ଅଲିଂପିକ୍ସ କ୍ରୀଡ଼ା ଶୃଙ୍ଖଳାରେ ୧୯୫୨ ମସିହାରେ କୁସ୍ତିରେ ଏକ କା˚ସ୍ୟ ପଦକ ବ୍ୟତୀତ ଭାରତର ପଦକ କେବଳ ହକିରେ ହିଁ ସୀମିତ ଥିଲା। ଲିଆଣ୍ତର ପେସ ୧୯୯୬ରେ ଟେନିସରେ କା˚ସ୍ୟ ପଦକ ପାଇବା ପରେ ଭାରତୀୟ ଆଥ୍ଲେଟ୍ମାନେ ଭାରତ୍ତୋଳନ, ବନ୍ଧୁକଚାଳନା, ମୁଷ୍ଟିଯୁଦ୍ଧ, ବ୍ୟାଡମିଣ୍ଟନ, କୁସ୍ତି ଇତ୍ୟାଦିରେ କେତେକ ପଦକ ପାଇଥିଲେ ମଧୢ କେବଳ ୨୦୦୮ରେ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏ ବର୍ଷ ନୀରଜ ଚୋପ୍ରା ପ୍ରଥମ କରି ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏକଚାଳିଶ ବର୍ଷ ପରେ ପୁଣି ପୁରୁଷ ହକି ଦଳ ବ୍ରୋଂଜ୍ ପଦକ ଜିଣିଛନ୍ତି। ପୂର୍ବ ଥର ଅପେକ୍ଷା ଏ ବର୍ଷ ଭାରତ ଅଧିକ ଅଲିଂପିକ୍ ପଦକ ଜିତି ଥିବାରୁ ଆନନ୍ଦ ଉଲ୍ଲାସ ଖେଳି ଯାଇଛି। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ସର୍ବାଧିକ ଆବଶ୍ୟକ ତାହା ହେଉଛି ଆତ୍ମ ସମୀକ୍ଷା। କାରଣ ୧୩୦ କୋଟି ଜନସଂଖ୍ୟାର ଦେଶ ଲାଗି ଏତିକି ପଦକ ନଗଣ୍ୟ ମାତ୍ର।
ଭାରତରେ ଅଲିମ୍ପିକ ଆସୋସିଏସନ ୧୯୨୭ରେ ଗଠିତ ହେଲା। ବମ୍ବେର ଶିଳ୍ପପତି ସାର ଦୋରାବଜୀ ଟାଟା ଏହାର ପ୍ରଥମ ସଭାପତି। ଅଳ୍ପ କେତେ ମାସ ମଧୢରେ ସଭାପତି ପଦ ମଣ୍ତନ କଲେ ତତ୍କାଳୀନ ପାତିଆଲା ମହାରାଜା ଓ ହକି ପ୍ରୋତ୍ସାହନର ଯୁଗ ଆରମ୍ଭ ହେଲା। ଆନୁଷ୍ଠାନିକ ଭାବରେ ଭାରତ ୧୯୨୮ରେ ଅଲିମ୍ପିକରେ ପ୍ରତିଯୋଗିତା କରି ହକିରେ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହେଲା ଓ ହକିରେ ଏ ପ୍ରାଧାନ୍ୟ ୧୯୬୪ ପର୍ଯ୍ୟନ୍ତ ବଳବତ୍ତର ରହିଲା ଓ ପୁଣି ୧୯୮୦ରେ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହେଲା। ଭାରତୀୟମାନେ ୧୯୦୦ ମସିହାରୁ ଅଲିମ୍ପିକ ପ୍ରତିଯୋଗିତାରେ ଭାଗ ନେଇ ଆସୁଛନ୍ତି। ନର୍ମାନ ପ୍ରିଚାର୍ଡ ନାମକ ଜଣେ ଆଙ୍ଗ୍ଳୋଇଣ୍ତିଆନ ସ୍ବ ଉଦ୍ୟମରେ ପ୍ୟାରିସ୍ ଅଲିମ୍ପିକରେ ଯୋଗ ଦେଇ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସାର ଦୋରାବଜୀ ଟାଟା ନିଜ ଖର୍ଚ୍ଚରେ ୧୯୨୦ରେ ଛଅ ଜଣ ପ୍ରତିଯୋଗୀଙ୍କୁ ପଠାଇଥିଲେ, ସେମାନେ କିନ୍ତୁ ସଫଳକାମ ହୋଇପାରିନଥିଲେ।
ହକି ୧୯୦୮ରେ ପ୍ରଥମ କରି ଅଲିମ୍ପିକ ପ୍ରତିଯୋଗିତାରେ ସ୍ଥାନିତ ହେଲା ଓ ସେ ଥର ଇ˚ଲଣ୍ତ ବିଜୟୀ ହୋଇଥିଲା। ଭାରତ ୧୯୨୮ରୁ ପ୍ରତିଯୋଗିତାରେ ଭାଗ ନେଇ ୧୯୫୬ ପର୍ଯ୍ୟନ୍ତ ସ୍ବର୍ଣ୍ଣପଦକ ପ୍ରାପ୍ତ ହେଇଥିଲା। ତା’ପର ଥର (୧୯୬୦)ରେ ପାକିସ୍ତାନ ଠାରୁ ଗୋଟିଏ ଗୋଲରେ ହାରିଲା। ବିଶ୍ବସ୍ତରରେ ୧୯୭୬ରେ ଅଷ୍ଟ୍ରୋଟ୍ରଫର ପ୍ରଚଳନ, ଖଲିସ୍ତାନ ଆନ୍ଦୋଳନରେ ଆକ୍ରାନ୍ତ, ପଞ୍ଜାବ ପୁଲିସ ହକି ପୃଷ୍ଠପୋଷକତା ନ କରିପାରିବା ଓ ରେଳବାଇର ଅଙ୍ଗ୍ଲୋଇଣ୍ତିଆନ ଖେଳାଳିମାନେ ଦେଶାନ୍ତରୀ ହୋଇଯିବା ଫଳରେ ଭାରତୀୟ ହକି ଟିମ୍ ଆଉ ଇଉରୋପ ଓ ଅଷ୍ଟ୍ରେଲିଆର ଟିମ୍ମାନଙ୍କୁ ମୁକାବିଲା କରିପାରିଲା ନାହିଁ। ପୃଷ୍ଠପୋଷକତା ବିହୀନ ହକି, ସାହାରା ଇଣ୍ତିଆର ସାହାଯ୍ୟରେ କିଛିକାଳ ଚାଲିଲା। ସାହାରା ଇଣ୍ତିଆ ଆର୍ଥିକ ଦୁର୍ଗତି ହେତୁ ହକିର ପୃଷ୍ଠପୋଷକତାରୁ ଦୂରେଇ ଗଲା। ଓଡ଼ିଶା ସରକାର ୨୦୧୮ରେ ହକି ପୃଷ୍ଠପୋଷକତାର ଦାୟିତ୍ବ ନେଇ, ହକିକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ଓ ଭିତ୍ତିଭୂମି ନିର୍ମାଣରେ ଅର୍ଥ ବ୍ୟୟ କରୁଛନ୍ତି।
୧୯୫୨ ମସିହାରେ ଚୀନ ପ୍ରଥମ କରି ଅଲିମ୍ପିକରେ ପ୍ରବେଶ କରିଥିଲା। ବର୍ତ୍ତମାନ ସ୍ବର୍ଣ୍ଣପଦକ ହାସଲ କରିବାରେ ଦ୍ବିତୀୟ। ବର୍ମୁଡା ଦ୍ବୀପର ଲୋକସ˚ଖ୍ୟା ପ୍ରାୟ ୬୨୦୦୦। ସେ ଦେଶରୁ ଦୁଇଜଣ ପ୍ରତିଯୋଗୀ ଆସିଥିଲେ ଓ ତନ୍ମଧୢରୁ ଜଣେ ମହିଳା ସ୍ବର୍ଣ୍ଣପଦକ ପ୍ରାପ୍ତ ହେଲେ। ପଦକ ପ୍ରାପ୍ତ ଦେଶମାନଙ୍କ ମଧୢରେ ଆମର ସ୍ଥାନ ୪୮, ଯଦିଓ ଆମେ ପୃଥିବୀର ଦ୍ବିତୀୟ ଜନବହୁଳ ଦେଶ। ଏଭଳି ସ୍ଥିତିର କାରଣ ନିର୍ଦ୍ଧାରଣ କରି ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ। ସ୍ବାଧୀନତା ପ୍ରାପ୍ତି ସମୟରେ ଆମ ଦେଶର ଆର୍ଥିକ ଅବସ୍ଥା ଖରାପ ଥିଲା ଓ ଦେଶରେ ଉତ୍କଟ ଦାରିଦ୍ର୍ୟ। ତେଣୁ ସରକାର ଖାଦ୍ୟ ସୁରକ୍ଷା, ଗ୍ରାମ୍ୟ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଗୁରୁତ୍ବ ଦେଲେ। ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ଉନ୍ନତିକରଣ ଦିଗରେ ଧୢାନ ସେତେ ରହିଲା ନାହିଁ। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ବ୍ୟୟ ଜି.ଡି.ପି.ର ଶତକଡ଼ା ପାଞ୍ଚ ଭାଗରୁ କମ୍। କ୍ରୀଡ଼ା କ୍ଷେତ୍ରରେ ୨୦୨୦-୨୧ର ବଜେଟରେ ଆମର ବ୍ୟୟ ବରାଦ ଶତକଡ଼ା ୦.୦୧%। ସରକାର ସ୍ବାଧୀନତାର ବହୁ ବର୍ଷ ପରେ (୨୦୦୦) ଏକ ସ୍ବତନ୍ତ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆରମ୍ଭ କଲେ। କ୍ରୀଡ଼ା ବଜେଟର ଅଧିକା˚ଶ ଭାଗ ଖେଲୋ ଇଣ୍ତିଆ ପ୍ରୋଗ୍ରାମରେ ବ୍ୟୟିତ ହୁଏ। ଭାରତ ସରକାର ମୁଣ୍ତପିଛା ଦିନକୁ ୩ ପଇସା କ୍ରୀଡ଼ା ଦିଗରେ ଖର୍ଚ୍ଚ କରନ୍ତି। ଚୀନ୍ ସରକାର ଦିନକୁ ମୁଣ୍ତ ପିଛା ଛଅ ଟଙ୍କା ଦଶ ପଇସା, ଅର୍ଥାତ ଭାରତର ପ୍ରାୟ ୨୦୦ ଗୁଣ ଖର୍ଚ୍ଚ କରନ୍ତି।
ଦେଶର ସହରମାନଙ୍କରେ ଓ ଅନେକ ସ୍କୁଲ ମାନଙ୍କରେ ଖେଳ ପଡ଼ିଆ ଓ ଖୋଲା ଜାଗା ନାହିଁ। କୌଣସି ବିଶ୍ବବିଦ୍ୟାଳୟରେ କ୍ରୀଡ଼ା ସମ୍ବନ୍ଧୀୟ ପାଠ୍ୟକ୍ରମ ନାହିଁ, ଯଦିଓ କେତେକ ଜାଗାରେ କ୍ରୀଡ଼ା ପରିଚାଳନା ପାଠ୍ୟକ୍ରମ ଅଛି। ଆମେରିକାରେ କଲମ୍ବିଆ, ଜର୍ଜ ଟାଉନ ଓ ଏମ.ଆଇ.ଟି. ପରି ବିଖ୍ୟାତ ବିଶ୍ବବିଦ୍ୟାଳୟମାନଙ୍କରେ କ୍ରୀଡ଼ା ସମ୍ବନ୍ଧୀୟ ପାଠ୍ୟକ୍ରମ ଅଛି। ଭାରତବର୍ଷରେ କ୍ରିକେଟ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରା ହେଇଛି ଓ କ୍ରିକେଟ୍ର ସଫଳ ଖେଳାଳିମାନଙ୍କର ଭାବମୂର୍ତ୍ତି ଓ ଜୀବନ ଶୈଳୀ ଫିଲ୍ମ ଷ୍ଟାରମାନଙ୍କ ଭଳି। କିନ୍ତୁ କ୍ରିକେଟ କେବଳ ବ୍ରିଟିସ ରାଜ୍ୟଗୋଷ୍ଠୀ ଦେଶମାନଙ୍କ ମଧୢରେ ସୀମିତ(ଆଫଗାନିସ୍ତାନକୁ ଛାଡ଼ି)। ଏକଦା ଫୁଟବଲ ଦେଶର ଜନପ୍ରିୟ ଖେଳ ଥିଲା ଓ ହକି ସେନାବାହିନୀ ଓ ପୁଲିସ ବିଭାଗର ଆନୁଷ୍ଠାନିକ ଖେଳ ଥିଲା। ଏ ଲେଖକ ୧୯୫୯ ମସିହାରେ ମାଉଣ୍ଟ ଆବୁରେ ଆଇ.ପି.ଏସ. ଟ୍ରେନି˚ ନେବା ସମୟରେ ହକି ବାଧୢତାମୂଳକ ବିଷୟ ଥିଲା ଓ ସମସ୍ତେ ହକି ରେଫରି ପରୀକ୍ଷା ମଧୢ ପାସ କରିଥିଲେ।
କ୍ରୀଡ଼ାବିତ୍ମାନଙ୍କର ଆର୍ଥିକ ସମସ୍ୟାର ସମାଧାନ ହେବା ଆବଶ୍ୟକ। କ୍ରୀଡ଼ା ଅଭ୍ୟାସ କରିବା ନିମନ୍ତେ ଉପଯୁକ୍ତ ଛାତ୍ରାବାସ, କୋଚ୍, ଖେଳର ଉପାଦାନ ଓ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା ହେବା ଆବଶ୍ୟକ। କ୍ରୀଡ଼ାବିତମାନଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ଚାକିରି ମିଳିବା ଆବଶ୍ୟକ। ତା ନ ହେଲେ ଅଭିଭାବକମାନେ ନିଜର ପିଲାଙ୍କୁ କ୍ରୀଡ଼ାରେ ସମୟ ନଷ୍ଟ ନ କରିବାକୁ ବାଧୢ କରିବେ। ସର୍ବଶେଷରେ ଦେଶରେ କ୍ରୀଡ଼ାର ଉନ୍ନତି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରର ଉନ୍ନତି ଉପରେ ନିର୍ଭରଶୀଳ। ସରକାର ବଜେଟରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟ ବରାଦ କଲେ କାଳକ୍ରମେ କ୍ରୀଡ଼ାର ଉନ୍ନତି ଘଟିବ।
ମୋ- ୯୯୩୭୪୨୨୫୨୧