ଓଟ ସପ୍ତାହକୁ ଥରେ ମାତ୍ର ପାଣି ପିଇ ତଥା ମରୁଭୂମିର ଚରମ ପ୍ରତିକୂଳ ପରିସ୍ଥିତିରେ ବଞ୍ଚି ରହିପାରେ। ସୁତରାଂ, ଜଳବାୟୁ ପରିବର୍ତ୍ତନ କାରଣରୁ ଭବିଷ୍ୟତ୍ର ଚିତ୍ର ଦେଖି ପାରି ସେମାନେ ନିଜ ଜୀବନଯାପନର ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ। ଏଣେ, ଜଳବାୟୁ ପରିବର୍ତ୍ତନ ବା ଉତ୍ତପ୍ତୀକରଣର ଧାରାରେ ବିରାମ ଲଗାଇବା ଲାଗି ଯେଉଁମାନଙ୍କ ଭୂମିକା ନିର୍ଣ୍ଣାୟକ ହୁଅନ୍ତା, ସେମାନେ ସାମାନ୍ୟତମ ତ୍ୟାଗ ସ୍ବୀକାର କରିବାକୁ ଅନିଚ୍ଛୁକ। ସୁତରାଂ, ରୌଦ୍ର ତାପ ଭରା ଏକ ଦ୍ବିପ୍ରହରରେ ଏହା ଲେଖିଲା ବେଳେ ଗୋଟିଏ ଶ୍ରେଣୀର ଉଦାସୀନତା ଏବଂ ଆଉ ଏକ ବର୍ଗର ଅସହାୟତା ପରିପ୍ରେକ୍ଷୀରେ ଏକ ଧାରଣା ହେଉଥାଏ ଯେ ସମ୍ଭବତଃ ଏଭଳି ସ୍ଥିତିରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ।
ଗଲା କାଲି ଠାରୁ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆମ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଭବିଷ୍ୟତ୍ବାଣୀ ପ୍ରଦାନ କରାଯାଇଛି। ସେହି ପରିପ୍ରେକ୍ଷୀରେ ଯଦି କୌଣସି ଉତ୍କଣ୍ଠିତ ଭାରତୀୟ ଉପଗ୍ରହ ସୌଜନ୍ୟରୁ ପ୍ରାପ୍ତ ତାପମାତ୍ରାଭିତ୍ତିକ ପୃଥିବୀ ମାନଚିତ୍ରରେ ଆଖି ପକାନ୍ତି, ତେବେ ତହିଁରେ ଭାରତର ରୂପ ଦେଖି ଯେ ନିଶ୍ଚିତ ଭାବେ ଶଙ୍କାଗ୍ରସ୍ତ ହେବେ, ଏଥିରେ ସନ୍ଦେହ ନାହିଁ; କାରଣ ପାରଂପରିକ ଭାବେ ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ଭାବେ ପରିଚିତ ଉପସାହାରୀୟ ଅଞ୍ଚଳ ତୁଳନାରେ ମଧ୍ୟ ଆମର ଏହି ତ୍ରିକୋଣୀୟ ଭୂଖଣ୍ଡଟି ଅଧିକ ଲାଲ ଟହଟହ ବର୍ଣ୍ଣ ଧାରଣ କରି ଚରମ ତାପମାତ୍ରାର ସଂକେତ ଦେଇଥାଏ। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଭାରତ ସର୍ବାଧିକ ଉତ୍ତପ୍ତ ଗ୍ରୀଷ୍ମଋତୁ ପ୍ରତ୍ୟକ୍ଷ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାଇ ଦିଆଯାଇଛି। ଏଭଳି ସ୍ଥଳେ ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉତ୍ତପ୍ତୀକରଣ ସଂଦର୍ଭରେ ଆମମାନଙ୍କ ଆଗ୍ରହ, ଆଭିମୁଖ୍ୟ ଏବଂ କାର୍ଯ୍ୟଧାରା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ମେକେନ୍ସି ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନଜନିତ ବିଭୀଷିକା ଦ୍ବାରା ସର୍ବାଧିକ ଜର୍ଜର ହେବାକୁ ଯାଉଥିବା ରାଷ୍ଟ୍ରଙ୍କ ତାଲିକାରେ ଭାରତର ସ୍ଥାନ ହେଉଛି ତୃତୀୟ; ସେହି ଦୃଷ୍ଟିରୁ ସଂପ୍ରତି ଭାରତରେ ପରିଦୃଷ୍ଟ ହେଉଥିବା ରେକର୍ଡ ଭଙ୍ଗକାରୀ ତାପମାତ୍ରା ଏହାର ଏକ ନିଦର୍ଶନ ମାତ୍ର। ତେବେ, ପ୍ରଶ୍ନ ହେଲା ଭାରତ ଏଭଳି ସ୍ଥିତିରେ ଉପନୀତ ହୋଇଛି କାହିଁକି? କେତେକ ବିଶେଷଜ୍ଞଙ୍କ ମତରେ ଏହାର ଏକ ପ୍ରମୁଖ କାରଣ ଭାରତରେ ଦ୍ରୁତ ସ୍ଫୀତମାନ ଉଚ୍ଚ ଏବଂ ମଧ୍ୟମ ବିତ୍ତୀୟ ଶ୍ରେଣୀ, ଯେଉଁମାନେ ପୃଥିବୀର ବାର୍ଷିକ ମୁଣ୍ଡ ପିଛା ଉତ୍ସର୍ଜିତ କାର୍ବନ ପରିମାଣ ୩ ଟନ୍ ଠାରୁ ଅନେକ ଗୁଣରେ ଅଧିକ କାର୍ବନ ବାୟୁମଣ୍ଡଳକୁ ନିର୍ଗମନ କରନ୍ତି। ଏହା ସର୍ବଜନବିଦିତ ଯେ ବାୟୁମଣ୍ଡଳରେ କାର୍ବନର ପରିମାଣ ହିଁ ଉତ୍ତାପର ବୃଦ୍ଧି ବା ହ୍ରାସକୁ ନିର୍ଦ୍ଧାରଣ କରିଥାଏ। ଏକ ଉଦାହରଣରୁ ଏହା ସ୍ପଷ୍ଟ ହେବ: ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ଲାଗି ଅଧିକ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବହାରର ଅର୍ଥ କେବଳ ପାରିପାର୍ଶ୍ବିକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ନୁହେଁ, ଏହା କାରଣରୁ ଅଧିକ ବିଜୁଳି ଶକ୍ତିର ଚାହିଦା ସୃଷ୍ଟି ଓ ତଜ୍ଜନିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ କୋଇଲା ଭଳି ଜୀବାଶ୍ମ ଇନ୍ଧନର ଅଧିକ ଦହନ ବାତାବରଣକୁ ଉତ୍ସର୍ଜିତ ହେଉଥିବା କାର୍ବନର ପରିମାଣରେ ପ୍ରଚୁର ବୃଦ୍ଧି ଘଟାନ୍ତି। ‘ଇଣ୍ଟରନେସନାଲ ଏନର୍ଜି ଆସୋସିଏସନ’ର ତଥ୍ୟ ଅନୁସାରେ ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଶହେଟି ଘର ସକାଶେ ୮୫ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହୃତ ହେଉଥିବା ବେଳେ ଭାରତରେ ତାହା ହେଉଛି ୨୪; କିନ୍ତୁ ଭାରତର ଜନସଂଖ୍ୟାର ଘନତା କାରଣରୁ ସଂଖ୍ୟା ଦୃଷ୍ଟିରୁ ଭାରତରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଅଧିକ ଏବଂ ଭାରତର ଆୟତନ ପରିପ୍ରେକ୍ଷୀରେ ପ୍ରତି ବର୍ଗ କିଲୋମିଟର ଆୟତନ ଅନୁସାରେ ଏହି ଯନ୍ତ୍ର କାରଣରୁ ଉତ୍ସର୍ଜିତ ହେଉଥିବା କାର୍ବନର ପରିମାଣ ଯଥେଷ୍ଟ ଅଧିକ। ଏହି ରିପୋର୍ଟ କହିଥାଏ ଯେ ୨୦୫୦ ମସିହା ସୁଦ୍ଧା ଭାରତରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରର ବ୍ୟବହାରରେ ୯ ଗୁଣ ବୃଦ୍ଧି ଘଟିବ ଏବଂ ତଦ୍ଦ୍ବାରା କେବଳ ଏହି ଯନ୍ତ୍ରଗୁଡ଼ିକୁ ଚଳାଇବା ଲାଗି ଯେତିକି ବିଜୁଳି ଲୋଡ଼ା ଯିବ, ତାହା ସମଗ୍ର ଆଫ୍ରିକା ମହାଦେଶ ବ୍ୟବହାର କରୁଥିବା ବିଳୁଳି ଶକ୍ତି ଠାରୁ ମଧ୍ୟ ଅଧିକ ହେବ। ଆମ ଦେଶରେ ମାତ୍ରାଧିକ ତାପମାତ୍ରା ବୃଦ୍ଧିର କାରଣକୁ ହୃଦ୍ବୋଧ କରିବା ସକାଶେ ଏହା କେବଳ ଗୋଟିଏ ଉଦାହରଣ; ସଂପ୍ରତି ଆମ ଦେଶରେ ଦ୍ରୁତ ବର୍ଦ୍ଧମାନ ମଟର ଗାଡ଼ି ବଜାର ବା ରିଏଲ୍ ଇଷ୍ଟେଟ (ଆପର୍ଟମେଣ୍ଟ) କାରବାର ମଧ୍ୟ ଯେ ଉତ୍ତାପ ବୃଦ୍ଧିର ଗୋଟିଏ ଗୋଟିଏ ବଡ଼ କାରଣ, ତାହା କହିବା ଅନାବଶ୍ୟକ। ମେକେନ୍ସି ରିପୋର୍ଟ ଅନୁସାରେ ଚଳିତ ବର୍ଷ ଭାରତର ପ୍ରାୟ ୨୦ କୋଟି ଲୋକ ଗୁରୁତର ଗ୍ରୀଷ୍ମ ପ୍ରବାହର ଶିକାର ହେବେ। ଏଭଳି ଉଦ୍ବେଗଜନକ ସ୍ଥିତିରେ ସମାଧାନର ପନ୍ଥା ଉନ୍ମୋଚିତ ହେବା ଯେ ସର୍ବାଧିକ ଜରୁରୀ, ତହିଁରେ ଦ୍ବିରୁକ୍ତି ନାହିଁ।
ଏକ ସର୍ବେକ୍ଷଣରୁ ଜଣାଯାଇଥାଏ ଯେ ୨୦୧୪ ମସିହା ତୁଳନାରେ ୨୦୨୩ ମସିହାରେ ଜଳବାୟୁ ପରିବର୍ତ୍ତନର ଭୟାବହ ବାସ୍ତବତାକୁ ନେଇ ବିଶ୍ବାସ ଏବଂ ଗମ୍ଭୀରତା ପ୍ରଦର୍ଶନ କରୁଥିବା ଉଚ୍ଚ ଓ ମଧ୍ୟମ ବିତ୍ତୀୟ ବ୍ୟକ୍ତିଙ୍କ ସଂଖ୍ୟାରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଏବଂ ଏମାନେ ସମସ୍ତେ ତାପମାତ୍ରା ବୃଦ୍ଧି ନେଇ ମଣିଷର ଉପଭୋଗ କୈନ୍ଦ୍ରିକ ଜୀବନଯାପନ ପ୍ରଣାଳୀର ଭୂମିକା ନେଇ ସଚେତନ ଥିବା ସତ୍ତ୍ବେ ମାତ୍ରାଧିକ ଉତ୍ତାପରୁ ମୁକ୍ତିି ପାଇବା ଲାଗି କାର୍ଯ୍ୟ କ୍ଷେତ୍ରରେ ବସ୍ତୁତଃ କୌଣସି ଉଦ୍ୟମ କରି ନ ଥାଆନ୍ତି। ଏକ ହିସାବରୁ ଜଣାଯାଇଥାଏ ଯେ ଏକ ଡିଜେଲ କାର୍ରେ ୧୦ କିଲୋମିଟର ଦୀର୍ଘ ଯାତ୍ରା ପ୍ରାୟ ୫ କିଲୋଗ୍ରାମ ଓଜନର କାର୍ବନ ସୃଷ୍ଟି କରିଥାଏ; ଏବଂ ଗୋଟିଏ ବର୍ଷରେ ଏହି କାରଣରୁ ଯେତିକି କାର୍ବନ ବାୟୁମଣ୍ଡଳକୁ ନିର୍ଗମନ ହୋଇଥାଏ, ଏକ ବିମାନରେ ମାତ୍ର ଘଣ୍ଟାକର ଯାତ୍ରା ଦ୍ବାରା ତା’ଠାରୁ ଅଧିକ ପରିମାଣର କାର୍ବନ ଉତ୍ସର୍ଜିତ ହୋଇଥାଏ। କିନ୍ତୁ, ଅମିତ ବିତ୍ତଶାଳୀ ଭାରତୀୟମାନେ କଦାଚିତ୍ ସେମାନଙ୍କ ବ୍ୟକ୍ତିଗତ ବିମାନ ବ୍ୟବହାରରୁ କ୍ଷାନ୍ତ ହୋଇ ସାଧାରଣ ବିମାନରେ ଯାତାୟାତ କରନ୍ତି ନାହିଁ କି ମଧ୍ୟବିତ୍ତୀୟ ଭାରତୀୟମାନେ ସେମାନଙ୍କ ବ୍ୟକ୍ତିଗତ ମଟର ଗାଡ଼ି ପରିବର୍ତ୍ତେ ସାଧାରଣ ପରିବହନର ଆଶ୍ରୟ େନବା ଲାଗି ସାମନ୍ୟତମ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଏକ ଆକଳନରୁ ଜଣାଯାଇଛି ଯେ ଭାରତରେ ୨୦୨୮ ମସିହା ବେଳକୁ ଅତି-ଧନୀକଙ୍କ ସଂଖ୍ୟାରେ ଆଜିର ତୁଳନାରେ ୫୦.୧ ପ୍ରତିଶତ ବୃଦ୍ଧି ଘଟିଥିବ, ଯେଉଁ ହାର ପୃଥିବୀରେ ସର୍ବାଧିକ। ପ୍ରକାଶ ଥାଉ କି ଏହି ଉଚ୍ଚ ବିତ୍ତୀୟ ବର୍ଗ ସଂଖ୍ୟା ଦୃଷ୍ଟିରୁ ଅତ୍ୟନ୍ତ ନଗଣ୍ୟ ବୋଲି ଦର୍ଶାଇ ସେମାନଙ୍କ କାରଣରୁ ଉତ୍ସର୍ଜିତ କାର୍ବନର ପରିମାଣ ନେଇ ଉଦାସୀନ ରହିବାକୁ ଚେଷ୍ଟା କରୁଥିବା ବେଳେ ଏକ ଦାରୁଣ ବାସ୍ତବତା ହେଲା ଏଭଳି ୧ ପ୍ରତିଶତଙ୍କ ଦ୍ବାରା ସୃଷ୍ଟ କାର୍ବନର ପରିମାଣ ୫୦ ପ୍ରତିଶତ ସାଧାରଣ ଭାରତୀୟ ସୃଷ୍ଟି କରୁଥିବା କାର୍ବନ ସହିତ ସମତୁଲ। ସୁତରାଂ, ଏହା ଏକ ଚେଇଁ ଶୋଇବା ଭଳି ଅବସ୍ଥା, ଯେଉଁ କାରଣରୁ ଅସହନୀୟ ଉତ୍ତାପ ଦରିଦ୍ର ଏବଂ ନିମ୍ନ ବିତ୍ତୀୟ ଭାରତୀୟଙ୍କ ରାତ୍ରି ନିଦ୍ରାକୁ ହରଣ କରି ନେଇଛି!
ଜଳବାୟୁ ପରିବର୍ତ୍ତନଜନିତ କୁପରିଣାମର ସର୍ବାଧିକ ବିଡ଼ମ୍ବନା ହେଲା ଯେଉଁ ଦରିଦ୍ର ଜନସାଧାରଣ ସେମାନଙ୍କ ଜୀବନଯାପନକୁ ପ୍ରକୃତିର ଏକାନ୍ତ ଅନୁକୂଳ କରି ରଖିଥାଆନ୍ତି, ସେମାନେ ହିଁ ସର୍ବାଧିକ ଯନ୍ତ୍ରଣା ଓ କ୍ଷତିର ଶିକାର ହୁଅନ୍ତି; ସଂପନ୍ନଙ୍କ ସକାଶେ ଅହୋରାତ୍ର ଆଲୋକିତ ସପିଂ ମଲ୍ଗୁଡ଼ିକରେ ଖାଦ୍ୟର ପ୍ରାଚୁର୍ଯ୍ୟ ଥିବା ବେଳେ ଜଳବାୟୁ ପରିବର୍ତ୍ତନଜନିତ କ୍ରମାଗତ ମରୁଡ଼ି ଏବଂ ଖାଦ୍ୟାଭାବ ଦ୍ବାରା ଦରିଦ୍ରମାନେ ହିଁ ଉଦ୍ବାସ୍ତୁ ହୁଅନ୍ତି। ଏହାର ଏକ ଉଦହାରଣ ଦେଖିବାକୁ ମିଳିଛି ହର୍ନ ଅଫ୍ ଆଫ୍ରିକାର ଦରିଦ୍ର ରାଷ୍ଟ୍ରଗୁଡ଼ିକରେ, ଯେଉଁଠାରେ ଦୀର୍ଘକାଳୀନ ମରୁଡ଼ି କାରଣରୁ ପ୍ରାଣ ହରାଉଥିବା ଗୋ-ସଂପଦ ବଦଳରେ ସେଠାକାର ବାସିନ୍ଦାମାନେ ଓଟ ପାଳନ କରିବାକୁ ଲାଗିଲେଣି। ପ୍ରକାଶ ଥାଉ କି ଦୁଗ୍ଧ ଏବଂ ମାଂସ ସକାଶେ ଆବହମାନ କାଳରୁ ଏହି ଦେଶଗୁଡ଼ିକର ଲୋକେ ଗୋ-ପାଳନ କରି ଆସୁଥିଲେ। ପ୍ରକାଶ ଥାଉ କି ଓଟ ସପ୍ତାହକୁ ଥରେ ମାତ୍ର ପାଣି ପିଇ ତଥା ମରୁଭୂମିର ଚରମ ପ୍ରତିକୂଳ ପରିସ୍ଥିତିରେ ବଞ୍ଚି ରହିପାରେ। ସୁତରାଂ, ଜଳବାୟୁ ପରିବର୍ତ୍ତନ କାରଣରୁ ଭବିଷ୍ୟତ୍ର ଚିତ୍ର ଦେଖି ପାରି ସେମାନେ ନିଜ ଜୀବନଯାପନର ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ। ଏଣେ, ଜଳବାୟୁ ପରିବର୍ତ୍ତନ ବା ଉତ୍ତପ୍ତୀକରଣର ଧାରାରେ ବିରାମ ଲଗାଇବା ଲାଗି ଯେଉଁମାନଙ୍କ ଭୂମିକା ନିର୍ଣ୍ଣାୟକ ହୁଅନ୍ତା, ସେମାନେ ସାମାନ୍ୟତମ ତ୍ୟାଗ ସ୍ବୀକାର କରିବାକୁ ଅନିଚ୍ଛୁକ। ସୁତରାଂ, ରୌଦ୍ର ତାପ ଭରା ଏକ ଦ୍ବିପ୍ରହରରେ ଏହା ଲେଖିଲା ବେଳେ ଗୋଟିଏ ଶ୍ରେଣୀର ଉଦାସୀନତା ଏବଂ ଆଉ ଏକ ବର୍ଗର ଅସହାୟତା ପରିପ୍ରେକ୍ଷୀରେ ଏକ ଧାରଣା ହେଉଥାଏ ଯେ ସମ୍ଭବତଃ ଏଭଳି ସ୍ଥିତିରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ।