ମରୁଭୂମିରେ ବସନ୍ତ

ଲୋକକ୍ଷେତ୍ର/ ହରପ୍ରସାଦ ଦାସ

ଗତକାଲି ତାଲିବାନ୍‌ ଓ ସି.ଆଇ.ଏ ଭିତରେ ଗୋଟେ କ’ଣ ଗୁପ୍ତ ମନ୍ତ୍ରଣା ହେଲା ବୋଲି ବିଶ୍ବ ଜାଣିଲା, କିନ୍ତୁ କି ମନ୍ତ୍ରଣା ହେଲା, ଏଥିରୁ ବିଶ୍ବର ଦୁଃଖୀ ଓ ଆତଙ୍କିତ ଜନମାନସକୁ କି ଆଶ୍ବାସନା ମିଳିବ ଜଣାନାହିଁ। ବର˚ ମୁଁ ଭାବୁଚି ସବୁ ଗୁପ୍ତ ମନ୍ତ୍ରଣା ଭଳି ଏ ଗୁପ୍ତ ମନ୍ତ୍ରଣା ବି ସ୍ଥିତିକୁ ଆହୁରି ଜଟିଳ କରିବ। ଆମେରିକାର ସିଧାସଳଖ ହସ୍ତକ୍ଷେପ ବର˚ ଆମକୁ ଆଶ୍ବସ୍ତ କରିଥାନ୍ତା ଯେ ନିରୀହ ଲୋକ ବ˚ଚିଯିବେ ଓ ଆଫ୍‌ଗାନିସ୍ତାନରେ ସ୍ଥିର ଶାସନ ସମ୍ଭବ ହେବ। ବଡ଼ ଶକ୍ତିମାନେ ଏ ମନ୍ତ୍ରଣା ମାର୍ଗରେ ସବୁ କିଛି କରିବା ପାଇଁ ପସନ୍ଦ କରନ୍ତି ଓ ଏ ଅଭ୍ୟାସ ଦୃଢ଼ରୁ ଦୃଢ଼ତର ହୋଇ ବଦ୍ଧମୂଳ ହୋଇଯାଏ, ଯେତେବେଳେ ମୁହାମୁହିଁ ବାର୍ତ୍ତାଳାପ ଠାରୁ କୂଟନୀତିକୁ ଅଧିକ ଶ୍ରେୟ ଦେଇ, ଅନ୍ତରାଳର ନାୟକ କରିି ଛାଡ଼ି ଦିଆଯାଏ। ଅନ୍ୟ ଭାବରେ, ଏପରି ମଧୢ କୁହାଯାଇପାରେ ଯେ ଏବର ତାଲିବାନୀ ଦଖଲ ପରେ ଅନ୍ତତଃ ଡଜନେ ଦେଶର ପନ୍ଦର କୋଡ଼ିଏ କୂଟନୀତିଜ୍ଞ, ସରଳ ଦୃଷ୍ଟିକୁ କୂଟରେ ଓ ସତ୍ୟକୁ କପଟରେ ପରିଣତ କରିବାରେ ଲାଗିଥିବେ। ନା ଆଫ୍‌ଗାନ ଲୋକେ ଜାଣିବେ ନା ଆମେ ଜାଣିବା କି ଚୁକ୍ତି ହେଲା, କାହିଁକି ହେଲା! ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୂଟନୈତିକ ମନ୍ତ୍ରଣା ଏକ ଆନୁଷ୍ଠାନିକ ରାଷ୍ଟ୍ରକର୍ମରେ ପରିଣତ ହେଲା।

ଏକବି˚ଶ ଶତାବ୍ଦୀର ପ୍ରଥମ ଦୁଇ ଦଶକ ପରେ, ଯେତେବେଳେ ସୂଚନା ପ୍ରସାରଣର ବ୍ୟାପକ ହାଇ-େଵ ନେଟ୍‌ଵର୍କ ଉପଲବ୍‌ଧ, ଯେତେବେଳେ ଶକ୍ତି-ପ୍ରଯୋଗର ତତ୍ତ୍ବ ହିଁ ସମ୍ବରଣ, ସେତେବେଳେ କେତେ ସ୍ପଷ୍ଟତା ଓ କେତେ କପଟକୁ ନେଇ ଆନ୍ତର୍ଜାତିକ ବିମର୍ଶ ସମ୍ଭବ ହେବ ତା’ର ବିଚାର କିଏ କରିବ? ମୌଳବାଦୀ-ଆତଙ୍କବାଦୀ ନେତୃତ୍ବ କାହା କଥା କେତେ ଶୁଣିବ? ମୁଁ ଏ କଥା କହୁଚି ଏଇ ପ୍ରସଙ୍ଗରେ ଯେ ବିଶ୍ବର ବର୍ତ୍ତମାନ ଆବଶ୍ୟକତା ଏଠି ସାମୟିକ ଶାନ୍ତି ବା ସେଠି ସାମୟିକ ଶାନ୍ତି ନୁହେଁ, ବିଶ୍ବର ପ୍ରକୃତ ଆବଶ୍ୟକ ସର୍ବତ୍ର ଜୀବନର ସ୍ଥିରତା। ଜୀବନର ସ୍ଥିରତା ହିଁ ପରିବେଶର କ୍ଷୟ ଓ ଗତିଶୀଳତା ମଧୢରେ ବିଶ୍ବକୁ ମାନବୀୟ କରିପାରେ, ଅନ୍ୟଥା ଯନ୍ତ୍ର ଭଳି ମଣିଷ ବି ଗତିଷ୍ମାନ୍‌ ଓ ବିବେକଶୂନ୍ୟ ନିର୍ମମ ଏକ ଭୌତିକ ରଚନାରେ ପରିଣତ ହେବ। ସଭ୍ୟତା ହରାଇବା ସହିତ ବିଶ୍ବର ବିଭିନ୍ନ ଲୋକ ସ˚ପ୍ରଦାୟ ସ୍ଥିରତା ହରେଇଚନ୍ତି। ସଭ୍ୟତାର ଏକ ଅବଦାନ ଥିଲା ସ୍ଥିର ଜୀବନ। ସ୍ଥିର ଜୀବନର ଅର୍ଥ ନୁହଁ ସ୍ଥାଣୁତା, ସ୍ଥିର ଜୀବନର ଅର୍ଥ ଅଗ୍ରଗାମୀ ହେବା ସହିତ ଜୀବନମୂଲ୍ୟକୁ ଯଥାସମ୍ଭବ ସ୍ଥିର ମନେ କରିବା, ଅର୍ଥାତ୍‌ ଗୋଟିଏ ବିକାଶ ଆଦର୍ଶ ସ୍ଥିତିରେ ପହଁଚିଗଲେ, ଆଉ ତାକୁ ଅଯଥା ବଦଳାଇବାର ପ୍ରୟାସ ଜରୁରୀ ନୁହେଁ। ଏଇଆ ଭାବି ଭାରତୀୟ ସଭ୍ୟତାର ନିର୍ମାତା ପୁରୁଷମାନେ ନୀତିସୂତ୍ରର ରଚନା କରି ଛାଡ଼ି ଯାଇଥିଲେ। ମାନବୀୟ ଜୀବନ ଲୀଳା ପାଇଁ ଯେତିକି ଉପାଦେୟ, ଯେତିକି ଆବଶ୍ୟକ, ସେତିକି; ଆଉ ଅଧିକ ନୁହେଁ। ଅଧିକ ଲୋଡ଼ା କେବଳ ଜ୍ଞାନକ୍ଷେତ୍ରରେ, ଅର୍ଥାତ୍‌ ବୌଦ୍ଧିକ ଉତ୍କର୍ଷ ଅସୀମ, ସେ ଅନବରତ ଜୀବନକୁ ଓ ସୃଜନକୁ ବୁଝିବାରେ ଲାଗିଥାଉ; ବସ୍ତୁବାଦୀ ବିକାଶ ଆବଶ୍ୟକତାଠାରୁ ଅଧିକ ନ ହେଉ।

କୂଟନୈତିକ ବିଚାର ତାତ୍କାଳିକ, କ୍ଷଣସ୍ଥାୟୀ ଓ ଭଙ୍ଗୁର। କୂଟନୈତିକ ନେଟ୍‌ଵର୍କରେ ବନ୍ଧା ବିଶ୍ବ ଆମରି ଆଗରେ କିଭଳି ଭୁଶୁଡ଼ି ପଡ଼ିଲା, ଆମେ ଏଇ ଗତ ତିରିଶ ବର୍ଷ ଭିତରେ ଦେଖିଲେ। ସୋଭିଏଟ୍‌ ରାଷ୍ଟ୍ର ସ˚ଘର ବିଭାଜନ ସହିତ ଏବ˚ କ୍ଷୁଦ୍ର ଏକକ ରାଷ୍ଟ୍ରମାନଙ୍କ ଭିତରେ ରାଷ୍ଟ୍ରୀୟତାର ଉନ୍ମେଷ ସହିତ ଦିଶିଲା କିଭଳି ଆମେରିକାନ୍‌ ପ୍ରଭୁସତ୍ତା ଅଲ˚ଘନୀୟ ନୁହେଁ, ନିର୍ଭରଯୋଗ୍ୟ ବି ନୁହେଁ। ବିଶ୍ବରେ ସମସ୍କନ୍ଦ ରାଷ୍ଟ୍ରମାନଙ୍କର ପରସ୍ପର ପ୍ରତି ସମ୍ମାନ ଓ ନୈତିକ ନିର୍ଭରଶୀଳତାରେ ପରସ୍ପରର ବନ୍ଧନ ପାଇଁ ଗୁପ୍ତ ମନ୍ତ୍ରଣାଠାରୁ ଅଧିକ ଜରୁରୀ ମୁକ୍ତ ଆଲୋଚନା। ତାଲିବାନ୍‌ କବଳିତ ଆଫ୍‌ଗାନିସ୍ତାନ୍‌ରେ ସ୍ଥିରତା ପାଇଁ ଗଣତନ୍ତ୍ରର ଦୃଢ଼ ସ୍ଥାପନା ଜରୁରୀ କି? ତାଲିବାନୀ ନାୟକମାନେ ଗଣତନ୍ତ୍ର ଚାହାନ୍ତି କି? ଗଣତନ୍ତ୍ର ପରିଚାନଳା ପାଇଁ ତାଙ୍କର ଦକ୍ଷତା ଅଛି କି? ଧର୍ମୀୟ ଗଣତନ୍ତ୍ର ସମ୍ଭବ କି? ଏ ପ୍ରଶ୍ନ ଗ୍‌ୁଡ଼ିକର ଉତ୍ତର ସିଧାସଳଖ ମୁକ୍ତ ମ˚ଚରେ ଆଲୋଚିତ ହେବା ଦରକାର, ଜାତିସ˚ଘ ଏଭଳି ଆଲୋଚନା ପାଇଁ ଟେବୁଲ ସଫା ରଖିଚି ନା ଗୁଡ଼େ କୂଟନୈତିକ ଅଳିଆ ଆବର୍ଜନା ଜମା ହୋଇ ଆଲୋଚନାର ଖାଲି ଜାଗାକୁ ଖାଇ ଯାଇଚନ୍ତି? ବିଶ୍ବ ରାଜନୀତିର ଅନ୍ତର୍ଘାତୀ ବିରୋଧାଭାସ କୂଟନୀତି। କୂଟନୀତି ରାଜନୀତିକୁ କେବଳ ଆନ୍ତର୍ଜାତିକ ସ˚ପର୍କର କ୍ଷେତ୍ରରେ ଖାଇଯାଇନି, ରାଜନୀତିକୁ ବି ସ˚କ୍ରମିତ କରି ରଖିଚି। ଆପଣ ଜାଣିଥାଇପାରନ୍ତି ଯେ କୂଟନୀତିର ଥିଓରାଇଜେସନ୍‌ କରିଥିବା ଚିନ୍ତକ ହାନ୍‌ସ ମର୍ଗେନ୍‌ଥ୍ୟୁ ୧୯୪୮ରେ ତାଙ୍କର କୃତି ‘ପଲିଟିକ୍‌ସ ଆମଙ୍ଗ ନେସନ୍‌ସ’ ପ୍ରକାଶିତ କରିବା ସହିତ କୂଟନୀତି ହୋଇଗଲା ବାସ୍ତବତାର ବିଜ୍ଞାନ (ସାଇନ୍‌ସ ଅଫ୍‌ ରିଅଲିଜ୍‌ମ୍‌) ସେ କହିଲେ: ‘‘ଶକ୍ତିର ସ୍ଥିତି ତର୍କ ଦ୍ବାରା ବିବେଚିତ ହୁଏ ନାହିଁ, ସେ ଯେତେ ନୈତିକ ଓ ଉପଯୁକ୍ତ ହୋଇଥାଉ, ଶକ୍ତି ନିୟନ୍ତ୍ରିତ ହୁଏ କେବଳ ଅପେକ୍ଷାକୃତ ବଳଶାଳୀ ରାଷ୍ଟ୍ର ଦ୍ବାରା।’’ ଏ ତତ୍ତ୍ବ ହେଲା ‘ଜୋର ଯାର ମୁଲକ ତାର’ ତତ୍ତ୍ବ, ଯାହାକୁ ଗ୍ରାମ୍ୟ ଭାରତୀୟ ମାନେ ବି ଅପସତ୍ୟ ମନେ କରି ପରିତ୍ୟାଗ କରନ୍ତି।

ତାଙ୍କର ତତ୍ତ୍ବକୁ ପ୍ରତିଷ୍ଠିତ କରିବାକୁ ଯାଇ ସେ ପୁଣି କହୁଚନ୍ତ: ‘‘ମଣିଷ ଜନ୍ମର ଲକ୍ଷ୍ୟ ଶକ୍ତି ହାସଲ, କିନ୍ତୁ ତା’ର ଦୁର୍ବଳ ସ୍ଥିତି ତାକୁ ସବୁବେଳେ ସବଳର ଦାସ କରି ରଖେ।’’ ବସ୍ତୁତଃ ବିଶ୍ବର ଦୁର୍ବଳ ଓ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ପରସ୍ପରର ସ˚ପର୍କ ସେ ନିର୍ଦ୍ଧାରିତ କରି ଦେଇଥିଲେ ୧୯୪୮ରେ, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ। ମୃତ୍ୟୁ ପର୍ଯ୍ୟନ୍ତ ମର୍ଗେନ୍‌ଥ୍ୟୁ ଆମେରିକାର କୂଟନୀତିକୁ ଏଭଳି ପ୍ରଭାବିତ କରି ରଖିଲେ ଯେ ଶକ୍ତି ହାସଲର କୂଟନୀତି ଏକ ସ୍ବାର୍ଥୀ- ତାତ୍କାଳିକତାରେ ପରିଣତ ହୋଇଗଲା। ୧୯୮୦ ପର୍ଯ୍ୟନ୍ତ ତାଙ୍କରି ତତ୍ତ୍ବ ହିଁ ଥିଲା ଆମେରିକାନ୍‌ କୂଟନୀତିର ବୌଦ୍ଧିକ ନିର୍ଦ୍ଦେଶିକା। କୂଟନୀତି ଏବେବି ତାହାହିଁ ଅଛି, କାରଣ କୂଟନୀତିକୁ ଗଣତାନ୍ତ୍ରିକ ବିଶ୍ବର ଆନ୍ତର୍ଜାତିକ ରାଷ୍ଟ୍ରନୀତି ବୋଲି କହିବାରେ ଆମେ ଆଗ୍ରହୀ ନୋହୁଁ। କହିବାରେ ଦ୍ବିଧା ନାହିଁ ଯେ ଆଧୁନିକ ବିଶ୍ବରେ କୂଟନୀତିର ସଫଳତା ଖୁବ୍‌ କମ୍‌, ବର˚ ଏଥିରେ ବେଶି ଆଶଙ୍କା, ସନ୍ଦେହ ଓ ଅବିଶ୍ବାସ। ତାଲିବାନୀଙ୍କ ସହିତ କୂଟନୈତିକ ମନ୍ତ୍ରଣା କରି ବାଇଡେନ୍‌ ସମସ୍ୟାକୁ ମୌଳବାଦୀ ଓ ସି.ଆଇ.ଏ ଭିତରେ ଏକ କ୍ଷୁଦ୍ର ରାଜିନାମା ସ୍ତରକୁ ନେଇଆସିଚନ୍ତି। ବୃହତ୍ତର ପ୍ରଶ୍ନଗୁଡ଼ିକୁ ନେଇ କେହି ଚିନ୍ତିତ ନୁହନ୍ତି। କେତେ ବର୍ଷ ପରେ ଆଫ୍‌ଗାନିସ୍ତାନ୍‌ରେ ନରସ˚ହାର ଓ ରକ୍ତପାତର ଖେଳ ଖେଳା ଯାଇପାରେ। ମର୍ଗେନ୍‌ଥ୍ୟୁଙ୍କ ତିରୋଧାନର ପାଞ୍ଚ ବର୍ଷ ଭିତରେ ଗୋର୍ବାଚେଭ୍‌ ଗ୍ଲାସନଷ୍ଟ ବା ମୁକ୍ତଚିନ୍ତନ ଓ ବାର୍ତ୍ତା ବିନିମୟର ତତ୍ତ୍ବ ନେଇ ଆସିଲେ। ବିସ୍ମୟକର ଥିଲା ସେ ସମୟ। ଗୋର୍ବାଚେଭ୍‌ଙ୍କ ଇଚ୍ଛା ଶକ୍ତିକୁ ଯଦି ଆମେରିକା ଓ ୟୁରୋପର ନୈତିକ ସମର୍ଥନ ମିଳିଥାନ୍ତା, ତେବେ ବିଶ୍ବର କୂଟନୈତିକ ପ୍ରାଚୀର ଓ ନେଟ୍‌ଵର୍କ ଭାଙ୍ଗିଥାନ୍ତେ ଓ ବିଶ୍ବରେ ବିଶ୍ବସନୀୟତା ଓ ନିର୍ଭରଶୀଳତାର ପରିବେଶ ନିର୍ମିତ ହୋଇଥାନ୍ତା। ଗୋର୍ବାଚେଭ୍‌ଙ୍କୁ ଆମେରିକା ଓ ୟୁରୋପର ସମର୍ଥନ ମିଳିଲା, କିନ୍ତୁ ସେ ବି ଥିଲା କୂଟନୀତିଗ୍ରସ୍ତ, ଗୋର୍ବାଚେଭ୍‌ ଇତିହାସର ପାଦଟୀକା ହୋଇ ବିଦାୟ ନେଲେ। ଆମେରିକା ଓ ରୁଷ୍‌ ଉଭୟେ ଆଫ୍‌ଗାନିସ୍ତାନରେ ସକ୍ରିୟ ଥିଲେ। କାହିଁକି ସକ୍ରିୟ ଥିଲେ, ସେ ଏକ ଜଟିଳ ପ୍ରସଙ୍ଗ। ତା’ସହିତ ବିଶ୍ବ ଶକ୍ତିମାନଙ୍କର ମଧୢପ୍ରାଚ୍ୟ ରାଜନୀତି ଜଡ଼ିତ। ଆଫ୍‌ଗାନିସ୍ତାନ୍‌ ପ୍ରାଚୀନ ରେଶମପଥ (ସିଲ୍‌କ ରୁଟ୍‌)ର ପ୍ରବେଶ ଦ୍ବାର, ମଧୢପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ସହିତ ବିଶାଳ ଇରାକୀ ଓ ଇରାନୀ ତୈଳକ୍ଷେତ୍ର ସହିତ ସ˚ଯୋଗ ସେତୁ। କିନ୍ତୁ ଏହି କାରଣରୁ ଆଫ୍‌ଗାନିସ୍ତାନ ମହାଶକ୍ତିଙ୍କର ଚଲାପଥ ହୋଇ ରହିଗଲା, ଠିକ୍‌ ଅର୍ଥରେ ତା’ର ରାଷ୍ଟ୍ର ନିର୍ମାଣ ଦିଗରେ କେହି ଦୃଷ୍ଟି ଦେଲେ ନାହିଁ।

୧୭ ଜୁଲାଇ ୧୯୭୩ରେ ଆଫ୍‌ଗାନିସ୍ତାନ ଏକ ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ର (ରିପବ୍ଲିକ୍‌) ଘୋଷିତ ହେଲା। ୨୬ ଜାନୁଆରି ୨୦୦୪ରେ ଇଏ ବଦଳିଯାଇ ହେଲା ଇସଲାମିକ୍‌ ରିପବ୍ଲିକ୍‌। ତା’ପୂର୍ବରୁ ୭ ସେପ୍‌ଟେମ୍ବର ୧୯୯୬ରୁ ୨୫ ଜାନୁଆରି ୨୦୦୪ ଯାଏଁ ଏ ହୋଇଥିଲା ଇସ୍‌ଲାମିକ୍‌ ଏମିରେଟ୍‌। ଏବେ ୧୯ ଅଗଷ୍ଟ ୨୦୨୧ରୁ ସେ ପୁଣି ହେଲା ଇସ୍‌ଲାମିକ୍‌ ଏମିରେଟ୍‌। ବାହୁବଳୀଙ୍କ ଗଣତନ୍ତ୍ର, ପଦସ୍ଥଙ୍କ ଗଣତନ୍ତ୍ର, ମୌଳବାଦୀଙ୍କ ଗଣତନ୍ତ୍ର ହେଲା, କିନ୍ତୁ ନାଗରିକଙ୍କ ଗଣତନ୍ତ୍ର ଭାବରେ ୟାର ପ୍ରତିଷ୍ଠା ଏଯାବତ ବିବାଦାସ୍ପଦ। ଠିକ୍‌ ଅର୍ଥରେ କହିଲେ ଆଫ୍‌ଗାନିସ୍ତାନ୍‌ରେ ଗୋଟିଏ ଗଣତନ୍ତ୍ରର ସ୍ଥାପନା ବାରମ୍ବାର ପ୍ରତିକୂଳ ପରିସ୍ଥିତରେ ପଡ଼ିଚି। ଏବେ ତାଲିବାନୀମାନେ ଯେଉଁ ‘ଏମିରେଟ୍‌’ର କଥା କହୁଚନ୍ତି, ତାହା ଆଧୁନିକ ଗଣତନ୍ତ୍ର ନୁହେଁ। ତାଲିବାନ୍‌ର ଅର୍ଥ ‘ଛାତ୍ରଗଣ’। ଅର୍ଥାତ୍‌ ତାଲିବାନ୍‌ ଗୋଟିଏ ବୈପ୍ଳବିକ ଛାତ୍ର ରାଜନୀତିର ଅନୁଷ୍ଠାନ। ଏ ଛାତ୍ରମାନଙ୍କର ବିଶେଷତ୍ବ ଏହି ଯେ ଏମାନେ ସମସ୍ତେ ଧର୍ମଶାସ୍ତ୍ରରେ ଦୀକ୍ଷିତ। ଏମାନେ ଇସ୍‌ଲାମ୍‌ର ଦେଓବନ୍ଦୀ ବିଚାରାଧାରାରେ ଅଭିମନ୍ତ୍ରିତ। ଦେଓବନ୍ଦୀମାନେ ରକ୍ଷଣଶୀଳ ଇସ୍‌ଲାମର ପୃଷ୍ଠପୋଷକ। ଭାରତରେ ୧୮୬୭ରେ ଦାରୁୁଉଲଉଲୁମର ସ୍ଥାପନା ସହିତ ଇସ୍‌ଲାମିକ ମୌଳବାଦର ଦେଓବନ୍ଦୀ ବିଚାରଧାରା ପ୍ରସାରିତ ହେଲା ଭାରତରୁ। ତାଲିବାନ୍‌ ଗୋଷ୍ଠୀ ଏଇମାନଙ୍କୁ ନେଇ ଆରମ୍ଭ ହେଲା ପାକିସ୍ତାନରୁ। ଏମାନେ ଏତେ ଶକ୍ତିଶାଳୀ ହେଲେ କିପରି? ପାକିସ୍ତାନ, ଆମେରିକା ଓ ରୁଷ ଏମାନଙ୍କୁ ଶକ୍ତିଶାଳୀ କରିବାରେ କିଭଳି ସହାୟକ ହେଲେ ସେ ଅଲଗା କଥା। ଏଠି ପ୍ରସଙ୍ଗ ଏହି ଯେ ମୌଳବାଦୀ ଇସ୍‌ଲାମ ଗୋଟିଏ ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ କରିବାରେ ସକ୍ଷମ ହେବ କି?
ତାଲିବାନ ବିରୋଧରେ ପ୍ରବଳ ଜନ ପ୍ରତିରୋଧର ଉଦ୍‌ଗମ ସହିତ ଏ ଧାରଣା ଦୃଢ଼ୀଭୂତ ହେବାରେ ଲାଗିଚି ଯେ ଲୋକେ ତାଲିବାନ୍‌କୁ ଚାହାନ୍ତି ନାହିଁ, ସେମାନେ ଆଫ୍‌ଗାନିସ୍ତାନରେ ଆଧୁନିକ ଗଣତନ୍ତ୍ର ଚାହାନ୍ତି। ସେଇ ଗଣତନ୍ତ୍ର, ଯାହାର ସ୍ବପ୍ନ ଦେଖି ବିଶାଳ ମରୁ ପ୍ରାନ୍ତରର ଦେଶଗୁଡ଼ିଏ ଏ ଯାଏଁ ଲଢ଼ି ଚାଲିଚନ୍ତି। କିଛି ସଫଳତା ମିଳିଚି, ଆହୁରି ବାକି ଅଛି। ଉତ୍ତର ଆଫ୍ରିକା ଓ ମଧୢପ୍ରାଚ୍ୟର ଏହି ମରୁକ୍ଷେତ୍ରରେ ଗଣତନ୍ତ୍ର ବସନ୍ତ ପାଇଁ ଅପେକ୍ଷା ଚାଲିଚି। ୟାକୁ କୁହାଯାଏ ଆରବ୍‌-ସ୍ପ୍ରିଙ୍ଗ (ଆରବ ବସନ୍ତ)। ଯେଉଁ ଆରବ ଦେଶଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ସେଗୁଡ଼ିକ ହେଲେ: ଟ୍ୟୁନିସିଆ, ମରୋକ୍କୋ, ସିରିଆ, ଲିବ୍ୟା, ଇଜିପ୍‌ଟ ଓ ବାହାରେନ୍‌। ଏ ଦେଶମାନଙ୍କରେ ସ˚ଘର୍ଷ ଶେଷରେ କିଭଳି ଗଣତନ୍ତ୍ର ସ୍ଥାପିତ ହେଲା ତାହା ଏକ ଲମ୍ବା କାହାଣୀ, ଠିକ୍‌ ଅର୍ଥରେ ସେମାନେ ଏବେ ମଧୢ ବ୍ୟବସ୍ଥିତ ନାହାନ୍ତି। କିନ୍ତୁ ଏଥିରେ ସନ୍ଦେହ ନାହିଁ ଯେ ଦିନେ ନା ଦିନେ ସେମାନେ ଆଧୁନିକ ଗଣତନ୍ତ୍ର ସ୍ଥାପିତ କରିବେ।

ଆରବ ବସନ୍ତର ପବନ ଆଫ୍‌ଗାନିସ୍ତାନକୁ ଆସେ କି? ଆଫ୍‌ଗାନିସ୍ତାନର ସ୍ଥିତି ଗ୍ଲୋବ୍‌ର ଠିକ୍‌ କେନ୍ଦ୍ରରେ, ଇଏ ଏକ କେନ୍ଦ୍ରୀୟ ଏସିଆନ୍‌ ଦେଶ। ଏଠି ଗଣତନ୍ତ୍ର ସ୍ଥାପନା ପ୍ରୟାସ ପୂର୍ଣ୍ଣ ସଫଳତା ପାଇ ପାରିନାହିଁ, ଏଇଥିପାଇଁ ଯେ ଗଣତନ୍ତ୍ରର ନାଁ ନ ନେଇ ଯେଉଁ ଶକ୍ତି ଓ ସାମର୍ଥ୍ୟର ପ୍ରୟୋଗ ଆଫ୍‌ଗାନୀ ସରକାରମାନେ କରିଚନ୍ତି ଜନଜାତୀୟ ଶୈଳୀରେ। ଅର୍ଥାତ୍‌ ଏବେବି ଶକ୍ତିଶାଳୀ ବ୍ୟକ୍ତିମାନେ ଏହି ଆଶା ପୋଷଣ କରି ଚାଲିଚନ୍ତି ଯେ ଆଫ୍‌ଗାନିସ୍ତାନ ଦିନେ ନା ଦିନେ ପୂର୍ଣ୍ଣ ଗଣତନ୍ତ୍ରରେ ପରିଣତ ହେବ। ତାଲିବାନୀ ଅଧିକାର କ୍ଷେତ୍ର ଭାବରେ ଆଫ୍‌ଗାନିସ୍ତାନରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ବ˚ଚିବେ କି? ଇସଲାମିକ୍‌ ରିପବ୍ଲିକ୍‌ ଦ୍ବାରା ନିର୍ମିତ ସମ୍ବିଧାନ, ତାଲିବାନୀମାନେ ରଖିବେ ନା ତା’ର ଉଲ୍ଲ˚ଘନ କରିବେ?

ଆଫ୍‌ଗାନିସ୍ତାନକୁ ଆରବ-ଗଣତନ୍ତ୍ରର ପବନ ଛୁଇଁଚି କି? ଆରବ ଜଗତର ସମସ୍ତ ଉଦ୍‌ବେଳନ ଆଫ୍‌ଗାନିସ୍ତାନରେ ଅନୁଭୂତ ହୁଏ, ଏକ ଶକ୍ତିଶାଳୀ ଆରବ-ମୁସଲିମ୍‌ ସ˚ପ୍ରଦାୟ ଆଫ୍‌ଗାନିସ୍ତାନର ପାର୍ବତ୍ୟ କ୍ଷେତ୍ରରେ ରହନ୍ତି। ଏ ଦଳର ପ୍ରଭାବ ଆକଳନ କରିବା ସହଜ ନୁହେଁ, କିନ୍ତୁ ଏମାନେ ଆଫ୍‌ଗାନିସ୍ତାନରେ ସବୁ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଏଇମାନଙ୍କ ମାଧୢମରେ ଆରବର ବସନ୍ତ ପବନ ଆଫ୍‌ଗାନିସ୍ତାନକୁ ସ୍ପର୍ଶ କରୁଚି, କରି ଚାଲିଚି ଓ ରାଜନୀତି ତଥା ଧର୍ମନୀତିର ଅଚଳାୟତନକୁ ବଦଳାଇବାକୁ ଚାହୁଁଚି।

ଏହି ପରିପ୍ରେକ୍ଷୀରେ କେତେଗୁଡ଼ିଏ ଘଟନା ଘଟିବ ବୋଲି ମୋର ଅନୁମାନ। ତାଲିବାନକୁ ଆମେରିକା ଆଉ ନିୟନ୍ତ୍ରିତ କରିପାରିବ ନାହିଁ। ତାଲିବାନ୍‌ ସହିତ ସି.ଆଇ.ଏର ସ˚ପର୍କ ମୌଳବାଦୀଙ୍କ ପାଇଁ ବିଶ୍ବସନୀୟ ନୁହେଁ, ତେଣୁ ଆଫ୍‌ଗାନିସ୍ତାନରୁ ଦେଶ ଛାଡ଼ି ପଳାଉଥିବା ଲୋକଙ୍କ ସ˚ଖ୍ୟା ପୁରା କମି ଆସିଲା ପର୍ଯ୍ୟନ୍ତ ତାଲିବାନୀ ସମ୍ବରଣ ଅବଲମ୍ବନ କରିବେ ଓ ତାପରେ ଆଉ ଚୁକ୍ତି ମାନିବେ ନାହିଁ। ସେ ସ୍ଥିତିରେ ଆମେରିକା ଓ ୟୁରୋପୀୟ ଦେଶଗଣ ଆଫ୍‌ଗାନିସ୍ତାନରେ ଗୋଟିଏ ପ୍ରୋ-ଡିମୋକ୍ରାସି ଆନ୍ଦୋଳନର ସୂତ୍ରପାତ ପାଇଁ ସହାୟତା ଦେବା ଆରମ୍ଭ କରିବେ। ଆଫ୍‌ଗାନିସ୍ତାନ ପ୍ରୋ-ଡିମୋକ୍ରାସି ଆନ୍ଦୋଳନ ପାଇଁ ବହୁଦିନରୁ ପ୍ରସ୍ତୁତ ହୋଇ ରହିଚି। ବସ୍ତୁତଃ ଗୋଟିଏ ଇସ୍‌ଲାମିକ୍‌ ଗଣତନ୍ତ୍ର ଭାବରେ ଆଫ୍‌ଗାନିସ୍ତାନ ପାଇଁ ଆରବ ମଡେଲ୍‌ ମଧୢ ପ୍ରସ୍ତୁତ ହୋଇ ରହିଚି, କିନ୍ତୁ ସମ୍ରାଟ୍‌ ଜହିର‌୍‌ଙ୍କ ହତ୍ୟା ପରଠାରୁ, ଆଫ୍‌ଗାନୀ ଲୋକଜୀବନରେ ରାଜତନ୍ତ୍ରୀୟ ସ୍ମୃତି ଆଉ ପ୍ରଭାବଶାଳୀ ହୋଇନାହିଁ। ରୁଷ ଦ୍ବାରା ପ୍ରସ୍ତୁତ ସମାଜବାଦୀ ଭୂମି ଦୁର୍ବଳ ହୋଇ ସାରିଲାଣି। ଧର୍ମୀୟ ରାଜନୀତି, ବିଚାରଧାରାର ରାଜନୀତି ଓ ପ୍ରତିନିଧିମୂଳକ ରାଜନୀତି ତିନିଟି ଯାକ ମଧୢ ଏବେ ସ˚କଟରେ। ଆଫ୍‌ଗାନ ରାଜନୀତିର ତୃଣମୂଳ ସ୍ତରରେ କି ପ୍ରକାରର ଲୋକଶକ୍ତି କାର୍ଯ୍ୟ କରୁଚି, ତାକୁ ଉପରକୁ ଉଠିବା ପାଇଁ ସମୟ ଦେବା ଜରୁରୀ। ଇସ୍‌ଲାମିକ ଡିମୋକ୍ରାସି ଯଦି ରହେ, ତେବେ ତାର ମଡେଲ୍‌ରେ ପରିବର୍ତ୍ତନ ବି ଜରୁରୀ। ଆଫ୍‌ଗାନିସ୍ତାନରେ ସମ୍ବିଧାନ, ନ୍ୟାୟାଳୟ, ବିଧାନସଭା, ନିର୍ବାଚନ ପଦ୍ଧତି ଆଦି ଗଣତାନ୍ତ୍ରିକ ଅନୁଷ୍ଠାନଙ୍କୁ ଦୃଢ଼ କରିବାର ପରିଯୋଜନା ଏବଠୁ ଆରମ୍ଭ ହୋଇଯିବା ଜରୁରୀ। ଆଉ ଗୋଟିଏ ସମ୍ଭାବନା ପାକିସ୍ତାନରେ ଧର୍ମୀୟ ଗଣତନ୍ତ୍ରର ସ୍ବରୂପ ଲକ୍ଷ୍ୟ କରି ଆଫ୍‌ଗାନମାନେ ଗୋଟିଏ ସ˚ପୂର୍ଣ୍ଣ ଧର୍ମୀୟ ଗଣତନ୍ତ୍ର ନ ଚାହିଁ ପାରନ୍ତି।

କିନ୍ତୁ ଗଣତନ୍ତ୍ର ଅବଶ୍ୟ ଆସିବ। ମରୁଭୂମିର ବସନ୍ତ ଆଫ୍‌ଗାନିସ୍ତାନରେ ପହଁଚିବା ପାଇଁ ବିଳମ୍ବ ହେଲା, କିନ୍ତୁ ଏବେ ସଙ୍କେତ ଚିହ୍ନଗୁଡ଼ିକ ସ୍ପଷ୍ଟ। ଗୋଟିଏ ସଙ୍କେତ ଚିହ୍ନ ଲୋକଙ୍କର ମୌଳବାଦରେ ଅନାସ୍ଥା ଓ ଆଉ ଗୋଟିଏ ଦେଶପ୍ରେମ। ଏ ଦୁଇଟି ମିଶି ଆଫ୍‌ଗାନିସ୍ତାନରେ ଆଧୁନିକ ରାଷ୍ଟ୍ରବାଦୀ ଗଣତନ୍ତ୍ର ପାଇଁ ପଥ ପ୍ରସ୍ତୁତ କରିଚନ୍ତି। ଆଫ୍‌ଗାନିସ୍ତାନରୁ ଭାରତ ଆସିଥିବା ଛାତ୍ରମାନେ ତାଙ୍କର ବୟାନରେ କହିଚନ୍ତି ଯେ ସେମାନେ ନିଜ ନିଜର ପାଠ ଓ ଭବିଷ୍ୟତ ନେଇ ଚିନ୍ତିତ। ସେମାନେ କୂଟକପଟ ଓ ଶକ୍ତି ସାମର୍ଥ୍ୟର କ୍ରୀଡ଼ାଭୂମିରୁ କିଛି ପାଇନାହାନ୍ତି ବର˚ ନ୍ୟୂନତମ ସ୍ବାଭିମାନ ଟିକକ ବି ହରାଇଚନ୍ତି। ଆପ୍‌ଗାନିସ୍ତାନରେ ଭାରତର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ, କିନ୍ତୁ ବର୍ତ୍ତମାନର ସ୍ଥିତିରେ ଭାରତର ଭୂମିକା ସ୍ପଷ୍ଟ ନୁହେଁ। ଯଥା ସମୟରେ ଆଫ୍‌ଗାନିସ୍ତାନର ଗଣତନ୍ତ୍ରକୁ ଭାରତର ସ୍ମରଣୀୟ ଅବଦାନ ପାଇଁ ସୁଯୋଗ ଆସିବ।

ବାଗର୍ଥ, ଏନ୍ ୨/୨୬
ଆଇଆରସି ଭିଲେଜ୍, ଭୁବନେଶ୍ବର-୧୫
ମୋ- ୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର