ପଡ଼ୋଶୀଙ୍କ ଚକ୍ରବ୍ୟୂହ

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଆଫଗାନିସ୍ତାନରେ ଆମେରିକୀୟ ସେନାଙ୍କ ଅପସାରଣ ପରେ ସେଠାରେ ତାଲିବାନମାନେ ପୁଣି ପ୍ରଭା‌ବ ବିସ୍ତାର କରିବା ଆରମ୍ଭ କଲେଣି। ସେମାନେ ଦେଶର ୮୫ ଭାଗ ଦଖଲ କରି ନେଇଥିବା ବିଷୟ ଦାବି କରିଛନ୍ତି। ଏହା ଭାରତର ଚିନ୍ତା ବୃଦ୍ଧି କରିଛି। କାରଣ ଭାରତକୁ ମୂଳରୁ ଏକ ଘୃଣାଭରା ନଜରରେ ଦେଖୁଥିବା ତାଲିବାନମାନେ ଚୀନ ସହିତ ହାତ ମିଳାଇଛନ୍ତି। ମୂଳରୁ ତ ପାକିସ୍ତାନ ସେମାନଙ୍କ ସୃଷ୍ଟିକର୍ତ୍ତା ଓ ସମର୍ଥକ ହୋଇ ରହି ଆସିଛି। ସେହି ପରିପ୍ରେକ୍ଷୀରେ ପଡ଼ୋଶୀ ଆଫଗାନିସ୍ତାନରେ ତାଲିବାନଙ୍କ ପୁନରୁଦୟ ଭାରତ ଲାଗି ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବା ସ୍ବାଭାବିକ।

ତେବେ କେବଳ ତାଲିବାନ ଅଧିକୃତ ଆଫଗାନିସ୍ତାନ ଯେ ଭାରତ ଲାଗି ଚିନ୍ତାର କାରଣ ହେବ, ତାହା ନୁହେଁ; ଭାରତର ଅନ୍ୟାନ୍ୟ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟ ଭାରତ ପ୍ରତିକୂଳ ମନୋଭାବ ‌େପାଷଣ କରୁଥିବା ଦେଖିବାକୁ ମିଳୁଛି। ଆମ ଦେଶର ବୈଦେଶିକ ନୀତିରେ ତ୍ରୁଟି ଯୋଗୁ ହେଉ ବା ଅନ୍ୟ କୌଣସି କାରଣ ଲାଗି ହେଉ; ଭାରତ ଏବେ ବିରୋଧୀ ମନୋଭାବାପନ୍ନ ପଡ଼ୋଶୀମାନଙ୍କ ଦ୍ବାରା ପରିବେଷ୍ଟିତ।
ଏ ସଂଦର୍ଭରେ ପାକିସ୍ତାନ ବିଷୟରେ ଅଧିକ କୁହାଯିବା ଅନାବଶ୍ୟକ। ଦେଶ ବିଭାଜନ ପର ଠାରୁ ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବାର ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖି ଆସିଛି। କାଶ୍ମୀର ପ୍ରସଙ୍ଗରେ ଆତଙ୍କବାଦକୁ ଅସ୍ତ୍ର କରି ପାକିସ୍ତାନ ପକ୍ଷରୁ ଭାରତର ଆଭ୍ୟନ୍ତରୀଣ ଶାନ୍ତିରେ ବ୍ୟାଘାତ ଘଟାଇବାର ଉଦ୍ୟମ କରାଯାଉଛି। ଦୁଇ ରାଷ୍ଟ୍ର ମଧ୍ୟରେ ସଂପର୍କକୁ ସୁଧାରିବା ଲାଗି ଭାରତର ଅନେକ ପ୍ରୟାସ ବିଫଳ ହୋଇଛି। ସଂପ୍ରତି ଚୀନ ପାକିସ୍ତାନ ସହିତ ମିଶି ଯାଇ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲାଗି ରହିବା ଫଳରେ ସ୍ଥିତି ଆହୁରି ଅଧିକ ଜଟିଳ ହୋଇପଡ଼ିଛି। ପୂର୍ବରୁ ଚୀନ ସହିତ ଭାରତର ଏକ ଅସହଜ ସଂପର୍କ ଥିଲା ସତ, କିନ୍ତୁ ତାହା ଏବେ ଯେଉଁଭଳି ତିକ୍ତ ହୋଇ ଉଠିଛି; ସେମିତି ୧୯୬୨ ମସିହା ପର ଠାରୁ କେବେ ହୋଇ ନ ଥିଲା। ତେବେ, ଯାହା ଉଦ୍‌ବେଗର ବିଷୟ ତାହା ହେଲା, ଏକ ନୂତନ ରଣନୀତି ଭାବେ ଚୀନ ଏବେ ଭାରତର ସମସ୍ତ ବନ୍ଧୁଭାବାପନ୍ନ ପଡ଼ୋଶୀମାନଙ୍କୁ ନିଜ ପଟକୁ ଟାଣି ଆଣିବାର ଉଦ୍ୟମ କରି ଅନେକାଂଶରେ ସଫଳ ହେଲାଣି ମଧ୍ୟ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶପଥ ଗ୍ରହଣ ଉତ୍ସବକୁ ‘ସାର୍କ’ ଦେଶଗୁଡ଼ିକର ଶାସନ-ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିରେ ଥିଲେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ଏବଂ ମାଳଦୀପର ଶାସନ ମୁଖ୍ୟ ବା ପ୍ରତିନିଧି। ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଭଳି କରି ନ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଏକ ନୂତନ ଅାଭିମୁଖ୍ୟ ପଛରେ ନିହିତ ଉଦ୍ଦେଶ୍ୟ ଥିଲା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ପ୍ରତିଷ୍ଠାର ଉଦ୍ୟମ। ଏଥିପାଇଁ ବ୍ୟକ୍ତିଗତ ସ୍ତର‌େର ମଧ୍ୟ ସେ ଅନେକ ଉଦ୍ୟମ କରିଛନ୍ତି। ସେହି ପରିପ୍ରେକ୍ଷୀରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାତୁଣୀ ବାହାଘର ଉତ୍ସବରେ ‌ ମୋଦୀଙ୍କ ଅଚାନକ ଯୋଗଦାନ କଥାଟି ସ୍ମରଣଯୋଗ୍ୟ। ସେମିତି ଚୀନ ରାଷ୍ଟ୍ରପତିଙ୍କୁ ଭାରତ ଆମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ଯେଉଁ ଆତିଥେୟତା ପ୍ରଦାନ କରିଥିଲେ, ତାହା ଥିଲା ବିରଳ ଏବଂ ତାହା ମଧ୍ୟ ଥିଲା ଚୀନ ସହିତ ସଂପର୍କରେ ଉନ୍ନତି ଆଣିବା ଉଦ୍ୟମର ଏକ ଅଂଶ। ଏଠାରେ ସୂଚନାଯୋଗ୍ୟ ଯେ ବିଗତ ୭ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ପ୍ରାୟ କୋଡ଼ିଏ ଥର ସାକ୍ଷାତ ହୋଇ ସାରିଛି।
କିନ୍ତୁ ବିଡ଼ମ୍ବନା, ଏହା ସତ୍ତ୍ବେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ସୁଧୁରୁ ନାହିଁ ଏବଂ ଭାରତ ଓ ଚୀନ ମଧ୍ୟରେ ସଂପର୍କ ଖୁବ୍‌ ଅଧିକ ବିଗିଡ଼ି ଯାଇଛି। କେବଳ ସେତିକି ନୁହେଁ , ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦୀପ ଭଳି ପଡ଼ୋଶୀ ଦେଶ ଏବେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଛନ୍ତି।

ସମସ୍ତେ ଜାଣନ୍ତି ଯେ ବାଂଲାଦେଶ ସୃଷ୍ଟି ହେବା ପର ଠାରୁ ଭାରତ ସହିତ ତା’ର ଏକ ଗଭୀର ମୈତ୍ରୀପୂର୍ଣ୍ଣ ସଂପର୍କ ରହି ଆସିଥିଲା। ୨୦୧୫ରେ ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ବିବାଦର ଅବସାନ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହାଦ୍ବାରା ଦ୍ବିପାକ୍ଷିକ ସଦ୍‌ଭାବରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା। କିନ୍ତୁ ଭାରତରେ ‘ଏନ୍‌ଆର୍‌ସି’ ବା ‘ଜାତୀୟ ନାଗରିକ ପଞ୍ଜିକା’ ତଥା ‘ସିଏଏ’ ବା ‘ନାଗରିକତା ସଂଶୋଧନ ଆଇନ’ ଭଳି ପ୍ରସଙ୍ଗ ଏକ ତୀବ୍ର ବିବାଦକୁ ଜନ୍ମ ଦେଲା, ଯେଉଁ କାରଣରୁ ବାଂଲାଦେଶ ସରକାର ଭାରତ ସରକାରଙ୍କ ଉପରେ ଅସନ୍ତୁଷ୍ଟ ହେଲେ। ସେହି କାରଣରୁ ଦୁଇ ଦେଶ ମଧ୍ୟରେ ଦୂରତା ବୃଦ୍ଧି ପାଇଛି, ଯାହାର ସୁଯୋଗ ନେଇଛି ଚୀନ। ଏବେ ସେଠାରେ ଚୀନ ବିପୁଳ ପୁଞ୍ଜିନି‌େବଶ କରିବା ସହିତ ଆନ୍ତରିକତା ବୃଦ୍ଧିର ଉଦ୍ୟମ କରୁଛି। ସେମିତି ସାଂସ୍କୃତିକ, ସାମାଜିକ ଏବଂ ଧାର୍ମିକ ବନ୍ଧନରେ ଭାରତ ସହିତ ଯୋଡ଼ି ହୋଇ ରହିଥିବା ଭାରତର ଆଉ ଏକ ପାରଂପରିକ ମିତ୍ର ତଥା ଏକମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳ ମଧ୍ୟ ଏବେ ବିରୋଧୀ ମନୋଭାବ ପୋଷଣ କରିବାରେ ଲାଗିଛି। ଅବଶ୍ୟ, ଏହାର କାରଣ ରାଜନୈତିକ; ଯାହାର ଚେର ରହିଛି ଭାରତକୁ ସମର୍ଥନ କରୁଥିବା ‘ମାଧୋଶୀ’ ବର୍ଗୀୟ ନେପାଳ ଅଧିବାସୀଙ୍କ ସହିତ ପାହାଡ଼ୀ ନେପାଳୀମାନଙ୍କ ମନାନ୍ତର। ନେପାଳ ସରକାରଙ୍କ ଭାରତ ବିରୋଧୀ ମନୋଭାବ ସ୍ପଷ୍ଟ ହୋଇଥିଲା, ଯେତେବେଳେ ସେ ଦେଶର ସମ୍ବିଧାନରେ ସଂଶୋଧନ କରାଯାଇ ନେପାଳରେ ରହୁଥିବା ଏକ ବିଶାଳକାୟ ମାଧୋଶୀ ବର୍ଗଙ୍କୁ କ୍ଷତି ପହଞ୍ଚାଇବାର ବ୍ୟବସ୍ଥା କରାଗଲା ଓ ତା’ ପରେ ନେପାଳର ମାନଚିତ୍ରରେ ପରିବର୍ତ୍ତନ କରି କିଛି ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଗଲା। ନେପାଳରେ ଦୀର୍ଘ କାଳ ଧରି କମ୍ୟୁନିଷ୍ଟ ଶାସନ ଚାଲି ଆସିଛି ଯାହାର ଭରପୂର ସୁଯୋଗ ନେଇ କମ୍ୟୁନିଷ୍ଟ ଚୀନ ଦ୍ବାରା ନେପାଳକୁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତାର ପ୍ରଲୋଭନ ଦେଖାଇ ବଶୀଭୂତ କରାଯାଉଛି।

ସେହିଭଳି ଶ୍ରୀଲଙ୍କା ଏବଂ ମାଳଦୀପ ମଧ୍ୟ ପାରଂପରିକ ଭାବେ ଭାରତର ମିତ୍ର ରାଷ୍ଟ୍ର ହୋଇ ରହିଥିଲେ। ଏବେ ସେହି ଦେଶ ଦ୍ବୟରେ ରାଜନୈତିକ କ୍ଷମତା ପରିବର୍ତ୍ତନ ହେବା ସହିତ ଭାରତ ସହିତ ସଂପର୍କର ସମୀକରଣରେ ମଧ୍ୟ ପରିବର୍ତ୍ତନ ଦେଖା ଦେଲାଣି। ଏହାର ସୁଯୋଗ ନେଇ ଚୀନ ନିଜର ସ୍ବାର୍ଥ ପୂରଣ ପାଇଁ ଏହି ସବୁ ଦେଶରେ ବିପୁଳ ପୁଞ୍ଜି ବିନି‌େଯାଗ କରିବାରେ ଲାଗିଛି। ଏକ ହିସାବ ଅନୁସାରେ ଶ୍ରୀଲଙ୍କା, ମାଳଦୀପ, ପାକିସ୍ତାନ, ବାଂଲାଦେଶ ଏବଂ ନେପାଳରେ ଚୀନ ପକ୍ଷରୁ ୧୫୦ ବିଲିଅନ ଡଲାର ପୁଞ୍ଜିନିବେଶ କରାଯାଇଛି, ଯାହା ଏହି ସବୁ ଦେଶରେ ସର୍ବାଧିକ ବିଦେଶୀ ପୁଞ୍ଜି।

ଏବେ ଭୁଟାନ ହେଉଛି ଏକମାତ୍ର ପଡ଼ୋଶୀ, ଯାହା ସହିତ ଭାରତର ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ରହିଛି। କିନ୍ତୁ ଏହା କେତେ ଦିନ ତିଷ୍ଠିବ, ତାହା ମଧ୍ୟ ସନ୍ଦେହରେ। ଭାରତ ଓ ଭୁଟାନ ସୁସଂପର୍କ ଲାଗି ଭୁଟାନର ଯେଉଁ ଗୋଟିଏ ସ୍ବାର୍ଥ ଦାୟୀ, ତାହା ହେଉଛି ଚୀନ ସହିତ ଏହାର ସୀମା ବିବାଦ; ଯେଉଁଥି ଲାଗି ତାକୁ ଭାରତ ଭଳି ଆଉ ଏକ ବୃହତ୍‌ ଶକ୍ତିର ସହଯୋଗ ଓ ସମର୍ଥନ ଲୋଡ଼ା। ଚୀନ ଏହି ସ୍ଥିତିରେ ପରିବର୍ତ୍ତନ ଆଣି ଭୁଟାନକୁ ନିଜ ପକ୍ଷକୁ ଆଉଜାଇ ଆଣିବାର ତଥା ଭାରତକୁ ଏକଘରକିଆ କରିଦେବାର ଉଦ୍ୟମ ଯେ ନ କରିବ, ତାହା କହି ହେଉନାହିଁ।

ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ କହନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବର ଦ୍ବିତୀୟ ପାଳିରେ ନିଜ ପଡ଼ୋଶୀମାନଙ୍କ ସହିତ ସୁସଂପର୍କ ରକ୍ଷାକୁ ଗୁରୁତ୍ବ ଦିଆ ନ ଯାଇ ଦୂରବର୍ତ୍ତୀ ଆମେରିକା, ଇସ୍ରାଏଲ, ଅାରବ ରାଷ୍ଟ୍ର ବା ୟୁରୋପୀୟ ରାଷ୍ଟ୍ର ସହିତ ସଂପର୍କକୁ ମଜଭୁତ କରିବା ଲାଗି ଉଦ୍ୟମ ଆରମ୍ଭ ହେଲା। କିନ୍ତୁ ସେହି କ୍ରମରେ ଦୂର ରାଷ୍ଟ୍ରମାନଙ୍କ ସହିତ ସଂପର୍କରେ ତ ସେଭଳି ବିଶେଷ ଉନ୍ନତି ଆସିଲା ନାହିଁ, ବରଂ ଏଣେ ଗୋଟିକ ପରେ ଗୋଟିଏ ପଡ଼ୋଶୀ ରାଷ୍ଟ୍ର ଭାରତ ଠାରୁ ଦୂରେଇବାରେ ଲାଗିଲେ। କହିବା ବାହୁଲ୍ୟ ଯେ ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତି ରୂପେ ମୁଣ୍ଡ ଟେକିବାକୁ ବାହାରିଥିବା ଚୀନ ତା’ର ଏକମାତ୍ର ଏସୀୟ ପ୍ରତିଦ୍ବନ୍ଦ୍ବୀ ଭାରତକୁ ନିର୍ବଳ କରିବାକୁ ଚାହେଁ। ସେଥି ଲାଗି ଦକ୍ଷିଣ ଏସିଆରେ ଭାରତ-ବିରୋଧୀ ମନୋଭାବାପନ୍ନ ପଡ଼ୋଶୀଙ୍କ ଏକ ଚକ୍ରବ୍ୟୂହ ରଚନା କରିବା ଦିଗରେ ଚୀନ ଉଦ୍ୟମରତ। କିନ୍ତୁ ବିଡ଼ମ୍ବନା, ଭାରତ ଏ କ୍ଷେତ୍ରରେ ଚୀନ ସହିତ ଉଚିତ ମୁକାବିଲା କରିପାରିନାହିଁ।

ସମ୍ବନ୍ଧିତ ଖବର