ଗଲା ଏପ୍ରିଲ ୧୬ ତାରିଖ ଦିନ ‘ସମ୍ବାଦ’ର ସ˚ପାଦକୀୟ ପୃଷ୍ଠାରେ ପ୍ରକାଶିତ ‘କହିବାର ଅଛି’ ସ୍ତମ୍ଭରେ ଦାଶ ବେନହୁରଙ୍କ ଦ୍ବାରା ଲିଖିତ ‘କ˚ଗ୍ରେସ ପୁରାଣ’ ଏହି ଲେଖାର ସୃଷ୍ଟି ଲାଗି ଖୋରାକ ଯୋଗାଇଛି। ଏହାର ଲେଖକ ଏକଦା ଥିଲେ କ˚ଗ୍ରେସ ଦଳର ଜଣେ ସଦସ୍ୟ। ସଦ୍ୟ ସ୍ବାଧୀନତା ଲାଭ କରିଥିବା ନବଜାତ ରାଷ୍ଟ୍ର ଭାରତ ଝୁଣ୍ଟି ଉଠି ନିଜକୁ ଗଢ଼ିବା ଦିଗରେ ଅଗ୍ରସର ହେବା ବେଳେ କିଭଳି କ˚ଗ୍ରେସ ନେତୃତ୍ବ ତାର ବାଟ କଢ଼ାଇ ନେଇଥିଲା; ତାର ଏକ ଧାରଣା ଐତିହାସିକ ପୃଷ୍ଠଭୂମି ସହିିତ ଲେଖକ ଏଠାରେ ପ୍ରଦାନ କରିଛନ୍ତି।

Advertisment

ସନ ୧୯୪୭ ମସିହା, ଅଗଷ୍ଟ ୧୪ ତାରିଖର କୃଷ୍ଣପକ୍ଷ ସନ୍ଧ୍ୟା ରାଜଧାନୀ ଦିଲ୍ଲୀ ଉପରେ ନଇଁ ଆସିଥାଏ, ଅପେକ୍ଷାକୃତ କମ ସ˚ଖ୍ୟକ ନକ୍ଷତ୍ର ଖଚିତ ଆକାଶ ସହିତ। ପରିବେଶ ଥାଏ, ଉଦାସ, ଗମ୍ଭୀର ଓ ବିଷଣ୍ଣ। ବଡ଼ଲାଟ ମାଉଣ୍ଟବ୍ୟାଟେନଙ୍କର କଡ଼ା ନିର୍ଦ୍ଦେଶ ଥାଏ, ରାତି ୧୦ ଘଣ୍ଟା ପୂର୍ବରୁ ରାଜଧାନୀର ସବୁ ସରକାରୀ ଦପ୍ତର, ଅଥବା ଅଫିସରମାନଙ୍କ ରହଣି ଭବନ ଉପରୁ ‘ୟୁନିଅନ ଜ୍ୟାକ’ଗୁଡ଼ିକୁ ଓହ୍ଲାଇ ଦିଆଯାଇଥିବ। ଏକ ମାତ୍ର ‘ୟୁନିଅନ୍‌ ଜ୍ୟାକ’ ବଡ଼ଲାଟଙ୍କ ଭବନ ଉପରେ ଉଡ୍ଡୀୟମାନ ରହିବ ରାତି ୧୨ ଘଣ୍ଟା ପର୍ଯ୍ୟନ୍ତ।

ପ୍ରାୟ ୩୦୦ ବର୍ଷ ଧରି, ବ୍ରିଟିସ ରାଜର ଏହି ଦୃପ୍ତ ପତାକାମାନ ରାଜଧାନୀ ଆକାଶରେ ଉଡ଼ି ଆସିଥିଲେ; ପ୍ରଭୃତ୍ବର ଉଦ୍‌ଘୋଷଣ କରି। ସନ୍ଧ୍ୟା ୭ ଘଣ୍ଟା ପରେ ଅବତରଣ ପର୍ବ ଆରମ୍ଭ ହେଲା। ଅବତରଣ ବେଳେ, ବିଗୁଲ ଓ ସାହାନାଇରେ ବାଜୁଥିଲା କରୁଣ ରାଗ। ପ୍ରତ୍ୟେକଟି ‘ୟୁନିଅନ୍‌ ଜ୍ୟାକ’ ଏହି ଶୈଳୀରେ ଓହ୍ଲାଉଥିଲା ବେଳେ ବଡ଼ଲାଟଙ୍କ ଅଙ୍ଗରକ୍ଷୀ ସେନାମାନଙ୍କ ଆଖିରୁ ଝରୁଥିଲା ଅଶ୍ରୁ। ଅନୁରୂପ ଭାବେ ଆଖିରୁ ଅଶ୍ରୁ ବର୍ଷଣ କରିଥିଲେ ଦିଲ୍ଲୀ ବାସୀ। ମାଉଣ୍ଟ ବ୍ୟାଟେନ ତାଙ୍କ ଭାରତ-ରହଣି ବିଷୟ ସ୍ମରଣ କରି ଏଠାରୁ ଫେରିବା ପରେ ଯେଉଁ ଆତ୍ମଜୀବନୀ ଲେଖିଲେ, ସେଥିରେ ଭାରତୀୟ ଜନଗଣଙ୍କର ଏହି ମହାନତାର ଭୂୟସୀ ପ୍ରଶ˚ସା କରିଥିଲେ।

ମହାନଗରୀ ଦିଲ୍ଲୀର ୧୭ ୟାର୍କ ରୋଡ୍‌ସ୍ଥିତ ବାସଭବନରେ ଜବାହରଙ୍କ ମୁଣ୍ତ ଓ ମୁହଁ ଉପରେ ବିଭିନ୍ନ ସ˚ପ୍ରଦାୟର ସାଧୁ ସନ୍ୟାସୀମାନେ ହୋମ ଯଜ୍ଞର ଭସ୍ମ ଆଣି ବୋଳି ଚାଲୁଥିଲେ। ଅନ୍ୟ ଦିନ ହୋଇଥିଲେ ଜବାହରଲାଲ ବିରକ୍ତ ହୋଇଥାଆନ୍ତେ। କାରଣ ‘ହି ଵାଜ ଏ ପାଗାନ’(ସେ ଧର୍ମରେ ବିଶ୍ବାସ କରୁ ନ ଥିଲେ)। ରାତି ୧୦ଟା ବେଳକୁ ଧୂଆଧୋଇ ହୋଇ ଖାଇବା ପାଇଁ ବସିବା ବେଳେ ବୈଠକଖାନାରୁ ଆସିଥିଲା ଟେଲିଫୋନ କଲ୍‌। ଉଠିଯାଇ ଜବାହର ଟେଲିଫୋନ ଧରିବା ପରେ ଚିତ୍କାର କରି ଉଠିଥିଲେ। ପାଖ ଘରୁ କନ୍ୟା ଇନ୍ଦିରା ଓ ସେଦିନ ତାଙ୍କ ଘରର ଅତିଥି ପଦ୍ମଜା ନାଇଡୁ ଆସି ଦେଖନ୍ତି ଯେ ମୁଣ୍ତକୁ ଚିପି ଧରିଛନ୍ତି ଜବାହର ଓ ତାଙ୍କ ଗଣ୍ତ ଉପରେ ବହୁଛି ଅଶ୍ରୁଧାର। ହତଭମ୍ବ ହୋଇ ପଡ଼ିଥିଲେ ଇନ୍ଦିରା। ବାପାଙ୍କ କାନ୍ଦିବା ଦୃଶ୍ୟ ସେ ଥରେ ଦେଖିଥିଲେ ମା’ଙ୍କ ବିୟୋଗ ପରେ; ଏବେ ଦେଖୁଛନ୍ତି ଦ୍ବିତୀୟ ବାର।

ଟେଲିଫୋନ ଆସିଥିଲା ଲାହୋରରୁ। ମାତ୍ର କେଇଘଣ୍ଟା ପୂର୍ବରୁ ପାକିସ୍ତାନ ବାଣ୍ଟରେ ପଡ଼ିଥିବା ପୁରୁଣା ନଗରୀ ଲାହୋରର ହିନ୍ଦୁ ଓ ଶିଖ୍‌ ପରିବାରର ବସତିିଗୁଡ଼ିକୁ ଜଳଯୋଗାଣ କାଟି ଦିଆଯାଇଥିଲା। ଲାହୋରରେ ସେଦିନ ଥିଲା ଭୟଙ୍କର ନିଦାଘର ରୌଦ୍ର। ସ୍ତ୍ରୀ ଲୋକମାନେ ବୟସ୍କ ପୁରୁଷ ଓ ଯୁବକଙ୍କୁ ନ ପଠାଇ, ନିଜକୁ ଓ ପିଲାମାନଙ୍କୁ ନେଇ ବାହାରକୁ ଯାଉଥିଲେ। ଭାବିଥିଲେ କାଳେ ଦୟା ହେବ; କିନ୍ତୁ ପାଣି ମୁନ୍ଦେ ପାଇଁ ଆକୁତି କଲା ବେଳେ ହାଣ ଖାଉଥିଲେ, ଅଥବା ଅତ୍ୟାଚାରିତ ହେଉଥିଲେ। ଇନ୍ଦିରା ଓ ପଦ୍ମଜା ତାଙ୍କୁ ବୁଝାଇଲା ବେଳେ ସେ କୋହଭରା କଣ୍ଠରେ କହୁଥିଲେ- ‘ସେପରି ଅବସ୍ଥାରେ ଆଉ ମାତ୍ର ୧ ଘଣ୍ଟା ୪୦ ମିନିଟ୍‌ ପରେ ସମ୍ବିଧାନ ପ୍ରଣୟନ ସଭାରେ ସେ କି ଉଦ୍‌ବୋଧନ ରଖିବେ?’ ପାଠକମାନେ ବିଚାରକୁ ନେବେ, ଜବାହରଲାଲ କିପରି ହଠାତ୍‌ ମୁଡ୍‌ ବଦଳାଇ କ୍ୟାପଟେନ ରବର୍ଟ ଆଟକିନ୍‌ ନାମକ ଜଣେ ବ୍ରିଟିସ ଯୁବକଙ୍କ ନେତୃତ୍ବରେ ଗୁର୍ଖା ବାହିନୀର ୨୦୦ ଜଣ ସେନାଙ୍କ ସହ ୫୦ଟି ଜିପ୍‌ ଓ ୨୦୦ଟି ଟ୍ରକ ପଠାଇଥିଲେ ସେମାନଙ୍କୁ ସେହି ରାତିରେ ଲାହୋରରୁ ଉଦ୍ଧାର କରିବା ପାଇଁ। ଏହା ପରେ ଜବାହର ପହଞ୍ଚି ଥିଲେ ସମ୍ବିଧାନ ପ୍ରଣୟନ ସଭାରେ। ଖଦୀ ପରିହିତ ସଭ୍ୟ ଓ ସଭ୍ୟାଙ୍କ ଉପସ୍ଥିତିରେ ବିଶାଳକାୟ ସଦନ ଥିଲା ଭରପୁର। ସମସ୍ତଙ୍କ ଆଖି ଲାଖି ରହିଥିଲା ବୃହତ୍ତାକାର କାନ୍ଥ ଘଣ୍ଟାର ରୋମାନ ‘XII’ ବିନ୍ଦୁକୁ କେତେବେଳେ ଘଣ୍ଟା କଣ୍ଟା ଛୁଇଁବ! ଶଙ୍ଖ ଓ ବିଗୁଲ ବାଦକ ମାନଙ୍କ ଅଧର ଲାଗି ରହିଥାଏ ଶଙ୍ଖ ଓ ବିଗୁଲ ମୁହଁ ଉପରେ। ସମ୍ବୋଧନ କରିବା ଲାଗି ଦଣ୍ତାୟମାନ ଜବାହର। ସେ ଦିଶୁଥିଲେ ଉଦାସ ଓ ବିଷଣ୍ଣ। ଆଉ ମାତ୍ର କେତୋଟି ମିନିଟ ପରେ ତାଙ୍କ କାନ୍ଧ ଉପରେ ରହିବ ନବଜାତକ ଭାରତର ଦାୟିତ୍ବ; ଯେଉଁ ଭାରତରେ ସେଦିନ ୨୭ କୋଟି ୫୦ ନିୟୁତ ଜନତା ହିନ୍ଦୁ, ଯେଉଁମାନଙ୍କ ଭିତରୁ ୭ କୋଟି ଲୋକ ଅଛୁଆଁ; ୩ କୋଟି ୫୦ ନିୟୁତ ମୁସଲମାନ। ୬ ନିିୟୁତ ଶିଖ, ୧ ଲକ୍ଷ ପାର୍ଶୀ, ୨୪ ହଜାର ସରିକି ଇହୁଦୀ। (ଖ୍ରୀଷ୍ଟିଆନ ଓ ଅନ୍ୟ ଜାତିର ହିସାବ ଅନୁପଲବ୍‌ଧ) ସଭାରେ ଉପବିଷ୍ଟ ସଦସ୍ୟଗଣଙ୍କ ମଧୢରୁ ଆଙ୍ଗୁଠିରେ ଗଣା ହେବା ପରି ଅଳ୍ପ ସଦସ୍ୟ କଥା ହେଉଥିଲେ ସ୍ଥାନୀୟ ଭାଷାରେ। ପ୍ରାୟ ଅଧିକା˚ଶଙ୍କର ଭାବ ବିନିମୟୀ ଭାଷା ଥିଲା ଇ˚ରେଜୀ। ଦେଶ ଚଳାଇବା ପାଇଁ ବ୍ରିଟିସ ଇଣ୍ତିଆ ଠାରୁ ମଞ୍ଜୁର ମିଳିଥିଲା ପନ୍ଦରଟି ଦପ୍ତରୀୟ ଆ˚ଚଳିକ ଭାଷାକୁ। ଦେଶରେ କିନ୍ତୁ ହାଟବଜାର ପାଇଁ ଚଳୁଥିଲା ୮୪୫ଟି ଉପଭାଷା (Direct)।

ଏହା ବ୍ୟତୀତ ନେତୃତ୍ବକୁ ଆହ୍ବାନ ଓ ମୁହ୍ୟମାନ କରିବା ପାଇଁ ସମସ୍ୟାବଳୀ ଥିଲା ଭିନ୍ନ ଭିନ୍ନ ସାମ୍ମୁଖ୍ୟରେ। ସେଦିନ ଭାରତରେ ଯେତିକି କୁଷ୍ଠରୋଗୀ ଥିଲେ, ସେମାନେ ସ˚ଖ୍ୟାରେ ସୁଇଜରଲ୍ୟାଣ୍ତର ଲେକସ˚ଖ୍ୟା ଠାରୁ ଅଧିକ। ଯେତିକି ସ˚ଖ୍ୟାରେ ମଠାଧୀଶ ଓ ମହନ୍ତ ଥିଲେ ସେମାନେ ‘ବେଲଜିୟମ’ର ଜନସ˚ଖ୍ୟାଠାରୁ ଅଧିକ ହେବେ। ଭିକ୍ଷୁକମାନଙ୍କ ସ˚ଖ୍ୟା ‘ନେଦରଲ୍ୟାଣ୍ତ’ ଜନସ˚ଖ୍ୟା ଠାରୁ ଅଧିକ ଥିଲା। ଖାସ୍‌ ୧୧ ନିୟୁତ ଲୋକେ ଥିଲେ ସାଧୁ, ସନ୍ୟାସୀ, ଅସ˚ସାରୀ ଓ ପରାନ୍ନ ଭୋଜି। ୧୦ ନିୟୁତ ପାଖାପାଖି ଲୋକଙ୍କର ସ୍ଥାୟୀ ବାସ ନ ଥିଲା; ସେମାନେ ଥିଲେ ସାପୁଆ କେଳା, ହାତ ଦେଖି ଭବିଷ୍ୟବାଣୀ ଦେବା ଜ୍ୟୋତିଷ, ଗାଁ ରୁ ଗାଁକୁ ବୁଲୁଥିବା ବାଉଁଶରାଣୀ ଖେଳ ଦେଖାଇବା ଦଳ। ସେଦିନ ଏହିପରି ଏକ ଭାରତର ସ୍ଥୂଳ ଚିତ୍ରଟି ଜବାହରଙ୍କ ଆଖି ଆଗରେ ଝୁଲୁଥିଲା। ତାହା ସତ୍ତ୍ବେ, ସ˚ସଦକୁ ଉଦ୍‌ବୋଧନ ତାଙ୍କ ଥିଲା ସର୍ବକାଳୀନ କ୍ଲାସିକ; ଆବେଗଭରା, ଅର୍ଥବହ ଓ ତାତ୍ତ୍ବିକ। ମନର ସେହି ଅବସ୍ଥାରେ ଏପରି ଉଦ୍‌ବୋଧନ ରଖିବାର ସାମର୍ଥ୍ୟ କେବଳ ଜବାହରଙ୍କର ଥିଲା। ସେ ବେଳର ଏହି ଆରମ୍ଭ ପାଇଁ କିଏ ଆଉ ତାଙ୍କ ସରିକି ଥିଲେ?

ପୂର୍ବରୁ କହିଛି ସ୍ବାଧୀନ ଭାରତର ଆଦ୍ୟ ପାଦର ଯାତ୍ରା ଥିଲା କଣ୍ଟକପୂର୍ଣ୍ଣ। ଆରମ୍ଭ ଦିନର ୩୩ କୋଟି ଜନସ˚ଖ୍ୟାର ଭାରତ ଆସି ପହଞ୍ଚିଛି ୧୩୦ କୋଟିରେ। ଆରମ୍ଭ ଦିନର ଖାଦ୍ୟ ଅନଟନ ଆଜି ବଳକା ସ୍ଥିତିରେ। ସେଦିନର ହାରାହାରି ଆୟୁଷ ଭାରତୀୟମାନଙ୍କର ଥିଲା ୩୮.୫ ବର୍ଷ। କ˚ଗ୍ରେସ ସରକାରମାନେ ତାହାକୁ ପହଞ୍ଚାଇ ଥିଲେ ୬୮ ବର୍ଷରେ। ସ˚ପ୍ରତି ଭାରତ ଯେଉଁ ସବୁ ବିଭାବରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଦାବି ରଖେ, ସେ ସବୁର ମୂଳଦୁଆ ପଡ଼ିଥିଲା ସ୍ବର୍ଗତ ପ୍ରଧାନମନ୍ତ୍ରୀ ଜବାହରଙ୍କ ହସ୍ତାକ୍ଷରରେ। ସବୁ ବୃହତ୍‌ ଶିଳ୍ପାନୁଷ୍ଠାନ, ବନ୍ଦର, ବିଶ୍ବବିଦ୍ୟାଳୟ, ଗବେଷଣା ପାଇ ଉଚ୍ଚତର ଅନୁଷ୍ଠାନମାନ ତାଙ୍କର ମାନସ ସନ୍ତାନ ଥିଲେ। ସତ କହିଲେ ଜବାହର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ନଥିଲେ ଭାରତରେ ଏକ ଧର୍ମନିରପେକ୍ଷ ସମ୍ବିଧାନ ପ୍ରସ୍ତୁତ କରିବା ସମ୍ଭବ ହୋଇପାରିଥାନ୍ତା କି ବୋଲି ବେଳେ ବେଳେ ମନରେ ସନ୍ଦେହ ଉପୁଜିଥାଏ। ପଶ୍ଚିମା ରାଜନୀତି- ପଣ୍ତିତମାନେ ଆଦ୍ୟ ପାଦରେ ଭାରତର ସାମାଜିକ ଅବସ୍ଥା ଲକ୍ଷ୍ୟ କରି ମନ୍ତବ୍ୟ ଦେଇଥିଲେ ଭାରତ ଏକ ବିରୋଧାଭାସର ସମାହାର ଥିବା ଦେଶ। ଏପରି ସମାଜର ପୃଷ୍ଠଭୂମିରେ, ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉଧେଇ ପାରିବ ନାହିଁ ବୋଲି ସେମାନେ ଗଣମାଧୢମରେ ମତ ମନ୍ତବ୍ୟ ରଖୁଥିଲେ। ଅପର ପକ୍ଷରେ, ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ସ˚ସଦୀୟ ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରତି କ˚ଗ୍ରେସ ଦଳକୁ ଦୃଢ଼ ଭାବରେ ଆସ୍ଥାବାନ କରିଥିବାରୁ ଏବ˚ ନିଜେ ଜଣେ ସମର୍ପିତ ଦେଶଭକ୍ତ ଜନ ନେତା ହୋଇଥିବାରୁ ଆମେ ଆଜି ସ˚ସଦୀୟ ଗଣତନ୍ତ୍ରକୁ ପୁଷ୍କଳ କରିପାରିଛୁ। ୧୯୪୭ ମସିହାରେ ବର୍ଣ୍ଣିତ ହୋଇଥିବା ଅବସ୍ଥାର ଭାରତକୁ ଆଜି ଆମେ ଏହି ଚେହେରାରେ ଦେଖିବାକୁ ପାଇ ନ ଥାନ୍ତୁ, ଯଦି ଜବାହରଙ୍କ ଭିତରେ କିଛି ବ୍ୟକ୍ତିଗତ ଦୁର୍ବଳତା ଓ କ୍ଷୁଦ୍ରତା ଦେଖି ଥାଆନ୍ତେ ସମସାମୟିକ ଭାରତର ଜନତା ଓ ନେତା। ସାଧାରଣ ଜୀବନରେ ସାମାନ୍ୟ ତ୍ରୁଟି, ବିଚ୍ୟୁତି କିମ୍ବା ଅନାଚାରକୁ ସେ ସହ୍ୟ କରୁନଥିଲେ। ଅଳ୍ପ କେତୋଟି ଉଦାହରଣରୁ ପାଠକମାନେ ଏହାର ପ୍ରମାଣ ସାଉଁଟି ପାରିବେ। ୧୯୫୬ରେ ଏଚ.ଜି. ମୁଦ୍‌ଗଲ ନାମରେ କ˚ଗ୍ରେସର ଜଣେ ପ୍ରଭାବଶାଳୀ ସା˚ସଦ, ନ୍ୟସ୍ତସ୍ବାର୍ଥ ଥିବା ଜଣେ ବ୍ୟକ୍ତିଙ୍କ ପାଇଁ ସ˚ସଦରେ ପ୍ରଶ୍ନଟିଏ ପଚାରିବାକୁ ୫୦୦୦/- (ପାଞ୍ଚ ହଜାର ଟଙ୍କା) ଦେଇଥିଲେ।

ଅଭିଯୋଗ ଉପରେ ତଦନ୍ତ କରି, ସତ୍ୟତା ଥିବାରୁ, ସେ ତାଙ୍କୁ ସଦନରୁ ବହିଷ୍କୃତ କରିଥିଲେ ଏବ˚ ଦଳରୁ ପରବର୍ତ୍ତୀ ୫ ବର୍ଷ ପାଇଁ ପ୍ରାର୍ଥୀ କରାନଯିବା ପାଇଁ ନିଷ୍ପତ୍ତି ନିଷ୍ପାଦନ କରାଇଥିଲେ। ୧୯୫୮ ମସିହାରେ କୋଲକାତାର ହରିଦାସ ମୁନ୍ଦ୍ରା ନାମକ ଜଣେ ବ୍ୟବସାୟୀ, ଭାରତୀୟ ଜୀବନ ବୀମା ନିଗମକୁ ୧ କୋଟି ୨୫ ଲକ୍ଷ ଟଙ୍କାର ଜାଲ ସେୟାର ବିକ୍ରି କରି ଧରାପଡ଼ିଥିଲେ। ଏଥିରେ ଅର୍ଥ ମନ୍ତ୍ରଣାଳୟର ଅପ୍ରତ୍ୟକ୍ଷ ସ˚ପୃକ୍ତି ଥିବାର ଜାଣି, ସେହି କାରଣରୁ ପ୍ରଧାନମନ୍ତ୍ରୀ ଜବାହର ତଦାନୀନ୍ତନ ଅର୍ଥମନ୍ତ୍ରୀ ଟି.ଟି କ୍ରିଷ୍ଣମାଚାରୀଙ୍କୁ ମନ୍ତ୍ରୀପଦ ତ୍ୟାଗ କରିବାକୁ ଆଦେଶ ଦେଇଥିଲେ। ପ୍ରକାଶ ଥାଉ କି, ଟି.ଟି. କ୍ରିଷ୍ଣମାଚାରୀ ସେତେବେଳେ କ˚ଗ୍ରେସର ଜଣେ ମୁର୍ଦ୍ଧନ୍ୟ ନେତା ଥିଲେ। ହରିଦାସ ମୁନ୍ଦ୍ରାଙ୍କ ଠାରୁ ଅର୍ଥ ଆଦାୟ ହୋଇଥିଲା ଏବ˚ ତାଙ୍କୁ ୧ ବର୍ଷ ୧୦ ମାସ କାରାଦଣ୍ତ ଭୋଗିବାକୁ ପଡ଼ିଥିଲା।

୧୯୫୯ ମସିହାରେ ଭାରତ ସରକାରଙ୍କର ଜିପ୍‌ କିଣା ବ୍ୟାପାରରେ ଜବାହରଙ୍କର ଅନ୍ତରଙ୍ଗ ବନ୍ଧୁ କୃଷ୍ଣମେନନ୍‌ ଓ କେ.ଡି. ମାଲବ୍ୟଙ୍କ ପୁଅମାନଙ୍କର କମ୍ପାନି ସହିତ ପ୍ରଚ୍ଛନ୍ନ ସ˚ପର୍କ ଥିବାର ଅଭିଯୋଗ ସ˚ସଦରେ ଆସିଥିଲା। କାଳ ବିଳମ୍ବ ନ କରି ପ୍ରଧାନମନ୍ତ୍ରୀ ତଦନ୍ତରେ ଜାଣିବାକୁ ପାଇଥିଲେ ଯେ ଅଭିଯୋଗରେ ସତ୍ୟତା ଥିଲା। ସେଥିପାଇଁ କ˚ଗ୍ରେସ ଦଳର ସେ ଦୁଇ ସହଯୋଗୀ ମହାରଥୀଙ୍କୁ ଯଥାଶୀଘ୍ର ପଦତ୍ୟାଗ କରିବାକୁ ଆଦେଶ ଦେଇଥିଲେ। ବାଉଦପୁର ରେଳ ଦୁର୍ଘଟଣାରେ ଲାଲ ବାହାଦୁର ଶାସ୍ତ୍ରୀଜୀଙ୍କର କିଛି ବି ତ୍ରୁଟି ନ ଥିଲା। ମାତ୍ର ସେ ଯେତେବେଳେ ପଣ୍ତିତଜୀଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ, ସେ ତାହା ଗ୍ରହଣ କରି ନେଇଥିଲେ ଏବ˚ ତାଙ୍କୁ ଖଣ୍ତିଏ ଚିଠି ଲେଖିଥିଲେ।
‘ଆପଣଙ୍କ ଏହି କାର୍ଯ୍ୟଟି ପାଇଁ ଆପଣ ସବୁଦିନ ସମସ୍ତଙ୍କର ଆଦରଣୀୟ ଓ ଆଦର୍ଶ ହୋଇ ରହିବେ। ଆପଣଙ୍କର ଏହି ଉଦାହରଣ ସମସ୍ତଙ୍କ ପାଇଁ ରାଜଧର୍ମ ଭାବରେ ବିବେଚିତ ହେବ।’ ପରିଶେଷରେ ମୁଁ ଏତିକି କହିବି ଯେ ଆଜି ଦିଲ୍ଲୀଠାରୁ ଚୁଲି ପର୍ଯ୍ୟନ୍ତ ଆତଯାତ ହେଉଥିବା କ˚ଗ୍ରେସିଆ ବନ୍ଧୁ ଏହି ପ୍ରେକ୍ଷାପଟ୍ଟରୁ କିଛି ଆଦର୍ଶ ଓ ବିଚାର ତୋଳନ୍ତୁ।
ଗଜପୀଠ, ପୁନ୍ଦାଳୋ, ପାଟକୁରା, କେନ୍ଦ୍ରାପଡ଼ା
ମୋ:୯୭୭୭୨୦୫୬୮୪