ରୁଗ୍‌ଣ ମାନବ

ପୃଥିବୀ ସାରା ସଭ୍ୟ ସମାଜରେ କେତେକ ପରିସ୍ଥିତିରେ ପୁରୁଷମାନଙ୍କ ଦ୍ବାରା ମହିଳାମାନଙ୍କ ପ୍ରତି ଯେଉଁ ଭଳି ଆଚରଣ ପ୍ରଦର୍ଶନ ବିଧି ଅନୁସୃତ ହେବା ଦେଖାଯାଇଥାଏ, ତାହା ଏଇଭଳି: ତୁମ ଗହଣରେ ଥିବା ମହିଳାଙ୍କୁ ପ୍ରଥମେ ଗାଡ଼ିରେ ବସିବାକୁ ଦିଅ ଏବ˚ ତାଙ୍କ ପାଇଁ ଗାଡ଼ିର ଦରଜା ଖୋଲି ଧର ଓ ବନ୍ଦ କର; କୌଣସି କୋଠରିରେ ପ୍ରବେଶ ସମୟରେ ମଧୢ ଅନୁରୂପ ଆଚରଣ ପ୍ରଦର୍ଶନ କର; ଖାଦ୍ୟ ପରିବେଷଣ ସମୟରେ ପ୍ରଥମେ ମହିଳାଙ୍କର ସତ୍କାର କର; ଉପବେଶନ କରିବା ସମୟରେ ଉପଲବ୍‌ଧ ଆସନ ପ୍ରଥମେ ମହିଳାଙ୍କୁ ପ୍ରଦାନ କର… ଇତ୍ୟାଦି। ନାରୀମାନଙ୍କ ପ୍ରତି ପୁରୁଷମାନଙ୍କ ଦ୍ବାରା ପ୍ରଦର୍ଶିତ ଏଭଳି ମର୍ଯ୍ୟାଦାବନ୍ତ ଆଚରଣ ଯେଉଁ ସମ୍ଭ୍ରାନ୍ତ ଆଚରଣ ବିଧିର ଅନ୍ତର୍ଗତ, ତାହାକୁ ଇ˚ରେଜୀରେ ଗୋଟିଏ ଶବ୍ଦରେ କୁହାଯାଇଥାଏ: ‘ସିଭାଲ୍‌ରି’।

ମଧୢଯୁଗରୁ ଗଡ଼ି ଆସିଥିବା ଏହି ସ˚ସ୍କାର ଯଦି କୌଣସି ଏକ ମହଲରେ ସର୍ବାଧିକ ନିଷ୍ଠାର ସହିତ ପାଳିତ ହେବା ଦେଖାଯାଇଥାଏ, ତାହା ହେଉଛି ପୃଥିବୀ ସାରାର କୂଟନୈତିକ ମହଲରେ। ସେଇଥିପାଇଁ ଗତ ସପ୍ତାହରେ ତୁର୍କୀର ରାଷ୍ଟ୍ରପତି ରିସେପ୍‌ ତାଇପ୍‌ ଏର୍ଡୋଗାନ୍‌ଙ୍କ ଦ୍ବାରା ଏହି ଆଦର୍ଶ ଆଚରଣ ବିଧିର ଉଲ୍ଲ˚ଘନ ପର୍ଯ୍ୟବେକ୍ଷକମାନଙ୍କୁ ଏପରି ବର୍ବରୋଚିତ ମନେ ହୋଇଛି ଯେ ଆନ୍ତର୍ଜାତିକ କୂଟନୈତିକ ଜଗତ୍‌ରେ ତାହା ଏକ ଭୂକମ୍ପ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଘଟଣାଟି ଏହି ପରି। ଇଉରୋପର ୨୭ଟି ଦେଶକୁ ନେଇ ଗଠିତ ଶକ୍ତିଶାଳୀ ରାଷ୍ଟ୍ରସ˚ଘ ‘ଇଉରୋପିଆନ୍‌ ୟୁନିଅନ୍‌’ (‘ଇୟୁ’)ର ଦୁଇ ଜଣ ସର୍ବୋଚ୍ଚ ପଦାଧିକାରୀ- ‘ଇଉରୋପିଆନ୍‌ କମିସନ୍‌’ (‘ଇୟୁ’ର କାର୍ଯ୍ୟନିର୍ବାହୀ ଅଙ୍ଗ)ର ସଭାପତି ଶ୍ରୀମତୀ ଉର୍ସୁଲା ଭନ୍‌ ଡର‌୍‌ ଲେୟେନ୍‌ ଏବ˚ ‘ଇଉରୋପିଆନ୍‌ କାଉନ୍‌ସିଲ୍‌’ (‘ଇୟୁ’ର ରାଜନୈତିକ ନୀତି ନିର୍ଦ୍ଧାରଣକାରୀ ଅଙ୍ଗ, ଯେଉଁଥିରେ ୨୭ଟି ଯାକ ସଦସ୍ୟ ରାଷ୍ଟ୍ର ପ୍ରତିନିଧିତ୍ବ କରିଥାନ୍ତି)ର ସଭାପତି ଚାର୍ଲସ ମିସେଲ୍‌ ମଙ୍ଗଳବାର ଦିନ ଏର୍ଡୋଗାନ୍‌ଙ୍କ ସହିତ ଏକ ବିଧିବଦ୍ଧ ଆଲୋଚନା କରିବା ପାଇଁ ତୁର୍କୀର ରାଜଧାନୀ ଆଙ୍କାରା ଗସ୍ତରେ ଆସିଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୁଇଟି ‘ଇୟୁ’ ସଦସ୍ୟ ଦେଶ- ଗ୍ରୀସ୍‌ ଓ ବୁଲ୍‌ଗେରିଆ ସୀମାନ୍ତରେ ଅବସ୍ଥିତ ତୁର୍କୀ ୧୯୮୭ରୁ ‘ଇୟୁ’ର ସଦସ୍ୟ ହେବା ପାଇଁ ଦରଖାସ୍ତ କରି ଅପେକ୍ଷା କରି ରହିଥିଲେ ହେଁ, ଏ ପର୍ଯ୍ୟନ୍ତ ‘ଇୟୁ’ ମାପକାଠି ଅନୁସାରେ ସେଥିପାଇଁ ଯୋଗ୍ୟ ବିବେଚିତ ହୋଇ ନାହିଁ। ତା’ର ଅଯୋଗ୍ୟତାର ଅନ୍ୟତମ କାରଣ ହେଉଛି ମାନବାଧିକାର ସୁରକ୍ଷା କ୍ଷେତ୍ରରେ ତା’ର ଖରାପ ପ୍ରଦର୍ଶନ।
ଉପରୋକ୍ତ ଦୁଇ ‘ଇୟୁ’ ନେତାଙ୍କ ଗସ୍ତର ଉଦ୍ଦେଶ୍ୟ ମଧୢ ଥିଲା ସେଇ ମାନବାଧିକାର ସମ୍ପର୍କିତ। ନାରୀମାନଙ୍କ ବିରୋଧରେ ହି˚ସାଚରଣ ପ୍ରତିହତ କରିବା ଉଦ୍ଦେଶ୍ୟରେ ସୃଷ୍ଟ ‘ଇସ୍ତାନବୁଲ୍‌ ସନନ୍ଦ’ ରୂପେ ପରିଚିତ ଏକ ଇଉରୋପୀୟ ସନନ୍ଦରେ ତୁର୍କୀ ଥିଲା ଏକ ସ୍ବାକ୍ଷରକାରୀ ଦେଶ। ଗତ ମାସରେ ଏର୍ଡୋଗାନ୍‌ ସେଇ ସନନ୍ଦରୁ ଓହରି ଆସିଛନ୍ତି। ତୁର୍କୀରେ ପାରିବାରିକ ହି˚ସା ଓ ନାରୀ ହତ୍ୟା ଘଟଣାମାନ ହୁ ହୁ ହୋଇ ବୃଦ୍ଧି ପାଇ ଚାଲିଥିବା ବେଳେ ଏର୍ଡୋଗାନ୍‌ଙ୍କର ଏହି ନିଷ୍ପତ୍ତି ସେ ଦେଶରେ ମହିଳା ଅଧିକାର ଆନ୍ଦୋଳନକୁ ଏକ ବିରାଟ ଧକ୍‌କା ପହଞ୍ଚାଇଛି। ତାଙ୍କର ଏହି ନିଷ୍ପତ୍ତି ବଦଳାଇବା ପାଇଁ ଏର୍ଡୋଗାନ୍‌ଙ୍କୁ ପ୍ରବର୍ତ୍ତାଇବା ଲକ୍ଷ୍ୟ ନେଇ ଭନ୍‌ ଡର‌୍‌ ଲେୟେନ୍‌ ଓ ମିସେଲ୍‌ ଆଙ୍କାରା ଆସିଥିଲେ। ଘରେ ନ ପଶୁଣୁ ମୁଣ୍ତରେ ଚାଳ ବାଜିବା ପରି କଥାବାର୍ତ୍ତା ଆରମ୍ଭ ପୂର୍ବରୁ ହିଁ ଉର୍ସୁଲାଙ୍କ ପ୍ରତି ଏକ ସୁଚିନ୍ତିତ ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ ପୂର୍ବକ ଏର୍ଡୋଗାନ୍‌ ନାରୀମାନଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ କିଭଳି, ତାହା ସ୍ପଷ୍ଟ କରି ଦେଇଥିଲେ।

ଯେଉଁ ଏକ ବିଶାଳ ସମ୍ମିଳନୀ କକ୍ଷରେ ରାଷ୍ଟ୍ରପତି ଏର୍ଡୋଗାନ୍‌ ଏ ଦୁଇ ତୁଙ୍ଗ ଇଉରୋପୀୟ ପ୍ରତିନିଧିଙ୍କୁ ଆଲୋଚନା ପାଇଁ ଭେଟିଲେ, ସେଠାରେ ତୁର୍କୀ ଓ ‘ଇୟୁ’ର ପତାକା ଦ୍ବୟ ସମ୍ମୁଖରେ ଦୁଇଟି ମାତ୍ର ସ୍ବର୍ଣ୍ଣ ଖଚିତ ଚୌକି ସ୍ଥାପନ କରାଯାଇଥିଲା- ଯଦିବା, ଆଲୋଚନାକାରୀଙ୍କ ସ˚ଖ୍ୟା ଥିଲା ତିନି। ଅବିଶ୍ବାସ୍ୟ ଭାବରେ ଦୁଇଜଣ ଯାକ ପୁରୁଷ- ଏର୍ଡୋଗାନ୍‌ ଓ ମିସେଲ୍‌ ସେ ଚୌକି ଦୁଇଟି ଦଖଲ କରି ନେଲେ ଓ ଏକ ‘ମିଉଜିକ୍‌ ଚେୟାର‌୍‌’ ଖେଳରେ ହାରି ଯାଇ ଛିଡ଼ା ହୋଇ ରହିବା ପରି ସେଠାରେ ଉପସ୍ଥିତ ଏକମାତ୍ର ମହିଳା ଉର୍ସୁଲା ଭନ୍‌ ଡର‌୍‌ ଲେୟେନ୍‌ ହତଭମ୍ଭ ଅବସ୍ଥାରେ ଛିଡ଼ା ହୋଇ କଣ୍ଠରୁ ଏକ ଅସ୍ପଟ ଶବ୍ଦ ନିର୍ଗତ କରି ନିଜର ବିରକ୍ତି ପ୍ରକାଶ କରିବା ପରେ ଅନତି ଦୂରରେ ପଡ଼ିଥିବା ଏକ ସୋଫା ଉପରେ ଯାଇ ବସି ପଡ଼ିଲେ।

ସୂଚନାଯୋଗ୍ୟ କୂଟନୈତିକ ଦୃଷ୍ଟିକୋଣରୁ ସେଠାରେ ଉପସ୍ଥିତ ଥିବା ତିନି ଜଣ ଯାକ ନେତା ସମାନ ସ୍ତରର ମର୍ଯ୍ୟାଦା ପାଇବା ପାଇଁ ହକ୍‌ଦାର ଏବ˚ ଯଦି ଦୁଇଟି ମାତ୍ର ଚୌକି ଥିଲା, ପ୍ରଥମେ ଉର୍ସୁଲାଙ୍କୁ ସେଥିରୁ ଗୋଟିକରେ ବସାଇବା ପରେ ଗୃହସ୍ବାମୀ ଏର୍ଡୋଗାନ୍‌ ଦ୍ବିତୀୟ ଚୌକିଟି ମିସେଲ୍‌ଙ୍କୁ ଦିଅନ୍ତେ ଓ ନିଜେ ନିଜ ପାଇଁ ଅନ୍ୟ କିଛି ବନ୍ଦୋବସ୍ତ କରନ୍ତେ। ଉର୍ସୁଲା ଭନ୍‌ ଡର‌୍‌ ଲେୟେନ୍‌ କିନ୍ତୁ ଏହି ଅପମାନକୁ ଆଲୋଚନାରେ ପ୍ରତିବନ୍ଧ ସାଜିବାକୁ ନଦେଇ ଦୀର୍ଘ ଦୁଇ ଘଣ୍ଟା କାଳ ଆଲୋଚନାରେ ଭାଗ ନେଇ ନିଜର କର୍ତ୍ତବ୍ୟ ନିଷ୍ଠାର ପ୍ରମାଣ ଦେଇଥିଲେ। ଏର୍ଡୋଗାନ୍‌ଙ୍କର ଏତାଦୃଶ ଆଚରଣ ସମ୍ପୂର୍ଣ୍ଣ ରୂପେ ଯୋଜନାବଦ୍ଧ ଥିଲା ବୋଲି ‘ଇୟୁ’ ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଆଧୁନିକ ତୁର୍କୀର ନିର୍ମାତା ମୁସ୍ତାଫା କେମାଲ୍‌ ଆତାତୁର୍କଙ୍କ ଆଦର୍ଶ ଠାରୁ ରିସେପ୍‌ ତାଇପ୍‌ ଏର୍ଡୋଗାନ୍‌ କିଭଳି ଅଭାବନୀୟ ଭାବରେ ଦୂରେଇ ଗଲେଣି, ଏଇ ଗୋଟିଏ ଘଟଣା ହେଉଛି ତାହାର ଏକ ପ୍ରତିନିଧିମୂଳକ ପ୍ରମାଣ।

୧୯୨୩ରେ ମୁସ୍ତାଫା କେମାଲ୍‌ ଯେତେବେଳେ ଯୁଦ୍ଧୋତ୍ତର ତୁର୍କୀ ସାଧାରଣତନ୍ତ୍ର ପ୍ରତିଷ୍ଠା କଲେ, ସେତେବେଳେ ତୁର୍କୀର ପରିଚୟ ଥିଲା ପ୍ରତ୍ୟେକ ସ୍କୁଲ୍‌ ଛାତ୍ର ଜାଣିଥିବା ଭଳି: ‘ଇଉରୋପର ରୁଗ୍‌ଣ ମାନବ’ (‘ସିକ୍‌ ମ୍ୟାନ୍‌ ଅଫ୍‌ ଇଉରୋପ’)। ତୁର୍କୀକୁ ରକ୍ଷଣଶୀଳ ଧର୍ମାନ୍ଧତାରୁ ମୁକ୍ତ କରି ଏକ ସମ୍ପୂର୍ଣ୍ଣ ଆଧୁନିକ, ବିଜ୍ଞାନଭିତ୍ତିକ, ଧର୍ମ ନିରପେକ୍ଷ ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆତାତୁର୍କ ସାଙ୍ଗେ ସାଙ୍ଗେ ଯେଉଁ ଉଦ୍ୟମ ଆରମ୍ଭ କରିଦେଲେ, ନାରୀ ମୁକ୍ତି ଓ ସଶକ୍ତୀକରଣ ତାହାର ଏକ ମୁଖ୍ୟ ଅ˚ଶ ଥିଲା। ତୁର୍କୀର ପୁରୁଷମାନଙ୍କର ପାରମ୍ପରିକ ଇସଲାମୀୟ ପୋଷାକରେ ପରିବର୍ତ୍ତନ ଘଟାଇ ସେ ଯେପରି ଇଉରୋପୀୟ ପୋଷାକ ବାଧୢତାମୂଳକ କରି ଦେଇଥିଲେ, ମହିଳାମାନଙ୍କୁ ମଧୢ ସେହିପରି ବୁର୍ଖା, ନିକାବ୍‌, ହିଜବ୍‌ ଆଦିରୁ ମୁକ୍ତ କରି ଇଉରୋପୀୟ ପୋଷାକ ପିନ୍ଧାଇ ଦେଇଥିଲେ। ୧୯୩୪ରୁ ସେ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ମତଦାନ ଅଧିକାର ପ୍ରଦାନ କରିଥିଲେ। ପ୍ରକୃତ ଧର୍ମ ନିରପେକ୍ଷତାକୁ ସେ ତୁର୍କୀର ନୂତନ ଧର୍ମରେ ପରିଣତ କରିଦେଇଥିଲେ।

୨୦୦୨ରୁ କ୍ଷମତାରେ ଥିବା ଇସଲାମବାଦୀ ଏର୍ଡୋଗାନ୍‌ କିନ୍ତୁ ଆତାତୁର୍କଙ୍କର ତୁର୍କୀର ଚରିତ୍ରରେ କ୍ରମେ ପରିବର୍ତ୍ତନ ଘଟାଇ ଚାଲି ତୁର୍କୀକୁ ବର୍ତ୍ତମାନ ବସ୍ତୁତଃ ପୁଣି ଏକ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିଦେଇ ସାରିଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଏହି ପୁନରାୟ ରୁଗ୍‌ଣ ତୁର୍କୀରେ ନାରୀମାନେ ଆଉ ଆତାତୁର୍କଙ୍କ ତୁର୍କୀ ଭଳି ପୁରୁଷମାନଙ୍କ ସହିତ ସମାନ ନୁହନ୍ତି; ସେମାନେ ଇସଲାମର ସାରିଆ ଅନୁଯାୟୀ ପୁରୁଷମାନଙ୍କ ଠାରୁ ନିକୃଷ୍ଟ ପ୍ରାଣୀ। ତେଣୁ ରୁଗ୍‌ଣ ମାନବ ଏର୍ଡୋଗାନ୍‌ ମହିଳା ଉର୍ସୁଲାଙ୍କୁ ଚୌକିଟିଏ ନଦେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ସମ୍ବନ୍ଧିତ ଖବର