ସୁନ୍ଦର ଶିକାରୀ

ଭାରତରେ ଚିତା ବାଘ ବା ଚିତା ଲୋପ ପାଇ ସାରିଛନ୍ତି କହିଲେ, ଏବେବି ଅନେକଙ୍କର ବିଶ୍ବାସ ହୁଏ ନାହିଁ; କାରଣ ସେମାନେ କଲରାପତରିଆ ବାଘକୁ ହିଁ ଚିତା ବୋଲି ଜାଣିଥାନ୍ତି। ଉଭୟଙ୍କ ପୋଷାକରେ ଥିବା ପାଖାପାଖି ସାଦୃଶ୍ୟ ଯୋଗୁଁ ଏହି ଭ୍ରମ ଧାରଣା ସୃଷ୍ଟି ହୋଇଥାଏ; କିନ୍ତୁ ବାସ୍ତବରେ ଭାରତ ସ୍ବାଧୀନତା ଲାଭ କରିବାର ପର ବର୍ଷରେ ହିଁ, ୧୯୪୮ରେ ତତ୍‌କାଳୀନ ମଧ୍ୟପ୍ରଦେଶର ବସ୍ତର ଜିଲ୍ଲା ଅନ୍ତର୍ଗତ କୋରିଆ ଠାରେ ଶେଷ ତିନି ଗୋଟି ଚିତାଙ୍କୁ ଗୁଳି କରି ଅବିଚାରିତ ଭାବରେ ମାରି ଦିଆଯିବା ପରେ ଭାରତରେ ଆଉ କେଉଁଠାରେ ବି ଚିତା ଦେଖିବାକୁ ମିଳି ନାହିଁ। ଶେଷରେ ୧୯୫୨ରେ ଭାରତରେ ଚିତାକୁ ବିଧିବଦ୍ଧ ଭାବରେ ବିଲୁପ୍ତ ପ୍ରାଣୀ ରୂପେ ଘୋଷଣା କରାଗଲା। ଚିତାର ସେଇ ବିଲୟ ସ୍ଥଳୀରେ ବର୍ତ୍ତମାନ ପୁଣି ଆଫ୍ରିକାରୁ ଚିତା ଆମଦାନି କରି ରୋପଣ କରିବା ପାଇଁ ଯେଉଁ ଉଦ୍ୟମ ସମ୍ବନ୍ଧରେ ସୂଚନା ପ୍ରସାରିତ ହୋଇଛି, ତାହାକୁ ୭୫ ବର୍ଷ ତଳେ ଘଟିଥିବା ସେଇ ଅକ୍ଷମଣୀୟ ଜୈବ ପାପର ପ୍ରକ୍ଷାଳନ ଦିଗରେ ଏକ ପ୍ରଚେଷ୍ଟା ରୂପେ ବିଚାର କରାଯାଇପାରେ।

ଯଦିବା ଚିତା ଠାରେ ସିଂହର ରାଜକୀୟ ଠାଣି ନଥାଏ, କିମ୍ବା ମହାବଳ ବାଘର ଭୟାନକ ଉପସ୍ଥିତି ନଥାଏ, କିମ୍ବା କଲରାପତରିଆର ଚୋରସୁଲଭ ଚତୁରତା ନଥାଏ; ଏହି ବଡ଼-ବିରାଡ଼ିମାନଙ୍କ ମଧ୍ୟରେ କାହାରି ଚାଲିଚଳନ ଯଦି ସର୍ବାଧିକ ଚିତ୍ତାକର୍ଷକ ହୋଇଥାଏ, ସେ ନିଃସନ୍ଦେହରେ ହେଉଛି ଚିତା। ଉଦାହରଣ ସ୍ବରୂପ ଶିକାର କରିବା ସମୟରେ ଚିତା ପ୍ରଦର୍ଶନ କରୁଥିବା ଆଚରଣ ଉପରେ ନଜର ପକାଯାଉ। ଏହି ସମୟରେ ଚିତାର ଆଚରଣରେ ଉଭୟ ବିଲେଇ ଓ କୁକୁରର ଆଚରଣର ସମାହାର ଦେଖିବାକୁ ମିଳିଥାଏ। ବିଲେଇ ଯେମିତି ଶିକାର କରିବା ସମୟରେ ନିଜର ପେଟକୁ ଭୂଇଁରେ ଲଗାଇ ଦେଇ ଛକି ଛକି ଶିକାର ଦିଗରେ ଅଗ୍ରସର ହୋଇଥାଏ, ଚିତା ଠିକ୍ ସେଇ ଭଳି ଭୂଇଁରେ ଲେପ୍‌ଟି ଯାଇ ଛୋଟ ଛୋଟ ବୁଦାରୁ ଆରମ୍ଭ କରି ଭୂଇଁର ଅସମତଳ ଅବସ୍ଥା ପର୍ଯ୍ୟନ୍ତକୁ ଆଢୁଆଳ ରୂପେ ବ୍ୟବହାର କରି ଧୀରେ ଧୀରେ ଅଗ୍ରସର ହୋଇ ଶିକାରର ନିକଟବର୍ତ୍ତୀ ହୋଇଥାଏ।

ବିଲେଇ କିନ୍ତୁ ଯେମିତି ଶେଷ ମୁହୂର୍ତ୍ତରେ ଆଢ଼ୁଆଳ ତ୍ୟାଗ କରି ଶିକାର ଉପରକୁ ଲମ୍ଫ ମାରେ, ଚିତା ସେଭଳି କରି ନଥାଏ। ଶିକାରକୁ ଧରିବା ପୂର୍ବରୁ ଚିତା ବିଲେଇ ଅବତାର ତ୍ୟାଗ କରି କୁକୁର ଅବତାର ଗ୍ରହଣ କରିଥାଏ। ଶିକାରୀ କୁକୁର ଶିକାର ପଛରେ ଖୋଲାରେ ଧାଇଁ ଧାଇଁ ତାକୁ ଦୌଡ଼ ପ୍ରତିଯୋଗିତାରେ ପରାସ୍ତ କରି ଶେଷରେ ମାଡ଼ି ବସିବା ଭଳି ଚିତା ଶିକାର କରିବାର ଶେଷ ଭାଗରେ ଆଢ଼ୁଆଳରୁ ବାହାରି ନିଜର ଅବିଶ୍ବାସ୍ୟ ମନେ ହେଉଥିବା ତୀବ୍ର ବେଗ ବ୍ୟବହାର କରି ଶିକାର ପଛରେ ଧାଇଁ ଶେଷରେ ତାକୁ ଧରି ପକାଇଥାଏ। ଯାହା ସମସ୍ତେ ଜାଣନ୍ତି, ଚିତା ହେଉଛି ପୃଥିବୀର ଦ୍ରୁତତମ ସ୍ଥଳଚର ପ୍ରାଣୀ। ଚିତା ଘଣ୍ଟାକୁ ୧୧୦ କିମି ବେଗରେ ଧାଇଁବାକୁ ଆରମ୍ଭ କରି ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ଏହି ବେଗ ବଜାୟ ରଖିପାରେ। ଉଭୟଙ୍କ ମଧ୍ୟରେ ଥିବା ତଫାତ୍‌ର ଦୂରତା ଓ ଉଭୟ ପକ୍ଷର ଗତିବେଗକୁ ବିଚାରକୁ ନେଇ ଚିତା ଶିକାର ପଛରେ ଧାଇଁବା ଆରମ୍ଭ କରିବାର ମୁହୂର୍ତ୍ତ ସ୍ଥିର କରିଥାଏ। ତା’ର ହିସାବ ଭୁଲ୍ ସାବ୍ୟସ୍ତ ହେଲେ ହରିଣ ଶେଷରେ ଖସି ପଳାଇ ଯାଏ। ଚିତାର ଏହି ଶିକାର କରିବା ଶୈଳୀ ସହିତ ତା’ର ଶରୀରର ଗଠନ ଏପରି ଖାପ୍ ଖାଇଥାଏ ଯେ, କେଉଁଟି ହେଉଛି କାର୍ଯ୍ୟ ଓ କେଉଁଟି ହେଉଛି କାରଣ- ତାହା ସ୍ଥିର କରିବା କଷ୍ଟକର ହୋଇଥାଏ: ନିର୍ଦ୍ଦିଷ୍ଟ ପ୍ରକାର ଶାରୀରିକ ଗଠନ ଯୋଗୁଁ ଚିତାର ଶିକାର ପଦ୍ଧତି ଏଭଳି ହୋଇଛି, ନା ଶିକାର ପଦ୍ଧତି ଏପରି ହୋଇଥିବାରୁ ତା’ ସହିତ ତାଳ ଦେବା ପାଇଁ ଚିତାର ଶରୀର ଏପରି ଆକୃତି ଗ୍ରହଣ କରିଛି? ସେ ଯାହା ହୋଇଥାଉ ନା କାହିଁକି, ଉଭୟଙ୍କ ମଧ୍ୟରେ ଦେଖାଯାଉଥିବା ତାଳ ମେଳ ନିଶ୍ଚୟ ବିବର୍ତ୍ତନବାଦୀ ଡାର୍‌ୱିନ୍‌ଙ୍କ ସମ୍ପୂର୍ଣ୍ଣ ଅନୁମୋଦନ ଲାଭ କରିଥିବ।

ଚିତାର ଶାରୀରିକ ଗଠନରେ ଅନ୍ୟାନ୍ୟ ବାଘ, ସିଂହ ଆଦି ବଡ଼-ବିରାଡ଼ିମାନଙ୍କ ଠାରୁ ଯେଉଁ ସବୁ ପାର୍ଥକ୍ୟ ଦେଖାଯାଇଥାଏ, ସେ ସମସ୍ତ ତାକୁ ଏହି ଢଙ୍ଗରେ ଶିକାର କରିବାରେ ସହାୟକ ହୋଇଥାଏ। ଏ ସବୁ ପାର୍ଥକ୍ୟମାନ ହେଲେ- ଚିତାର ଛୋଟିଆ ଗମ୍ବୁଜାକୃତି ଗୋଲାକାର ମୁଣ୍ଡ; ଅଣଓସାରିଆ ଗଭୀର ଛାତି ଓ ଶରୀର; ଲମ୍ବା ପେଶୀଯୁକ୍ତ ଗୋଡ଼ମାନ; ଏବଂ ତା’ର ଉନ୍ମୁକ୍ତ ପନ୍‌ଝା ଆଦି। ପବନ କାଟି ତୀର ବେଗରେ ଦ୍ରୁତଗାମୀ ହରିଣ ଆଦି ଶିକାର ପଛେ ଧାଇଁବାରେ ଏବଂ ସେତେବେଳେ ଭାରସାମ୍ୟ ନ ହରାଇବାରେ ଏସବୁ ଚିତାକୁ ସହାୟକ ହୋଇଥାନ୍ତି। ଏକ ଧାରଣା ବଳବତ୍ତର ଥିବା ଦେଖାଯାଇଥାଏ ଯେ ଚିତାର ପନ୍‌ଝାର ନଖ ମାନ ବିଲେଇ ବା ବାଘର ନଖ ଭଳି ଆଦୌ ଥାବା ଭିତରକୁ ଅପସାରିତ ହୋଇପାରି ନଥାଏ ଓ ସର୍ବଦା ଉନ୍ମୁକ୍ତ ଥାଏ। ସତ କଥା ହେଲା ଚିତା ମଧ୍ୟ ତା’ର ନଖ ସବୁକୁ ଚାହିଁଲେ ଆଂଶିକ ରୂପେ ଥାବା ଭିତରକୁ ଟାଣି ନେଇପାରେ; ତା’ ନଖର ଅସଲ ବୈଶିଷ୍ଟ୍ୟ ହେଲା ଏହା ଯେ ଅନ୍ୟ ବାଘମାନଙ୍କ ପରି ତା’ର ନଖ କୌଣସି ଖୋଳ ଦ୍ବାରା ସମ୍ପୂର୍ଣ୍ଣ ବା ଆଂଶିକ ଆବୃତ ହୋଇ ନଥାଏ। ଏହା ଭୂଇଁକୁ କାମୁଡ଼ିଧରି ଅତି ଦ୍ରୁତ ବେଗରେ ଧାଇଁବାରେ ତାକୁ ଯେତିକି ସହାୟକ ହୋଇଥାଏ, ଶେଷରେ ଶିକାର ଦେହରେ ଆଙ୍କୁଶି ପରି ବିଦ୍ଧ ହୋଇ ତାକୁ ଅଟକାଇ ଦେବାରେ ସେତିକି ଫଳପ୍ରଦ ହୋଇଥାଏ।

ଭାରତର ଉତ୍ତର-ପଶ୍ଚିମ ଗିରିପଥମାନ ଦେଇ ସିଂହ ଭଳି ଆଫ୍ରିକୀୟ ମୂଳର ଏହି ସୁନ୍ଦର ଶିକାରୀ ଆମ ଦେଶରେ ପ୍ରବେଶ କରିଥିଲା, ଯେଉଁ ବାଟ ଦେଇ ଏକଦା ମୋଗଲମାନେ ଏ ଦେଶରେ ଅନୁପ୍ରବେଶ କରିଥିଲେ। ଭାରତର ଉତ୍ତର ଓ କେନ୍ଦ୍ରାଞ୍ଚଳରେ ଥିବା ସମତଳ ଭୂମି ଏବଂ ଅନୁଚ୍ଚ ପାହାଡ଼ିଆ ଅଞ୍ଚଳରେ ଚିତା କ୍ରମେ ନିଜର ଆସ୍ଥାନ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଦାକ୍ଷିଣାତ୍ୟରେ ମହୀଶୂର ପର୍ଯ୍ୟନ୍ତ କାଁ ଭାଁ ମାଡ଼ିଯିବା ମଧ୍ୟ ଦେଖାଯାଇଥିଲା। ଏକ ସମୟରେ ଚିତାକୁ ଧରି ପୋଷା ମନାଇ ତାକୁ ପୋଷା ଡାହାଳ କୁକୁର ପରି ଶିକାର କାର୍ଯ୍ୟରେ ଲଗାଇବା ମଧ୍ୟ ଦେଖାଯାଇଥିଲା। ମୋଗଲ ବାଦ୍‌ଶାହ୍‌ ଆକ୍‌ବର ପୋଷା ଚିତା ସାଙ୍ଗରେ ନେଇ ପାରିଧିକୁ ଯିବା ଇତିହାସରେ ଲିପିବଦ୍ଧ ଅଛି।

ସେଇ ମନୁଷ୍ୟ ହାତରେ ଶେଷରେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଥିବା ଚିତା ଏବେ ଏ ଦେଶରେ ତା’ର ଆଉ ଏକ ପାଳି ଆରମ୍ଭ କରିବାର ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି, ତା’ପଛରେ ଯେଉଁମାନଙ୍କର ଅବଦାନ ରହିଛି, ସେମାନେ ହେଲେ ଭାରତର ସୁପ୍ରିମ୍ କୋର୍ଟ, ୱାଇଲ୍‌ଡ୍ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ମଧ୍ୟପ୍ରଦେଶ ସରକାର। ସୂଚନା ଅନୁସାରେ ପାଞ୍ଚଟି ମାଈ ଚିତାଙ୍କୁ ମିଶାଇ ଅନ୍ୟୂନ ଦଶଟି ଚିତାଙ୍କୁ ଦକ୍ଷିଣ ଆଫ୍ରିକାରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ନେସନାଲ୍ ପାର୍କରେ ଆସନ୍ତା ନଭେମ୍ବରରେ ଛାଡ଼ିଦିଆଯିବାର ଯୋଜନା ହୋଇଛି। ଚମ୍ବଲ ଅଞ୍ଚଳରେ ଅବସ୍ଥିତ ପ୍ରାୟ ୭୫୦ ବର୍ଗ କିମି ଅଞ୍ଚଳରେ ବିସ୍ତୃତ ଏହି ସୁରକ୍ଷିତ ଜଙ୍ଗଲରେ ଯଥେଷ୍ଟ ସଂଖ୍ୟକ ଚୌଶିଙ୍ଗା, ଚିଙ୍କାରା, ଚିତାଳ, ସମ୍ବର, ବାର୍‌ହା ଆଦି ଜନ୍ତୁ ଅଛନ୍ତି, ଯାହା ଏହି ଆଫ୍ରିକୀୟ ଆଗନ୍ତୁକମାନଙ୍କ ପାଇଁ ଏକ ଆଦର୍ଶ ଆହାର ଭିତ୍ତିଭୂମି ରୂପେ କାର୍ଯ୍ୟ କରିବ ବୋଲି ବିଶ୍ବାସ କରାଯାଉଛି। ଆଶା, ଏହା ଏଠାରେ ଚିତାର ବଂଶ ବୃଦ୍ଧିରେ ସହାୟକ ହେବ ଏବଂ ଭାରତରେ ତା’ର ଦ୍ବିତୀୟ ପାଳି ପ୍ରଥମ ପାଳି ଠାରୁ ଅଧିକ ଦୀର୍ଘସ୍ଥାୟୀ ହେବ।

ସମ୍ବନ୍ଧିତ ଖବର