ମନ ପରିଭାଷା, ଜୀବନକୁ ଜାଣିବାର ପାଞ୍ଚ ଦ୍ବାର

ଫକୀର ମୋହନ ସାହୁ

ଭାରତୀୟ ପାର˚ପରିକ ଆଦର୍ଶ ଇନ୍ଦ୍ରିୟ-ଲାଳସାର ବିରୋଧ କରିଥାଏ। ଏହା ଇନ୍ଦ୍ରିୟର ନିୟନ୍ତ୍ରଣ ଉପରେ ଗୁରୁତ୍ବ ଆରୋପ କରେ। ଏହାକୁ ସ˚ଯମ ବୋଲି କୁହାଯାଇଛି। ମନୁଷ୍ୟ ତାର ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, ନାସିକା, କର୍ଣ୍ଣ, ଚର୍ମ ଓ ଜିହ୍ବା) ମାଧୢମରେ ହିଁ ବହିର୍ଜଗତ୍‌ ସମ୍ପର୍କରେ ଜ୍ଞାନ ବା ଧାରଣା ଆହରଣ କରିଥାଏ ଏବ˚ ତା’ ଆଧାରରେ ଜୀବନ ପରିଚାଳନା କରିଥାଏ। ତେଣୁ ସ˚ଯମ ନୁହେଁ ବର˚ ଇନ୍ଦ୍ରିୟାନୁଭୂତିର ସୁଉପଯୋଗ ବିଶେଷ ପ୍ରଣିଧାନଯୋଗ୍ୟ।

ବିଶ୍ବବନ୍ଦିତ ଭାରତୀୟ ଦାର୍ଶନିକ ଜିଡୁ କୃଷ୍ଣମୂର୍ତ୍ତି ଇନ୍ଦ୍ରିୟକୁ ଶାଣିତ କରିବାକୁ ଉପଦେଶ ଦେଉଥିଲେ। ଏହି ପରିପ୍ରେକ୍ଷୀରେ ପ୍ରକୃତି କୋଳରେ ଦୀର୍ଘ ସମୟ ବିତାଇବା ବା ନବ ପଲ୍ଲବିତ ପତ୍ରଟିଏକୁ ଅନ୍ତରଙ୍ଗ ଭାବେ ଅବଲୋକନ କରିବା ବା ସମୁଦ୍ର ତରଙ୍ଗ ମାଳାର ନିର୍ଘୋଷକୁ ବହୁ ସମୟ ଧରି ଶୁଣିବା ପରି କାର୍ଯ୍ୟରେ ମଗ୍ନ ରହିବା ଲାଗି ସେ ପରାମର୍ଶ ଦେଇଥିଲେ। ବୌଦ୍ଧ ଦର୍ଶନର ଜେନ୍‌ ପରମ୍ପରାର ଧୢାନରେ (Mindfulness Meditation) ମଧୢ ନିମଗ୍ନତାକୁ ପ୍ରାଧାନ୍ୟ ଦିଆଯାଇଛି। ଏହାର ଉଦାହରଣ ସ୍ବରୂପ ପରାମର୍ଶ ଦିଆଯାଇଥାଏ ଯେ ଖାଇବା ସମୟରେ ତରବର ନ ହୋଇ ଖାଦ୍ୟର ରୂପ, ରସ, ସ୍ବାଦ ଓ ସୁଗନ୍ଧ ଇତ୍ୟାଦି ପ୍ରତି ସଚେତନ ରହ। ଏଭଳି ଏକ ଜାଗ୍ରତ ଅବସ୍ଥା ହେଉଛି ଜେନ୍‌ ଧୢାନର ମୁଖ୍ୟ ଉପାଦାନ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ସ୍ନାୟୁ ବିଜ୍ଞାନ ସମ୍ପର୍କିିତ ନିର୍ଦ୍ଦେଶାବଳୀ ବିଷୟରେ ଜାଣିବା। କହିବା ଅନାବଶ୍ୟକ ଯେ ବିଗତ ଚାଳିଶ ବର୍ଷ ମଧୢରେ ସ୍ନାୟୁ ବିଜ୍ଞାନର (Neuro science) ଅଭୂତପୂର୍ବ ବିକାଶ ଘଟିଛି। ପେଟ୍‌ ସ୍କାନ ଓ ଏମ୍‌.ଆର‌୍‌.ଆଇ. ପରି ପ୍ରଯୁକ୍ତି ଦ୍ବାରା ମସ୍ତିଷ୍କର ଛବି-ଉତ୍ତୋଳନ କରାଯିବା ପରେ ଆମ ଜ୍ଞାନର ରାଜ୍ୟ ବିସ୍ତାରିତ ହୋଇଛି। ସ୍ନାୟୁ ବିଜ୍ଞାନର ସିଦ୍ଧାନ୍ତ ଆଧାରରେ ପଞ୍ଚେନ୍ଦ୍ରିୟ ବାବଦରେ ମଧୢ ଅନେକ କଥା ଜଣାପଡୁଛି।

ପ୍ରଥମେ ଘ୍ରାଣେନ୍ଦ୍ରିୟ ନାସିକା ବିଷୟ ପଡୁ। ପଞ୍ଚ ଇନ୍ଦ୍ରିୟ ମଧୢରୁ କେବଳ ନାସିକାରୁ ସମ୍ବେଦୀ ସ୍ନାୟୁ ସବୁ ସିଧାସଳଖ ମସ୍ତିଷ୍କକୁ ଯାଇଛନ୍ତି; ଅନ୍ୟ ସବୁ ଇନ୍ଦ୍ରିୟର ସମ୍ବେଦୀ ସ୍ନାୟୁ ‘ସଙ୍କେତ’ ନେଇ ଟିକିଏ ବୁଲାଣି ବାଟରେ ମସ୍ତିଷ୍କକୁ ଯାଇଥାଆନ୍ତିି। ତେଣୁ ଘ୍ରାଣେନ୍ଦ୍ରିୟ ସବୁଠାରୁ ଶାଣିତ। ଉଲ୍ଲେଖଯୋଗ୍ୟ ଯେ ମସ୍ତିଷ୍କରେ ବିଭିନ୍ନ ଇନ୍ଦ୍ରିୟର ନିୟନ୍ତ୍ରଣକାରୀ କେନ୍ଦ୍ର ରୂପ ନେବା ପୂର୍ବରୁ ପ୍ରଥମେ ଘ୍ରାଣେନ୍ଦ୍ରିୟ ରୂପ ନେଇଥିଲା। ଏହା ପରେ ଦୃଷ୍ଟିକେନ୍ଦ୍ର ଓ ଶ୍ରବଣକେନ୍ଦ୍ର ଇତ୍ୟାଦି ରୂପ ନେଲା। ସମ୍ଭବତଃ ପ୍ରାଣୀମାନଙ୍କର ଜୀବନ ରକ୍ଷା ପାଇଁ ଘ୍ରାଣ ଶକ୍ତିର ଅଧିକତର ଆବଶ୍ୟକ ହେଉଥିବାରୁ ଏହା ପ୍ରଥମେ ବିବର୍ତ୍ତିତ ହୋଇଥିବ। ଉଦାହରଣ ସ୍ବରୂପ ଆଗରୁ ଏକ ଧାରଣା ଥିଲା ଯେ ଉଜ୍ଜ୍ବଳ ଆଲୋକ ନିଦ୍ରାଳୁ ଭାବ ଦୂର କରେ, କିନ୍ତୁ ଏବର ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ତୀବ୍ର ସୁଗନ୍ଧ ଏ ଦିଗରେ ଅଧିକ ପ୍ରଭାବଶାଳୀ। ଏଣୁ ଅନେକ ଦେଶରେ ବିଳମ୍ବିତ ରାତିରେ ଟ୍ରକ୍‌ ଚାଳକମାନଙ୍କୁ ଜାଗ୍ରତ ରଖିବା ପାଇଁ ସୁଗନ୍ଧ ବିଚ୍ଛୁରଣ କରୁଥିବା ଯନ୍ତ୍ରପାତିର ଉପଯୋଗ କରାଯାଉଛି।

ସେମିତି ଜିହ୍ବା ବା ରସନେନ୍ଦ୍ରିୟ ଆମକୁ ସତେଜତା ପ୍ରଦାନ କରିବାରେ ସହାୟକ ହୁଏ। ଗବେଷଣାରୁ ଦେଖିବାକୁ ମିଳିଛି ଯେ ଜିଭରେ ସ୍ବାଦର ସ୍ପର୍ଶ ମଣିଷକୁ ନିସ୍ତେଜ ଅବସ୍ଥାରୁ ସତେଜ ଅବସ୍ଥାକୁ ଫେରାଇ ଆଣିବାରେ ସହାୟକ ହୋଇଥାଏ। ମିଠାର ସ୍ବାଦ ମଣିଷ ମନରେ ପୁଲକ ଜଗାଉଥିବାର କଥା ସମସ୍ତେ ଅନୁଭବ କରନ୍ତି। ସ୍ପର୍ଶାନୁଭୂତିରେ ମାଦକତାର ଅନୁଭବ ଆମ ସମସ୍ତଙ୍କର ରହିଛି। ଜୀବନର ବିକାଶରେ ସ୍ପର୍ଶର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମସ୍ତେ ଜାଣନ୍ତି ଯେ ଶିଶୁ ମନରେ ସୁରକ୍ଷା ଭାବ ସକାଶେ ମାଆର ସ୍ପର୍ଶ କେତେ ମୂଲ୍ୟବାନ। କୋମଳ ସ୍ପର୍ଶ ସୁରକ୍ଷାର ଭାବ ଓ ସାନ୍ତ୍ବନା ସହିତ ମାନସିକ ଅବସାଦ ଦୂର କରିବାରେ ସହାୟକ ହୋଇଥାଏ। ବିଭିନ୍ନ ଅନୁଶୀଳନରେ ଦେଖିବାକୁ ମିଳିଛି ଯେ ସମସ୍ତ ପ୍ରାଚୁର୍ଯ୍ୟ ମଧୢରେ ବଢୁଥିବା ପିଲାମାନେ କେବଳ ସ୍ନେହର କୋମଳ ସ୍ପର୍ଶର ଅଭାବରେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ବିକାରର ଶିକାର ହୁଅନ୍ତି।
ଆମ ଇନ୍ଦ୍ରିୟ ମଧୢରେ ସର୍ବାଧିକ ଶକ୍ତିଶାଳୀ ହେଉଛି ଦୃଷ୍ଟିର ଇନ୍ଦ୍ରିୟ ଚକ୍ଷୁ। ଏହା ପୃଥିବୀକୁ ଯେମିତି ଚିହ୍ନାଇଥାଏ ତାହା ଅନ୍ୟ ଚାରିଟି ଇନ୍ଦ୍ରିୟ ଦ୍ବାରା ସମ୍ଭବ ହୋଇ ନ ଥାଏ। ଚକ୍ଷୁ ସହିତ ଚକ୍ଷୁର ମିଳନ ଦ୍ବାରା ତୁରନ୍ତ ମନରେ ନୂଆ ଭାବାବେଗ ସୃଷ୍ଟି ହୋଇଥାଏ। ଗବେଷଣାରୁ ଦେଖାଯାଇଛି ଯେ ନାରୀମାନେ ପରସ୍ପର ମଧୢରେ ସର୍ବାଧିକ ଏବ˚ ପୁରୁଷମାନେ ସର୍ବନିମ୍ନ ଚକ୍ଷୁ ସ˚ଯୋଗ କରନ୍ତି। ପରସ୍ପରକୁ ଅନାଇବା ବା ଚାହିଁବା ପାରସ୍ପରିକ ସମ୍ବନ୍ଧକୁ ଦୃଢ଼ କରିବାର ଏକ ବଡ଼ ମାଧୢମ। କୁହାଯାଏ ଯେ ଓଶୋ ରଜନୀଶଙ୍କ ଭଳି ଆଧୢାତ୍ମିକ ଗୁରୁ କେବଳ ସେମାନଙ୍କ ଚାହାଣି ଦ୍ବାରା ସମସ୍ତଙ୍କୁ ବଶୀଭୂତ କରିପାରୁଥିଲେ।

ପଞ୍ଚମ ଇନ୍ଦ୍ରିୟ କର୍ଣ୍ଣ ଶ୍ରବଣ ଶକ୍ତି ଜରିଆରେ ଆମକୁ ଜ୍ଞାନ ପ୍ରଦାନ କରେ। ଶ୍ରବଣ ମଣ୍ତଳରେ ଦୁଇଟି କେନ୍ଦ୍ର ରହିଛି। ଗୋଟିଏ କେନ୍ଦ୍ର ଶବ୍ଦ ବା କଥାର ଉଚ୍ଚାରଣ ନିୟନ୍ତ୍ରଣ କରୁଥିବା ସ୍ଥଳେ ଅନ୍ୟ ଗୋଟିଏ କେନ୍ଦ୍ର ତାହା ଶୁଣି ତାକୁ ମନେ ରଖିବାରେ ସାହାଯ୍ୟ କରେ। ତେଣୁ ବଡ଼ ପାଟିରେ ପଢ଼ିବାକୁ ପିଲାମାନଙ୍କୁ କୁହାଯାଇଥାଏ। ଅତୀତର ଶିକ୍ଷା ବ୍ୟବସ୍ଥାରେ ଏପରି ପରମ୍ପରା ଥିଲା। ସମ୍ଭବତଃ ଏହି କାରଣରୁ ବୈଦିକ ରୀତିରେ ବେଦ ଅଧୢୟନର ଗାୟନଶୈଳୀ ରହିଥିଲା। ପାଞ୍ଚଟି ଇନ୍ଦ୍ରିୟ ହେଉଛି ଆମ ଲାଗି ପୃଥିବୀକୁ ଚିହ୍ନିବାର ପାଞ୍ଚଟି ଦ୍ବାର। କିନ୍ତୁ ଏମାନେ ଅନେକ ସମୟରେ ଏମିତି ମୋହାବିଷ୍ଟ କରି ପକାନ୍ତି ଯେ ମନୁଷ୍ୟ ନିଜ ଉପରୁ ନିୟନ୍ତ୍ରଣ ହରାଏ। ସେଥି ଲାଗି ସ˚ଯମ କଥା କୁହାଯାଇଛି। କିନ୍ତୁ ଇନ୍ଦ୍ରିୟଗୁଡ଼ିକର ସୁପରିଚାଳନା ମଣିଷ ଜୀବନକୁ ଅଧିକ ଆନନ୍ଦମୟ ଓ ପ୍ରାଣପ୍ରାଚୁର୍ଯ୍ୟଭରା କରିପାରେ।
ଭି.ଆଇ.ଏମ୍‌-୯୯, ଶୖଳଶ୍ରୀ ବିହାର
ଭୁବନେଶ୍ବର-୨୧

ସମ୍ବନ୍ଧିତ ଖବର