ମହାମାରୀ, ମହାଯୁଦ୍ଧ ଓ ତା’ପରେ

ବିଜୟ ନାୟକ

ଜେରୁଜେଲମ୍‌ସ୍ଥିତ ହିବ୍ରୁ ବିଶ୍ୱବିଦ୍ୟାଳୟର ଇତିହାସ ଅଧ୍ୟାପକ ପ୍ରଫେସର ୟୁଭାଲ୍ ନୋହା ହାରାରି ଚଳିତ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଦୁଇ ଖଣ୍ଡ ଭଲ ବହି ବିଶ୍ୱକୁ ଭେଟି ଦେଇଛନ୍ତି। ପ୍ରଥମ ବହିଟି ‘ମାନବ ଜାତିର ସଂକ୍ଷିପ୍ତ ଇତିହାସ’ ଏବଂ ଅନ୍ୟଟି ‘ଆସନ୍ତା କାଲିର ସଂକ୍ଷିପ୍ତ ଇତିହାସ’। ଦ୍ୱିତୀୟ ବହିରେ ମାନବ ଜାତିର ସକାରାତ୍ମକ ଅଗ୍ରଗତି ବିଷୟରେ ସୂଚନା ପ୍ରଦାନ କରି ପ୍ରଫେସର ମହାଶୟ ବିଶ୍ୱବାସୀଙ୍କୁ ଚକିତ ନ କଲେ ବି ଚମତ୍କୃତ କରିଛନ୍ତି। ତାଙ୍କ ଦୃଷ୍ଟିରେ ମହାମାରୀ, ମହାଯୁଦ୍ଧ ଓ ଅନାହାର ରହିତ ଏକ ପୃଥିବୀ ଏକବିଂଶ ଶତାବ୍ଦୀର ଅନବଦ୍ୟ ଅବଦାନ। ଆବହମାନ କାଳରୁ ମଣିଷ ରୋଗ, ଯୁଦ୍ଧ ଓ ଭୋକର ଯାତନା ସହି ଆସିଛି। କିନ୍ତୁ ଆର୍ଥିକ ଅଭିବୃଦ୍ଧି, ବିଜ୍ଞାନ, ଭେଷଜ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଉପଲବ୍‌ଧି, ଉତ୍ତରଦାୟୀ ଶାସନ ଏବଂ ବାଣିଜ୍ୟର ବିଶ୍ୱାୟନ ଯୋଗୁଁ ପୃଥିବୀ ଏହି ମହାସଂକଟ ତ୍ରୟରୁ ମୁକ୍ତ ହୋଇଛି। କିନ୍ତୁ ‘ଆସନ୍ତା କାଲିର ସଂକ୍ଷିପ୍ତ ଇତିହାସ’ ବହିଟି ପ୍ରକାଶିତ ହେବାର ପାଞ୍ଚ ବର୍ଷ ନ ପୂରୁଣୁ ପ୍ରଫେସର ହାରାରିଙ୍କ ଭବିଷ୍ୟବାଣୀକୁ ଶକ୍ତ ଧକ୍‌କା ଦେଲା ଏକ ଅଶ୍ରୁତପୂର୍ବ ଭୂତାଣୁ- କରୋନା। କିଛି କାଳ ପାଇଁ ବିସ୍ମୟବିମୂଢ଼ ହୋଇଗଲା ବିଜ୍ଞାନ-ବିକଶିତ ବିଶ୍ୱ। ଖଣ୍ଡ ଖଣ୍ଡ ହୋଇଗଲା ବିଶ୍ୱ ଗ୍ରାମ। ଏକାନ୍ତ ବାସ ଓ ଦୈହିକ ଦୂରତା ହୋଇ ପଡ଼ିଲା ଅପରିହାର୍ଯ୍ୟ ଜୀବନ ସଂହିତା।

ପ୍ରଫେସର ହାରାରି ଲେଖିଥିଲେ ଯେ ପ୍ଲେଗ୍‌, ବସନ୍ତ, ହଇଜା ଓ ମ୍ୟାଲେରିଆ ଆଉ ମଣିଷକୁ ସେମାନଙ୍କ ନାଲିଆଖି ଦେଖାଇ ପାରୁ ନାହାନ୍ତି। ବିଜ୍ଞାନୀ ମଣିଷ ଦ୍ୱାରା ସେମାନେ ପରାଜିତ ହୋଇ ସାଜିଛନ୍ତି ପଳାତକ। ହୃଦ୍‌ଘାତ, କର୍କଟ, ବୃକ୍‌କ ଓ ଫୁସ୍‌ଫୁସ୍‌ର ବ୍ୟାଧି ତଥା ଆୟୁ ବୃଦ୍ଧି ଯୋଗୁଁ ବିଭିନ୍ନ ବାର୍ଦ୍ଧକ୍ୟଜନିତ ରୋଗରେ ଏକବିଂଶ ଶତାବ୍ଦୀର ମଣିଷ ପୀଡ଼ିତ। କିନ୍ତୁ ସେଥିପାଇଁ ଚିକିତ୍ସା, ଚିକିତ୍ସକ, ଔଷଧ ଓ ଉପଚାର- ସବୁ କିଛି ସୁଲଭ। ମହାମାରୀ ଅପେକ୍ଷା ଏହି ସବୁ ବ୍ୟାଧି ଦ୍ୱାରା ଅଧିକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି; ଅବଶ୍ୟ ଅତି ବୟସ୍କ ହେବା ପରେ। କିନ୍ତୁ କରୋନା ପ୍ରମାଣିତ କଲା ଯେ ପୃଥିବୀର ପର୍ଯ୍ୟାବରଣରେ ସଦା ଆତଯାତ ଭୂତାଣୁମାନେ ଯେ କୌଣସି ସମୟରେ ମଣିଷ ସମାଜ ପାଇଁ ଘାତକ ସାଜି ପାରନ୍ତି।
ତେବେ ପ୍ରଫେସର ହାରାରି ଉଲ୍ଲେଖ କରିଥିଲେ ଯେ ମଣିଷ ଜାତି କୌଣସି କଠୋର ନୀତି ବା ଆଦର୍ଶର ବଶବର୍ତ୍ତୀ ହୋଇ ନିଜେ ଚାହିଁଲେ ହିଁ ମହାମାରୀର ପୁନରାଗମନ ସମ୍ଭବ ହେବ। କରୋନା ମନୁଷ୍ୟ-କୃତ ବୋଲି ଯାହା କୁହାଯାଉଛି, ତାହା ହାରାରିଙ୍କ ଏମନ୍ତ ଉକ୍ତି ପରିପ୍ରେକ୍ଷୀରେ ବିଚାର୍ଯ୍ୟ। ଚୀନ୍‌ର ଉହାନ ସହର ଏହି ଭୂତାଣୁର ଉତ୍ପତ୍ତି ସ୍ଥଳ ଏବଂ ଏହାର ପୂର୍ବଜ ନ ଥିବାରୁ ଏହା କୃତ୍ରିମ ବୋଲି ବିଶ୍ୱର ଅନେକ ବୈଜ୍ଞାନିକଙ୍କ ମତ। କିନ୍ତୁ ଏହି ସଂଶୟ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନାହିଁ କି କମ୍ୟୁନିଷ୍ଟ ଚୀନ୍‌ ବିଶ୍ୱବାସୀଙ୍କୁ ଏ ବିଷୟରେ ସଂଶୟ ମୁକ୍ତ କରିବାକୁ ସକ୍ଷମ ହୋଇ ନାହିଁ। ମହାମାରୀର ବିଭୀଷିକାରୁ ଉତ୍ତୀର୍ଣ୍ଣ ହୋଇ ନ ଥିବା ପୃଥିବୀ ପୁଣି ଯୁଦ୍ଧର ଘନଘଟା ଭିତରେ ଛନ୍ଦି ହୋଇଗଲା। ହାରାରି କହିଥିଲେ ଯେ ସୀମା ବିବାଦ, ଛଦ୍ମ ଯୁଦ୍ଧ ଓ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଏକବିଂଶ ଶତାବ୍ଦୀର ଯୁଦ୍ଧ ସୀମିତ ରହିବ। କାରଣ ତାଙ୍କ ମତରେ ଏକବିଂଶ ଶତାବ୍ଦୀରେ ଧନକୁ ବଳରେ ଗଣାଯିବ ନାହିଁ, ଜ୍ଞାନ ହିଁ ବଳ। କିନ୍ତୁ ରୁଷିଆର ୟୁକ୍ରେନ୍ ଆକ୍ରମଣ ସୀମା ବିବାଦ କେବଳ ନୁହେଁ, ଆଉ କିଛି ମଧ୍ୟ। ୟୁକ୍ରେନ୍‌କୁ ‘ନାଟୋ’ ସଦସ୍ୟ ଦେଶଗୁଡ଼ିକର ଖୋଲା ସମର୍ଥନ ଏବଂ ଅନ୍ୟ କେତେକ ଦେଶର ରୁଷିଆ ପ୍ରତି ଦରଦ ବିଶ୍ୱକୁ ଦୁଇ ବିପରୀତମୁଖୀ ସଶକ୍ତ ଶିବିରରେ ପରିଣତ କରିବାକୁ ବସିଲାଣି। ବୃହତ୍ ଓ ବିତ୍ତଶାଳୀ ରୁଷିଆ କ୍ଷୁଦ୍ର ୟୁକ୍ରେନ୍‌କୁ ପରାହତ କରିବାକୁ ଏ ଯାବତ୍ ସମର୍ଥ ହୋଇନାହିଁ। ପରମାଣୁ ବୋମା ବିସ୍ଫୋରଣର ଧମକ ପୃଥିବୀକୁ ସ୍ତବ୍‌ଧ କଲାଣି। ଅନିଚ୍ଛାକୃତ ଭାବରେ ପୃଥିବୀ ଏକ ମହାଯୁଦ୍ଧ ଆଡ଼କୁ ଅଗ୍ରସର ହେଉ ନାହିଁ କି?
ମହାମାରୀ ଓ ମହାଯୁଦ୍ଧର ପରିଣତି କ’ଣ? ମହାମାରୀ ବିଶ୍ୱର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିସାରିଛି। ସେହି ବିପର୍ଯ୍ୟୟ ମଧ୍ୟରୁ ବିଭିନ୍ନ ରାଷ୍ଟ୍ର ମୁକ୍ତ ହେବାକୁ ପ୍ରୟାସ କରୁଥିବା ବେଳେ ଯୁଦ୍ଧଜନିତ ବିଭିନ୍ନ ସମସ୍ୟା ସାରା ପୃଥିବୀକୁ କବଳିତ କରିବାକୁ ବସିଲାଣି। ହାରାରିଙ୍କ ମତରେ ଏକବିଂଶ ଶତାବ୍ଦୀରେ ଖାଦ୍ୟାଭାବ ଏକ ସମସ୍ୟା ନୁହେଁ; ସମସ୍ୟା ମେଦ ବହୁଳତା। ସେ ତ ଠାଏ ଉଲ୍ଲେଖ କରିଛନ୍ତି ଯେ ବାରୁଦ ଅପେକ୍ଷା ଶର୍କରା ଅଧିକ ମାରାତ୍ମକ, ଅଲ୍‌ କାଏଦା ଅପେକ୍ଷା ଅଧିକ ଭୟଙ୍କର କୋକାକୋଲା! ଶର୍କରା ବୃଦ୍ଧି ଓ ମେଦ ବହୁଳତାର ମୁଖ୍ୟ କାରଣ କୋକାକୋଲା। କିନ୍ତୁ ମହାମାରୀ ଓ ମହାଯୁଦ୍ଧ ବିକଶିତ ବିଶ୍ୱର ଅବଶ୍ୟମ୍ଭାବୀ ଦାରିଦ୍ର୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନେକ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବାର ସମ୍ଭାବନାକୁ କ’ଣ ଏଡ଼େଇ ଦିଆଯାଇ ପାରିବ? ଶରଣାର୍ଥୀ ସମସ୍ୟା ଦାରିଦ୍ର୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବାହକ ହେବ ନାହିଁ କି?
ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ବିଶ୍ୱବାସୀ ସ୍ୱପ୍ନ ପ୍ରବଣ ହୋଇପଡ଼ିଥିଲେ ଯେ ବିଶ୍ୱରେ ଆଉ ମହାମାରୀର ଭୟ, ଯୁଦ୍ଧର ବିଭୀଷିକା ଏବଂ ଅନାହାରର ଉତ୍ପୀଡ଼ନ ରହିବ ନାହିଁ। ଏପରି କି ଅନଗ୍ରସର ଦେଶର ନାଗରିକମାନେ ଏକ ସମ୍ଭାବ୍ୟ ସମୃଦ୍ଧିର ଆଶାରେ ବିଭୋର ହୋଇପଡ଼ିଥିଲେ। କିନ୍ତୁ ମଣିଷ ତ କାଳେକାଳେ ମଣିଷ ଜାତିର ଶତ୍ରୁ। ଯୁଦ୍ଧ ସବୁବେଳେ ମଣିଷକୃତ। ମହାମାରୀ ମଧ୍ୟ ଯେ ମଣିଷକୃତ ହୋଇପାରେ; ଏପରି ଏକ ବିମର୍ଷକର ଧାରଣା ମଣିଷ ଜାତିକୁ ବିଚଳିତ କଲାଣି। ବୁଭୁକ୍ଷା ତା’ର କାୟା ବିସ୍ତାର କରିବାର ସମୟ ପାଖେଇ ଆସିଲାଣି। ମାନବ ସଭ୍ୟତାର ଚିର ଶତ୍ରୁ ମହାମାରୀ, ମହାଯୁଦ୍ଧ ଓ ଅନାହାରର ଅନ୍ତ କାହିଁ? ବିଶ୍ୱ ବିବର୍ତ୍ତନର କର୍ତ୍ତା ଓ କାରଣ ବିଜ୍ଞାନ କ୍ଷମତାର ଆଜ୍ଞାବହ ହୋଇ ରହିଥିବା ପର୍ଯ୍ୟନ୍ତ ମାନବ ଜାତିର ମୁକ୍ତିର ଦିଗନ୍ତ ଏକ ମରୀଚିକା ମାତ୍ର।
ଅବଶ୍ୟ ଧନୀ ଦେଶମାନେ ବିଶ୍ୱର ବୁଭୁକ୍ଷୁ ଜନତାଙ୍କ ପାଇଁ ଅନ୍ନର ବ୍ୟବସ୍ଥା କରିବେ। କିନ୍ତୁ ତାହା ହେବ ଅହଂକାର ମିଶ୍ରିତ ଅନ୍ନ! ବିତ୍ତ ଓ ପ୍ରଭୁତ୍ୱ ନିକଟରେ ମଥାନତ କରିବା ବୋଧହୁଏ ମଣିଷ ଭାଗ୍ୟର ବିଡ଼ମ୍ବନା।
[email protected]

ସମ୍ବନ୍ଧିତ ଖବର