ଏହା ଏକ ବାସ୍ତବତା ଯେ ପୃଥିବୀର ଅନେକତ୍ର ଦକ୍ଷିଣପନ୍ଥୀ ରାଜନୀତି ପ୍ରଭାବଶାଳୀ ହୋଇ ‘ପରିଚୟ’ ଏବଂ ‘ଅସ୍ମିତା’ର ପ୍ରଶ୍ନକୁ କୌଣସି ଦେଶ ବା ଜାତି ବା ସଂପ୍ରଦାୟ ସକାଶେ ତା’ର ଅସ୍ତିତ୍ବର କେନ୍ଦ୍ର ରୂପେ ଚିହ୍ନିତ କରିଛି। ସୁତରାଂ, ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଅବସ୍ଥିତ ପୃଥିବୀ ପ୍ରସିଦ୍ଧ ପ୍ରାଚୀନ ବୈଜାଣ୍ଟାଇନ ଶୈଳୀରେ ନିର୍ମିତ ଇମାରତ ‘ହାଜିଆ ସୋଫିଆ’କୁ ନେଇ ଏକଦା କମଲ ଆତାତୁର୍କଙ୍କ ମନ୍ତବ୍ୟ ଥିଲା ଯେ ‘ଏହା କୌଣସି ଚର୍ଚ ବା ମସଜିଦ୍ ନୁହେଁ, ଏହା କେବଳ ଏକ ଦର୍ଶନୀୟ ଐତିହାସିକ ଇମାରତ’। କାରଣ ‘ହାଜିଆ ସୋଫିଆ’ର ପ୍ରକୃତ ଚରିତ୍ର ନେଇ ସେଠାରେ ବାରମ୍ବାର ପ୍ରଶ୍ନ ଉଠିଥାଏ। କିନ୍ତୁ କମଲ ଆତାତୁର୍କଙ୍କ ମନ୍ତବ୍ୟ ଏବେ ନିଷ୍ପ୍ରଭ ପଡ଼ିଲାଣି; କାରଣ ତୁର୍କୀର କ୍ଷମତାସୀନ ରାଷ୍ଟ୍ରପତି ଦକ୍ଷିଣପନ୍ଥୀ ରିସେପ ଏର୍ଡୋଗାନଙ୍କ ଦୃଷ୍ଟିରେ ଏହା ନିଃସନ୍ଦେହେର ଏକ ମସଜିଦ୍। ସେମିତି ହୁଏତ ତାଜମହଲ ଯାହା ଏକଦା ‘ତେଜୋ ମହାଳୟ’ ନାମକ ଏକ ହିନ୍ଦୁ ମନ୍ଦିର ଥିଲା ବୋଲି ମତ ପ୍ରକାଶ ପାଇବାରେ ଲାଗିଛି।
ଗଲା ବୁଧବାର ଦିନ ଆହ୍ଲାବାଦ ଉଚ୍ଚ ଅଦାଲତର ଜଣିକିଆ ଖଣ୍ଡପୀଠ ପକ୍ଷରୁ ପ୍ରଦତ୍ତ ଏକ ରାୟ ବାରାଣସୀସ୍ଥିତ କାଶୀ ବିଶ୍ବନାଥ ମନ୍ଦିର ଏବଂ ଜ୍ଞାନବାପୀ ମସଜିଦ ସଂକ୍ରାନ୍ତ ବିବାଦକୁ ପୁନର୍ବାର ଆଲୋଚନାର ପରିସରକୁ ଘେନି ଆସିବା ସମେତ କେତେକ ଅସମାହିତ ପ୍ରଶ୍ନକୁ ମଧ୍ୟ ଛିଡ଼ା କରାଇଛି। ଏହି ରାୟ ପରେ ଅଗତ୍ୟା ଏକ ଧାରଣା ସୃଷ୍ଟି ହେଲାଣି ଯେ ଏହି କାରଣରୁ ଅନେକ ନୂତନ ଓ ଅସରନ୍ତି ବିବାଦର ସୂତ୍ରପାତ ମଧ୍ୟ ଘଟିବ। ଅବଶ୍ୟ, ଏହା ଏକ ବାସ୍ତବତା ଯେ ପୃଥିବୀର ଅନେକତ୍ର ଇତିହାସ ଲିଖନରେ ରହିଥିବା ବିଚ୍ୟୁତିକୁ ଦୂର କରିବା ସକାଶେ ଦୁର୍ବାର ଆଗ୍ରହ ପ୍ରକାଶ ପାଉଛି, କାରଣ ବିଦେଶୀ ଅତିକ୍ରମଣକାରୀ ତଥା ଔପନିବେଶିକ ଶାସନର ଅନ୍ତ ଘଟିବା ସହିତ ସେମାନଙ୍କ ପୃଷ୍ଠପୋଷକତାରେ ଲିଖିତ ଇତିହାସ ସ୍ବାଭାବିକ ଭାବେ ପ୍ରଶ୍ନାକୁଳ ହୋଇ ଯାଇଛି। କିନ୍ତୁ ପ୍ରଶ୍ନ ହେଲା ଐତିହାସିକ ଦସ୍ତାବିଜ ବା ବ୍ୟାଖ୍ୟାନରେ ପରିମାର୍ଜନ ଘଟାଇବା ସହିତ ଏଭଳି ଆଗ୍ରହ ନିର୍ବାପିତ ହୋଇଥାଏ ନା ଅତୀତର ସଂଶୋଧନ କ୍ରମରେ ବସ୍ତୁ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟୁ ବୋଲି ଦାବି ପ୍ରାବଲ୍ୟ ଲାଭ କରିଥାଏ? ସୁତରାଂ, ଏହି ପରିପ୍ରେକ୍ଷୀରେ ଆହ୍ଲାବାଦ ଉଚ୍ଚ ଅଦାଲତର ରାୟ ଆଧାରରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ଆହ୍ଲାବାଦ ଉଚ୍ଚ ଅଦାଲତଙ୍କ ରାୟର ପୃଷ୍ଠଭୂମି। ଏଥିରେ କୌଣସି ଦ୍ବିରୁକ୍ତି ନାହିଁ ଯେ ୧୬୬୯ ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦେଶରେ କାଶୀ ବିଶ୍ବନାଥ ମନ୍ଦିରର ଧ୍ବଂସ ସାଧନ କରାଯାଇ ସେହି ସ୍ଥାନରେ ମସଜିଦ ନିର୍ମାଣ କରାଯାଇଥିଲା। ଅନ୍ୟାନ୍ୟ ଅନେକ ଐତିହାସିକଙ୍କ ସହିତ ଖୋଦ୍ ଔରଙ୍ଗଜେବଙ୍କ ପ୍ରିୟ ତଥା ରାଜ ପରିଷଦର ପ୍ରମୁଖ ଐତିହାସିକଙ୍କ ଦ୍ବାରା ଲିଖିିତ ପୁସ୍ତକରେ ଏହାର ଉଲ୍ଲେଖ ରହିଛି, ଯେମିତିକି ‘ମସିର ଇ ଆଲମଗିରି’। ତେଣୁ ୧୬୬୯ ମସିହା ପୂର୍ବରୁ ସେହି ସ୍ଥାନଟି ‘ସ୍ବୟଂଭୂ ଶିବ’ଙ୍କ ଉପାସନା ସ୍ଥଳୀ ଥିଲା ବୋଲି ଦାବି କରି ୧୯୯୧ ମସିହା ଅକ୍ଟୋବର ମାସରେ ଆହ୍ଲାବାଦ ଉଚ୍ଚ ଅଦାଲତରେ ଏକ ମାମଲା ଦାୟର କରାଯାଇଥିଲା, ଯାହାର ରାୟ ତିନି ଦଶନ୍ଧି ପରେ ଗଲା ବୁଧବାର ଦିନ ପ୍ରକାଶ ପାଇଛି ଏବଂ ସେଥିରେ ଏହି ବିବାଦୀୟ ସ୍ଥାନର ପ୍ରକୃତ ଚରିତ୍ର ଅନୁସନ୍ଧାନ କରିବା ଲାଗି ଆଗ୍ରହ ପ୍ରକାଶ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ବିବାଦକୁ କେନ୍ଦ୍ର କରି ବିଗତ ଚାରି ଦଶନ୍ଧି ହେଲା ଉତ୍ତରପ୍ରଦେଶର ବିଭିନ୍ନ ଅଦାଲତରୁ ପ୍ରାରମ୍ଭ କରି ସର୍ବୋଚ୍ଚ ଅଦାଲତଙ୍କ ପର୍ଯ୍ୟନ୍ତ ନ୍ୟାୟାଳୟଗୁଡ଼ିକରେ ଉଭୟ ହିନ୍ଦୁ ଏବଂ ମୁସଲିମ ସଂପ୍ରଦାୟ ପକ୍ଷରୁ ଅନେକ ମାମଲା ଆଗତ କରାଯାଇଛି। ତହିଁରୁ ଗୋଟିକର ଶୁଣାଣି କରି ଗତ ଜୁଲାଇ ୨୧ରେ ବାରାଣସୀର ଜିଲ୍ଲା ଅଦାଲତ ପକ୍ଷରୁ ମସଜିଦ ପରିସରରେ ବିଜ୍ଞାନ ଭିତ୍ତିକ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ଲାଗି ମଧ୍ୟ ଆଦେଶ ଦିଆଯାଇଥିଲା, ଯାହା ଫଳରେ ଏହି ଉପାସନା ସ୍ଥଳର ପ୍ରକୃତ ମୂଳ ଚରିତ୍ର ଉଦ୍ଘାଟିତ ହୋଇପାରିବ। କହିବା ବାହୁଲ୍ୟ, ଏହି ଆଦେଶ ବିବାଦକୁ ଅଧିକ ତୀବ୍ର କରି ପକାଇଥିଲା ଏବଂ ଏହି ପରିପ୍ରେକ୍ଷୀରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଯାଇ ତହିଁରେ ବିରାମ ଲାଗିଥିଲା। ମାନ୍ୟବର ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ୧୯୯୧ ମସିହାରେ ଅଣା ଯାଇଥିବା ‘ହିନ୍ଦୁ ଉପାସନା ସ୍ଥଳ ଆଇନ’ର ପ୍ରାବଧାନକୁ ମହତ୍ତ୍ବ ପ୍ରଦାନ କରିଥିଲେ, ଯାହା ଅନୁସାରେ କେବଳ ‘ରାମ ମନ୍ଦିର-ବାବ୍ରୀ ମସଜିଦ’ ବ୍ୟତୀତ ୧୯୪୭ ମସିହା ପରେ ଏହି ରାଷ୍ଟ୍ର ଲାଭ କରିଥିବା ସମସ୍ତ ଉପାସନା ସ୍ଥଳର ବସ୍ତୁସ୍ଥିତି ଅପରିବର୍ତ୍ତିତ ରହିବ। ସେହି ଦୃଷ୍ଟିରୁ ଦେଖିଲେ ହୁଏତ ପ୍ରତୀତ ହୋଇପାରେ ଯେ ଆହ୍ଲାବାଦ ଉଚ୍ଚ ଅଦାଲତର ସଦ୍ୟ ରାୟ ଦ୍ବାରା ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଦେଶର ଗରିମା କ୍ଷୁଣ୍ଣ ହେଉଛି! କିନ୍ତୁ ବାସ୍ତବରେ ତାହା ହୋଇ ନାହିଁ। କାରଣ ଆହ୍ଲାବାଦ ହାଇକୋର୍ଟଙ୍କ ରାୟର ମର୍ମ ହେଲା ବିବାଦଟି ଭାରତର ଦୁଇ ବୃହତ୍ ଧର୍ମୀୟ ସଂପ୍ରଦାୟକୁ ସଂଶ୍ଳିଷ୍ଟ କରିଥିବାରୁ ଏହା ମହତ୍ତ୍ବପୂର୍ଣ୍ଣ ଏବଂ ଏଥିରେ ଉପାସନା ସ୍ଥଳର ବସ୍ତୁସ୍ଥିତିେର କୌଣସି ପରିବର୍ତ୍ତନ ଘଟାଇବାର ଉଦ୍ଦେଶ୍ୟ ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ଉପାସନା ସ୍ଥଳର ମୂଳ ଚରିତ୍ର ଅନୁସନ୍ଧାନ କରିବା। ସୁତରାଂ, ବାରାଣସୀ ଅଦାଲତର ଆଦେଶ ଅନୁସାରେ ବିଜ୍ଞାନ-ଭିତ୍ତିକ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କାର୍ଯ୍ୟ ପୁନର୍ବାର ଅଗ୍ରଗତି ଲାଭ କରିପାରେ। ଏବଂ ଏହା ସହିତ ‘ଉପାସନା ସ୍ଥଳ ଆଇନ-୧୯୯୧’ ଯେ ଅଧିକ ଅନୁଶୀଳନ ଓ ବ୍ୟାଖ୍ୟା ଲାଗି ଉନ୍ମୋଚିତ ହୋଇଛି ତାହା ମଧ୍ୟ ସ୍ପଷ୍ଟ।
କିନ୍ତୁ ସମସ୍ୟା ହେଲା, ଏହା ସହିତ ଗ୍ରୀକ୍ କିଂବଦନ୍ତିରେ ଥିବା ‘ପାଣ୍ଡୋରାର ବାକ୍ସ’ର ଘୋଡ଼ଣୀଟି ଟେକି ହୋଇଯିବା ଭଳି ସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ; ଯାହା ଫଳରେ ସେହି ବାକ୍ସରେ ବନ୍ଦ ହୋଇ ରହିଥିବା ତୀବ୍ର ସମସ୍ୟାମାନ କୁଦା ମାରି ପଦାକୁ ଚାଲିଆସିଥିଲେ। ଏହା ସତ ଯେ ଅସଂଖ୍ୟ ହିନ୍ଦୁଙ୍କ ଧାରଣାରେ ମୁସଲିମ ଶାସନ କାଳରେ ଦେଶରେ ସର୍ବତ୍ର ମନ୍ଦିରଗୁଡ଼ିକୁ ଧ୍ବଂସ କରାଯାଇ ତା’ର ଭିତ୍ତି ପ୍ରସ୍ତର ଉପରେ ମସଜିଦ୍ମାନ ଗଢ଼ାଯାଇଥିଲା। ତେଣୁ ଉପାସନା ସ୍ଥଳର ମୂଳ ଓ ପ୍ରକୃତ ଚରିତ୍ର ଅନୁସନ୍ଧାନ ଲାଗି ମାତ୍ରାତିରିକ୍ତ ଆଗ୍ରହ ଏକ ଅତ୍ୟନ୍ତ ଜଟିଳ ପରିସ୍ଥିତି ସୃଷ୍ଟି କରିବା ଅତ୍ୟନ୍ତ ସ୍ବାଭାବିକ। ସଂପ୍ରତି ଭାରତରେ ଦକ୍ଷିଣପନ୍ଥୀ ହିନ୍ଦୁତ୍ବ ରାଜନୀତି ଦୃଢ଼ତା ଲାଭ କରିବା ପରେ ମୁସଲମାନ ଶାସକଙ୍କ ଦ୍ବାରା ବିଭିନ୍ନ ଅତିକ୍ରମଣମାନ ଅସହନୀୟ ହେବାରେ ଲାଗିଛି। ଏହି କ୍ରମରେ କଟ୍ଟର ‘ହିନ୍ଦୁତ୍ବବାଦୀ’ମାନେ ଦାବି କରିଥାଆନ୍ତି ଯେ ବିଧ୍ବସ୍ତ ହିନ୍ଦୁ ମନ୍ଦିରଗୁଡ଼ିକର ସଂଖ୍ୟା ପ୍ରାୟ ୬୦ ହଜାର ସରିକି ହେବ। ତେବେ ଏ ପରିପ୍ରେକ୍ଷୀରେ ରିଚାର୍ଡ ଇଟନଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଟେଂପଲ ଡେସିକ୍ରେସନ ଇନ ମୁସଲିମ ଷ୍ଟେଟ୍ସ ଇନ ମିଡିଏଭଲ ଇଣ୍ଡିଆ’ (ମଧ୍ୟଯୁଗୀୟ ଭାରତର ମୁସଲିମ ରାଜ୍ୟରେ ହିନ୍ଦୁ ମନ୍ଦିରର ଧ୍ବଂସଲୀଳା) ଏବଂ ୧୯୯୩ ମସିହାରେ ‘ଫ୍ରଣ୍ଟ୍ଲାଇନ’ ପତ୍ରିକାରେ ପ୍ରକାଶିତ ଏ ସଂପର୍କିତ ଏକ ନିବନ୍ଧ ପ୍ରଣିଧାନଯୋଗ୍ୟ, ଯହିଁରେ ତଥ୍ୟ ଦ୍ବାରା ପ୍ରମାଣିତ ଅଶୀଟି ଏଭଳି ଉପାସନା ସ୍ଥଳର ଉଲ୍ଲେଖ ଥିଲା। ତେବେ, ଷାଠିଏ ହଜାର ହେଉ ବା ଅଶୀ; ଅନେକ ଉପାସନା ସ୍ଥଳ ହଠାତ୍ ବିତର୍କିତ ହୋଇ ଉଠିବା ଖୁବ୍ ସମ୍ଭବ, ଯାହାର ମୂଳ ଚରିତ୍ର ଅନ୍ବେଷଣ ଲାଗି ଦାବି ପ୍ରବଳ ହୋଇପାରେ, ଯାହା ସାଂପ୍ରଦାୟିକ ବିବାଦକୁ ଗଭୀର ଏବଂ ବ୍ୟାପକ କରିବ ଯାହା।
ଏହା ଏକ ବାସ୍ତବତା ଯେ ପୃଥିବୀର ଅନେକତ୍ର ଦକ୍ଷିଣପନ୍ଥୀ ରାଜନୀତି ପ୍ରଭାବଶାଳୀ ହୋଇ ‘ପରିଚୟ’ ଏବଂ ‘ଅସ୍ମିତା’ର ପ୍ରଶ୍ନକୁ କୌଣସି ଦେଶ ବା ଜାତି ବା ସଂପ୍ରଦାୟ ସକାଶେ ତା’ର ଅସ୍ତିତ୍ବର କେନ୍ଦ୍ର ରୂପେ ଚିହ୍ନିତ କରିଛି। ସୁତରାଂ, ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଅବସ୍ଥିତ ପୃଥିବୀ ପ୍ରସିଦ୍ଧ ପ୍ରାଚୀନ ବୈଜାଣ୍ଟାଇନ ଶୈଳୀରେ ନିର୍ମିତ ଇମାରତ ‘ହାଜିଆ ସୋଫିଆ’କୁ ନେଇ ଏକଦା କମଲ ଆତାତୁର୍କଙ୍କ ମନ୍ତବ୍ୟ ଥିଲା ଯେ ‘ଏହା କୌଣସି ଚର୍ଚ ବା ମସଜିଦ୍ ନୁହେଁ, ଏହା କେବଳ ଏକ ଦର୍ଶନୀୟ ଐତିହାସିକ ଇମାରତ’। କାରଣ ‘ହାଜିଆ ସୋଫିଆ’ର ପ୍ରକୃତ ଚରିତ୍ର ନେଇ ସେଠାରେ ବାରମ୍ବାର ପ୍ରଶ୍ନ ଉଠିଥାଏ। କିନ୍ତୁ କମଲ ଆତାତୁର୍କଙ୍କ ମନ୍ତବ୍ୟ ଏବେ ନିଷ୍ପ୍ରଭ ପଡ଼ିଲାଣି; କାରଣ ତୁର୍କୀର କ୍ଷମତାସୀନ ରାଷ୍ଟ୍ରପତି ଦକ୍ଷିଣପନ୍ଥୀ ରିସେପ ଏର୍ଡୋଗାନଙ୍କ ଦୃଷ୍ଟିରେ ଏହା ନିଃସନ୍ଦେହେର ଏକ ମସଜିଦ୍। ସେମିତି ହୁଏତ ତାଜମହଲ ଯାହା ଏକଦା ‘ତେଜୋ ମହାଳୟ’ ନାମକ ଏକ ହିନ୍ଦୁ ମନ୍ଦିର ଥିଲା ବୋଲି ମତ ପ୍ରକାଶ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲୀ କବି ୟାହୁଦା ଆମିକାଇଙ୍କ କବିତାର ଏକ ବଳିଷ୍ଠ ବାକ୍ୟ ସ୍ମରଣକୁ ଆସିଥାଏ, ଯାହା କହିଥିଲା- “ସ୍ମୃତିର ସ୍ମାରକୀମାନ ଠିକ୍ ‘ପେପର ୱେଟ୍’ ଭଳି; ତେଣୁ ମୋ ଇତିହାସ କେଉଁ ଆଡ଼େ ଉଡ଼ି ଯାଇପାରିବ ନାହିଁ।” କିନ୍ତୁ ଆମିକାଇଙ୍କୁ ହୁଏତ ପ୍ରଶ୍ନ କରାଯାଇପାରେ: କେଉଁ ଇତିହାସ? କାହାର ଇତିହାସ?
ସତ କଥା ହେଲା ମହାକାଳ ପ୍ରବାହର ତଟରେ ଛିଡ଼ା ହୋଇଥିବା ମାନବ ଜାତି ଲାଗି ଏଭଳି ପ୍ରଶ୍ନର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ସହଜଲଭ୍ୟ ହୋଇ ନ ପାରେ; କାରଣ କିଏ କେଉଁ କୂଳରେ ଛିଡ଼ା ହୋଇ କେଉଁ ଦୃଷ୍ଟିକୋଣରୁ କାଳ ପ୍ରବାହକୁ ଅବଲୋକନ କରୁଛି, ତା’ ଉପରେ ନିର୍ଭର କରିବ ଏହି ଉତ୍ତର, ଯାହା ପରସ୍ପର ବିରୋଧୀ ଏବଂ ବିବାଦୀୟ ହେବା ମଧ୍ୟ ସ୍ବାଭାବିକ। ଏହା ହିଁ ଇତିହାସର ଜଟ।