ଏଥିପୂର୍ବରୁ ଏକ ରଚନାରେ ମୁଁ କ୍ଷୋଭ ପ୍ରକାଶ କରିଥିଲି ଯେ ଭାରତୀୟ ରାଷ୍ଟ୍ରର ନେତୃତ୍ବ-ସାମର୍ଥ୍ୟକୁ କ୍ଷେତ୍ରୀୟ ଓ ବିଶ୍ବ ମଞ୍ଚରେ ଉପସ୍ଥାପନ କରିବାରେ ଆମର ବୌଦ୍ଧିକ ଉଦାସୀନତା ଓ ଅନାସକ୍ତି, ବର୍ତ୍ତମାନ ସମୟରେ ଗୋଟିଏ ବଡ଼ ଦୁର୍ବଳତା। ଆମେ ସ୍ପଷ୍ଟ ଦେଖୁଚେ ଯେ ବର୍ତ୍ତମାନ ଭାରତର ରାଜନୈତିକ ନେତୃତ୍ବ ସକାରାତ୍ମକ ରାଷ୍ଟ୍ରବାଦର ନିର୍ମାଣରେ ଆଗ୍ରହୀ, କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିକୁ ନୈତିକ ପରିପୂରକତା ଦେବ କିଏ? ଏକେ ତ ଆମର ବୌଦ୍ଧିକ ଅନୁଷ୍ଠାନ ଗୁଡ଼ିକ ଅର୍ଦ୍ଧବିକଶିତ, ଦ୍ବିତୀୟରେ ଆମର ବୁଦ୍ଧି ବ୍ୟବହାରକାରୀ ଲୋକନେତୃତ୍ବ ରାଜନୀତି ବାହାରେ ତା’ର ନିଜର ଏକ ପ୍ରଭାବଶାଳୀ ପରିମଣ୍ତଳ ନିର୍ମାଣ କରିପାରିନାହିଁ ଓ ତେଣୁ ପ୍ରଭାବଶାଳୀ ହୋଇପାରିନାହିଁ। ଲୋକନେତୃତ୍ବ ଏକ ଜଟିଳ ବିଷୟ। ୟାର ସଠିକ୍ ଅନୁମାନ ଓ ଅନୁଧୢାନ ପାଇଁ ଆମକୁ ରାଜନୀତି ବାହାରେ ସାମୂହିକ ଜୀବନର ନୈତିକ ଓ ସାମାଜିକ କ୍ଷେତ୍ରକୁ ଦୃଷ୍ଟିରେ ରଖିବାକୁ ହେବ। ଇଏ ଲୋକମତର ବ୍ୟାପାର ନୁହେଁ, ବର˚ ଲୋକମତକୁ ପ୍ରଭାବିତ କରିପାରୁଥିବା ସାମାଜିକ ଓ ନୈତିକ ନେତୃତ୍ବର ବ୍ୟାପାର।
ଆମ ସମାଜକୁ କିଏ ନେତୃତ୍ବ ଦିଏ? ଠିକ୍ ଉତ୍ତର ହେବ, ୟାର ନେତା କେହି ନାହିଁ; ଇଏ ଏକ ସ୍ବୟ˚ଚାଳିତ ବ୍ୟବସ୍ଥା। ଅନ୍ୟ ଭାବରେ କହିଲେ ଆମ ସମାଜର ଗତି ଓ ପ୍ରକୃତି ଏକ ଯାନ୍ତ୍ରିକ ବା ସ୍ବୟ˚କ୍ରିୟ ପୌନଃପୁନିକତାରେ ଗଢ଼ା। ଇଏ ସେଇ ମାର୍ଗରେ ଯାଏ, ଯୋଉ ମାର୍ଗ ହୁଏତ ହଜାର ହଜାର ବର୍ଷ ଧରି ନିଜକୁ ପରିମାର୍ଜିତ, ପରିଶୀଳିତ ଓ ପରିବର୍ତ୍ତିତ କରିଚାଲିଚି। ଏ ପରିବର୍ତ୍ତନ ଗୋଟେ ଆଖିଦୃଶିଆ ଘଟନା ନୁହେଁ, ଇଏ ଏକ ଅଭ୍ୟାସ। ଆମେ ଆମର ସାମାଜିକତାରେ ଅଭ୍ୟସ୍ତ। ଅନ୍ତଃକରଣରେ ଆମେ ବୋଧହୁଏ ଚାହୁଁନାହିଁ ଯେ ଆମ ସମାଜ ବଦଳୁ, ତେଣୁ କୌଣସି ଆକସ୍ମିକ ଦୃଢ଼ ହସ୍ତକ୍ଷେପ ଆମକୁ ବିଚଳିତ କରେ। ସମାଜ ସ˚ସ୍କାରକମାନେ ଯାହା ବଦଳେଇବାରେ ସକ୍ଷମ ହୋଇଚନ୍ତି, ତାହା ଅନ୍ତିମ ବା ନିର୍ଣ୍ଣାୟକ ରୂପ ପାଇ ପାରିନାହିଁ, କାରଣ କୋଉଠୁ ନା କୋଉଠୁ ସ˚ସ୍କାରକୁ ଅନ୍ତିମ ବୋଲି ଗ୍ରହଣ କରିବା ବିରୋଧରେ ଅସନ୍ତୋଷ ଜାତ ହୋଇଚି। ଥରେ ଅସନ୍ତୋଷ ଜାତ ହୋଇଥିବାର ସନ୍ଦେଶ ପାଇଲେ, ରାଜନୀତି ତାକୁ କବଳିତ କରିନେଇଚି। ୟାର ପରିଣତି ଏହି ଯେ ଉଭୟ ବୌଦ୍ଧିକ ଓ ନୈତିକ କ୍ଷେତ୍ର ମଧୢ ରାଜନୀତୀକରଣକୁ ଏକ ସ୍ବାଭାବିକ ପରିଣତି ଭାବରେ ଗ୍ରହଣ କରି ନେଇଚନ୍ତି। ୟାର ଅର୍ଥ ହେଲା ଏଇଆ ଯେ ସମଗ୍ର ସମାଜକୁ ରାଷ୍ଟ୍ରନୀତି ଓ ରାଜନୀତି ନିୟନ୍ତ୍ରଣ କରୁଚନ୍ତି, ସମାଜର ନିଜ ବିଚାର କିଛି ନାହିଁ। ସମାଜର ନିଜ ବିଚାରର ଅର୍ଥ କ’ଣ? ବିଶେଷତଃ ଯେଉଁ ସମାଜରେ ସାମାଜିକ ମଣିଷଙ୍କର ଗୋଟିଏ ବଡ଼ ଭାଗ ଦାନା ମୁଠେ, କନା ଖଣ୍ତେ ଓ ଆଶ୍ରାଟିଏ ପାଇଁ ବିକଳ, ସେ ସମାଜରେ ବିଚାର ନିର୍ମାଣ କରିବେ ମୁଷ୍ଟିମେୟ ସାହସୀ, ଶିକ୍ଷିତ ଓ ଚିନ୍ତାଶୀଳ ଲୋକବିଶେଷ। ଏମାନେ କାହାନ୍ତି? ଶିକ୍ଷିତ ଅଛନ୍ତି, କିନ୍ତୁ ସେମାନେ ସମାଜ ଚିନ୍ତା କରନ୍ତି ନାହିଁ। ଶିକ୍ଷିତ ସମାଜ ଚିନ୍ତକ ଅଛନ୍ତି କିନ୍ତୁ ତାଙ୍କର ସାହସ ନାହିଁ। ସାହସ ନାହିଁ ଏଇଥିପାଇଁ ଯେ ସେମାନେ ଯେତେ ଆଗକୁ ବଢ଼ିବା କଥା ଭାବୁଚନ୍ତି, ସେତେ ଏକାକୀ ହେଇଯାଉଚନ୍ତି ଓ ଦ୍ବିତୀୟରେ ଆମ ସମାଜର ଦୃଢ଼ ସ୍ଥିତିସ୍ଥାପକତା ‘ଷ୍ଟାଟସ୍ କୋ’ ବଦଳିଲେ ଅନର୍ଥ ହୋଇଯିବ ବୋଲି ଗୋଟିଏ ସଙ୍କେତ ବରାବର ଦେଇ ଚାଲିଚି। ମନେ କରନ୍ତୁ ସମାଜରେ ଭ୍ରଷ୍ଟାଚାର ବିରୋଧରେ ସାଧୁତାର ମାନସିକତା ବିକଶିତ କରିବାର ଗୋଟିଏ ପ୍ରଭାବଶାଳୀ ଉଦ୍ୟମ କରିବା ପାଇଁ ଶିକ୍ଷିତ, ଚିନ୍ତାଶୀଳ ଓ ସାହସୀ ଲୋକେ ଭାବୁଚନ୍ତି, କିନ୍ତୁ କିଛି କରୁନାହାନ୍ତି ଏଇଥିପାଇଁ ଯେ କରିକି କିଛି ଲାଭ ନାହିଁ, କେହି ଶୁଣିବେନି। ତେଣୁ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ପରିବର୍ତ୍ତନ ପାଇଁ ସ୍ବେଚ୍ଛାସେବୀଙ୍କ ଆତୁରତା ଯଥେଷ୍ଟ ନୁହେଁ। ଏଥିପାଇଁ ଅନୁଷ୍ଠାନ ଦରକାର। ବଡ଼ ଅନୁଷ୍ଠାନ! ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନ। ଏ ଅନୁଷ୍ଠାନଗୁଡ଼ିକ ଭାରତୀୟ ସଭ୍ୟତା, ମୂଲ୍ୟବୋଧ, ଶାସ୍ତ୍ରୀୟତା, ଐକ୍ୟ, ସା˚ସ୍କୃତିକ ବୈଚିତ୍ର୍ୟ ଓ ସକ୍ଷମ ବୌଦ୍ଧିକତାର ଚର୍ଚ୍ଚା କରିଚାଲିବେ, ସମାଜର ବିଭିନ୍ନ ବର୍ଗ ଏଥି ସହିତ ସ˚ପୃକ୍ତ ହେବେ ଓ ଦେଶରେ ତଥା ସମାଜରେ ଗୋଟିଏ ସକାରାତ୍ମକ ପରିବର୍ତ୍ତନ ଓ ଆତ୍ମ ପରିଚୟର ଲହର ଖେଳିବ। ୟାକୁ କ୍ଷେତ୍ରୀୟ ନେତୃତ୍ବ ବା କିଛି ନେତୃତ୍ବର ମହତ୍ତ୍ବାକା˚କ୍ଷା ସହିତ ଯୋଡ଼ିଲେ ନିର୍ମାଣ ଆହୁରି ସୁନ୍ଦର, ରୋଚକ ଓ ସ୍ପର୍ଦ୍ଧାପୂର୍ଣ୍ଣ ହେବ। ୟା’କୁ ଭାରତୀୟ ଅନୁଷ୍ଠାନ ନ କହି ଏକ ବିଶ୍ବକେନ୍ଦ୍ର ଭାବରେ ଉପସ୍ଥାପନ କରାଯିବ। ୟା’ର କାର୍ଯ୍ୟ ହେବ ତୁଳନାତ୍ମକ ମୂଲ୍ୟବୋଧ, ଶାସ୍ତ୍ରୀୟତା ବା ବୈଚିତ୍ର୍ୟର ଅନୁଶୀଳନ। ଉପର ସ୍ତରରେ ଏଭଳି ଦିଶିବ, କିନ୍ତୁ ତଳେ ବା ଗଭୀର ରଚନାରେ ଉଦ୍ଦେଶ୍ୟ ଏଇଆ ରହିବ ଯେ ଭାରତୀୟ ଶ୍ରେଷ୍ଠତା ପ୍ରତିପାଦିତ ହେଉ। ଆମର ଶ୍ରେଷ୍ଠତା ଅଛି, କିନ୍ତୁ ୟାକୁ ପ୍ରମାଣିତ କରିବା ପାଇଁ ଆମର ଆଗ୍ରହ ବା ତତ୍ପରତା ନାହିଁ। ଚୀନ୍ ତା’ର ସଭ୍ୟତାକୁ ଅବଲୀଳାକ୍ରମେ ହରାଇ ସାରିଚି, କିନ୍ତୁ ତା’ର ବହପ, ଖୋଳକୁ ନେଇ। ଆମର ସଭ୍ୟତାର ପାଠ ଅଛି, ବସ୍ତୁ ଅଛି, କିନ୍ତୁ ଖୋଳ ନାହିଁ କି ବହପ ନାହିଁ।
ବିଶ୍ବକୁ ବା କ୍ଷେତ୍ରକୁ ଆଗରେ ରଖି, ତଳେ ତଳେ ଭାରତୀୟ ଉତ୍କର୍ଷର ସ୍ଥାପନା, କୂଟ ବା କପଟରେ ପରିଚାଳିତ ହେବାର ଆବଶ୍ୟକତା ନାହିଁ। ତଥ୍ୟ ଓ ଚିନ୍ତାର ସାମର୍ଥ୍ୟ ଦ୍ବାରା ଏହା କରାଯାଇପାରିବ। ପାଠକେ ଜାଣିଲେ ବିସ୍ମିତ ହେବେ ଯେ ଚୀନ୍, ସମଗ୍ର ବିଶ୍ବରେ ପ୍ରାୟ ପାଞ୍ଚଶହ କନ୍ଫୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ ସ୍ଥାପନା କରିଚି ଯାହାର ଉଦ୍ଦେଶ୍ୟ ଚୀନ୍ର ଅଦୃଶ୍ୟ ସାମ୍ରାଜ୍ୟବାଦ ପାଇଁ ସ˚ସ୍କୃତି ଓ ଭାଷାର ବ୍ୟବହାର। ପାଞ୍ଚଶହ! ୨୦୦୪ରୁ ଚୀନ୍ ଏ କାର୍ଯ୍ୟ ଆରମ୍ଭ କରିଚି। ୟାକୁ ଚଳାଏ ଚୀନ୍ର ଗୋଟିଏ ଅନୁଷ୍ଠାନ ଯାହାର ନାମ ହାନ୍ବାନ୍। ଏ ‘ହାନ୍ବାନ୍’ କ’ଣ? ଉପରେ ଉପରେ ଚାଇନିଜ୍ ଭାଷା ଶିକ୍ଷା କାର୍ଯ୍ୟକ୍ରମ ଓ ଅଣ-ଚାଇନିଜ୍ଙ୍କୁ ଚୀନ୍ର ସ˚ସ୍କୃତି ସହିତ ପରିଚିତ କରାଇବା ୟା’ର ଉଦ୍ଦେଶ୍ୟ। ‘ହାନ୍ବାନ୍’ ସତେ ଅବା ଗୋଟିଏ ସା˚ସ୍କୃତିକ ଅନୁଷ୍ଠାନ! କନ୍ଫୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ର ମୁହଁ ସିନା ‘ହାନବାନ୍’, ଅସଲ କାର୍ଯ୍ୟକ୍ରମ ପରିଚାଳନା କରେ ଗୋଟିଏ ହାନ୍ବାନ୍-ସ୍ଥାପିତ କମ୍ପାନି, ଯାହାର ନାମ ହାନ୍ଫେଙ୍ଗ୍ େଵବ୍ ଟେକ୍ନୋଲୋଜି ଲିମିଟେଡ୍! ୨୦୧୦ରେ ‘ଇକୋନୋମିଷ୍ଟ’ ପ୍ରଥମ ଥର ପାଇଁ ବିଶ୍ବକୁ ଜଣାଇଲା ଯେ ଏଇଟା ଚୀନ୍ର ଗୋଟେ ସରକାରୀ ଅନୁଷ୍ଠାନ, ଯାହାକୁ ଲୁଚେଇବା ପାଇଁ ଯାବତୀୟ ଫନ୍ଦିଫିକର। କଥା ଦିବାଲୋକ ଭଳି ସ୍ପଷ୍ଟ ହୋଇଗଲା, ଯେତେବେଳେ ଚାଇନିଜ୍ ପଲିଟ୍ବ୍ୟୁରୋର ସଦସ୍ୟ ଲି ଚାଙ୍ଗ୍ଚୁନ୍ ‘ହାନ୍ବାନ୍’ ପରିଦର୍ଶନ କରି ଟିପ୍ପଣୀ ଦେଲେ: ‘‘କନ୍ଫୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ର ଅସଲ ଉଦ୍ଦେଶ୍ୟ ଚୀନ୍ର ସ˚ସ୍କୃତିକୁ ବିଶ୍ବରେ ମହିମାମଣ୍ତିତ କରି ଉପସ୍ଥାପିତ କରିବା ଓ ଚୀନା ସ˚ସ୍କୃତିକୁ ବିଶ୍ବବ୍ୟାପୀ ପ୍ରଭାବକ୍ଷେତ୍ର ଭାବରେ ନିର୍ମାଣ କରିବା।’’ ଭାରତରେ ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଏ ଅନୁଷ୍ଠାନ ବିଦ୍ୟମାନ। ଚୀନ୍ର ବିଦେଶ ନୀତିର ଗୋଟେ ବଡ଼ ଜାଲ ଏ କନ୍ଫୁସିଅସ୍ ଇନ୍ଷ୍ଟିଚ୍ୟୁଟ୍। ଇଏ ଏବେ ସନ୍ଦେହର ଘେରରେ। ବର୍ତ୍ତମାନର ସରକାର ଏଇ ବର୍ଷ ଜୁଲାଇ ୨୯ ତାରିଖରେ ଏ ଇନ୍ଷ୍ଟିଚ୍ୟୁଟ୍କୁ ସନ୍ଦିଗ୍ଧ ବିଚାର କରୁଚନ୍ତି ବୋଲି ୯ ଅଗଷ୍ଟରେ ‘ଦ ହିନ୍ଦୁ’ ସମ୍ବାଦପତ୍ର ସ୍ପଷ୍ଟ କଲେ। ‘ହାନ୍ବାନ୍’ ସ୍ପଷ୍ଟୀକରଣ ଦେଲେ ଯେ ଇ˚ଲଣ୍ତର ବ୍ରିଟିସ୍ କାଉନ୍ସିଲ, ଫ୍ରାନ୍ସର ଆଲାଏଁସ୍ ଫ୍ରାସୋଆ ଓ ଜର୍ମାନୀର ଗେଟେ (ବା ଗୋଏଥେ) ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରଭାବିତ ହୋଇ ଚୀନ୍ର କନ୍ଫୁସିଅସ୍ ଇନ୍ଷ୍ଟିଚ୍ୟୁଟ୍ ପରିକଳ୍ପିତ ହୋଇଥିଲା। କି ଡାହା ମିଛ! ପୁଣି ଏ ମିଛକୁ ସତ ବୋଲି ପ୍ରମାଣ କରିବା ପାଇଁ ଚୀନ ଆହୁରି କେତେ ଅନୁଷ୍ଠାନ ଗଢ଼ି ସାରିଲାଣି। ତେଣୁ, ଏଥିରୁ ଆମର ଅନ୍ତତଃ ଏତିକି ବୁଝିବାର ଅଛି ଯେ ବିଶ୍ବ ନେତୃତ୍ବ ଓ କ୍ଷେତ୍ରୀୟ ନେତୃତ୍ବର ଆକଳନ ପାଇଁ ସବୁ ମହତ୍ତ୍ବା˚କାକ୍ଷୀ ପ୍ରତିଯୋଗୀ ଦେଶ ନିଜକୁ ସୁହାଇଲା ଭଳି ମାନଦଣ୍ତ ବିକଶିତ କରିଥିବା ବେଳେ, ଆମେ ମହତ୍ତ୍ବାକା˚କ୍ଷାହୀନ, ପ୍ରତିଯୋଗିତା ବିମୁଖ ଦର୍ଶକ ଭାବରେ ଗ୍ୟାଲେରିରେ ବସି ଖେଳ ଦେଖୁଚେ! ପୁଣି, ବିଶ୍ବର ରାଜନୈତିକ ମୁଖ୍ୟସ୍ରୋତ ଭାରତକୁ ଗ୍ୟାଲେରିରେ ବସାଇ ହୃଷ୍ଟପୁଷ୍ଟ ପପକର୍କଖିଆ ଅଳସୁଆ ଦେବତାରେ ପରିଣତ କଲେ ଆମର କି ଆନନ୍ଦ! ସଭ୍ୟତାକୁ ଧ୍ବ˚ସ କରି ତା’ର ଚର୍ମାବରଣକୁ ଢୋଲ କରି ପିଟିବାରେ କି ପୈଶାଚିକ ଉଲ୍ଲାସ! ଏ କନ୍ଫୁସିଅସ୍ କିଏ? ମହାତ୍ମା ପୁରୁଷ ସିଏ, ଖ୍ରୀଷ୍ଟପୂର୍ବ ୫୫୧ରେ ଜନ୍ମ, ଖ୍ରୀଷ୍ଟପୂର୍ବ ୪୭୯ରେ ତିରୋଧାନ। ୟାଙ୍କରି ପାଞ୍ଚଟି ଶୀଳ ବା ନୀତି ହେଲେ: ଜେନ୍ (ସମ୍ବେଦନା), ୟି (ସନ୍ମାର୍ଗ), ଲି (ସଦାଚାର), ଚିଃ (ପ୍ରଜ୍ଞା), ସିନ୍ (ବିଶ୍ବସନୀୟତା)! ହେ ପ୍ରଭୁ ଏ ଚୀନାମାନଙ୍କର କି ଅମାନୁଷିକ ଦୁର୍ବୁଦ୍ଧି! ବିଚରା ଭୋଳା ସନ୍ଥଟିକୁ ସାମ୍ନାରେ ରଖି କପଟ ପାଶା!
ଆମର ଏ କୁତ୍ସିତ କପଟ ଦରକାର ନାହିଁ। ଆମ ‘ଗ୍ଲୋବାଲ୍ ସେଣ୍ଟର୍’ରେ ଭାରତୀୟ ସଭ୍ୟତା, ଶାସ୍ତ୍ର ଓ ମୂଲ୍ୟବୋଧର ଚର୍ଚ୍ଚା ହେବ, ପ୍ରମାଣ ପ୍ରତିଷ୍ଠିତ ହେବ। ୟା ଜରିଆରେ ଭାରତୀୟ ଲୋକସମୂହ, ଦେଶ ଓ ରାଷ୍ଟ୍ରର ମହତ୍ତ୍ବ ପ୍ରସାର କ’ଣ ଭୁଲ୍ ନା ଏ ଚୀନାଙ୍କ ଚକ୍ରାନ୍ତ ସହିତ ତୁଳନୀୟ? ସତ୍ୟ ଆମକୁ ପ୍ରତିଷ୍ଠା ଦେବ, କେବଳ ଗୁଣୀଲୋକଙ୍କ ସ˚ପୃକ୍ତି ଦରକାର।
ବ୍ୟକ୍ତିଗତ ଭାବରେ ମୋ ମନ ଭିତରେ ଗୋଟେ ଚିନ୍ତା ଗତ ଦଶ ବର୍ଷ ଭିତରେ ମୋତେ ଅହରହ ବିଚଳିତ କରି ଚାଲିଥିଲା। ସେ ପ୍ରସ୍ତାବଟି ଥିଲା ଓଡ଼ିଶାରେ ‘ଦ ଗ୍ଲୋବାଲ୍ ସେଣ୍ଟର ଫର୍ ହ୍ୟୁମାନ ଭାଲ୍ୟୁଜ୍’ର ସ୍ଥାପନା। ଗୋଟେ ବଡ଼ ସ୍ବପ୍ନ ଥିଲା ସେଇଟା। ମୁଁ ମୋ ପ୍ରସ୍ତାବ ଅନ୍ତତଃ ମୁଁ ଜାଣିଥିବା ସବୁ ବଡ଼ ଶିଳ୍ପପତିଙ୍କୁ ଦେଇ ନିରାଶ ହୋଇଯାଇଥିବା ବେଳେ ଗୋଟିଏ ମଞ୍ଚରେ ଏକାଠି ପୁରସ୍କୃତ ହେବା ଅବସରରେ ପାଖାପାଖି ବସିଥିଲୁ ମୁଁ ଓ ଜିନ୍ଦଲ୍ ଷ୍ଟିଲ୍ ଆଣ୍ତ ପାଵାରର କର୍ତ୍ତ୍ରୀ ଶାଲ୍ଲୁ ଜିନ୍ଦଲ୍। ସେଇଠି କଥା ଛଳରେ ଏ ପ୍ରସଙ୍ଗ ବି ଆସିଗଲା। ଶ୍ରୀମତୀ ଜିନ୍ଦଲ୍ ଜଣେ ତେଜସ୍ବିନୀ, ସାହସୀ ଓ ସ୍ବପ୍ନଦ୍ରଷ୍ଟା ମହିଳା। ମୋ ପ୍ରସ୍ତାବରେ ସେ ପୁଲକିତ ହେଲେ, ମତେ ଅନୁରୋଧ କଲେ ସୋନିପତ୍ (ହରିଆଣା)ର ଓ.ପି.ଜିନ୍ଦଲ୍ ଗ୍ଲୋବାଲ୍ ୟୁନିଭର୍ସିଟିରେ ପ୍ରସ୍ତାବର ବିଧିବଦ୍ଧ ଉପସ୍ଥାପନା ପାଇଁ। ମୁଁ ସେଠିକି ଗଲି ଓ ଓ.ପି.ଜିନ୍ଦଲ୍ ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର ରାଜକୁମାର ତଥା ଅନ୍ୟ ପ୍ରଫେସରମାନଙ୍କ ସହିତ ସୁଦୀର୍ଘ ଆଲୋଚନା ବି ହେଲା। ଗୋଟିିଏ ପ୍ରୋଜେକ୍ଟ ରିପୋର୍ଟ ମୁଁ ପ୍ରସ୍ତୁତ କରିଥିଲି, ସେଇଟି ସେମାନଙ୍କ ପାଖରେ ରହିଲା। ତା’ପରେ କିଛି ଆଗକୁ ବଢ଼ିଲା ନାହିଁ; କୁଆଡ଼େ ଜିନ୍ଦଲ୍ ଷ୍ଟିଲ୍ ଆଣ୍ତ ପାଵାର କ୍ଷତି ଭିତର ଦେଇ ଯାଉଥିବା ହେତୁ ନୂଆ ସି.ଏସ୍.ଆର୍ ପ୍ରୋଜେକ୍ଟ ହାତକୁ ନେଲେ ନାହିଁ। ମୋତେ ପଚରା ଯାଇଥିଲା ଗୋଟିଏ କ୍ଷୁଦ୍ର ଆରମ୍ଭ କିପରି କରାଯାଇପାରେ। ମୁଁ କହିଥିଲି ଗୋଟିଏ ସାଇନ୍ ବୋର୍ଡର ମୂଲ୍ୟ ଯେତିକି, ସେତିକି ଖର୍ଚ୍ଚ କଲେ ଅନୁଷ୍ଠାନ ଆରମ୍ଭ ହୋଇପାରିବ। ଅନୁଷ୍ଠାନ ବିତ୍ତ ବଳରେ ହୁଏ ନାହିଁ, ବୁଦ୍ଧି ବଳରେ ହୁଏ। ମୁଁ ବିଶ୍ବାସ କରୁନି ଯେ ପାଣ୍ଠିର ସମସ୍ୟା ଥିଲା। ଓଡ଼ିଶାର ଓଡ଼ିଆ ଯତ୍ର ବି କେହି ଥାଇପାରନ୍ତି ଯିଏ ଜିନ୍ଦଲ କମ୍ପାନିକୁ ହଠାତ୍ ବିମୁଖ କରାଇବାରେ ସଫଳ ହେଲେ। କିନ୍ତୁ ଶ୍ରୀମତୀ ଜିନ୍ଦଲ୍ଙ୍କୁ ଧନ୍ୟବାଦ, ସେ ତାଙ୍କ ତରଫରୁ ଯଥେଷ୍ଟ ପ୍ରୟାସ କରିଥିଲେ।
୨୦୧୮ରେ ମିଳିଲା ଗୋଟେ ସୁବର୍ଣ୍ଣ ସୁଯୋଗ। ମୁଁ ଯଦିଓ ଭାରତୀୟ ଜନତା ପାର୍ଟି ବା ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘର ସଦସ୍ୟ ନୁହେଁ, କେବଳ ବୌଦ୍ଧିକ ବିଚାରର ସ୍ତରରେ ଆର୍.ଏସ୍.ଏସ୍ର ଅଧୢକ୍ଷ ମୋହନଜୀ ଭାଗଵତ୍ଙ୍କ ସହିତ ଏକଦା ମୋର ମତ ବିନିମୟ ହୋଇଥିଲା ତାଙ୍କର ଚମତ୍କାର ଦଶହରା ଅଭିଭାଷଣ ଉପରେ। ୨୦୧୮ରେ ମୋହନଜୀ ଭୁବନେଶ୍ବର ଆସିଥିବା ବେଳେ ତାଙ୍କ ସହିତ ମୋର ଦୀର୍ଘ ଘଣ୍ଟାକର ବ୍ୟକ୍ତିଗତ ଆଲୋଚନା ସମ୍ଭବ ହୋଇଥିଲା। ସେ ଭାରତୀୟ ସନ୍ଦର୍ଭର ଶିଖର ପୁରୁଷ, ରାଜନୈତିକ ଓ ଅଣରାଜନୈତିକ ପ୍ରଭାବରେ ବିପୁଳ ପ୍ରଭାମଣ୍ତଳଧାରୀ ବ୍ୟକ୍ତିତ୍ବ, ମୁଁ ଖୁବ୍ ବେଶିରେ ଜଣେ ଦେଶପ୍ରେମୀ ରାଷ୍ଟ୍ରବାଦୀ ବ୍ୟକ୍ତି, ଆବେଗ ପ୍ରବଳ, ଚିନ୍ତା ଅନେକ, କିନ୍ତୁ ଏକା କିଛି କରିବାର ସାମର୍ଥ୍ୟ ବଞ୍ଚିତ! ଶୁଣିଲି ତାଙ୍କୁ, ସ୍ତବ୍ଧ ହୋଇ ଶୁଣିଲି ତାଙ୍କର ତର୍କ ଓ ବ୍ୟାପକ ଚିନ୍ତନର ବ୍ୟାଖ୍ୟାନ। ମୁଁ କଳ୍ପନା ବି କରିନଥିଲି ସେ ଏତେ ବଡ଼ ପ୍ରାଜ୍ଞ ପୁରୁଷ ହୋଇଥିବେ, ଯିଏ ଭାରତ ସହିତ ବିଶ୍ବର ପ୍ରତିଷ୍ଠାକୁ ବି ଏତେ ପ୍ରାଞ୍ଜଳ ଭାବରେ ପ୍ରସ୍ତୁତ କରିପାରୁଥିବେ। ଯେହେତୁ ମୋର କିଛି ପାଇବାର ନ ଥିଲା କି ହରାଇବାର ନ ଥିଲା, ମୁଁ ତାଙ୍କୁ କହିଗଲି ମୋର ଦୃଷ୍ଟିକୋଣ ଓ ଶେଷରେ କହିଲି ଓଡ଼ିଶାରେ ‘ଗ୍ଲୋବାଲ୍ ସେଣ୍ଟର୍ ଫର୍ ହ୍ୟୁମାନ୍ ଭାଲ୍ୟୁଜ୍’ ସ୍ଥାପନ କରିବାର ସ୍ବପ୍ନ ବିଷୟରେ। ସେ ଶୁଣିଲେ ଓ ଏକ ସକାରାତ୍ମକ ଆଶ୍ବାସନା ନେଇ ମୁଁ ଫେରିଲି। ପୁଣି ଦେଖାହେଲା ଗତ ବର୍ଷ ଭୁବନେଶ୍ବରରେ। ମୁଁ ତାଙ୍କୁ ମନେ ପକାଇ ଦେଲି। ସେ କହିଲେ ତାଙ୍କ ସ୍ମୃତିରେ ଅଛି। ମୁଁ ବିଶ୍ବାସ କରେ ଯେ କିଛି ଗୋଟାଏ, କେବେ ନା କେବେ ହେବ। ‘ମାନବିକ ମୂଲ୍ୟବୋଧର ବିଶ୍ବକେନ୍ଦ୍ର’ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କିଛି ଅଛି କି ଭାରତର ବିଶ୍ବନେତୃତ୍ବର ଆଧାର ଶିଳା ପାଇଁ? ଏସିଆରେ ଭାରତର ନେତୃତ୍ବ ବା ବିଶ୍ବରେ ନେତୃସ୍ଥାନୀୟ ଭାରତର କଳ୍ପନାକୁ ସାକାର କରିବା ପାଇଁ ଆମକୁ ଆର୍ଯ୍ୟଋଷି, ବୁଦ୍ଧ, ମହାବୀର, ଶଙ୍କର ବା ନାନକଙ୍କ ନାଁକୁ ଖୋଳ ଭଳି ବ୍ୟବହାର କରିବାର ନାହିଁ, କି ପିତୃପୁରୁଷଙ୍କ ଅସ୍ଥିଚର୍ମରେ ଆତ୍ମବଡ଼ିମାର ଢୋଲ ତିଆରି କରିବାର ନାହିଁ। ଆମେ ଆଧୢାତ୍ମିକ ଲୋକ, ସବୁ ଧର୍ମଧାରା ଓ ବିଚାରଧାରାକୁ ମୁଣ୍ତରେ ବସେଇଥିବା ଲୋକ; ପିତୃପୁରୁଷଙ୍କ ଅଭିଶାପ ନେଇ ତିଷ୍ଠି ପାରିବା ନାହିଁ। କନ୍ଫୁସିଅସ୍ଙ୍କ ଅଭିଶାପରେ ଚୀନ୍ ନିଜକୁ ଧ୍ବ˚ସ କରିବ। କିନ୍ତୁ କାହା ଆଶୀର୍ବାଦରେ ଆମେ ଏସିଆର ଓ ବିଶ୍ବର ମାନବିକତାର ପ୍ରବକ୍ତା ଓ ପୂଜକ ଭାବରେ ଆମର ଅସ୍ତିତ୍ବ ପ୍ରତିଷ୍ଠା କରିବା? ଜଣେ ମହାପୁରୁଷ ନୁହନ୍ତି, ବହୁ ମହାପୁରୁଷଙ୍କ ଧୢାନ ଓ ବାଣୀରେ ନିର୍ମିତ ଆମର ସଭ୍ୟତା। ତାହାରି ଆଶୀର୍ବାଦ ମିଳିବ, ଯଦି ଆମର ମାର୍ଗ ଓ ଲକ୍ଷ୍ୟ ଠିକ୍ ଥାଏ। ଯଦି ସତକୁ ସତ କେବେ ଦିନେ ଓଡ଼ିଶାରେ ଏଭଳି ବିଶ୍ବ କେନ୍ଦ୍ରଟିଏ ସ୍ଥାପିତ ହୁଏ ଏବ˚ ସରକାରଙ୍କୁ ଭାରାକ୍ରାନ୍ତ ନ କରି ଓଡ଼ିଶାର ଧନପତିମାନଙ୍କର ଏକ କନ୍ସୋଟିଅମ୍ ୟାକୁ ସମ୍ଭବ କରାଏ, ତେବେ ଜାଣିବା ଆମର ମାର୍ଗ ଠିକ୍ ଓ ଲକ୍ଷ୍ୟ ବି ଠିକ୍!
ଜଣେ ବୁଦ୍ଧିମାନ ଯୁବ ଭାରତୀୟଙ୍କୁ ମୁଁ ପଚାରିଲି: କନ୍ଫୁସିଅସ୍ କିଏ? ସେ ଉତ୍ତର ଦେଲେ ସେ ଜଣେ ଗ୍ରୀକ୍ ଶିଳ୍ପପତି! ଏ ଦଶା ଆର୍ଯ୍ୟଋଷି, ବୁଦ୍ଧ, ମହାବୀର, ଶଙ୍କର ଓ ନାନକଙ୍କର ନ ହେଉ, ଅନ୍ତତଃ ସେପରି ହେବା ଆଗରୁ ସଭ୍ୟତାର ସ୍ମୃତିପଟଟିଏ ବିଶ୍ବକୁ ସମର୍ପିତ ହେଉ।
ବାଗର୍ଥ, ଏନ୍ ୨/୨୬
ଆଇଆର୍୍ସି ଭିଲେଜ୍, ଭୁବନେଶ୍ବର
ମୋ- ୯୪୩୭୦୩୯୮୫୮