ମନ ପରିଭାଷା, ମଧୁମୟ ଦାଂପତ୍ୟ ଜୀବନ

ଫକୀର ମୋହନ ସାହୁ

ଆଧୁନିକ ଦାଂପତ୍ୟ ଜୀବନ ଘୋର ଆହ୍ବାନର ସମ୍ମୁଖୀନ ହେଉଛି। ବିବାହ ବିଚ୍ଛେଦ ହେଉଛି ପାଶ୍ଚାତ୍ୟ ଜଗତ୍‌ର ଏକ ନିଷ୍ଠୁର ଖେଳ ବୋଲି ପୂର୍ବେ ବିଚାର କରାଯାଉଥିଲା; ଏବେ କିନ୍ତୁ ତାହା ଆମ ଘରେ ପ୍ରବେଶ କଲାଣି। ଏ ପରିପ୍ରେକ୍ଷୀରେ ବୈବାହିକ ଜୀବନରୁ ଦ୍ବନ୍ଦ୍ବ ଓ ସ˚ଘର୍ଷ ଦୂର କରି ପାରିବାରିକ ଜୀବନକୁ ମଧୁମୟ କରିବା ଅତି ଆବଶ୍ୟକ ବୋଲି ମନେ ହୁଏ। ସୌଭାଗ୍ୟର କଥା ଯେ ବିବାହ ଭଳି ଏକ ପବିତ୍ର ଓ ପ୍ରାଚୀନ ଅନୁଷ୍ଠାନର ସ˚ରକ୍ଷଣ ଓ ବିକାଶ ପାଇଁ ଆମ ନିକଟରେ ମନୋବିଜ୍ଞାନୀ ଓ ସମାଜବିଜ୍ଞାନୀଙ୍କ ମୂଲ୍ୟବାନ ଗବେଷଣାପ୍ରସୂତ ପରାମର୍ଶ ଉପଲବ୍‌ଧ। ଦାଂପତ୍ୟ ଜୀବନରେ ସଂପ୍ରୀତି ପାଇଁ ପାରସ୍ପରିକତାର ମହତ୍ତ୍ବ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ। ସେଥି ଲାଗି ଉଭୟ ପତି ଓ ପତ୍ନୀ ପରସ୍ପର ନିକଟରେ ଏକ ଖୋଲା ବହି ସଦୃଶ ହେବା ଉଚିତ। ସେଥି ଲାଗି ଉଭୟେ ନିଜ ରୁଚି, ପସନ୍ଦ; ଏପରିକି ଦୁର୍ବଳତା ବିଷୟରେ ପରସ୍ପରକୁ ଜଣାଇବା ଆବଶ୍ୟକ। ଉଭୟଙ୍କ ମଧ୍ୟରେ ଭାବ ଓ ଭାବନାର ମୁକ୍ତ ବିନିମୟ ହେଉଛି ପାରସ୍ପରିକତାର ଏକ ବଳିଷ୍ଠ ବିଭାବ। ଦାଂପତ୍ୟ ସଂପ୍ରୀତିକୁ ଏହା ଦୃଢ଼ କରିଥାଏ।

ଦାଂପତ୍ୟ ସଂପ୍ରୀତି ଲାଗି ଦ୍ବିତୀୟ ନିୟମଟି ହେଉଛି ପାରସ୍ପରିକ ଶ୍ରଦ୍ଧା ଓ ପ୍ରଶ˚ସା। ପତିପତ୍ନୀ ପରସ୍ପରର ସୁଗୁଣକୁ ଦେଖି ତାର ପ୍ରଶଂସା କଲେ ଉଭୟଙ୍କ ମଧ୍ୟରେ ଶ୍ରଦ୍ଧା ଭାବର ବୃଦ୍ଧି ଘଟିଥାଏ। ଏହା ମଧ୍ୟ ସତ ଯେ ଆମେ ଯାହାକୁ ଶ୍ରଦ୍ଧାଭରା ନଜରରେ ଦେଖୁ, ତା’ ପ୍ରତି ଅଧିକ ଉଦାର ହେଉ ଏବଂ ତାର ଦୋଷ-ଦୁର୍ବଳତା ଉପରେ ବିଶେଷ ଗୁରୁତ୍ବ ଦେଉନା। ଦଂପତିଙ୍କ ମଧ୍ୟରେ ଏଭଳି ଭାବ ସୃଷ୍ଟି ହେବା ଉଚିତ। ପରସ୍ପରର ଦୋଷକୁ ଦେଖିଲେ ଓ ତାକୁ ଉଖାରିଲେ ତାହା ଅଯଥାରେ ତିକ୍ତତା ବୃଦ୍ଧି କରି ବିବାହକୁ ରସଶୂନ୍ୟ କରି ପକାଏ। ଦେଖାଯାଏ ଯେ ବୈବାହିକ ଜୀବନର ନିତିଦିନିଆ ପ୍ରବାହ ମଧ୍ୟରେ ଅନେକ ବାଧକ ଆସିଥାଏ। ଏହା ସ୍ବାଭାବିକ ମଧ୍ୟ। ଏହା ସାମୟିକ ଭାବରେ କିଛିଟା ତିକ୍ତତା ଆଣିପାରେ। କିନ୍ତୁ ତାହା ଦୀର୍ଘସ୍ଥାୟୀ ହେବା ଅନୁଚିତ। ସାଧାରଣତଃ ଦେଖାଯାଏ ଯେ ପ୍ରାରମ୍ଭରେ ଦାଂପତ୍ୟ ଜୀବନ ବେଶ୍‌ ମଧୁମୟ ଥାଏ, ଯାହା କ୍ରମେ ମଧୁରତା ହରାଇ ଶୁଷ୍କ ହୋଇଯାଏ। ଏହାର କାରଣ ପାରସ୍ପରିକ ଶ୍ରଦ୍ଧାର ଅଭାବ। ଯେଉଁମାନେ କାଳର ପ୍ରବାହରେ ମଧ୍ୟ ସେହି ମଧୁମୟତାକୁ ବଜାୟ ରଖିପାରନ୍ତି ସେମାନଙ୍କ ଯୁଗଳ ଜୀବନ ସରସ ହୁଏ। ‌େସଥି ଲାଗି ଅନେକ ସମୟରେ ଉଭୟ ପତି ଓ ପତ୍ନୀଙ୍କ ଲାଗି ପରସ୍ପର ପ୍ରତି ଉଦାର ମନୋଭାବ ପୋଷଣ କରିବା ଜରୁରୀ। ତାହା ହେଲେ ବୈବାହିକ ଜୀବନରେ ଆସୁଥିବା ବାଧା କ୍ଷୁଦ୍ର ମନେ ହୋଇଥାଏ ଏବଂ ଉଭୟ ପତି ଓ ପତ୍ନୀ ପରସ୍ପରକୁ ସହଯୋଗ କରି ସେହି ବାଧାକୁ ଅତିକ୍ରମ କରନ୍ତି। ସେଥିଲାଗି ଅନେକ ମନୋବୈଜ୍ଞାନିକ ଅତୀତର ମଧୁମୟ ସ୍ମୃତିକୁ ସ୍ବାମୀ ଓ ସ୍ତ୍ରୀ ଏକାଠି ବସି ରୋମନ୍ଥନ କରିବାର ପରାମର୍ଶ ଦିଅନ୍ତି।

ଜୀବନରେ କୌଣସି ନିଷ୍ପତ୍ତି ନେବା ସମୟରେ ଦୁହେଁ ଦୁହିଁଙ୍କୁ ସମ୍ମାନ ଦେବା ଉଚିତ। କେବଳ ସେତିକି ନୁହେଁ, ଦାଂପତ୍ୟ ଜୀବନର ଚାପରେ ନିଜ ନିଜର ଅନେକ ସୃଜନଶୀଳ ଗୁଣ ହରାଇ ବସୁଥିବା ପତି ବା ପତ୍ନୀଙ୍କୁ ଉଭୟେ ବାରମ୍ବାର ସେ ବିଷୟରେ ସଚେତନ କରାଇ ତାଙ୍କୁ ସେହି ଗୁଣର ବିକାଶ ଲାଗି ପ୍ରେରଣା ଯୋଗାଇବା ଉଚିତ। ପତି ଓ ପତ୍ନୀଙ୍କ ମଧ୍ୟରେ ଶ୍ରଦ୍ଧା ବା ପ୍ରେମ ବୃଦ୍ଧି କରିବା ଲାଗି ମନୋବିଜ୍ଞାନୀମାନେ କେତେକ କୌଶଳର ଅବତାରଣା କରିଛନ୍ତି- ଯେମିତି କି ଆପଣ ପତି ହୁଅନ୍ତୁ ବା ପତ୍ନୀ; ଏକୁଟିଆ ବସିଥିବା ସମୟରେ ଆପଣ ନିଜ ଜୀବନ ସାଥୀଙ୍କ ତିନିଟି ସୁଗୁଣ ବିଷୟରେ ଚିନ୍ତା କରନ୍ତୁ। ଏହା କଷ୍ଟକର ନୁହେଁ। ଏହା ଦ୍ବାରା ଜଣେ ଅପରର ବ୍ୟକ୍ତିତ୍ବର ବିଭିନ୍ନ ବିଭାବକୁ ସଚେତନ ଭାବେ ଆବିଷ୍କାର କରିଥାଏ, ଯାହା ମନରେ ସକାରାତ୍ମକତାକୁ ବୃଦ୍ଧି କରିଥାଏ।
ସତ କହିଲେ ଏକ ସୁଖୀ ଦା‌ଂପତ୍ୟ ଜୀବନ ସ୍ବର୍ଗ ସୁଖ ଦେଇଥାଏ। କିନ୍ତୁ ତାହା ଲାଭ କରିବାକୁ ହେଲେ ଉଭୟ ସ୍ବାମୀ ଓ ସ୍ତ୍ରୀ ସଚେତନ ପ୍ରୟାସ କରିବା ଆବଶ୍ୟକ।
ଭିଆଇଏମ୍-୯୯, ଶୈଳଶ୍ରୀ ବିହାର, ଭୁବନେଶ୍ବର-୨୧

ସମ୍ବନ୍ଧିତ ଖବର