ଏହି ଧର୍ମାନ୍ଧ ଗୋଷ୍ଠୀ ବର୍ତ୍ତମାନ ଧର୍ମାନ୍ଧ ଶକ୍ତି ଇରାନ୍ର ସହାୟତାରେ ଭାରତର ପଡ଼ୋଶୀ ଅଞ୍ଚଳରେ ଯେଉଁ ଯୁଦ୍ଧ ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛି, ତାହା କେବଳ ଏକ ବିଶୁଦ୍ଧ ଯୁଦ୍ଧ ନୁହେଁ, ତାହା ହେଉଛି ସେମାନଙ୍କ ପାଇଁ ଏକ ଧର୍ମ ଯୁଦ୍ଧ, ଯେଉଁଥିେର ଯୋଦ୍ଧାମାନେ ଅକଳ୍ପନୀୟ କ୍ଷତି ସହିବାକୁ ମଧ୍ୟ ପ୍ରସ୍ତୁତ ଥାନ୍ତି। ଆରବ ସାଗର ଘଟଣା ପରେ ତେଣୁ ଭାରତକୁ ପଡ଼ିଶାରେ ଚାଲିଥିବା ଏ ଯୁଦ୍ଧରେ ଯେକୌଣସି ଅପ୍ରତ୍ୟାଶିତ ମୋଡ଼ର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ହେବ।
ଅକ୍ଟୋବର ୭ରେ ବର୍ବର ହମାସ୍ ଇସଲାମୀୟ ଆତଙ୍କବାଦୀମାନେ ଇସ୍ରାଏଲ୍ରେ ଅନୁପ୍ରବେଶ କରି ରଚନା କରିଥିବା ନାରକୀୟ କାଣ୍ଡର ପ୍ରତିକ୍ରିୟାରେ ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଦୁଇ ମାସରୁ ଅଧିକ କାଳ ଧରି ଚାଲିଥିବା ଯୁଦ୍ଧ ଗାଜା ପଟିର ପରିସୀମା ମଧ୍ୟରେ ସୀମିତ ନ ରହି ଏକ ବ୍ୟାପକ ଆଞ୍ଚଳିକ ରୂପ ନେବ ବୋଲି ସେ ସମୟରୁ ଯେଉଁ ଆଶଙ୍କା କରାଯାଉଥିଲା, ଏ ପର୍ଯ୍ୟନ୍ତ ତାହା ଘଟି ନାହିଁ। ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଥିଲେ ଯେ ଲେବାନନ୍, ସିରିଆ, ଇରାନ୍ ଆଦି ଦେଶମାନଙ୍କ ସହିତ ଅନ୍ୟ ନିକଟବର୍ତ୍ତୀ ଆରବ ଦେଶମାନେ ମଧ୍ୟ ହମାସ୍ର ପକ୍ଷ ନେଇ ଇସ୍ରାଏଲ୍ ବିରୁଦ୍ଧରେ ବିଭିନ୍ନ ମାତ୍ରାରେ ଯୁଦ୍ଧରେ ଯୋଗ ଦେବେ- ଅନ୍ତତଃ ଇରାନ୍ ଓ ହିଜ୍ବୋଲ୍ଲା ଦେଉଥିବା ରଣହୁଙ୍କାରରୁ ତାହାହିଁ ମନେ ହେଉଥିଲା। ସୌଭାଗ୍ୟବଶତଃ ଗାଜା ଯୁଦ୍ଧର ଏ ପର୍ଯ୍ୟନ୍ତ ସେଭଳି ସିଧାସଳଖ ସଂପ୍ରସାରଣ ଘଟି ନାହିଁ।
କିନ୍ତୁ ଏହାର ଅର୍ଥ ନୁହେଁ ଯେ ଇସ୍ରାଏଲ୍ର ଏହି ପ୍ରତିପକ୍ଷ ପୂରାପୂରି ଚୁପ୍ ହୋଇ ବସିଛନ୍ତି। ଆରବ ଦେଶମାନେ ଅବଶ୍ୟ ଏ ପର୍ଯ୍ୟନ୍ତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିଥିଲେ ହେଁ ଇରାନ୍ କିନ୍ତୁ ତା’ ଦ୍ବାରା ପ୍ରତିପାଳିତ ୟେମେନ୍ର ହୁଥି ବିଦ୍ରୋହୀମାନଙ୍କୁ ବ୍ୟବହାର କରି ଲୋହିତ ସାଗର ଅଞ୍ଚଳରେ ଯାତାୟାତ କରୁଥିବା ଜାହାଜମାନଙ୍କ ଉପରେ ଡ୍ରୋନ୍ ଓ ରକେଟ୍ ଆକ୍ରମଣ କରି ଆନ୍ତର୍ଜାତିକ ବାଣିଜ୍ୟ କାରବାର ପ୍ରତି ଏକ ଗୁରୁତର ବିପଦ ସୃଷ୍ଟି କରିଛି। ଏସିଆ ଓ ଇଉରୋପ୍ ମଧ୍ୟରେ ବାଣିଜ୍ୟ କାରବାରରେ ସଂପୃକ୍ତ ଥିବା ପଣ୍ୟବାହୀ ଜାହାଜମାନେ ସୁଏଜ୍ କେନାଲ୍ ଦେଇ ଯାତାୟାତ କରିଥାନ୍ତି, ଯାହା ଦ୍ବାରା ସେମାନଙ୍କର ଯାତ୍ରା ପଥର ଦୂରତା, ଯାତ୍ରା ସମୟ ଓ ଯାତ୍ରା ଖର୍ଚ୍ଚରେ ବ୍ୟାପକ ହ୍ରାସ ଘଟିଥାଏ। ଏହି ଜାହାଜମାନଙ୍କୁ ଭାରତ ମହାସାଗରରୁ ଆସି ସୁଏଜ୍ କେନାଲ୍ରେ ପ୍ରବେଶ କରିବା ପାଇଁ ବାବ୍ ଆଲ୍-ମାଣ୍ଡାବ୍ ପ୍ରଣାଳୀ ଓ ଲୋହିତ ସାଗର ଅତିକ୍ରମ କରିବାକୁ ହୋଇଥାଏ। ଜାହାଜମାନେ ଏହି ସଂକୀର୍ଣ୍ଣ ଜଳଭାଗ ଦେଇ ଗତି କଲାବେଳେ ହୁଥିମାନେ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି।
ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜାହାଜମାନେ ଯଦି ଆଫ୍ରିକା ମହାଦେଶ ପରିକ୍ରମା କରି ଉତ୍ତମାଶା ଅନ୍ତରୀପ ଦେଇ ଯାତ୍ରା କରନ୍ତି, ତେବେ ସେମାନଙ୍କ ଯାତ୍ରା ପଥର ଦୂରତାରେ ପ୍ରାୟ ୩,୫୦୦ ସାମୁଦ୍ରିକ ମାଇଲ୍ ବୃଦ୍ଧି ଘଟିବ ଓ ଯାତ୍ରା ସମୟରେ ଅନ୍ୟୂନ ୧୦ ଦିନ ବିଳମ୍ବ ଘଟିବ। ଏସିଆ ଓ ଇଉରୋପ୍ ମଧ୍ୟରେ ତୈଳ, ପ୍ରାକୃତିକ ବାଷ୍ପରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖାଉଟି ଦ୍ରବ୍ୟମାନଙ୍କର ପରିବହନ ନିମିତ୍ତ ସୁଏଜ୍ କେନାଲ୍ ମୁଖ୍ୟ ଜଳପଥ ହୋଇଥିବାରୁ ଯୁଦ୍ଧ ସହିତ ସଂପର୍କ ନ ଥିବା ଏହି ଦୁଇ ଅଞ୍ଚଳର ଦେଶମାନଙ୍କ ପାଇଁ ଏହି ହୁଥି ଆକ୍ରମଣ ଏକ ଗୁରୁତର ଅର୍ଥନୈତିକ ସମସ୍ୟା ସୃଷ୍ଟି କରିପାରେ। ଭାରତ ଏହି ରଣଭୂମିର ଅପେକ୍ଷାକୃତ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବାରୁ ହୁଥି ଆକ୍ରମଣର ସିଧାସଳଖ ଛିଟ୍କା ଭାରତ ଠାରେ ମଧ୍ୟ ବାଜିବାକୁ ଆରମ୍ଭ କଲାଣି। ଗତ ସପ୍ତାହରେ ହୁଥିମାନେ ଲୋହିତ ସାଗରରେ ଯାତ୍ରା କରୁଥିବା ଯେଉଁ ଏକ ତୈଳବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ଘଟାଇଥିଲେ, ତାହାର ନାବିକମାନଙ୍କ ମଧ୍ୟରୁ ୨୫ ଜଣ ଥିଲେ ଭାରତୀୟ; ସୌଭାଗ୍ୟକ୍ରମେ ସେମାନଙ୍କ ମଧ୍ୟରୁ କେହି ମୃତାହତ ହୋଇ ନ ଥିଲେ।
ଶନିବାର ଦିନ ଗୁଜରାଟର ପୋରବନ୍ଦର ଉପକୂଳ ଠାରୁ ପ୍ରାୟ ୩୮୦ କି.ମି. ଦୂରସ୍ଥ ଆରବ ସାଗରରେ ଯାତ୍ରା କରୁଥିବା ଏକ ତୈଳବାହୀ ଜାହାଜ ଉପରେ ଯେଉଁ ଡ୍ରୋନ୍ ଆକ୍ରମଣ ହୋଇଛି ତାହା ସିଧାସଳଖ ଇରାନ୍ ଦ୍ବାରା ସଂଘଟିତ ହୋଇଛି ବୋଲି ଅାମେରିକା ଦାବି କରିଛି। ଏହି ସଦ୍ୟତମ ଆକ୍ରମଣର ରଚୟିତା ଇରାନ୍ର ‘ପ୍ରକ୍ସି’ ହୁଥିମାନେ ହୋଇଥାନ୍ତୁ କି ନିଜେ ଇରାନ୍ ହୋଇଥାଉ, ଏହା ପଛରେ କେଉଁ ଉଦ୍ଦେଶ୍ୟ ନିହିତ ଅଛି, ତାହା ସ୍ପଷ୍ଟ ରୂପେ ବୁଝା ପଡ଼ି ନ ଥାଏ। ଆରବ ଉପଦ୍ବୀପ ସମୀପବର୍ତ୍ତୀ ଲୋହିତ ସାଗରକୁ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ କରିବା ଦ୍ବାରା ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ସେ ଅଞ୍ଚଳକୁ ସଂପ୍ରସାରିତ କରାଯାଇ ପାରିବ ବୋଲି ଇରାନ୍ ଓ ହୁଥିମାନେ ବିଶ୍ବାସ କରିଥାଇ ପାରୁଥାନ୍ତି। କେବଳ ଇସ୍ରାଏଲ୍ ସହିତ ସଂପର୍କ ଥିବା ଜାହାଜମାନଙ୍କ ଉପରେ ଆକ୍ରମଣ କରାଯିବ ବୋଲି ହୁଥିମାନେ ଘୋଷଣା କରିଥିଲେ ହେଁ ସେମାନେ ଅନ୍ୟ ଜାହାଜମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ଦେଖାଯାଇଛି। କିନ୍ତୁ ଲୋହିତ ସାଗର ନୁହେଁ, ଆରବ ସାଗରର ଭାରତୀୟ ପାର୍ଶ୍ବରେ ଯାତ୍ରା କରୁଥିବା ଏକ ଜାହାଜ ଉପରେ ଆକ୍ରମଣ ଦ୍ବାରା କେଉଁ ଉଦ୍ଦେଶ୍ୟ ସାଧିତ ହେବ, ତାହା ହଠାତ୍ ବୁଝା ପଡୁନାହିଁ। ହୁଏତ ଭୁଲ୍କ୍ରମେ ହୁଥିମାନେ କିମ୍ବା ସେମାନଙ୍କର ନିୟନ୍ତ୍ରକ ଇରାନ୍ ‘କେମ୍ ପ୍ଲୁଟୋ’ ନାମକ ଏହି ଜାପାନୀ ମାଲିକାନାରେ ଥିବା ତୈଳବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିଥାଇ ପାରିଥାନ୍ତି, କିମ୍ବା ଯୁଦ୍ଧର ବ୍ୟାପକତର ଆନ୍ତର୍ଜାତୀକରଣ ଦିଗରେ ଏହା ହେଉଛି ଏକ ସଦ୍ୟ ଉଦ୍ୟମ।
ଏଠାରେ ସ୍ବାଭାବିକ ଭାବରେ ଏକ ପ୍ରଶ୍ନ ଉଠିଥାଏ, ଏ ହୁଥିମାନେ କିଏ? ସେମାନେ ହେଉଛନ୍ତି ଉତ୍ତର ୟେମେନ୍ରେ ସକ୍ରିୟ ଥିବା ଏକ ବିଦ୍ରୋହୀ ଗୋଷ୍ଠୀ। ସେ ଅଞ୍ଚଳରେ ଅଧିବାସୀମାନେ ଯେଉଁ ଧର୍ମ ଅନୁସରଣ କରିଥାନ୍ତି, ତାହା ହେଉଛି ଇସଲାମ୍ର ସିଆ ଶାଖାର ଜୈଦି ନାମକ ଉପଶାଖା। ଅନେକ କାଳ ଧରି ସେଠାରେ କ୍ଷମତା ଦଖଲ ପାଇଁ ସଂଘର୍ଷ କରିବା ପରେ ଜୈଦି ଇମାମ୍ମାନେ ଶେଷରେ ୧୯୧୮ରେ େୟମେନ୍ରେ ନିଜର ସାର୍ବଭୌମ ରାଷ୍ଟ୍ର ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ। ୧୯୬୨ରେ କିନ୍ତୁ ଏକ ସାମରିକ ବିଦ୍ରୋହ ଦ୍ବାରା ସେମାନେ କ୍ଷମତାଚ୍ୟୁତ ହେବା ପରେ ସେଠାରେ ଗୃହଯୁଦ୍ଧ ପରିସ୍ଥିତି ଲାଗି ରହିଲା। ୧୯୮୦ ଦଶକରେ ସାଉଦୀ ଆରବର ସହାୟତାରେ ୟେମେନ୍ ସରକାର ଜୈଦି ଅଞ୍ଚଳରେ ମୌଳବାଦୀ ସୁନ୍ନି ଇସଲାମ୍ର ପ୍ରସାର ଘଟାଇବା ପାଇଁ ଯେଉଁ ପ୍ରଚେଷ୍ଟା ଚଳାଇଲେ, ତାହାର ବିରୋଧ କରିବା ପାଇଁ ଉତ୍ତର ୟେମେନ୍ରେ ଏକ ଆନ୍ଦୋଳନ ମୁଣ୍ଡ ଟେକିଲା।
୧୯୯୦ ଦଶକରେ ସେହି ଆନ୍ଦୋଳନର ନେତୃତ୍ବ ନେବାକୁ ଦୃଶ୍ୟପଟରେ ଆବିର୍ଭାବ ଘଟିଲା ଜଣେ ଇମାମ୍ଙ୍କର ଯାହାଙ୍କର ନାମ ଥିଲା ହୁସେନ୍ ଆଲ୍-ହୁଥି। ତାଙ୍କ ନେତୃତ୍ବରେ ଜୈଦିମାନେ ଉତ୍ତର ୟେମେନ୍ରେ ସାଉଦୀ ପୃଷ୍ଠପୋଷକତାରେ ଚାଲିଥିବା ସୁନ୍ନି ଇସଲାମ୍ର ପ୍ରସାରକୁ ବାଧା ଦେବା ପାଇଁ ଲାଗି ପଡ଼ିଲେ। ୨୦୦୧ରେ ଯେତେବେଳେ ତାଙ୍କର ସମର୍ଥକମାନେ ଆଭ୍ୟନ୍ତରୀଣ କନ୍ଦଳ େଯାଗୁଁ ଦୁଇ ଭାଗରେ ବିଭକ୍ତ ହୋଇଗଲେ, ହୁଥିଙ୍କ ପକ୍ଷଭୁକ୍ତ ଅନୁଗାମୀମାନେ ତାଙ୍କ ନାମ ଅନୁସାରେ ‘ହୁଥି’ ନାମରେ ପରିଚିତ ହେବାକୁ ଆରମ୍ଭ କଲେ। ହୁସେନ୍ ଆଲ୍-ହୁଥିଙ୍କର ଆଦର୍ଶ ଥିଲେ ସିଆ ଇରାନ୍ରେ ଘଟିଥିବା ଶାହାଙ୍କୁ ଗାଦିଚ୍ୟୁତ କରିଥିବା ଇସଲାମୀୟ ବିପ୍ଳବ ଓ ଲେବାନନ୍ରେ ସିଆ ହିଜ୍ବୋଲ୍ଲାର ପ୍ରାଧାନ୍ୟ। ସେମାନଙ୍କୁ ଅନୁସରଣ କରି ଆଲ୍-ହୁଥି ମଧ୍ୟ ଇସ୍ରାଏଲ୍ ଓ ଆମେରିକାକୁ ଧ୍ବଂସ କରିବାକୁ ଆହ୍ବାନ ଦେବାରେ ଲାଗିଲେ। ଦେଶର ଉତ୍ତର ଭାଗରେ ତାଙ୍କର ଆନ୍ଦୋଳନ ଉଗ୍ର ରୂପ ଗ୍ରହଣ କରିବାରେ ଲାଗିବାରୁ ୟେମେନ୍ ସରକାର ତାହାକୁ ଦମନ କରିବାକୁ ଯେଉଁ ଚଢ଼ାଉ କଲେ, ସେଥିରେ ୨୦୦୪ରେ ଆଲ୍-ହୁଥିଙ୍କର ମୃତ୍ୟୁ ଘଟିଲା। ଏଥିରେ କିନ୍ତୁ ହୁଥିମାନେ ଦବି ନ ଯାଇ ଇରାନ୍ ବଳରେ ବଳୀୟାନ୍ ହୋଇ ପାଲଟା ଆକ୍ରମଣ କରି ୨୦୧୪ରେ ରାଜଧାନୀ ସା’ନା ସହିତ ଦେଶର ପଶ୍ଚିମ ଭାଗକୁ ଦଖଲ କରି ନେଇଛନ୍ତି।
ଏହି ଧର୍ମାନ୍ଧ ଗୋଷ୍ଠୀ ବର୍ତ୍ତମାନ ଧର୍ମାନ୍ଧ ଶକ୍ତି ଇରାନ୍ର ସହାୟତାରେ ଭାରତର ପଡ଼ୋଶୀ ଅଞ୍ଚଳରେ ଯେଉଁ ଯୁଦ୍ଧ ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛି, ତାହା କେବଳ ଏକ ବିଶୁଦ୍ଧ ଯୁଦ୍ଧ ନୁହେଁ, ତାହା ହେଉଛି ସେମାନଙ୍କ ପାଇଁ ଏକ ଧର୍ମ ଯୁଦ୍ଧ, ଯେଉଁଥିେର ଯୋଦ୍ଧାମାନେ ଅକଳ୍ପନୀୟ କ୍ଷତି ସହିବାକୁ ମଧ୍ୟ ପ୍ରସ୍ତୁତ ଥାନ୍ତି। ଆରବ ସାଗର ଘଟଣା ପରେ ତେଣୁ ଭାରତକୁ ପଡ଼ିଶାରେ ଚାଲିଥିବା ଏ ଯୁଦ୍ଧରେ ଯେକୌଣସି ଅପ୍ରତ୍ୟାଶିତ ମୋଡ଼ର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ହେବ।