ସଭ୍ୟତାର ଯାତ୍ରାରେ ମଣିଷ

ଧନେଶ୍ବର ସାହୁ

ଆଧୁନିକତାରୁ ଉତ୍ତର-ଆଧୁନିକତାକୁ ଯାତ୍ରା ସଭ୍ୟତାର ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା। ଆଧୁନିକତାର କେବେ ଆରମ୍ଭ ଓ କେବେ ଶେଷ ସେ ନେଇ ମତ ପାର୍ଥକ୍ୟ ରହିଛି। ଇଉରୋପୀୟ ଜ୍ଞାନଦୀପ୍ତି ଯୁଗରୁ ଆଧୁନିକତାର ବିକାଶ ହୋଇଥିଲା ବୋଲି ଏକ ବହୁ ସମର୍ଥିତ ମତ ରହିଛି। ଜ୍ଞାନଦୀପ୍ତି ଯୁଗରେ ଯେଉଁ ବୌଦ୍ଧିକ ବିଚାରମାନ ସୃଷ୍ଟି ହୋଇଥିଲା, ତାହା ଊନବି˚ଶ ଶତାବ୍ଦୀର ଶେଷ ଭାଗରେ ଚରମ ଉତ୍କର୍ଷ ଲାଭ କଲା। ବିଜ୍ଞାନ ପୃଷ୍ଠଭୂମିରେ ବୈଜ୍ଞାନିକ ପ୍ରକୃତିବାଦର ଯେଉଁ ବିଚାର ସୃଷ୍ଟି ହୋଇଥିଲା, ତାହାର ତାର୍କିକ ପରିଣତି ଚାର୍ଲସ ଡାରଵିନଙ୍କ ଭାବଧାରାରେ ପରିପୁଷ୍ଟ ହେଲା। ଆମ ପୃଥିବୀ ଓ ତା’ର ଜୀବମଣ୍ତଳ କୋଟି କୋଟି ବର୍ଷର ଜୈବିିକ ବିବର୍ତ୍ତନ ମଧୢ ଦେଇ ଯେ ବିକଶିତ ହୋଇଛି, ଏହାକୁ ବିଜ୍ଞାନସମ୍ମତ ପଦ୍ଧତିରେ ଡାରଵିନ ପ୍ରତିଷ୍ଠା କଲେ। ସଭ୍ୟତାର ସାମାଜିକ ବିକାଶ ଧାରାକୁ ଅର୍ଥନୈତିକ ବ୍ୟବସ୍ଥା କିପରି ପ୍ରଭାବିତ କରିଆସିଛି ତାହାର ଏକ ବସ୍ତୁନିଷ୍ଠ ବ୍ୟାଖ୍ୟାନ କାର୍ଲ‌୍ ମାର୍କସ ପ୍ରଦାନ କଲେ। ପ୍ରାକୃତିକ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଯେଉଁ ଉତ୍କର୍ଷ ଲାଭ କଲା, ତାହା କେତେକେତେ ବୌଦ୍ଧିକ ଦିଗନ୍ତର ସୂଚନା ଦେଲା ଓ ବୌଦ୍ଧିକ ଜଗତ୍‌ରେ ନୂଆ ନୂଆ ବିପ୍ଳବମାନ ଆସିଲା। ଆଧୁନିକ ଯୁଗର ଉତ୍କର୍ଷରୁ ବୌଦ୍ଧିକ ଜଗତ୍‌ରେ ଯେଉଁ ନୂତନ ବିପ୍ଳବମାନ ଆସିଲା ତାହା ଉତ୍ତର-ଆଧୁନିକତାକୁ ଜନ୍ମ ଦେଲା ବୋଲି ଏକ ମତ ରହିଛି। ଅନ୍ୟ ଏକ ମତ ହେଉଛି ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ପୃଥିବୀ ଏକ ନୂଆ ଯୁଗରେ ପହଞ୍ଚିଲା। ତେଣୁ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରବର୍ତ୍ତୀ ପୃଥିବୀ ଯେଉଁ ରାଜନୈତିକ, ଅର୍ଥନୀତିକ ଓ ସା˚ସ୍କୃତିକ ପରିବେଶ ସୃଷ୍ଟି କଲା, ତାହାର ପରିଣାମରୁ ଉତ୍ତର-ଆଧୁନିକତାର ପରିବେଶ ଆସିଲା। ତେବେ ଆଧୁନିକତା ଓ ଉତ୍ତର-ଆଧୁନିକତା ଭିତରେ ଏକ ନିର୍ଣ୍ଣାୟକ ସୀମା ସ୍ଥିର କରିବା ସହଜସାଧୢ ନୁହେଁ। ସଭ୍ୟତା ଯେପରି ଏକ କ୍ରମବିକାଶର ଧାରା, ସେହିପରି ଆଧୁନିକତା ବା ଉତ୍ତର-ଆଧୁନିକତା ମଧୢ ଏକ ପ୍ରବହମାନ ପ୍ରକ୍ରିୟା। ଗୋଟିଏ ପ୍ରକ୍ରିୟାର ପରିସର ଭିତରେ ନାନା ବୌଦ୍ଧିକ, ମାନବିକ, ସାମାଜିକ, ରାଜନୈତିକ ଓ ସା˚ସ୍କୃତିକ ଧାରାର ବିକାଶ ହେବା ସମ୍ଭବ। ଏସବୁର ଏକ ସମନ୍ବିତ ଅଭିବ୍ୟକ୍ତି ଏକ ଯୁଗ ବା କାଳଖଣ୍ତକୁ ନିର୍ଦ୍ଧାରଣ କରିବା ସମ୍ଭବ।

ବୌଦ୍ଧିକତାର ଦିଗନ୍ତମାନଙ୍କ ମଧୢରେ ବିଜ୍ଞାନ, ଦର୍ଶନ ଓ ସାହିତ୍ୟ ମାନବୀୟ ସୃଜନର ଉତ୍କର୍ଷ ବହନ କରେ ବୋଲି କୁହାଯାଏ। ଜ୍ଞାନ ଓ ପ୍ରଯୁକ୍ତିର ବିକାଶ, ବିଶ୍ବ ଓ ଜୀବନ ନେଇ ମାନବିକ ଅବବୋଧ ତଥା ନୈତିକତା ଓ ମାନବିକ ମୂଲ୍ୟବୋଧ ନେଇ ବୈଚାରିକ ଆଦର୍ଶ ସଭ୍ୟତାର ରୂପରେଖ ନିର୍ମାଣ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଇଥା’ନ୍ତି। ସଭ୍ୟତାର ଯାତ୍ରା ପଥରେ ବିଗତ ଅର୍ଦ୍ଧଶତାବ୍ଦୀ ଯେ ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏହା ଏକ ସାଧାରଣ ଉପଲବ୍‌ଧି। ରାଜନୈତିକ ଦୃଷ୍ଟିକୋଣରୁ ସମଗ୍ର ପୃଥିବୀରୁ ଉପନିବେଶବାଦର ବିଲୋପ ଓ ବହୁ ରାଷ୍ଟ୍ରକୁ ଗଣତନ୍ତ୍ରର ପ୍ରସାର ଏକ ଉଲ୍ଲେଖନୀୟ ଘଟଣା। ଶିଳ୍ପ ବିପ୍ଳବ ପରବର୍ତ୍ତୀ ପୃଥିବୀରେ ଯେଉଁ ସାମ୍ରାଜ୍ୟବାଦର ଯୁଗ ଆସିଥିଲା ତାହାର ପ୍ରାକୃତିକ ବିଲୟ ପ୍ରକ୍ରିୟା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆରମ୍ଭ ହୋଇ ବି˚ଶ ଶତାବ୍ଦୀ ଶେଷ ସୁଦ୍ଧା ଶେଷ ହେଲା। ତେବେ ତାହାର ଏକ ଭିନ୍ନ ରୂପାନ୍ତର ହୋଇଥିବା କେତେକ ମତ ଦେଇପାରନ୍ତି। ଅର୍ଥାତ୍‌ ରାଜନୈତିକ ସାମ୍ରାଜ୍ୟବାଦର ବିଲୋପ ହୋଇଥିଲେ ମଧୢ ଅର୍ଥନୈତିକ ସାମ୍ରାଜ୍ୟବାଦ ଓ ପୁଞ୍ଜିବାଦ ସା˚ପ୍ରତିକ ବିଶ୍ବକୁ ଯେ ପ୍ରଭାବିତ ଓ ଏପରିକି ନିୟନ୍ତ୍ରିତ କରି ରଖିଛି ଏହା ସପକ୍ଷରେ ଯୁକ୍ତି ଦିଆଯାଇପାରେ। ପୃଥିବୀରୁ ସାମ୍ରାଜ୍ୟବାଦ ଲୋପ ପାଇଛି ବା ଯଦି ରହିଛି କାହିଁକି ରହିଛି ଏକ ବିତର୍କିତ ବିଷୟ ଓ ଏକ ମୁକ୍ତ ପ୍ରସଙ୍ଗ। ତେବେ ଶିଳ୍ପ-ବିପ୍ଳବ ପରବର୍ତ୍ତୀ ସାମ୍ରାଜ୍ୟବାଦ ଓ ରାଜନୈତିକ ପରାଧୀନତାର ଯେ ବିଲୋପ ଘଟିଛି, ଏହା କୁହାଯାଇପାରେ।

ବି˚ଶ ଶତାବ୍ଦୀ ଦ୍ବିତୀୟାର୍ଦ୍ଧରୁ ଆନ୍ତର୍ଜାତିକ ମନୋଭାବର ବିକାଶ ସଭ୍ୟତାର ଇତିହାସରେ ଏକ ମହତ୍ତ୍ବପୂର୍ଣ୍ଣ ଘଟଣା। ଦ୍ବିତୀୟ ବିଶ୍ବଯୁଦ୍ଧର ଧ୍ବ˚ସ ପରେ ଏହି ଉପଲବ୍‌ଧି ଆସିଥିଲା ଯେ ଯଦି କୌଣସି କାରଣରୁ ତୃତୀୟ ବିଶ୍ବଯୁଦ୍ଧର ପରିବେଶ ଆସେ, ତେବେ ପୃଥିବୀ ଧ୍ବ˚ସର ସମ୍ମୁଖୀନ ହେବ। ବିଭିନ୍ନ ଦେଶ ଗଣବିଧ୍ବ˚ସୀ ଆଣବିକ ଅସ୍ତ୍ର ନିର୍ମାଣର କୌଶଳ ହାସଲ କଲେ ଓ ଯଦି କୌଣସି କାରଣରୁ ଏହାର ପ୍ରୟୋଗ ହୁଏ ତେବେ ସଭ୍ୟତା ଆତ୍ମହତ୍ୟା କରିବ। ଏହି ସ୍ଥିତିରେ ମାନବୀୟ ସମସ୍ୟାମାନଙ୍କର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜାତିସ˚ଘର ପ୍ରତିଷ୍ଠା ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀର ଅଭ୍ୟୁଦୟ କ୍ଷେତ୍ରରେ ବହୁ ଗୁରୁତ୍ବ ବହନ କରେ। ଏତଦ୍‌ବ୍ୟତୀତ ଏପରି କେତେକ ସମସ୍ୟା ବିଷୟ ବିଶ୍ବସମାଜ ସମ୍ମୁଖକୁ ଆସିଲା ଯାହାର ସମାଧାନ କୌଣସି ଏକକ ରାଷ୍ଟ୍ର କରିପାରିବ ନାହିଁ। ବିଶେଷ କରି ପରିବେଶ ବିଜ୍ଞାନୀମାନେ ଜଣାଇଲେ ଯେ ଯେଉଁ ଧାରାରେ ପାରିବେଶିକ ଅସନ୍ତୁଳନ ବୃଦ୍ଧି ପାଇ ଚାଲିଛି ତାହା ଯଦି ଅବ୍ୟାହତ ରହେ, ତେବେ ଆମ ପୃଥିବୀ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ। ବିଶ୍ବର ବାୟୁମଣ୍ତଳର ତାପମାତ୍ରାର ବୃଦ୍ଧି, ବିଭିନ୍ନ ଅଞ୍ଚଳର ଜୈବ ବିବିଧତା ଧ୍ବ˚ସ ପାଇବା, ଅଙ୍ଗାରକାମ୍ଳ ବାଷ୍ପର ନିର୍ଗମନ ବୃଦ୍ଧି, ଓଜନ ସ୍ତରରେ ଫାଙ୍କ ଇତ୍ୟାଦି ବହୁବିଧ କାରଣ ଯୋଗୁ ପୃଥିବୀର ପରିବେଶ ଭିତରେ ଅସନ୍ତୁଳନ ବୃଦ୍ଧି ପାଇଚାଲିଛି। ଏହାର ପ୍ରତିକାର କରାନଗଲେ ଗୋଟିଏ ଦୁଇଟି ଶତାବ୍ଦୀ ପରେ ପୃଥିବୀ ବାସୋପୋଯୋଗୀ ହୋଇ ରହିବ ନାହିଁ। ବିକାଶର ଦ୍ବାହି ଦେଇ ବିଭିନ୍ନ ରାଷ୍ଟ୍ର ସ˚ପ୍ରତି ପ୍ରାକୃତିକ ସ˚ସାଧନମାନଙ୍କୁ ଆଧୁନିକ ପ୍ରଯୁକ୍ତି ସାହାଯ୍ୟରେ ବ୍ୟୟ କରି ଚାଲିଛନ୍ତି। ସୁତରା˚ ବିକଳ୍ପ ଶକ୍ତି ଉତ୍ସ ପାଇଁ ପ୍ରୟାସ ହେବା ଆବଶ୍ୟକ। ନଚେତ ପୃଥବୀ ପୃଷ୍ଠରୁ ଅନେକ ପ୍ରାକୃତିକ ସାଧନମାନ କେତୋଟି ଶତାବ୍ଦୀ ଭିତରେ ସମାପ୍ତ ହୋଇଯିବ। ଏଣୁ ନିରନ୍ତର ବିକାଶର ଭାବନା ନେଇ ବିଶ୍ବସ୍ତରରେ ସଚେତନତା ପ୍ରକାଶ ପାଇବା ଅବଶ୍ୟମ୍ଭାବୀ ମନେହୁଏ। ବିଶ୍ବ ସମ୍ମୁଖୀନ ହେଉଥିବା ସମସ୍ୟାମାନ ଆନ୍ତର୍ଜାତିକ ସ୍ତରରେ ଆଲୋଚିତ ହେବା ଓ ସେଥିପାଇଁ ସମାଧାନ ବାହାର କରିବାକୁ ସ˚ପୃକ୍ତି ପ୍ରକାଶ ପାଇବା ମାନବ ସମାଜ ପାଇଁ ବହୁ ଗୁରୁତ୍ବ ରଖେ।

ଆଧୁନିକ ପ୍ରଯୁକ୍ତିର ଉତ୍ତୁଙ୍ଗ ବିକାଶ ଆମ ପୃଥିବୀକୁ ଏକ କ୍ଷୁଦ୍ର ଗ୍ରାମରେ ପରିଣତ କରିବା ଏକ ବଡ଼ ଉପଲବ୍‌ଧି। ପୃଥିବୀରେ ଯେଉଁଠି ଯାହା ଘଟଣା ଘଟୁଛି ତାହା କେତୋଟି ମିନିଟ୍‌ ଭିତରେ ସମଗ୍ର ପୃଥିବୀରେ ପ୍ରସାରିତ ହୋଇପାରୁଛି। ପୃଥିବୀର ଯେ କୌଣସି ସ୍ଥାନର ଜଣେ ବ୍ୟକ୍ତି ଅନ୍ୟ ଯେ କୌଣସି ଦେଶର ଜଣେ ବ୍ୟକ୍ତି ସହ ଯୋଗାଯୋଗ ସ୍ଥାପନ କରିପାରୁଛି। ଗମନାଗମନ କ୍ଷେତ୍ରରେ ଓ ସ˚ଚାର ବିଜ୍ଞାନ ସ୍ତରରେ ଆଶାତୀତ ସଫଳତା ମିଳିପାରିଛି। ଗୋଟିଏ ସ୍ଥାନରୁ ଅନ୍ୟ ଯେ କୌଣସି ସ୍ଥାନକୁ ଯିବା ସମ୍ଭବ ହୋଇପାରିଛି। ଯାହା ଗୋଟିଏ ଦୁଇଟି ଶତାବ୍ଦୀ ତଳେ ସମ୍ଭବ ନ ଥିଲା ତାହା ଆଜି ସମସ୍ତଙ୍କ ପାଇଁ ଉପଲବ୍‌ଧ ହୋଇପାରୁଛି। ଉପଗ୍ରହ ମାଧୢମରେ ସମ୍ବାଦ, ଦୃଶ୍ୟ, ଛବି ପ୍ରେରଣ ଯାହା ସେତେବେଳେ ଚିନ୍ତାସ୍ତରକୁ ମଧୢ ଆସିନଥିଲା, ତାହା ଆଜି ବାସ୍ତବତାରେ ପରିଣତ ହୋଇଛି। ମୋବାଇଲ ଫୋନ୍‌, ଇମେଲ୍‌, ଇଣ୍ଟରନେଟ୍‌, ଫେସବୁକ୍‌ ଇତ୍ୟାଦି ବିଷୟରେ ଜଣେ ସ୍କୁଲ ଛାତ୍ର ବି ଆଜି ବେଶ୍‌ ପରିଚିତ ହୋଇପାରୁଛି। ବିଦ୍ୟାଳୟକୁ ନ ଯାଇ ଘରେ ରହି ସ୍ମାର୍ଟ‌୍ ଫୋନ୍‌ ଯୋଗେ ପଢ଼ିବାର ସୁଯୋଗ ପାଇବା ତିନି ଚାରି ଦଶନ୍ଧି ତଳେ ଆମ କଳ୍ପନା ସ୍ତରକୁ ଆସି ନ ଥିଲା। କରୋନା ମହାମାରୀ ପରିସ୍ଥିତିର ମୁକାବିଲା ଭାବେ ଏହା ମନୁଷ୍ୟ ବାହାର କରିପାରିଛି। କୃତ୍ରିମ ଉପଗ୍ରହ ମାଧୢମରେ ଏସବୁର ପ୍ରେରଣ ସମ୍ଭବ ହେବା ବିଜ୍ଞାନର ଚମକପ୍ରଦ ଆବିଷ୍କାର। ଏହି ଧାରା ଅଧିକ ଉନ୍ନତ ଓ ବ୍ୟାପକ ହେଲେ ଘରେ ରହି ପାଠପଢ଼ିବା, ନିଜର ଆବଶ୍ୟକୀୟ କାର୍ଯ୍ୟ କରିବା ସମ୍ଭବ ହେବ।

ବିଜ୍ଞାନ ସ୍ତରରେ ଉତ୍ତର-ଆଧୁନିକ କାଳକୁ କୁହାଯାଉଛି ଏଜେ ଅଫ୍‌ ଅଟୋମେସନ। ସ୍ବୟ˚ଚାଳିତି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ କଥା ସମାପନ କରିବା ଏବେ ସମ୍ଭବ ହୋଇପାରୁଛି। ଘରେ ବସି ରହି ଫ୍ଲାଇଟ୍‌, ଟ୍ରେନ୍‌ ଟିକେଟ୍‌ କଟାଯାଇପାରୁଛି, ବ୍ୟାଙ୍କ୍‌ କାରବାର କରିବା ସମ୍ଭବ ହେଉଛି, ପୃଥିବୀର ଯେ କୌଣସି ସ୍ଥାନର କୌଣସି ଦୃଶ୍ୟକୁ ଦେଖିବା ବା ଉପଭୋଗ କରିବା ସମ୍ଭବ ହୋଇପାରୁଛି। ଏହିପରି ଅସ˚ଖ୍ୟ କାର୍ଯ୍ୟ ସ୍ବୟ˚ଚାଳିତ ପ୍ରକ୍ରିୟାରେ ଆଧୁନିକ ପ୍ରଯୁକ୍ତି ମାଧୢମରେ କରିବା ଆଜିର ପରିସ୍ଥିତିରେ ସମ୍ଭବ ହେଉଛି। ଖବରକାଗଜ ନ ମଗାଇ ଯେ କୌଣସି ସମ୍ବାଦପତ୍ର ଘରେ ରହି ପଢ଼ି ହେଉଛି। ଘରେ ଏତେ ବହି ରଖିବା ଆବଶ୍ୟକ ପଡୁନାହିଁ। ଇଚ୍ଛାନୁଯାୟୀ ଯେ କୌଣସି ଉଚ୍ଚମାନର କୃତି ଘରେ ଯାନ୍ତ୍ରିକ ସାଧନ ମାଧୢମରେ ପଢ଼ିବା ସମ୍ଭବ ହୋଇପାରୁଛି। ନିତିଦିନିଆ ଜୀବନର ଅନେକ କାର୍ଯ୍ୟ ଯନ୍ତ୍ରର ସାହାଯ୍ୟରେ କରାଯାଇପାରୁଛି। ଆଧୁନିକ ପ୍ରଯୁକ୍ତି ଆମ ଜୀବନଧାରାକୁ ସରସ ସୁନ୍ଦର କରିବା ପାଇଁ ସାଧନ ଯୋଗାଇ ପାରୁଛି। ମଣିଷ ଆଜି ଯେତେ ଆରାମଦାୟକ ଜୀବନ ବଞ୍ଚିବାର ଅବକାଶ ପାଇଛି ତାହା ସଭ୍ୟତାର ଇତିହାସରେ କେବେ ସମ୍ଭବ ନ ଥିଲା। ଆଧୁନିକ ଚିକିତ୍ସା ବିଜ୍ଞାନ ବି˚ଶ ଶତାବ୍ଦୀରେ ବହୁ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ବହୁ ମହାମାରୀମାନଙ୍କର ନିୟନ୍ତ୍ରଣ, ପେନ୍‌ସିଲିନ ବା ଆଣ୍ଟିବାଓଟିକ୍‌ର ଆବିଷ୍କାର, ରକ୍ତ ଅନ୍ତର୍ଭରଣ, ଅଙ୍ଗ ପ୍ରତିରୋପଣ, ସରୋଗେଟ୍‌ ମାତୃତ୍ବ ପରି ବହୁ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନ ଯେଉଁ ସଫଳତା ପାଇଛି ତାହା ଫଳରେ ମନୁଷ୍ୟ ଏବେ ଅନେକ ବର୍ଷ ବଞ୍ଚି ପାରୁଛି ଓ ରୋଗମାନଙ୍କରୁ ଉପଶମ ପାଇପାରୁଛି। ଗୋଟିଏ ଶତାବ୍ଦୀ ଭିତରେ ମନୁଷ୍ୟର ହାରାହାରି ଆୟୁ ପ୍ରତି ଦଶନ୍ଧିରେ ଦୁଇ ବର୍ଷ ବୃଦ୍ଧି ପାଉଛି ବୋଲି ଜଣାଯାଏ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉନ୍ନତମାନର ଗବେଷଣା ଆମର ଜ୍ଞାନକୁ ବୃଦ୍ଧି କରିବା ସହ ସାଧାରଣ ଜୀବନଯାତ୍ରାକୁ ଅନେକା˚ଶରେ ସୁଗମ କରିପାରିଛି।

ତେବେ, ବାସ୍ତବ ଦୁନିଆରେ ଉତ୍ତର-ଆଧୁନିକତା ସମୟର ଏକ ଅମାନବିକ ଦିଗ ପ୍ରତି ସମାଜବିଜ୍ଞାନୀମାନେ ଦୃଷ୍ଟି ଆକର୍ଷଣ କରିଥା’ନ୍ତି। ବୈଜ୍ଞାନିକ ଗବେଷଣା ମାନବଜାତିର ସାମୂହିକ ବିକାଶ ପ୍ରତି ପ୍ରାଧାନ୍ୟ ନ ଦେଇ ଧନୀ ରାଷ୍ଟ୍ରମାନଙ୍କର ପ୍ରଭୁତ୍ବ ବିସ୍ତାର ପ୍ରତି ଅଧିକ ଯତ୍ନଶୀଳ ଥିବା କେତେକ ମତପୋଷଣ କରିଥା’ନ୍ତି। କ୍ୟାନ୍‌ସର ରୋଗରୁ ବିଶ୍ବ ମୁକ୍ତ ହେବା ପାଇଁ ଗବେଷଣାରେ ଯେତେ ଅର୍ଥ ବ୍ୟୟ ହେଉ ନାହିଁ, ତା’ର ବହୁ ଗୁଣ ଅର୍ଥ ଆଣବିକ ଅସ୍ତ୍ର ନିର୍ମାଣ ଜନିତ ଗବେଷଣାରେ ବ୍ୟୟ କରାଯାଉଛି। ପୃଥିବୀର ଶାନ୍ତିକାମୀ ଦାର୍ଶନିକ, ମାନବବାଦୀ ଚିନ୍ତକମାନେ ସମଗ୍ର ବିଶ୍ବରେ ଶାନ୍ତି, ଭ୍ରାତୃତ୍ବ ଓ ଅହି˚ସାର ପରିବେଶ ସୃଷ୍ଟି କରିବାକୁ ଚାହୁଁଥିବା ବେଳେ କ୍ଷମତାଧାରୀ ଓ ପ୍ରଭାବଶାଳୀ ଲୋକମାନେ ଉଗ୍ର ଜାତୀୟତାବାଦ, ସା˚ପ୍ରଦାୟିକତାବାଦ ଓ ଏକ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରୁଛନ୍ତି। ପରିଣାମତଃ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ଭବିଷ୍ୟତ୍‌ ପୃଥିବୀ ଓ ମାନବ ସମୁଦାୟ ଉପରେ ଏକ ନକାରାତ୍ମକ ଚିତ୍ର ପ୍ରଦାନ କରୁଛି। ବିଜ୍ଞାନ, ପ୍ରଯୁକ୍ତି ଓ ଉନ୍ନତ ମାନର ଗବେଷଣା ସାଧନ ମାତ୍ର। ଏକ ସାଧନକୁ ମାନବ ସମୁଦାୟର ହିତ ପାଇଁ ବିନିଯୋଗ କରାଯିବ ନା ଏକ ମହାମାରୀର ଭାଇରସ୍‌ ବିଜ୍ଞାନାଗାରରେ ପ୍ରସ୍ତୁତ କରାଯିବ ହେଉଛି ଏକ ନୈତିକ ପ୍ରଶ୍ନ। ବିଚାରଶୀଳତା ଓ ମାନବବାଦ ଉତ୍ତର-ଆଧୁନିକ ସମୟରେ ଯଦି ସାର୍ବଜନୀନ ଆଦର୍ଶ ଭାବରେ ବିଶ୍ବରେ ବିସ୍ତାରିତ ନ ହୁଏ, ତେବେ ଭବିଷ୍ୟତ୍‌ରେ ମାନବଜାତିର ଶୋକଗୀତି ଗାଇବାକୁ ହେବ।
ଏ୪/୪୦୫,
ଜୀବନ ଆନନ୍ଦ ଏଲଆଇସି ଫ୍ଲାଟ୍‌ସ
ଖଣ୍ତଗିରି, ଭୁବନେଶ୍ବର-୩୦

ସମ୍ବନ୍ଧିତ ଖବର