ବିଶ୍ବାସ ହାନି

ଗଲା ନଭେମ୍ବର ମାସରେ ଚୀନ ସରକାରଙ୍କ ପ୍ରତିରକ୍ଷା ବିଭାଗର ସର୍ବାଧିକ ମୁଖର ଏବ˚ ଆକ୍ରମଣାତ୍ମକ ମନୋଭାବ ସ˚ପନ୍ନ ମୁଖପାତ୍ର ଝାଓ ଲିଜିଆନ ତାଙ୍କ ଟ୍ବିଟର ଆକାଉଣ୍ଟରେ ଯାହା ପୋଷ୍ଟ୍ କରିଥିଲେ, ତାହା ବିଶ୍ବବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ସେଥିରେ ଏକ ଅତ୍ୟନ୍ତ କରୁଣ ଦୃଶ୍ୟର ଉପସ୍ଥାପନ କରାଯାଇଥିଲା, ଯହିଁରେ ଜଣେ ସୈନିକ ଗୋଟିଏ ଆଫଗାନ ବାଳକର ମୁହଁକୁ ଚାପି ଧରି ଏକ ତୀକ୍ଷ୍‌ଣ ଛୁରୀକାରେ ତାର ଗଳା କାଟିବାକୁ ଉଦ୍ୟତ ଥିବା ଦର୍ଶାଯାଇଥିଲା। ଯଦିଓ ସେହି ସୈନିକର ଚେହେରା ଦୃଶ୍ୟମାନ ହେଉ ନ ଥିଲା, ତାର ୟୁନିଫର୍ମ‌୍‌ ସୂଚାଉ ଥିଲା ଯେ ସେ ଜଣେ ଅଷ୍ଟ୍ରେଲୀୟ ସୈନିକ, ଯିଏ ‘ନାଟୋ’ ସେନା ପକ୍ଷରୁ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ମୁତୟନ ହୋଇଥିବା ସମ୍ଭବ। ଏହି ଚିତ୍ରର ତଳେ ଇ˚ରେଜୀରେ ଯେଉଁ ବାକ୍ୟ ଦ୍ବୟ ଲେଖା ଯାଇଥିଲା, ତାହାର ଓଡ଼ିଆ ମର୍ମାର୍ଥ ଥିଲା ଏହିଭଳି: ‘ଭୟ କରନାହିଁ। ଆମେ ଶାନ୍ତି ପ୍ରତିଷ୍ଠା ଲାଗି ଏଠାକୁ ଆସିଛୁ।’ କରୋନା ପାନ୍‌ଡେମିକ୍‌ ପ୍ରେକ୍ଷାପଟରେ ଚୀନ ଓ ଅଷ୍ଟ୍ରେଲିଆ ମଧୢରେ ସ˚ପର୍କର ଦ୍ରୁତ ଅବନତି ଘଟୁଥିବା ବେଳେ ଏହି ‘ଟ୍ବିଟ୍‌’ଟି ଆତ୍ମପ୍ରକାଶ କରିଥିଲା। କହିବା ବାହୁଲ୍ୟ ଯେ ଏହା ବିରୋଧରେ ଅଷ୍ଟ୍ରେଲିଆ ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରକଟ କରାଗଲା ଏବ˚ ଫଟୋଟି ପ୍ରକୃତରେ ପ୍ରଯୁକ୍ତି ବିଦ୍ୟା ଉପଯୋଗରେ ପ୍ରସ୍ତୁତ ଏକ ନକଲି ଫଟୋ ବୋଲି ଅଭିହିତ କରାଗଲା। ଯେହେତୁ ଚୀନରେ କମ୍ୟୁନିଷ୍ଟ ଶାସନର ଦୁର୍ଭେଦ୍ୟ ଲୌହ ପରଦା ଅନ୍ତରାଳରେ ଯାହା ସବୁ ଘଟିଥାଏ, ତାହା ଅଧିକା˚ଶ ସମୟରେ ଅପ୍ରକାଶ୍ୟ ରହିଥାଏ, ଚୀନ ଏକ ବିଶ୍ବାସଯୋଗ୍ୟ ରାଷ୍ଟ୍ର ନୁହେଁ ବୋଲି ଏକ ଅପଧାରଣା ପ୍ରାୟ ସର୍ବତ୍ର ବିଦ୍ୟମାବ; ତଥାପି ଏହା ମଧୢ ପ୍ରଣିଧାନଯୋଗ୍ୟ ଯେ ଗତ ବର୍ଷ ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ୨୦୦୯ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ସମୟ ଖଣ୍ତ ମଧୢରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ନିୟୋଜିତ ୧୯ ଜଣ ଅଷ୍ଟ୍ରେଲୀୟ ସୈନିକଙ୍କ ହାତରେ ୩୯ ଜଣ ନିରୀହ ଓ ନିରସ୍ତ୍ର ଆଫଗାନଙ୍କ ପ୍ରାଣ ଯାଇଥିଲା। ସୁତରା˚, ଶ˚ସିତ ଫଟୋଟି ଅସଲି ନା ନକଲି ତାହା ବିଶେଷ ଗୁରୁତ୍ବ ବହନ କରି ନ ଥାଏ, ବର˚ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଲା କିଏ ବିଶ୍ବାସଭାଜନ? କିଏ ଭରସାଯୋଗ୍ୟ?

ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ସଦ୍ୟ ସିଙ୍ଗାପୁର ଗସ୍ତ ସମୟରେ ତାଙ୍କ ଦ୍ବାରା ପ୍ରଦତ୍ତ ବୟାନ ଏବ˚ ତା ବିରୋଧରେ ଚୀନର ପ୍ରତିକ୍ରିୟା ମଧୢ ପ୍ରଣିଧାନଯୋଗ୍ୟ। ଦକ୍ଷିଣ ଚୀନ ସାଗରରେ ଚୀନର କ୍ରମବର୍ଦ୍ଧିଷ୍ଣୁ ଓ ବଳପୂର୍ବକ ପ୍ରଭାବ ବିସ୍ତାରକୁ ପ୍ରତିହତ କରିବା ଲାଗି କମଳା ହାରିସ ଏକ ଅନ୍ତର୍ଜାତୀୟ ସ୍ବୀକୃତ ନିୟମର ପ୍ରବର୍ତ୍ତନ ସକାଶେ ପ୍ରସ୍ତାବ ଦେବା ବେଳେ ଚୀନର ଅଭିସନ୍ଧିମୂଳକ ବୈଦେଶିକ ନୀତି ସ˚ଦର୍ଭ ଉତ୍‌ଥାପନ କରି ଚୀନର ଭରସାଯୋଗ୍ୟତା ଉପରେ ପ୍ରଶ୍ନ ଛିଡ଼ା କରାଇଥିିଲେ। ସୁତରା˚, ସ୍ବାଭାବିକ ଭାବେ ତତ୍‌କ୍ଷଣାତ୍‌ ଏହାର ପ୍ରତ୍ୟୁତ୍ତର ପ୍ରଦାନ କରାଯାଇ ଚୀନ ପକ୍ଷରୁ ପରିହାସ କଲା ଭଳି ଯାହା କୁହାଯାଇଛି, ତାହା ହେଲା, ଆଫଗାନିସ୍ତାନରେ ଆମେରିକା ଦ୍ବାରା ପ୍ରଦର୍ଶିତ ଆଚରଣ ପରେ ତାର ବିଶ୍ବସଭାଜନତା ମଧୢ ପ୍ରମାଣିତ ହୋଇ ଯାଇଛି! ସୁତରା˚, ଏଭଳି ଆକ୍ଷେପ ଓ ପ୍ରତ୍ୟାକ୍ଷେପରୁ କରୋନା ପାନ୍‌ଡେମିକ୍‌ ଏବ˚ ଆଫଗାନିସ୍ତାନ ସମସ୍ୟାର ଛାଇରେ ପୃଥିବୀରେ ସ˚ପ୍ରତି ଦୃଶ୍ୟମାନ ହୋଇଥିବା ‘ବିଶ୍ବାସ-ହାନି’ର ଏକ ସଘନ ବାତାବରଣକୁ ଅନୁଭବ କରିହୁଏ।

ଏହା ସମସ୍ତେ ଜାଣନ୍ତି ଯେ ମୁକ୍ତ ବଜାର ଏବ˚ ତଥାକଥିତ ଉଦାରବାଦୀ ଆର୍ଥିକ ବ୍ୟବସ୍ଥା ସତ୍ତ୍ବେ ଚୀନ ଏକ ଦୃଢ଼ ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥା ଦ୍ବାରା ପରିଚାଳିତ ଏବ˚ ରାଷ୍ଟ୍ରର ଭାବମୂର୍ତ୍ତିକୁ ଅମଳିନ ରଖିବା ଲାଗି ଏଠାରେ ସ୍ବାଧୀନ ଗଣମାଧ୍ୟମ ଆଦୌ ପ୍ରଶ୍ରୟ ଲାଭ କରି ନ ଥାଏ। ସୁତରା˚, ଏଠାରେ ଅନେକ ସମ୍ବେଦନଶୀଳ ବିଷୟ ଗୋପନୀୟ ରହେ ଏବ˚ ସେ ସବୁକୁ ପ୍ରଘଟ କରିବାର ଉଦ୍ୟମକୁ ଲୌହ ମୁଷ୍ଟିରେ ଦମନ କରାଯାଏ। କେବଳ ସେତିକି ନୁହେଁ, ଚୀନର ଅତ୍ୟନ୍ତ ଉତ୍କଟ ସାମ୍ରାଜ୍ୟବାଦୀ ଆଭିମୁଖ୍ୟ ଉଭୟ ଅର୍ଥନୈତିକ ଏବ˚ ଭୌଗୋଳିକ କ୍ଷେତ୍ରରେ ପରିଦୃଷ୍ଟ ହୋଇଛି; ଯେଉଁଠି ମୁକ୍ତ ଅର୍ଥନୀତିର ସୁଯୋଗ ନେଇ ଚୀନ ଦ୍ବାରା ବିଦେଶର ବ୍ୟାଙ୍କ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଅତି ସନ୍ତର୍ପଣରେ କବଳିତ କରିବାର ଉଦ୍ୟମ ହୋଇଛି ତଥା ପାନ୍‌ଡେମିକ୍‌ ସମୟରେ ସମଗ୍ର ପୃଥିବୀ ମ୍ରିୟମାଣ ଥିବା ବେଳେ ଲଦାଖ ଠାରୁ ଆରମ୍ଭ କରି ଦକ୍ଷିଣ ଚୀନ ସାଗର, ତାଇଵାନ, ହ˚କ˚ ଏବ˚ ଭିଏତ୍‌ନାମ ଆଦିରେ ଅନାବଶ୍ୟକ ବିବାଦ ସୃଷ୍ଟିର ପ୍ରୟାସ କରାଯାଇଛି। କେବଳ ସେତିକି ନୁହେଁ, କରୋନାକୁ ଏକ ପାନ୍‌ଡେମିକ୍‌ରେ ପରିଣତ କରିବାରେ ଚୀନର ଭୂମିକା ଏବ˚ ତାକୁ ଲୁଚାଇବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଉପରେ ପ୍ରଭାବ ବିସ୍ତାର କରି କୋଭିଡ୍‌ ଭୂତାଣୁର ଉତ୍ପତ୍ତି ସମ୍ବନ୍ଧୀୟ ଅନୁସନ୍ଧାନକୁ ପଥଭ୍ରଷ୍ଟ କରିବାର ଉଦ୍ୟମ ଚୀନର ବିଶ୍ବାସଭାଜନତାକୁ ବର୍ତ୍ତମାନ ସର୍ବାଧିକ କ୍ଷୁଣ୍ଣ କରିଛି। ଉଲ୍ଲେଖଯୋଗ୍ୟ ଯେ କେବଳ ଉତ୍ତର କୋରିଆ ଓ ରୁଷିଆ ଭଳି ଉପଦ୍ରବୀ ରାଷ୍ଟ୍ର ଏବ˚ କେତେକ ମୁଷ୍ଟିମେୟ ବଶମ୍ବଦ ରାଷ୍ଟ୍ରଙ୍କୁ ବାଦ୍‌ ଦେଲେ ପ୍ରାୟ ସମସ୍ତ ରାଷ୍ଟ୍ର ଚୀନ ଉପରେ ଭରସା ସ୍ଥାପନ ନେଇ ସ˚ଶୟରେ।

ତେବେ, ଚୀନ ଭଳି ଏକ ରାଷ୍ଟ୍ର ବିଶ୍ବାସଭାଜନ ନ ହେବା ବିଶେଷ ବିସ୍ମୟକର ନୁହେଁ। ପ୍ରକୃତ ବିଡ଼ମ୍ବନାଟି ହେଉଛି ଏକ ଅତ୍ୟନ୍ତ ସ୍ବାଧୀନଚେତା ଗଣତନ୍ତ୍ର ତଥା ବିଶ୍ବର ଏକମାତ୍ର ନେତୃ ସ୍ଥାନୀୟ ରାଷ୍ଟ୍ରର ମାନ୍ୟତା ଲାଭ କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ମଧୢ ସ˚ପ୍ରତି ତାର ଭରସାଯୋଗ୍ୟତା ହରାଇଛି। ପ୍ରକାଶ ଥାଉ କି କମଳା ହାରିସଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ଚୀନ ପକ୍ଷରୁ ପ୍ରଦତ୍ତ ମନ୍ତବ୍ୟ କହିଥିଲା ଯେ ଏକ ଅନ୍ତର୍ଜାତୀୟ ନିୟମ ଆଳରେ ଆମେରିକା ସର୍ବଦା ‘ଗୁଣ୍ତା ତୁଲ୍ୟ’ ଆଚରଣ ପ୍ରଦର୍ଶନ କରି ନିଜ ସ୍ବାର୍ଥ ସାଧନକୁ ଅଗ୍ରାଧିକାର ଦେଇଥାଏ। ସତ କଥାଟି ହେଲା, ଏହି ମନ୍ତବ୍ୟରେ ମଧ୍ୟ ଅତିଶୟୋକ୍ତି ନାହିଁ। ଗଣ ବିଧ୍ବ˚ସୀ ଅସ୍ତ୍ର ଭଣ୍ତାରର ବିଲୋପ ଏବ˚ ଆତଙ୍କବାଦର ଉନ୍ମୂଳନ ନାମରେ ଯୁକ୍ତରାଷ୍ଟ୍ର ଆମେରିକା (ତଥାକଥିତ ବିଶ୍ବ ସମୁଦାୟର ସମର୍ଥନରେ) ୨୦୦୧ରେ ଏବ˚ ୨୦୦୩ରେ ଯେଉଁ ଯୁଦ୍ଧ ସୃଷ୍ଟି କରିଥିଲା, ତହିଁରେ ଯଥାକ୍ରମେ ଆଫଗାନିସ୍ତାନ ଓ ଇରାକ ଏକ ବିପର୍ଯ୍ୟସ୍ତ ଭୂମିରେ ପରିଣତ ହୋଇଛନ୍ତି ସିନା, ତହିଁରୁ କୌଣସି ପକ୍ଷକୁ କିଞ୍ଚିତ ଲାଭ ମିଳିପାରିନାହିଁ। ସ˚ପ୍ରତି ଇରାକ ଏକ ଅରାଜକ ରାଷ୍ଟ୍ର ଏବ˚ ପୁଣି ଥରେ ଆଫଗାନିସ୍ତାନ ତାଲିବାନ କବଳିତ, ଯେଉଁଠି ଏକ ରକ୍ତର˚ଜିତ ଗୃହଯୁଦ୍ଧର ଆଶଙ୍କା ସ୍ପଷ୍ଟ ହେବାରେ ଲାଗିଛି। ଏହି ସ˚ଦର୍ଭରେ ଆଫଗାନିସ୍ତାନରୁ ସହସା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଆମେରିକାର ବିଶ୍ବାସଘାତକତାର ସଦ୍ୟତମ ଦୃଷ୍ଟାନ୍ତ ରୂପେ ଆବିର୍ଭୂତ ହୋଇଛି।

ବିଶ୍ବାସହୀନତାର ଏଭଳି ବାତାବରଣରେ କୌଣସି ଅନ୍ତର୍ଜାତୀୟ ସମସ୍ୟା ପରିପ୍ରେକ୍ଷୀରେ କେଉଁ ରାଷ୍ଟ୍ର କିଭଳି ବିଦେଶ ନୀତି ଗ୍ରହଣ କରିବ; ତାହା ଏକ ଦ୍ବନ୍ଦ୍ବ ରୂପେ ଛିଡ଼ା ହେଲାଣି। ଉଦାହରଣ ସ୍ବରୂପ ତାଲିବାନକୁ ଚୀନ, ପାକିସ୍ତାନ ଓ ରୁଷିଆ ଭଳି ଦେଶର ସମର୍ଥନ ପରିପ୍ରେକ୍ଷୀରେ ଭାରତ କିଭଳି ପଦକ୍ଷେପ ନେବ? ଏହା ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଅଧିକ ନିର୍ଭରଶୀଳ ହେବ ନା ଉଭୟ ପକ୍ଷ ଠାରୁ ନିରାପଦ ଦୂରତା ରକ୍ଷା କରିବ?; ଏଭଳି ଅନେକ ପ୍ରଶ୍ନ ଏବେ ଛିଡ଼ା ହୋଇଛି। ଯେତେବେଳେ ପୃଥିବୀର ବଡ଼ ଓ ଶକ୍ତିଶାଳୀ ରାଷ୍ଟ୍ର ଭରସାଯୋଗ୍ୟ ହୋଇ ରହନ୍ତି ନାହିଁ, ସେତିକି ବେଳେ ଅନ୍ୟାନ୍ୟ ରାଷ୍ଟ୍ର ସେମାନଙ୍କ ରଣନୈତିକ ସ˚ପର୍କରେ ଭାରସାମ୍ୟ ହରାନ୍ତି। ଏଭଳି ପରିସ୍ଥିତି କେବଳ ଅଧିକ ଯୁଦ୍ଧ, ସ˚ତ୍ରାସ ତଥା ଅଧିକ ଅନିଶ୍ଚିତତାକୁ ଜନ୍ମ ଦେଇଥାଏ।

ସମ୍ବନ୍ଧିତ ଖବର