ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସ୍ଥିତି

ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ପଶ୍ଚିମ ବିଚ୍ଛିନ୍ନାଞ୍ଚଳରେ ପାଞ୍ଚଟି ଜିଲ୍ଲାରେ ପ୍ରାୟ ଏକ କୋଟି ଓଡ଼ିଆ ଭାଷାଭାଷୀ ବାସ କରନ୍ତି। ଏବେ ଏହି ସବୁ ଜିଲ୍ଲା ଛତିଶଗଡ଼ ରାଜ୍ୟରେ। ଛତିଶଗଡ଼ର ମୋଟ ଜନସ˚ଖ୍ୟା ପ୍ରାୟ ତିନି କୋଟି ହୋଇଥିବାରୁ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ହେଉଛି ଏକ ତୃତୀୟା˚ଶ। କିନ୍ତୁ ଦୁଃଖର କଥା ଛତିଶଗଡ଼ ରାଜ୍ୟର ବିଧାନସଭାରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ଜଣେ ହେଲେ ଓଡ଼ିଆ ଜନ ପ୍ରତିନିଧି ନାହାନ୍ତି। ଏହି ଅଞ୍ଚଳର ପିଲାମାନେ ବାଧୢ ହୋଇ ହିନ୍ଦୀ ଶିଖୁଛନ୍ତି ଓ ହିନ୍ଦୀ ମାଧୢମରେ ପାଠ ପଢୁଛନ୍ତି। ଏହି ଅଞ୍ଚଳରେ ଥିବା ଓଡ଼ିଆ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷକ ସ୍ଥାନରେ ହିନ୍ଦୀ ଶିକ୍ଷକ ନିଯୁକ୍ତ କରାଯାଇ ଓଡ଼ିଆ ଶିକ୍ଷାଦାନ ବ୍ୟବସ୍ଥାର କଣ୍ଠରୋଧ କରାଯାଇଛି। କିନ୍ତୁ ଏବେ ବି ସେଠାକାର ଓଡ଼ିଆ ଅଧିବାସୀଙ୍କ ଘରେ ଓଡ଼ିଆ ଭାଷା, ସ˚ସ୍କୃତି ଓ ଜଗନ୍ନାଥ ପ୍ରୀତି ଅତୁଟ ରହିଛି।

ନିକଟରେ ଛତିଶଗଡ଼ର ଓଡ଼ିଆ ଭାଷାଭାଷୀ ରାଇଗଡ଼ ଜିଲ୍ଲାର ପାଦିଗାଁ ନିବାସୀ ସତ୍ୟଶଙ୍କର ଭୋଇ ଦେବନାଗରୀ (ହିନ୍ଦୀ) ଲିପିରେ ଅତିବଡ଼ୀଙ୍କ ରଚିତ ଓଡ଼ିଆ ଭାଗବତର ଏକାଦଶ ସ୍କନ୍ଧକୁ ଲେଖି ସ୍ବତନ୍ତ୍ର ଭାବରେ ଛପାଇଛନ୍ତି। ଏହା ଦ୍ବାରା ହିନ୍ଦୀ ଲିପିରେ ପାଠ ପଢୁଥିବା ଓଡ଼ିଆ ପିଲାଏ ଓଡ଼ିଆ ଭାଗବତ ପଢ଼ି ପାରିବେ। ଏହିପରି କିଛି ଉଦ୍ୟମ ଚାଲିଛି; ଯେମିତି କି ଓଡ଼ିଶାର ଭାଗବତ ଟୁଙ୍ଗୀ ପ୍ରସାର ସମିତି ପକ୍ଷରୁ ଝାରସୁଗୁଡ଼ାର ସମାଜସେବୀ କ୍ଷମାସାଗର ଭୋଇଙ୍କ ପ୍ରଚେଷ୍ଟାରେ ପଶ୍ଚିମ ବିଚ୍ଛିନ୍ନାଞ୍ଚଳରେ ୧୨୫ଟି ଭାଗବତ ଟୁଙ୍ଗୀ ଗଢ଼ି ଉଠିଛି; ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ମଣ୍ତଳ ପକ୍ଷରୁ ପର୍ଶୁରାମ ଦ୍ବିବେଦୀ ଓ ସୀତାରାମ ମହାପାତ୍ର ପ୍ରମୁଖ ମଧ୍ୟ ଏହି ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ଏଥିରେ ଦୁର୍ଭାଗ୍ୟର ବିଷୟ ହେଲା, ସରକାରୀ ନିୟମ ଥିବା ସତ୍ତ୍ବେ ବିଚ୍ଛିନ୍ନାଞ୍ଚଳରେ ସଂଖ୍ୟାଲଘୁ ଭାଷାଭାଷୀଙ୍କ ଲାଗି ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯାଉନାହିଁ। ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଶା ସରକାରଙ୍କ ଗ୍ରାଣ୍ଟ୍‌ରେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷକମାନଙ୍କୁ ଯତ୍‌ ସାମାନ୍ୟ ବେତନର ବ୍ୟବସ୍ଥା ସହ ନିଯୁକ୍ତ କରାଯାଉଛି, କିନ୍ତୁ ସ୍ଥିତି ହତାଶାଜନକ ଏବଂ ଏହା ଦ୍ବାରା ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ସେହିଭଳି ଓଡ଼ିଶାର ଉତ୍ତର ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳା, ଖରସୁଆଁ, ସି˚ହଭୂମି ଓ ମେଦିନୀପୁର(ଝାରଖଣ୍ତ ଓ ପଶ୍ଚିମ ବଙ୍ଗରେ) ଏବଂ ଦକ୍ଷିଣ ବିଚ୍ଛିନ୍ନାଞ୍ଚଳରେ ସମାନ ଅବସ୍ଥା। କିନ୍ତୁ ସୌଭାଗ୍ୟର କଥା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୁଷ୍ଟିମେୟ ବ୍ୟକ୍ତି ବା ଅନୁଷ୍ଠାନଙ୍କ ପଥିକୃତ୍‌ ଉଦ୍ୟମ ମଧ୍ୟ ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ଘୁମୁସରର ଡିମିରିପଲ୍ଲୀ ନିବାସୀ ବର୍ଷୀୟାନ୍‌ ସମାଜସେବୀ କାଶୀନାଥ ଗୌଡ଼ ଜାମ୍‌ସେଦପୁରରେ ରହି ଷଢେ଼ଇକଳା, ଖରସୁଆଁ ଓ ସି˚ହଭୂମି ଅଞ୍ଚଳରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛନ୍ତି। ସେହିଭଳି ପଶ୍ଚିମ ସି˚ହଭୂମି ଜିଲ୍ଲାର ସରୋଜ ପ୍ରଧାନ ଝାଡ଼ଖଣ୍ତରେ ଓଡ଼ିଆ ଭାଷାର ସୁରକ୍ଷା ଲାଗି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏ ସବୁ ସମୁଦ୍ରକୁ ଶ‌େଙ୍ଖ ପାଣି ଭଳି। ତେଣୁ ପ୍ରଶ୍ନ ଉ‌େଠ ଯେ ଏଭଳି ସ୍ଥିତିରେ ଓଡ଼ିଆ ଭାଷା ବଞ୍ଚିବ କିପରି?

ଏ ପରିପ୍ରେକ୍ଷୀରେ ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା, ପ୍ରତ୍ୟେକ ରାଜ୍ୟରେ ବାସ କରୁଥିବା ସ˚ଖ୍ୟାଲଘୁ ଭାଷାଭାଷୀଙ୍କ ପାଇଁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ସକାଶେ ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ରହିଛି। ଏଥିରେ କୁହାଯାଇଛି ଯେ ପ୍ରତ୍ୟେକ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳରେ ବାସ କରୁଥିବା ସ˚ଖ୍ୟାଲଘୁ ଭାଷାଭାଷୀମାନଙ୍କ ଲାଗି ସେମାନଙ୍କ ପାଠ୍ୟ ପୁସ୍ତକକୁ ମାତୃଭାଷାରେ ଅନୁବାଦ କରି ଯୋଗାଇଦେବା ଆବଶ୍ୟକ। ସେହିପରି ଆମ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଥିବା ଶିକ୍ଷାଧିକାରୀମାନେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ଓ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ଇତ୍ୟାଦି ପ୍ରତ୍ୟକ୍ଷ ଭାବରେ ପରିଚାଳନା କରିପାରିବେ। ଆମ ରାଜ୍ୟର ବିଦ୍ୟାଳୟମାନଙ୍କରେ ନିଯୁକ୍ତ ସରକାରୀ ଶିକ୍ଷକଙ୍କ ସମତୁଲ ପାହ୍ୟା ଓ ଦରମା ଭିତ୍ତିରେ ଓଡ଼ିଆ ଶିକ୍ଷକ ନିଯୁକ୍ତ କରି କୌଣସି ଏଜେଣ୍ଟ ଯେମିତିକି ଉତ୍କଳ ସମ୍ମିଳନୀ ଜରିଆରେ ଗ୍ରାଣ୍ଟ୍‌ ଦେବାର ବ୍ୟବସ୍ଥା ମଧ୍ୟ ଅଛି। କେବଳ ଦରକାର ଏ ସବୁର କାର୍ଯ୍ୟକାରିତା ନେଇ ସରକାରୀ ସ୍ତରରେ ଆଗ୍ରହ ଓ ଅନୁରକ୍ତି। ଏହି ଲେଖକ ଗୃହ ବିଭାଗର ଅତିରିକ୍ତ ସଚିବ ଥିଲା ବେଳେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଗୃହ ବିଭାଗ ଅଧୀନରେ ଗୋଟିଏ ସ୍ବତନ୍ତ୍ର ସେକ୍‌ସନ୍‌ ଥିଲା ଏବଂ ଏଥି ସ˚ପୃକ୍ତ କାର୍ଯ୍ୟ ସମୀକ୍ଷା କରିବା ପାଇଁ ବର୍ଷରେ ଏକାଧିକ ବାର ମୁଖ୍ୟ ଶାସନ ସଚିବଙ୍କ ଅଧୢକ୍ଷତାରେ ବୈଠକ ବସୁଥିଲା ଯହିଁରେ ପଡ଼ୋଶୀ ରାଜ୍ୟମାନଙ୍କର ପ୍ରତିନିଧିମାନେ ଯୋଗ ଦେଉଥିଲେ। ଏହିଭଳି କ୍ରିୟାଶୀଳତା ସର୍ବଦା ଦୃଷ୍ଟିଗୋଚର ହେବା ଜରୁରୀ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତତ୍ତ୍ବାବଧାନରେ ଏ ଦିଗରେ ପର୍ଯ୍ୟାପ୍ତ କାର୍ଯ୍ୟ ହାତକୁ ନିଆଯାଉ। ଏହା ସହିତ ଉତ୍କଳ ସମ୍ମିଳନୀ, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ତଳୀ ଏବଂ ଭାଗବତ ଟୁଙ୍ଗୀ ପ୍ରସାର ସମିତି ଆଦି ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସ˚ଗଠିତ କରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଗାଢ଼ ଉଦ୍ୟମ ହେଉ।
ମୋ- ୯୮୫୩୩୩୫୯୬୨

ସମ୍ବନ୍ଧିତ ଖବର