ଭାରତ ଦ୍ରୁତ ଗତିରେ ବଦଳୁଛି। ଯେତେବେଳେ ଗୋଟିଏ ଦିଗରେ ଡିଣ୍ତିମ ବାଜୁଛି ଯେ ବିଶ୍ବଗୁରୁ ଓ ଗଣତନ୍ତ୍ରର ଜନନୀ ଭାରତରେ ୨୦୧୪ରେ ‘ଅଚ୍ଛେ ଦିନ’, ୨୦୧୯ରେ ସୁବର୍ଣ୍ଣ ଯୁଗ ଓ ବର୍ତ୍ତମାନ ଅମୃତକାଳ ଆସିଯାଇଛି, ଅନ୍ୟ ଦିଗରେ ଆମ ସମ୍ବିଧାନରେ ଥିବା ନାଗରିକମାନଙ୍କ ମୌଳିକ ଅଧିକାର ଅନ୍ଧକାରର କାଳିମାରେ ଆଚ୍ଛାଦିତ ହୋଇଯାଇଛି। ବିଶ୍ବର ପ୍ରମୁଖ ସ˚ସ୍ଥାମାନଙ୍କ ଦ୍ବାରା ପ୍ରକାଶିତ ସୂଚକାଙ୍କରେ ଭାରତର ସ୍ଥାନ ଅତି ଦୟନୀୟ। ଗଣତନ୍ତ୍ରର ସୁରକ୍ଷା, ବାକ୍ ସ୍ବାଧୀନତା, ଗଣମାଧ୍ୟମ ସ୍ବାଧୀନତା, ମାନବ ସମ୍ବଳର ସମୃଦ୍ଧି ଓ ସୁଖୀ ରହିବାର ଅଧିକାରମାନଙ୍କରେ ଭାରତର ସ୍ଥାନ ଦେଖିଲେ ଲଜ୍ଜା ଓ ଦୁଃଖରେ ମସ୍ତକ ନଇଁପଡ଼େ। ଗଣତନ୍ତ୍ରରେ ଭାରତର ସ୍ଥାନ ୧୮୦ ଦେଶରୁ ୯୩ ହୋଇଥିଲାବେଳେ, ଗଣମାଧ୍ୟମ ସ୍ବାଧୀନତାରେ ଅତି ଶୋଚନୀୟ ଭାବେ ୧୮୦ ଦେଶରୁ ୧୫୦ତମ ସ୍ଥାନରେ ଅଛି। ମାନବ ସମ୍ବଳରେ ସ୍ଥାନ ୧୧୬ତମ ଥିଲା ବେଳେ ସୁଖୀ ରାଷ୍ଟ୍ର ତାଲିକାରେ ୧୪୬ ଦେଶରୁ ୧୩୬ତମ ଓ ମାନବିକ ଅଧିକାରରେ ୧୬୫ରୁ ୧୧୯ତମ ସ୍ଥାନରେ ଅଛି। ତା’ ଛଡ଼ା ଆହୁରି କ୍ଷେତ୍ର ଅଛି, ଯଥା ଅର୍ଥନୀତି, ସ୍ବାସ୍ଥ୍ୟ ଓ ଶିକ୍ଷା। ପ୍ରଥମ ୫ଟି ମାନବିକ ଅଧିକାର ଆକଳନ ପାଇଁ ମୁଖ୍ୟ ମାନଦଣ୍ତ ହୋଇଥିବାରୁ ଏ ଆଲେଖ୍ୟରେ ତାହା ଉପରେ ଆଲୋଚନା କରିବା। ଏଠାରେ ଯେଉଁ କଥାଟିକୁ ଲକ୍ଷ୍ୟ କରିବା ଦରକାର, ତାହା ହେଲା ସରକାରଙ୍କ ଆଭିମୁଖ୍ୟ। ମନ୍ତ୍ରୀଠାରୁ ପ୍ରଶାସକ ଯାଏଁ ସମସ୍ତେ ଏ ଆକଳନର ସତ୍ୟତା ଉପରେ ରୀତିମତ ପ୍ରଶ୍ନ ଉଠାଇଥାନ୍ତି ଯାହା ଭାରତ ସ୍ବାଧୀନତା ପରଠାରୁ ଗତ କିଛି ବର୍ଷ ପର୍ଯ୍ୟନ୍ତ କେବେ ହୋଇ ନଥିଲା। ଏହା ଏକ ବିଡ଼ମ୍ବନା। ଏକ ଆକଳନରେ ଭାରତର ସ୍ଥାନ ଜଣାପଡ଼ିବା ସଙ୍ଗେ ସଙ୍ଗେ ସରକାରୀ ପ୍ରବକ୍ତା ଓ କୋଳାଶ୍ରିତ ଗଣମାଧ୍ୟମ ଉକ୍ତ ଆକଳନ ଉପରେ ପ୍ରଶ୍ନ ଉଠାଇଥାନ୍ତି। ଏହା ସରକାରଙ୍କ ଦୁର୍ବଳତା ଓ ବିଫଳତା ସମେତ ଆକଳନକାରୀମାନଙ୍କ ନିର୍ଭରଯୋଗ୍ୟତାକୁ ସୂଚାଇ ଦିଏ। ନିମ୍ନରେ କିଛି ଗୁରୁତ୍ବପୂର୍ଣ୍ଣ ଓ ଅତି ସମ୍ବେଦନାଶୀଳ କ୍ଷେତ୍ରମାନଙ୍କରେ ମାନବିକ ଅଧିକାରର ନଗ୍ନ ଉଲ୍ଲଙ୍ଘନ, ସରକାରଙ୍କ ନିରବତା ଓ ପରୋକ୍ଷ ଭାବେ ପ୍ରୋତ୍ସାହନ ଉପରେ କିଛି ଧାରଣା କରିବା।
ପ୍ରଥମେ ଦୃଷ୍ଟି ପକାଇବା ନାଗରିକତା ସ˚ଶୋଧନ ଆଇନ ଉପରେ। ଏନ୍.ଡି.ଏ ସରକାର ଏହାକୁ ୨୦୧୯ ଡିସେମ୍ବରର ସ˚ସଦରେ ଉଭୟ ଗୃହରେ ପାରିତ କଲେ। ଏ ଆଇନର ଉଦ୍ଦେଶ୍ୟ ଥିଲା ଅବହେଳିତ, ନିର୍ଯାତିତ ତଥା କିଛି କ୍ଷେତ୍ରରେ ରାଷ୍ଟ୍ରହୀନ ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରି ନ୍ୟାୟ ପ୍ରଦାନ କରିବା। ଆଫଗାନିସ୍ତାନ, ପାକିସ୍ତାନ ଓ ବା˚ଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ଶୀ, ଖ୍ରୀଷ୍ଟିଆନ ଓ ବୌଦ୍ଧ ଧର୍ମାବଲମ୍ବୀମାନଙ୍କୁ ଚିହ୍ନଟ କରି ତାଙ୍କୁ ନାଗରିକତା ପ୍ରଦାନ କରାଯିବାର କଥା କୁହାଗଲା, କିନ୍ତୁ ମୁସଲିମ ସ˚ପ୍ରଦାୟକୁ ବାଦ୍ ଦିଆଗଲା। ଏହାର କାରଣ ଭାବେ କୁହାଗଲା ଯେ ଏ ଦେଶମାନେ ମୁସଲିମ ଦେଶ, ତେଣୁ ସେମାନେ ନିର୍ଯାତିତ ହୋଇ ନଥିବେ। ସରକାରଙ୍କ ଏପରି ମନୋଭାବ ସ୍ପଷ୍ଟ ରୂପେ ସୂଚାଇ ଦେଲା ଯେ ଏ ଦେଶରେ ବାସ କରୁଥିବା ମୁସଲିମ ସ˚ପ୍ରଦାୟକୁ ଦ୍ବିତୀୟ ଶ୍ରେଣୀ ନାଗରିକ ରୂପେ ବାସ କରିବାକୁ ପଡ଼ିବ ଓ ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ। ସମ୍ଭବତଃ ଏହା ଭାରତରେ ପ୍ରଥମ ଆଇନ ଯେଉଁଥିରେ ଧର୍ମଭିତ୍ତିକ ବିଭାଜନର ମନୋଭାବ ପ୍ରତିଫଳିତ ହେଉଛି। ଏପରି ଏକ ଆଇନ ବିଶ୍ବର ବିଭିନ୍ନ ରାଷ୍ଟ୍ର ଓ ସ˚ସ୍ଥାମାନଙ୍କ ଦ୍ବାରା ସମାଲୋଚିତ ହୋଇଛି। ଜାତିସ˚ଘର ମାନବିକ ଅଧିକାର ସ˚ଘ ଉଦ୍ବେଗ ପ୍ରକାଶ କରି ଏ ଆଇନରେ ଥିବା ପାତରଅନ୍ତର ନୀତିକୁ ଭର୍ତ୍ସନା କରିଛି। ଏ ଆଇନ ପାରିତ ହେଲା ପରେ ପରେ ସମଗ୍ର ଦେଶରେ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ ହେଲା। ବିଜେପି ଶାସିତ ଆସାମରେ ଏହା ଉଗ୍ର ରୂପ ଧାରଣ କଲା ଯାହା ସରକାରଙ୍କୁ ବିଚଳିତ କରିଦେଲା। ଦିଲ୍ଲୀର ସାହିନବାଗରେ ମୁସଲିମ ମହିଳାମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଦୀର୍ଘ ୫୧ ଦିନ ଯାଏ ରାଜପଥକୁ ଅବରୋଧ କଲେ। ଶେଷରେ ପୂର୍ବ ଦିଲ୍ଲୀରେ ପୁଲିସ ଗୁଳିରେ ୭ ଜଣ ମୃତ୍ୟୁବରଣ କଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ ଆଇନରୁ ପଡ଼ୋଶୀ ଶ୍ରୀଲଙ୍କା, ମିଆଁମାର ଓ ତିବ୍ବତ ବାଦ୍ ପଡ଼ିଲେ। ତାମିଲନାଡୁର ଡିଏମ୍କେ ସରକାର ବିରୋଧ କଲେଣି ଯେ ଏହା ତାମିଲ ଓ ମୁସଲିମ ବିରୋଧୀ। ଏ ଆଇନ ସଙ୍ଗେ ଜାତୀୟ ନାଗରିକ ପଞ୍ଜିକା ପାଇଁ କାର୍ଯ୍ୟାନୁଷ୍ଠାନ ପରିସ୍ଥିତିକୁ ଏତେ ଜଟିଳ କରି ପକାଉଛି ଯେ ଏହାକୁ ବର୍ତ୍ତମାନ ପାଇଁ ଶୀତଳ ଭଣ୍ତାରରେ ରଖାଯାଇଛି। ଏବେ ଆସିବା କାଶ୍ମୀର ପ୍ରସଙ୍ଗକୁ। ସମ୍ବିଧାନରେ କାଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ଧାରା ୩୭୦ର ଉଚ୍ଛେଦନର ଆବଶ୍ୟକତାକୁ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ। ପ୍ରଶ୍ନବାଚୀ ହେଲା ସମ୍ବିଧାନର ଆଳରେ ଯେଉଁ ପ୍ରଣାଳୀର ୩୭୦ ଧାରାର ଉଚ୍ଛେଦନ ହେଲା ତାକୁ ନେଇ। କିଛି ଦିନ ତଳେ ଗୋଆରେ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ଜୁରିରୁ ଅଧ୍ୟକ୍ଷ ଇସ୍ରାଏଲ୍ ଚଳଚ୍ଚିତ୍ର ନିର୍ମାତା ନଦାଭ ଲାପିଡ୍ ଆଶ୍ଚର୍ଯ୍ୟ ପ୍ରକଟ କଲେ କିପରି ଭାରତ କାଶ୍ମୀର ଫାଇଲ୍ ଚଳଚ୍ଚିତ୍ରକୁ ଉତ୍ସବ ପାଇଁ ମନୋନୀତ କଲେ। ତାଙ୍କ ମତରେ ଚଳଚ୍ଚିତ୍ରରେ ନା ଅଛି କଳାତ୍ମକ ରଚନା ନା ଘଟଣାମାନଙ୍କ ନିର୍ଭରଯୋଗ୍ୟତା। ଏହା ଏକ ପ୍ରୋପାଗେଣ୍ତା ଚଳଚ୍ଚିତ୍ର। ତାଙ୍କର ଏ ମନ୍ତବ୍ୟ ନେଇ ସଙ୍ଗେ ସଙ୍ଗେ ସମାଲୋଚନା ଆରମ୍ଭ ହେଲା। ଇସ୍ରାଏଲ୍ର ରାଷ୍ଟ୍ରଦୂତ କ୍ଷମା ମାଗିଲେ। ଏ ଘଟଣାଟି ଦେଖାଇଦେଲା ଗଣତନ୍ତ୍ରର ଜନନୀ କୁହାଯାଉଥିବା ଭାରତରେ ସହନଶୀଳତା କେତେ। ୨୦୧୯ ଅଗଷ୍ଟ ମାସରେ ଏନ୍.ଡି.ଏ ସରକାର ସ˚ସଦରେ ଆଇନ ଆଣି ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କଲେ। ଯେଉଁ ଉପାୟରେ ଏହା ଉଚ୍ଛେଦ ହେଲା ତାହା କେତେ ଦୂର ସାମ୍ବିଧାନିକ, ଏ ପ୍ରସଙ୍ଗ ତୀବ୍ରରୁ ତୀବ୍ରତର ହେଲା। ସମ୍ବିଧାନରେ ୩୭୦ ଧାରା ଅଣାଯାଇଥିଲା ଯେତେବେଳେ ମହାରାଜା ହରି ସି˚ କାଶ୍ମୀର ମିଶ୍ରଣ ସମୟରେ ସର୍ତ୍ତ ରଖିଥିଲେ ଯେ ଭାରତର ସମ୍ବିଧାନ କାଶ୍ମୀର ଉପରେ ଲଦି ଦିଆଯିବ ନାହିଁ। ଏହା ପରବର୍ତ୍ତୀକାଳୀନ ସମ୍ବିଧାନ ପ୍ରଣୟନ ସଭା ବା କନ୍ଷ୍ଟିଚ୍ୟୁଏଣ୍ଟ୍ ଆସେମ୍ବ୍ଲି କରିପାରିବ। କାଶ୍ମୀରର ସ୍ବାତନ୍ତ୍ର୍ୟ ରକ୍ଷା ପାଇଁ ୩୭୦ ଧାରା ସମ୍ବିଧାନରେ ସ୍ଥାନିତ ହେଲା ଓ ୧୯୫୧ରେ ଗଠିତ କାଶ୍ମୀର ସମ୍ବିଧାନ ସଭା କାଳକ୍ରମେ କିଛି ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଲେ ଓ ରାଷ୍ଟ୍ରପତି ଅନୁମୋଦନ କଲେ। ଏ ସଭା ୧୯୫୬ରେ ବିଲୀନ ହେଲା। ତା’ପରେ ମଧ୍ୟ କାଶ୍ମୀର ବିଧାନସଭାର ସୁପାରିସ କ୍ରମେ ଏ ଧାରାର କିଛି ବ୍ୟବସ୍ଥା ଉଚ୍ଛେଦ ହୋଇଛି। ଏହାର ସାରା˚ଶ ହେଲା ଏକ ଜନପ୍ରତିନିଧି ସରକାରଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରପତି କିଛି ଉପଧାରା ଉଚ୍ଛେଦ କରିପାରିବେ। ୨୦୧୯ରେ କ୍ଷମତାସୀନ ଦଳ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି କଲେ। ଏ ରାଜ୍ୟକୁ ଦ୍ବିଖଣ୍ତିତ କରି ଲଦାଖ ଓ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଗଲା ଏବଂ ସେ ରାଜ୍ୟର ଉପରାଜ୍ୟପାଳଙ୍କ ସୁପାରିସ କ୍ରମେ ଅଗଷ୍ଟ ମାସରେ ଧାରା ୩୭୦କୁ ଉଚ୍ଛେଦ କରାଗଲା। ତା’ପରେ ଶ୍ରୀନଗରରେ ବିଭିନ୍ନ ଦଳର ନେତାମାନଙ୍କୁ ଗିରଫ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକ ରଖାଗଲା। ସମଗ୍ର ରାଜ୍ୟରେ ସାମରିକ ବାହିନୀ ମୁତୟନ କରି ରାଜ୍ୟବାସୀଙ୍କୁ ଗୃହବନ୍ଦୀ କରାଗଲା। ଗଣମାଧ୍ୟମ, ଇଣ୍ଟରନେଟ୍ ଆଦି ଅଚଳ କରିଦିଆଗଲା। ଏ ଉଚ୍ଛେଦନର ସାମ୍ବିଧାନିକତା ନେଇ ସୁପ୍ରିମ୍ କୋର୍ଟରେ ବହୁ ସ˚ଖ୍ୟାରେ ପିଟିସନ୍ ଦାୟର ହେଲା। ଅଢ଼େଇ ବର୍ଷ ହେଲା ସେ ସବୁ ପଡ଼ିରହିଛି। ଯେଉଁ ସୁପ୍ରିମ୍ କୋର୍ଟ ଏକଦା ୩୭୦ ଧାରା ସମ୍ବିଧାନର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ ତାଙ୍କ ପାଇଁ ଏହା ଏକ ବିରାଟ ଆହ୍ବାନ।
ତା’ପରେ ଆସିବା କ୍ଷମତାର ଅପବ୍ୟବହାର ଓ ନାଗରିକମାନଙ୍କ ଅଧିକାର ଉଲ୍ଲଙ୍ଘନ ବିଷୟକୁ। ବର୍ତ୍ତମାନ ଦେଶରେ ଭୟ, ଘୃଣା, ଆଶଙ୍କା, ଅସହିଷ୍ଣୁତା ଓ ଧର୍ମୀୟ ମୌଳବାଦର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ ରକ୍ଷା ଦାୟିତ୍ବରେ ଥିବା ସ˚ସ୍ଥାମାନ ଯଥା ସିେବିଆଇ, ଇଡି, ଆୟକର ବିଭାଗ, ଏନ୍.ଆଇ.ଏ ଓ ରାଜ୍ୟମାନଙ୍କରେ ପୁଲିସ ବାହିନୀ କ୍ଷମତାସୀନ ଦଳର ହାତବାରିସି ସାଜିଛନ୍ତି। ତାଙ୍କୁ ବା ତାଙ୍କ ମୂଳ ସ˚ସ୍ଥା ଆର୍.ଏସ୍.ଏସ୍କୁ ସମାଲୋଚନା କଲେ ତୁରନ୍ତ ଗିରଫ କରି ଜେଲ୍କୁ ପଠାଇ ଦିଆଯାଉଛି। ଅଥଚ ସେମାନେ ଇସଲାମ ବା ଖ୍ରୀଷ୍ଟିଆନ ଧର୍ମ ଓ ଧର୍ମାବଲମ୍ବୀମାନଙ୍କୁ ଆକ୍ରମଣ କଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅଣବିଜେପି ରାଜ୍ୟମାନଙ୍କରେ ଏ ସ˚ସ୍ଥାମାନେ ଭାରି ତତ୍ପର। ନିର୍ବାଚନ ସମୟରେ ବିରୋଧୀ ଦଳକୁ ବଦନାମ କରିବା ପାଇଁ ନେତା ଓ ସମର୍ଥକମାନଙ୍କ ଘରେ ଚଢ଼ାଉ କରାଯାଉଛି। ଏ କ୍ଷେତ୍ରରେ ଦୁଇଟି ଆଇନର ଅପବ୍ୟବହାର ଚରମ ସୀମାରେ ପହଞ୍ଚିଯାଇଛି। ପ୍ରଥମଟି ହେଲା ଭାରତର ପିଙ୍ଗଳ ଧାରାର ଦେଶଦ୍ରୋହ ବା ସେଡିିସନ୍ ଅପରାଧ ଓ ଦ୍ବିତୀୟ ହେଲା ଅନ୍ଲୋଫୁଲ୍ ଆକ୍ଟିଭିଟିସ୍ ପ୍ରିଭେନ୍ସନ୍ ଆଇନ ବା ୟୁଏପିଏ। ଯଦିଚ ୟୁଏପିଏ ଶାସନ ସମୟରେ ଏହି ଆଇନ ୧୯୬୭ରେ ଲାଗୁ ହୋଇଥିଲା, ୨୦୧୮ରେ ଏହାକୁ ସ˚ଶୋଧିତ କରି ଅତି କଠୋର କରାଗଲା। ଏହି ଆଇନ ବଳରେ ସରକାର ଯେଉଁ ବ୍ୟକ୍ତିକୁ ଚାହିଁବେ ତାଙ୍କୁ ଆତଙ୍କବାଦୀ ଘୋଷଣା କରି ପାରିବେ ଓ ଅନିର୍ଦ୍ଦିଷ୍ଟ କାଳ ଜେଲ୍ରେ ରଖିପାରିବେ। ଗିରଫ ହୋଇଥିବା ବ୍ୟକ୍ତିକୁ କୋର୍ଟରେ ଜାମିନ ମିଳିବା ଦୁରୂହ ବ୍ୟାପାର। ୨୦୧୬ରୁ ୨୦୨୦ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ପ୍ରାୟ ୫୦୦୦ ୟୁଏପିଏ ମାମଲା ଦାଏର ହୋଇଛି ଓ ପ୍ରାୟ ୨୪,୦୦୦ ବ୍ୟକ୍ତି ଗିରଫ ହୋଇ ଜେଲ୍ରେ ଶଢୁଛନ୍ତି। ଏ କ୍ଷେତ୍ରରେ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରି ଦଣ୍ତ ବିଧାନର ହାର ହେଉଛି ମାତ୍ର ୨ ପ୍ରତିଶତ। ୟୁଏପିଏ ବଳରେ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ଶିକ୍ଷାବିତ୍, ସାମ୍ବାଦିକ, ସାମାଜିକ କର୍ମୀମାନଙ୍କୁ ଗିରଫ କରି ଜେଲ୍ରେ ବର୍ଷ ବର୍ଷ ଧରି ଅଟକ ରଖାଯାଇଛି। ଭିମା କୋରିଗାଓଁ କେସ୍ରେ ବହୁ ଜଣାଶୁଣା ବ୍ୟକ୍ତି ଗିରଫ ହୋଇ ଜେଲ୍ରେ ଅଛନ୍ତି। ଫାଦର ଷ୍ଟାନ୍ ସ୍ବାମୀ ଅସୁସ୍ଥ ହୋଇ ମୃତ୍ୟୁବରଣ କଲେଣି। ଅସୁସ୍ଥ ବ୍ୟକ୍ତିମାନେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନାହାନ୍ତି। ଜାତିସ˚ଘ ଏ ଆଇନକୁ ମାନବିକ ଅଧିକାରର ଚରମ ଉଲ୍ଲଙ୍ଘନ ବୋଲି କହିଛି। ୧୯୪୮ର ସାର୍ବଜନୀନ ମାନବିକ ଅଧିକାର ଘୋଷଣାନାମାର ଏହା ବିରୁଦ୍ଧାଚରଣ କରୁଛି। ସେହିପରି ଦେଶଦ୍ରୋହ ମାମଲା ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ସରକାରଙ୍କୁ ସମାଲୋଚନା କଲେ ସେମାନଙ୍କୁ ‘ଅର୍ବାନ ନକ୍ସଲ’ ଭଳି ଆଖ୍ୟା ଦିଆଯାଉଛି। ସ୍ବୟ˚ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏପରି ଉଚ୍ଚାରଣ କରିବାରେ ଅଭ୍ୟସ୍ତ। ଅଥଚ ତାଙ୍କ ଦଳ ଅନ୍ୟ ସ˚ପ୍ରଦାୟ ବିରୋଧରେ କହିଲେ ସବୁ ମାଫ। ହରିଦ୍ବାରର ଏକ ଧାର୍ମିକ ସ˚ସ୍ଥା କିଛି ଦିନ ତଳେ ଘୋଷଣା କଲା ଇସଲାମ ସ˚ପ୍ରଦାୟର ଗଣହତ୍ୟା ପାଇଁ। ପୁଲିସ ଦୀର୍ଘଦିନ ଧରି ନିରବ ରହିଲେ। ଅମିତ ଶାହା ଏକ ସଭାରେ କହିଲେ ଗୋଧ୍ରା ଦଙ୍ଗାରେ ସୁଫଳ ମିଳିଛି। ଗୁଜରାଟରେ ଆଉ ସା˚ପ୍ରଦାୟିକ ଦଙ୍ଗା ନାହିଁ। ଏ ହେଲା କ୍ଷମତାସୀନ ଦଳର ମାନବିକ ଅଧିକାର ପ୍ରତି ସମ୍ମାନ। ଗଣମଧ୍ୟମର କଣ୍ଠ ରୁଦ୍ଧ ହୋଇଯାଉଛି। ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରାୟ ସବୁ ଟିଭି ଚ୍ୟାନେଲ୍ ମୋଦୀଙ୍କ ପ୍ରଶ˚ସା ଗାନରେ ବ୍ୟସ୍ତ। ବିଶ୍ବକବି ରବୀନ୍ଦ୍ରନାଥଙ୍କ ରଚନା ଏକଲା ଚଲୋର କର୍ମଫଳ ଏନ୍ଡିଟିଭି ଚ୍ୟାନେଲ୍ ଭୋଗୁଛି। ଆଦାନୀଙ୍କ ଆଧିପତ୍ୟ ପରେ ଏ ଚ୍ୟାନେଲ୍ର ବାକ୍ ସ୍ବାଧୀନତାର ତିରୋଧାନ ଘଟିଲା।
ଆଉ ଏକ ଚିନ୍ତାଜନକ ପରିସ୍ଥିତି ସ୍ବରୂପ ଶିକ୍ଷା ଓ ଅନ୍ୟାନ୍ୟ ପ୍ରସିଦ୍ଧ ଗବେଷଣା ଅନୁଷ୍ଠାନମାନଙ୍କୁ କବଳିତ କରି ଦୁର୍ବଳ କରି ଦିଆଯାଉଛି। ଦେଶର ପ୍ରାୟ ସବୁ କେନ୍ଦ୍ରୀୟ ଅନୁଷ୍ଠାନମାନେ ଗୈରୀକରଣର ଶିକାର ବନିଛନ୍ତି। ରାଜଧାନୀରେ ଜେ.ଏନ୍.ୟୁ, ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଆଇ.ଆଇ.ଟି ଉପରେ ଅନବରତ ଆକ୍ରମଣ ଚାଲିଛି। କେତେ ଦିନ ତଳେ ଦିଲ୍ଲୀ ଆଇ.ଆଇ.ଟିରେ ଏକ କର୍ମଶାଳାରେ ଇସଲାମ ବିରୋଧୀ ଧ୍ବନିର କମ୍ପନ ଉଠିଥିଲା। ବିଡ଼ମ୍ବନା ଯେ ଏପରି କାର୍ଯ୍ୟକ୍ରମମାନଙ୍କୁ ଦେଶର ପ୍ରସିଦ୍ଧ ବୈଜ୍ଞାନିକ ଅନୁଷ୍ଠାନମାନଙ୍କୁ ଟଣାଯାଉଛି। ମାନବିକ ଅଧିକାର ହେଉଛି ଆମ ସମ୍ବିଧାନର ମୁଖ୍ୟ ଓ ଅମୂଲ୍ୟ ଅବଦାନ। ଏପରି ପରିସ୍ଥିତିରେ ଥିଲା ବେଳେ ଆମେ କେଉଁ ମୁହଁରେ କହିପାରିବା ଭାରତ ଗଣତନ୍ତ୍ରର ଜନନୀ, ଗଣତନ୍ତ୍ର ଭାରତୀୟମାନଙ୍କ ରକ୍ତରେ ପ୍ରବାହିତ ଏବ˚ ଭାରତ ବିଶ୍ବଗୁରୁ ରୂପେ ବର୍ତ୍ତମାନ ସମଗ୍ର ବିଶ୍ବର ନେତୃତ୍ବ ନେବା ପାଇଁ ଦଣ୍ତାୟମାନ ବୋଲି? ୧୯୭୪ରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜରୁରୀକାଳୀନ ଅବସ୍ଥା ପରେ ଏବେ ଦେଶରେ ମାନବିକ ଅଧିକାରର ଚରମ ଅବକ୍ଷୟ ଘଟିଛି ଓ ଘଟୁଛି।
(ଡିସେମ୍ବର ୧୦ ମାନବାଧିକାର ଦିବସ ଅବସରରେ)
[email protected]