ଗତ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଖବରକାଗଜର ଶିରୋନାମା ମଣ୍ଡନ କରି ସାମୟିକ ଭାବେ ଜନମାନସକୁ ଆନ୍ଦୋଳିତ କରିଥିବା ଅନ୍ତତଃ ତିନିଟି ଗୃହପାଳିତ ବନ୍ୟପ୍ରାଣୀଙ୍କ କାହାଣୀକୁ ପାଠକଙ୍କ ସ୍ମୃତିରେ ପୁନରୁଜ୍ଜୀବିତ କରାଯାଉ। ବନ୍ୟପ୍ରାଣୀଟିଏ ଥରେ ଗୃହପାଳିତ ହୋଇଗଲେ ମଣିଷ ଓ ପ୍ରାଣୀଟି ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କର ଆବେଗାତ୍ମକ ଦିଗଟିକୁ ଏବର ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଗୁରୁତ୍ବ ପ୍ରଦାନ କରାଯାଇ ନ ଥିବାରୁ ଅଧିକାଂଶ କ୍ଷେତ୍ରରେ ଏଭଳି କାହାଣୀର ପରିସମାପ୍ତି ଉଭୟ ପାଳିତ ବନ୍ୟପ୍ରାଣୀ ଏବଂ ତା’ର ଖାଉନ୍ଦ ଲାଗି ଦୁଃଖାନ୍ତକ ହେଉଥିବା ଲକ୍ଷ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଆଇନରେ ସଂଶୋଧନର ଆବଶ୍ୟକତା ଥିବାର ମନେ ହୋଇଥାଏ। ୧୯୭୪ ମସିହା ଅକ୍ଟୋବର ମାସ। ମୟୂରଭଂଜର ଯଶିପୁରେର ଖଡ଼ିଆ ସମ୍ପ୍ରଦାୟର କିଛି ଲୋକ ଶିମିଳିପାଳ ଜଙ୍ଗଲରେ ଏକ ପରିତ୍ୟକ୍ତ ଓ ମୁମୂର୍ଷୁ ବାଘଛୁଆକୁ ପାଇ ତାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରତିଷ୍ଠାତା କ୍ଷେତ୍ର ନିର୍ଦ୍ଦେଶକ ସରୋଜ ରାଜ ଚୌଧୁରୀଙ୍କୁ ଅର୍ପଣ କରିଥିଲେ। ବାଘଛୁଆଟି ଖଇରୀ ନଦୀ କୂଳରୁ ମିଳିଥିବାରୁ ସେ ଖଇରୀ ନାମ ଲାଭ କଲା ଓ ଚୌଧୁରୀ ପରିବାର ଦ୍ବାରା ଝିଅର ସ୍ନେହ ପାଇ ବଢ଼ିଲା। ସରୋଜ ବାବୁ ଓ ତାଙ୍କ ସମ୍ପର୍କୀୟା ନୀହାର ନଳିନୀଙ୍କ ସହ ସ୍ନେହର ବନ୍ଧନରେ ସେ ଏପରି ଆବଦ୍ଧ ହୋଇଗଲା ଯେ ସେମାନଙ୍କ ସହିତ ଖାଇବା, ଖେଳିବା, ଶୋଇବା ସହିତ ତାଙ୍କ ବଙ୍ଗଳାରେ ମୁକ୍ତ ଭାବେ ବିଚରଣ କରୁଥିଲା। ତା’ର ବୟଃପ୍ରାପ୍ତି ପରେ ସାଥୀ ଖୋଜିବା ପାଇଁ ତାକୁ ଥରକୁ ଥର ଜଙ୍ଗଲରେ ଛାଡ଼ି ଦିଆଯାଉଥିଲେ ବି ସେ ସେଥି ପ୍ରତି କୌଣସି ଆଗ୍ରହ ନ ଦେଖାଇ ପ୍ରତି ଥର ଚୌଧୁରୀ ପରିବାର ନିକଟକୁ ଫେରି ଆସୁଥିଲା। ସରୋଜ ବାବୁ ନିଜେ ଥିଲେ ଜଣେ ଖ୍ୟାତନାମା ବନ୍ୟପ୍ରାଣୀ ସଂରକ୍ଷକ। ସୁତରାଂ, ତା’ର ଗତିବିଧିକୁ ଅନୁଧ୍ୟାନ କରି ସେ ତା’ ସମ୍ପର୍କରେ ଅନେକ ତଥ୍ୟ ଲିପିବଦ୍ଧ କରିଯାଇଛନ୍ତି, ଯାହା ପରବର୍ତ୍ତୀ ସମୟରେ ବାଘଙ୍କ ପ୍ରକୃତି ଓ ଆଚରଣକୁ ବୁଝିବାରେ ସହାୟକ ହୋଇଛି। ୧୯୮୧ ମସିହାରେ ଏକ ବୁଲା କୁକୁରର କାମୁଡ଼ାରେ ଜଳାତଙ୍କ ରୋଗରେ ଆକ୍ରାନ୍ତ ଖଇରୀର ମୃତ୍ୟୁ ହେଲା। ତା’ ପରେ ସରୋଜ ବାବୁ ଏଭଳି ଦୁଃଖରେ ଭାଙ୍ଗି ପଡ଼ିଲେ ଯେ ବର୍ଷକ ମଧ୍ୟରେ ତାଙ୍କର ମଧ୍ୟ ହୃଦ୍ଘାତରେ ନିଧନ ହୋଇଗଲା। ଖଇରୀ ସହ ଚୌଧୁରୀ ପରିବାରର ସମ୍ପର୍କ ଥିଲା ମାତ୍ର ସାତ ବର୍ଷର; ମାତ୍ର ସେହି ସମୟ ଭିତରେ ଏହି ସଂପର୍କ ଏକ ଆନ୍ତର୍ଜାତିକ ପରିଚିତି ମଧ୍ୟ ଲାଭ କରିପାରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ବିତୀୟ କାହାଣୀଟି ୨୦୦୭ ମସିହା ଅକ୍ଟୋବର ମାସର। ସ୍ଥାନ କେନ୍ଦୁଝର ଜିଲ୍ଲାର ରୁତିଶିଳା ଗାଁ (ଘଟଗାଁ)। ରାମସିଂହ ମୁଣ୍ଡା ନାମକ ଜଣେ ଆଦିବାସୀ ଯୁବକ ଏକ ପରିତ୍ୟକ୍ତ ଭାଲୁଛୁଆକୁ ଜଙ୍ଗଲରେ ପାଇ ଘରକୁ ଆଣି ପାଳିଲେ। କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କର ଦେହାନ୍ତ ହୋଇଥିବାରୁ ରାମ ସିଂହ ନିଜ କନ୍ୟା ଦୁଲକି ସହିତ ଏଇ ଭାଲୁ ଛୁଆଟିକୁ ରାଣୀ ନାମ ଦେଇ ପାଳିବାକୁ ଲାଗିଲେ। କୁହାଯାଏ ଭାଲୁ ଛୁଆକୁ ପାଳିବା ଲାଗି ସେ ନିଜ ଓ ନିଜ କୁନି ଝିଅର ଖୋରାକିରୁ କାଟୁଥିଲେ। ରାଣୀ ବଡ଼ ହେବାରୁ ତାକୁ ଦୁଇ ଥର ଜଙ୍ଗଲରେ ଛାଡ଼ି ଆସିଥିଲେ ମଧ୍ୟ ସେ ରାମସିଂହଙ୍କ ନିକଟକୁ ଫେରି ଆସିଥିଲା। ତାଙ୍କ ସାଇକେଲ ପଛରେ ବସି ବୁଲିବାକୁ ଭାରି ଭଲ ପାଉଥିଲା ରାଣୀ। କିନ୍ତୁ ଏ ସମ୍ପର୍କରେ ବନ ବିଭାଗ ଜାଣିବା ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲ୍ଲଂଘନ ଅପରାଧରେ ରାମ ସିଂହଙ୍କୁ ଗିରଫ କରାଗଲା ଓ ରାଣୀକୁ ନନ୍ଦନକାନନ ଚିଡ଼ିଆଘରକୁ ସ୍ଥାନାନ୍ତରିତ କରାଗଲା। ପରବର୍ତ୍ତୀ ସମୟରେ ଅବଶ୍ୟ ରାମ ସିଂହ ଖଲାସ ହେଲେ ଓ ତାଙ୍କ ଉପରୁ ମକଦ୍ଦମା ପ୍ରତ୍ୟାହୃତ ହେଲା। ପ୍ରାଥମିକ ଅବସ୍ଥାରେ ନନ୍ଦନକାନନରେ ରହୁଥିବା ରାଣୀକୁ ଦେଖା କରିବାକୁ ତାଙ୍କୁ ଅନୁମତି ଦିଆଯାଇଥିଲା। କିନ୍ତୁ କ୍ରମେ ରାଣୀକୁ ତାଙ୍କ ଠାରୁ ଦୂରେଇ ରଖାଗଲା। ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଗଲା। ଏକ ସୁନ୍ଦର ମମତାଭରା ସଂପର୍କର କାହାଣୀରେ ପୂର୍ଣ୍ଣଚ୍ଛେଦ ଲାଗିଲା। ରାଣୀ ତା’ର ବାକି ଜୀବନ ନନ୍ଦନକାନନର ଆଉ ୨୦ଟି ଭାଲୁଙ୍କ ଭିତରେ ପରିଚୟହୀନ ଭାବେ କାଟିଲା। ତା’ ବିଷୟରେ ଆଉ କୌଣସି ଖବର ମିଳିଲା ନାହିଁ; କାରଣ ଗଣମାଧ୍ୟମ ସକାେଶ କାହାଣୀଟି ତା’ର ଆକର୍ଷଣ ହରାଇ ସାରିଥିଲା।
ତୃତୀୟ କାହାଣୀଟି ସଦ୍ୟତମ। ସ୍ଥାନ କେନ୍ଦୁଝରର ତେଲକୋଇ। ୨୦୨୦ ମାର୍ଚ୍ଚରେ ପୁରୁଷୋତ୍ତମପୁର ଗାଁର ଆଦିବାସୀ ମହିଳା କୁନ୍ତଳା କୁମାରୀ ପେଣ୍ଠେଇ ତାଙ୍କ ଝିଅକୁ ହରାଇ ମ୍ରିୟମାଣ ଭାବେ ତା’ ସମାଧି ନିକଟକୁ ଯାଇଥିବା ବେଳେ ଏକ ପରିତ୍ୟକ୍ତ ବାରହା ଶାବକକୁ ମୁମୂର୍ଷୁ ଅବସ୍ଥାରେ ପାଇ ଘରକୁ ନେଇ ଆସିଥିଲେ। ସେହି ବାର୍ହା ଛୁଆ ଧୁଡୁ ନାମ ଧରି ତାଙ୍କ ପରିବାର ସହିତ ବଢ଼ିଲା। କ୍ରମେ ଧୁଡୁ ପରିବାରର ଜଣେ ସଦସ୍ୟ ପାଲଟି ଗଲା। ଯଦିଓ ସେ କେବେ କୌଣସି ମଣିଷ ବା ପଶୁଙ୍କର ଅନିଷ୍ଟ କରି ନ ଥିଲା, ହିଂସ୍ର ବନ୍ୟପ୍ରାଣୀ ରୂପେ ତା’ର ପରିଚିତି ପାଇଁ କେହି କେହି ତାକୁ ପାଖରେ ଦେଖି ଭୟଭୀତ ହେଉଥିଲେ। ସେମାନଙ୍କ ଅଭିଯୋଗ କ୍ରମେ ବନ ବିଭାଗ ଧୁଡୁକୁ କୁନ୍ତଳାଙ୍କ ପରିବାର ଠାରୁ ଦୂରେଇ ନେଇ ଦୂର ଜଙ୍ଗଲରେ ଛାଡ଼ିଦେଲେ। ଏଣେ ତାକୁ ଖୋଜିବା ପାଇଁ କୁନ୍ତଳାଙ୍କ ପରିବାର ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ। ନଅ ଦିନ ପରେ ସେ ମିଳିଲା ଓ ସେମାନଙ୍କୁ ଦେଖି ସେମାନଙ୍କ ପଛେ ପଛେ ଛୋଟେଇ ଛୋଟେଇ ପୁଣି ଘରକୁ ଫେରି ଆସିଲା। କିଛି ଦିନ ପୂର୍ବେ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅବଶ୍ୟ, ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଧୁଡୁର ଚିକିତ୍ସା ପାଇଁ ବନ ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଯଦିଓ ସେ ଏବେ ଘରେ ଅଛି, ତାର ଭବିଷ୍ୟତ୍ ଅନିଶ୍ଚିତ ବୋଲି କୁହାଯାଉଛି।
ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯଦି ଖଇରୀ ଭଳି ଏକ ବନ୍ୟପ୍ରାଣୀକୁ ଗୃହପାଳିତ କରି ରଖିବା ସରୋଜ ବାବୁଙ୍କ କ୍ଷେତ୍ରରେ ଅପରାଧ ନ ଥିଲା (ଖଇରୀ ଲାଗି ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା), ତେବେ ରାମ ସିଂହ ଓ କୁନ୍ତଳାଙ୍କ ବିରୋଧରେ କାହିଁକି ବିଭିନ୍ନ ଦଫାରେ ମାମଲା ରୁଜୁ କରାଗଲା। ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ବିନାନୁମତିରେ କୌଣସି ବ୍ୟକ୍ତି ଏକ ବନ୍ୟପ୍ରାଣୀକୁ ଗୃହପାଳିତ କରି ରଖି ପାରିବେ ନାହିଁ। ସମ୍ଭବତଃ, ସରୋଜ ବାବୁ ଜଣେ ପଦସ୍ଥ ବିଭାଗୀୟ ଅଧିକାରୀ ହୋଇଥିବାରୁ ଆଇନ ବିଷୟରେ ଜାଣି ଆବଶ୍ୟକ ଅନୁମତି ଆଣିଥିଲେ। କିନ୍ତୁ ରାମ ସିଂହ ଓ କୁନ୍ତଳାଙ୍କ ପକ୍ଷରେ ଏଭଳି ଆଇନ ସମ୍ପର୍କିତ ଜ୍ଞାନ ନ ଥିବ। େତବେ ଏ କ୍ଷେତ୍ରରେ ଉଚିତ ହୋଇଥାଆନ୍ତା ସେମାନଙ୍କ ଲାଗି ଏଭଳି ଅନୁମତିର ବ୍ୟବସ୍ଥା କରି ସେମାନଙ୍କ ପାଖରେ ସେହି ଜନ୍ତୁଗୁଡ଼ିକୁ ରହିବାର ସୁଯୋଗ ଦିଆଯାଇ ଥାଆନ୍ତା। ସ୍ମରଣଯୋଗ୍ୟ ଯେ ରାମ ସିଂହ ଗିରଫ ହେବା ପରେ କହିଥିଲେ ଯେ ‘ରାଣୀକୁ ଯେତେବେଳେ ଜଙ୍ଗଲ ଭିତରେ ଦରମରା ଅବସ୍ଥାରେ ପାଇଥିଲି ସେତେବେଳେ ଆଇନ ସମ୍ପର୍କରେ ଜାଣି ନ ଥିଲି। କିନ୍ତୁ ଏବେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି କେହି କେବେ ଏମିତି ଅବସ୍ଥାରେ ଜନ୍ତୁ ଛୁଆଟିଏ ପାଇଲେ ତା’ର ସେବାଯତ୍ନ କରିବା କଥା ମନକୁ ଆଣିବେ ନାହିଁ। ନ ହେଲେ ସେମାନଙ୍କୁ ବି ମୋ ଭଳି ଜେଲରେ ରହିବାକୁ ପଡିପାରେ।’ ରାମ ସିଂହର ଏହି ଉକ୍ତିରେ ଏହି ଆଇନରେ ଥିବା ଏକ ବିରୋଧାଭାସ ଦେଖାଯାଏ, ଯାହା ଅନୁସାରେ ବିପଦରେ ପଡ଼ିଥିବା କୌଣସି ବନ୍ୟପ୍ରାଣୀ ପ୍ରତି ସମବେଦନା ପ୍ରକାଶ କରିବା ମଧ୍ୟ ଏକ ଅପରାଧ।
ଏଭଳି ସ୍ଥିତିରେ କ’ଣ କରିବା ଯୁକ୍ତିଯୁକ୍ତ ହେବ? ଗୋଟିଏ ଗୃହପାଳିତ ବନ୍ୟପ୍ରାଣୀକୁ ତା’ର ପାଳକ ପରିବାର ଠାରୁ ଦୂରେଇ ନେଇ ପ୍ରାକୃତିକ ପରିବେଶରେ ବା ଚିଡ଼ିଆଖାନାରେ ଛାଡ଼ି ଦିଆଗଲେ କ’ଣ ପ୍ରାଣୀଟି ପ୍ରତି ସୁବିଚାର କରାଯାଏ? ସେ କ’ଣ ତା’ର ବନ୍ୟ ପ୍ରକୃତି ଫେରି ପାଇଥାଏ? ଗୋଟିଏ ଗୃହରୁ ଆସିଥିବା ପ୍ରାଣୀ କ’ଣ ଜଙ୍ଗଲ ଭିତରେ ଠିକଣା ଭାବେ ଚଳିପାରେ? ତାହା ହେଲେ ରାଣୀ ଜଙ୍ଗଲରୁ ଫେରି ଆସିଥିଲା କାହିଁକି? ପୁଣି ରାଣୀକୁ ନେଇ ନନ୍ଦନକାନନରେ ରଖିବା ପରେ ତା’ର ହାବଭାବକୁ ନେଇ କୌଣସି ଅଧ୍ୟୟନ ହୋଇଛି କି ନାହିଁ; ତାହା ଜଣା ନାହିଁ। ଆମେରିକୀୟ ପ୍ରଫେସର କର୍ଟ ଷ୍ଟେଜରଙ୍କ ମତରେ ଏକ ଗୃହପାଳିତ ବନ୍ୟପ୍ରାଣୀ ତା’ ପ୍ରାକୃତିକ ପରିବେଶକୁ ଚାଲିଗଲେ ସେ ସମ୍ପୂର୍ଣ୍ଣ ବନ୍ୟ (ୱାଇଲ୍ଡ) ହୋଇଯାଏ ନାହିଁ। ପ୍ରକୃତ ପକ୍ଷେ ତା’ଠାରେ ଉଭୟ ଗୃହପାଳିତ ଓ ବନ୍ୟପ୍ରାଣୀର ଗୁଣ ପରିଲକ୍ଷିତ ହୋଇପାରେ, ଯାହାକୁ ବନ୍ୟ (ୱାଇଲ୍ଡ) ବୋଲି ନ କହି ଜଙ୍ଗଲୀ (ଫେରାଲ) ବୋଲି କହି ହେବ। ଏଭଳି ବନ୍ୟପ୍ରାଣୀଙ୍କ ପ୍ରକୃତି ଓ ଆଚରଣ ସମ୍ପର୍କରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି। ତେବେ ପ୍ରଥମେ ସ୍ଥିର ହେବା ଉଚିତ ଯେ ପ୍ରାଣୀଟି ବନ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ନା ସୁରକ୍ଷିତ ଭାବେ ବଞ୍ଚି ରହିବା ଅଧିକ ଆବଶ୍ୟକ। ସୁସ୍ଥ ହେଲା ପରେ ଧୁଡୁକୁ ଜଙ୍ଗଲରେ ଛାଡ଼ି ଦିଆଗଲେ ସେ ହୁଏ’ତ ସେଠାରେ ତା’ର ଖାଦ୍ୟ ପାଇ ଯାଇପାରେ; ତେବେ ମଣିଷର ମମତା ପାଇଥିବା ଜୀବଟି ସେହି ସାନ୍ନିଧ୍ୟ ପାଇବା ପାଇଁ ବାରମ୍ବାର ଗ୍ରାମାଭିମୁଖୀ ହେବ ଓ ତାହା ହିଁ ତା’ର ନିଶ୍ଚିତ ମୃତ୍ୟୁର କାରଣ ପାଲଟିବ। ତେଣୁ କହିବା ବାହୁଲ୍ୟ ଯେ ସେହି ପ୍ରାଣୀଟି ବରଂ ତା’ର ପାଳକ ପିତାମାତାଙ୍କ ନିକଟରେ ଅଧିକ ସୁରକ୍ଷିତ ରହିପାରିବ।
ପରିଶେଷରେ କୁହାଯାଇପାରେ କି ମଣିଷ ସକାେଶ ହୁଏ’ତ ସମ୍ପର୍କ ତୁଟାଇବାର କାରଣ ଓ ସେ ନେଇ ବୋଧଗମ୍ୟତା ଏପରି କି ସେଭଳି ପରିସ୍ଥିତିକୁ ଗ୍ରହଣ କରିନେବାର ମାନସିକତା ଥାଇପାରେ, କିନ୍ତୁ ପଶୁ ପାଇଁ ସେଭଳି ନ ଥାଏ।
ସାଧାରଣତଃ ପରିତ୍ୟକ୍ତ ପଶୁ ଶାବକଗୁଡ଼ିକୁ ଉଦ୍ଧାର କରି ପ୍ରତିପାଳନ କରୁଥିବା ବ୍ୟକ୍ତିବିଶେଷ ଆଦିବାସୀ ସମ୍ପ୍ରଦାୟର ହୋଇ ଥାଆନ୍ତି। ସେମାନେ ଜଙ୍ଗଲରେ ବା ସେହି ପଶୁଟିର ପ୍ରାକୃତିକ ପରିବେଶରେ ବସବାସ କରୁଥିବାରୁ ସେମାନଙ୍କ ନିକଟରେ ପ୍ରାଣୀଟି ସୁରକ୍ଷିତ ରହିପାରେ। ଏହା ମଧ୍ୟ ସତ େଯ ସେମାନଙ୍କୁ ଟିକିଏ ତାଲିମ ପ୍ରଦାନ କଲେ ସେମାନଙ୍କ ମାଧ୍ୟମରେ ଏଭଳି ପ୍ରାଣୀଗୁଡ଼ିକର ଆଚରଣକୁ ମଧ୍ୟ ଲିପିବଦ୍ଧ କରାଯାଇପାରେ। ସଂପୃକ୍ତ ପ୍ରାଣୀଟି ଅନ୍ୟମାନଙ୍କ ପ୍ରତି ହିଂସ୍ର ଆଚରଣ କଲେ ତାକୁ ଚିଡ଼ିଆଖାନା ବା ଘଞ୍ଚ ଜଙ୍ଗଲରେ ସ୍ଥାନାନ୍ତରିତ ନ କରି ସେହି ଜଙ୍ଗଲ ନିକଟରେ ତା’ ପାଳିତ ପିତାମାତାଙ୍କ ତତ୍ତ୍ୱାବଧାନରେ ଏକ ଆବଦ୍ଧ ପରିବେଶରେ ରଖାଯିବା ବିଷୟରେ ମଧ୍ୟ ବିଚାର କରାଯାଇପାରେ। ଏ ସମସ୍ତ କାର୍ଯ୍ୟ ବନ ବିଭାଗର ଅନୁମତି ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ଉଚିତ। କାରଣ ଏହା ବି ସତ ଯେ କିଛି ଲୋକ ବ୍ୟାବସାୟିକ ଉଦ୍ଦେଶ୍ୟରେ ବନ୍ୟପ୍ରାଣୀଙ୍କୁ ଗୃହପାଳିତ କରି ରଖୁଛନ୍ତି। ଧୁଡୁ, ରାଣୀ ଓ ଖଇରୀଙ୍କ ଭଳି ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ଗୋଟିଏ କଥା ସମାନ ଥିଲା। ଏମାନେ ପରିତ୍ୟକ୍ତ ଓ ମୁମୂର୍ଷୁ ଅବସ୍ଥାରେ ଜଙ୍ଗଲରୁ ମିଳିଥିଲେ। ତେଣୁ ଏଭଳି ବିପଦଗ୍ରସ୍ତ ବନ୍ୟପ୍ରାଣୀଙ୍କ ସୁରକ୍ଷା ସକାଶେ ମଧ୍ୟ ଏକ ନିୟମ ହେବା ଦରକାର। ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ପ୍ରାଣ ବଞ୍ଚାଇବାକୁ ପ୍ରୋତ୍ସାହନ ଦେବା ଲାଗି ଏବେ ‘ଗୁଡ୍ ସାମାରିଟାନ ଆକ୍ଟ’ େହାଇଛି। ମୁମୂର୍ଷୁ ବନ୍ୟପ୍ରାଣୀଙ୍କୁ ବଞ୍ଚାଇବା ଲାଗି ମଧ୍ୟ ସେଭଳି ନିୟମ ଆସୁ।
ମୋ: ୯୪୩୭୦୩୮୦୧୫
www.SaralJatil.com