ବାକ୍ୟ ବୀରତ୍ବ

ବନ୍ୟା, ମରୁଡ଼ି, ବାତ୍ୟା, ଗ୍ରୀଷ୍ମପ୍ରବାହ, ଦାବାଗ୍ନି ଆଦିର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ହେଉଛି ସେଇଭଳି ଗୁରୁତ୍ବପୂର୍ଣ୍ଣ ଯେଉଁଭଳି ବିଶ୍ବ ତାପନର ନିରାକରଣ ହୋଇଥାଏ। କୃଷକମାନଙ୍କୁ ମରୁଡ଼ି ସହନଶୀଳ ବିହନ ଯୋଗାଇବାରୁ ଆରମ୍ଭ କରି ବାତ୍ୟା ଆଶ୍ରୟ ଗୃହ ନିର୍ମାଣ ପର୍ଯ୍ୟନ୍ତ ଅନେକ ପଦକ୍ଷେପମାନ ଏଥିରେ ଅନ୍ତର୍ଭୁକ୍ତ, ଯାହା ସୀମିତ ସମ୍ବଳ ବିନିଯୋଗରେ ଚମକପ୍ରଦ ଫଳ ପ୍ରଦାନ କରିଥାଏ। ଓଡ଼ିଶା ଏ କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ଏକ ଅନୁକରଣୀୟ ଉଦାହରଣ ପାଲଟିଛି। ‘କପ୍‌’ ପରେ ‘କପ୍‌’ରେ ତାପନ ନିର୍ବାପନ ପାଇଁ ଉଦ୍ୟମ ଅବ୍ୟାହତ ଥିବା ବେ‌େଳ ତା’ସହିତ ଲଢ଼ିବା ପାଇଁ ଯେ ମନୁଷ୍ୟକୁ ମଧ୍ୟ ବଞ୍ଚି ରହିବା ଦରକାର, ତାହା ଭୁଲିଯିବା ହେବ ନିର୍ବୋଧତା।

‘‘ପ୍ରିୟ ବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ମାନବାଃ। ତସ୍ମାତ୍‌ ପ୍ରିୟଂ ହି ବକ୍ତବ୍ୟଂ ବଚନେ କା ଦରିଦ୍ରତା।।’’ କ୍ଷୁଦ୍ର ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ପୁଞ୍ଜ ମାର୍ଶାଲ୍‌ ଆଇଲାଣ୍ଡସର ପୂର୍ବତନ ବୈଦେଶିକ ମନ୍ତ୍ରୀ ଟନୀ ଡି ବ୍ରୁମ୍‌ ଆଜି ଯଦି ଜୀବିତ ଥାନ୍ତେ ଓ ଇଜିପ୍‌ଟର ସାର୍ମ ଏଲ୍‌-ସେଖ୍‌ ଠାରେ ୬ ନଭେମ୍ବରରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ଚାଲିଥିବା ଜାତିସଂଘର ୨୭ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (‘କପ୍‌-୨୭’)ରେ ଅଂଶ ଗ୍ରହଣ କରୁଥାନ୍ତେ, ତେବେ ସେ ସେଠାରେ ଉପସ୍ଥିତ ବିଭିନ୍ନ ଦେଶର ନେତାମାନଙ୍କୁ ଓ ବିଶେଷ କରି ଧନୀ ଦେଶ ସବୁର ନେତାମାନଙ୍କୁ ‘ଚାଣକ୍ୟ ନୀତି’ରୁ ଉଦ୍ଧାର କରି ଏହି ପଦଟି ଶୁଣାଇଥାନ୍ତେ। ୨୦୧୫ରେ ପ୍ୟାରିସ୍‌ଠାରେ ଅନୁଷ୍ଠିତ ‘କପ୍‌-୨୧’ର ହିରୋ ରୂପେ ଖ୍ୟାତି ଲାଭ କରିଥିବା ଡି ବ୍ରୁମ୍‌ଙ୍କୁ ଉଚ୍ଚାକାଙ୍‌କ୍ଷୀ ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମାର ସୂତ୍ରଧର ବୋଲି ସ୍ବୀକାର କରାଯାଇଥାଏ। ଡି ବ୍ରୁମ୍‌ ସେଠାରେ ତାଙ୍କର ଅଭିଭାଷଣରେ କହିଥିଲେ ଯେ ପୃଥିବୀବାସୀ ଯଦି ଶିଳ୍ପବିପ୍ଳବ ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ପୃଥିବୀର ହାରାହାରି ତାପମାତ୍ରାରେ ୧.୫ଂ ସେଲ୍‌ସିଅସ୍‌ରୁ ଅଧିକ ବୃଦ୍ଧିକୁ ଗ୍ରହଣ କରି ନିଅନ୍ତି, ତେବେ ତାହା ତାଙ୍କ ଦେଶ ଭଳି କ୍ଷୁଦ୍ର ତଳିଆ ଦେଶମାନଙ୍କ ପାଇଁ ମୃତ୍ୟୁର ପରୱାନା ବା ‘ଡେଥ୍‌ ୱାରାଣ୍ଟ’ରେ ସ୍ବାକ୍ଷର ପ୍ରଦାନ କରିବା ସହ ସମାନ ହେବ। ଡି ବ୍ରୁମ୍‌ଙ୍କର ବ୍ୟକ୍ତିତ୍ବ ଓ ବକ୍ତବ୍ୟର ପ୍ରଭାବ ଏଭଳି ଥିଲା ଯେ ଆଶ୍ଚର୍ଯ୍ୟଜନକ ଭାବରେ ପୃଥିବୀର ତୁଙ୍ଗ ନେତାମାନେ ଶେଷରେ ଯେଉଁ ଜଳବାୟୁ ଚୁକ୍ତିନାମାରେ ସ୍ବାକ୍ଷର କଲେ, ତାହା ଯେପରି ମାର୍ଶାଲ୍‌ ଆଇଲାଣ୍ଡ୍‌ସ ଭଳି ଦେଶମାନଙ୍କ ପାଇଁ ଏକ ‘ଡେଥ୍‌ ୱାରାଣ୍ଟ’ରେ ପରିଣତ ନ ହୁଏ, ତାହା ନିଶ୍ଚିତ କରିବା ପାଇଁ ସେଥିରେ ଯେଉଁ ମୁଖ୍ୟ ଲକ୍ଷ୍ୟ ଅନ୍ତର୍ଭୁକ୍ତ କରାଗଲା, ତାହା ହେଲା, ବିଶ୍ବ ତାପନରେ ବୃଦ୍ଧି ମାତ୍ରାକୁ ଡି ବ୍ରୁମ୍‌ ଚାହୁଁଥିବା ଭଳି ୧.୫ଂ ସେଲ୍‌ସିଅସ୍‌ ମଧ୍ୟରେ ସୀମିତ କରିବା।

ଡି ବ୍ରୁମ୍‌ ସାବଧାନ ବାଣୀ ଶୁଣାଇଥିଲେ ଯେ ଯଦି ବିଶ୍ବ ତାପନ ଯୋଗୁଁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟି ତଳିଆ ଦ୍ବୀପ ମାନ ଜଳମଗ୍ନ ହୁଅନ୍ତି, ସେଥିଯୋଗୁଁ ଯେଉଁ ଗଣ ସ୍ଥାନାନ୍ତର ଘଟିବ, ତାହା ଗଣ ହତ୍ୟା ସହ ସମାନ ହେବ ଏବଂ ଏହି ତାପମାନ ବୃଦ୍ଧି ପାଇଁ ଯେଉଁମାନେ ଦାୟୀ, ସେମାନେ ଗଣହତ୍ୟାକାରୀ ରୂପେ ବ‌ିବେଚିତ ହେବେ। ଏହି ଗଣ ହତ୍ୟା କଳଙ୍କ ମୁଣ୍ଡାଇବା ପାଇଁ କୌଣସି ଦେଶ ପ୍ରସ୍ତୁତ ନ ହେବା ସ୍ବାଭାବିକ, ତେଣୁ ସେମାନେ ଚାଣକ୍ୟଙ୍କ ଉପଦେଶ ମାନିବା ଭଳି ବଚନରେ କୌଣସି ଦରିଦ୍ରତା ପ୍ରଦର୍ଶନ ନ କରି ଏହି ଲକ୍ଷ୍ୟ ପୂରଣ ନିମିତ୍ତ ନିଜ ନିଜ ଦେଶରେ ଅଙ୍ଗାର ନିର୍ଗମନରେ ଆବଶ୍ୟକ ସଂକୋଚନ ଘଟାଇବା ପାଇଁ ଦୃଢ଼ ପ୍ରତିଶ୍ରୁତିମା‌ନ ପ୍ରଦାନ କରି ପକାଇଥିଲେ। ଏହି ପ୍ରିୟ ବଚନ ଶୁଣି ତୁଷ୍ଟ ଅବସ୍ଥାରେ ତା’ର ଦୁଇ ବର୍ଷ ପରେ ଟନୀ ଡି ବ୍ରୁମ୍‌ ଇହଧାମ ତ୍ୟାଗ କରିିଥିଲେ; କିନ୍ତୁ ସେ ଯଦି ଆଜି ଥାଆନ୍ତେ ତେବେ ହୃଦୟଙ୍ଗମ କରି ମର୍ମାହତ ହୁଅନ୍ତେ ଯେ ସେ ଚୁକ୍ତି ସ୍ବାକ୍ଷରକାରୀ କୌଣସି ଦେଶ ଲକ୍ଷ୍ୟ ପୂରଣ ନିମିତ୍ତ ଯଥେଷ୍ଟ ନିର୍ଗମନ ହ୍ରାସ ଘଟାଇ ନାହିଁ। ବରଂ ବିଶ୍ବ ନିର୍ଗମନରେ ବୃଦ୍ଧି ଅବ୍ୟାହତ ରହି ପୃଥିବୀର ହାରାହାରି ତାପମାତ୍ରାରେ ପ୍ରାକ୍‌-ଶିଳ୍ପବିପ୍ଳବ ସମୟ ତୁଳନାରେ ୧.୨ଂ ସେଲ୍‌ସିଅସ୍‌ ବୃଦ୍ଧି ଘଟି ସାରିଲାଣି।

ଯୁଗ ଯୁଗ ଧରି ନିର୍ଗତ ହୋଇଥିବା ଉତ୍ତାପ ବୃଦ୍ଧିକାରୀ ‘ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌’ (ଅଙ୍ଗାରକାମ୍ଳ ମିଥେନ୍‌ ଆଦି) ମାନ ଓ ଏବେ ବି ଅପ୍ରତିହତ ଥିବା ନିର୍ଗମନର ମିଳିତ ପ୍ରଭାବ ଯେଉଁ ଏକ କଠୋର ସତ୍ୟପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ ଓ ଯାହା ଡି ବ୍ରୁମ୍‌ଙ୍କ ପାଇଁ ଏକ ଅସହନୀୟ ମାନସିକ ଧକ୍‌କା ହୁଅନ୍ତା, ତାହା ହେଲା ଚଳିତ ଶତାବ୍ଦୀର ଶେଷ ବେଳକୁ ପୃଥିବୀ ନିଜର ହାରାହାରି ତାପମାତ୍ରାରେ ଉପରୋକ୍ତ ୧.୫ଂ ସି. ବୃଦ୍ଧି ଏଡ଼ାଇ ପାରିବାର କୌଣସି ସମ୍ଭାବନା ନାହିଁ। ପୃଥିବୀର ତାପମାନ ବୃଦ୍ଧି ଏହି ୧.୫ଂ ସି. ‘ଡି ବ୍ରୁମ୍‌ ସୀମା’ ଅତିକ୍ରମ କରିବା ଦିଗରେ ଅଗ୍ରସର ହୋଇ ଚାଲିଥିବା ବେଳେ ମାର୍ଶାଲ୍‌ ଆଇଲାଣ୍ଡ୍‌ସ ଅବଶ୍ୟ ଏ ପର୍ଯ୍ୟନ୍ତ ଜଳମଗ୍ନ ହୋଇନାହିଁ, କିନ୍ତୁ ତାପନ ଦାନବର ତାହା ଯେ ଏକମାତ୍ର ଲକ୍ଷ୍ୟ ନୁହେଁ, ତା’ର ଅଗ୍ରଗତି ଅବ୍ୟାହତ ଥିବା ବେଳେ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳମାନଙ୍କରେ ରଚିତ ଧ୍ବଂସ ଲୀଳାମାନ ତାହାର ପ୍ରମାଣ ବହନ କରିଥାନ୍ତି। ଏହି ସମସ୍ତ ପ୍ରଳୟଙ୍କରୀ ଘଟଣାବଳୀରେ ଅନ୍ତର୍ଭୁକ୍ତ ନିକଟରେ ପାକିସ୍ତାନର ବିସ୍ତୃତ ଅଞ୍ଚଳକୁ ଜଳାର୍ଣ୍ଣବ କରି ଦେଇଥିବା ଅସ୍ବାଭାବିକ ଭାବେ ଭୀଷଣ ମୌସୁମୀ ବର୍ଷା ଜନିତ ବନ୍ୟା; ଆମେରିକାର ଫ୍ଲୋରିଡା ରାଜ୍ୟକୁ ଧ୍ବଂସ୍ତ ବିଧ୍ବସ୍ତ କରି ଦେଇଥିବା ଅଭୂତପୂର୍ବ ଭାବେ ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା; ୟୁରୋପୀମାନଙ୍କୁ ଅଭାବନୀୟ ଭାବରେ ବସ୍ତୁତଃ ସିଝାଇ ଦେଇଥିବା ତାପ ଲହରୀ, ଯାହାର ଅନ୍ୟ ଏକ ସଂସ୍କରଣ ଭାରତରେ ଗହମ ଅମଳ ହାନି କରିବାରୁ ଭାରତ ପ୍ରତିଶ୍ରୁତି ଭଙ୍ଗ କରି ରପ୍ତାନି ନିଷିଦ୍ଧ କରି ପୃଥିବୀ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ଖାଦ୍ୟ ସମସ୍ୟାକୁ ଆହୁରି ଉତ୍କଟ କରିବାକୁ ବାଧ୍ୟ ହୋଇଥିଲା। କେବଳ ବାଚନିକ ବଦାନ୍ୟତା ଦ୍ବାରା ଯେ ପୃଥିବୀକୁ ଶୀତଳ କରି ହେବ ନାହିଁ, ଏ ସମସ୍ତ ଅଘଟଣମାନ ହେଉଛି ତାହାର ପ୍ରମାଣ।

ପ୍ୟାରିସ୍‌ ଚୁକ୍ତି ସ୍ବାକ୍ଷରିତ ହେବା ପରେ ସାତବର୍ଷ ବିତି ଯାଇଥିଲେ ହେଁ ପ୍ରଦତ୍ତ ପ୍ରତିଶ୍ରୁତିମାନ ପାଳନରେ ସଦସ୍ୟ ଦେଶମାନଙ୍କର ଅକ୍ଷମତା ଆମକୁ ଯେଉଁ ଅପ୍ରିୟ ସତ୍ୟ ସ୍ବୀକାର କରିବାକୁ ବାଧ୍ୟ କରିଥାଏ, ତାହା ହେଲା ସେହି ଚୁକ୍ତିରେ ସ୍ଥାପନ କରାଯାଇଥିବା ୧.୫ଂ ସେଲ୍‌ସିଅସ୍‌ ଲକ୍ଷ୍ୟ ହେଉଛି ଏକ ଅବାସ୍ତବ ଲକ୍ଷ୍ୟ ଏବଂ ଇଜିପ୍‌ଟରେ ଏକତ୍ର ହୋଇଥିବା ‘କପ୍‌-୨୭’ର ପ୍ରତିନିଧିମା‌େନ ଏଥର ଏହାକୁ ପରିତ୍ୟାଗ କରି କେତେକ ବାସ୍ତବବାଦୀ ଲକ୍ଷ୍ୟ ଚିହ୍ନଟ କରିବା ଉଚିତ ହେବ, ଯାହା ପ୍ରକୃତରେ ହାସଲ କରିବା ସମ୍ଭବ ହେବ। ପ୍ରଥମ ହେଉଛି, ନିର୍ଗମନ ହ୍ରାସ କରିବା ପାଇଁ ଅଧିକରୁ ଅଧିକ ସ୍ବଚ୍ଛ ଶକ୍ତି ଉତ୍ପାଦନରେ ବିନିଯୋଗ ନିମିତ୍ତ ଅଧିକରୁ ଅଧିକ ସମ୍ବଳର ବ୍ୟବସ୍ଥା କରିବା। ସରକାରୀ ଅନୁଦାନ ଓ ଅନ୍ୟାନ୍ୟ ଦାନ ସୂତ୍ରରୁ ଉପଲବ୍‌ଧ ସମ୍ବଳ ଏଥିପାଇଁ ଆଦୌ ଯଥେଷ୍ଟ ହେବାର ସମ୍ଭାବନା ନ ଥିବାରୁ ଏ କ୍ଷେତ୍ରରେ ଘରୋଇ ନିବେଶକମାନଙ୍କୁ କିପରି ପ୍ରୋତ୍ସାହିତ କରାଯାଇ ପାରିବ, ସମ୍ମିଳନୀରେ ସେ ସମ୍ବନ୍ଧରେ ବିଚାର ଆଲୋଚନା କରି ଉପାୟ ବାହାର କରାଯିବା ଆବଶ୍ୟକ। ଏକ ଉଦାହରଣ ସ୍ବରୂପ କେତେକ ପରିସ୍ଥିତିରେ ସରକାରୀ ଗ୍ୟାରେଣ୍ଟି ପ୍ରଦାନ ବ୍ୟବସ୍ଥା ନିବେଶକମାନଙ୍କୁ ଉତ୍ସାହିତ କରିପାରେ।

ଏଥିସହିତ ସମ୍ପୃକ୍ତ ଦ୍ବିତୀୟ ଲକ୍ଷ୍ୟ ହେଉଛି ଏହା ହୃଦୟଙ୍ଗମ କରିବା ଯେ ହଠାତ୍‌ ସମସ୍ତ ପ୍ରକାର ଜୀବାଶ୍ମ ଇନ୍ଧନ (କୋଇଲା, ପେଟ୍ରୋଲ, ଡିଜେଲ୍‌, ପ୍ରାକୃତିକ ବାଷ୍ପ) ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରି ଦେବା ସମ୍ଭବ ନୁହେଁ- ଅନୁନ୍ନତ, ବିକାଶଶୀଳ ଦେଶମାନଙ୍କରେ ମୌଳିକ ଗମନାଗମନ ବ୍ୟବସ୍ଥା ବା ବିଦ୍ୟୁତ୍‌ଶକ୍ତି ଉପଲବ୍‌ଧତା ବିଶ୍ବତାପନ ହ୍ରାସର ଆବଶ୍ୟକତା ଅପେକ୍ଷା ବହୁୁଗୁଣ ଅଧିକ ଗୁରୁତ୍ବ ବହନ କରିଥାଏ। ଏପରିକି ଇଉରୋପ ଭଳି ଉନ୍ନତ ଅଞ୍ଚଳ ମଧ୍ୟ ରୁଷିଆ ଉପରେ ନିର୍ଭ‌ରଶୀଳତା ହ୍ରାସ ପାଇଁ ପ୍ରାକୃତିକ ବାଷ୍ପ ଆମଦାନିର ବିକଳ୍ପ ସୂତ୍ରର ସନ୍ଧାନରେ ଲାଗିଛି। ଏଣୁ ଅକ୍ଷୟ ଶକ୍ତିର ବିକାଶ ସହିତ ପାରମ୍ପରିକ ଶକ୍ତିର କ୍ରମହ୍ରାସମାନ ଉପସ୍ଥିତି ଆମର ଲକ୍ଷ୍ୟ ହେବା ଉଚିତ। ତୃତୀୟରେ, ଯେହେତୁ ୧.୫ଂ ସେଲ୍‌ସିଅସ୍‌ ଲକ୍ଷ୍ୟ ହାସଲ ହେବା ସମ୍ଭବ ନୁହେଁ, ସେଥିଯୋଗୁଁ ଯେଉଁସବୁ ଜଳବାୟୁ ପରିବର୍ତ୍ତନ ଜନିତ ଅଘଟଣମାନ ଘଟିବା ନିଶ୍ଚିତ, ସେଥି ସହିତ ଖାପ ଖାଇ ଚଳିବା ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ହେଉଛି ଅପରିହାର୍ଯ୍ୟ। ବନ୍ୟା, ମରୁଡ଼ି, ବାତ୍ୟା, ଗ୍ରୀଷ୍ମପ୍ରବାହ, ଦାବାଗ୍ନି ଆଦିର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ହେଉଛି ସେଇଭଳି ଗୁରୁତ୍ବପୂର୍ଣ୍ଣ ଯେଉଁଭଳି ବିଶ୍ବ ତାପନର ନିରାକରଣ ହୋଇଥାଏ। କୃଷକମାନଙ୍କୁ ମରୁଡ଼ି ସହନଶୀଳ ବିହନ ଯୋଗାଇବାରୁ ଆରମ୍ଭ କରି ବାତ୍ୟା ଆଶ୍ରୟ ଗୃହ ନିର୍ମାଣ ପର୍ଯ୍ୟନ୍ତ ଅନେକ ପଦକ୍ଷେପମାନ ଏଥିରେ ଅନ୍ତର୍ଭୁକ୍ତ, ଯାହା ସୀମିତ ସମ୍ବଳ ବିନିଯୋଗରେ ଚମକପ୍ରଦ ଫଳ ପ୍ରଦାନ କରିଥାଏ। ଓଡ଼ିଶା ଏ କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ଏକ ଅନୁକରଣୀୟ ଉଦାହରଣ ପାଲଟିଛି। ‘କପ୍‌’ ପରେ ‘କପ୍‌’ରେ ତାପନ ନିର୍ବାପନ ପାଇଁ ଉଦ୍ୟମ ଅବ୍ୟାହତ ଥିବା ବେ‌େଳ ତା’ସହିତ ଲଢ଼ିବା ପାଇଁ ଯେ ମନୁଷ୍ୟକୁ ମଧ୍ୟ ବଞ୍ଚି ରହିବା ଦରକାର, ତାହା ଭୁଲିଯିବା ହେବ ନିର୍ବୋଧତା।

ସମ୍ବନ୍ଧିତ ଖବର