ବା˚ଲାଦେଶ ଯଦି ଭାରତର ଏକ ପ୍ରଦେଶ ହୋଇଥାନ୍ତା, ତେବେ ଏକ ନମୁନା ତୁଳନାତ୍ମକ ଚିତ୍ର ଏହି ପରି ହୁଅନ୍ତା। ଭାରତର ଲୋକସ˚ଖ୍ୟା ପ୍ରାୟ ୧୩୫ କୋଟି; ଡଲାର୍ ଆକାରରେ ଭାରତର ମୁଣ୍ତପିଛା ଆୟ ପ୍ରାୟ ୧,୯୦୦ ଡଲାର୍। ବା˚ଲାଦେଶ ଲୋକସ˚ଖ୍ୟା ପ୍ରାୟ ୧୬ କୋଟି, ମୁଣ୍ତପିଛା ଆୟ ପ୍ରାୟ ୧,୨୫୦ ଡଲାର୍; ମହାରାଷ୍ଟ୍ର ଲୋକ ସ˚ଖ୍ୟା ପ୍ରାୟ ୧୨ କୋଟି; ମୁଣ୍ତପିଛା ଆୟ ପ୍ରାୟ ୨,୯୦୦ ଡଲାର୍; ପଞ୍ଜାବ ଲୋକସ˚ଖ୍ୟା ପ୍ରାୟ ୩ କୋଟି; ମୁଣ୍ତପିଛା ଆୟ ପ୍ରାୟ ୩,୦୦୦ ଡଲାର୍। ଉତ୍ତର ପ୍ରଦେଶ ଲୋକସ˚ଖ୍ୟା ପ୍ରାୟ ୨୪ କୋଟି; ମୁଣ୍ତପିଛା ଆୟ ପ୍ରାୟ ୯୯୦ ଡଲାର୍। ଗୋଆ ଲୋକସ˚ଖ୍ୟା ପ୍ରାୟ ୧୮ ଲକ୍ଷ; ମୁଣ୍ତପିଛା ଆୟ ୬,୬୯୮ ଡଲାର୍; ପଶ୍ଚିମବଙ୍ଗ ଲୋକସ˚ଖ୍ୟା ପ୍ରାୟ ୧୦ କୋଟି; ମୁଣ୍ତପିଛା ଆୟ ପ୍ରାୟ ୧,୬୦୦ ଡଲାର୍। ଏଥିରୁ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଭାରତର କେତେକ ରାଜ୍ୟ ଅର୍ଥନୈତିକ ଦୃଷ୍ଟିରୁ ଦେଶର ହାରାହାରି ଅର୍ଥନୈତିକ ଅବସ୍ଥା ତୁଳନାରେ ଅଧିକ ଉନ୍ନତ ଥିବା ବେଳେ, ଆଉ କେତେକ ତା’ଠାରୁ ନିମ୍ନରେ ଅଛନ୍ତି।
ଭାରତ ପରି ଏକ ବିଶାଳ ଆକାରର ବିବିଧତାପୂର୍ଣ୍ଣ ଦେଶରେ ଏପରି ଅର୍ଥନୈତିକ ତାରତମ୍ୟ ଦେଖାଯିବାରେ କୌଣସି ଅସ୍ବାଭାବିକତା ନାହିଁ। ଏହି ତାରତମ୍ୟ ସୂଚାଉଥିବା ଆଞ୍ଚଳିକ ବୈଷମ୍ୟ ଅନେକ ସମୟରେ ଆଲୋଚନାର ବିଷୟବସ୍ତୁ ହୋଇଥାଏ ଏବ˚ ଏହି ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଭୟ କେନ୍ଦ୍ର ସରକାର ଓ ସମ୍ପୃକ୍ତ ରାଜ୍ୟମାନଙ୍କର ଏକ ମୁଖ୍ୟ ନୀତିଗତ ଲକ୍ଷ୍ୟରେ ମଧୢ ପରିଣତ ହୋଇଛି। କିନ୍ତୁ ମହାରାଷ୍ଟ୍ର ବା ପଞ୍ଜାବ ବା ଗୋଆ ବା ଅନ୍ୟ କୌଣସି ଅନୁରୂପ ଉଚ୍ଚ ମୁଣ୍ତପିଛା ଆୟ ବିଶିଷ୍ଟ ରାଜ୍ୟ ଦେଶର ହାରହାରି ଅର୍ଥନୈତିକ ଅଭିବୃଦ୍ଧିକୁ ପଛରେ ପକାଇ ଆଗକୁ ଚାଲିଗଲେ ବୋଲି ସେଭଳି କୋଳାହଳ କେବେ ସୃଷ୍ଟି ହେବା ଦେଖାଯାଇ ନାହିଁ, ଯେଉଁଭଳି ବର୍ତ୍ତମାନ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) କରିଥିବା ଭବିଷ୍ୟବାଣୀ ଅନୁସାରେ ବା˚ଲାଦେଶର ଅଭିବୃଦ୍ଧି ହାର ଅଧିକ ହୋଇ ୨୦୨୦ରେ ସେ ଦେଶର ମୁଣ୍ତପିଛା ଆୟ ଭାରତର ମୁଣ୍ତପିଛା ଆୟ ଠାରୁ ଅଧିକ ହେବାକୁ ଯାଉଛି ବୋଲି ସୂଚନା ପ୍ରକାଶ ପାଇବା ପରେ ଏବେ ଦେଖିବାକୁ ମିଳୁଛି।
ବିଭିନ୍ନ କାରଣରୁ କୌଣସି ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’କୁ ସେ ଦେଶର ପ୍ରକୃତ ଅର୍ଥନୈତିକ ଅବସ୍ଥାର ଏକ ନିର୍ଭୁଲ୍ ପରିମାପ ବୋଲି ବିଚାର କରାଯାଏ ନାହିଁ। କିନ୍ତୁ ତା’ ସତ୍ତ୍ବେ ପ୍ରଚଳିତ ପ୍ରଥା ଅନୁସାରେ ପୃଥିବୀ ସାରା ଏହି ‘ଜିଡିପି’କୁ ହିଁ ଏକ ଦେଶର ଅର୍ଥନୈତିକ ଶକ୍ତି ଓ ସ୍ବାସ୍ଥ୍ୟର ପରିଚାୟକ ରୂପେ ଗ୍ରହଣ କରାହୋଇ ଆସୁଛି। ସେଇ ଅନୁସାରେ ଗତ ବୁଧବାର ଦିନ ‘ଆଇଏମ୍ଏଫ୍’ ୨୦୨୦ରେ ଭାରତର ‘ଜିଡିପି’ ଅଭିବୃଦ୍ଧିରେ ୧୦% ସ˚କୋଚନ ଘଟିବ ବୋଲି ତା’ର ସବିଶେଷ ଆକଳନରେ ପ୍ରକାଶ କରି ଏହି ଚାଞ୍ଚଲ୍ୟର ସୂତ୍ରପାତ କରିଛି। ଏଥି ପୂର୍ବରୁ ‘ଆଇଏମ୍ଏଫ୍’ କେତେ ମାସ ତଳେ ଯେଉଁ ଆକଳନ କରିଥିଲା, ସେଥିରେ ଭାରତର ‘ଜିଡିପି’ରେ ଘଟିବାକୁ ଯାଉଥିବା ଏହି ସ˚କୋଚନକୁ ୪.୫%ରେ ସୀମିତ ରଖିଥିଲା। ଏଣୁ ବର୍ତ୍ତମାନ ‘ଆଇଏମ୍ଏଫ୍’ ନିଜର ଅନୁମାନରେ ପରିବର୍ତ୍ତନ ଘଟାଇ ଚୀନା କରୋନା ଯୋଗୁଁ ଭାରତୀୟ ଅର୍ଥନୀତିର କ୍ଷତିର ସମ୍ଭାବନା ତାହାର ଦୁଇ ଗୁଣରୁ ଅଧିକ ହେବାକୁ ଯାଉଛି ବୋଲି କହି ସମସ୍ତଙ୍କୁ ହତବାକ୍ କରିଦେଇଛି। ତେବେ ଏହି ଦୁଃସମ୍ବାଦ ଏଭଳି ଦାରୁଣ ବିବେଚିତ ହୋଇନଥାନ୍ତା, ଯଦି ଏହାର ତାତ୍ପର୍ଯ୍ୟ ଏହା ହୁଅନ୍ତା ନାହିଁ ଯେ ଏଥି ଯୋଗୁଁ ଏ ବର୍ଷ ଜଣେ ବା˚ଲାଦେଶୀ ନାଗରିକର ହାରାହାରି ମୁଣ୍ତପିଛା ଆୟ ଜଣେ ଭାରତୀୟଠାରୁ ଅଧିକ ହେବାକୁ ଯାଉଛି।
୧୯୭୧ରେ ପାକିସ୍ତାନର ଲୌହ ମୁଷ୍ଟି ମଧୢରୁ ନିଜକୁ ମୁକୁଳାଇବା ପରେ ଗୁରୁତର ଅସ୍ତ୍ରୋପଚାର ପରବର୍ତ୍ତୀ ଅସନ୍ତୁଳିତ ଅବସ୍ଥା ଭଳି ବା˚ଲାଦେଶ ପ୍ରଥମ ଅବସ୍ଥାରେ ଚରମ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ପୃଥିବୀର ଅନ୍ୟତମ ଏକ ଭିକ୍ଷାଥାଳ ଦେଶ ରୂପେ ବିବେଚିତ ହୋଇଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ସେଇ ଦାରିଦ୍ର୍ୟର ପରୀକ୍ଷାଗାରରୁ ଏକ ନୂତନ ଧାରଣା ଜନ୍ମ ଲାଭ କରିଥିଲା- ଦାରିଦ୍ର୍ୟ ମଧୢ ବ୍ୟାଙ୍କ୍ କାରବାର ଭିତ୍ତିଭୂମିରେ ପରିଣତ ହୋଇପାରେ (ପଭର୍ଟି ଇଜ୍ ବ୍ୟାଙ୍କେବ୍ଲ)। ୧୯୮୦ ଦଶକ ଆଦ୍ୟ ଭାଗରେ ଏହି ସୂତ୍ର ଆଧାରରେ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ବରେ ପ୍ରତିଷ୍ଠିତ ଗ୍ରାମୀଣ ବ୍ୟାଙ୍କ୍ ଆନ୍ଦୋଳନ ଗରିବମାନଙ୍କ ସହଯୋଗ ଭିତ୍ତିରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଏକ ବିପ୍ଳବାତ୍ମକ ପଦକ୍ଷେପ ଥିଲା, ଯାହା ଶେଷରେ ୟୁନୁସ୍ଙ୍କ ପାଇଁ ଏକ ନୋବେଲ୍ ଶାନ୍ତି ପୁରସ୍କାର ଆଣି ଦେଇଥିଲା। ଉଲ୍ଲେଖଯୋଗ୍ୟ ଭାରତ ସମେତ ପୃଥିବୀର ଅନ୍ୟ ଅନେକ ବିକାଶଶୀଳ ଦେଶମାନଙ୍କରେ ମଧୢ ଏହି ନୂତନ ଅର୍ଥନୈତିକ ବିକାଶ ସାଧନ ମଡେଲ୍ ଏବେ ବି ଅନୁସୃତ ହୋଇ ଚାଲିଛି।
ଏହି ନୂତନ ସ୍ବାଧୀନ ଦେଶ ଯେତେବେଳେ ଶିଳ୍ପାୟନର ଆବଶ୍ୟକତା ଅନୁଭବ କରି ନିଜର ପାରମ୍ପରିକ କୃଷି, ମାଛ ଧରା ଆଦି ବୃତ୍ତିରୁ ଦୂରେଇବାକୁ ଆରମ୍ଭ କଲା, ଜାଣିଶୁଣି ଶ୍ରମ ଆଇନ୍କୁ ମଧୢ ହୁଗୁଳା କରି ରଖିଲା। ଏହା ସେଠାରେ ମହିଳା ଓ ଶିଶୁମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାରେ ସହାୟକ ହେଲା, ଯାହା ସେ ଦେଶରେ ପୋଷାକ ନିର୍ମାଣ ଶିଳ୍ପର ଅଭ୍ୟୁଦୟର ମୁଖ୍ୟ କାରଣ ରୂପେ ପରିଗଣିତ ହୋଇଥାଏ। ଏହାର ଫଳ ସ୍ବରୂପ ଶିଳ୍ପ ଉତ୍ପାଦନ ବା˚ଲାଦେଶ ଅର୍ଥନୀତିର ମୁଖ୍ୟ କ୍ଷେତ୍ରରେ ପରିଣତ ହୋଇ ୨୦୦୪ ଠାରୁ ବେଶ୍ ଏକ ଉଚ୍ଚା ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲରେ ସହାୟକ ହୋଇଛି। କିନ୍ତୁ ଭାରତର ଅଭିବୃଦ୍ଧି ହାର ୨୦୦୪ରୁ ୨୦୧୬ ପର୍ଯ୍ୟନ୍ତ ତା’ଠାରୁ ମଧୢ ଅଧିକ ଥିବାରୁ ମୁଣ୍ତପିଛା ଆୟ କ୍ଷେତ୍ରରେ ଭାରତକୁ ସେ ଦେଶ ପଛରେ ପକାଇ ପାରିନଥିଲା। (ଦ୍ରଷ୍ଟବ୍ୟ- ‘ଜିଡିପି’କୁ ଲୋକସ˚ଖ୍ୟା ଦ୍ବାରା ଭାଗ କଲେ ମୁଣ୍ତ ପିଛା ଆୟର ଆକାର ଜଣାପଡ଼ିଥାଏ)। ୨୦୧୭ ଠାରୁ କିନ୍ତୁ ଚିତ୍ର ବଦଳିଛି: ୨୦୧୬ର ବିମୁଦ୍ରୀକରଣ ପ୍ରଭାବରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରରେ ତୀବ୍ର ସ୍ଖଳନ ଘଟିଥିବା ବେଳେ ବା˚ଲାଦେଶର ଅଭିବୃଦ୍ଧି ହାର ପୂର୍ବବତ୍ ଉଚ୍ଚା ରହିଛି।
ଉଭୟ ଦେଶର ତୁଳନାତ୍ମକ ମୁଣ୍ତପିଛା ଆୟକୁ ଆଉ ଯେଉଁ ଏକ କାରଣ ପ୍ରଭାବିତ କରିଛି ତାହା ହେଲା ମୁଣ୍ତ ପିଛା ଆୟ ନିର୍ଦ୍ଧାରଣକାରୀ ଭଗ୍ନା˚ଶର ହର ପାର୍ଶ୍ବରେ ଦେଖାଯାଇଥିବା ପରିବର୍ତ୍ତନ। ବିଗତ ୧୫ ବର୍ଷ ମଧୢରେ ଭାରତର ଜନସ˚ଖ୍ୟାରେ ଘଟିଥିବା ବୃଦ୍ଧି ହାର ୨୧% ହୋଇଥିବା ବେଳେ ବା˚ଲାଦେଶର ଜନସ˚ଖ୍ୟାରେ ବୃଦ୍ଧି ଘଟିଛି ଏହାଠାରୁ କମ୍ ହାରରେ- ୧୮%ରୁ କିଛି କମ୍। ଏ ଉଭୟ ପ୍ରଭାବର ପରିଣାମ ହେଲା: ୨୦୦୭ରେ ବା˚ଲାଦେଶର ମୁଣ୍ତପିଛା ଆୟ ଭାରତର ପ୍ରାୟ ଅଧା ଥିବା ବେଳେ, ଏବ˚ ୨୦୧୪ରେ ଉଭୟ ଦେଶ ମଧୢରେ ଥିବା ଏହି ତଫାତ୍ ସ˚କୁଚିତ ହୋଇ ୩୦%ରେ ପହଞ୍ଚିଥିବା ବେଳେ, ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ବୁଜି ହୋଇ ସାରି ଓଲଟିଯିବାକୁ ବସିଛି।
ଏହି ଦୌଡ଼ରେ ଆଗକୁ ଚାଲିଯିବାରେ ବା˚ଲାଦେଶକୁ ତାତ୍କାଳିକ ଭିତ୍ତିରେ ଯାହା ସହାୟକ ହୋଇଛି, ତାହା ହେଲା, କୋଭିଡ୍-୧୯। ପୂର୍ବରୁ ଉଲ୍ଲେଖ କରାଯାଇଥିବା ଭଳି ଏହି ପାଣ୍ତେମିକ୍ ଯୋଗୁଁ ଭାରତର ଅର୍ଥନୀତି ଅର୍ଥାତ୍ ‘ଜିଡିପି’ରେ ୨୦୨୦ରେ ୧୦% ସ˚କୋଚନ ଘଟିବାକୁ ଯାଉଥିବା ବେଳେ, ବା˚ଲାଦେଶ ଅର୍ଥନୀତିରେ ଅପରପକ୍ଷେ ୪% ଅଭିବୃଦ୍ଧି ଘଟିବାକୁ ଯାଉଛି ବୋଲି ଆକଳନ କରାଯାଉଛି। ତେବେ ଥରେ କରୋନା ଫାଶରୁ ମୁକୁଳିଲେ ଆସନ୍ତା ବର୍ଷ ଭାରତୀୟ ଅର୍ଥନୀତି ପୁଣି ବା˚ଲାଦେଶକୁ ପଛରେ ପକାଇ ଦ୍ରୁତତର ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବ ବୋଲି ସେଇ ‘ଆଇଏମ୍ଏଫ୍’ ମଧୢ ପୂର୍ବାନୁମାନ ପ୍ରକାଶ କରିଛି। ଏଣୁ ଦେଶ ଭିତରେ ଏକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଉତ୍ଥାନ ପତନ ରୂପେ ବା˚ଲାଦେଶର ଅର୍ଥନୈତିକ ଯାତ୍ରାକୁ ଦେଖି ଭାରତ ସେ ନେଇ ଅତ୍ୟଧିକ ବିବ୍ରତ ହେବା ଉଚିତ ନୁହେଁ, କିମ୍ବା ମୋଦୀ ବିରୋଧୀମାନେ ଅତ୍ୟଧିକ ଉଲ୍ଲସିତ ହେବା ଉଚିତ ନୁହେଁ।