ଗେହ୍ଲା ପୁଅ

‘ଭର୍ଜିନ୍‌ ଆଟ୍‌ଲାଣ୍ଟିକ୍‌ ଏଆର‌୍‌ଲାଇନ୍‌ସ’ର ବହୁଚର୍ଚ୍ଚିତ ପ୍ରତିଷ୍ଠାତା-ମାଲିକ ରିଚାର୍ଡ ବ୍ରାନ୍‌ସନ୍‌ ରହସ୍ୟରେ ମିଲିଅନେଆର‌୍‌ ବନିବା ପାଇଁ ଯେଉଁ ନିଶ୍ଚିତ କୌଶଳ ବତାଇଥା’ନ୍ତି, ତାହା ହେଉଛି ଏହିଭଳି: ‘ପ୍ରଥମେ ବିଲିଅନ୍‌ ଡଲାର‌୍‌ ନିବେଶ କରି ଏକ ଏଆର‌୍‌ଲାଇନ୍‌ ବ୍ୟବସାୟ ଆରମ୍ଭ କରି ଦିଅ।’ ଏହି ଉପଦେଶର ଚଟୁଳ ବ୍ୟଙ୍ଗ କାହାରି ଦୃଷ୍ଟିକୁ ଏଡ଼ାଇ ଯାଇ ନ ଥିବ- ଏକ ମିଲିଅନ୍‌ ହେଉଛି ଏକ ବିଲିଅନ୍‌ର ଏକ-ସହସ୍ରାଂଶ ମାତ୍ର; ବାରମ୍ବାର କ୍ଷତି ଘଟି ଚାଲି ଏକ ବିଲିଅନ୍‌ ଡଲାର‌୍‌ର ପ୍ରାରମ୍ଭିକ ନିବେଶ ଦ୍ବାରା ଆରମ୍ଭ ହୋଇଥିବା ଏଆର‌୍‌ଲାଇନ୍‌ ବ୍ୟବସାୟଟିର ମୂଲ୍ୟରେ ସ˚କୋଚନ ଘଟି ତାହା ଏକ ମିଲିଅନ୍‌ ଡଲାର‌୍‌ ମାତ୍ର ହୋଇଯିବ।

ଏହା ବ୍ରାନ୍‌ସନ୍‌ଙ୍କର ଏକ ବ୍ୟଙ୍ଗୋକ୍ତି ହୋଇଥିଲେ ହେଁ, କେହି ଯଦି ଏହାର ବାସ୍ତବତା ପରୀକ୍ଷା କରିବାକୁ ଚାହେଁ, ସେ ନମୁନା ଭାବରେ ଯେଉଁ ଏକ ଏଆର‌୍‌ଲାଇନ୍‌କୁ ନେଲେ ତାକୁ ହତାଶ ହେବାକୁ ପଡ଼ିବ ନାହିଁ, ତାହା ହେଉଛି ଭାରତ ସରକାର ଏବେ ବିକ୍ରି କରିଦେଇଥିବା ନିଜ ମାଲିକାନାରେ ଥିବା ‘ଏଆର‌୍‌ ଇଣ୍ତିଆ’। ବିକ୍ରି ହେବା ବେଳକୁ ଏହାର ଦୈନିକ କ୍ଷତିର ଆକାର ଥିଲା ୨୦ କୋଟି ଟଙ୍କା। ୨୦୦୯-୧୦ ଠାରୁ ସରକାର ଏହି କ୍ଷତି କରି ଚାଲିଥିବା ବ୍ୟବସାୟରେ ପ୍ରାୟ ୬୫,୦୦୦ କୋଟି ଟଙ୍କାର ସହାୟତା ଭର୍ତ୍ତି କରିସାରିଲେଣି। ସରକାରଙ୍କୁ ଏବେ ପ୍ରାୟ ୪୫,୦୦୦ କୋଟି ଟଙ୍କାର ଋଣ ମଧୢ ପରିଶୋଧ କରିବାକୁ ହେବ। ସରକାର ଯଦି ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟ ହୋଇଥା’ନ୍ତେ, ତା’ହେଲେ ଏହି କ୍ଷତିର ବୋଝ ଯେ ଅବିଳମ୍ବେ ତାଙ୍କୁ ବିଲିଅନେଆର‌୍‌ରୁ ରୂପାନ୍ତରିତ କରି ମିଲିଅନେଆର‌୍‌ରେ ପରିଣତ କରିଦିଅନ୍ତା, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ଏ ଆର୍ଥିକ ବୋଝ ପ୍ରକୃତରେ ବହନ କରିବାକୁ ପଡୁଛି କାହାକୁ? ସେ ହେଉଛି ବିଚରା କରଦାତା। ଏଣୁ ବ୍ରାନ୍‌ସନ୍‌ଙ୍କ ଉକ୍ତିକୁ ସାମାନ୍ୟ ବଦଳାଇ କୁହାଯାଇପାରିବ: ସରକାର ଯଦି ତାଙ୍କର କରଦାତାମାନଙ୍କ ପାଇଁ ନିଶ୍ଚିତ ଆର୍ଥିକ ଦୁର୍ଗତି ସୃଷ୍ଟି କରିବାକୁ ଚାହାଁନ୍ତି, ତେବେ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଏଆର‌୍‌ଲାଇନ୍‌ ବ୍ୟବସାୟଟିଏ ଆରମ୍ଭ କରିଦିଅନ୍ତୁ। ଅବଶ୍ୟ ବର୍ତ୍ତମାନ ସମସ୍ତଙ୍କୁ ଜଣା ଯେ ‘ଏଆର‌୍‌ ଇଣ୍ତିଆ’କୁ ସରକାର ଆରମ୍ଭ କରିନଥିଲେ। ଏହାକୁ ଆରମ୍ଭ କରିଥିଲେ ବିଶାଳ ଘରୋଇ ବ୍ୟବସାୟ ଗୋଷ୍ଠୀ ‘ଟାଟା’ କମ୍ପାନିର ତତ୍କାଳୀନ ଚେଆର‌୍‌ମ୍ୟାନ୍‌, କିଂବଦନ୍ତି ପାଲଟିଥିବା ଜେ ଆର୍‌ ଡି ଟାଟା। ତାହା ଥିଲା ୧୯୩୨। ଏବେ ପଛକୁ ଚାହିଁଲେ ଯାହା ଜଳ ଜଳ ହୋଇ ଦିଶୁଛି, ତାହା ହେଲା, ବୋଧହୁଏ ଏକ ବିଚାର ବିଭ୍ରାଟର ଶିକାର ହୋଇ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ ୧୯୫୩ରେ ‘ଏଆର‌୍‌ ଇଣ୍ତିଆ’କୁ ଟାଟା ଠାରୁ ଛଡ଼ାଇ ନେଇ ଜାତୀୟକରଣ କରିଦେଲେ।

ଏହା ନେହରୁଙ୍କ ସମାଜବାଦୀ ରାଜନୈତିକ ଦର୍ଶନ ସହିତ ଯେ ଖାପ୍‌ ଖାଉଥିଲା, ଏଥିରେ ସନ୍ଦେହ ନାହିଁ; କିନ୍ତୁ ଯେଉଁ ତାତ୍କାଳିକ ଘଟଣା ‘ଏଆର‌୍‌ ଇଣ୍ତିଆ’ରୁ ଟାଟାର ଅପସାରଣକୁ ତ୍ବରାନ୍ବିତ କରିଥିଲା, ତାହା ଥିଲା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ନେହରୁଙ୍କ ସରକାରରେ ଯୋଗାଯୋଗ ମନ୍ତ୍ରୀ ଥିବା ରଫି ଅହମଦ୍‌ କିଦ୍‌ଵାଇ ନାଗପୁରକୁ କେନ୍ଦ୍ର କରି ଭାରତର ଚାରିକୋଣକୁ ସ˚ଯୁକ୍ତ କରିବା ନିମିତ୍ତ ଏକ ରାତ୍ରିକାଳୀନ ବିମାନ ଡାକ ସେବା ଆରମ୍ଭ କରିବାକୁ ଚାହିଁଲେ। କିନ୍ତୁ ସମ୍ପୃକ୍ତ ବିମାନଘାଟିମାନଙ୍କରେ ପ୍ରଥମେ ରାତ୍ରିକାଳୀନ ଅବତରଣ ବ୍ୟବସ୍ଥା ସ୍ଥାପନ ନ ହେଲେ ‘ଏଆର‌୍‌ ଇଣ୍ତିଆ’ ଏଭଳି ବିପଜ୍ଜନକ କାର୍ଯ୍ୟରେ ଭାଗୀଦାର ହେବ ନାହିଁ ବୋଲି ଜେ ଆର୍‌ ଡି ଟାଟା ରୋକ୍‌ଠୋକ୍‌ ଶୁଣାଇ ଦେଲେ, ଯାହା କିଦ୍‌ଵାଇଙ୍କୁ ଭୀଷଣ କ୍ରୋଧିତ କଲା। ସେ ନିଜର ଉଦ୍ଦେଶ୍ୟ ସାଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ଏଆର‌୍‌ଲାଇନ୍‌ ମଧୢ ଆରମ୍ଭ କରିବାକୁ ଆଗେଇ ଗଲେ, ଯାହାର ବ୍ୟାବସାୟିକ ବୁଦ୍ଧିମତ୍ତାକୁ ଜେ ଆର୍‌ ଡି ପ୍ରଶ୍ନ କରି ମନ୍ତ୍ରୀଙ୍କ କ୍ରୋଧକୁ ଦ୍ବିଗୁଣିତ କଲେ।

ଜେ ଆର୍‌ ଡିଙ୍କୁ ପାନେ ଦେବା ପାଇଁ ଏଥର ସରକାରୀ ମହଲରେ ‘ଏଆର‌୍‌ ଇଣ୍ତିଆ’ର ଜାତୀୟକରଣ ଗୁଞ୍ଜରଣ ଦାନା ବାନ୍ଧିବାକୁ ଆରମ୍ଭ କଲା। ସରକାରଙ୍କୁ ଏଥିରୁ ବିରତ କରିବ ବୋଲି ଆଶା କରି ଜେ ଆର୍‌ ଡି କେବଳ ‘ଟାଟା’ ସନ୍ତାନ ‘ଏଆର‌୍‌ ଇଣ୍ତିଆ’କୁ ନୁହେଁ, ଯେ କୌଣସି ଘରୋଇ କ୍ଷେତ୍ରର ଉଦ୍ୟୋଗକୁ ଜାତୀୟକରଣ କରାଯିବା ଚିନ୍ତାଧାରାର ଖୋଲାଖୋଲି ବିରୋଧ କରି ଗଣମାଧୢମରେ ନିଜର ମତାମତ ପ୍ରକାଶ କରିବାକୁ ଆଗେଇ ଆସିଲେ। ଜେ ଆର୍‌ ଡିଙ୍କ ଯୁକ୍ତି ଥିଲା ଯେ ସରକାର ଯେତେବେଳେ ଏକ ଘରୋଇ ଉଦ୍ୟୋଗକୁ ନିଜର ଦଖଲକୁ ନେଇ ଯିବେ ଓ ଅମଲାମାନଙ୍କ ଦ୍ବାରା ତାହାର ପରିଚାଳନା କରିବେ, ଏହି ଅମଲାମାନେ ସମ୍ପୃକ୍ତ ବ୍ୟବସାୟର ଆବଶ୍ୟକତା ଦ୍ବାରା ପରିଚାଳିତ ନ ହୋଇ ସମ୍ପୃକ୍ତ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଳନ କରି କାର୍ଯ୍ୟ କରିବେ। ନେହରୁଙ୍କ ଭଳି ଜଣେ ସୁଶିକ୍ଷିତ ବ୍ୟକ୍ତିଙ୍କୁ ନିଶ୍ଚିତ ରୂପେ ଏହା ଜଣାଥିଲା; ତେବେ ଜେ ଆର୍‌ ଡିଙ୍କର ଏଭଳି ଖୋଲାଖୋଲି ମତ ପ୍ରକାଶ ବୋଧହୁଏ ତାଙ୍କୁ ଏ ସମ୍ବନ୍ଧରେ ଅଧିକ ସଚେତନ କରାଇଥିଲା।

ଆନ୍ତର୍ଜାତିକ ବିମାନ ସେବା କ୍ଷେତ୍ରରେ ସର୍ବୋତ୍ତମ ମାନ ରକ୍ଷା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଏଆର‌୍‌ ଇଣ୍ତିଆ’କୁ ସରକାରୀ ଦଖଲକୁ ନେଇଯିବା ଯେତିକି ସହଜ, ସଫଳତାର ସହିତ ତା’ର ପରିଚାଳନା କରି ତା’ର ସେହି ପରିଚୟକୁ ବଜାୟ ରଖିବା ଯେ ସେତିକି ସହଜ ହେବ ନାହିଁ, ତାହା ହୃଦୟଙ୍ଗମ କରି ଜାତୀୟକରଣ ପରେ ନେହରୁ ସେଇ ଜେ ଆର୍‌ ଡିଙ୍କୁ ହିଁ ‘ଏଆର‌୍‌ ଇଣ୍ତିଆ’ର ଚେଆର‌୍‌ମ୍ୟାନ୍‌ ଦାୟିତ୍ବରେ ପୂର୍ବବତ୍‌ ରହି କାର୍ଯ୍ୟ କରିବା ପାଇଁ ରାଜି କରାଇଲେ- ଯେଉଁ ବ୍ୟବସ୍ଥା ପରବର୍ତ୍ତୀ ୨୫ ବର୍ଷ ପାଇଁ ସୁଚାରୁ ରୂପେ କାର୍ଯ୍ୟ କରିଥିଲା। ଦୁର୍ଭାଗ୍ୟବଶତଃ ୧୯୭୮ର ପ୍ରଥମ ଦିନରେ ‘ଏଆର‌୍‌ ଇଣ୍ତିଆ’ର ପ୍ରଥମ ବୋଇ˚ ୭୪୭ ଜମ୍ବୋ ଜେଟ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ଆରବ ସାଗରରେ ଗଳି ପଡ଼ି ସମସ୍ତ ୨୧୩ ଜଣ ଯାତ୍ରୀ ଓ କର୍ମଚାରୀମାନଙ୍କର ପ୍ରାଣହାନି ଘଟିବା ପରେ ତତ୍କାଳୀନ ମୋରାରଜୀ ଦେଶାଇଙ୍କର ଜନତା ପାର୍ଟି ସରକାର ଜେ ଆର୍‌ ଡିଙ୍କୁ ଏଥିପାଇଁ ତାଙ୍କ ଦାୟିତ୍ବରୁ ବହିଷ୍କାର କରିଥିଲା।

ସୂଚନାଯୋଗ୍ୟ ଚେଆର‌୍‌ମ୍ୟାନ୍‌ ରୂପେ କାର୍ଯ୍ୟ କରିବା ସମୟରେ ଜେ ଆର୍‌ ଡି ଜାତୀୟକୃତ ‘ଏଆର‌୍‌ ଇଣ୍ତିଆ’ ଠାରୁ କୌଣସି ପାରିଶ୍ରମିକ ଗ୍ରହଣ କରୁନଥିଲେ ମଧୢ ସେ ତାଙ୍କର ଅସଲ ଦାୟିତ୍ବ ‘ଟାଟା ସନ୍‌ସ’ ଭଳି ବିଶାଳ ବ୍ୟବସାୟ ସାମ୍ରାଜ୍ୟର ପରିଚାଳନା ତଦାରଖ କରିବା ପାଇଁ ଯେତିକି ସମୟ ଦେଉଥିଲେ, ଗେହ୍ଲାପୁଅ ‘ଏଆର‌୍‌ ଇଣ୍ତିଆ’ ତାଙ୍କର ସେଇ ସାମ୍ରାଜ୍ୟର ଆଉ ଅ˚ଶ ହୋଇ ରହି ନ ଥିଲେ ମଧୢ, ତାହାର ଟିକିନିଖି ପରିଚାଳନା ପାଇଁ ସେତିକି ସମୟ ଓ ଧୢାନ ଦେଉଥିଲେ (ଏପରି କି ଏକଦା ସେ ନିଜେ ଏକ ବିମାନର ଟଏଲେଟ୍‌ ନିଜ ହାତରେ ସଫା କରିବା ଦୃଶ୍ୟ ସବୁ ଦିନ ପାଇଁ କିଂବଦନ୍ତି ହୋଇ ରହିଛି)। ପରବର୍ତ୍ତୀ ସମୟରେ ମୋରାରଜୀଙ୍କର ଏହି ଭୁଲ୍‌ ସୁଧାରିବା ପାଇଁ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଫେରିବା ପରେ ଜେ ଆର୍‌ ଡିଙ୍କୁ ପୁଣି ‘ଏଆର‌୍‌ ଇଣ୍ତିଆ’ର ପରିଚାଳନା ବୋର୍ଡର ସଦସ୍ୟପଦ ପ୍ରଦାନ କରିଥିଲେ ହେଁ, ତାଙ୍କୁ ଆଉ ଚେଆର‌୍‌ମ୍ୟାନ୍‌ କରାଯାଇ ନ ଥିଲା। ଶେଷରେ ଅମଲାମାନଙ୍କ ନେତୃତ୍ବରେ ପରିଚାଳିତ ‘ଏଆର‌୍‌ ଇଣ୍ତିଆ’ର ଅବସ୍ଥା କିପରି ଶୋଚନୀୟ ହୋଇଛି, ସେ ସମ୍ବନ୍ଧରେ ଅଧିକ ଉଲ୍ଲେଖ ନିଷ୍ପ୍ରୟୋଜନ।

ବର୍ତ୍ତମାନ ରୁଗ୍‌ଣ ହୋଇ ପଡ଼ିଥିବା ଏହି ଗେହ୍ଲା ପୁଅକୁ ଏକ ଉଚ୍ଚ ମୂଲ୍ୟ ଦେଇ ଟାଟା ପୁଣି ନିଜ ପରିବାର ମଧୢକୁ  ଫେରାଇ ଆଣିବା କେତେକଙ୍କୁ ହୁଏ’ତ ଉତ୍ତମ ବ୍ୟବସାୟ ବୁଦ୍ଧିର ପ୍ରଦର୍ଶନ ନୁହେଁ ବୋଲି ମନେ ହେଉଥିବ, କିନ୍ତୁ ଟାଟା ସନ୍‌ସର ବର୍ଷିଆନ୍‌ ମୁଖ୍ୟ ରତନ୍‌ ଟାଟାଙ୍କ ଏହି ଟ୍ବିଟ୍‌ ଏଭଳି ସମସ୍ତ ସନ୍ଦେହକୁ ଦୂରୀଭୂତ କରିବା ଉଚିତ: ‘‘େଵଲ୍‌କମ୍‌ ବ୍ୟାକ୍‌, ଏଆର‌୍‌ ଇଣ୍ତିଆ’’। ଏଥି ସହିତ ସେ ଯେଉଁ ଫଟୋଟିଏ ସନ୍ନିହିତ କରିଛନ୍ତି, ତାହା ହେଉଛି ଏକ ‘ଏଆର‌୍‌ ଇଣ୍ତିଆ’ ବିମାନରୁ ଜେ ଆର୍‌ ଡି ଅବତରଣ କରୁଥିବାର ଦୃଶ୍ୟ। ଅସୁସ୍ଥ ଗେହ୍ଲା ପୁଅର ସ୍ବାସ୍ଥ୍ୟ ଫେରାଇ ଆଣିବା ପାଇଁ ଟାଟା ପରିବାର ଯେ କୌଣସି ଚେଷ୍ଟା କମ୍‌ କରିବ ନାହିଁ, ତାହା ଏହି ଟ୍ବିଟ୍‌ରୁ ନିଶ୍ଚିତ ହୋଇଥାଏ।

ସମ୍ବନ୍ଧିତ ଖବର