ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜରେ ଛୁଟି କେତେଦିନ କଟେଇବା ପାଇଁ ସୁରଞ୍ଜନ ବାବୁ ଗଁାକୁ ବାହାରିଲେ। ବୃତ୍ତିଗତ ଜୀବନରେ କାର୍ଯ୍ୟବ୍ୟସ୍ତତା ହେତୁ ଅନେକ ଦିନ ହେଲା ସେ ଗାଁକୁ ଯାଇ ନ ଥିଲେ। ଯେଉଁ ଗଁା ମୁଣ୍ଡରେ ତୀଖ ତାଳଗଛ ଓ ବୁଢ଼ା ବରଗଛଟି ମୁଖଶାଳା ହୋଇ ଶୋଭା ପାଉଥିଲା ଓ ଯେଉଁ ବର ଡାଳରେ ଡାଳମାଙ୍କୁଡ଼ି ଖେଳି ଓ ତୁଠ ପାଣି ଗୋଳିଆ କରି ସେ ମାଇପି ତୁଣ୍ଡରୁ ଅନେକ ଥର ଗାଳି ଖାଇଥିଲେ, ଏବେ ସେ ଗଁା ମୁଣ୍ଡ, କେତୋଟି ଶୀର୍ଣ୍ଣ ତାଳଗଛକୁ ଛାଡ଼ିଦେଲେ ପ୍ରାୟ ବୃକ୍ଷଶୂନ୍ୟ। ସୁରଞ୍ଜନ ବାବୁ ତାଙ୍କ ଆଦ୍ୟ ଯୌବନରେ ଏଇ ତାଳଗଛରେ ଝୁଲିଥିବା ବାଇଚଢ଼େଇର ବସା, ମା’ ଚଢ଼େଇର ଆହାର ଦେବାର ଦୃଶ୍ୟ ଓ କୁନି ଶାବକର କିଚିରିମିଚିରି ଶୁଣି ତାଙ୍କର ମନେ ପଡୁଥିଲା ‘ଗ୍ରାମପଥ’ର କବିତା ଧାଡ଼ିଏ- ‘ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କି ସେ’। ଏଇ ଡେଙ୍ଗା ତାଳ ଗଛକୁ ନେଇ ସୁରଞ୍ଜନ ବାବୁ ପିଲାଦିନେ ତାଙ୍କ ବୋଉ ମୁହଁରୁ ଅନେକ ଢଗଢମାଳି ଶୁଣି ଆମୋଦିତ ହେଉଥିଲେ, ଯେମିତି ‘ମୁଣ୍ଡରେ ତାଳ ପଡ଼ିଲା’, ‘ବାପ ଖାଉଛି ତାଳ, ପୁଅକୁ ହେଉଛି କାଳ’, ‘ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ତୋ ବେଳକାଳ ଆସୁଛି’। ଶେଷୋକ୍ତ କଥନିକାଟି କିଏ ଲେଖିଥିଲେ ବୋଉ ତାଙ୍କର କହିପାରୁ ନ ଥିଲା, ମାତ୍ର ମୃତ୍ୟୁ ଯେ ଆଗପଛ ହୋଇ ସମସ୍ତଙ୍କ ଜୀବନରେ ଆସିବ- ଏ କଥା ସେ ସୁନ୍ଦର ଭାବରେ ବୁଝେଇ ଦେଉଥିଲା। ଏପ୍ରିଲ୍-ମଇ ମାସର ମୁହଁଜଳା ଖରା ବେଳେ ମିଠା ତାଳସଜ, ପାଚିଲା ତାଳ ତାଙ୍କର ଭାରି ପ୍ରିୟ ଥିଲା।
‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ ନ୍ୟାୟରେ ବଜ୍ରପାତ ହେଲେ ପ୍ରଥମେ ତାଳଗଛକୁ ମାରେ। ସେଥିପାଇଁ ଓଡ଼ିଶା ଭଳି ଏକ ବିପର୍ଯ୍ୟୟପ୍ରବଣ ରାଜ୍ୟରେ ଆମର ଚାଷୀଭାଇମାନେ ଗଁାଠୁ ଦୂରରେ ସେମାନଙ୍କ ବିଲ ହିଡ଼ରେ ତାଳ ଗଛ ଲଗାଉଥିଲେ। ତାଳ ଗଛ କେବଳ ବଜ୍ରପାତରୁ ରକ୍ଷା କରେନାହିଁ, ଭୂତଳ ଜଳ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମାତ୍ର ଆଧୁନିକ ମଣିଷର ଅତ୍ୟଧିକ ଲୋଭ, ଅମାନବୀୟ କାର୍ଯ୍ୟକଳାପ, ଆଧୁନିକ ଜୀବନଶୈଳୀ, ରାସ୍ତା ପ୍ରଶସ୍ତୀକରଣ ନାଁରେ ଅବାଧ ଗଛକଟା, କୋଠାବାଡ଼ି ଓ କଳକାରଖାନା ନିର୍ମାଣ ଯୋଗୁଁ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ସହିତ ସାମୁଦ୍ରିକ ଅଞ୍ଚଳରେ ମଧୁର ଜଳର ଉପଲବ୍‌ଧତା କଷ୍ଟକର ଅନୁଭୂତ ହେଲାଣି।
ବଜ୍ରପାତଜନିତ ମୃତ୍ୟୁ ପରିସଂଖ୍ୟାନକୁ ନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିସନଙ୍କ ସଦ୍ୟ ପ୍ରକାଶିତ ‘ଆନୁଆଲ୍ ରିପୋର୍ଟ ଅନ୍ ନାଚୁରାଲ୍ କାଲାମିଟିଜ୍‌’ ଅନୁଯାୟୀ ୨୦୨୨-୨୩ରେ ରାଜ୍ୟରେ ବଜ୍ରପାତରେ ମୋଟ ୨୯୧ ଜଣଙ୍କର ମୃତ୍ୟୁ ହୋଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୨୧ରେ ବଜ୍ରପାତରେ ଭାରତରେ ୨,୮୮୦ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ପ୍ରାକୃତିକ ଶକ୍ତି ଦ୍ୱାରା ଘଟିଥିବା ସମସ୍ତ ଦୁର୍ଘଟଣାର ୪୦ ଶତାଂଶ। ୨୦୨୨-୨୩ ମସିହାରେ ଓଡ଼ିଶାରେ ୬,୦୨,୯୩୮ ଥର ମେଘରୁ ଭୂପୃଷ୍ଠକୁ ବଜ୍ରପାତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବଜ୍ରପାତଜନିତ ମୃତ୍ୟୁ ମଧ୍ୟରୁ ୯୦ ଶତାଂଶ ମୃତ ବ୍ୟକ୍ତି ହେଉଛନ୍ତି କୃଷକ, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ପ୍ରକୃତି ସହିତ ଲଢ଼ି ଆସୁଛନ୍ତି।
ମନୁଷ୍ୟ ଓ ଗୃହପାଳିତ ପଶୁମାନଙ୍କୁ ବଜ୍ରାଘାତରୁ ରକ୍ଷା କରୁଥିବା ତାଳ ଗଛରେ ବିଲୁପ୍ତପ୍ରାୟ ବାୟା ଚଢ଼େଇ ବସା ବାନ୍ଧୁଥିବାରୁ ପରିବେଶ ଓ ବାୟା ଚଢ଼େଇର ସୁରକ୍ଷା ଦିଗରେ ତାଳ ଗଛର ଅବଦାନ ଯଥେଷ୍ଟ। ସୁରଞ୍ଜନ ବାବୁଙ୍କର ଚିଲିକା କାବ୍ୟର ପଙ୍‌କ୍ତିଟିଏ ମନେ ପଡୁଥିଲା:
‘ବୈଦୁର୍ଯ୍ୟ କିରୀଟ ଧାରୀ ତୁଙ୍ଗ ତାଳ
ସରୋବର ତୀରେ ଶୋଭେ ମାଳମାଳ,
ମହାନନ୍ଦେ ଯା’ର ବାହୁ ଛାୟାଶ୍ରୟେ
ବାୟା ବାୟାବଧୂ ବସନ୍ତି ନିର୍ଭୟେ’।
ଶାଖାବିହୀନ ଓ ବେଶୀ ଗଭୀରକୁ ଯାଉ ନ ଥିବା ଚେରଯୁକ୍ତ ବୃକ୍ଷ ହୋଇଥିବାରୁ ତାଳ ବୃକ୍ଷ ଫସଲ ପାଇଁ କ୍ଷତିକାରକ ନୁହେଁ। ତେଣୁ ବନୀକରଣ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ, ଏସ୍‌.ଆର୍‌.ସି., ଆନ୍ତଃବିଭାଗୀୟ ସହଯୋଗ ଓ ସମନ୍ୱୟରେ ତାଳ ଚାରା ବଣ୍ଟନ ସହିତ ଚାଷୀଭାଇମାନଙ୍କୁ ସଚେତନ କରାଇ ପାରିଲେ ଏ ନିରୀହ ପକ୍ଷୀଟିର ବଂଶବୃଦ୍ଧି ହୋଇପାରନ୍ତା।
ବାୟା ଚଢ଼େଇ ପକ୍ଷୀ ଜଗତର ଶ୍ରେଷ୍ଠ ସ୍ଥପତି ପକ୍ଷୀ। ସେମାନଙ୍କର ବସା ବାନ୍ଧିବାର ଶୈଳୀ ସ୍ୱତନ୍ତ୍ର ଓ ଆକର୍ଷଣୀୟ। ଶସ୍ୟକ୍ଷେତ୍ରରୁ ଅପକାରୀ କୀଟ ଯଥା ଉଇ, ଝିଣ୍ଟିକା, ସଁବାଳୁଆ ଓ ଲେଡ଼ାପୋକ ଇତ୍ୟାଦିଙ୍କୁ ଖାଇ ଫସଲ ସୁରକ୍ଷା ଦିଗରେ ସାହାଯ୍ୟ କରେ ଏଇ ପକ୍ଷୀ। ମାତ୍ର ଗଁାଠୁ ସହର ସବୁଠି ଯୋଜନାହୀନ ଭାବରେ ନିର୍ମିତ ମୋବାଇଲ୍ ଟାୱାରର ବିକିରଣ ଓ କୃଷିକ୍ଷେତ୍ରରେ କୀଟନାଶକ ଔଷଧର ବ୍ୟାପକ ସିଞ୍ଚନ ଫଳରେ ଏହି ପକ୍ଷୀମାନଙ୍କ ବଂଶ ବୃଦ୍ଧିରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
ବାୟା ବସା ବାନ୍ଧେ, ଉଜାଡ଼େ ନାହିଁ। ଆନ୍ଦୋଳିତ ପବନକୁ ଭ୍ରୂକ୍ଷେପ ନ କରି ତା’ ନିବୁଜ ବସାଟିରେ ଥାଏ ନିର୍ଭୟ ନିରାପତ୍ତା ଓ ତା’ କଳା କାରିଗରିର ଛତ୍ରେ ଛତ୍ରେ ଫୁଟିଥାଏ ଦାଂପତ୍ୟ ପ୍ରେମର ଗଭୀର ବିଶ୍ୱାସ ଓ ବୁଝାମଣା। ଅପରାହ୍‌ଣର ଛାଇ ଲମ୍ବି ଲମ୍ବି ଆସୁଥିଲା। ସୁରଞ୍ଜନ ବାବୁ ତରତର ହେଉଥିଲେ କଟକ ଫେରିବାକୁ; ଠିକ୍ ଯେମିତି କ୍ଷେତ ଧାରେ ଠିଆ ହୋଇଥିବା ତାଳ ଗଛକୁ ସଞ୍ଜବୁଡ଼ ନୀଡ଼ ଫେରନ୍ତା ବାଇଚଢ଼େଇମାନଙ୍କ ପରି। ସହରର ସୀମା ଛୁଇଁଲା ବେଳକୁ ଦୂର ବିପଣିମାଳାରୁ ଭାସି ଆସୁଥିବା ଗୀତଟି ଶୁଣି ସେ ଆମୋଦିତ ହେଉଥିଲେ;
‘ଦୂର ତାଳବଣେ ବାୟାବଧୂର ବସା,
ପ୍ରେମ ନଗରରେ ଏତେ ହସଲୁହ, ରାଗରୁଷା,
ପ୍ରେମ... ବାୟାବଧୂର ବସା।’
ମୋ: ୯୪୩୭୦୦୦୬୩୬