ଜଣେ ଧନୀ ଲୋକ ମହାନ ଦାନୀ ବୋଲି ସୁନାମ ପାଇଥିଲେ। ସେହି ସହରରେ ଆଉ ଜଣେ ଧନୀ ଥିଲେ, ଯିଏ ଦାନ ସିନା କରୁଥିଲେ ହେଲେ, ପ୍ରଥ‌େମ ଯେଉଁ ଧନୀଙ୍କ କଥା କୁହାଯାଇଛି, ତାଙ୍କ ତୁଲ୍ୟ ପ୍ରଶଂସା ପାଉ ନ ଥିଲେ। କାରଣ ଲୋକେ କହୁଥିଲେ ଯେ ଦ୍ବିତୀୟ ଧନୀ ଲୋକଙ୍କ ହାତ ପ୍ରଥମ ଧନୀଙ୍କ ଭଳି ଏତେ ଖୋଲା ନୁହେଁ। ଥରେ ଲୋକଙ୍କ ଭିତରେ ଏ ବିଷୟରେ ଆଲୋଚନା ଚାଲିଥାଏ। ଜଣେ ଗୁଣୀ ଲୋକ କିନ୍ତୁ ଅଲଗା ମତ ପ୍ରକାଶ କଲେ। ସେ କହିଲେ ଯେ ପ୍ରକୃତ ଦାନୀ ହେଉଛନ୍ତି ସେହି ଦ୍ବିତୀୟ ଧନୀ।

Advertisment

ଆଲୋଚନାରେ ଭାଗ ନେଇଥିବା ଲୋକେ ଏବେ ଦାବି କଲେ, ‘ବୁଝାଅ, ତୁମେ କେମିତି ଏମିତି କହୁଛ?’
ସୁତରାଂ, ଗୁଣୀ ଲୋକ ଜଣକ କହିଲେ- ତୁମେ ଯେଉଁ ଧନୀଙ୍କୁ ପ୍ରକୃତରେ ଦାନୀ ବୋଲି କହୁଛ, ସେ ପାତ୍ର ଓ ଅପାତ୍ର ବିଚାର ନ କରି ଯିଏ ଯେତେବେଳେ ଯାହା ମାଗିଲା, ତାକୁ ଦାନ ଦେଉଛନ୍ତି। ଏହା ଦ୍ବାରା ହୁଏ’ତ ଅସଂଖ୍ୟ ଗରିବ ଲୋକେ ଉପକୃତ ହୋଇଥାଇପାରନ୍ତି, କିନ୍ତୁ ତା ସହିତ ବିଚାର କର କେତେ ମଦ୍ୟପ, କେତେ ଜୁଆଡ଼ି ସେ ସୃଷ୍ଟି କରି ନାହାନ୍ତି ସତେ? ଲୋକେ ତାଙ୍କ ଠାରୁ ଅର୍ଥ ନେଇ କେତେ ଅନର୍ଥମୂଳକ କାମରେ ଲଗାଇଛନ୍ତି, ତାହା ସେ ଦେଖିଛନ୍ତି? କିନ୍ତୁ ଦ୍ବିତୀୟ ଧନୀ ଜଣକ ପାତ୍ର ଓ ଅପାତ୍ର ବିଚାର କରି ଦିଅନ୍ତି। ସେଥିଲାଗି ତାଙ୍କ ଦାନ କେବଳ ହିତରେ ଲାଗେ।