କଂଗ୍ରେସକୁ ଆଉ ଯାହା ଏକ ଶକ୍ତ ଧକ୍କା ପହଞ୍ଚାଇଥିବ, ତାହା ହେଲା ଭୋଟ୍ ଆକର୍ଷଣ ପାଇଁ ନିଜର ପାରମ୍ପରିକ ନୀତି ପରିହାର କରି ଜାତି ଜନଗଣନା ମାଧ୍ୟମରେ ଏକ ସଂକୀର୍ଣ୍ଣ ଜାତିଆଣ ରାଜନୀତିକୁ ସେ ଦଳ ଓ ତା’ର ଚିର-ଅପରିପକ୍ବ ନେତା ରାହୁଲ ଗାନ୍ଧୀ ଯେଉଁ ମୁଖ୍ୟ ନିର୍ବାଚନୀ କୌଶଳ ରୂପେ ବ୍ୟବହାର କରିଥିଲେ, ମତଦାତାମାନେ ତାହାକୁ େଜାର୍ଦାର ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ବୋଧହୁଏ କଂଗ୍ରେସର ଶେଷ ଭରସା ହୋଇଥିବ ୨୦୧୮ ଓ ୨୦୧୯ର ଘଟଣାକ୍ରମ: ୨୦୧୮ର ବିଧାନସଭା ନିର୍ବାଚନରେ ଭାଜପା ଏଇ ତିନିଟି ହିନ୍ଦୀଭାଷୀ ରାଜ୍ୟରେ ପରାଜିତ ହେବା ପରେ ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିଲା; କଂଗ୍ରେସ ପାଇଁ ସେଇ ଇତିହାସର ପୁନରାବୃତ୍ତି ଘଟିବ କି ଆଉ? ସବୁ ଜନାର୍ଦ୍ଦନଙ୍କ ଇଚ୍ଛା।
ଏହା ଲେଖା ହେବା ବେଳକୁ ଦେଶର ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନମାନଙ୍କ ମଧ୍ୟରୁ ଚାରିଟିର ଫଳାଫଳ ଘୋଷିତ ହୋଇ ସାରିଛି। ଏହି ସମଗ୍ର ପ୍ରକ୍ରିୟାକୁ କେହି ଜଣେ ରାଜନୈତିକ ଦାର୍ଶନିକ ଯଦି ଭାରତରେ ପ୍ରକୃତ ଗଣତନ୍ତ୍ରର ସକ୍ରିୟ ଉପସ୍ଥିତିର ପ୍ରମାଣପତ୍ର ରୂପେ ଗ୍ରହଣ କରନ୍ତେ ସେ ହେଉଛନ୍ତି ଏ ଗଣତାନ୍ତ୍ରିକ ମୁକ୍ତ ସମାଜର ପ୍ରମୁଖ ପ୍ରବକ୍ତା ରୂପେ ପ୍ରସିଦ୍ଧି ଲାଭ କରିଥିବା ବିଂଶ ଶତାବ୍ଦୀର ପ୍ରଖ୍ୟାତ ଅଷ୍ଟ୍ରୀୟ ଦାର୍ଶନିକ କାର୍ଲ ପପର୍। ପ୍ଲାଟୋଙ୍କୁ ଉଦ୍ଧାର କରି ପପର୍ ଦର୍ଶାଇଥିଲେ ଯେ କେବଳ ସଂଖ୍ୟାଗରିଷ୍ଠ ମତ ଭିତ୍ତିକ ଶାସନ ବ୍ୟବସ୍ଥାକୁ ଗଣତନ୍ତ୍ର ରୂପେ ଗ୍ରହଣ କରାଯାଇ ପାରିବ ନାହିଁ। କାରଣ, ଏହା ଏକ ବିଡ଼ମ୍ବନାକୁ ଜନ୍ମ ଦେଇପାରେ: ଜଣେ ଏକଛତ୍ର ଶାସକ ବା ରାଜାଙ୍କୁ ଶାସନ କ୍ଷମତା ପ୍ରଦାନ କରିବା ପାଇଁ ମତଦାତାମାନେ ସଂଖ୍ୟାଗରିଷ୍ଠ ନିଷ୍ପତ୍ତି ନେଇ ପାରନ୍ତି।
ପପର୍ ତେଣୁ ଏକ ଆଦର୍ଶ ଶାସନ ପ୍ରତିଷ୍ଠାର ମାଧ୍ୟମ ରୂପେ ଗଣତନ୍ତ୍ରକୁ ସମର୍ଥନ କରୁ ନ ଥିଲେ; ଏକଛତ୍ର ଶାସନ ଭଳି ଅତ୍ୟାଚାର ତନ୍ତ୍ରକୁ ପ୍ରତିହତ କରିବା ପାଇଁ ଗଣତନ୍ତ୍ର ବହନ କରୁଥିବା ଅନ୍ତର୍ନିହିତ କ୍ଷମତା ଯୋଗୁଁ ହିଁ ସେ ଗଣତନ୍ତ୍ରର ଉପାସକ ଥିଲେ। ତାଙ୍କ ଅନୁସାରେ ଏହି ଦୃଷ୍ଟିକୋଣରୁ ଦୁଇ ଶ୍ରେଣୀର ରାଜନୈତିକ ବ୍ୟବସ୍ଥା ଥାଏ: ଗୋଟିଏ ବ୍ୟବସ୍ଥାରେ ବିନା ରକ୍ତପାତରେ ଶାସକ ପରିବର୍ତ୍ତନ କରାଯାଇପାରେ, ଯେମିତି ସାଧାରଣ ନିର୍ବାଚନ ମାଧ୍ୟମରେ; ଅନ୍ୟଟିରେ ଶାସକ ପରିବର୍ତ୍ତନ କେବଳ ଏକ ବିଦ୍ରୋହ ବା ରକ୍ତାକ୍ତ ବିପ୍ଳବ ଦ୍ବାରା ସମ୍ଭବ ହୋଇଥାଏ। ଗଣତନ୍ତ୍ରର ବିଶେଷତ୍ବ ହେଲା ଏହା ଯେ ପ୍ରତିଷ୍ଠିତ ଅନୁଷ୍ଠାନମାନଙ୍କ ସକ୍ରିୟ ସହଯୋଗରେ ଏହି ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ପ୍ରକ୍ରିୟା ସମାପନ ହୋଇଥାଏ ଏବଂ ଗଭୀର ସାମାଜିକ ପରମ୍ପରା ଚାପରେ କୌଣସି କ୍ଷମତାସୀନ ସରକାର ସେ ଅନୁଷ୍ଠାନମାନଙ୍କୁ ଧ୍ବଂସ କରିଦେଇ ପାରନ୍ତି ନାହିଁ- ସେଇ କାରଣରୁ ଅତୀତରେ ଇନ୍ଦିରା ଗାନ୍ଧୀଙ୍କର ସେଭଳି ଏକ ଅପଚେଷ୍ଟା ବିଫଳତାରେ ସମାପ୍ତ ହୋଇଥିଲା। ପପର୍ ଏଥିପ୍ରତି ମଧ୍ୟ ସଚେତନ ଥିଲେ ଯେ ଏକ ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ ଯେଉଁଭଳି ଶାନ୍ତିପୂର୍ଣ୍ଣ ଭାବରେ ଶାସକଙ୍କୁ ବଦଳାଇ ଦେଇପାରନ୍ତି, ସେଇଭଳି କୌଣସି ଶାସକଙ୍କୁ ନ ବଦଳାଇବାକୁ ମଧ୍ୟ ନିଷ୍ପତ୍ତି ନେଇ ପାରନ୍ତି; କିନ୍ତୁ ଅସଲ କଥା ହେଲା ଏକ ଗଣତନ୍ତ୍ରରେ ଶାସକ ସର୍ବଦା ସଚେତନ ଥାନ୍ତି ଯେ କେବଳ ଜନତାଙ୍କ ସମର୍ଥନ ବଳରେ ହିଁ ସେମାନେ କ୍ଷମତାରେ ତିଷ୍ଠି ରହିପାରିବେ।
ଗଣତନ୍ତ୍ରର ଏହି ପପର୍ ବର୍ଣ୍ଣିତ ମୌଳିକ ଚରିତ୍ରକୁ ଅନୁସରଣ କରିବା ଭଳି ରବିବାର ଦିନ ପ୍ରକାଶିତ ଫଳାଫଳ ଅନୁସାରେ ମତଦାତାମାନେ ଅବାଧ ଶାନ୍ତିପୂର୍ଣ୍ଣ ମତଦାନ ମାଧ୍ୟମରେ ଚାରିଟିରୁ ତିନିଟି ରାଜ୍ୟରେ ଶାସକ ଅର୍ଥାତ୍ ଶାସନ କ୍ଷମତାରେ ଥିବା ଦଳକୁ ବଦଳାଇ ଦେଇଛନ୍ତି ଓ ଗୋଟିଏ ରାଜ୍ୟରେ ଶାସନ ଚାଲୁ ରଖିବାକୁ କ୍ଷମତାସୀନ ଶାସକଙ୍କୁ ପୁଣି ଥରେ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମ ତିନିଟି ରାଜ୍ୟ ହେଲେ ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ; ଚତୁର୍ଥ ରାଜ୍ୟଟି ହେଉଛି ମଧ୍ୟପ୍ରଦେଶ। ପ୍ରଥମୋକ୍ତ ରାଜ୍ୟରେ ମତଦାତାମାନେ େସ ନୂତନ ରାଜ୍ୟର ସ୍ରଷ୍ଟା ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ କୃତଜ୍ଞତା ପ୍ରଦର୍ଶନ ସ୍ବରୂପ ଲାଗଲାଗ ପ୍ରଥମ ଦୁଇ ପାଳି କ୍ଷମତାସୀନ କରିବା ପରେ ଏଥର ସେମାନଙ୍କୁ ବିଦାୟ ଜଣାଇ ଜାତୀୟ ଦଳ କଂଗ୍ରେସ ହାତରେ ଶାସନ ଦାୟିତ୍ବ ସମର୍ପଣ କରିଛନ୍ତି। ଛତିଶଗଡ଼ ଓ ରାଜସ୍ଥାନରେ ମତଦାତାମାନେ ଅପରପକ୍ଷେ କ୍ଷମତାସୀନ କଂଗ୍ରେସକୁ ବିଦାୟ ଜଣାଇ ଭାରତୀୟ ଜନତା ପାର୍ଟିକୁ ଶାସନ ଗାଦିରେ ବସାଇଛନ୍ତି। ମଧ୍ୟପ୍ରଦେଶର ମତଦାତାମାନେ କିନ୍ତୁ ଲଗାତାର ଚାରି ପାଳିର ଭାରତୀୟ ଜନତା ପାର୍ଟି ସରକାରର ଶାସନ ପରିଚାଳନା ଅଙ୍ଗେ ନିଭାଇବା ପରେ ବିରକ୍ତ ହୋଇଯିବା ପରିବର୍ତ୍ତେ ସେଥିପ୍ରତି ନିଜର ସଂପୂର୍ଣ୍ଣ ସନ୍ତୋଷ ପ୍ରକାଶ କରିବା ସ୍ବରୂପ ଏକ ବିଶାଳ ସଂଖ୍ୟାଗରିଷ୍ଠ ସମର୍ଥନ ମାଧ୍ୟମରେ ପଞ୍ଚମ ପାଳି ରାଜ୍ୟର ଶାସନ ଭାର ସମ୍ଭାଳିବା ପାଇଁ ସେଇ ଦଳକୁ ପୁନଶ୍ଚ ଅନୁମତି ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ଭାବରେ ପ୍ରତ୍ୟେକଟି ରାଜ୍ୟରେ ବିଜ୍ଞ ମତଦାତାମାନେ ସ୍ପଷ୍ଟ ବହୁମତ ମାଧ୍ୟମରେ ନିଜର ନିଷ୍ପତ୍ତି ଜଣାଇ ଦେଇଛନ୍ତି, ଯାହା ଫଳରେ କୌଣସି ରାଜ୍ୟରେ ଏକ ଝୁଲା ବିଧାନସଭାର ଆବିର୍ଭାବ ଘଟି ନାହିଁ କି ତଜ୍ଜନିତ ଅନୈତିକ ଘୋଡ଼ା ବେପାରର ଅବକାଶ ସୃଷ୍ଟି ହୋଇ ନାହିଁ। ଉପରୋକ୍ତ ଚାରିଟି ରାଜ୍ୟ ଓ ପଞ୍ଚମ ରାଜ୍ୟ ମିଜୋରାମର ମିଳିତ ମତଦାତା ସଂଖ୍ୟା ଭାରତର ମୋଟ ମତଦାତା ସଂଖ୍ୟାର ପ୍ରାୟ ଏକ-ଷଷ୍ଠାଂଶ ହୋଇଥିବା ପରିପ୍ରେକ୍ଷୀରେ ଏହାକୁ ଏକ ପ୍ରଶଂସନୀୟ ଉପଲବ୍ଧି ରୂପେ ବିଚାର କରିବାକୁ ହେବ।
ଏହା ସୂଚାଇବା ଅନାବଶ୍ୟକ ଯେ ଏହି ନିର୍ବାଚନମାନଙ୍କରେ ସର୍ବାଧିକ ଲାଭବାନ ହୋଇଛି କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯାଦୁକରୀ ନେତୃତ୍ବ ବଳରେ ସଂସଦରେ ବିପୁଳ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିଲେ ହେଁ ଏହି ଦଳ ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରେ ବାରମ୍ବାର ଝୁଣ୍ଟିବା ଦେଖାଯାଇଛି। ଫଳସ୍ବରୂପ ବର୍ତ୍ତମାନର ନିର୍ବାଚନ ସଫଳତା ପୂର୍ବରୁ ଦେଶର ୨୮ ରାଜ୍ୟମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକରେ ଅଣ-ଭାଜପା ସରକାରମାନ ଶାସନ କରୁଥିଲେ; ୧୫ଟି ଥିଲେ ଭାଜପା ଶାସନାଧୀନ, ଯେଉଁଥିରୁ ୬ଟିରେ ଭାଜପା ଅନ୍ୟ ଛୋଟ ଛୋଟ ଦଳମାନଙ୍କ ସହ ମିଳିତ ହୋଇ ସରକାର ଗଠନ କରିଥିଲା। ବର୍ତ୍ତମାନ ତେଲେଙ୍ଗାନାରେ କଂଗ୍ରେସର ବିଜୟ ଯଦି ଅଣ-ହିନ୍ଦୀଭାଷୀ ଦାକ୍ଷିଣାତ୍ୟକୁ ଭାଜପା ପାଇଁ ଏକରକମ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି, ଛତିଶଗଡ଼ ଓ ରାଜସ୍ଥାନକୁ କଂଗ୍ରେସ ହାତରୁ ଛଡ଼ାଇ ନେବା ଓ ମଧ୍ୟପ୍ରଦେଶରେ ନିଜର ଆସ୍ଥାନକୁ ବଜାୟ ରଖିବା ଦ୍ବାରା ଭାଜପା ହିନ୍ଦୀଭାଷୀ ଉତ୍ତର ଓ କେନ୍ଦ୍ରୀୟ ଭାରତକୁ ନିଜର ଏକ ଅନୁରୂପ ଭାବେ ଆଭେଦ୍ୟ ଗଡ଼ରେ ପରିଣତ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ଦଳ ୨୦୨୪ର ଆସନ୍ନ ସାଧାରଣ ନିର୍ବାଚନରେ ବିଜୟ ଲାଭ କରି ଲଗାତାର ତୃତୀୟ ପାଳି କ୍ଷମତା ଦଖଲ କରିବାରେ ଏହା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବାର ଦୃଢ଼ ସମ୍ଭାବନା ରହିଛି; କାରଣ ହିନ୍ଦୀଭାଷୀ ଦଶଟି ରାଜ୍ୟରେ ଥିବା ୨୨୫ଟି ଲୋକସଭା ଆସନ ମଧ୍ୟରୁ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୭୭ଟିରେ ବିଜୟ ଲାଭ କରିଥିଲା।
ବର୍ତ୍ତମାନର ନିର୍ବାଚନ ଫଳାଫଳ ବିରୋଧୀ ଶିବିରରେ କଂଗ୍ରେସ ଦଳର ପତିଆରା ପ୍ରତି ଏକ ଗୁରୁତର ଧକ୍କା ପହଞ୍ଚାଇଛି। ଭାରତୀୟ ଜନତା ପାର୍ଟି ତଥା ସର୍ବୋପରି ନରେନ୍ଦ୍ର ମୋଦୀଙ୍କୁ ଧରାଶାୟୀ କରିବା ଉଦ୍ଦେଶ୍ୟରେ ନିକଟରେ ଯେଉଁ ୨୮ ଦଳୀୟ ବିରୋଧୀ ମେଣ୍ଟ ଗଠିତ ହୋଇଥିଲା, କଂଗ୍ରେସ ତା’ର ନେତୃତ୍ବ ନେବା ପାଇଁ ଏକ ଦୃଢ଼ ଦାବିଦାର ହୋଇଥିବା ବେଳେ ରାଜସ୍ଥାନ ଓ ଛତିଶଗଡ଼ରେ ନିଜର ଆସ୍ଥାନ ରକ୍ଷା କରିବାରେ ତା’ର ଶୋଚନୀୟ ବିଫଳତା ସହିତ ମଧ୍ୟପ୍ରଦେଶରେ ତା’ର ଦୟନୀୟ ପ୍ରଦର୍ଶନ କଂଗ୍ରେସର ସେଇ ଦାବିକୁ ସ୍ବାଭାବିକ ଭାବରେ ଅତ୍ୟନ୍ତ ଦୁର୍ବଳ କରିଦେଇଛି। ଆମୋଦଦାୟକ ଭାବରେ ଏହାର ସୁଯୋଗ ନେଇ ମେଣ୍ଟର ଅନ୍ୟତମ ସଦସ୍ୟ ଦଳ ଆମ୍ ଆଦମୀ ପାର୍ଟିର ଚତୁର ସୁବିଧା-ସନ୍ଧାନୀ ନେତା ଅରବିନ୍ଦ କେଜ୍ରିୱାଲ ସେଇ ଭୂମିକା ପାଇଁ ତାଙ୍କ ଦଳ ବର୍ତ୍ତମାନ ହକ୍ଦାର ଅର୍ଥାତ୍ ସେ ହକ୍ଦାର ବୋଲି ଘୋଷଣା କରି ସାରିଲେଣି।
କଂଗ୍ରେସକୁ ଆଉ ଯାହା ଏକ ଶକ୍ତ ଧକ୍କା ପହଞ୍ଚାଇଥିବ, ତାହା ହେଲା ଭୋଟ୍ ଆକର୍ଷଣ ପାଇଁ ନିଜର ପାରମ୍ପରିକ ନୀତି ପରିହାର କରି ଜାତି ଜନଗଣନା ମାଧ୍ୟମରେ ଏକ ସଂକୀର୍ଣ୍ଣ ଜାତିଆଣ ରାଜନୀତିକୁ ସେ ଦଳ ଓ ତା’ର ଚିର-ଅପରିପକ୍ବ ନେତା ରାହୁଲ ଗାନ୍ଧୀ ଯେଉଁ ମୁଖ୍ୟ ନିର୍ବାଚନୀ କୌଶଳ ରୂପେ ବ୍ୟବହାର କରିଥିଲେ, ମତଦାତାମାନେ ତାହାକୁ େଜାର୍ଦାର ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ବୋଧହୁଏ କଂଗ୍ରେସର ଶେଷ ଭରସା ହୋଇଥିବ ୨୦୧୮ ଓ ୨୦୧୯ର ଘଟଣାକ୍ରମ: ୨୦୧୮ର ବିଧାନସଭା ନିର୍ବାଚନରେ ଭାଜପା ଏଇ ତିନିଟି ହିନ୍ଦୀଭାଷୀ ରାଜ୍ୟରେ ପରାଜିତ ହେବା ପରେ ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିଲା; କଂଗ୍ରେସ ପାଇଁ ସେଇ ଇତିହାସର ପୁନରାବୃତ୍ତି ଘଟିବ କି ଆଉ? ସବୁ ଜନାର୍ଦ୍ଦନଙ୍କ ଇଚ୍ଛା। ଜୟ ଜନାର୍ଦ୍ଦନ!