ଭୂମି ଓ ଖଚର

ଦାସପ୍ରଥା ଉଚ୍ଛେଦକୁ କେନ୍ଦ୍ର କରି ଗୃହଯୁଦ୍ଧ ଚାଲିଥିବା ‌ବେଳେ ମୁକ୍ତ କ୍ରୀତଦାସମାନଙ୍କୁ ସେମାନଙ୍କର ଅତୀତର ଶୋଷଣ ପାଇଁ କ୍ଷତିପୂରଣ ଦେବା ପାଇଁ ଏବଂ ଯୁଦ୍ଧରେ ଯୋଗ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ପକ୍ଷ ସେମାନଙ୍କ ସମ୍ମୁଖରେ ଏକ ଆକର୍ଷଣୀୟ ପ୍ରସ୍ତାବ ରଖିଥିଲେ: ଯୁଦ୍ଧ ସମାପ୍ତ ହେବା ପରେ ପ୍ରତ୍ୟେକ ମୁକ୍ତ କ୍ରୀତଦାସଙ୍କୁ ପ୍ରଦାନ କରାଯିବ ଚାଳିଶି ଏକର ଜମି ସହିତ ଗୋଟିଏ ଲେଖାଏଁ ଖଚର। ଉଲ୍ଲେଖ ନି‌ଷ୍ପ୍ରୟୋଜନ, ପିଢ଼ି ପରେ ପିଢ଼ି, ସେଦିନର କ୍ରୀତଦାସମାନଙ୍କର ଉତ୍ତର ପୁରୁଷମାନେ ଏ ପର୍ଯ୍ୟନ୍ତ ଗୁଣ୍ଠେ ହେଲେ ଜମି କି ଗଧଟିଏ ମଧ୍ୟ ପାଇନାହାନ୍ତି। ଆମେରିକାର କଂଗ୍ରେସ ଭାରତରେ ମାନବାଧିକାର ସମ୍ବନ୍ଧରେ ବ୍ୟସ୍ତ ନ ହୋଇ ସେଠାରେ ଏହି ମାନବାଧିକାର ପ୍ରତିଶ୍ରୁତି ପୂରଣ ପ୍ରତି ଧ୍ୟାନ ଦେଲେ ଭଲ ହୁଅନ୍ତା ନାହିଁ କି?

ନ‌େଭମ୍ବର ୨୬ରେ ଭାରତ ତା’ର ସଂବିଧାନ ଦିବସ ପାଳନ କରିବାର ଚାରି ଦିନ ପୂର୍ବରୁ ନଭେମ୍ବର ୨୨‌େର ଏହି ସଂବିଧାନର ସନ୍ତାନ ହୋଇଥିବା ଭାରତୀୟ ରାଷ୍ଟ୍ର କିପରି ଏଠାରେ ତା’ର ନାଗରିକମାନଙ୍କ ପାଇଁ ଧର୍ମୀୟ ସ୍ବାଧୀନତାଭିତ୍ତିକ ମାନବାଧିକାର ନିଶ୍ଚିତ କରିବାରେ ବିଫଳ ହୋଇଛି, ସେ ସମ୍ବନ୍ଧରେ ଏକ ବାହାର ଦେଶର ସଂସଦ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ସେ ଦେଶ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସେ ଦେଶର ସଂସଦ କଂଗ୍ରେସ ଦ୍ବାରା ନିଯୁକ୍ତ ଉକ୍ତ ରିପୋର୍ଟ ପ୍ରସ୍ତୁତକାରୀ ସଂସ୍ଥା ହେଉଛି ‘ୟୁଏସ୍‌ କମିସନ ଅନ୍‌ ଇଣ୍ଟର୍‌ନେସନାଲ୍‌ ରେଲିଜିଅସ୍‌ ଫ୍ରିଡମ୍‌’ (‘ୟୁଏସ୍‌ସିଆଇଆର୍‌ଏଫ୍‌’)। ଏଥିରେ କୁହାଯାଇଛି ଯେ ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ବଳବତ୍ତର ଥିବା ଆଇନମାନ ଓ ଅନୁସୃତ ହେଉଥିବା ନୀତିମାନ ଯୋଗୁଁ ମୁସଲମାନ୍‌, ଖ୍ରୀଷ୍ଟିଆନ୍‌, ଶିଖ୍‌, ଦଳିତ ଓ ଆଦିବାସୀମାନେ ନକାରାତ୍ମକ ଭାବରେ ପ୍ରଭାବିତ ହେଉଛନ୍ତି।

ଭାରତୀୟ ସମ୍ବିଧାନ ସହିତ ଯେଉଁମାନେ ପରିଚିତ (ଧାରା ୧୪-୧୮, ଧାରା ୨୫-୨୮), ଏଠାରେ ନାଗରିକ ଅଧିକାର ଓ ଧର୍ମୀୟ ସ୍ବାଧୀନତା ସମ୍ବିଧାନ ଦ୍ବାରା କିପରି ନିଶ୍ଚିତ ‌କରାଯାଇଛି, ସେମାନେ ତାହା ଭଲ ରୂପେ ଜାଣନ୍ତି। ନାଗରିକର ଏହି ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ଭାରତୀୟ ନ୍ୟାୟପାଳିକା ସର୍ବଦା ସତର୍କ ପ୍ରହରୀ ରୂପେ କାର୍ଯ୍ୟ କରିଥାଏ। ସେ ଦୃଷ୍ଟିରୁ ଯଦି ଉପରୋକ୍ତ ଆମେରିକୀୟ ସଂସ୍ଥାର ରିପୋର୍ଟର ବିଶ୍ବସନୀୟତା ଦୁର୍ବଳ ହୋଇଥାଏ, ପ୍ରାୟ ଏକ ବର୍ଷ ତଳେ ସେଇ ଅାମେରିକାର ୱାଶିଙ୍ଗ୍‌ଟନ୍‌ସ୍ଥିତ ‘ଥିଙ୍କ୍‌ଟ୍ୟାଙ୍କ୍‌’ ‘ପିଉ ରିସର୍ଚ୍ଚ ସେଣ୍ଟର୍‌’ ଏ ବାବଦରେ ଭାରତ ସମ୍ବନ୍ଧ‌େର ଯେଉଁ ଚିତ୍ର ସଂଗ୍ରହ କରି ପ୍ରସାର କରିଥିଲା, ତାହା ୟୁଏସ୍‌ କଂଗ୍ରେସ ଏବେ ପ୍ରସାର କରିଥିବା ଚିତ୍ରର ଠିକ୍‌ ବିପରୀତ କହିଲେ ଭୁଲ୍‌ ହେବ ନାହିଁ। ୨୦୨୧ ଜୁନ୍‌ରେ ପ୍ରକାଶ ପାଇଥିବା ଏହି ‘ପିଉ’ ରିପୋର୍ଟରେ କୁହାଯାଇଥିଲା ଯେ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଭାରତର ବାସିନ୍ଦାମାନେ ସାଧାରଣତଃ ଅନୁଭବ କରିଥାନ୍ତି ଯେ ସେମାନଙ୍କର ଦେଶ ତା’ର ଏକ ସ୍ବାଧୀନତୋତ୍ତର ଆଦର୍ଶକୁ ସାକାର କରିବାରେ ସଫଳ ହୋଇଛି, ଯେଉଁଠି ସମାଜରେ ବିଭିନ୍ନ ଧର୍ମର ଅନୁଗାମୀମାନେ ଏକତ୍ର ବାସ କରିବା ଓ ନିଜ ନିଜର ଧର୍ମ ପାଳନ କରିବାର ସମ୍ପୂର୍ଣ୍ଣ ସ୍ବାଧୀନତା ଉପଭୋଗ କରିଥାନ୍ତି। କଡ଼ାକଡ଼ି ଭାବରେ ପରିସଂଖ୍ୟାନ ବିଜ୍ଞାନ ଭିତ୍ତିରେ ଚୟନ କରାଯାଇଥିବା ପ୍ରାୟ ୩୦,୦୦୦ ପ୍ରାପ୍ତ ବୟସ୍କ ଉତ୍ତରଦାତାମାନଙ୍କ ସହିତ ସ‌ର୍ବେକ୍ଷକମାନେ ୨୦୧୯-୨୦ରେ ୧୭ଟି ଭାଷାରେ ମୁହାଁମୁହିଁ ଆଲୋଚନା କରି ସଂଗ୍ରହ କରିଥିବା ଉତ୍ତର ଭିତ୍ତିରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଭାରତର ଜନସଂଖ୍ୟା କେବଳ ବିଶାଳ ନୁହେଁ, ବିବିଧତାପୂର୍ଣ୍ଣ। ପୃଥିବୀର ଅଧିକାଂଶ ହିନ୍ଦୁ, ଶିଖ ଓ ଜୈନ ଯେ ଏଠାରେ ବାସ କରନ୍ତି, ତାହା ନୁହେଁ, ପୃଥିବୀର ଅନ୍ୟତମ ବିଶାଳ ମୁସଲମାନ ଜନସଂଖ୍ୟାର ମଧ୍ୟ ଭାରତ ହେଉଛି ବାସସ୍ଥଳୀ ଏବଂ ଏଠାରେ ନିୟୁତ ନିୟୁତ ସଂଖ୍ୟାରେ ବୌଦ୍ଧ ଓ ଖ୍ରୀଷ୍ଟିଆନ୍‌ମାନେ ମଧ୍ୟ ବାସ କରିଥାନ୍ତି।

ରିପୋର୍ଟ ଅନୁସାରେ ଉପରୋକ୍ତ ଆଲୋଚନା ସମୟରେ ଏ ସମସ୍ତ ଧର୍ମୀୟ ପୃଷ୍ଠଭୂମିର ଉତ୍ତରଦାତାମାନେ ପ୍ରାୟ ସମସ୍ତେ ଦୃଢ଼ତାର ସହ ପ୍ରକାଶ କରିଥିଲେ ଯେ ସେମାନେ ‌ନିଜ ନିଜର ଧର୍ମ ଆଚରଣ କରିବାରେ ଏଠାରେ ସମ୍ପୂର୍ଣ୍ଣ ସ୍ବାଧୀନତା ଉପଭୋଗ କରୁଛନ୍ତି। ଅଧିକାଂଶ ଉତ୍ତରଦାତାମାନେ ପ୍ରକାଶ କରିଥିଲେ ଯେ ଜଣେ ପ୍ରକୃତ ଭାରତୀୟ ସମସ୍ତ ଧର୍ମକୁ ସମ୍ମାନ କରିଥାଏ। ଉଭୟ ଧର୍ମୀୟ ଆଚରଣ ଓ ନାଗରିକ ଆଚରଣରେ ସହନଶୀଳତା ପ୍ରଦର୍ଶନକୁ ସେମାନେ ଗୁରୁତ୍ବ ପ୍ରଦାନ କରିଥିଲେ। ପରସ୍ପରର ଧର୍ମ ପ୍ରତି ସେମାନଙ୍କର ଏପରି ସମ୍ବେଦନଶୀଳ ଆଭିମୁଖ୍ୟ ସେମାନଙ୍କ ଧର୍ମବିଶ୍ବାସରେ ମଧ୍ୟ କିପରି ପ୍ରତିଫଳିତ ହୋଇଥାଏ, ତାହା ଅତୀବ ରୋଚକ ଢଙ୍ଗରେ ରିପୋର୍ଟରେ ପ୍ରକାଶ ପାଇଥିଲା। ଉଦାହରଣ ସ୍ବରୂପ ‘ପିଉ’ ଦ୍ବାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଭାରତରେ ଯେତିକି ଶତାଂଶ (୭୭%) ହିନ୍ଦୁମାନେ କର୍ମଫଳରେ ବିଶ୍ବାସ କରନ୍ତି (ଏହା ହିନ୍ଦୁ ଧର୍ମର ଏକ ଅଂଶ ରୂପେ ଜଣାଶୁଣା), ସେତିକି ଶତାଂଶ ମୁସଲମାନମାନେ ମଧ୍ୟ କର୍ମଫଳରେ ବିଶ୍ବାସ କରନ୍ତି। ସେହିପରି ହିନ୍ଦୁ ଧର୍ମରେ ଗଙ୍ଗା ନଦୀ ଜଣାଶୁଣା ଭାବରେ ଏକ ପବିତ୍ର ନଦୀର ସ୍ଥାନ ଦଖଲ କରିଥାଏ, ଯାହାର ଜଳ ସ୍ପର୍ଶ ଦ୍ବାରା ସମସ୍ତ ପାପ ଦୂର‌ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ସର୍ବେକ୍ଷଣରେ ଦେଖାଯାଇଥିଲା ଯେ ୮୧% ହିନ୍ଦୁମାନେ ଏଭଳି ବିଶ୍ବାସର ଅଧିକାରୀ ହୋଇଥିବା ବେଳେ, ୩୨% ଖ୍ରୀ‌ଷ୍ଟିଆନ୍‌ମାନେ ମଧ୍ୟ ଗଙ୍ଗା ନଦୀକୁ ଏଭଳି ସମ୍ମାନ ପ୍ରଦର୍ଶନ କରିଥାନ୍ତି। ସୁଫି ମତବାଦ ହେଉଛି ଇସଲାମ ଅନ୍ତର୍ଗତ ‌ଏକ ଭକ୍ତିମାର୍ଗ। ସର୍ବେକ୍ଷଣରେ ଆବିଷ୍କୃତ ହୋଇଥିଲା ଯେ ଉତ୍ତର ଭାରତରେ ୩୭% ମୁସଲମାନ ସୁଫି ରୂପେ ନିଜକୁ ପରିଚିତ କରାଉଥିବା ବେଳେ ୧୨% ହିନ୍ଦୁ ଓ ୧୦% ଶିଖ୍‌ ମଧ୍ୟ ନିଜକୁ ସୁଫି ମତବାଦରେ ବିଶ୍ବାସୀ ରୂପେ ପରିଚୟ ଦେଇଥାନ୍ତି। ସର୍ବେକ୍ଷକମାନେ ପ୍ରତ୍ୟେକ ଧର୍ମରେ ଯେଉଁ ଏକ ଚରିତ୍ର ସାଧାରଣ ହୋଇଥିବା ଦେଖିବାକୁ ପାଇଥିଲେ, ତାହା ହେଲା-ଗୁରୁଜନଙ୍କ ପ୍ରତି ଭକ୍ତି ଓ ସମ୍ମାନ।

ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ, ଭାରତରେ ମାନବାଧିକାର ଚିତ୍ର ପ୍ରତି ଆମେରିକା ଭଳି ଆଜି ମଧ୍ୟ ବାସ୍ତବ ବର୍ଣ୍ଣ ବିଦ୍ବେଷ ରାଜୁତି କରୁଥିବା ଏକ ଦେଶର କଂଗ୍ରେସ ଅଙ୍ଗୁଳି ନିର୍ଦ୍ଦେଶ କରିବା ହେଉଛି ଶତ ରନ୍ଧ୍ର ବିଶିଷ୍ଟ ଚାଲୁଣୀ ଛୁଞ୍ଚିର ଏକମାତ୍ର ରନ୍ଧ୍ର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଭଳି। ଆଜି ଯେଉଁମାନେ ଆମେରିକାକୁ ଦଖଲ କରିଛନ୍ତି, ସେମାନେ ମୁଖ୍ୟତଃ ଇଉରୋପରୁ ଯାଇ ସେଠାରେ ଅନୁପ୍ରବେଶ କରିବା ପୂର୍ବରୁ ସେଠାରେ ଯେଉଁ ମୂଳ ଅଧିବାସୀମାନେ ବସବାସ କରୁଥିଲେ, ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେମାନଙ୍କୁ (ଲୋହିତ) ଭାରତୀୟ ଭାବେ ଅଭିହିତ କରି ଏହି ଶ୍ବେତାଙ୍ଗ ଅନୁପ୍ରବେଶକାରୀମାନେ ସେଇ ମୂଳ ଅଧିବାସୀମାନଙ୍କ ଉପରେ ନିର୍ମମ ଆକ୍ରମଣ କରି ସେମାନଙ୍କର ପ୍ରାୟ ସମ୍ପୂର୍ଣ୍ଣ ବିଲୋପ ସାଧନ କରି ଦେଲେ। ଏହାପରେ ଏହି ଶ୍ବେତାଙ୍ଗମାନେ ସେଠାରେ ଯେଉଁ ରାଷ୍ଟ୍ର ପ୍ରତିଷ୍ଠା କଲେ, ତାହାକୁ ଏକ ‘କ୍ରୀତଦାସଧାରୀ ରାଷ୍ଟ୍ର’ (‘ସ୍ଲେଭ୍‌ହୋଲ୍‌ଡିଙ୍ଗ୍‌ ରିପବ୍ଲିକ୍‌’) ରୂପେ ବର୍ଣ୍ଣନା କରାଯାଇଥାଏ। ଏହାର କାରଣ ହେଲା କ୍ରୀତଦାସମାନଙ୍କର ଶୋଷଣ ହିଁି ଥିଲା ଏହାର ଅର୍ଥନୀତିର ମୂଳଭିତ୍ତି।

ଏହି ବ୍ୟବସ୍ଥା ସହିତ ଅବିଚ୍ଛେଦ୍ୟ ଭାବରେ ଜଡ଼ିତ ଅସୁମାରି ମାନବାଧିକାର ଉଲ୍ଲଂଘନମାନଙ୍କର ବର୍ଣ୍ଣନାରେ ଇତିହାସରୁ ସାହିତ୍ୟ ପର୍ଯ୍ୟନ୍ତ ଭରପୂର। ଏଥିରୁ ଗୋଟିଏ ନମୁନା ଏଠାରେ ଉଦ୍ଧାର କରାଯାଉଛି। ନିକଟବର୍ତ୍ତୀ ସେଣ୍ଟ୍‌-ଡୋମିଙ୍ଗ୍‌ (ଆଜିର ହାଇଟି) ଦ୍ବୀପରେ ୧୭୯୧ରେ ଘଟିଥିବା କ୍ରୀତଦାସ ବିଦ୍ରୋହ ଯୋଗୁଁ ସେଠାରେ କପାଚାଷ ଯେତେବେଳେ ଭୁଶୁଡ଼ି ପଡ଼ିଲା, ଆମେରିକାର ଦାକ୍ଷିଣାତ୍ୟ ରାଜ୍ୟମାନେ ଏହାର ସୁଯୋଗ ନେଇ ସେମାନଙ୍କର ଉଭୟ କ୍ରୀତଦାସ ସଂଗ୍ରହ ଓ କପା ଉତ୍ପାଦନ କ୍ଷମତାରେ ଚମକପ୍ରଦ ବୃଦ୍ଧି ଘଟାଇ ଚାଲିଲେ। ୧୮୦୮ରେ କୃଷ୍ଣକାୟ କ୍ରୀତଦାସଙ୍କ କ୍ରୟବିକ୍ରୟ ପ୍ରତି ନିଷେଧାଦେଶ ଲାଗୁ ହେବା ପରେ ‌ମଧ୍ୟ ସେଠାରେ ଆହୁରି ଅନେକ ଦଶନ୍ଧି ଧରି ଏଥିରେ ଚୋରା ବେପାର ଲାଗି ରହିଥିଲା। ତେବେ ଆମେରିକୀୟ କପା କ୍ଷେତ ମାଲିକମାନେ ବଜାର ଉପରେ ନିର୍ଭର ନ କରି ନିଜ ମାଲିକାନାରେ ଥିବା କ୍ରୀତଦାସ ସଂଖ୍ୟାରେ ବୃଦ୍ଧି ଘଟାଇବାର ଏକ କୌଶଳ ଆବିଷ୍କାର କରିଥିଲେ, ଯାହାକୁ ଜୈବିକ କୌଶଳ ରୂପେ ବର୍ଣ୍ଣନା କରାଯାଇପାରେ ଓ ଯାହା ଗୁହାଳରେ ଥିବା ଗାଈଗୋରୁ, ଛେଳି ମେଣ୍ଢାଙ୍କ ପ୍ରତି ପ୍ରୟୋଗ କରାଯାଇଥାଏ। ସଂକ୍ଷେପରେ କହିଲେ, ମାଲିକମାନେ ଆବିଷ୍କାର କଲେ ଯେ ଅଧିକ ସଂଖ୍ୟକ ସନ୍ତାନ ଉତ୍ପାଦନ ନିମିତ୍ତ ନିଜର କ୍ରୀତଦାସମାନଙ୍କୁ ବାଧ୍ୟ କରିବା ହେଉଛି ସେମାନଙ୍କ ସଂଖ୍ୟା ବୃଦ୍ଧିର ଏକ ଅଧିକ ଫଳପ୍ରଦ ଓ ସୁଲଭ ଉପାୟ। ଏହାର ଫଳ ସ୍ବରୂପ ୧୮୦୦ରୁ ୧୮୬୦ ମଧ୍ୟରେ ଆମେରିକାର ଦାକ୍ଷିଣାତ୍ୟରେ କ୍ରୀତଦାସ ସଂଖ୍ୟାରେ ଚାରି ଗୁଣ ବୃଦ୍ଧି ଘଟିବା ସ‌ଙ୍ଗେ ସଙ୍ଗେ କପା ଉତ୍ପାଦନରେ ଦଶ ଗୁଣ ବୃଦ୍ଧି ଘଟିବା ଦେଖାଯାଇଥିଲା। ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ଦାସ ପ୍ରଥାର ଉ‌େଚ୍ଛଦ ଘଟାଇବାରେ ନେତୃତ୍ବ ନେଉଥିବା ଆବ୍ରାହମ୍‌ ଲିଙ୍କନ୍‌ଙ୍କ ପୂର୍ବବର୍ତ୍ତୀ ୧୫ ଜଣ ଆମେରିକୀୟ ରାଷ୍ଟ୍ରପତିମାନଙ୍କ ମଧ୍ୟରୁ ୱାଶିଙ୍ଗ୍‌ଟନ୍‌ ଓ ‌େଜଫର୍‌ସନ୍‌ ସମେତ ୧୧ ଜଣ ଥିଲେ ଶହ ଶହ କ୍ରୀତଦାସଙ୍କର ମାଲିକ।

ଦାସପ୍ରଥା ଉଚ୍ଛେଦକୁ କେନ୍ଦ୍ର କରି ଗୃହଯୁଦ୍ଧ ଚାଲିଥିବା ‌ବେଳେ ମୁକ୍ତ କ୍ରୀତଦାସମାନଙ୍କୁ ସେମାନଙ୍କର ଅତୀତର ଶୋଷଣ ପାଇଁ କ୍ଷତିପୂରଣ ଦେବା ପାଇଁ ଏବଂ ଯୁଦ୍ଧରେ ଯୋଗ ଦେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ପକ୍ଷ ସେମାନଙ୍କ ସମ୍ମୁଖରେ ଏକ ଆକର୍ଷଣୀୟ ପ୍ରସ୍ତାବ ରଖିଥିଲେ: ଯୁଦ୍ଧ ସମାପ୍ତ ହେବା ପରେ ପ୍ରତ୍ୟେକ ମୁକ୍ତ କ୍ରୀତଦାସଙ୍କୁ ପ୍ରଦାନ କରାଯିବ ଚାଳିଶି ଏକର ଜମି ସହିତ ଗୋଟିଏ ଲେଖାଏଁ ଖଚର। ଉଲ୍ଲେଖ ନି‌ଷ୍ପ୍ରୟୋଜନ, ପିଢ଼ି ପରେ ପିଢ଼ି, ସେଦିନର କ୍ରୀତଦାସମାନଙ୍କର ଉତ୍ତର ପୁରୁଷମାନେ ଏ ପର୍ଯ୍ୟନ୍ତ ଗୁଣ୍ଠେ ହେଲେ ଜମି କି ଗଧଟିଏ ମଧ୍ୟ ପାଇନାହାନ୍ତି। ଆମେରିକାର କଂଗ୍ରେସ ଭାରତରେ ମାନବାଧିକାର ସମ୍ବନ୍ଧରେ ବ୍ୟସ୍ତ ନ ହୋଇ ସେଠାରେ ଏହି ମାନବାଧିକାର ପ୍ରତିଶ୍ରୁତି ପୂରଣ ପ୍ରତି ଧ୍ୟାନ ଦେଲେ ଭଲ ହୁଅନ୍ତା ନାହିଁ କି?

ସମ୍ବନ୍ଧିତ ଖବର