ରୁଟି ଓ ଲହୁଣି

ବାଇବଲର ‘ନ୍ୟୁ ଟେଷ୍ଟାମେଣ୍ଟ୍‌’ରେ ସ୍ଥାନିତ ‘ମାଥ୍ୟୁ’ ଅଧୢାୟରେ ବର୍ଣ୍ଣିତ ଗୋଟିଏ ଉକ୍ତି ଏବେ କେବଳ ଏକ ବହୁଳ ବ୍ୟବହୃତ ଆପ୍ତ ବାକ୍ୟ ହୋଇ ରହିନାହିଁ; ବରଂ ଏଥିରେ ଆହୁରି ଏକ ବାକ୍ୟ ଯୋଡ଼ି ହୋଇ ମୂଳ ଉକ୍ତିିରେ ନିହିତ ଥିବା ଅର୍ଥର ବିପରୀତ କଥା କହୁଥିବା ଦେଖିବାକୁ ମିଳୁଛି। ‘ମାଥ୍ୟୁ’ରେ ବର୍ଣ୍ଣିତ ଅଛି ଯେ ଯୀଶୁଖ୍ରୀଷ୍ଟ ଏକ ଦୀର୍ଘକାଳୀନ ଓ କଷ୍ଟଦାୟକ ଉପବାସ ବ୍ରତରେ ଥିବା ବେଳେ ତାଙ୍କୁ ପଥଭ୍ରଷ୍ଟ କରିବା ଲାଗି ସୈତାନ ଆବିର୍ଭୂତ ହୋଇ ପ୍ରସ୍ତର ଚୂର୍ଣ୍ଣରେ ରୁଟି ପ୍ରସ୍ତୁତ କରି ଖାଇବା ଲାଗି ପ୍ରେରୋଚିତ କରିଥିଲା। ଏହାର ଉତ୍ତରରେ ଯୀଶୁ ଯେଉଁ ଦୁଇଟି ବାକ୍ୟ କହିଥିଲେ, ତହିଁରୁ ପ୍ରଥମଟି ହେଲା ‘ମ୍ୟାନ୍‌ ସାଲ୍‌ ନଟ୍‌ ଲିଭ୍‌ ବାଇ ବ୍ରେଡ୍‌ ଏଲୋନ୍‌’, ଯାହାର ଓଡ଼ିଆ ମର୍ମାର୍ଥ ହେଉଛି ମନୁଷ୍ୟ କେବଳ ରୁଟି ଦ୍ବାରା ବଞ୍ଚି ରହିବ ନାହିଁ। ଏହି ଆପ୍ତ ବାକ୍ୟର ପରବର୍ତ୍ତୀ ବାକ୍ୟ ରୂପେ ଯୀଶୁ ଯାହା କହିଥିଲେ ତା’ର ଓଡ଼ିଆ ଭାବାର୍ଥ ହେଲା: ସେ (ମନୁଷ୍ୟ) ବଞ୍ଚିବ ଈଶ୍ବରଙ୍କ ମୁଖ ନିଃସୃତ ବାଣୀକୁ ନେଇ। ସୁତରା˚, ଏହି ଉକ୍ତିରେ ମନୁଷ୍ୟ ଜୀବନଯାପନରେ ଯେଉଁ ପବିତ୍ରତା ବିଷୟରେ ଇଙ୍ଗିତ କରାଯାଇଥିଲା, ତାହା କାହାକୁ ବୁଝାଇ କହିବାର ଆବଶ୍ୟକତା ନାହିଁ। ତେବେ, ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ପ୍ରାୟ ୧୮୦୦ ବର୍ଷ ପରେ ଏହି ଆପ୍ତ ବାକ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ବି˚ଶତମ ରାଷ୍ଟ୍ରପତି ଜେମ୍‌ସ.ଏ. ଗାରଫିଲ୍‌ଡ ଆଉ ଏକ ବାକ୍ୟ ଯୋଡ଼ିଥିଲେ, ଯାହା ଯୀଶୁଖ୍ରୀଷ୍ଟଙ୍କ ଦ୍ବିତୀୟ ବାକ୍ୟ ସ୍ଥାନରେ ରହି କହିଥିଲା ଯେ ‘ହି ମଷ୍ଟ୍ ହାଭ୍‌ ପିନଟ୍‌ ବଟର‌୍‌ ଠୁ’, ଯାହାର ଅର୍ଥ ହେଲା ‘(ମନୁଷ୍ୟ କେବଳ ରୁଟି ଦ୍ବାରା ବଞ୍ଚି ରହିବ ନାହିଁ) ‘ସେ ନିଶ୍ଚୟ ଚିନାବାଦାମର ଲହୁଣି ଲୋଡ଼ିବ।’ ସୁତରା˚, ଏହି ପ୍ରାୟ ଦୁଇ ହଜାର ବର୍ଷର ସମୟ ଖଣ୍ତ ମଧୢରେ ମନୁଷ୍ୟର ଦୃଷ୍ଟିଭଙ୍ଗୀରେ ଯେଉଁ ପରିବର୍ତ୍ତନ ଘଟିଥିବାର ସୂଚନା ମିଳିଥାଏ, ତାହା ହେଲା ଯୀଶୁଖ୍ରୀଷ୍ଟଙ୍କ ସମୟରୁ ପ୍ରଚଳିତ ଥିବା ରୁଟି ଆପାତତଃ ପରିଣତ ହୋଇ ସାରିଥିଲା ଏକ ନିତାନ୍ତ ଅନାକର୍ଷଣୀୟ ଆହାରରେ, ଯାହାକୁ ଗଳା ମଧୢ ଦେଇ ଉଦରକୁ ପ୍ରବେଶ କରାଇବା ପାଇଁ ତଥା ମନକୁ ତୁଷ୍ଟ କରିବା ଲାଗି ଆବଶ୍ୟକ ଚିନାବାଦାମ ଲହୁଣି। ସୁତରା˚, ଯୀଶୁଖ୍ରୀଷ୍ଟଙ୍କ ଆଧୢାତ୍ମିକ ଆବେଦନର ବିପରୀତରେ ଯାଇ ଗାରଫିଲ୍‌ଡ ଯାହା କହିବାର ଉଦ୍ୟମ କରିଥଲେ, ତାହା ହେଉଛି ଜୀବନଯାପନ ଲାଗି ମୌଳିକ ଆବଶ୍ୟକତା ସହିତ ଆଉ ଯାହା ଆବଶ୍ୟକ, ତାହା ଆଧ୍ୟାତ୍ମିକତା ନୁହେଁ, ବରଂ ଉପଭୋଗ୍ୟ ସାମଗ୍ରୀ ବା ‘ଲହୁଣି’। କହିବା ବାହୁଲ୍ୟ, ଏହା ହେଉଛି ସେହି ସମୟ କାଳ ଯେତେବେଳେ ପାଶ୍ଚାତ୍ୟରେ ଉପଭୋଗ-କୈନ୍ଦ୍ରିକ ବସ୍ତୁବାଦୀ ମାନସିକତାର ଅଙ୍କୁରଟି ଏକ ବିଶାଳ ପାଦପରେ ପରିଣତ ହେବାର ଉପକ୍ରମ କରୁଥିଲା।

ସୁତରା˚, ଏହି ପରିପ୍ରେକ୍ଷୀରେ ଯେତେବେଳେ ୨୦୨୦ ମସିହା, ମାର୍ଚ୍ଚ ମାସରେ କରୋନା ପାନ୍‌ଡେମିକ୍‌ ସକାଶେ ସାରା ପୃଥିବୀ ‘ତାଲାବନ୍ଦ’ ଭଳି ଏକ ଅତ୍ୟନ୍ତ ଅସ୍ବାଭାବିକ ପରିସ୍ଥିତି ଭିତରକୁ ପ୍ରବେଶ କଲା ଏବ˚ ସେହି କାରଣରୁ ସହସା ପ୍ରତୀତ ହେବାକୁ ଲାଗିଲା ଯେ ସମ୍ଭବତଃ ମନୁଷ୍ୟକୁ ଏଣିକି ଲହୁଣିରୁ ବଞ୍ଚିତ ହୋଇ କେବଳ ରୁଟିରେ କାଳାତିପାତ କରିବାକୁ ପଡ଼ିପାରେ, ସେତିକି ବେଳେ ‘ଡିଜିଟାଲ’ ପ୍ରଯୁକ୍ତି ଏଭଳି ମାର୍ଗ ଦେଖାଇ ଦେଲା ଯହିଁରେ ଏହି ଅଭୂତପୂର୍ବ ବିପର୍ଯ୍ୟୟ କାଳରେ ମଧୢ ଲହୁଣି ଉପଲବ୍‌ଧ ହୋଇପାରିଲା। ଉଦାହରଣ ସ୍ବରୂପ ପୃଥିବୀ ସାରା ସିନେମା ହଲ୍‌ଗୁଡ଼ିକ ବନ୍ଦ ହୋଇଯାଇ ସେମାନଙ୍କ ବ୍ୟବସାୟରେ ପୂର୍ବ ବର୍ଷ ତୁଳନାରେ ୮୦ ପ୍ରତିଶତ କ୍ଷତି ସହୁଥିବା ବେଳେ ପୃଥିବୀବାସୀ ଗୃହାବଦ୍ଧ ଅବସ୍ଥାରେ ମଧୢ ସେମାନେ ଉପଭୋଗ କରୁଥିବା ଭଳି ନୂଆ ବା ପୁରୁଣା ସିନେମା ଦେଖୁଥିଲେ। ପ୍ରାୟ ୨ ଟ୍ରିଲିଅନ ଡଲାର ମୂଲ୍ୟର କାରବାର କରୁଥିବା ପୃଥିବୀର ମନୋର˚ଜନ ଶିଳ୍ପ ପାନ୍‌ଡେମିକ୍‌ କାରଣରୁ ଯେଉଁ ଭଳି କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା, ସେଭଳି ଘଟିଲା ନାହିଁ; ‘ଓ.ଟି.ଟି.’ ପ୍ଲାଟ୍‌ଫର୍ମରେ ସିନେମା ତଥା ଷ୍ଟ୍ରିମି˚, ଗେମି˚ ବା ଭିଡିଓ ଆଦିର ଚାହିଦାରେ ବିପୁଳ ବୃଦ୍ଧି ଘଟି ଏହି କ୍ଷତିର ଭରଣା କରି ଦେଇଛି। ପାନ୍‌ଡେମିକ୍‌ କାରଣରୁ ଗୃହବନ୍ଦୀ ଥିବା ସତ୍ତ୍ବେ ଚିତ୍ତ ବିନୋଦନର ସୁଯୋଗ ଯେଉଁ ନୂଆ ଅଭ୍ୟାସଟି ସୃଷ୍ଟି କରିଛି; ତଦ୍ଦ୍ବାରା ଆଗକୁ ମନୋର˚ଜନ ବ୍ୟବସାୟରେ ଚିତ୍ତାକର୍ଷକ ଅଭିବୃଦ୍ଧି ଘଟିବ ବୋଲି ମଧୢ ପୂର୍ବାନୁମାନ କରାଯାଇଛି।

ଏ ସ˚ଦର୍ଭରେ ବିଶ୍ବ ସ୍ତରୀୟ ସମ୍ମାନାସ୍ପଦ ବୃତ୍ତିିଗତ ସେବା ପ୍ରଦାନକାରୀ ଅନୁଷ୍ଠାନ ‘ପ୍ରାଇସ୍‌ ଵାଟରହାଉସ୍‌ ଏଣ୍ତ କୁପର୍ସ’ ବା ‘ପିଡବ୍ଲ୍ୟୁସି’ ଦ୍ବାରା କରାଯାଇଥିବା ଏକ ବିଶ୍ବ ବ୍ୟାପୀ ସଘନ ସର୍ବେକ୍ଷଣରୁ ପ୍ରସ୍ତୁତ ଏକ ଆକଳନ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ୨୦୨୫ ବେଳକୁ ମନୋର˚ଜନ କ୍ଷେତ୍ରରେ ବାର୍ଷିକ ୨୫ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ। ‘ପିଡବ୍ଲ୍ୟୁସି’ ପକ୍ଷରୁ ୫୩ଟି ମଧୢମ ଓ ଉଚ୍ଚ ବିତ୍ତଶାଳୀ ରାଷ୍ଟ୍ରରେ ୧୪ଟି ମନୋର˚ଜନ କ୍ଷେତ୍ରରେ କରାଯାଇଥିବା ସର୍ବେକ୍ଷଣରୁ ଯେଉଁ ତଥ୍ୟ ମିଳିଥାଏ, ତାହା ହେଲା ପୃଥିବୀରେ ‘ଡାଟା’ ବ୍ୟବହାରରେ ଏକ ବିପୁଳ ଅଭିବୃଦ୍ଧି ଘଟିଛି। କରୋନା ପାନ୍‌ଡେମିକ୍‌ କାଳରେ ମନୋର˚ଜନ ସକାଶେ ‘ସ୍ମାର୍ଟ ଫୋନ୍‌’ ଏବ˚ ‘ଡାଟା’ ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଛି। ୨୦୨୦ରେ ସାରା ପୃଥିବୀରେ ସ୍ମାର୍ଟ ଫୋନ୍‌ର ସ˚ଖ୍ୟା ୪.୬ ବିଲିଅନ୍‌ (ପୃଥିବୀର ଜନସ˚ଖ୍ୟା ପ୍ରାୟ ୭ ବିଲିଅନ୍‌) ଥିଲା, ଯହିଁରେ କ୍ରମାଗତ ଓ ତୀବ୍ର ବୃଦ୍ଧି ପରିଲକ୍ଷିତ ହେବାରେ ଲାଗିଛି। ତା’ ସହିତ ୨୦୨୦ ମସିହାରେ ୧.୧ ବିଲିଅନ୍‌ ସ˚ଖ୍ୟକ ଘରେ ସ୍ଥାୟୀ ବ୍ରଡ୍‌ବ୍ର୍ୟାଣ୍ତ୍‌ ସ˚ଯୋଗ ଦ୍ବାରା ଡାଟା ବ୍ୟବହାର କରାଯାଉଛି।

ଏହି ତଥ୍ୟ ଆଧାରରେ ହୋଇଥିବା ହିସାବ କହିଥାଏ ଯେ ଏଥିରୁ ଡାଟା ବ୍ୟବହାରରେ ଯେଉଁ ବୃଦ୍ଧିର ସ˚କେତ ମିଳିଥାଏ, ତାହା ହେଉଛି ବାର୍ଷିକ ୨୬.୯ ପ୍ରତିଶତ। ତା’ ସହିତ ଏହି ଅନୁଶୀଳନରୁ ପ୍ରାପ୍ତ ଅନ୍ତର୍ଦୃଷ୍ଟି କହିଥାଏ ଯେ ଭବିଷ୍ୟତ୍‌ରେ କରୋନା ପାନ୍‌ଡେମିକ୍‌ ଅନ୍ତର୍ହିତ ହୋଇଗଲା ପରେ ଯେତେବେଳେ ସିନେମା ହଲ୍‌ଗୁଡ଼ିକ ପୂର୍ବ ଭଳି ପୁନର୍ବାର ଖୋଲିବେ, ସେତେବେଳେ ସେମାନେ ପାନ୍‌ଡେମିକ୍‌ କାଳୀନ ମନୋର˚ଜନର ନୂତନ ଅଭ୍ୟାସ ଦ୍ବାରା ବିଶେଷ କ୍ଷତିଗ୍ରସ୍ତ ହୋଇ ନ ପାରନ୍ତି। କାରଣ ସିନେମା ହଲ୍‌ର ଆକର୍ଷଣ ସ୍ବାଭାବିକ ଭାବେ ଅସ˚ଖ୍ୟଙ୍କୁ ସେମାନଙ୍କ ଗୃହ ମଧ୍ୟରୁ ‘ମଲ୍‌ଟିପ୍ଲେକ୍‌ସ’ ଆଡ଼କୁ ଟାଣି ଆଣିବ। ଏବ˚ ସେତିକି ବେଳେ ମନୋର˚ଜନ କ୍ଷେତ୍ର ଭିତରକୁ ଏଭଳି ଅନେକ ରସଗ୍ରାହୀଙ୍କ ମଧ୍ୟ ପ୍ରବେଶ ଘଟିସାରିଥିବ, ଯେଉଁମାନେ ବିଭିନ୍ନ କାରଣରୁ ସିନେମା ହଲ୍‌କୁ ଯାଇ ନପାରି ଏହି ନୂଆ ଅଭ୍ୟାସ ବଳରେ ନିଜ ନିଜ ଘରେ ଚିତ୍ତବିନୋଦନ କରିବେ। ଏହା ମନୋର˚ଜନ କ୍ଷେତ୍ରକୁ ଆହୁରି ବ୍ୟାପକ କରିବ।

ଏଠାରେ ମନୋର˚ଜନ କ୍ଷେତ୍ରକୁ ଏକ ଉଦାହରଣ ଭାବେ ଗ୍ରହଣ କରାଯାଇଛି। ଡିଜିଟାଲ୍‌ ବିପ୍ଳବ ଦ୍ବାରା ଇ- କମର୍ସ‌୍‌ର ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି, ତହିଁରେ ମନ ପସନ୍ଦର ରେ‌େସ୍ତାରାଁ ଖାଦ୍ୟରୁ ଆରମ୍ଭ କରି ବିଭିନ୍ନ ଉପଭୋଗ୍ୟ ସାମଗ୍ରୀ କ୍ରୟ ପର୍ଯ୍ୟନ୍ତ ସୁଖ ଲାଭର ମାଧୢମ ମାନ ଉନ୍ମୋଚିତ ହୋଇଛି। ସୁତରା˚, ପାନ୍‌ଡେମିକ୍‌ ଥାଉ ବା ନ ଥାଉ; ରୁଟି ସହିତ ଲହୁଣିର ବ୍ୟବସ୍ଥା ଯେ ସର୍ବଦା ରହିବ, ତହିଁରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର