ପାଞ୍ଚ ବର୍ଷରେ ଜିଏସ୍‌ଟି

ସହଦେବ ସାହୁ

୨୦୧୭ ଜୁନ ୩୦ ତାରିଖର ମଧୢରାତ୍ରରେ ଭାରତର ରାଷ୍ଟ୍ରପତି ରାଜ୍ୟସଭା ଓ ଲୋକସଭାର ଏକ ମିଳିତ ଅଧିବେଶନରେ ଦେଶରେ ଜିଏସ୍‌ଟି ପ୍ରଚଳନର ଘୋଷଣା କରିଥିଲେ ଏବ˚ ଦେଶରେ ଜୁଲାଇ ୧ ତାରିଖରୁ ଜିଏସ୍‌ଟି ଲାଗୁ ହେଲା। ୨୦୦୬-୦୭ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ଦେଶରେ ଜିଏସ୍‌ଟି ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ ଏବ˚ ରାଜ୍ୟରେ ବିକ୍ରିକର ବଦଳରେ ଭାଟ୍ ଲାଗୁ କରିବାକୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ନେଇ ଗଠିତ କ୍ଷମତାସ˚ପନ୍ନ କମିଟି ଜିଏସ୍‌ଟି ପ୍ରଚଳନ କରିବାକୁ କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଗାର ବର୍ଷ ପରେ ବହୁ ତର୍କବିତର୍କ, ଆଶା ଆଶଙ୍କା ଭିତରେ ଜିଏସ୍‌ଟି ଜୁଲାଇ ୧, ୨୦୧୭ରେ ଲାଗୁହେଲା।
ଏପ୍ରିଲ ୨୦୨୨ରେ ଦେଶରେ ଜିଏସ୍‌ଟି ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ଆଦାୟ ହୋଇଛି, ଯାହାକି ଜିଏସ୍‌ଟି ପ୍ରଚଳନ ଠାରୁ ଅଦ୍ୟାବଧି ସର୍ବାଧିକ ଆଦାୟ। ଏହା ମାର୍ଚ୍ଚ ୨୦୨୨ ତୁଳନାରେ ୧୮% ଅଧିକ ଏବ˚ ଏପ୍ରିଲ ୨୦୨୧ ତୁଳନାରେ ୨୦% ଅଧିକ। ଅର୍ଥଶାସ୍ତ୍ରୀ ଓ ସରକାର କହୁଛନ୍ତି ଏହା କରୋନା ବିପର୍ଯ୍ୟୟ ପରେ ଅର୍ଥନୈତିକ ଅବସ୍ଥାର ପୁନରୁଦ୍ଧାର ସୂଚନା। କରୋନା ସମୟରେ ୨୦୨୦-୨୧ରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥିଲା। ଫଳରେ ୨୦୧୯-୨୦ରେ ଜିଏସ୍‌ଟି ଆଦାୟ ୧୨ ଲକ୍ଷ ୧୨ ହଜାର କୋଟି ହୋଇଥିଲା ବେଳେ ୨୦୨୦-୨୧ରେ ଜିଏସ୍‌ଟି ଆଦାୟ ୧୧ ଲକ୍ଷ ୩୨ ହଜାର କୋଟିକୁ ହ୍ରାସ ପାଇଥିଲା। ୨୦୨୧-୨୨ରେ ଜିଏସ୍‌ଟି ଆଦାୟ ୧୪ ଲକ୍ଷ ୭୬ ହଜାର କୋଟି ଟଙ୍କା ହୋଇଛି। ରିଟର୍ଣ୍ଣ ଦାଖଲ ମଧୢ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୧ରେ ୭୮.୩% ରିଟର୍ଣ୍ଣ ଦାଖଲ ହୋଇଥିଲା ବେଳେ ଏପ୍ରିଲ ୨୦୨୨ରେ ୮୪.୭% ରିଟର୍ଣ୍ଣ ଦାଖଲ ହୋଇଛି। ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଓଡ଼ିଶାରେ ଜିଏସ୍‌ଟି ଆଦାୟ ୪୯% ବୃଦ୍ଧି ପାଇଛି। ୨୦୨୦-୨୧ରେ ୨୯ ହଜାର ୮୫୩ କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ୨୦୨୧-୨୨ରେ ୪୪ ହଜାର ୩୩୫ କୋଟି ଟଙ୍କା ଆଦାୟ ହୋଇଛି।
ଉପରୋକ୍ତ ପରିସ˚ଖ୍ୟାନ୍‌ ବା ଟିକସ ଆଦାୟରୁ ଜିଏସ୍‌ଟିର ସଫଳତା ମୂଲ୍ୟାୟନ କରିବା ଠିକ୍‌ ହେବନି। ପା˚ଚ ବର୍ଷ ଭିତରୁ ଦୁଇ ବର୍ଷ ଦେଶରେ କରୋନା କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି। ଏପ୍ରିଲ ମାସରେ ଅଧିକ ଆଦାୟର ଏକ କାରଣ ହେଉଛି, ଏପ୍ରିଲ ମାସରେ ମାର୍ଚ୍ଚ ମାସର କାରବାରର ପୈଠ କର ଏବ˚ ମାର୍ଚ୍ଚ ମାସରେ ଉଭୟ ମାସିକିଆ ଏବ˚ ତିନିମାସିଆ ରିଟର୍ଣ୍ଣ ବ୍ୟବସାୟୀ ବା ଯୋଗାଣକର୍ତ୍ତା ଦାଖଲ କରିଥାନ୍ତି। ମାର୍ଚ୍ଚ ମାସ ଆର୍ଥିକ ବର୍ଷର ଶେଷ ମାସ ହେଉଥିବାରୁ ବହୁତ କମ୍ପାନି ମାର୍ଚ୍ଚ ମାସରେ ଅଧିକ ବିକ୍ରି କରିଥାନ୍ତି ବା ଦେଖେଇଥାଆନ୍ତି। ଏପ୍ରିଲ ମାସର ଜିଏସଟି ଆଦାୟ ୧ ଲକ୍ଷ ୬୮ ହଜାର କୋଟି ହୋଇଥିଲା ବେଳେ ମେ’ ମାସର ଜିଏସ୍‌ଟି ଆଦାୟ ୧ ଲକ୍ଷ ୪୧ ହଜାର କୋଟି ଟଙ୍କା, ଅର୍ଥାତ ଏପ୍ରିଲ ମାସ ଠାରୁ ମେ’ ମାସରେ କମ୍‌ ଆଦାୟ ହୋଇଛି।

ଓଡ଼ିଶାର ଅଭୂତପୂର୍ବ ଜିଏସ୍‌ଟି ଆଦାୟର ଅନ୍ୟତମ ମୁଖ୍ୟ କାରଣ ମାଇନି˚ ସେକ୍‌ଟର ବା ଖଣିଜ ପଦାର୍ଥର ଖନନ ଏବ˚ ବିକ୍ରି। ମାଇନି˚ ସେକ୍‌ଟରରୁ ସରକାର ୨୦୨୦-୨୧ରେ ୧୩,୯୧୮ କୋଟି ଟଙ୍କା ରାଜସ୍ବ ପାଇଥିଲା ବେଳେ ୨୦୨୧-୨୨ରେ ୪୮ ହଜାର କୋଟି ଟଙ୍କା ପାଇଛନ୍ତି। ସେହି ଅନୁପାତରେ ମାଇନି˚ ସେକ୍‌ଟରରୁ ଜିଏସ୍‌ଟି ଅଧିକ ମିଳିଛି। ଖନନ ଉପରେ ଜିଏସ୍‌ଟି ଆଦାୟ ହୁଏ। ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ଜିଏସ୍‌ଟି ଆଦାୟ ୮୧% ଅଧିକ ହୋଇଛି। ଦେଶରେ ଅଧିକ ଜିଏସ୍‌ଟି ଆଦାୟର ଅନ୍ୟତମ କାରଣ ମୁଦ୍ରାସ୍ଫୀତି। ବିକ୍ରି ଓ ଯୋଗାଣ ଉପରେ ଜିଏସ୍‌ଟି ଆଦାୟ ହୁଏ, ତେଣୁ ଅଧିକ ମୂଲ୍ୟରେ ବିକ୍ରି ବା ଯୋଗାଣ ହେଲେ ଅଧିକ ଟିକସ ଆଦାୟ ହୁଏ। ୨୦୨୧-୨୨ରେ ପାଇକାରୀ ମୂଲ୍ୟ ସୂଚୀ ବା ହୋଲସେଲ ପ୍ରାଇସ ଇ˚ଡେକ୍‌ସ ୧୨.୯୬% ଥିଲା। କେନ୍ଦ୍ର ଓ ରାଜ୍ୟ ଆଦାୟ କରୁଥିବା ୧୭ଟି କର ବଦଳରେ ଜିଏସ୍‌ଟି ଲାଗୁ ହୋଇଛି। ପ୍ରତ୍ୟେକ କରର ନିୟମ ଅନୁସାରେ ବ୍ୟବସାୟୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡୁଥିଲା, ରିଟର୍ଣ୍ଣ ଦାଖଲ କରିବାକୁ ପଡୁଥିଲା, ବ୍ୟବସାୟୀଙ୍କୁ ପ୍ରତ୍ୟେକ ନିୟମ ଅନୁସାରେ ହିସାବ ରଖିବାକୁ ପଡୁଥିଲା, ଭିନ୍ନ ଭିନ୍ନ ଅଫିସ ଯିବାକୁ ପଡୁଥିଲା। ଜିଏସ୍‌ଟିରେ ଗୋଟିଏ ରିଟର୍ଣ୍ଣ ଦେବାକୁ ପଡୁଛି, ଗୋଟିଏ ରେଜିଷ୍ଟ୍ରେସନ ନେବାକୁ ହେଉଛି, ଦେଶରେ, ସବୁ ରାଜ୍ୟରେ ଗୋଟିଏ ନିୟମ ଏବ˚ ଦ୍ରବ୍ୟ ବା ସେବା ଉପରେ ପ୍ରତ୍ୟେକ ରାଜ୍ୟରେ ଗୋଟିଏ କରହାର ବା ଟାକ୍‌ସ ରେଟ। ପରୋକ୍ଷ କର ଆଦାୟ କ୍ଷେତ୍ରରେ ଜିଏସ୍‌ଟି ଏକ ବଡ଼ ସ˚ସ୍କାର ଏବ˚ ନିଶ୍ଚିତ ଭାବେ ଏହା ଅନେକ ସଫଳତା ଆଣିଛି। ତଥାପି ଜିଏସ୍‌ଟିରେ କେତେ ତ୍ରୁଟିବିଚ୍ୟୁତି ରହୁଛି। ଜିଏସ୍‌ଟି ନିୟମ ଅଧିକ ସରଳ ଓ ସହଜ ହେବା ଆବଶ୍ୟକ।

ଜିଏସ୍‌ଟି ଆଇନର ମୂଳ ବ୍ୟବସ୍ଥା ଅନୁସାରେ ଜିଏସ୍‌ଟିଆର‌୍‌ (GSTR) ୧, ୨, ଓ ୩ ଫର୍ମରେ ରିଟର୍ଣ୍ଣ ଦାଖଲ କରିବାର ଥିଲା, କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସେଥିପାଇଁ କାମ ଚଳିବାକୁ ସାମୟିକ ଭାବେ ଜିଏସ୍‌ଟିଆର‌୍‌ ୩ବି (GSTR-3B) ଫର୍ମର ପ୍ରଚଳନ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେହି କାମଚଳା ଫର୍ମରେ ରିଟର୍ଣ୍ଣ ଦାଖଲ ଚାଲିଛି ଏବ˚ କିଛିଟା ଅସୁବିଧା ହେଉଛି। କ୍ରୟ ମୂଲ୍ୟ ଉପରେ ପୈଠ କରର ଫେରସ୍ତ ବା ଇନ୍‌ପୁଟ ଟାକ୍‌ସ କ୍ରେଡିଟ ମିଳିବାରେ ବ୍ୟବସାୟୀ ବା ଶିଳ୍ପପତି ଅସୁବିଧା ଭୋଗୁଥିବାର ଅଭିଯୋଗ ଆସୁଛି। କେତେକ ଦ୍ରବ୍ୟ ବା ସେବା ଯୋଗାଣ କ୍ଷେତ୍ରରେ କର ହାର ବା ଟାକ୍‌ସ ରେଟ୍‌ କେତେ ହେବ ସ୍ପଷ୍ଟ ହୋଇପାରିନାହିଁ, ଫଳରେ ବ୍ୟବସାୟୀ ଅସୁବିଧାରେ ପଡୁଛନ୍ତି। ଆଦର୍ଶ ଓ ସରଳ ଜିଏସ୍‌ଟି ପାଇଁ ଗୋଟିଏ କିମ୍ବା ଦୁଇଟି କର ହାର, ଯଥା କରମୁକ୍ତ ଦ୍ରବ୍ୟ ବା ସେବାକୁ ଛାଡ଼ିଦେଲେ, ଅତ୍ୟାବଶ୍ୟକ ଦ୍ରବ୍ୟ ପାଇଁ ୫% ବା ୬% ଏବ˚ ଅନ୍ୟ ସବୁ ଦ୍ରବ୍ୟ ବା ସେବା ପାଇଁ ୧୫% ପାଖାପାଖି ହେବା ଆବଶ୍ୟକ। ମାତ୍ର, ଏବେ କରମୁକ୍ତ ଦ୍ରବ୍ୟ ଓ ସେବାକୁ ଛାଡ଼ିଦେଲେ, ବିଭିନ୍ନ ଦ୍ରବ୍ୟ ଓ ସେବା ଉପରେ କର ହାର ୩%, ୫%, ୧୨%, ୧୮%, ୨୮% ରହିଛି ଏବ˚ ଜିଏସ୍‌ଟି ବ୍ୟବସ୍ଥାକୁ ଜଟିଳ କରିଦେଇଛି। ଏବେ ଏହିସବୁ କର ହାରକୁ ଆସ୍ତେ ଆସ୍ତେ ହ୍ରାସ କରି ଗୋଟିଏ କିମ୍ବା ଦୁଇଟି କର ହାର ରଖିବାର ସମୟ ଆସିଛି। ଜିଏସ୍‌ଟି ପ୍ରଚଳନରେ ରାଜ୍ୟର କ୍ଷତି ହେଲେ ପା˚ଚ ବର୍ଷ ପାଇଁ କ୍ଷତିପୂରଣ ଦେବାକୁ ସ˚ବିଧାନରେ ବ୍ୟବସ୍ଥା କରାଯାଇଥିଲା। କେତୋଟି ଦ୍ରବ୍ୟରେ ‘ସେସ୍‌’ ଆଦାୟ ହୋଇ କ୍ଷତିପୂରଣ ଦିଆଯାଉଥିଲା। କରୋନା କାରଣରୁ ଅର୍ଥନୈତିକ ବିପର୍ଯ୍ୟୟ ହେତୁ ଜିଏସ୍‌ଟି ଆଦାୟରେ ସ୍ଥିରତା ଆସିନାହିଁ। ରାଜ୍ୟମାନେ ଅଧିକ କିଛି ବର୍ଷ କ୍ଷତିପୂରଣ ଦେବାକୁ ଦାବି କରୁଛନ୍ତି, କେନ୍ଦ୍ର ରାଜି ହେଉନାହିଁ। ଆଗାମୀ ଜିଏସ୍‌ଟି ପରିଷଦର ବୈଠକରେ ବୋଧହୁଏ ଏହା ଉପରେ ନିଷ୍ପତ୍ତି ନିଆଯିବ। ଜିଏସ୍‌ଟି କାର୍ଯ୍ୟକାରିତାରେ ପରିଲକ୍ଷିତ ତ୍ରୁଟିବିଚ୍ୟୁତିକୁ ଜିଏସ୍‌ଟି ପରିଷଦ ବିଚାର କରି ତାହା ଦୂର କରିବାକୁ ଅନୁମୋଦନ କରୁଛି। ଜିଏସ୍‌ଟିକୁ ସରଳ କରିବାକୁ ଜିଏସ୍‌ଟି ପରିଷଦ ପଦକ୍ଷେପ ନେବା ଆଶା କରାଯାଉଛି।
ମୋ:୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର