ଆମ ସଂବିଧାନ: ଧର୍ମ, ଧର୍ମଗ୍ରନ୍ଥ ଓ ଗଣତନ୍ତ୍ର

ଦାଶ ବେନହୁର

ଗଣତନ୍ତ୍ରକୁ ଏକ ଧର୍ମ ବୋଲି କହିଲେ ଆମେ କ’ଣ ଗ୍ରହଣ କରିବା? ସାଧାରଣ ଲୋକେ ଏହାକୁ ନେଇ କିଛି କହିବା ପୂର୍ବରୁ ପହିଲେ ବିରୋଧ କରିବେ ଧର୍ମାଧିକାରୀମାନେ। ଅଥଚ ଧର୍ମ, ଧର୍ମଗ୍ରନ୍ଥ ଓ ଗଣତନ୍ତ୍ର ଭିତରେ ଯେ ସମ୍ପର୍କଟି ଅତି ଗଭୀର ସେ କଥା ଆମକୁ ସ୍ବୀକାର କରିବାକୁ ପଡ଼ିବ। ଧର୍ମସ୍ତରକୁ ଉନ୍ନୀତ ନ କଲେ ନା ଗଣତନ୍ତ୍ର ସଫଳ ହେବ ନା ତା’କୁ ଆମେ ଏକ ଜୀବନଶୈଳୀ କରିପାରିବା। ଗଣତନ୍ତ୍ର ସହ ଯୋଡ଼ା ଯେତେ ସବୁ ଅସଙ୍ଗତି ତା’ର ଦୂରୀକରଣ ପାଇଁ ଏ ଅନୁଶୀଳନ ଜରୁରି। ଧର୍ମରୁ ଆଲୋଚନାଟିକୁ ଅାରମ୍ଭ କରିବା। ଆମେ କହୁ ଆଜିର ଯୁଗ ହେଉଛି ବିଜ୍ଞାନ ଯୁଗ। ମାତ୍ର ସତକଥା ହେଲା ଧର୍ମ କାଳେ କାଳେ ବିଜ୍ଞାନ ଠାରୁ ଢେର୍‌ ଉପରେ ରହି ଆସିଛି ଏବଂ ଆଜି ବି ରହିଛି। ଧର୍ମର ପ୍ରଭାବ ଏତେ ଗଭୀର ଯେ କେହି କେହି ତା’କୁ ନିଶା କହି ନିନ୍ଦିତ ବି କରିଛନ୍ତି। ଧର୍ମ ସହ ଯୋଡ଼ା ଧର୍ମାନ୍ଧତାକୁ ଦେଖିଲେ ସେଭଳି ଆକ୍ଷେପକୁ ସହଜରେ ବି ଅଣଦେଖା କରାଯାଇ ପାରିବ ନାହିଁ।

ଅସଲ କଥା ହେଲା ବିଜ୍ଞାନ ଓ ଧର୍ମ ଏକାଠି ଚାଲିବା ମୋଟେ ସମ୍ଭବପର ନୁହେଁ। କ‌ାରଣ ଧର୍ମ ମୂଳତଃ ବିଶ୍ବାସ ଆଧାରିତ। ଅନ୍ୟ ପକ୍ଷରେ ବିଜ୍ଞାନ ସବୁ ସମୟରେ ପ୍ରମାଣ ଆଧାରିତ। ବିଶ୍ବାସ ଓ ପ୍ରମାଣ ନିରନ୍ତର ଭାବେ ଏକାଠି ହୋଇପାରନ୍ତି ନାହିଁ। ତେଣୁ ଧର୍ମକୁ ଅବୈଜ୍ଞାନିକ କହିଦେବାଟା ସହଜ ହୁଏ। ମନେ ରଖିବା ଆବଶ୍ୟକ, ସଂସାରରେ ସବୁକଥା ପ୍ରମାଣସାପେକ୍ଷ ନୁହେଁ। ତେଣୁ ଯାହା ଅପ୍ରମାଣିତ ତାହା ଯେ ନାହିଁ ସେ କଥା ଆମେ କେମିତି କହିବା?
ବୌଦ୍ଧଧର୍ମରେ ଈଶ୍ବରତତ୍ତ୍ବ ନାହିଁ। ଅନ୍ୟ ପକ୍ଷରେ ଅଧିକାଂଶ ଧର୍ମର ଆଧାର ହେଉଛନ୍ତି ଈଶ୍ବର। ସଂପ୍ରତି ବିଶ୍ବରେ ଦଶଗୋଟି ବଡ଼ ବଡ଼ ଧର୍ମ: ଯଥା ହିନ୍ଦୁଧର୍ମ, ବୌଦ୍ଧଧର୍ମ, କନଫୁସିଅସ୍‌ଧର୍ମ, ତାଓଧର୍ମ, ଇହୁଦୀ ଧର୍ମ ବା ଜୁଡ଼ାଇବାଦ, ରୋମୀୟ ଖ୍ରୀଷ୍ଟଧର୍ମ, ଅଣରୋମୀୟ ଖ୍ରୀଷ୍ଟଧର୍ମ ବା ପ୍ରୋଟେଷ୍ଟାଣ୍ଟିଜ୍‌ମ, ଇସଲାମ୍‌ଧର୍ମ, ଶିଖଧର୍ମ ଓ ବାହାଇ ଧର୍ମ। ଏ ସବୁ ଭିତରେ ହିନ୍ଦୁଧର୍ମ ନାମରେ ଅଧିକ ପରିଚିତ ସନାତନ ଧର୍ମ ହିଁ ସବୁଠାରୁ ପୁରୁଣା। ସେଇ ଅନୁସାରେ ହିନ୍ଦୁଧର୍ମର ଧର୍ମଗ୍ରନ୍ଥ ‘‘ଋକ୍‌ବେଦ’’ ସର୍ବପ୍ରାଚୀନ ଧର୍ମଗ୍ରନ୍ଥ। ହିନ୍ଦୁଧର୍ମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଧର୍ମର ଆରମ୍ଭ ଜଣକଠାରୁ। ସେଇ ଜଣକର ବିଶ୍ବାସ ଜମାଟ ବାନ୍ଧି ପାଳନ, ଅନୁପାଳନର ମଞ୍ଜି ବୁଣାହୁଏ। ପ୍ରଚାରକ ଆବିର୍ଭୂତ ହୁଅନ୍ତି, ପ୍ରଚାର ଚାଲେ, ଧର୍ମଶାସ୍ତ୍ରର ନିର୍ମାଣ ହୁଏ। ‌େତଣିକି ପ୍ରଥମ ପ୍ରଚାରକ ଓ ଧର୍ମଗ୍ରନ୍ଥ ପାଲଟି ଯାଆନ୍ତି ସେ ଧର୍ମର ପବିତ୍ରତମ ପ୍ରତୀକ। ଆଜି ମଧ୍ୟ ସେସବୁ ବଳବତ୍ତର। ହିନ୍ଦୁମା‌ନଙ୍କର ଧର୍ମଗ୍ରନ୍ଥ ‘‘‌େବଦ’’, ବୌଦ୍ଧମାନଙ୍କର ‘‘ତ୍ରିପିଟକ’’, କନ୍‌ଫୁସିଅସ୍‌ପନ୍ଥୀଙ୍କର ‘‘ସିଚୁ ଉଇଙ୍ଗ୍‌’’, ତାଓଧର୍ମାବଲମ୍ବୀଙ୍କର ‘‘ଦାଓ ଦେଜିଙ୍ଗ୍‌’’, ଇହୁଦୀମାନଙ୍କର ‘‘ତୋରା’’, ରୋମୀୟ ଖ୍ରୀଷ୍ଟିଆନ୍‌ଙ୍କର ‘‘ବାଇବେଲ୍‌’’, ଅଣରୋମୀୟଙ୍କର ‘‘ନିଉ ଟେଷ୍ଟାମେଣ୍ଟ୍‌’’, ମୁସଲମାନ୍‌ମାନଙ୍କର ‘‘କୋରାନ୍‌’’, ଶିଖମାନଙ୍କର ‘‘ଗୁରୁଗ୍ରନ୍ଥସାହେବ୍‌’’ ଓ ବାହାଇମାନଙ୍କର ‘‘ବାହାଉଲ୍ଲା’’।

ଧର୍ମଟିଏ ସୃଷ୍ଟି ହେଲାବେଳେ ଧର୍ମଗ୍ରନ୍ଥ ନ ଥାଏ। ପ୍ରଥ‌େମ ଥାଏ ବିଶ୍ବାସ। ଜଣକର ବିଶ୍ବାସ ଧୀ‌େର ଧୀରେ ଗଣବିଶ୍ବାସରେ ପରିଣତ ହୁଏ। ତନ୍ତ୍ର କହିଲେ ସୂତ୍ର ବା ନୀତି। ଏ ଗଣବିଶ୍ବାସ ଯେତେବେଳେ ଗଣନୀତିରେ ପରିଣତ ହୁଏ ତାହା ଆପେ ପାଲଟିଯାଏ ଧର୍ମ। ତା’ପରେ ସେଇ ନୀତିସମୂହକୁ ଏକାଠି କରି ତିଆରି ହୋଇଯାଏ ଧର୍ମଗ୍ରନ୍ଥ ଏବଂ ତେଣିକି ଧର୍ମଗ୍ରନ୍ଥ ହିଁ ରହେ ଯେ କୌଣସି ଧର୍ମର ମୂଳ ହୋଇ। ଏ ମୂଳ ଗୋଟିଏ ଖୁଣ୍ଟ ପାଲଟିଯାଏ। ସେ ସବୁ କଥାର ବିଶ୍ବାସୀମାନେ ଅବଲୀଳା କ୍ରମେ ସେଥିରେ ବାନ୍ଧି ହୋଇଯାଆନ୍ତି। ଅତଏବ ଗୋଟିଏ ଧର୍ମକୁ ଧର୍ମତନ୍ତ୍ର କହିଲେ କିଛି ଗର୍ହିତ ହେବ ନାହିଁ।
ହିନ୍ଦୁ ଧର୍ମଟି କିନ୍ତୁ ମୂଳରୁ କୌଣସି ଜଣକଠାରୁ ଆରମ୍ଭ ହୋଇନାହିଁ। ପାଶ୍ଚାତ୍ୟ ପଣ୍ଡିତମାନେ କହୁଛନ୍ତି ଏହାର ଯେ ନୀତି ସଂହିତା ବା ପ୍ରଥମ ଧର୍ମଗ୍ରନ୍ଥ ‘ଋକ୍‌ବେଦ’ ତାହା ମାତ୍ର ଖ୍ରୀଷ୍ଟପୂର୍ବ ୧୫୦୦ର କଥା। ଏଣେ ପ୍ରାଚ୍ୟ ପଣ୍ଡିତମାନଙ୍କର ମତ ଭିନ୍ନ। ଏହାର ମୂଳ ଖୋଜି ପାଇବା କଷ୍ଟ। କିନ୍ତୁ ଏ କଥା ସତ ଯେ ହିନ୍ଦୁଧର୍ମର ନିୟାମକ ବୋଲି ଜଣେ କେହି ନାହିଁ ଏବଂ ଏହାର ଋକ୍‌ବେଦ, ସାମବେଦ, ଯଜୁଃବେଦ ଓ ଅଥର୍ବବେଦ ଭଳି ଚାରିଖଣ୍ଡିଆ ଧର୍ମଗ୍ରନ୍ଥକୁ କେହି ଜଣେ ଲେଖିନାହାନ୍ତି। ତେଣୁ ମୂଳରୁ ଏ ହିନ୍ଦୁଧର୍ମତନ୍ତ୍ର ଗଣଆଧାରିତ।

ଗଣ ଶବ୍ଦଟି ଆମ ସମସ୍ତଙ୍କ ପାଇଁ ଖୁବ୍‌ ମୂଲ୍ୟବାନ। କାରଣ ଗଣ ନ ଥିଲେ ଜଣିକିଆ ମଣିଷର ଅବସ୍ଥିତି ସହଜ ନୁହେଁ। ଏ ସମ୍ପର୍କରେ ନୃତତ୍ତ୍ବବିଦ୍‌ମାନେ ଚମତ୍କାର ବିଶ୍ଳେଷଣ ଦେଇଛନ୍ତି। ମଣିଷ ଯେ କୌଣସି ପଶୁଭଳି ଗୋଟେ ପଶୁ। ଏ ମାନବ ପଶୁର କିନ୍ତୁ ଶରୀର ରକ୍ଷାକାରୀ ମୋଟା ଚର୍ମ, ଲୋମ ନାହିଁ କି ଅସ୍ତ୍ର ଭଳି ଉପଯୋଗୀ ନଖ, ଦାନ୍ତ କି ଥଣ୍ଟ ନାହିଁ। ସେମାନଙ୍କ ମତରେ ମଣିଷ ଲାଗି ସୁରକ୍ଷା କବଚ ହେଉଛି ତା’ର ସାମାଜିକ ଅବବୋଧ ଓ ସେ ଗଢ଼ିଥିବା ସାମାଜିକ ଅନୁ‌ଷ୍ଠାନ। ନୃତତ୍ତ୍ବବିଦ୍‌ ୱେଷ୍ଟନ୍‌ ଲା’ ବେରେଙ୍କ ମତରେ ମଣିଷ ଯେ ବାହାରୁ ଓ ଭିତରୁ ନିଜକୁ ସୁରକ୍ଷିତ ରଖେ ତାହା ସମ୍ଭବ ହୁଏ କାରଣ ତା’ ଭିତରେ ଗୋଟାଏ ଅନ୍ତରୀଣ ଭାବବୋଧ ଅଛି। ଏଇ ଭାବବୋଧକୁ ସେ କହୁଛନ୍ତି ‘‘ଇନର୍‌ ମ୍ୟାନ୍‌’’ ଅର୍ଥାତ୍‌ ‘‘ଭିତରର ମଣିଷ’’। ୧୯୭୦ରେ ଲିଖିତ ‘‘ଦ ଘୋଷ୍ଟ୍‌ ଡ୍ୟାନ୍‌ସ’’ ବା ‘‘ଭୂତର ନୃତ୍ୟ’’ ପୁସ୍ତକରେ ସେ କହିଛନ୍ତି ମଣିଷକୁ ଯେଉଁ ଭୟ, ସ୍ବପ୍ନ ଓ ନାନା ରହସ୍ୟ ସହ ଯୋଡ଼ି ହୋଇ ରହିବାକୁ ପଡ଼େ ସେଥିରେ ତା’କୁ ସାହାଯ୍ୟ କରେ ତା’ଭିତରେ ଥିବା ଆର ମଣିଷଟି। ପ୍ର‌େତ୍ୟକ ମଣିଷ ଭିତରେ ଆଉ ଗୋଟିଏ ମଣିଷ ଅଛି। ସେ ହିଁ ମନୁଷ୍ୟତ୍ବର ଅସଲ ନିୟାମକ।
ସମ୍ଭବତଃ ଏଇ ନିୟାମକଟି ତା’ର ବିଶ୍ବାସକୁ ମଧ୍ୟ ନିୟନ୍ତ୍ରିତ କରେ। ମଣିଷ ଧର୍ମ ତିଆରି କରେ। ଧର୍ମଗ୍ରନ୍ଥ ଲେଖେ। ଅଲୌକିକତାରେ ବିଶ୍ବାସ କରେ। କ’ଣ ଅଛି କ’ଣ ନାହିଁ ସେଇ କଥାରେ ଲାଗିଥାଏ। ଅନେକ ସମୟରେ ‘ନ ଥିବାକୁ’ ‘ଥିବା’ କହି ଅନ୍ୟମାନଙ୍କୁ ବିଭ୍ରାନ୍ତ କରେ। ହେଲେ ସବୁ ପଛରେ ତା’ର ବିଶ୍ବାସ ହିଁ ମୂଳ। ଏହି ବିଶ୍ବାସ ଆଧାରରେ ସେ ତିଆରି କରେ ବିଜ୍ଞାନ ପାଇଁ ପାହାଚ। ‘‘ସେଓଟି ଗଛରୁ ଖସିଲା ବେଳେ ଉପରକୁ ନ ଯାଇ ତଳକୁ କାହିଁକି ଖସିଲା?’’, ‘‘ପାଣି ଭିତରେ କ’ଣ ଅଛି?’’, ‘‘ଜଡ଼ରେ ଜୀବନ ଅଛି କି ନାହିଁ?’’ ଭଳି ପ୍ରଶ୍ନଗୁଡ଼ିକ ଭିତର ମଣିଷର ଅନ୍ବେଷା। ସେମିତି ଈଶ୍ବର ଅଛନ୍ତି କି ନାହିଁ, ପରମାଣୁକୁ ଭାଙ୍ଗିଲେ କ’ଣ ମିଳିବ, ବିଶ୍ବ ବ୍ରହ୍ମାଣ୍ଡର ଶେଷ ସୀମା କେଉଁଠି ଭଳି ପ୍ରଶ୍ନଗୁଡ଼ିକ ବି ସେଇ ପର୍ଯ୍ୟାୟର। ଅନେକ ଧର୍ମ ମଧ୍ୟ ଏହି ଅନ୍ବେଷାର ଫଳ। ବେଦରେ ତ ପଞ୍ଚଭୂତ ହିଁ ଈଶ୍ବର। ତେଣୁ ଧର୍ମ ଓ ବିଜ୍ଞାନର ଅନ୍ବେଷାରେ ଯେ ଅନେକ ତାଳମେଳ ଅଛି ତାହା କ’ଣ ଆମେ ମାନିବା ନାହିଁ?

ଧର୍ମରେ ଅନ୍ଧବିଶ୍ବାସ ଭଳି ବିଜ୍ଞାନରେ ମଧ୍ୟ ଅନେକ ଅସମ୍ପୂର୍ଣ୍ଣ ପ୍ରମାଣର କଥା ଅଛି। ଅଣୁକୁ ଦିନେ ଶେଷ କଥା କହୁଥିବା ବୈଜ୍ଞାନିକଙ୍କ ପରେ ପୁଣି ବୈଜ୍ଞାନିକ ବାହାର କଲେ ପରମାଣୁ। ଭୂତାଣୁଙ୍କ ସମ୍ପର୍କରେ ଥିବା କେତେ କେତେ ପ୍ରମାଣ ଏବକୁ ଅପ୍ରମାଣିତ ବୋଲି କୁହ‌ାଗଲାଣି। ସେ ଯାହାହେଉ ଧର୍ମ ବା ଧର୍ମଗ୍ରନ୍ଥଗୁଡ଼ିକର ଯେ ମୋଟେ ବୈଜ୍ଞାନିକଭିତ୍ତି ନାହିଁ ସେ କଥା କୁହାଯାଇପାରିବ ନାହିଁ। କିଏ କେଉଁଠି ନିଜର ପ୍ରତିଷ୍ଠା ପାଇଁ ଅଲୌକିକ ଘଟଣା ଘଟାଇ ଅବୈଜ୍ଞାନିକ ପ୍ରଚାର କଲା ସେଥିପାଇଁ ଧର୍ମ ଦୋଷୀ ହେବ କାହିଁିକି? ଧର୍ମ ପଛରେ ଠିଆ ହୋଇଛି ଗଣବିଶ୍ବାସ। ଯେମିତି ସାରା ବିଶ୍ବର ମଣିଷକୁ ବଞ୍ଚାଇ ରଖିଛି ତା’ର ସାମାଜିକ ଅବବୋଧ ଓ ତା’ସହ ଗଢ଼ା ଅନୁଷ୍ଠାନ-ସମୂହ।

ଧର୍ମ ଭଳି ଗଣତନ୍ତ୍ର ଏହି ଅବବୋଧରୁ ତିଆରି ଏକ ଅନୁଷ୍ଠାନ। ଗଣତନ୍ତ୍ରକୁ କେବଳ ରାଜନୀତିକ କହିଦେଲେ ଭୁଲ୍‌ ହେବ। ଏହା ପହିଲେ ସାମାଜିକ ଓ ପରେ ରାଜନୀତିକ। ରାଜଶାସନ ଥିଲା ଶତାବ୍ଦୀ ଶତାବ୍ଦୀ ଧରି ରାଜନୀତିର ମୂଳଭିତ୍ତି। ତା’କୁ ପଦାନତ କରି ଏ ଗଣବ୍ୟବସ୍ଥା ଆସିଲା କେମିତି? ଭଲ୍‌ଟାୟାର୍‌, ମଣ୍ଟେସ୍କ୍‌, ରୁଷୋଙ୍କ ଭଳି ନୂଆ ପୃଥିବୀର ଋଷିମାନେ ଯେଉଁ ବ୍ୟକ୍ତି-ସ୍ବାଧୀନତାର ମନ୍ତ୍ର ଉଚ୍ଚାରଣ କଲେ ସେଇଥିରୁ ସୁଦୃଢ଼ ହୋଇଗଲା ଗଣତନ୍ତ୍ରର ଭାବନା। ବ୍ୟକ୍ତି ସ୍ବାଧୀନତା, ବ୍ୟକ୍ତି ସ୍ବାତନ୍ତ୍ରୢ ସାମାଜିକ ବିଷୟବସ୍ତୁ ନା ରାଜନୀତିର କଥା?

ଧର୍ମ ଯେମିତି ଏକ ମହତୀ ସାମାଜିକ ଅବବୋଧ, ଗଣତନ୍ତ୍ର ସେମିତି ଏକ ସାମାଜିକ ଭାବୋତ୍ତରଣର କଥା। ଧର୍ମର ଗତି ସମାଜରୁ ଉଠି ଆଧ୍ୟାତ୍ମିକତାକୁ ଆଶ୍ରୟ କରେ। ତେଣେ ଗଣତନ୍ତ୍ର ସେଇ ସମାଜରୁ ବାହାରି ଶାସନନୀତି ବା ରାଷ୍ଟ୍ରନୀତିରେ ସାମିଲ ହୁଏ। ଉଭୟଙ୍କ ଭିତରେ ବଡ଼ କଥା ହେଉଛି ସମାଜ ବା ଗଣ। ଧର୍ମ ଯେମିତି ଗଣର କଥା, ଗଣତନ୍ତ୍ର ସେମିତି ଗଣର କଥା। ପ୍ରଥମଟିରେ ଈଶ୍ବର ମୁଖ୍ୟ, ଦ୍ବିତୀୟଟିରେ ର‌ାଷ୍ଟ୍ର ହିଁ ମୁଖ୍ୟ। କେବଳ ବୌଦ୍ଧଧର୍ମ ଈଶ୍ବର-ବିଚାର କରେ ନାହିଁ। ସେଥିପାଇଁ କେହି କେହି ବୌଦ୍ଧଧର୍ମକୁ ଏକ ବୈଜ୍ଞାନିକ ଧର୍ମ ବୋଲି କହନ୍ତି।

ଏବେ ଆମେ ଆମର ମୂଳ ବିଷୟ ‘ଧର୍ମ, ଧର୍ମଗ୍ରନ୍ଥ ଓ ଗଣତନ୍ତ୍ର’କୁ ପର୍ଯ୍ୟାଲୋଚନା କରିବା। ବୌଦ୍ଧଧର୍ମରେ ଈଶ୍ବର ନ ଥିବା ଭଳି ଗଣତନ୍ତ୍ରରେ ଈଶ୍ବର ନାହାନ୍ତି। ଅନ୍ୟ ଧର୍ମଗୁଡ଼ିକରେ ଈଶ୍ବର ଥିବା ଭଳି ଆମେ ଯଦି ନିହାତି ଈଶ୍ବର ତତ୍ତ୍ବକୁ କେନ୍ଦ୍ରବିନ୍ଦୁ କରି ଧରିବା ତେବେ ରାଷ୍ଟ୍ର ହିଁ ହେଉଛି ପ୍ରତ୍ୟେକ ଗଣତନ୍ତ୍ର ଈଶ୍ବର। ଅତଏବ ଗଣତନ୍ତ୍ରକୁ ଏକ ଧର୍ମ କହିବାରେ କୌଣସି ଅସୁବିଧା ନାହିଁ। ଏହା ଏକ ଚମତ୍କାର ଧର୍ମ। ଏହାର ପ୍ରଚାର ପ୍ରସାର ଏତେ ଅନ୍ତର୍ମୁଖୀ ଯେ ସମ୍ପ୍ରତି ବିଶ୍ବର ଅଧିକାଂଶ ଦେଶ ସେ ଧର୍ମରେ ଦୀକ୍ଷିତ। ଗଣତନ୍ତ୍ର ହିଁ ଆଜି ପାଲିଟିଛି ସବୁ ଦେଶର ଜୀବନ-ଧର୍ମ। ରାଷ୍ଟ୍ରଶାସ୍ତ୍ରୀମାନେ କହୁଛନ୍ତି ଗଣତନ୍ତ୍ରକୁ ଶାସନଧର୍ମ କହିଲେ ତାହା ଅସମ୍ପୂର୍ଣ୍ଣ ହେବ। ଗଣତନ୍ତ୍ର ଧର୍ମ ପ୍ରତିଟି ମଣିଷର ଜୀବନଶୈଳୀରେ ପରିଣତ ନ ହେବା ଯାଏ ତାହା ନିଷ୍ଫଳ। ଏଇ ଯେ ହିଂସା, ଭେଦାଭେଦ, ଶୋଷଣ, ଭ୍ରଷ୍ଟାଚାର, ଦୁର୍ନୀତି, ସେସବୁ ରହିଛି ଗଣତନ୍ତ୍ରକୁ ଜୀବନଶୈଳୀ ନ କରିପାରିବାର ଅବିମୃଶ୍ୟକାରିତାରେ।

ଆଜି ପର୍ଯ୍ୟନ୍ତ କୌଣସି ଧର୍ମ ହିଂସା, ଦ୍ବେଷ, ଶୋଷଣ ଭଳି ଭ୍ରଷ୍ଟ ଆଚରଣକୁ ଦୂର କରିବାରେ ସକ୍ଷମ ହୋଇନାହାନ୍ତି। କେତେ କେତେ ଧର୍ମଶ୍ରେଷ୍ଠୀ ନିଜେ ଅସୁର ଭଳି ଆଚରଣ କରି ମଣିଷ ଜାତିକୁ ନରକ ଯନ୍ତ୍ରଣା ଦେଇଛନ୍ତି। ମାତ୍ର ଗଣତନ୍ତ୍ରର କଥା ନିଆରା। ଏହା କୌଣସି ସଂକୁଚିତ ବିଶ୍ବାସକୁ ପ୍ରଶ୍ରୟ ଦିଏନା କି ସମ୍ପ୍ରଦାୟକୁ ପ୍ରତିଷ୍ଠିତ କରିବାକୁ ଚାହେନା। ସ୍ବାଧୀନତା ଓ ସମାନତା ହିଁ ଗଣତନ୍ତ୍ରର ମୌଳିକ ମୂଲ୍ୟବୋଧ।

ଆମର ଗୋଟିଏ ବିଶ୍ବାସ ଅଛି ଯେ ଯେ‌ବେ ଯେବେ ଅଧର୍ମ, ଅନ୍ୟାୟ, ଅନୀତି ବ୍ୟାପେ ତା’ର ସମାଧାନ ପାଇଁ ଆପେ ଧର୍ମମତଟିଏ ତିଆରି ହୁଏ। ଧାର୍ମିକ ଆସନ୍ତି ଓ ନୂଆ ଧର୍ମ ସବୁକଥା ଧାରଣ କରି ସଂସାର ଉଦ୍ଧାର କରେ। ସମସାମୟିକ କାଳରେ ‘ଗଣତନ୍ତ୍ର’ ହେଉଛି ସେଇ ଧର୍ମ। ପ୍ରତ୍ୟେକ ରାଷ୍ଟ୍ରର ଗଣ ସମର୍ଥିତ ସମ୍ବିଧାନ ହେଉଛି ତା’ର ଧର୍ମଗ୍ରନ୍ଥ। କୌଣସି ଦେଶରେ ଏମିତି ତଥାକଥିତ ଧର୍ମନୀତି ନାହିଁ ଯାହା ତା’ର ଗଣତାନ୍ତ୍ରିକ-ଧର୍ମଗ୍ରନ୍ଥ ବା ସମ୍ବିଧାନକୁ ଅସ୍ବୀକାର କରିବ। ଯେଉଁଠି ଏ ଅସ୍ବୀକାରର ସ୍ବର ଯେତେ ତୀବ୍ର ସେଠାରେ ବ୍ୟକ୍ତି ସ୍ବାଧୀନତା, ବ୍ୟକ୍ତି ସ୍ବାତନ୍ତ୍ରୢ, ସ୍ବଚ୍ଛନ୍ଦତା, ସମାନତା ଓ ସୁଖ ସେତେ କରୁଣ ତଥା ନିଷ୍ଠୁର। ଆଧୁନିକ ମଣିଷ ସବୁଦେଶରେ ଗଣତନ୍ତ୍ରକୁ ଧର୍ମ ମାନି ଚଳିଲେ ଏ ପୃଥିବୀ ଅଚିରେ ସୁଖଲାଭ କରିବ। ‌ସେଥିପାଇଁ ଗଣତନ୍ତ୍ରର ଧର୍ମଗ୍ରନ୍ଥଗୁଡ଼ିକ ମଣିଷର ଜୀବନଶୈଳୀକୁ ଗଣହିତ ଆଧାରରେ ପରିଚାଳିତ କରିବା ଦରକାର।
[email protected]

ସମ୍ବନ୍ଧିତ ଖବର