ଆରବ-ଇସ୍ରାଏଲ୍ ସଂଘର୍ଷର ଦୀର୍ଘକାଳୀନ ପର୍ଯ୍ୟବେକ୍ଷକମାନଙ୍କ ମତରେ ହମାସ କୌଣସି ରୂପେ ପାଲେଷ୍ଟିନୀୟମାନଙ୍କ ଶୁଭାକାଂକ୍ଷୀ ନୁହେଁ; ଇରାନରୁ ପୁଂଜି ଏବଂ ପ୍ରଶିକ୍ଷଣ ଲାଭ କରୁଥିବା ଏହି ଆତଙ୍କବାଦୀ ଗୋଷ୍ଠୀ ଡାକ୍ତରଖାନା ଏବଂ ସ୍କୁଲଗୁଡ଼ିକରୁ ଇସ୍ରାଏଲ୍ ଉପରେ ରକେଟ୍ ପ୍ରହାର କରି ଜାଣିଶୁଣି ସେ ସବୁକୁ ଇସ୍ରାଏଲ୍ ପ୍ରତିଶୋଧର ଶରବ୍ୟ କରିଥାଏ, କାରଣ ଇସ୍ରାଏଲର ଜବାବୀ ଆାକ୍ରମଣରେ ଧ୍ବଂସ ସ୍ତୂପରେ ପରିଣତ ହୋଇଥିବା ସେହି ଡାକ୍ତରଖାନା ଓ ସ୍କୁଲଗୁଡ଼ିକର ଭଗ୍ନାବଶେଷ ମଧ୍ୟରୁ ମୃତାହତ ଶିଶୁ ଏବଂ ରୋଗୀଙ୍କ ଫଟୋଚିତ୍ରମାନ ପ୍ରସାର କରି ଇସ୍ରାଏଲ୍ ବିରୋଧରେ ମତ ସୃଷ୍ଟି କରାଯାଇପାରେ।
ଗଲା ୭ ତାରିଖ ସକାଳେ ଏକ ପାର୍ବଣ ଅବକାଶ କାଟୁଥିବା ଇସ୍ରାଏଲ ଉପରେ ଆରବ ଆତଙ୍କବାଦୀ ସଂଗଠନ ହମାସ ଦ୍ବାରା ସଂଘଟିତ ଅବର୍ଣ୍ଣନୀୟ ଭାବେ ବର୍ବର ଆକ୍ରମଣରେ ୧୨୦୦ ସାଧାରଣ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇଥିବା ବିଷୟ ଜଣାପଡ଼ିଛି। ପ୍ରକାଶ ଥାଉ କି ୧୯୪୯ ମସିହାରେ ଇସ୍ରାଏଲ୍ ରାଷ୍ଟ୍ର ଗଠନ ପରେ ଆରବ ରାଷ୍ଟ୍ର ସମୂହ ଓ ଇସ୍ରାଏଲ ମଧ୍ୟରେ ଅନେକ ଯୁଦ୍ଧ ଓ ରକ୍ତପାତ ଘଟିଥିଲେ ହେଁ ଏହି ଆକ୍ରମଣକୁ ସର୍ବାଧିକ ଘାତକ ବୋଲି ଅଭିହିତ କରାଯାଉଛି; କାରଣ ଇସ୍ରାଏଲର ଇତିହାସରେ ଇସ୍ରାଏଲ୍ ଭୂମିରେ ଏହା ପୂର୍ବରୁ ଏତେ ସଂଖ୍ୟକ ଇସ୍ରାଏଲୀ କେବେ ହେଲେ ମୃତ୍ୟୁ ବରଣ କରି ନ ଥିଲେ। ତେବେ, ଏହି ଘଟଣା ପରିପ୍ରେକ୍ଷୀରେ ଯେଉଁ ଏକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି, ତାହା ହେଲା ପୃଥିବୀର ଅନ୍ୟତମ ସର୍ବୋତ୍ତମ ଗୁଇନ୍ଦା ସଂସ୍ଥା (ମୋସାଦ୍) ଏବଂ ସର୍ବଶ୍ରେଷ୍ଠ ସୁରକ୍ଷା ବ୍ୟବସ୍ଥାର ଉପସ୍ଥିତି ସତ୍ତ୍ବେ ଏତେ ସଂଖ୍ୟକ ହମାସ ଆତଙ୍କବାଦୀ କିଭଳି ଇସ୍ରାଏଲରେ ପ୍ରବେଶ କରି ଅନେକ ସମୟ ପର୍ଯ୍ୟନ୍ତ ଗଣ ସଂହାର ରଚନା କରିପାରିଲେ ଏବଂ ଇସ୍ରାଏଲ୍ ରାଷ୍ଟ୍ର ଶକ୍ତିକୁ ଦୟନୀୟ ଭାବେ ଅସହାୟ କରି ପକାଇଲେ? ଏହାର ଉତ୍ତର ପାଇବା ଲାଗି ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଅନେକ ସମର ବିଶେଷଜ୍ଞଙ୍କ ମତରେ ଅତ୍ୟାଧୁନିକ ପ୍ରବିଧି ଉପରେ ମାତ୍ରାଧିକ ନିର୍ଭରଶୀଳତା ଇସ୍ରାଏଲୀ ସାଞ୍ଜୁରେ ଏକ ଛିଦ୍ର ବୋଲି ପ୍ରମାଣିତ ହୋଇଛି। ପ୍ରକାଶ ଥାଉ କି ଗାଜା ପଟି ଓ ଇସ୍ରାଏଲ୍ ମଧ୍ୟବର୍ତ୍ତୀ ସୁରକ୍ଷା ପ୍ରାଚୀର ଏବଂ ସଘନ ତାରଜାଲିରେ ଏଭଳି ଅତ୍ୟାଧୁନିକ ସୁରକ୍ଷା ଉପକରଣମାନ ଖଞ୍ଜା ଯେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଏହି ସୁରକ୍ଷା ବ୍ୟବସ୍ଥା ରନ୍ଧ୍ରହୀନ। ସମ୍ଭବତଃ ଏଭଳି ଆତ୍ମ ପ୍ରତ୍ୟୟ ସେଠାରେ ସଶସ୍ତ୍ର ସୈନିକ ମୁତୟନକୁ ଅନାବଶ୍ୟକ ବୋଲି ମଣିଥିବ। ସୁତରାଂ, ‘ପାରା-ଗ୍ଲାଇଡର୍’ ବ୍ୟବହାର କରି ଶହ ଶହ ଆତଙ୍କବାଦୀ ଇସ୍ରାଏଲ୍ ଭୂମିରେ ଅବତରଣ କରିବା ଏବଂ ମନୁଷ୍ୟ ପହରାର ଅନୁପସ୍ଥିତିର ସୁଯୋଗ ନେଇ ଯୋଜନାବଦ୍ଧ ଭାବେ ସୁରକ୍ଷା ବ୍ୟବସ୍ଥାକୁ ସ୍ଥାନେ ସ୍ଥାନେ ଅଚଳ କରିବା ସହିତ ବୁଲ୍ଡୋଜର ସାହାଯ୍ୟରେ ପ୍ରାଚୀରକୁ ଧରାଶାୟୀ କରି ଇସ୍ରାଏଲ୍ ଅତିକ୍ରମଣ କରିବା ସମ୍ଭବ ହୋଇ ପାରିଲା।
ଏ ପରିପ୍ରେକ୍ଷୀରେ ଯାହା ସର୍ବାଧିକ ଭ୍ରୂକୁଂଚନ ସୃଷ୍ଟି କରିଥାଏ, ତାହା ହେଲା ଏଭଳି ଏକ ଅତ୍ୟନ୍ତ ବିଶାଳ ଯୋଜନାବଦ୍ଧ ଆକ୍ରମଣର ସୂଚନା ମୋସାଦ୍ ଭଳି ଏକ ସର୍ବଶ୍ରେଷ୍ଠ ଗୁଇନ୍ଦା ସଂସ୍ଥା ପାଇଲା ନାହିଁ କିପରି? ଏହାର କାରଣ ଦର୍ଶାଇ କେତେକ ବିଶେଷଜ୍ଞ ଯେଉଁ ମତ ଦିଅନ୍ତି, ତାହା ହେଲା ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଚରମ ଦକ୍ଷିଣପନ୍ଥୀ ଆଭିମୁଖ୍ୟ ଓ ଧର୍ମ-କୈନ୍ଦ୍ରିକ ରାଜନୀତି କାରଣରୁ ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡ଼ିକ ଯେଉଁ ମୁଖ୍ୟମାନଙ୍କ ଦ୍ବାରା ପରିଚାଳିତ ହେଉଛନ୍ତି, ସେମାନେ ବିଧିବଦ୍ଧ ଭାବେ ଅନୁଷ୍ଠାନଗୁଡ଼ିକର ପେସାଦାରୀ ମନୋବୃତ୍ତି ଏବଂ ଦକ୍ଷତାକୁ କ୍ଷୁଣ୍ଣ କରିବାରେ ଲାଗିଛନ୍ତି। ୧୯୭୩ ମସିହାର ‘ୟମ କିପ୍ପୁର’ ଯୁଦ୍ଧର ଦୃଷ୍ଟାନ୍ତ ଦେଇ ଏହି ବିଶେଷଜ୍ଞମାନେ କହିଥାଆନ୍ତି ଯେ ଆରବ ରାଷ୍ଟ୍ରଗୁଡ଼ିକ ଦ୍ବାରା ଆକ୍ରମଣ ସଂରଚିତ ହେବା ପୂର୍ବରୁ ଏ ସଂପର୍କରେ ଯେଉଁ ବ୍ୟକ୍ତି ଇସ୍ରାଏଲକୁ ସତର୍କ କରାଇ ଦେଇଥିଲେ, ସେ ଥିଲେ ଅସରଫ ମରୱାନ; ଜଣେ ‘ମୋସାଦ୍’ ଏଜେଣ୍ଟ ଯିଏ ତାଙ୍କ ତୀକ୍ଷ୍ଣ ବିଚକ୍ଷଣତାର ପରିଚୟ ଦେଇ ଅବିଶ୍ବସନୀୟ ଭାବେ ଇଜିପ୍ଟର ଶାସକ ନାସେରଙ୍କ ଜ୍ବାଇଁ ହୋଇ ପାରିଥିଲେ। କିନ୍ତୁ ବିଡ଼ମ୍ବନା ହେଲା ଗଲା ୭ ତାରିଖର ଆକ୍ରମଣ ପୂର୍ବରୁ ‘ମୋସାଦ୍’ ବା ‘ୟୁନିଟ୍ ୮୨୦୦’ (ଇସ୍ରାଏଲୀ ସାମରିକ ବାହିନୀର ବୃହତ୍ତମ ଗୁଇନ୍ଦା ବିଭାଗ) ନିକଟରେ ଏ ସଂପର୍କରେ ଲେଶ ମାତ୍ର ସୂଚନା ନ ଥିଲା।
ପ୍ରକାଶ ଥାଉ କି ଇରାକ୍, ଇଜିପ୍ଟ, ଜର୍ଡାନ, ସିରିଆ ଭଳି ରାଷ୍ଟ୍ରଗୁଡ଼ିକ ସହିତ ୧୯୪୮ ମସିହାରୁ ଆରମ୍ଭ ହୋଇଥିବା ଇସ୍ରାଏଲ୍ର ଅସ୍ତିତ୍ବ ରକ୍ଷାକାରୀ ଯୁଦ୍ଧମାନ ଇତିମଧ୍ୟରେ ପ୍ରାୟତଃ ସମାପ୍ତ ହୋଇ ସାରିଛି। ‘କ୍ୟାଂପ୍ ଡେଭିଡ୍’ ଚୁକ୍ତି (୧୯୭୮)ରେ ଇଜିପ୍ଟ ସହିତ ଶାନ୍ତି ପ୍ରତିଷ୍ଠାରୁ ଆରମ୍ଭ କରି ୨୦୨୦-୨୧ ମସିହାର ‘ଆବ୍ରାହାମ ଆକର୍ଡ୍’ ପର୍ଯ୍ୟନ୍ତ ରାଜିନାମା ଜରିଆରେ ଆରବ ରାଷ୍ଟ୍ରଗୁଡ଼ିକ ସହିତ ଇସ୍ରାଏଲ୍ କୌଣସିମତେ ସନ୍ଧି ସ୍ଥାପନ କରିବାକୁ ସମର୍ଥ ହୋଇଛି। ଅଥଚ, ଯେଉଁ ଗୋଟିଏ ଶତ୍ରୁ ଏ ଯାବତ୍ ଜୀବିତ ରହି ଇସ୍ରାଏଲ୍ ଲାଗି ମୁଣ୍ଡ ବ୍ୟଥାର କାରଣ ହୋଇଛି, ତାହା ହେଉଛି ହମାସ୍, ଯାହା କୌଣସି ରାଷ୍ଟ୍ର ନୁହେଁ, ଏକ ସଂଗଠନ ମାତ୍ର! କିନ୍ତୁ ବିଡ଼ମ୍ବନା ହେଲା, ହମାସ୍ ଆତଙ୍କବାଦୀଙ୍କ ବିଚରଣ ଭୂମି ଭାବେ ଜଣାଶୁଣା ‘ଗାଜା ପଟି’ ଅଞ୍ଚଳ ଇସ୍ରାଏଲ୍ର ଘନ ଘନ ଆକ୍ରମଣରେ ବସ୍ତୁତଃ ଏକ ଧ୍ବଂସ ସ୍ତୂପରେ ପରିଣତ ହୋଇଥିଲେ ହେଁ ହମାସକୁ ନିଶ୍ଚିହ୍ନ କରାଯିବା ଏ ଯାବତ୍ ସମ୍ଭବପର ହୋଇନାହିଁ। ବିଶେଷଜ୍ଞମାନଙ୍କ ମତରେ ଏହାର କାରଣ ଗାଜା ପଟି ଅଞ୍ଚଳରେ ସାଧାରଣ ପାଲେଷ୍ଟିନୀୟଙ୍କ ସହିତ ଏକାକାର ହୋଇଯାଇଥିବା ଏହି ସୁପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କ ବିରୋଧରେ ପାରଂପରିକ ଯୁଦ୍ଧ କୌଶଳ ନିଷ୍ପ୍ରଭାବୀ ହେବା ସ୍ବାଭାବିକ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଇସ୍ରାଏଲୀ ସାମରିକ ବାହିନୀ ଅତ୍ୟନ୍ତ ଦକ୍ଷ, ଅତ୍ୟାଧୁନିକ ଯୁଦ୍ଧ ସରଂଜାମ ଦ୍ବାରା ସଜ୍ଜିତ; ଶକ୍ତିଶାଳୀ ଟ୍ୟାଙ୍କ ଏବଂ ଏଫ୍-୩୫ ଭଳି ସର୍ବାଧୁନିକ ଯୁଦ୍ଧ ବିମାନ ଏହା ନିକଟରେ ଉପଲବ୍ଧ; କିନ୍ତୁ ହମାସ ବିରୋଧରେ ହେଉଥିବା ଯୁଦ୍ଧରେ ଏ ସବୁର କୌଣସି ଉପଯୋଗିତା ନାହିଁ।
ଆରବ-ଇସ୍ରାଏଲ୍ ସଂଘର୍ଷର ଦୀର୍ଘକାଳୀନ ପର୍ଯ୍ୟବେକ୍ଷକମାନଙ୍କ ମତରେ ହମାସ କୌଣସି ରୂପେ ପାଲେଷ୍ଟିନୀୟମାନଙ୍କ ଶୁଭାକାଂକ୍ଷୀ ନୁହେଁ; ଇରାନରୁ ପୁଂଜି ଏବଂ ପ୍ରଶିକ୍ଷଣ ଲାଭ କରୁଥିବା ଏହି ଆତଙ୍କବାଦୀ ଗୋଷ୍ଠୀ ଡାକ୍ତରଖାନା ଏବଂ ସ୍କୁଲଗୁଡ଼ିକରୁ ଇସ୍ରାଏଲ୍ ଉପରେ ରକେଟ୍ ପ୍ରହାର କରି ଜାଣିଶୁଣି ସେ ସବୁକୁ ଇସ୍ରାଏଲ୍ ପ୍ରତିଶୋଧର ଶରବ୍ୟ କରିଥାଏ, କାରଣ ଇସ୍ରାଏଲର ଜବାବୀ ଆାକ୍ରମଣରେ ଧ୍ବଂସ ସ୍ତୂପରେ ପରିଣତ ହୋଇଥିବା ସେହି ଡାକ୍ତରଖାନା ଓ ସ୍କୁଲଗୁଡ଼ିକର ଭଗ୍ନାବଶେଷ ମଧ୍ୟରୁ ମୃତାହତ ଶିଶୁ ଏବଂ ରୋଗୀଙ୍କ ଫଟୋଚିତ୍ରମାନ ପ୍ରସାର କରି ଇସ୍ରାଏଲ୍ ବିରୋଧରେ ମତ ସୃଷ୍ଟି କରାଯାଇପାରେ। ସେହି ପର୍ଯ୍ୟବେକ୍ଷକମାନେ ଏହା ମଧ୍ୟ କହିଥାଆନ୍ତି ଯେ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇସ୍ରାଏଲ୍ର ମିତ୍ର ନୁହନ୍ତି, ଯିଏ ବାଇବଲର ‘ଓଲଡ୍ ଟେଷ୍ଟାମେଣ୍ଟ’ରେ ଥିବା ଇସ୍ରାଏଲର ଧାରଣାକୁ ଏକବିଂଶ ଶତାବ୍ଦୀର ମାନଚିତ୍ରରେ ଦେଖିବାକୁ ଇଚ୍ଛା କରନ୍ତି ଓ ସେଥି ଲାଗି ପାଲେଷ୍ଟାଇନର ସଂପୂର୍ଣ୍ଣ ବିଲୁପ୍ତି ଚାହାଁନ୍ତି। ୨୦୦୬ ମସିହାରୁ ଏ ଯାବତ୍ ହମାସ୍ ଉପରେ ଆକ୍ରମଣ କରି ଇସ୍ରାଏଲ୍ ନଅ ଥର ଗାଜାକୁ ଆଂଶିକ ଚୂର୍ଣ୍ଣୀଭୂତ କଲାଣି, ଯାହାକୁ ଇସ୍ରାଏଲୀ ସାମରିକ ‘ଏଷ୍ଟାବ୍ଲିସମେଣ୍ଟ’ ‘ଲନ୍ ମୋଇଂ’ ରୂପେ ଅଭିହିତ କରିଥାଏ; ଅର୍ଥାତ୍ ଅନାବନା ଭାବେ ବଢ଼ିଥିବା ଘାସ ପଡ଼ିଆକୁ କାଟି ସମତଳ କରାଯିବାର ଉଦ୍ୟମ! କହିବା ଅନାବଶ୍ୟକ ଯେ ଉଭୟ ପକ୍ଷର ଏଭଳି ମନୋବୃତ୍ତିରେ ଯୁଦ୍ଧ ଓ ସଂଘର୍ଷରେ ଅନ୍ତ ଘଟିବାର ଆଶା ଶୂନ୍ୟପ୍ରାୟ। ପାଲେଷ୍ଟାଇନର ଧ୍ବଂସ ସ୍ତୂପରୁ ହମାସ୍ ଏବେ ତୃତୀୟ ପିଢ଼ିର ଆତଙ୍କବାଦୀମାନଙ୍କୁ ପାଇବାରେ ଲାଗିଛି, ଯେଉଁମାନେ ଇସ୍ରାଏଲ୍ ବିରୋଧରେ ପ୍ରତିଶୋଧର ନିଆଁରେ ଦଗ୍ଧୀଭୂତ। ଏଭଳି ସ୍ଥଳେ ନେତାନ୍ୟାହୁଙ୍କ ସଦ୍ୟ ପ୍ରଦତ୍ତ ମନ୍ତବ୍ୟ ଅନେକାଂଶରେ ନିରର୍ଥକ ଭଳି ମନେ ହୁଏ, ଯାହା କହିଛି ଯେ ହମାସ ଯୁଦ୍ଧ ଆରମ୍ଭ କରିଛି; ଆମେ କିନ୍ତୁ ତାକୁ ସମାପ୍ତ କରିବୁ। ସାଧାରଣ ଜ୍ଞାନ କହିଥାଏ ଯେ ଏଭଳି ଯୁଦ୍ଧମାନ ଅନ୍ତହୀନ; ସୁତରାଂ, ଇସ୍ରାଏଲ୍କୁ ତା’ର ସାଞ୍ଜୁର ଛିଦ୍ରଗୁଡ଼ିକୁ ଖୋଜି ବନ୍ଦ କରିବାକୁ ହେବ!