‘ସମ୍ପତ୍ତି’ର ସମ୍ପତ୍ତି

କିନ୍ତୁ ତା’ସତ୍ତ୍ବେ ଦିନେ ଯିଏ ନିଜେ ଏକ ସମ୍ପତ୍ତି ରୂପେ ବିବେଚିତ ହେଉଥିବାରୁ କୌଣସି ସମ୍ପତ୍ତିର ଅଧିକାରିଣୀ ହୋଇପାରୁନଥିଲା, ସେ ଆଜି ଯେ ଯୁଗ ଯୁଗର ସାମାଜିକ ଶୃଙ୍ଖଳ ଛିଣ୍ଡାଇ ନିଜର ଜନ୍ମସିଦ୍ଧ ଅଧିକାର ସାବ୍ୟସ୍ତ କରି, ଆୟ ଅର୍ଜନ କରି, ସମ୍ପଦ ଠୁଳ କରି ପୁରୁଷର ସମକକ୍ଷ ହେବା ଦିଗରେ ଆ‌େଗଇ ଚାଲିଛି, ସମସ୍ତ ତାରତମ୍ୟ ସତ୍ତ୍ବେ ରିପୋର୍ଟଟି ତାହା ମଧ୍ୟ ପ୍ରମାଣ କରିଥାଏ। ଅଚିରେ ଏଭଳି ତାରତମ୍ୟରେ ଅନ୍ତ ଘଟିବା ଅନିବାର୍ଯ୍ୟ।

ମାନବ ଇତିହାସ ସାରା ଅର୍ଥନୀତିରେ ମହିଳାଙ୍କ ସ୍ଥାନ ସମ୍ବନ୍ଧରେ ଅନୁସନ୍ଧାନ ଉପରେ ଆଧାରିତ ୨୦୨୦ରେ ପ୍ରକାଶିତ ତାଙ୍କର ପୁସ୍ତକ ‘ଦି ଡବ୍‌ଲ ଏକ୍‌ସ ଇକନମି’ (‘ଯୋଡ଼ି ଏକ୍‌ସ ଅର୍ଥନୀତି’- ଯୋଡ଼ି ‘ଏକ୍‌ସ’ ଏଠାରେ ସ୍ତ୍ରୀ-ଲିଙ୍ଗ ସହିତ ସମ୍ପୃକ୍ତ ‌ହଳେ ‘ଏକ୍‌ସ’ କ୍ରୋମୋ‌େଜାମ୍‌କୁ ସୂଚାଇଥାଏ)ରେ ଲେଖିକା ଲିଣ୍ଡା ସ୍କଟ୍‌ ଏହି ବିଷୟବସ୍ତୁ ସମ୍ବନ୍ଧରେ ତାଙ୍କ ଠାରେ ଅନୁସନ୍ଧିତ୍ସା ସୃଷ୍ଟି କରିଥିବା ଆଫ୍ରିକାରେ ପ୍ରଚଳିତ ଏକ ଉକ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେଇ ଉକ୍ତିଟି ହେଲା: ‘‘ଜଣେ ନାରୀ କୌଣସି ସମ୍ପତ୍ତିର ଅଧିକାରିଣୀ ହୋଇପାରିବ ନାହିଁ, କାରଣ ସେ ନିଜେ ହେଉଛି ଏକ ସମ୍ପତ୍ତି।’’ ଏହି ଉକ୍ତି ଯେ ଐତିହାସିକ ବାସ୍ତବତା ଉପରେ ଆଧାରିତ, ତାହା ଦର୍ଶାଇବା ପାଇଁ ଲିଣ୍ଡା ସ୍କଟ୍‌ ତାଙ୍କ ରଚନାରେ ଆଦିମ ଶିକାରୀ-ଫଳମୂଳ ସଂଗ୍ରହକାରୀ ସମାଜରେ ନାରୀମାନଙ୍କୁ ପଣ୍ୟଦ୍ରବ୍ୟ ରୂପେ ବ୍ୟବହାରର ପ୍ରଚଳନ ଠାରୁ ଆରମ୍ଭ କରି ନାରୀମାନଙ୍କୁ ଆସବାବପତ୍ର ଭଳି ଗୃହବନ୍ଦୀ ଅବସ୍ଥାରେ ରଖିବା ପାଇଁ ଉଦ୍ଦିଷ୍ଟ ଇଉରୋପର କନ୍‌ଭେଣ୍ଟମାନ ଓ ଭାରତର ଜୟପୁରରେ ଅବସ୍ଥିତ ‘ହାୱାମହଲ’ ପର୍ଯ୍ୟନ୍ତର ଉଦାହରଣ ପ୍ରଦାନ କରିଛନ୍ତି।

ବର୍ତ୍ତମାନ ଯାହାକୁ ମହିଳାମାନଙ୍କର ଅର୍ଥନୈତିକ ବହିର୍ଭୁକ୍ତୀକରଣ ରୂପେ ବର୍ଣ୍ଣନା କରାଯାଉଛି, ଇତିହାସରେ ତାହାର ଚେର ଏହି ବିଶ୍ବବ୍ୟାପୀ ପରମ୍ପରା ପର୍ଯ୍ୟନ୍ତ ଲମ୍ବିଛି, ଯେଉଁଥିରେ ନାରୀମାନଙ୍କୁ ବ୍ୟକ୍ତି ରୂପେ ବିବେଚନା କରାନଯାଇ ସମ୍ପତ୍ତି ରୂପେ ବିଚାର କରାଯାଇଥାଏ। (ମହାଭାରତରେ ଦୁର୍ଯ୍ୟୋଧନଙ୍କ ରାଜସଭାରେ ଚାଲିଥିବା ପଶା ଖେଳରେ ଜଣେ ବ୍ୟକ୍ତି ରୂପେ ନୁହେଁ, ‘ଧର୍ମରାଜ’ ଯୁଧିଷ୍ଠିରଙ୍କର ଏକ ସମ୍ପତ୍ତି ରୂପେ ଦ୍ରୌପଦୀଙ୍କୁ ବାଜି ଲଗାଯିବା ଆଦୌ ‘ଅଧର୍ମ’ ବା ଅସ୍ବାଭାବିକ ନ ଥିଲା)। ବ୍ରିଟିସ୍‌ ସାଧାରଣ ଆଇନ (‘ବ୍ରିଟିସ୍‌ କମନ୍‌ ଲ’) ଅନୁସାରେ ପତ୍ନୀର କୌଣସି ନିଜସ୍ବ ଆଇନଗତ ପରିଚୟ ନ ଥିଲା ଓ ତା’ର ସମସ୍ତ ସମ୍ପତ୍ତିର ମାଲିକ ଥିଲା ତା’ର ପତି। ଲିଣ୍ଡା ସ୍କଟ୍‌ କହିଛନ୍ତି ଯେ ଏଇମାତ୍ର ବିଗତ ପଚାଶ ବର୍ଷ ମଧ୍ୟରେ ହିଁ ପାଶ୍ଚାତ୍ୟ ଜଗତରେ ଏଭଳି ନାରୀ-ବିଦ୍ବେଷୀ ବ୍ୟବସ୍ଥାର ଅନ୍ତ ଘଟିଛି, କିନ୍ତୁ ପୃଥିବୀର ଅନ୍ୟାନ୍ୟ ଅନେକ ସମାଜରେ ଏବେ ବି ସେଭଳି ବ୍ୟବସ୍ଥା ବଳବତ୍ତର ଅଛି।

ଏହି ପୃଷ୍ଠଭୂମିରେ ଯଦି ଦେଖାଯାଏ, ‘ଡବଲ୍ୟୁଟିଡବଲ୍ୟୁ’ (‘ୱିଲିସ୍‌ ଟାୱାର୍ସ ୱାଟ୍‌ସନ୍‌’) ଓ ‘ଡବଲ୍ୟୁଇଏଫ୍‌’ (‘ୱାର୍ଲଡ୍‌ ଇକନମିକ୍‌ ଫୋରମ୍‌’)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ସଦ୍ୟ ପ୍ରକାଶିତ ‘ଗ୍ଲୋବାଲ୍‌ ଜେଣ୍ଡର୍‌ ୱେଲ୍‌ଥ ଇକ୍ବିଟି ରିପୋର୍ଟ’ (‘ବିଶ୍ବ ଲିଙ୍ଗଗତ ସମ୍ପଦ ମାଲିକାନା ନ୍ୟାୟ ରିପୋର୍ଟ’) ବହନ କରିଥିବା ସୂଚନା ସନ୍ତୋଷଜନକ ନ ହୋଇଥିଲେ ମଧ୍ୟ ହତାଶାଜନକ ମଧ୍ୟ ନୁହେଁ ବୋଲି ମନେ ହୋଇଥାଏ। ପୃଥିବୀକୁ ପାଞ୍ଚ ଗୋଟି ଅଞ୍ଚଳରେ ବିଭକ୍ତ କରି ସେଠାରେ ଲିଙ୍ଗ ଭିତ୍ତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ସମ୍ପଦ ବଣ୍ଟନ‌େର ପରିଲକ୍ଷିତ ହେଉଥିବା ବୈଷମ୍ୟ ଉପରେ ରିପୋର୍ଟରେ ଆଲୋକପାତ କରାଯାଇଛି। ଏହି ରିପୋର୍ଟର ବିଶେଷତ୍ବ ହେଲା ଏଥିରେ ଅବସର ଗ୍ରହଣ ସମୟରେ ପୁରୁଷ ଓ ନାରୀମାନେ ଠୁଳ କରି ପାରିଥିବା ସମ୍ପଦ ପରିମାଣରେ ଦେଖାଯାଉଥିବା ତାରତମ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି। ସମଗ୍ର ପୃଥବୀ ପାଇଁ ପ୍ରଯୁଜ୍ୟ ସୂଚନା ଅନୁସାରେ ଅବସର ଗ୍ରହଣ ବେଳକୁ ନାରୀମାନେ ହାରାହାରି ଯେତିକି ସମ୍ପଦ ଠୁଳ କରି ପାରିଥାନ୍ତି, ତାହା ହେଉଛି ପୁରୁଷମାନେ ଠୁଳ କରିପାରିଥିବା ହାରାହାରି ସମ୍ପଦର ୭୪ ଶତାଂଶ।

ତେବେ ଏହି ହାରାହାରି ପରିସଂଖ୍ୟାନରେ ଯେଉଁ ସ୍ତରଗତ ପାର୍ଥକ୍ୟ ଲୁଚି ରହିଛି, ତାହା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ବରିଷ୍ଠ, ନେତୃସ୍ଥାନୀୟ ସ୍ତରରେ କାର୍ଯ୍ୟ କରୁଥିବା ମହିଳାମାନେ ଅବସର ଗ୍ରହଣ ବେଳକୁ ଯେତିକି ସମ୍ପଦର ଅଧିକାରିଣୀ ହୋଇଥାନ୍ତି, ତାହା ହେଉଛି ସେଇ ସ୍ତରରେ କାର୍ଯ୍ୟ କରୁଥିବା ସେମାନଙ୍କର ପୁରୁଷ ସହକର୍ମୀମା‌େନ ଠୁଳ କରି ପାରିଥିବା ସମ୍ପଦର ଦୁଇ-ତୃତୀୟାଂଶଠାରୁ ମଧ୍ୟ କମ୍‌- ୬୨ ଶତାଂଶ। ତାହାର ତଳସ୍ତର, ଅର୍ଥାତ ମଧ୍ୟମ ସ୍ତରରେ ବୈଷୟିକ ଓ ପେସାଦାର ଭୂମିକା ନିର୍ବାହ କରୁଥିବା ମହିଳାମାନଙ୍କ ପାଇଁ ଏହି ତଫାତ୍‌ରେ କିଛିମାତ୍ରା‌େର ହ୍ରାସ ଘଟି ତାହା ହୋଇଥାଏ- ୬୯ ଶତାଂଶ। କିନ୍ତୁ ସର୍ବନିମ୍ନ ପ୍ରବେଶ ସ୍ତରରେ ସମ୍ମୁଖ ସମରରେ ଅଂଶ ଗ୍ରହଣ କରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ଏହି ତଫାତ୍‌ରେ ବେଶ୍‌ ସଂକୋଚନ ଘଟିଥାଏ: ସେମାନେ ଅବସର ସମୟରେ ଯେତିକି ସମ୍ପଦର ଅଧିକାର ହାସଲ କରି ପାରିଥାନ୍ତି, ତାହା ସେମାନଙ୍କର ପୁରୁଷ ସହକର୍ମୀମାନେ ହାସଲ କରିଥିବା ସମ୍ପଦର ୮୯ ଶତାଂଶ ହୋଇଥାଏ।

ଭାରତ ଅନ୍ତର୍ଭୁକ୍ତ ଥିବା ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ (‘ଏପାକ୍‌’)ରେ ଏହି ଲିଙ୍ଗଭିତ୍ତିକ ସମ୍ପଦ ବଣ୍ଟନ ଚିତ୍ରରେ ବ୍ୟାପକ ତାରତମ୍ୟ ପରିଦୃଷ୍ଟ ହୋଇଥାଏ। ଏହି ଅଞ୍ଚଳ ପାଇଁ ରିପୋର୍ଟର ପ୍ରସ୍ତୁତ କର୍ତ୍ତାମାନେ ଅନୁଶୀଳନ କରିଥିବା ୧୨ଟି ଦେଶ ମଧ୍ୟରେ ଭାରତରେ ମହିଳାମାନଙ୍କ ପ୍ରତି ପ୍ରଯୁଜ୍ୟ ଉପରୋକ୍ତ ଅନୁପାତ ସର୍ବନିମ୍ନ, ୬୪ ଶତାଂଶ ହୋଇଥିବା ବେଳେ, ଦକ୍ଷିଣ କୋରିଆ ପାଇଁ ତାହା ସର୍ବୋଚ୍ଚ, ୯୦ ଶତାଂଶ ହୋଇଥାଏ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଚୀନ୍‌ ପାଇଁ ଏହା ୭୮ ଶତାଂଶ ହୋଇଥିବା ବେଳେ ଫିଲିପିନ୍‌ସ ପାଇଁ ୭୯ ଶତାଂଶ, ସିଙ୍ଗାପୁର ପାଇଁ ୭୯ ଶତାଂଶ, ଓ ଜାପାନ୍‌ ପାଇଁ ୮୨ ଶତାଂଶ ହୋଇଛି- ଏ ସମସ୍ତ ବିଶ୍ବ ହାରାହାରି ଠାରୁ ଅଧିକ। ରିପୋର୍ଟ ଅନୁସାରେ ଭାରତରେ ମହିଳା କର୍ମଚାରୀମାନେ କ୍ୟାରିଅର୍‌ ଶେଷରେ ପୁରୁଷମାନଙ୍କ ତୁଳନାରେ ଏତେ କମ୍‌ ସମ୍ପଦ ହାସଲ କରିପାରିବାର ଏକ କାରଣ ହେଉଛି ଏଠାରେ ପେସାଦାର ଓ ବୈଷୟିକ କାର୍ଯ୍ୟ ପାଇଁ ନାରୀ ଓ ପୁରୁଷମାନଙ୍କୁ ମିଳୁଥିବା ପାରିଶ୍ରମିକରେ ରହିଥିବା ବିଶେଷ ପାର୍ଥକ୍ୟ, ଯାହା ବିଶ୍ବ ହାରାହାରିଠାରୁ ଅଧିକ। ଏଠାରେ ବରିଷ୍ଠ ପଦମାନଙ୍କରେ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଏତେ ସଂକୁଚିତ ଯେ କାର୍ଯ୍ୟରତ ମହିଳାମାନଙ୍କ ମଧ୍ୟରୁ ମାତ୍ର ୩ ଶତାଂଶ ଏହି ପଦମାନଙ୍କରେ ଅଧିଷ୍ଠିତ ହୋଇପାରିଛନ୍ତି।

ମହିଳାମାନେ ସମ୍ମୁଖୀନ ହେଉଥିବା ଏହି ଦୀର୍ଘକାଳୀନ ଅର୍ଥନୈତିକ ଦୁର୍ବଳତାର ଏକ ମୁଖ୍ୟ କାରଣ ହେଉଛି ସେମାନଙ୍କୁ ନିର୍ବାହ କରିବାକୁ ପଡୁଥିବା ସେଇ ପ୍ରଜନନ ଭୂମିକା, ଯେଉଁଥିପାଇଁ ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀମାନଙ୍କୁ ହିଁ ସର୍ବଦା ଅର୍ଥନୈତିକ ତ୍ୟାଗ ସ୍ବୀକାର କରିବାକୁ ପଡ଼ିଆସିଛି। ଏକ ଉଦାହରଣ ସ୍ବରୂପ ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ଗଣତାନ୍ତ୍ରିକ ଏଥେନ୍‌ସରେ ଗର୍ଭାଶୟ ବହନ କରୁଥିବା କୌଣସି ବ୍ୟକ୍ତି (ଅର୍ଥାତ୍‌ ନାରୀ)ର ସ୍ବାଧୀନ ଆଇନଗତ ମର୍ଯ୍ୟାଦା ନ ଥିଲା; ତା’ପାଇଁ ଉତ୍ତମ ଶିକ୍ଷା, ରାଜନୀତି, ବ୍ୟବସାୟ, ଦର୍ଶନଶାସ୍ତ୍ର ଆଲୋଚନା… ନିଷିଦ୍ଧ ଥିଲା। ସେମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା ସନ୍ତାନ ପ୍ରସବ, ଲାଳନପାଳନ ଓ ପାରିବାରିକ ଦାୟିତ୍ବ ନିର୍ବାହ। ବର୍ତ୍ତମାନ ମଧ୍ୟ ସେଇ କାରଣରୁ ଯୁବାବସ୍ଥାରେ ମହିଳାମାନଙ୍କର କ୍ୟାରିଅର୍‌ ଅଗ୍ରଗତିରେ ବିରତି ଘଟୁଛି, ଯାହା ପୁରୁଷମାନଙ୍କ କ୍ଷେତ୍ରରେ ଘଟୁନାହିଁ। ଏଥିଯୋଗୁଁ କ୍ୟାରିଅର୍‌ ଶୃଙ୍ଗ ଆରୋହଣରେ ମହିଳାମାନେ ପୁରୁଷଙ୍କ ଭଳି ସଫଳତା ହାସଲ କରିପାରୁନାହାନ୍ତି। ପରିବାରର ମଙ୍ଗଳକୁ ପ୍ରାଧାନ୍ୟ ଦେଉଥିବା ମହିଳାମାନେ କର୍ମକ୍ଷେତ୍ର ପାଇଁ ଅଧିକ ସମୟ ଦେଇ ନ ପାରିବା ସ୍ବାଭାବିକ। କିନ୍ତୁ ତା’ସତ୍ତ୍ବେ ଦିନେ ଯିଏ ନିଜେ ଏକ ସମ୍ପତ୍ତି ରୂପେ ବିବେଚିତ ହେଉଥିବାରୁ କୌଣସି ସମ୍ପତ୍ତିର ଅଧିକାରିଣୀ ହୋଇପାରୁନଥିଲା, ସେ ଆଜି ଯେ ଯୁଗ ଯୁଗର ସାମାଜିକ ଶୃଙ୍ଖଳ ଛିଣ୍ଡାଇ ନିଜର ଜନ୍ମସିଦ୍ଧ ଅଧିକାର ସାବ୍ୟସ୍ତ କରି, ଆୟ ଅର୍ଜନ କରି, ସମ୍ପଦ ଠୁଳ କରି ପୁରୁଷର ସମକକ୍ଷ ହେବା ଦିଗରେ ଆ‌େଗଇ ଚାଲିଛି, ସମସ୍ତ ତାରତମ୍ୟ ସତ୍ତ୍ବେ ରିପୋର୍ଟଟି ତାହା ମଧ୍ୟ ପ୍ରମାଣ କରିଥାଏ। ଅଚିରେ ଏଭଳି ତାରତମ୍ୟରେ ଅନ୍ତ ଘଟିବା ଅନିବାର୍ଯ୍ୟ।

ସମ୍ବନ୍ଧିତ ଖବର