ଏହା ଜଣାଶୁଣା ଯେ ଚୀନ୍ ସରକାରଙ୍କ ଠାରୁ ବିଶାଳ ସବ୍ସିଡି ଲାଭ କରି ଚୀନ୍ର ବିଭିନ୍ନ ଶିଳ୍ପାନୁଷ୍ଠାନମାନ ଅସ୍ବାଭାବିକ ଭାବରେ ଶସ୍ତାରେ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରି ସେ ସବୁକୁ ବିଦେଶ ବଜାରରେ ବିକ୍ରି କରି ପ୍ରତିଦ୍ବନ୍ଦ୍ବୀମାନଙ୍କୁ ବିତାଡ଼ିତ କରିଥାନ୍ତି, ଯେଉଁ କାରଣରୁ ଇଉରୋପ୍ ଓ ଆମେରିକାରେ ଏବେ ଚୀନ୍ରୁ ଆମଦାନି ଉପରେ ଉଚ୍ଚ ହାରରେ ଶୁଳ୍କ ଲାଗୁ କରାଯାଇଛି। ଆମର ଘରୋଇ ଉତ୍ପାଦନକାରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତକୁ ଏଥିପ୍ରତି ସକର୍ତ ରହିବାକୁ ହେବ।
୨୦୨୦ରେ ଘଟିଥିବା ଗଲ୍ୱାନ୍ ଘଟଣା ପରେ ଚୀନ୍ ଓ ଭାରତ ମଧ୍ୟରେ ସଂପର୍କରେ ଯେଉଁ ଶୀତଳ ଶତ୍ରୁତା ପ୍ରବେଶ କରିଥିଲା, ସଂପ୍ରତି ସେଥିରେ ଧୀରେ ଧୀରେ ଏକ ପରିବର୍ତ୍ତନ ଘଟିବାର ବିଭିନ୍ନ ପ୍ରାକ୍-ସୂଚନାମାନ ଦେଖିବାକୁ ମିଳିଲାଣି। ଅବଶ୍ୟ ଭାରତ ସୀମା ବିବାଦକୁ ଆଡ଼େଇ ଦେଇ ଉଭୟ ଦେଶ ଅନ୍ୟ କ୍ଷେତ୍ରମାନଙ୍କରେ ସହଯୋଗ ପ୍ରତିଷ୍ଠା କରିବା ପାଇଁ ଚୀନ୍ ଦେଇଚାଲିଥିବା ପ୍ରସ୍ତାବକୁ ଏ ପର୍ଯ୍ୟନ୍ତ ପ୍ରତ୍ୟାଖ୍ୟାନ କରିଆସିଛି, କିନ୍ତୁ ଏହା ସତ୍ତ୍ବେ ଦ୍ବି-ପାକ୍ଷିକ ସଂପର୍କରେ ଉନ୍ନତି ଉଭୟ ଦେଶର ସ୍ବାର୍ଥ ପାଇଁ ଯେ ଅନୁକୂଳ ତାହା ଉଭୟ ପକ୍ଷ ହୃଦୟଙ୍ଗମ କରିବାକୁ ଆରମ୍ଭ କରିଥିବା ଭଳି ମନେ ହେଉଛି। ଚୀନ୍ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ଆଭ୍ୟନ୍ତରୀଣ ଅର୍ଥନୈତିକ ସମସ୍ୟାମାନ ଏବଂ ତା’ ସହିତ ସମ୍ମୁଖୀନ ହେବାରେ ଲାଗିଥିବା ପାଶ୍ଚାତ୍ୟ ଅର୍ଥନୈତିକ ପ୍ରତିବନ୍ଧକମାନ ଯୋଗୁଁ ଭାରତ ଭଳି ଏକ ବିଶାଳ ଦ୍ରୁତବର୍ଦ୍ଧିଷ୍ଣୁ ଅର୍ଥନୀତି ସହିତ ସଂପର୍କରେ ଉନ୍ନତି ଘଟାଇବା ପାଇଁ ସ୍ବାଭାବିକ ଭାବରେ ଆଗ୍ରହ ପ୍ରଦର୍ଶନ କରୁଛି। ଭାରତ ମଧ୍ୟ ଯଥାଶୀଘ୍ର ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଯେଉଁ ଦ୍ରୁତ ଶିଳ୍ପାୟନ ହାସଲ କରିବାକୁ ଚାହୁଁଛି ସେଥିପାଇଁ ଚୀନ୍ ଏକ ଗୁରୁତ୍ବପୂର୍ଣ୍ଣ ନିବେଶ, ପ୍ରବିଧି ଓ ଦକ୍ଷତାର ଉତ୍ସ ରୂପେ ଭୂମିକା ନିର୍ବାହ କରିପାରିବ।
ଏହି ପରିପ୍ରେକ୍ଷୀରେ ଚୀନ୍-ଭାରତ ସଂପର୍କରେ ସମ୍ଭାବ୍ୟ ଉନ୍ନତିର ପ୍ରଥମ ସୁରାକ ଦେଖିବାକୁ ମିଳିଥିଲା ଗତ ନଭେମ୍ବରରେ, ଯେତେବେଳେ କେତେକ ଶିଳ୍ପ ଆବଶ୍ୟକ କରୁଥିବା ଚୀନା ପ୍ରଫେସନାଲ୍ କୁଶଳୀ କର୍ମଚାରୀମାନଙ୍କ ପାଇଁ ଭାରତ ଭିସା କଟକଣା କୋହଳ କରିଦେଇଥିଲା। ଏହା ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପୂର୍ବର ଚୀନ୍-ବିରୋଧୀ ମନ୍ତବ୍ୟର ତୀକ୍ଷ୍ଣତାରେ ଅନେକ ମାତ୍ରାରେ ହ୍ରାସ ଘଟାଇବା ପରିଲକ୍ଷିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନୁସରଣ କରି (ଏପ୍ରିଲରେ ମୋଦୀ ‘ନିଉଜ୍ୱିକ୍’ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ-ଚୀନ୍ ସଂପର୍କକୁ ଗୁରୁତ୍ବପୂର୍ଣ୍ଣ ବୋଲି ଆଖ୍ୟାୟିତ କରି ସୀମାରେ ସ୍ଥିରତା ପୁନଃସ୍ଥାପିତ ହେବ ବୋଲି ଆଶା ପ୍ରକାଶ କରିଥିଲେ) ଚୀନ୍ ସହିତ ସୀମା-ସଂପର୍କିତ ଆଲୋଚନାରେ ଅଗ୍ରଗତି ସନ୍ତୋଷଜନକ ବୋଲି ମନ୍ତବ୍ୟ ପ୍ରଦାନ କରିଛନ୍ତି।
ଏହା ପରେ ପରେ ଦୀର୍ଘ ଦେଢ଼ ବର୍ଷ କାଳ ଭାରତସ୍ଥିତ ଚୀନ୍ ଦୂତାବାସରେ ରାଷ୍ଟ୍ରଦୂତ ସ୍ଥାନ ଖାଲି ରହିବା ପରେ ମଇ ମାସରେ ସେ ଦେଶର ରାଷ୍ଟ୍ରଦୂତ ରୂପେ ସୁ ଫୋଇହଙ୍ଗ୍ ଯୋଗଦାନ କରିଛନ୍ତି। ସେବେଠାରୁ ସେ ଭାରତୀୟ ନେତାମାନଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ସ୍ଥାପନ କରିବା ଉଦ୍ୟମ ଜାରି ରଖିଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମଧ୍ୟ ଇତିମଧ୍ୟରେ ତାଙ୍କର ଭାରତ-ବିରୋଧୀ ମନ୍ତବ୍ୟ ନରମ କରିବା ଦେଖାଯାଇଛି। ତାଇୱାନ୍ର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭକାମନା ଜଣାଇବା ପରେ ଚୀନ୍ର ଅପେକ୍ଷାକୃତ ଚାପା ପ୍ରତିକ୍ରିୟାରେ ମଧ୍ୟ ଏହା ପ୍ରତିଫଳିତ ହୋଇଥିଲା। ଏପରିକି ଆମେରିକା କଂଗ୍ରେସର ଏକ ପ୍ରତିନିଧି ଦଳ ଭାରତରେ ଦଲାଇ ଲାମାଙ୍କୁ ସାକ୍ଷାତ କଲା ପରେ ମଧ୍ୟ ଚୀନ୍ ଅସ୍ବାଭାବିକ ସଂଯମ ଅାଚରଣ କରି ଏହା ବିରୁଦ୍ଧରେ କୌଣସି ପ୍ରତିକ୍ରିୟା ପ୍ରକାଶରୁ ନିବୃତ୍ତ ରହିବା ଦେଖାଯାଇଛି।
ଏହି ଧାରାକୁ ଆଗେଇ ନେବା ଭଳି ବର୍ତ୍ତମାନ ଭାରତ ପକ୍ଷରୁ ଆଉ ଏକ ଇସାରା ଦେଖିବାକୁ ମିଳିଛି ଯାହାକୁ ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିଚାର କରାଯାଇପାରେ। ବଜେଟ୍ ଉପସ୍ଥାପିତ ହେବାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶ ପାଇଥିବା ଅର୍ଥନୈତିକ ସର୍ବେକ୍ଷଣ (ଇକୋେନାମିକ୍ ସର୍ଭେ)ରେ ଏହାର ପ୍ରମାଣ ଦେଖିବାକୁ ମିଳିଥାଏ। ସେଥିରେ କୁହାଯାଇଛି: ‘‘ଚାଇନା ପ୍ଲସ୍ ୱାନ୍ ରଣନୀତିରୁ ଲାଭ ଉଠାଇବା ପାଇଁ ଭାରତ ସମ୍ମୁଖରେ ଦୁଇଟି ରାସ୍ତା ରହିଛି: ଇଏ ଚୀନ୍ର ଯୋଗାଣ ଶୃଙ୍ଖଳରେ ସାମିଲ ହୋଇପାରିବ କିମ୍ବା ଚୀନ୍ରୁ ବୈଦେଶିକ ପୁଞ୍ଜି ନିବେଶକୁ ସ୍ବାଗତ କରିବ।’’ ତା’ପରେ ସେଥିରେ କୁହାଯାଇଛି, ଏଥି ମଧ୍ୟରୁ ‘‘ଚୀନ୍ରୁ ବୈଦେଶିକ ପୁଞ୍ଜି ନିବେଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଅଧିକ ସମ୍ଭାବନାପୂର୍ଣ୍ଣ ମନେ ହୋଇଥାଏ।’’ ଚୀନ୍ ସହିତ ଅର୍ଥନୈତିକ ସଂପର୍କ ପୁନଃପ୍ରତିଷ୍ଠା କରିବା ପାଇଁ ଭାରତର ଆଗ୍ରହ ସମ୍ବନ୍ଧରେ ଏହା ଠାରୁ ଆଉ ଅଧିକ ବଳିଷ୍ଠ ଇସାରା ଆଉ କ’ଣ ହୋଇପାରେ?
କିନ୍ତୁ ଚୀନ୍ ସହିତ ଅର୍ଥନୈତିକ ବନ୍ଧନର ଏହି ନୂତନ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଭାରତ କେତେଗୁଡ଼ିଏ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରି ମନେ ହୁଏ। ସର୍ବପ୍ରଥମ ହେଲା, ଚୀନ୍ ହେଉଛି ଆମର ସର୍ବପ୍ରଧାନ ଶତ୍ରୁ ଦେଶ ଯିଏ ସୀମାରେ ଅସ୍ଥିରତା ସୃଷ୍ଟି କରିବା ସହିତ ଭାରତର ପଡ଼ୋଶୀ ଦେଶମାନଙ୍କୁ ଭାରତ ବିରୋଧରେ ଉସକାଇବାରେ ଲାଗିରହିଛି। ଦୁଇରେ, ଆମେରିକା ଚୀନ୍କୁ ତା’ର ସାମରିକ ପ୍ରତିଦ୍ବନ୍ଦ୍ବୀ ରୂପେ ଚିହ୍ନିତ କରିଛି, ଯିଏ ଆନ୍ତର୍ଜାତିକ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟତ ବୋଲି ଆମେରିକା ବିଶ୍ବାସ କରୁଛି। ତିନିରେ, ଚୀନ୍ ହେଉଛି ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ଓ ପୃଥିବୀର ବୃହତ୍ତମ ଫ୍ୟାକ୍ଟ୍ରି। ଚୀନ୍ ସହିତ ଆମର ଶତ୍ରୁତାକୁ ଆମର ନିଜର ସାମରିକ ଶକ୍ତି ଓ କୂଟନୈତିକ ରଣକୌଶଳ ଦ୍ବାରା ପ୍ରତିହତ କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଟେଲିକମ୍ ନେଟ୍ୱାର୍କ ପରି ଯେଉଁ ସବୁ ଶିଳ୍ପ ଜାତୀୟ ନିରାପତ୍ତା ଦୃଷ୍ଟିରୁ ସ୍ପର୍ଶକାତର, ସେ ସବୁରେ ଚୀନା ନିବେଶକମାନଙ୍କର ସଂପୃକ୍ତି ଜାତୀୟ ନିରାପତ୍ତା ବିପନ୍ନ କରିବାର ସମ୍ଭାବନା ବହନ କରିଥାଏ। ଏଣୁ ଭାରତର ଶିଳ୍ପାୟନ ଉଦ୍ୟମରେ ଚୀନ୍ର ଅଂଶଗ୍ରହଣକୁ ଅତ୍ୟନ୍ତ ସତର୍କତାର ସହିତ ନିୟନ୍ତ୍ରଣ କରିବାକୁ ହେବ। ଏଠାରେ ସୂଚନାଯୋଗ୍ୟ ଯେ ଏହି କାରଣରୁ ଚୀନ୍ର ବିଶାଳ ଟେଲିକମ୍ କଂପାନି ହୁଆୱେର ପ୍ରବେଶକୁ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ନିଷିଦ୍ଧ କରାଯାଇଛି। ଚୀନ୍ ସହିତ ଆମେରିକାର ପ୍ରତିଯୋଗିତା ଯୋଗୁଁ ଯେ କୌଣସି ସମୟରେ ସିଧାସଳଖ ଚୀନ୍ରେ ଉତ୍ପାଦିତ କିମ୍ବା ଚୀନ୍ର ସଂପୃକ୍ତି ଥିବା କୌଣସି ତୃତୀୟ ଦେଶରେ ନିର୍ମିତ ପଦାର୍ଥମାନଙ୍କ ପ୍ରତି ଆମେରିକା ବା ପାଶ୍ଚାତ୍ୟ ଜଗତ ତରଫରୁ ବାସନ୍ଦ ଲାଗୁ କରାଯାଇପାରେ। ଭାରତ ତେଣୁ ଏଭଳି ସମ୍ଭାବନା ପ୍ରତି ସତର୍କ ରହି ଚୀନ୍ ସହିତ ଅର୍ଥନୈତିକ ସଂପର୍କ ସ୍ଥାପନ କରିବାକୁ ପଡ଼ିବ। ଏହା ଜଣାଶୁଣା ଯେ ଚୀନ୍ ସରକାରଙ୍କ ଠାରୁ ବିଶାଳ ସବ୍ସିଡି ଲାଭ କରି ଚୀନ୍ର ବିଭିନ୍ନ ଶିଳ୍ପାନୁଷ୍ଠାନମାନ ଅସ୍ବାଭାବିକ ଭାବରେ ଶସ୍ତାରେ ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରି ସେ ସବୁକୁ ବିଦେଶ ବଜାରରେ ବିକ୍ରି କରି ପ୍ରତିଦ୍ବନ୍ଦ୍ବୀମାନଙ୍କୁ ବିତାଡ଼ିତ କରିଥାନ୍ତି, ଯେଉଁ କାରଣରୁ ଇଉରୋପ୍ ଓ ଆମେରିକାରେ ଏବେ ଚୀନ୍ରୁ ଆମଦାନି ଉପରେ ଉଚ୍ଚ ହାରରେ ଶୁଳ୍କ ଲାଗୁ କରାଯାଇଛି। ଆମର ଘରୋଇ ଉତ୍ପାଦନକାରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତକୁ ଏଥିପ୍ରତି ସକର୍ତ ରହିବାକୁ ହେବ।
ଏ ସମସ୍ତ ବିଷୟକୁ ବିଚାରକୁ ନେଇ କୁହାଯାଇପାରେ ଯେ ଆମେ ଖାଉଟି ଦ୍ରବ୍ୟ ଉତ୍ପାଦନ ଓ ହାଲୁକା ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ନିଃସର୍ତ୍ତ ଭାବରେ ଚୀନ୍ରୁ ନିବେଶ ପ୍ରସ୍ତାବମାନଙ୍କୁ ସ୍ବାଗତ କରିବା ଉଚିତ ହେବ। ଯେଉଁ ଭାରତୀୟ ଉତ୍ପାଦନକାରୀମାନଙ୍କ ପାଖରେ ଆବଶ୍ୟକ ଜ୍ଞାନକୌଶଳ ଉପଲବ୍ଧ ନ ଥିବ, ସେଠାରେ ସେମାନଙ୍କ ସହିତ ଯୁଗ୍ମ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର୍) ପାଇଁ ସର୍ତ୍ତ ରଖାଯିବା ଉଚିତ ହେବ। ତା’ ଛଡ଼ା ଚୀନା ନିବେଶକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ମାଲିକାନା ନିୟନ୍ତ୍ରଣ, ପରିଚାଳନା ନିୟନ୍ତ୍ରଣ ଓ ସ୍ଥାନୀୟ ଅଂଶଗ୍ରହଣ ଅନୁପାତ ଅାଦି ଉପାୟ କଡ଼ାକଡ଼ି ଭାବରେ ଅନୁସରଣ କରିବା ଆମ ପାଇଁ ନିରାପଦ ହେବ। ଭୁଲିବା ଉଚିତ ହେବ ନାହିଁ ଯେ ଡ୍ରାଗନ୍ ଯେତେ ବନ୍ଧୁତ୍ବ ପ୍ରଦର୍ଶନ କଲେ ମଧ୍ୟ ସର୍ବଦା ତୁମକୁ ଗିଳିଦେବା ସୁଯୋଗକୁ ଅପେକ୍ଷା କରିଥାଏ।