ଗତ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ୭୨ ବର୍ଷୀୟ ନୀତୀଶ କୁମାର ସେ ରାଜ୍ୟର ବିଧାନସଭାରେ ଯେଉଁ ଅବିଶ୍ବସନୀୟ ଭାବରେ ଅସଭ୍ୟ ଆଚରଣ ପ୍ରଦର୍ଶନ କଲେ ସାରା ପୃଥିବୀର ଗଣତାନ୍ତ୍ରିକ ଇତିହାସରେ କେବେହେଲେ ଓ କେଉଁଠି ହେଲେ ସେଭଳି ଘୃଣ୍ୟ ଘଟଣା ପରିଦୃଷ୍ଟ ହୋଇନାହିଁ। ଏହା ପରେ କେବଳ ତାଙ୍କର ରାଜନୈତିକ ସହଯୋଗୀମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଠାରୁ ଦେଶବ୍ୟାପୀ ଭର୍ତ୍ସନାର ସମ୍ମୁଖୀନ ହେବା ପରେ ଏଥିେଯାଗୁଁ ରାଜନୈତିକ କ୍ଷତି ଘଟିବା ଆଶଙ୍କା କରି ତାହାକୁ ସୀମିତ କରିବା ଉଦ୍ଦେଶ୍ୟରେ ନୀତୀଶ କୁମାର ତା’ ପରଦିନ ନିଜର ସେଇ ମନ୍ତବ୍ୟକୁ ନିନ୍ଦା କରିବା ସହିତ ତାହାକୁ ପ୍ରତ୍ୟାହାର କରୁଛନ୍ତି ବୋଲି ଘୋଷଣା କରିଥିଲେ। ସେ ପୁଣି ଏଥିପାଇଁ ଯେଉଁମାନେ ତାଙ୍କୁ ସମାଲୋଚନା କରୁଛନ୍ତି, ସେମାନଙ୍କୁ ଅଭିନନ୍ଦନ କରୁଛନ୍ତି ବୋଲି କହିଥିଲେ।
ନୀତୀଶ କୁମାରଙ୍କର ଏହି ବାକ୍ଚାତୁରୀ ଦେଖିଲେ ଯେଉଁ ଧାରଣା ସୃଷ୍ଟି ହୋଇଥାଏ, ତାହା ହେଲା ସତେ ଯେମିତି ମଙ୍ଗଳବାର ଜଣେ ନୀତୀଶ କୁମାର ବିହାର ବିଧାନସଭାରେ ଅସଭ୍ୟ ଭାଷା ଓ ଅଙ୍ଗଭଙ୍ଗୀ ବ୍ୟବହାର କରି ଏକ ନିଷିଦ୍ଧ ବିଷୟବସ୍ତୁ ସମ୍ବନ୍ଧରେ ମନ୍ତବ୍ୟ ପ୍ରଦାନ କରି ଉପସ୍ଥିତ ବିଧାୟକମାନଙ୍କୁ ହତଚକିତ କରି ଦେଇଥିଲେ ଏବଂ ବିଶେଷ କରି ମହିଳା ବିଧାୟିକାମାନଙ୍କ ପାଇଁ ଘୋର ଅସ୍ବସ୍ତି ସୃଷ୍ଟି କରିଥିଲେ; ବୁଧବାର ଆଉ ଜଣେ ନୀତୀଶ କୁମାର ପୂର୍ବଦିନର ନୀତୀଶ କୁମାରଙ୍କୁ ନିନ୍ଦା କରିବା ସହିତ ସେଇ ନୀତୀଶ କୁମାରଙ୍କର ସମାଲୋଚକମାନଙ୍କୁ ସମର୍ଥନ କରିଥିଲେ। ଅର୍ଥାତ୍ ବୁଧବାରର ନୀତୀଶ ହେଉଛନ୍ତି ମଙ୍ଗଳବାରର ନୀତୀଶଙ୍କ ଠାରୁ ଭିନ୍ନ ଏକ ବ୍ୟକ୍ତିସତ୍ତା ଏବଂ ମଙ୍ଗଳବାରିଆ ନୀତୀଶଙ୍କ କାର୍ଯ୍ୟ ପାଇଁ ବୁଧବାରିଆ ନୀତୀଶ ଦାୟୀ ନୁହଁନ୍ତି।
ସମୟ ଆଗେଇବା ସହିତ ବ୍ୟକ୍ତିସତ୍ତାରେ ପରିବର୍ତ୍ତନ ଘଟି ଏକ ଭିନ୍ନ ବ୍ୟକ୍ତିର ଅାବିର୍ଭାବ ଘଟିବା ଧାରଣାରେ ଅବଶ୍ୟ କିଛି ନୂତନତ୍ବ ନାହିଁ। ଅଷ୍ଟାଦଶ ଶତାବ୍ଦୀର ସ୍କଟିସ୍ ଦାର୍ଶନିକ ଥମାସ୍ ରେଡ୍ ତାଙ୍କର ପ୍ରସିଦ୍ଧ ‘ବ୍ରେଭ୍ ଅଫିସର’ (ସାହସୀ ସୈନିକ) ଉଦାହରଣ ମାଧ୍ୟମରେ ଏହିପରି ଏକ ସମ୍ଭାବ୍ୟ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ହେଉଛି ନିମ୍ନରେ ବର୍ଣ୍ଣନା କରାଯାଇଥିବା ଭଳି। ମନେକର ସାହସୀ ଅଫିସର୍ ଜଣକ ସ୍କୁଲରେ ଛାତ୍ର ଥିବା ବେଳେ ଏକ ବଗିଚାରୁ ଫଳ ଚୋରି କରି ଦଣ୍ଡ ସ୍ବରୂପ ମାଡ଼ ଖାଇଥିଲେ। ସେ କିନ୍ତୁ ସେନା ବାହିନୀରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ଅଭିଯାନରେ ହିଁ ଶତ୍ରୁକୁ ପରାସ୍ତ କରି ପ୍ରତିପକ୍ଷର ପତାକା ଛଡ଼ାଇ ଆଣିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଅନୁରୂପ ବୀରତ୍ବ ପ୍ରଦର୍ଶନ କରି ଶେଷରେ ସେନାଧ୍ୟକ୍ଷ ପଦ ଲାଭ କରିଥିଲେ।
ଏହି ବୀର ଅଫିସର୍ ଜଣକ ଯେତେବେଳେ ଶତ୍ରୁ ହାତରୁ ପତାକା ଛଡ଼ାଇ ଆଣିଥିଲେ, ସେତେବେଳେ ବଗିଚାରୁ ଫଳ ଚୋରି କରି ସ୍କୁଲରେ ସେଥିପାଇଁ ମାଡ଼ ଖାଇବା କଥା ତାଙ୍କର ମନେଥିଲା; ଯେତେବେଳେ ସେ ସେନାଧ୍ୟକ୍ଷ ବା ଜେନେରାଲ୍ ପଦ ଲାଭ କଲେ ସେତେବେଳେ ଶତ୍ରୁ ହାତରୁ ସେ ପତାକା ଛଡ଼ାଇ ଆଣିବା କଥା ତାଙ୍କର ମନେ ଥିଲା; କିନ୍ତୁ ସେ ଯେତେବେଳେ ସେନାଧ୍ୟକ୍ଷ ହେଲେ, ସେତେବେଳେ ବଗିଚାରୁ ଫଳ ଚୋରି କରି ସେଥିପାଇଁ ସ୍କୁଲରେ ଦଣ୍ଡ ପାଇବା କଥା ତାଙ୍କର ଆଉ ମନେ ନ ଥିଲା। ଯଦି ଜେନେରାଲ୍ଙ୍କ ଚେତନାରୁ ଫଳ ଚୋରି ଘଟଣା ସଂପୂର୍ଣ୍ଣ ରୂପେ ଲିଭି ଯାଇଥାଏ, େତବେ ଅତୀତର ସେ ଫଳ ଚୋର ଓ ଆଜିର ଏହି ଜେନେରାଲ୍ େହଉଛନ୍ତି ଦୁଇ ଜଣ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ବ୍ୟକ୍ତି ବୋଲି ଯୁକ୍ତି କରାଯାଇପାରେ। ପତାକା ଛଡ଼ାଇ ଆଣିଥିବା ଅଫିସର୍ ଅବଶ୍ୟ ଥିଲେ ଅତୀତର ଫଳ ଚୋର; ଜେନେରାଲ୍ ହେଉଛନ୍ତି ଅତୀତର ପତାକା ଛଡ଼ାଇ ଆଣିଥିବା ସେଇ ଅଫିସର୍; କିନ୍ତୁ ଜେନେରାଲ୍ ଅତୀତର ସେଇ ଫଳ ଚୋର ନୁହଁନ୍ତି। ଜେନେରାଲ୍ଙ୍କୁ ଯଦି କେହି ସେଇ ଫଳ ଚୋରି କଥା କହେ, ସେ ନିଶ୍ଚିତ ରୂପେ ଫଳ ଚୋରକୁ ନିନ୍ଦା କରିବେ; କିନ୍ତୁ ତାଙ୍କର ଏହି ନିନ୍ଦାକୁ ଆତ୍ମନିନ୍ଦା ରୂପେ ବିଚାର କରାଯିବ ନାହିଁ, କାରଣ ସେ ସେଇ ଫଳ ଚୋରକୁ ନିଜ ଠାରୁ ଭିନ୍ନ ଏକ ବ୍ୟକ୍ତି ରୂପେ ବିଚାର କରନ୍ତି।
ଥମାସ୍ ରେଡ୍ ତାଙ୍କର ଏହି ‘ବ୍ରେଭ୍ ଅଫିସର୍’ ଉପାଖ୍ୟାନର ଅବତାରଣା କରିବାର ଅଭିପ୍ରାୟ ଥିଲା ପ୍ରସିଦ୍ଧ ଇଂରେଜୀ ଦାର୍ଶନିକ ଜନ୍ ଲକ୍ ବ୍ୟକ୍ତିସତ୍ତାରେ ସଂଜ୍ଞା ନିରୂପଣ ନିମିତ୍ତ ବ୍ୟବହାର କରିଥିବା ନିୟମରେ ଥିବା ଦୁର୍ବଳତାକୁ ପଦାରେ ପକାଇବା। ଲକ୍ ୧୬୮୯ରେ ପ୍ରକାଶିତ ତାଙ୍କର ‘ଆନ୍ ଏସେ କନ୍ସର୍ନିଙ୍ଗ୍ ହ୍ୟୁମାନ୍ ଅଣ୍ଡରଷ୍ଟାଣ୍ଡିଙ୍ଗ୍’ (‘ମାନବୀୟ ବୋଧଶକ୍ତି ସଂପର୍କରେ ଏକ ରଚନା’)ରେ ସୂଚାଇଥିଲେ ଯେ ନିରବଚ୍ଛିନ୍ନ ଚେତନା ହେଉଛି ଏକ ବ୍ୟକ୍ତିସତ୍ତାର ପରିଚାୟକ। ସେ ଶରୀରକୁ କିମ୍ବା ଏପରିକି ଆତ୍ମାକୁ ମଧ୍ୟ ବ୍ୟକ୍ତିସତ୍ତାର ଧାରକ ରୂେପ ଗ୍ରହଣ କରୁ ନ ଥିଲେ, କେବଳ ନିରବଚ୍ଛିନ୍ନ ଚେତନାକୁ ହିଁ ସେ ବ୍ୟକ୍ତିସତ୍ତାର ବାହକ ରୂପେ ବିଚାର କରୁଥିଲେ। ଲକ୍ଙ୍କ ଅନୁସାରେ ନିରବଚ୍ଛିନ୍ନ ଚେତନାର ପରିଚାୟକ ହେଉଛି ଆମର ଅତୀତର କାର୍ଯ୍ୟାବଳିକୁ ଆମେ ମନେ ପକାଇ ପାରିବାର ଆମର କ୍ଷମତା, ଆମ ଭାବନାର ଧାରାବାହିକତା, ଓ ଆମର ଚାରିତ୍ରିକ ଲକ୍ଷଣମାନଙ୍କର ଧାରାବାହିକତା ଇତ୍ୟାଦି। ଏହି ନିରବଚ୍ଛିନ୍ନ ଚେତନା ଆଧାରରେ ଜଣେ ବ୍ୟକ୍ତିକୁ ତା’ର ଅତୀତର କାର୍ଯ୍ୟ ପାଇଁ ଉତ୍ତରଦାୟୀ କରାଯାଇଥାଏ ବୋଲି ଲକ୍ ମତ ପୋଷଣ କରିଥିଲେ, ଯାହାର ଦୁର୍ବଳତା ଉେନ୍ମାଚନ କରିବା ପାଇଁ ଥମାସ୍ ରେଡ୍ ଉପର ବର୍ଣ୍ଣିତ ‘ସାହସୀ ସୈନିକ’ କାହାଣୀର ପରିକଳ୍ପନା କରିଥିଲେ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ନୀତୀଶ କୁମାର ବୁଧବାର ଦିନ ରେଡ୍ଙ୍କ କାହାଣୀର ଜେନେରାଲ୍ଙ୍କ ପରି ଅତୀତର ଫଳ ଚୋରି ଅର୍ଥାତ୍ ମଙ୍ଗଳବାର ଦିନ ସେ ବିଧାନସଭାରେ ପ୍ରଦର୍ଶନ କରିଥିବା ଜଘନ୍ୟ ଆଚରଣ କଥା ପାଶୋରି ଯାଇ ତାକୁ ଅନ୍ୟ ଜଣେ ନୀତୀଶ କୁମାରଙ୍କ କାର୍ଯ୍ୟ ରୂପେ ନିନ୍ଦା କରିଛନ୍ତି କି? କିମ୍ବା ଜନ୍ ଲକ୍ଙ୍କ ତତ୍ତ୍ବ ଅନୁସାରେ ମଙ୍ଗଳବାର ଯେଉଁ ନୀତୀଶ କୁମାର ବିଧାନସଭାରେ ଅବର୍ଣ୍ଣନୀୟ ଭାବରେ ଗର୍ହିତ ଆଚରଣ ପ୍ରଦର୍ଶନ କରିଥିଲେ, ବୁଧବାର ସେ କାର୍ଯ୍ୟକୁ ନିନ୍ଦା କରିଥିବା ନୀତୀଶ କୁମାର ହେଉଛନ୍ତି ସେଇ ନୀତୀଶ କୁମାର- ସେମାନେ ଏକ ଓ ଅଭିନ୍ନ? ବୁଧବାରର ନିନ୍ଦାବାଦ ଦ୍ବାରା ନୀତୀଶ କୁମାର ସ୍ବୀକାର କରିଛନ୍ତି ଯେ ମଙ୍ଗଳବାର ସେ ବିଧାନସଭାରେ ପ୍ରଦର୍ଶନ କରିଥିବା ଆଚରଣ ଅକ୍ଷମଣୀୟ ଥିଲା। ସାହସୀ ସୈନିକ କାହାଣୀର ଅନ୍ତର୍ନିହିତ ଯୁକ୍ତିଗତ ଦୁର୍ବଳତା (କ=ଖ, ଖ=ଗ, କିନ୍ତୁ କ=ଗ) ପରିପ୍ରେକ୍ଷୀରେ ଏଠାରେ ଲକ୍ଙ୍କ ତତ୍ତ୍ବ ହିଁ ହେଉଛି ଯୁକ୍ତିଯୁକ୍ତ ଏବଂ ନିଜର ସ୍ବୀକାରୋକ୍ତି ଅନୁସାରେ ନୀତୀଶ କୁମାର ହେଉଛନ୍ତି ଦୋଷୀ।
ନୀତୀଶଙ୍କର ଏହି ଅପରାଧ କେବଳ ଅସଭ୍ୟତାରେ ମଧ୍ୟ ସୀମିତ ନୁହେଁ। ଜନ୍ମ ନିୟନ୍ତ୍ରଣ ମାଧ୍ୟମରେ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣରେ ଶିକ୍ଷାର ଭୂମିକା ସମ୍ବନ୍ଧରେ ଭାଷଣ ଦେବା ଅବସରରେ ନୀତୀଶ ଏ ଯେଉଁ ଅସଭ୍ୟ ଆଚରଣ ପ୍ରଦର୍ଶନ କଲେ, ସେଥିରେ ସେ ସ୍ପଷ୍ଟ ଭାବରେ ଏକ ନାରୀ-ବିଦ୍ବେଷୀ, ପୁରୁଷ-ପ୍ରଧାନ ମନୋଭାବର ପରିପ୍ରକାଶ ଘଟାଇଛନ୍ତି। ଅତି ସଂକ୍ଷେପରେ କହିଲେ ସେ ଏକ ପୁରୁଷ-ପ୍ରଧାନ ଚିନ୍ତାଧାରାକୁ ଅନୁସରଣ କରି ଜନ୍ମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାର ସମସ୍ତ ଦାୟିତ୍ବ ସଂପୂର୍ଣ୍ଣ ରୂପେ ପତ୍ନୀ ଅର୍ଥାତ୍ ନାରୀ ଉପରେ ଲଦି ଦେଇଛନ୍ତି। ଏଭଳି ନୀତୀଶ ସୁଲଭ ଚିନ୍ତାଧାରାର ପରିଣାମ କ’ଣ ହୋଇଥାଏ, ତାହା ଜାତିସଂଘର ଏହି ଅନୁଶୀଳନରୁ ଜଣା ପଡ଼ିଥାଏ, ଯାହା ଅନୁସାରେ ଭାରତରେ ଅବଲମ୍ବନ କରାଯାଉଥିବା ଜନ୍ମ ନିୟନ୍ତ୍ରଣ ପଦ୍ଧତିମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ବନ୍ଧ୍ୟାକରଣ, ଯାହାର ଭାଗ ହେଉଛି ୬୫ ଶତାଂଶ; କିନ୍ତୁ ଏଥିରେ ପୁରୁଷ-ବନ୍ଧ୍ୟାକରଣର ଅଂଶ ହେଉଛି ମାତ୍ର ୨.୩ ଶତାଂଶ। ଅର୍ଥାତ୍ ନାରୀ-ବନ୍ଧ୍ୟାକରଣ ପୁରୁଷ ବନ୍ଧ୍ୟାକରଣ ଅପେକ୍ଷା ବହୁ ଅଧିକ ଜଟିଳ ଓ ସମସ୍ୟାପୂର୍ଣ୍ଣ ହୋଇଥିଲେ ହେଁ ନାରୀମାନଙ୍କୁ ପ୍ରାୟ ୯୮ ଶତାଂଶ ବନ୍ଧ୍ୟାକରଣ ବୋଝ ବହନ କରିବାକୁ ହୋଇଥାଏ। ଏହି ନୀତୀଶ ଉପାଖ୍ୟାନରୁ ତେଣୁ ଯେଉଁ ସିଦ୍ଧାନ୍ତ ଉପଲବ୍ଧ ହୋଇଥାଏ, ତାହା ହେଲା, ଉଭୟ ନୈତିକତା ଦୃଷ୍ଟିରୁ ଓ ଲିଙ୍ଗ ବିଦ୍ବେଷ କାରଣରୁ ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ଅଧିକାର ହରାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp