ତାଙ୍କ ଉପରେ ଏହି ଆକ୍ରମଣମାନ ପାଇଁ ଖୋଦ୍ ଟ୍ରମ୍ପ୍ ମଧ୍ୟ ହେଉଛନ୍ତି ବହୁମାତ୍ରାରେ ଦାୟୀ। କାରଣ ସେ ହେଉଛନ୍ତି ଦେଶରେ ନାଗରିକମାନେ ବନ୍ଧୁକ ରଖିବାର ଅବାଧ ଅଧିକାରର ଜଣେ ଦୃଢ଼ ସମର୍ଥକ। ଏଥିଯୋଗୁଁ ସେଠାରେ ବାରମ୍ବାର ଅକାରଣ ଗଣହତ୍ୟାମାନ ସଂଘଟିତ ହୋଇଚାଲିଥିଲେ ହେଁ ସେ ତାଙ୍କର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟାଉ ନାହାନ୍ତି। ଏକ ସର୍ବେକ୍ଷଣରୁ ପ୍ରକାଶ ଯେ ଆମେରିକାର ଲୋକସଂଖ୍ୟା ପ୍ରାୟ ୩୫ କୋଟି ହୋଇଥିବା ବେଳେ ସେମାନଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୪୦ କୋଟି ସଂଖ୍ୟକ ବନ୍ଧୁକ ଉପଲବ୍‌ଧ ଅଛି। ଏବେ ସେଥି ମଧ୍ୟରୁ ଗୋଟିଏ ଦୁଇଟି ବନ୍ଧୁକର ନଳୀ ସେଇ ଟ୍ରମ୍ପ୍‌ଙ୍କ ଆଡ଼େ ମୁହଁାଇବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

Advertisment

ଆମେରିକାରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍ ଜିତନ୍ତୁ କିମ୍ବା ହାରନ୍ତୁ, ଗୋଟିଏ କଥା ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ ଭାଗ୍ୟଦେବୀ ଟ୍ରମ୍ପ୍‌ଙ୍କୁ ବିଜୟୀ ହେବା ଦେଖିବାକୁ ଚାହାନ୍ତି। ଜୁଲାଇରେ ଯେତେବେଳେ ଜଣେ ଆତତାୟୀ ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଲା, ଭାଗ୍ୟଦେବୀ ଗୁଳିର ଗତିପଥରୁ ଟ୍ରମ୍ପ୍‌ଙ୍କୁ ଏମିତି ଘୁଞ୍ଚାଇ ଦେଲେ ଯେ ଗୁଳିଟିଏ କେବଳ ତାଙ୍କର କାନକୁ ସାମାନ୍ୟ ଖଣ୍ଡିଆ କରି ତା’ ବାଟରେ ଚାଲିଗଲା। ଭାଗ୍ୟଦେବୀ ଏହାଦ୍ବାରା ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ କେବଳ ବଞ୍ଚାଇଦେଲେ, ତାହା ନୁହେଁ, ଏହାର ପ୍ରଭାବରେ ତାଙ୍କ ପ୍ରତି ମତଦାତାମାନଙ୍କର ସମର୍ଥନ ଦୃଢ଼ୀଭୂତ ହେବାର ସମ୍ଭାବନା ସୃଷ୍ଟି ହେଲା।
କିନ୍ତୁ ଏହି ପରିବର୍ତ୍ତିତ ପରିସ୍ଥିତିର ଚାପରେ ଜୋ ବାଇଡେନ୍ ଯେତେବେଳେ ପ୍ରତିଯୋଗିତାରୁ ଓହରି ଯିବାକୁ ବାଧ୍ୟ ହେଲେ ଓ କମଳା ହ୍ୟାରିସ୍ ତାଙ୍କ ସ୍ଥାନରେ ଟ୍ରମ୍ପ୍‌ଙ୍କ ପ୍ରତିଦ୍ବନ୍ଦ୍ବୀ ରୂପେ ଆବିର୍ଭୂତ ହେଲେ, ଟ୍ରମ୍ପ୍‌ଙ୍କର ନିର୍ବାଚନରେ ବିଜୟ ସମ୍ଭାବନା ଦୁର୍ବଳ ହେବାର ଆଶଙ୍କା ଦେଖାଦେଲା। ବିଶେଷ କରି ସେପ୍‌ଟେମ୍ବର ୧୦ରେ ହ୍ୟାରିସ୍‌ଙ୍କ ସହିତ ଟେଲିଭିଜନ୍ ବିତର୍କରେ ସେ ପରାସ୍ତ ହେଲେ ବୋଲି ପର୍ଯ୍ୟବେକ୍ଷକମାନେ ରାୟ ଦେବା ପରେ ଟ୍ରମ୍ପ ଏପରି ଛାନିଆ ହୋଇଯାଇଥିଲେ ଯେ ଆଉ ଏକ ଟେଲିଭିଜନ୍ ବିତର୍କ ପାଇଁ ହ୍ୟାରିସ୍ ଦେଇଥିବା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତାଙ୍କର ନିର୍ବାଚନୀ ଅଭିଯାନର ଏଇ ସନ୍ଧିକ୍ଷଣରେ ଭାଗ୍ୟଦେବୀ ପୁଣି ଥରେ ଟ୍ରମ୍ପ୍‌ଙ୍କୁ ସହାୟତା ପ୍ରଦାନ କରିବାକୁ ଅ‌ାଗେଇ ଆସିବା ଦେଖାଯାଇଛି। ଏଥର ସେ ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଆଉ ଜଣେ ଆତତାୟୀକୁ ପ୍ରେରଣ କରିବା ସହିତ, ପୂର୍ବଥର ଭଳି ଏଥର ମଧ୍ୟ ତାକୁ ସେ ଉଦ୍ୟମରେ ବିଫଳ କରାଇ ଦେଇଛନ୍ତି। କିନ୍ତୁ ଏହି ଘଟଣା ଟ୍ରମ୍ପ୍‌ଙ୍କ ଅଭିଯାନରେ କିପରି ନୂତନ ପ୍ରାଣ ସଞ୍ଚାର କରିଛି, ତାହା ଟ୍ରମ୍ପ୍‌ଙ୍କର ବିଜୟ ସୂଚକ ପ୍ରତିକ୍ରିୟା ଓ ହ୍ୟାରିସ୍‌ଙ୍କର ହତଭମ୍ଭ ଆତ୍ମରକ୍ଷାମୂଳକ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଥାଏ।
ସେପ୍‌ଟେମ୍ବର ୧୫ ଦିନ ଘଟିଥିବା ଏହି ଦ୍ବିତୀୟ ଘଟଣାରେ ଡୋନାଲ୍‌ଡ ଟ୍ରମ୍ପ୍ ଫ୍ଲୋରିଡାରେ ଗଲ୍‌ଫ ଖେଳୁଥିବା ବେଳେ ପ୍ରାୟ ୪୦୦ ମିଟର ଦୂରରେ ଏକ ବୁଦା ଭିତରୁ ତାଙ୍କ ଦିଗରେ ମୁହଁ କରିଥିବା ଏକ ବନ୍ଧୁକ ନଳୀ ଉପରେ ତାଙ୍କ ସୁରକ୍ଷା ଦାୟିତ୍ବରେ ମୁତୟନ ଥିବା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟଙ୍କର ନଜର ପଡ଼ିଥିଲା। ଏଜେଣ୍ଟମାନେ ତତ୍‌କ୍ଷଣାତ ବୁଦା ଉପରକୁ ଗୁଳି ଚଳାଇବା ପରେ ଆତତାୟୀ ଜଣକ ତା’ର ଲୁଚିଥିବା ସ୍ଥାନରୁ ବାହାରି ଏକ ମଟରଗାଡ଼ିରେ ପଳାୟନ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଏହା ଲେଖା ହେବା ବେଳକୁ ପ୍ରକାଶ ପାଇଥିବା ସୂଚନା ଅନୁସ‌ାରେ ରୢାନ୍ ୱେସ୍‌ଲି ରୁଥ୍ ନାମକ ଏହି ୫୮ ବର୍ଷୀୟ ସନ୍ଦିଗ୍‌ଧ ଆତତାୟୀ ଜଣକର ଉଦ୍ଦେଶ୍ୟ ବା ‘ମୋଟିଭ୍’ ସମ୍ବନ୍ଧରେ କିଛି ସ୍ପଷ୍ଟ ରୂପେ ଜଣାପଡ଼ିନାହିଁ।
ଗତ ବର୍ଷ ସେ ‘ନ୍ୟୁୟର୍କ ଟାଇମ୍‌ସ’ ସମ୍ବାଦପତ୍ରକୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ୍ ପକ୍ଷରୁ ରୁଷିଆ ବିରୁଦ୍ଧରେ ଯୁଦ୍ଧରେ ଲଢ଼େଇ କରିବା ପାଇଁ ତା’ର ପ୍ରବଳ ଇଚ୍ଛା ଥିବା ପ୍ରକାଶ କରିବା ସଙ୍ଗେ ସଙ୍ଗେ ତା’ର ଏହି ଇଚ୍ଛା ପୂରଣ ହେବା ପଥରେ ବିଭିନ୍ନ ପ୍ରତିବନ୍ଧକମାନଙ୍କର ସମ୍ମୁଖୀନ ହେଉଥିବାରୁ ରୁଥ୍ ହତାଶା ପ୍ରକାଶ କରିଥିଲା। ସେ ମଧ୍ୟ ସେଥିରେ ହିଂସାକାଣ୍ଡରେ ଅଂଶଗ୍ରହଣ କରିବା ପାଇଁ ତା’ର ପ୍ରବଳ ଆଗ୍ରହ ବିଷୟରେ ପ୍ରକାଶ କରିଥିଲା। ତା’ଦ୍ବାରା ସୋସିଆଲ୍ ମିଡିଆରେ କରାଯାଇଥିବା ବିଭିନ୍ନ ପୋଷ୍ଟିଙ୍ଗ୍‌ମାନଙ୍କରେ ମଧ୍ୟ ଅନୁରୂପ ଚିନ୍ତାଧାରା ପ୍ରକାଶ ପାଇଥିବା ଜଣାପଡ଼ିଛି। ସେଇ ସମ୍ଭାବ୍ୟ ଆତତାୟୀ ଜଣକ ଲୁଚିଥିବା ବୁଦା ଭିତରୁ ପୁଲିସ ଏକ ଏକେ-୪୭ ପ୍ରକାର ରାଇଫଲ୍ ସହିତ ଏକ ଶକ୍ତିଶାଳୀ କ୍ୟାମେରା ମଧ୍ୟ ଉଦ୍ଧାର କରିଛି, ଯେଉଁଥିରୁ ସନ୍ଦେହ ହୋଇଥାଏ ଯେ ସେ ସେଇ କ୍ୟାମେରା ସାହାଯ୍ୟରେ ତା’ର ଆକ୍ରମଣର ରେକର୍ଡ କରିବାକୁ ଉଦ୍ଦେଶ୍ୟ ରଖିଥିଲା।
ଉପରୋକ୍ତ ଟେଲିଭିଜନ୍ ବିତର୍କରେ ବିଜୟ ପ‌େର ଆମେରିକାର ଗଣମାଧ୍ୟମ ଯେତେବେଳେ କମଳାଙ୍କ ସଫଳତା ଓ ଟ୍ରମ୍ପ୍‌ଙ୍କର ବିଫଳତାର ବର୍ଣ୍ଣନା ଦ୍ବାରା ଆଚ୍ଛାଦିତ ହୋଇ ରହିଥିଲା, ସେ ବିତର୍କର ମାତ୍ର ପାଞ୍ଚ ଦିନ ପରେ ସେ ସବୁକୁ ଏବେ ବିତାଡ଼ିତ କରି ମୃତ୍ୟୁଜୟୀ ହିରୋ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଉପରେ ଏହି ସଦ୍ୟ ଆକ୍ରମଣର ବିଭିନ୍ନ ଦିଗ ଓ ତାହାକୁ କେନ୍ଦ୍ରକରି ନାନା କଳ୍ପନାଜଳ୍ପନାମାନ ସେ ସ୍ଥାନ ଦଖଲ କରିନେବ। ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିବା ଜଣେ ରାଜନେତାଙ୍କ ପାଇଁ ଅମ୍ଳଜାନ ସଦୃଶ ହୋଇଥିବାରୁ, ଟ୍ରମ୍ପ୍‌ଙ୍କ ପାଇଁ ଏହାଠାରୁ ଅଧିକ ସୁବିଧାଜନକ ପରିସ୍ଥିତି ଆଉ କ’ଣ ହୋଇପାରନ୍ତା!
ବର୍ତ୍ତମାନ ପ୍ରଶ୍ନ ପଚରା ହେବାରେ ଲାଗିବ ଯେ ପେନ୍‌ସିଲ୍‌ଭାନିଆ ଠାରେ ଜୁଲାଇ ୧୩ର ସେଇ ବନ୍ଧୁକ ଆକ୍ରମଣ ପରେ ‘ସିକ୍ରେଟ୍ ସର୍ଭିସ୍’ର ଏଜେଣ୍ଟମାନେ ପୁଣି ଏକ ସମ୍ଭାବ୍ୟ ବନ୍ଧୁକଧାରୀ ଆତତାୟୀକୁ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ଏତେ ନିକଟକୁ ଆସିବାକୁ ଦେଲେ କିପରି? ମନେ ରଖିବା କଥା ପେନ୍‌ସିଲ୍‌ଭାନିଆରେ ଘଟିଥିବା ସେଇ ଆକ୍ରମଣ ପରେ ସେ ଦେଶର ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିମାନଙ୍କର ସୁରକ୍ଷା ଦାୟିତ୍ବ ନିର୍ବାହ କରୁଥିବା ‘ସିକ୍ରେଟ୍ ସର୍ଭିସ୍’ ତୀକ୍ଷ୍‌ଣ ସମାଲୋଚନାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ପୁଣି ଥରେ ‘ସିକ୍ରେଟ୍ ସର୍ଭିସ୍’ର କାର୍ଯ୍ୟ ଓ କ୍ଷମତାସୀନ ବାଇଡେନ୍ ପ୍ରଶାସନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ ପରିଚାଳନା ଆହୁରି ପ୍ରଚଣ୍ଡ ସମାଲୋଚନାର ସମ୍ମୁଖୀନ ହେବ, ଯାହାର ସନ୍ତୋଷଜନକ ଉତ୍ତର ପ୍ରଦାନ ଏକ ରକମ ଅସମ୍ଭବ ବ୍ୟାପାର। କାରଣ ଆସନ୍ନ ନିର୍ବାଚନ ପରିପ୍ରେକ୍ଷୀରେ ହ୍ୟାରିସ୍‌ଙ୍କ ପ୍ରତିପକ୍ଷ ଟ୍ରମ୍ପ୍‌ଙ୍କ ଉପରେ ବାରମ୍ବାର ଆକ୍ରମଣକୁ ଏକ ବିଧିବଦ୍ଧ ଚକ୍ରାନ୍ତର ରୂପ ପ୍ରଦାନ କରିବା ନିଶ୍ଚିତ।
ଅତି କମ୍‌ରେ ସେମାନେ ନିଶ୍ଚିତ ରୂପେ ଏହାକୁ ଏକ ସୁଚିନ୍ତିତ ଅବହେଳା ରୂପେ ପ୍ରଦର୍ଶିତ କରିବେ। ଏହାକୁ ଯାହା ଖୋରାକ୍ ଯୋଗାଇବ, ତାହା ହେଉଛି ଘଟଣା ଘଟିଥିବା ପାମ୍‌ ବିଚ୍ କାଉଣ୍ଟିର ସେରିଫ୍ ପ୍ରଦାନ କରିଥିବା ଏଭଳି ପ୍ରତିକ୍ରିୟା, ‌େଯଉଁଥିରେ ସେ କହିଥିଲେ ଯେ ଡୋନାଲ୍‌ଡ ଟ୍ରମ୍ପ୍ ଜଣେ କ୍ଷମତାସୀନ ରାଷ୍ଟ୍ରପତି ନୁହନ୍ତି; ଯଦି ସେ ତାହା ହୋଇଥାନ୍ତେ, ତେବେ ସିକ୍ରେଟ୍ ସର୍ଭିସ୍ ସମଗ୍ର ଗଲ୍‌ଫ କୋର୍ସ ଉପରେ ନଜର ରଖିବା ପାଇଁ ବନ୍ଦୋବସ୍ତ କରିଥାନ୍ତା; ଯେହେତୁ ସେ ତାହା ନୁହନ୍ତି ସିକ୍ରେଟ୍ ସର୍ଭିସ୍ ଉଚିତ ମନେ କରିଥିବା ବନ୍ଦୋବସ୍ତ କରିଥିଲା। ଆଶା କରାଯାଉଥିବା ଭଳି ଟ୍ରମ୍ପ୍‌ଙ୍କର ରିପବ୍ଲିକାନ୍ ପାର୍ଟିର ନେତାମାନେ ଟ୍ରମ୍ପ୍‌ଙ୍କ ଉପରେ ଏଭଳି ଆକ୍ରମଣମାନ ପ୍ରତିପକ୍ଷ ଡେମୋକ୍ରାଟିକ୍ ପାର୍ଟିର ନେତାମାନେ ସେମାନଙ୍କ ଭାଷଣରେ ଟ୍ରମ୍ପ୍‌ଙ୍କ ପ୍ରତି ସୃଷ୍ଟି କରୁଥିବା ଘୃଣା ଓ ବିଦ୍ବେଷର ପରିଣାମ ବୋଲି ଅଭିଯୋଗ କରିବାକୁ ଲାଗିଲେଣି। ବାସ୍ତବରେ ସେମାନଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିବା ମଧ୍ୟ ସହଜ ନୁହେଁ। କାରଣ, ଜୁଲାଇରେ ଟ୍ରମ୍ପ୍‌ଙ୍କ ଉପରେ ଆକ୍ରମଣ ପରେ ହିଁ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଏଭଳି ଅଭିଯୋଗ କରିବା ଦେଖାଯାଇଥିଲା। ଇତିମଧ୍ୟରେ ଟ୍ରମ୍ପ୍‌ଙ୍କର ପ୍ରତିପକ୍ଷ ତାଙ୍କୁ ଜଣେ ଉଦାରବାଦ-ବିରୋଧୀ ରାକ୍ଷସ ରୂପେ ଚିତ୍ରଣ କରିବାରେ କୌଣସି ଶିଥିଳତା ପ୍ରଦର୍ଶନ କରିନାହାନ୍ତି। ବର୍ତ୍ତମାନ ଦୁଇ ମାସ ପରେ ପୁଣି ଜଣେ ରହସ୍ୟମୟ ଆତତାୟୀ ତାଙ୍କ ଉପରେ ଆକ୍ରମଣ କରିବା ସେଇ ଯୁକ୍ତିକୁ ଆହୁରି ବଳିଷ୍ଠ କରିଥାଏ ଯାହା।
ତେବେ ତାଙ୍କ ଉପରେ ଏହି ଆକ୍ରମଣମାନ ପାଇଁ ଖୋଦ୍ ଟ୍ରମ୍ପ୍ ମଧ୍ୟ ହେଉଛନ୍ତି ବହୁମାତ୍ରାରେ ଦାୟୀ। କାରଣ ସେ ହେଉଛନ୍ତି ଦେଶରେ ନାଗରିକମାନେ ବନ୍ଧୁକ ରଖିବାର ଅବାଧ ଅଧିକାରର ଜଣେ ଦୃଢ଼ ସମର୍ଥକ। ଏଥିଯୋଗୁଁ ସେଠାରେ ବାରମ୍ବାର ଅକାରଣ ଗଣହତ୍ୟାମାନ ସଂଘଟିତ ହୋଇଚାଲିଥିଲେ ହେଁ ସେ ତାଙ୍କର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟାଉ ନାହାନ୍ତି। ଏକ ସର୍ବେକ୍ଷଣରୁ ପ୍ରକାଶ ଯେ ଆମେରିକାର ଲୋକସଂଖ୍ୟା ପ୍ରାୟ ୩୫ କୋଟି ହୋଇଥିବା ବେଳେ ସେମାନଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୪୦ କୋଟି ସଂଖ୍ୟକ ବନ୍ଧୁକ ଉପଲବ୍‌ଧ ଅଛି। ଏବେ ସେଥି ମଧ୍ୟରୁ ଗୋଟିଏ ଦୁଇଟି ବନ୍ଧୁକର ନଳୀ ସେଇ ଟ୍ରମ୍ପ୍‌ଙ୍କ ଆଡ଼େ ମୁହଁାଇବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।