଥିତି ଯାହା, ତହିଁରୁ ଜଣାପଡୁଛି ଯେ ଏହା ଯଥେଷ୍ଟ ନୁହେଁ। ବରଂ ସୈନିକମାନେ ଯୁଝୁଥିବା ସମସ୍ତ ସମସ୍ୟାର ଅନୁଧ୍ୟାନ କରାଯାଇ ଏକ ସମନ୍ବିତ ସମାଧାନର ପନ୍ଥା ବାହାର କରାଯିବା ଉଚିତ।
ଆମ ଭାଷାରେ ପ୍ରବାଦଟିଏ ରହିଛି ଯେ ‘ବେକରେ ଜୁଆଳି ପଡ଼ିଲେ ହଳ ନ କରି ବାଟ କାହିଁ!’ ଏହି ଆପ୍ତବାକ୍ୟସୁଲଭ ବଚନର ଅନୁସରଣ କରି ମନୁଷ୍ୟକୁ ବଳଦତୁଲ୍ୟ ବିବେଚନା କରିବାରେ ସମ୍ବେଦନଶୂନ୍ୟତା ସହିତ ଏକ ମୌଳିକ ଭ୍ରାନ୍ତି ପରିଦୃଷ୍ଟ ହୋଇଥାଏ। ତାହା ହେଲା ମନୁଷ୍ୟ ବଳଦ ନୁହେଁ। ମୁକ୍ତ ଚିନ୍ତନର ସାମର୍ଥ୍ୟ ରଖୁଥିବା ମନୁଷ୍ୟ ତା’ ମନରେ ଯେଉଁ ଆଶା, ଅଭୀପ୍ସା, ସ୍ବପ୍ନ, ଉଦ୍ଦୀପନା ଆଦି ସଂଚାର ଘଟାଇଥାଏ ଏବଂ ତହିଁରେ ବ୍ୟାଘାତ ଘଟିଲେ ସେ ଯେମିତି ହତାଶା ଜର୍ଜର ହୋଇଯାଏ, ଯାହା ବଳଦ କ୍ଷେତ୍ରରେ ଘଟୁ ନ ଥିବ! ଅବଶ୍ୟ, ବଳଦ ସଂଦର୍ଭରେ ମନସ୍ତାତ୍ତ୍ବିକ ଗବେଷଣା କରାଯାଇନାହିଁ; କିନ୍ତୁ, ମନୁଷ୍ୟର ମନସ୍ତତ୍ତ୍ବ ନେଇ ଗବେଷଣା ଓ ତଜ୍ଜନିତ ନିଷ୍କର୍ଷରେ ତ ପୃଥିବୀ ଭରପୂର! ତେଣୁ ଏହି ସରଳ କଥାଟିକୁ ବୁଝିଗଲେ ସେନାବାହିନୀର କର୍ମ ସଂସ୍କୃତିରେ ଏକ ସର୍ବନିମ୍ନ ସଂବେଦନା ପ୍ରବେଶ କରନ୍ତା, ଯାହା ଅତ୍ୟନ୍ତ କଠିନ କାର୍ଯ୍ୟ ଓ ଦାୟିତ୍ବ ସଂପାଦନ କରୁଥିବା ସୈନିକମାନଙ୍କ ମନୋବଳକୁ ଭାଙ୍ଗି ପକାନ୍ତା ନାହିଁ। ସେହି ପରିପ୍ରେକ୍ଷୀରେ ସେମାନଙ୍କ ଆପତ୍ତି ଅଭିଯୋଗକୁ ଶ୍ରଦ୍ଧାର ସହିତ ଶୁଣିବା ଓ ତାକୁ ଦୂର କରିବାର ଉଦ୍ୟମ ହେଉଛି ଗୋଟିଏ ବାଟ। ଆଉ ରହିଲା ବଳଦର କଥା! ହୁଏ’ତ କେହି କେହି କହି ପାରନ୍ତି ଯେ ପୀଡ଼ା ଓ କଷଣ ସହୁଥିବା ବଳଦ ଅନନ୍ୟୋପାୟ ହୋଇ ବଂଚି ରହେ ସିନା, ନ ହେଲେ ସେ ମଧ୍ୟ ଆତ୍ମହତ୍ୟା କରିବାକୁ ମନ ବଳାନ୍ତା!