ବଡ଼ କିଏ?

ଅନେକ ଟାଲଟୁଳ ପରେ ପ୍ରଚଳିତ କଲେଜିଅମ୍‌ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଆଗତ ଏକ ରିଟ୍‌ ଆବେଦନକୁ ବିଚାର ପାଇଁ ମୁଖ୍ୟ ବିଚାରପତି ଏବେ ତାଲିକାଭୁକ୍ତ କରିଛନ୍ତି। ଆଶା ଏହି ସମୀକ୍ଷାରୁ ଏପରି ଏକ ବିଚାରପତି ନିଯୁକ୍ତି ବ୍ୟବସ୍ଥା ଜନ୍ମ ଲାଭ କରିବ ଯାହା ସ୍ବଚ୍ଛ ଓ ଉତ୍ତରଦାୟୀ ହେବା ସହିତ ଉଭୟ ସୁପ୍ରିମ୍‌ କୋର୍ଟ ଓ ସରକାର ଏହାର ଦୁରୁପଯୋଗ କରିବାର ସମସ୍ତ ସୁଯୋଗର ମୂଳୋତ୍ପାଟନ କରିଦେବ।

ଆମେରିକୀୟ ରାଜନୀତି ବିଜ୍ଞାନୀ ଜର୍ଜ ଏଚ୍‌ ଗାଡ୍‌ବଏ ତାଙ୍କର ଉଚ୍ଚ ପ୍ରଶଂସିତ ପୁସ୍ତକ ‘ଜଜେସ୍‌ ଅଫ୍‌ ଦି ସୁପ୍ରିମ୍‌ କୋର୍ଟ ଅଫ୍‌ ଇଣ୍ଡିଆ’ (‘ଭାରତର ସୁପ୍ରିମ୍‌ କୋର୍ଟର ବିଚାରପତିମାନେ) ପାଇଁ ପ୍ରସିଦ୍ଧି ଲାଭ କରିଥିଲେ (ସେ ୨୦୧୭ରେ ଇହଧାମ ତ୍ୟାଗ କରିଛନ୍ତି)। ଗାଡ୍‌ବଏଙ୍କ ଅନୁସାରେ ଭାରତର ଜଣେ ପୂର୍ବତନ ମୁଖ୍ୟ ବିଚାରପତି ଥିବା ରଘୁନନ୍ଦନ ସ୍ବରୂପ ପାଠକ ତାଙ୍କୁ ଥରେ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଟିପିଏସ୍‌ ଚାଉଲାଙ୍କୁ ପଦୋନ୍ନତି ଦିଆଯାଇ ସୁପ୍ରିମ୍‌ କୋର୍ଟର ବିଚାରପତି କରାଯିବା ପ୍ରସ୍ତାବକୁ ଜଣେ ତତ୍‌କାଳୀନ ସୁପ୍ରିମ୍‌ କୋର୍ଟ ବିଚାରପତି ତୀବ୍ର ବିରୋଧ କରିଥିଲେ। ବିରୋଧର କାରଣ ନ ଥିଲା ଚାଉଲାଙ୍କ ଯୋଗ୍ୟତା ବା ଦକ୍ଷତା ସମ୍ପର୍କରେ ସୁପ୍ରିମ୍‌ କୋର୍ଟର ସେହି ବିଚାରପତିଙ୍କ ମନରେ ଥିବା କୌଣସି ସନ୍ଦେହ। ବିଚାରପତି ଚାଉଲା ଥିଲେ ଉକ୍ତ ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କର ପଡ଼ୋଶୀ, ଯାହାଙ୍କ ପୋଷା କୁକୁରକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ କୁକୁରଟିକୁ ଗୁଳି କରିଦେବେ ବୋଲି ଚାଉଲା ଧମକ ଦେଇଥିଲେ। ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କର ସେଇ କୁକୁରଟି ହିଁ ଜଷ୍ଟିସ୍‌ ଚାଉଲାଙ୍କ ପଦୋନ୍ନତି ପଥରେ ଅନ୍ତରାୟ ସାଜିଥିଲା।

ଯଦି ନୂତନ ବିଚାରପତିଙ୍କୁ ନିଯୁକ୍ତ କରିବା ଦାୟିତ୍ବ ଓ କ୍ଷମତା ପଦାସୀନ ବିଚାରପତିଙ୍କ ହାତରେ ନ୍ୟସ୍ତ କରାଯାଏ, ସେଥି ଯୋଗୁଁ ଯେଉଁ ସମସ୍ତ ସମ୍ଭାବ୍ୟ ବିକୃତିର ଆବିର୍ଭାବ ଘଟିପାରେ, ଏଇ କୁକୁର କାହାଣୀଟି ହେଉଛି ସେଥି ମଧ୍ୟରୁ ଏକ ଅପେକ୍ଷାକୃତ କମ୍‌ କ୍ଷତିକାରକ ଉଦାହରଣ ମାତ୍ର। ଯେତେବେଳେ କୁକୁର ପ୍ରତି ପ୍ରାର୍ଥୀଙ୍କର ମନୋଭାବ ନୁହେଁ, ପ୍ରାର୍ଥୀଙ୍କର ପରିବାର, ଜାତି, ଗୋଷ୍ଠୀ ଆଦି ତାଙ୍କ ନିଯୁକ୍ତି ପାଇଁ ଅସଲ ମାନକ ରୂପେ ବ୍ୟବହୃତ ହୁଏ, ସେତେବେଳେ ନ୍ୟାୟପାଳିକାର ଅନ୍ଧପୁଟୁଳି ବନ୍ଧା ନିରପେକ୍ଷତା ବ୍ୟାହତ ହେବାର ସମ୍ଭାବନା ଚିନ୍ତାଜନକ ସ୍ତରରେ ପହଞ୍ଚିଥାଏ। ନ୍ୟାୟପାଳିକାରେ ନିଯୁକ୍ତି ସମ୍ପର୍କରେ ନୀତି ନିର୍ଦ୍ଧାରଣ ପାଇଁ ଆଲୋଚନା ସମୟରେ ସଂବିଧାନ ସଭା ସମ୍ମୁଖରେ ଥିବା ତିନିଟି ବିକଳ୍ପ ମଧ୍ୟରୁ ଯେଉଁଟିର ଏଭଳି ଅପବ୍ୟବହାର ସମ୍ଭାବନା ସର୍ବନିମ୍ନ ବୋଲି ବିଚାର କରାଯାଇଥିଲା, ସେଇଟିକୁ ହିଁ ଧାରା-୧୨୪ ରୂପରେ ସଂବିଧାନରେ ସ୍ଥାନୀତ କରାଯାଇଥିଲା।

ଏହା ଅନୁସାରେ ଭାରତର ରାଷ୍ଟ୍ରପତି ଆବଶ୍ୟକତା ଅନୁସାରେ ସୁପ୍ରିମ୍‌ କୋର୍ଟ ବା ହାଇକୋର୍ଟର ବିଚାରପତିମାନଙ୍କ ସହିତ ପରାମର୍ଶ କରି ପ୍ରତ୍ୟେକ ବିଚାରପତିଙ୍କୁ ନିଯୁକ୍ତ କରି‌େବ ଏବଂ ମୁଖ୍ୟ ବିଚାରପତିଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଚାରପତିମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପୂର୍ବରୁ ଭାରତର ମୁଖ୍ୟ ବିଚାରପତିଙ୍କ ସହିତ ସର୍ବଦା ପରାମର୍ଶ କରିବେ। ଭାରତର ସଂବିଧାନ ଅନୁସାରେ ରାଷ୍ଟ୍ରପତି ସାଧାରଣତଃ ସର୍ବଦା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ପ୍ରଶାସନର ପରାମର୍ଶରେ ପରିଚାଳିତ ହେଉଥିବାରୁ ଏହି ବ୍ୟବସ୍ଥାରେ ବିଚାରପତି ନିଯୁକ୍ତି ବାସ୍ତବରେ ସମ୍ପୂର୍ଣ୍ଣ ରୂପେ ପ୍ରଶାସନର ନିୟନ୍ତ୍ରଣାଧୀନ ଥିଲା। ରାଷ୍ଟ୍ରପତି ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ଥି‌େଲ ହେଁ ତାଙ୍କର ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ନ ଥିଲେ। ଏ ବ୍ୟବସ୍ଥାରେ ତେଣୁ ବିଚାରପତି ନିଯୁକ୍ତିରେ ପ୍ରଶାସନିକ ହସ୍ତକ୍ଷେପ ଘଟିବା ସ୍ବାଭାବିକ ଥିଲା। ୧୯୯୩ରେ ଏକ ଯୁଗାନ୍ତକାରୀ ରାୟ ପ୍ରଦାନ କରି ସୁପ୍ରିମ୍‌ କୋର୍ଟ ନିଜର ଏକ କଲେଜିଅମ୍‌ ମାଧ୍ୟମରେ ବିଚାରପତି ନିଯୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ନିଜର ନିୟନ୍ତ୍ରଣ ମଧ୍ୟକୁ ନେଇ ଆସିବା (ଯାହା ସଂବିଧାନ ସଭାର ଉଦ୍ଦେଶ୍ୟ ନ ଥିଲା) ପର୍ଯ୍ୟନ୍ତ ଏହି ପ୍ରଶାସନିକ ହସ୍ତକ୍ଷେପ ବଳବତ୍ତର ରହି ଆସିଥିଲେ ହେଁ ଏହି ହସ୍ତକ୍ଷେପର ଚରିତ୍ର ଅନୁସାରେ ଏହି ଯୁଗ ସ୍ପଷ୍ଟ ରୂପେ ଦୁଇଟି କାଳଖଣ୍ଡରେ ବିଭକ୍ତ। ୧୯୫୦ରୁ ୧୯୭୧ ପର୍ଯ୍ୟନ୍ତ ରାଜନେତାମାନେ କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ କୃପା ପ୍ରଦର୍ଶନ ନିମିତ୍ତ ଏଭଳି ହସ୍ତକ୍ଷେପ କରିବା ଦେଖା ଯାଉଥିଲା। ୧୯୭୧ ପରଠାରୁ କିନ୍ତୁ ଇନ୍ଦିରା ଗାନ୍ଧୀ ଏକ ‘ବଚନବଦ୍ଧ ନ୍ୟାୟପାଳିକା’ (‘କମିଟେଡ୍‌ ଜୁଡିସିଆରି’) ସୃଷ୍ଟି ନିମିତ୍ତ ଆହ୍ବାନ ଦେବା ପର ଠାରୁ ନିର୍ଦ୍ଦିଷ୍ଟ ମତବାଦରେ ବିଶ୍ବାସ କରୁଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିବା ହସ୍ତକ୍ଷେପର ଉଦ୍ଦେଶ୍ୟ‌େର ପରିଣତ ହେଲା। ସେତିକି ନୁହେଁ, ବିଚାରପତିମାନଙ୍କର ପଦୋନ୍ନତି ଓ ବଦଳି ଆଦି ମଧ୍ୟ ସେମାନଙ୍କର ବଚନବଦ୍ଧତା ଦ୍ବାରା ପ୍ରଭାବିତ ହେଲା।

ପ୍ରଶାସନ ଅର୍ଥାତ୍‌ କାର୍ଯ୍ୟନିର୍ବାହିକାର ନିୟନ୍ତ୍ରଣ ମଧ୍ୟକୁ ଏହିପରି ଚାଲି ଯାଇଥିବା ନ୍ୟାୟପାଳିକାରେ ନିଯୁକ୍ତିକୁ ନିଜ ଅକ୍ତିଆର ମଧ୍ୟକୁ ଆଣିବା ଉଦ୍ଦେଶ୍ୟରେ ୧୯୯୩ରେ ସୁପ୍ରିମ୍‌ କୋର୍ଟ ‘ସେକେଣ୍ଡ ଜଜେସ୍‌ କେସ୍‌’ ନାମରେ ପରିଚିତ ମାମଲାରେ ପ୍ରଦାନ କରିଥିବା ରାୟ ମାଧ୍ୟମରେ କଲେଜିଅମ୍‌ ବ୍ୟବସ୍ଥା ପ୍ରଚଳନ କରିଥିଲେ, ଯାହା ବିଚାରପତି ନିଯୁକ୍ତି ବ୍ୟାପାରରେ ସୁପ୍ରିମ୍‌ କୋର୍ଟର ଅନ୍ତିମ ପ୍ରଭୁତ୍ବ ସାବ୍ୟସ୍ତ କରିଥିଲା। ଏହା ମାଧ୍ୟମରେ ପ୍ରଚଳିତ ବ୍ୟବସ୍ଥାରେ ଯେଉଁ ଅସଲ ପରିବର୍ତ୍ତନ କରାଯାଇଥିଲା, ତାହା ହେଲା ବିଚାରପତିମାନଙ୍କର ଅନ୍ତିମ ନିଯୁକ୍ତିଦାତା ଭାରତର ରାଷ୍ଟ୍ରପତି କୌଣସି ଜଣେ ବିଚାରପତିଙ୍କୁ ନିଯୁକ୍ତ କରିବାକୁ ଚାହିଁଲେ ସେଥିପାଇଁ ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ କଲେଜିଅମ୍‌ (ବର୍ତ୍ତମାନ ସୁପ୍ରିମ୍‌ କୋର୍ଟର ପାଞ୍ଚ ଜଣ ବରିଷ୍ଠତମ ବିଚାରପତିଙ୍କୁ ନେଇ ଗଠିତ) ସହିତ କେବଳ ପୂର୍ବ ପରାମର୍ଶ (ସଂବିଧାନରେ ଉଲ୍ଲେଖ ଥିବା ଭଳି) ଯଥେଷ୍ଟ ନୁହେଁ, ଏଥିପାଇଁ କଲେଜିଅମ୍‌ର ସଂଖ୍ୟାଗରିଷ୍ଠ ସହମତି ଥିବା ମଧ୍ୟ ଅପରିହାର୍ଯ୍ୟ। ଏହାର ଅର୍ଥ କୌଣସି ବିଚାରପତିଙ୍କ ନିଯୁକ୍ତିରେ ଅନ୍ତିମ ନିଯୁକ୍ତିଦାତା (ରାଷ୍ଟ୍ରପତି)ଙ୍କ ମତାମତ ଅପେକ୍ଷା ପରାମର୍ଶଦାତା (ମୁଖ୍ୟ ବିଚାରପତି ବା କଲେଜିଅମ୍‌)ଙ୍କର ମତାମତ ବହୁ ଅଧିକ ତଥା ନିର୍ଣ୍ଣାୟକ ଗୁରୁତ୍ବ ବହନ କରିଥାଏ। ଏହାଦ୍ବାରା ବିଚାରପତିମାନଙ୍କର ନିଯୁକ୍ତି ସମ୍ପୂର୍ଣ୍ଣ ରୂପେ ପଦାସୀନ ବିଚାରପତିମାନଙ୍କ ନିୟନ୍ତ୍ରଣକୁ ଚାଲିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ସ୍ବାଭାବିକ ଭାବରେ ଏହି ଅସ୍ବଚ୍ଛ ଓ ଉତ୍ତରଦାୟିତାମୁକ୍ତ ବ୍ୟବସ୍ଥାର ଦୁରୁପଯୋଗ ସମ୍ଭାବନା ନିୟମିତ ଭାବରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଆସିଛି। ଏପରିକି ସେଇ ନ୍ୟାୟପାଳିକାର କେତେକ ସଦସ୍ୟ ମଧ୍ୟ ଏ ବ୍ୟବସ୍ଥାର ଦୋଷତ୍ରୁଟି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଇ ନାହାନ୍ତି। ଉଦାହରଣ ସ୍ବରୂପ ୨୦୧୯ରେ ଆଲାହାବାଦ ହାଇକୋର୍ଟର ନ୍ୟାୟମୂର୍ତ୍ତି ରଙ୍ଗନାଥ ପାଣ୍ଡେ କଲେଜିଅମ୍‌ ବ୍ୟବସ୍ଥା ଜାତିଆଣବାଦ ଓ ପ୍ରିୟାପ୍ରୀତି ତୋଷଣ ଭିତ୍ତିରେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରି ଏଥିରେ ପରିବର୍ତ୍ତନ ଘଟାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ସେହିପରି ଅବସର ପ୍ରାପ୍ତ ସୁପ୍ରିମ୍‌ କୋର୍ଟ ବିଚାରପତି ଶ୍ରୀମତୀ ରୁମା ପାଲ୍‌ ଖୋଲାଖୋଲି ମତ ପ୍ରକାଶ କରିଛନ୍ତି ଯେ କଲେଜିଅମ୍‌ ବ୍ୟବସ୍ଥାର ରହସ୍ୟାବୃତ କାର୍ଯ୍ୟ ପ୍ରଣାଳୀ ଯୋଗୁଁ ବେଳେ ବେଳେ ଭୁଲ୍‌ ନିଯୁକ୍ତି ପ୍ରଦାନ କରାଯାଇଥାଏ ଓ ଆହୁରି ଗୁରୁତର କୁପରିଣାମ ସ୍ବରୂପ ପ୍ରିୟାପ୍ରୀତି ତୋଷଣ ମଧ୍ୟ ଘଟିବା ଦେଖାଯାଇଥାଏ। (ଏହାର ଏକ ଉଦାହରଣ ସ୍ବରୂପ ସୁପ୍ରିମ୍‌ କୋର୍ଟର ୨୭ ଜଣ ନ୍ୟାୟମୂର୍ତ୍ତିମାନଙ୍କ ମଧ୍ୟରୁ ମୁଖ୍ୟ ବିଚାରପତିଙ୍କ ସମେତ ଛ’ଜଣ ହେଉଛନ୍ତି ପୂର୍ବତନ ସୁପ୍ରିମ୍‌ କୋର୍ଟ ବା ହାଇକୋର୍ଟ ବିଚାରପତିମାନଙ୍କର ସନ୍ତାନ ବୋଲି ଏକ ସଦ୍ୟ ପ୍ରକାଶିତ ଖବରରୁ ଜଣାଯାଏ।)

ଉଲ୍ଲେଖଯୋଗ୍ୟ ଜଷ୍ଟିସ୍‌ ପାଣ୍ଡେ ଚିଠି ଲେଖିବାର ପାଞ୍ଚବର୍ଷ ପୂର୍ବେ କଲେଜିଅମ୍‌ ବ୍ୟବସ୍ଥ‌ାର ଏହି ସମସ୍ତ ଦୋଷ ଦୁର୍ବଳତା ଦୂର କରିବା ପାଇଁ ସରକାର ୨୦୧୪ରେ ସଂବିଧାନର ୯୯ତମ ସଂଶୋଧନ ମାଧ୍ୟମରେ ଏକ ଛ’ଜଣିଆ (ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଓ ଦୁଇଜଣ ବରିଷ୍ଠତମ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ ଏବଂ ନାଗରିକ ସମାଜର ପ୍ରତିନିଧି ଭାବେ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି) ‘‌େନସନାଲ ଜୁଡିସିଆଲ୍‌ ଆପଏଣ୍ଟମେଣ୍ଟସ୍‌ କମିସନ୍‌’ (‘ଏନ୍‌ଜେଏସି’) ଗଠନ କରିଥିଲେ। ସୁପ୍ରିମ୍‌ କୋର୍ଟ କିନ୍ତୁ ୨୦୧୫ରେ ଏହି ସଂବିଧାନ ସଂ‌େଶାଧନ ଓ ଏହାର ସନ୍ତାନ ‘ଏନ୍‌‌େଜଏସି’କୁ ଅସାଂବିଧାନିକ ଘୋଷଣା କରି ବାତିଲ କରିଦେଲେ- ଏହାର କାରଣ ସଂଖ୍ୟାଗରିଷ୍ଠତା ଭିତ୍ତିରେ ‘ଏନ୍‌‌ଜେଏସି’ରେ ଯେଉଁ ନିଷ୍ପତ୍ତି ନିଆଯିବ, ସେଥିରେ ମୁଖ୍ୟ ବିଚାରପତି ବା ସୁପ୍ରିମ୍‌ କୋର୍ଟଙ୍କ ପ୍ରଭୁତ୍ବ ନିଶ୍ଚିତ ନ ହୋଇପାରେ। ଅନେକ ଟାଲଟୁଳ ପରେ ପ୍ରଚଳିତ କଲେଜିଅମ୍‌ ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ଆଗତ ଏକ ରିଟ୍‌ ଆବେଦନକୁ ବିଚାର ପାଇଁ ମୁଖ୍ୟ ବିଚାରପତି ଏବେ ତାଲିକାଭୁକ୍ତ କରିଛନ୍ତି। ଆଶା ଏହି ସମୀକ୍ଷାରୁ ଏପରି ଏକ ବିଚାରପତି ନିଯୁକ୍ତି ବ୍ୟବସ୍ଥା ଜନ୍ମ ଲାଭ କରିବ ଯାହା ସ୍ବଚ୍ଛ ଓ ଉତ୍ତରଦାୟୀ ହେବା ସହିତ ଉଭୟ ସୁପ୍ରିମ୍‌ କୋର୍ଟ ଓ ସରକାର ଏହାର ଦୁରୁପଯୋଗ କରିବାର ସମସ୍ତ ସୁଯୋଗର ମୂଳୋତ୍ପାଟନ କରିଦେବ।

ସମ୍ବନ୍ଧିତ ଖବର