ଆଧୁନିକ ଅମଲାତନ୍ତ୍ର ତତ୍ତ୍ବର ଜନକ ରୂପେ ବ‌ିବେଚିତ ଜର୍ମାନ୍ ସମାଜତତ୍ତ୍ବବିତ୍ ମାକ୍‌ସ ୱେବର୍ ଏକ ଆଦର୍ଶ ଅମଲାତନ୍ତ୍ରର ଯେଉଁ ଷଡ଼ବିଧ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି, ସେଥି ମଧ୍ୟରୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଲକ୍ଷଣ ହେଉଛି- ପରିଚାଳନାରେ ନିରପେକ୍ଷତା। ଏହାର ବିଶଦ ବ୍ୟାଖ୍ୟା କରିବାକୁ ଯାଇ ୱେବର୍ ବ୍ୟବହାର କରିଥିବା ଏକ ଉକ୍ତି ଏଠାରେ ଉଦ୍ଧାର କରାଯାଉଛି: ‘‘କୌଣସି ବ୍ୟକ୍ତିକୈନ୍ଦ୍ରିକ ସୁବିଧାସୁଯୋଗ ପ୍ରଦାନ ଏବଂ ଅନୁଗ୍ରହ ପ୍ରଦର୍ଶନ’’ ସର୍ବଦା ବର୍ଜନୀୟ ହେବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପର ଠାରୁ ବିଭିନ୍ନ ସମୟରେ ଦେଶକୁ ଏକବିଂଶ ଶତାବ୍ଦୀରେ ଆଗେଇ ନେବା ପାଇଁ ଏକ ଊନବିଂଶ ଶତାବ୍ଦୀର ଅମଲାତନ୍ତ୍ର ନୁହେଁ, ଏକ ଦକ୍ଷ ସମୟୋପଯୋଗୀ ଅମଲାତନ୍ତ୍ରର ଆବଶ୍ୟକତା ରହିଛି ବୋଲି ବାରମ୍ବାର କହି ଆସିଛନ୍ତି। ଅମଲାତନ୍ତ୍ର ଯେଉଁ ସମୟର ହେଉ ନା କାହିଁକି, ତାହା ଏକ ଦକ୍ଷ ବ୍ୟବସ୍ଥା ରୂପେ ବିବେଚିତ ହେବା ପାଇଁ ୱେବର୍‌ଙ୍କ ପ୍ରଦତ୍ତ ଏହି ଲକ୍ଷଣ ତାକୁ ବହନ କରିବାକୁ ଯେ ହେବ, ପ୍ରଧାନମନ୍ତ୍ରୀ ମୋଦୀ ବୋଧହୁଏ ସେ ବିଷୟରେ ସଚେତନ ନାହାନ୍ତି କିମ୍ବା ଜାଣିଶୁଣି ଭୁଲି ଯାଇଛନ୍ତି।

Advertisment

ଯେଉଁ କାରଣରୁ ଏପରି ଏକ ଧାରଣା ସୃଷ୍ଟି ହୋଇଥାଏ, ତାହା ହେଲା ନିକଟରେ କେତେକ ଗୁରୁତ୍ବପୂର୍ଣ୍ଣ ସର୍ବୋଚ୍ଚ ଅମଲାତାନ୍ତ୍ରିକ ପଦବିଧାରୀମାନଙ୍କର କାର୍ଯ୍ୟକାଳରେ ବୃଦ୍ଧି ଘଟାଇବା ନିମିତ୍ତ କେନ୍ଦ୍ର ସରକାର ନେଇଥିବା ଅସ୍ବାଭାବିକ ପଦକ୍ଷେପ। ଉଦାହରଣ ସ୍ବରୂପ ଆଜିକାଲି ନିୟମିତ ଚର୍ଚ୍ଚାରେ ରହିଥିବା ଅର୍ଥନୈତିକ ଅପରାଧ ଅନୁସନ୍ଧାନ କ୍ଷେତ୍ରରେ ସର୍ବୋଚ୍ଚ ସଂସ୍ଥା ‘ଏନ୍‌ଫୋର୍ସମେଣ୍ଟ୍ ଡିରେକ୍‌ଟରେଟ୍’ (‘ଇଡି’)ର ନିର୍ଦ୍ଦେଶକ ଅବସର ଗ୍ରହଣ କରିବାର ଠିକ୍ ପୂର୍ବ ମୁହୂର୍ତ୍ତରେ ସରକାର ଏକ ଅଧ୍ୟାଦେଶ ଜାରି କରି ଦ୍ବିତୀୟ ଥର ପାଇଁ ତାଙ୍କର କାର୍ଯ୍ୟକାଳରେ ଆଉ ଏକ ବର୍ଷ ପାଇଁ ସମ୍ପ୍ରସାରଣ ଘଟାଇଛନ୍ତି। ଆଉ ମାତ୍ର ଦୁଇ ସପ୍ତାହ ପରେ ପାର୍ଲିଆମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିଲେ ହେଁ ସରକାର ଏଥିପାଇଁ ଏକ ଅଧ୍ୟାଦେଶ ବ୍ୟବହାର କରିଛନ୍ତି। ଅଧ୍ୟାଦେଶ ବ୍ୟବହାର ପଛରେ ମଧ୍ୟ ଏକ ଦୃଢ଼ କାରଣ ନିହିତ ଅଛି। ନିର୍ଦ୍ଦେଶକଙ୍କର କାର୍ଯ୍ୟକାଳରେ ଆଉ ବୃଦ୍ଧି ନ ଘଟାଇବା ପାଇଁ ସୁପ୍ରିମ୍ କୋର୍ଟଙ୍କର ଏକ ନିର୍ଦ୍ଦେଶ ରହିଛି; ଅଧ୍ୟାଦେଶ ଏକ ଆଇନ ଭଳି ହୋଇଥିବାରୁ, ନିଜର ନିର୍ଦ୍ଦେଶର ଉଲ୍ଲଂଘନ ଘଟିଥିଲେ ହେଁ ଅଦାଲତ ସେଥିପାଇଁ ସରକାରଙ୍କୁ ଉତ୍ତରଦାୟୀ କରିପାରିବେ ନାହିଁ ବୋଲି ବିଶ୍ବାସ କରାଯାଏ। ସରକାର ଏତକିରେ ମଧ୍ୟ ଚୁପ୍ ହୋଇ ରହି ନାହାନ୍ତି। ସେଇ ଅଧ୍ୟାଦେଶ କୌଶଳ ପ୍ରୟୋଗ କରି କେନ୍ଦ୍ର ସରକାରଙ୍କ ଗୃହ ସଚିବ, ପ୍ରତିରକ୍ଷା ସଚିବ, ‘ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍‌ ୱିଙ୍ଗ୍’ (‘ର’)ର ସଚିବ, ‘ସିବିଆଇ’ର ନିର୍ଦ୍ଦେଶକ ଏବଂ ‘ଇଣ୍ଟେଲିଜେନ୍‌ସ୍ ବ୍ୟୁରୋ’ (‘ଆଇବି’)ର ନିର୍ଦ୍ଦେଶକମାନଙ୍କର କାର୍ଯ୍ୟକାଳରେ ବୃଦ୍ଧି ଘଟାଯିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ‘ଇଡି’ ଓ ‘ସିବିଆଇ’ର ନିର୍ଦ୍ଦେଶକମାନଙ୍କର କାର୍ଯ୍ୟକାଳରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ଘଟାଯାଇ ପାରିବ ଏବଂ ଅନ୍ୟମାନଙ୍କ ପାଇଁ ଏହା ହେଉଛି ଚାରି ବର୍ଷ। ଉଲ୍ଲେଖଯୋଗ୍ୟ, ସେମାନଙ୍କର ଦୁଇ ବର୍ଷିଆ ବାଧ୍ୟତାମୂଳକ କାର୍ଯ୍ୟକାଳ ପୂର୍ଣ୍ଣ ହେବା ପରେ ପ୍ରତି ଥର ସେମାନଙ୍କୁ ଏକ ବର୍ଷ ଲେଖାଏଁ ସମ୍ପ୍ରସାରଣ ପ୍ରଦାନ କରାଯାଇ ପାରିବ।

ଏହା ଅବଶ୍ୟ ସତ ଯେ ଖୋଦ୍ ସୁପ୍ରିମ୍ କୋର୍ଟ ହିଁ ଅତୀତରେ ଏକ ନିର୍ଦ୍ଦେଶ ପ୍ରଦାନ କରି ‘ଇଡି’ ଓ ‘ସିବିଆଇ’ର ନିର୍ଦ୍ଦେଶକମାନଙ୍କର କାର୍ଯ୍ୟକାଳକୁ ବାଧ୍ୟତାମୂଳକ ଭାବରେ ଅନ୍ୟୂନ ଦୁଇ ବର୍ଷ ଲେଖାଏଁ ଧାର୍ଯ୍ୟ କରିଥିଲେ। ଏହା ପଛରେ ଯେଉଁ ମହତ୍ ଉଦ୍ଦେଶ୍ୟ ନିହିତ ଥିଲା, ତାହା ହେଲା ନିର୍ଦ୍ଦେଶକମାନେ ସରକାରଙ୍କ ଦ୍ବାରା ଆକ୍ରୋଶମୂଳକ ବଦଳିର ସମ୍ଭାବନାକୁ ଭୟ ନ କରି ନିରପେକ୍ଷ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିବେ। ବର୍ତ୍ତମାନ ସୁପ୍ରିମ୍ କୋର୍ଟ ପକାଇଥିବା ସେଇ ମୂଳଦୁଆ ଉପରେ ସରକାର ଯେଉଁ କାର୍ଯ୍ୟକାଳ ସମ୍ପ୍ରସାରଣ ପ୍ରାସାଦ ନିର୍ମାଣ କରିଛନ୍ତି ତାହା କୋର୍ଟଙ୍କର ସେଇ ମୂଳ ଉଦ୍ଦେଶ୍ୟକୁ ସିଧାସଳଖ ଓଲଟାଇ ଦେଇଥିବା ଏକ ବିଧିବଦ୍ଧ ପକ୍ଷପାତିତାଭିତ୍ତିକ ଅନୁଗ୍ରହର ଅଟ୍ଟାଳିକା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଦ୍ଦେଶ୍ୟ- କାର୍ଯ୍ୟ କାଳରେ ସମ୍ପ୍ରସାରଣ ରୂପକ ଅନୁଗ୍ରହ ତଥା ଅନୁଗ୍ରହ ମିଳିବାର ଆଶା ସମ୍ପୃକ୍ତ ଉଚ୍ଚ ଅମଲାଙ୍କ ଠାରେ କ୍ଷମତାସୀନ ସରକାରଙ୍କ ପ୍ରତି ଆନୁଗତ୍ୟକୁ ଜନ୍ମ ଦେବ। କିନ୍ତୁ ଅନୁଗ୍ରହ ଯଦି ନିଶ୍ଚିତ ହୋଇଯାଏ, ‌କାଳେ ଆନୁଗତ୍ୟ ମଳିନ ପଡ଼ିଯିବ, ସେଥିପାଇଁ ତୃଷାର୍ତ୍ତ ପାଟିରେ ବୁନ୍ଦା ବୁନ୍ଦା କରି ପାଣି ପକାଇବା ଭଳି ଥରକରେ ମାତ୍ର ଏକ ବର୍ଷ ଲେଖାଏଁ ସମ୍ପ୍ରସାରଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏଭଳି ବ୍ୟବସ୍ଥା ଯେ ହେଉଛି ୱେବର୍ ନିର୍ଦ୍ଦେଶିତ ନିରପେକ୍ଷତାର କବରଖାନା, ଏହା ଜଳ ଜଳ ହୋଇ ଦେଖଯାଇଥାଏ।

ଇତିହାସର ଏକ ବିଡ଼ମ୍ବନା ଭଳି ଅତୀତରେ ଏକ ଅନୁଗତ ଅମଲାତନ୍ତ୍ର ସୃଷ୍ଟି କରିବା ପାଇଁ ଇନ୍ଦିରା ଗାନ୍ଧୀ କରିଥିବା ଉଦ୍ୟମ ଘୋର ସମାଲୋଚନାର ସମ୍ମୁଖୀନ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ଏକ କଂଗ୍ରେସ-ମୁକ୍ତ ଏବଂ ଗାନ୍ଧୀ ପରିବାର-ମୁକ୍ତ ଭାରତର ଚିତ୍ର ତାଙ୍କର ଅନୁଗାମୀମାନଙ୍କ ସମ୍ମୁଖରେ ଲଟକାଇ ଚାଲିଥିଲେ, ସେତେବେଳେ ସେମାନେ ଏକ ଦକ୍ଷ, ନିରପେକ୍ଷ ଅମଲାତନ୍ତ୍ରକୁ ଏହି ଚିତ୍ରର ଅବ‌ିଚ୍ଛେଦ୍ୟ ଅଂଶ ରୂପେ ଦେଖିଥିଲେ। କ୍ଷମତା ଗ୍ରହଣ ପରେ ପରେ ଅବଶ୍ୟ ମୋଦୀ ଏହି ଚିତ୍ରରେ ଦାଗ ଲଗାଇବାକୁ ପଛାଇ ନ ଥିଲେ, ଯେତେବେଳେ ସେ ଆଜିଭଳି ଆଉ ଏକ ଅଧ୍ୟାଦେଶ ବଳରେ ଏକ ନ୍ୟାୟିକ ପ୍ରତିବନ୍ଧ ହଟାଇ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ନୃପେନ୍ଦ୍ର ମିଶ୍ରଙ୍କୁ ନିଜର ପ୍ରମୁଖ ସଚିବ ପଦରେ ନିଯୁକ୍ତ କରିଥିଲେ। ଏଥି ପୂର୍ବରୁ ନୃପେନ୍ଦ୍ର ମିଶ୍ର ଟେଲିକମ୍ ରେଗୁଲେଟରି ଅଥରିଟି (‘ଟ୍ରାଇ’)ର ସଦସ୍ୟ ଥି‌େଲ ଏବଂ ତେଣୁ ଅବସର ପରେ କୌଣସି ସରକାରୀ ନିଯୁକ୍ତି ତାଙ୍କ ପାଇଁ ଆଇନ ଅନୁସାରେ ନିଷିଦ୍ଧ ଥିଲା। ଏକ ଅଧ୍ୟାଦେଶ ଦ୍ବାରା ଏହି ପ୍ରତିବନ୍ଧ ଦୂର କରାଯାଇ ପ୍ରଧାନମନ୍ତ୍ରୀ ଶପଥ ନେବାର ମାତ୍ର ଦୁଇ ଦିନ ପରେ ତାଙ୍କର ସଚିବାଳୟରେ ପ୍ରବେଶ କରିବା ପାଇଁ ନୃପେନ୍ଦ୍ର ମିଶ୍ରଙ୍କର ବାଟ ସଫା କରିଦିଆଯାଇଥିଲା। ଏକ ଅନୁଗତ ବର୍ଦ୍ଧିତ କାର୍ଯ୍ୟକାଳ ଭୋଗକାରୀ ଅମଲା ଗୋଷ୍ଠୀ ସୃଷ୍ଟି କରି ମୋଦୀ ସରକାର ଯେଉଁ ଏକ ଧାରଣା ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି, ତାହା ହେଲା ସତେ ଯେମିତି କର୍ତ୍ତବ୍ୟରତ ଅମଲାମାନଙ୍କ ମଧ୍ୟରେ ଯୋଗ୍ୟତାର ଘୋର ଅଭାବ ରହିଛି। କିମ୍ବା, ପ୍ରଧାନମନ୍ତ୍ରୀ ବୋଧହୁଏ ବିଶ୍ବାସ କରନ୍ତି ଯେ ରାଜନେତାମାନଙ୍କ ପରି କେତେକ ଅମଲାମାନଙ୍କର ମଧ୍ୟ ଅବସର ସମୟ ସୀମା ନ ଥାଏ।