କୌଣସି ସ୍ଥାନରେ ଔଦ୍ୟୋଗିକ ବିକାଶ ହେଲେ ସେଠାକାର ଜଳବାୟୁ, ରାସ୍ତାଘାଟ, ପରିବେଶ ଓ ସାଧାରଣ ଜନଜୀବନ ଆକ୍ରାନ୍ତ ହୋଇଥାଏ। ତେଣୁ, ଉଦ୍ୟୋଗଗୁଡ଼ିକ ଉପରେ ସେଇ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି ସାଧନ କରିବାର ଦାୟିତ୍ବ ନ୍ୟସ୍ତ କରାଯାଇଥାଏ, ଯାହାକୁ ସାମାଜିକ ଦାୟିତ୍ୱବୋଧ ବା ‘କର୍ପୋରେଟ ସୋସିଆଲ ରେସ୍ପନସିବିଲିଟି’ (ସି.ଏସ୍.ଆର୍.) ବୋଲି କୁହାଯାଏ। ସୁତରାଂ, ଏ ପରିପ୍ରେକ୍ଷୀରେ କମ୍ପାନିମାନେ କେଉଁଠି ଓ କେଉଁ କ୍ଷେତ୍ରରେ ଅର୍ଥ ବ୍ୟୟ କରିବା କଥା, ତାହା ୨୦୧୪ ମସିହାରୁ ‘କମ୍ପାନି ଆଇନ’ (କମ୍ପାନିଜ ଆକ୍ଟ)ର ସେକ୍ସନ ୧୩୫ରେ ରହିଛି। ଏହି ନିୟମ କେବଳ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର କମ୍ପାନିଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଯାହା ସେମାନଙ୍କ ଆର୍ଥିକ ସ୍ଥିତି ଓ ଲାଭର ପରିମାଣ ଉପରେ ନିର୍ଭର କରିଥାଏ। ଏହି ନିୟମାନୁସାରେ କମ୍ପାନିଗୁଡ଼ିକୁ ସେମାନଙ୍କ ବାର୍ଷିକ ଲାଭର ଅତି କମ୍ରେ ୨% ଆଞ୍ଚଳିକ ବିକାଶ ସକାଶେ ଖର୍ଚ୍ଚ କରିବାକୁ ହେବ। କମ୍ପାନିଗୁଡ଼ିକ ଲାଭରୁ ୨% କାଟି ଏକ ପାଣ୍ଠିେର ଦେବେ, ଯାହା ‘ସି.ଏସ.ଆର. ଫଣ୍ଡ’ ଭାବେ ପରିଚିତ। ଉଲ୍ଲେଖ ଥାଉ କି କମ୍ପାନିଗୁଡ଼ିକର ବୋର୍ଡରୁ କିଛି ବଛା ବଛା ସଦସ୍ୟଙ୍କୁ ନେଇ ‘ସି.ଏସ.ଆର. କମିଟି’ ଗଠିତ ହୁଏ, ଯାହାର ନିର୍ଦେଶରେ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇଥାଏ। କମ୍ପାନି ନିୟମ ଅନୁସାରେ ବ୍ୟବସାୟ କାରଣରୁ ଯେଉଁ ଅଞ୍ଚଳର ଜଳବାୟୁ, ରାସ୍ତାଘାଟ, ପରିବେଶ ଓ ଜନଜୀବନ ପ୍ରଭାବିତ ହୋଇଛି, ସେଇ ଓ ତା’ର ଆଖପାଖ ଅଞ୍ଚଳର ଉନ୍ନତି ସର୍ବାଧିକ ପ୍ରାଧାନ୍ୟ ପାଇବା କଥା। ଏ ବିଷୟରେ ଜଷ୍ଟିସ ଶାହା କମିସନ ରିପୋର୍ଟ ମଧ୍ୟ ସମାନ କଥା କହିଛି। ସେମିତି କମ୍ପାନି ଆଇନ ମୁତାବକ ଏ ଅର୍ଥ ମୁଖ୍ୟତଃ ୧୨ଟି କ୍ଷେତ୍ରରେ ଖର୍ଚ୍ଚ ହେବା ବିଧେୟ, ଯେମିତି କି ଦାରିଦ୍ର୍ୟ ନିରାକରଣ, ସ୍ୱାସ୍ଥ୍ୟ, ଶିକ୍ଷା, ନାରୀଙ୍କ ସାମାଜିକ ଉତ୍ଥାନ, ପରିବେଶ ସୁରକ୍ଷା, ବସ୍ତିର ଉନ୍ନତି, ଆଞ୍ଚଳିକ ସଂସ୍କୃତିର ସୁରକ୍ଷା, କ୍ରୀଡ଼ା, ଗ୍ରାମାଞ୍ଚଳ ବିକାଶ, ଟେକନୋଲୋଜି ବା ପ୍ରଯୁକ୍ତି, ‘ସ୍କିଲ୍’ ବା ଦକ୍ଷତା ବୃଦ୍ଧି ଓ ତାଲିମ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହାୟତା। ତେଣୁ ଏଇ ୧୨ଟି କ୍ଷେତ୍ରରୁ ଯେଉଁ କ୍ଷେତ୍ରରେ ବିକାଶର ଅଧିକ ଆବଶ୍ୟକତା, ଖର୍ଚ୍ଚ ସେଇ କ୍ଷେତ୍ରରେ ହେବା ଉଚିତ ବୋଲି ନିୟମରେ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିନିଯୁକ୍ତ ହେଉଥିବା ‘ସି.ଏସ.ଆର’ ବ୍ୟୟ ଉପରେ ଆଲୋକପାତ କରାଯାଉ।
ବିଗତ ୫ ବର୍ଷରେ ‘ସି.ଏସ.ଆର.’େର ସର୍ବାଧିକ ଖର୍ଚ୍ଚ କରିଥିବା ସରକାରୀ କମ୍ପାନି ହେଉଛି ‘ମହାନଦୀ କୋଲ-ଫିଲଡ୍ସ ଲିମିଟେଡ୍,’ ଯିଏ ସମୁଦାୟ ୧,୧୧୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜ୍ୟରେ ସମୁଦାୟ ‘ସି.ଏସ.ଆର.’ ଖର୍ଚ୍ଚର ୩୫ ପ୍ରତିଶତ। ଏହା ପରେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ‘ଇଣ୍ଡିଆନ ଅଏଲ କର୍ପୋରେସନ’ ଏବଂ ‘ନାଲକୋ’, ଯେଉଁ କମ୍ପାନି ଦ୍ବୟ ଯଥାକ୍ରମେ ୪୧୭ କୋଟି ଏବଂ ୧୨୧.୨୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଘରୋଇ କମ୍ପାନିମାନଙ୍କ ଭିତରୁ ‘ରୁଙ୍ଗଟା ଗ୍ରୁପ’ ସର୍ବାଧିକ ୧୨୭ କୋଟି ଟଙ୍କା ଏବଂ ତା’ ପଛକୁ ‘ବେଦାନ୍ତ’ ୮୯ କୋଟି ଟଙ୍କା ଏବଂ ‘ବି.ସି. ମହାନ୍ତି ଏଣ୍ଡ ସନ୍ସ’ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏ ସବୁକୁ ମିଶାଇ ଗଲା ୫ ବର୍ଷ ମଧ୍ୟରେ ରାଜ୍ୟରେ ସମୁଦାୟ ୩,୧୫୦ କୋଟି ଟଙ୍କା ‘ସି.ଏସ.ଆର’ ବାବଦକୁ ଖର୍ଚ୍ଚ ହୋଇଛି। ୨୦୧୭-୧୮ରେ ୧୮୬ଟି କମ୍ପାନି ଓଡ଼ିଶାରେ ସମୁଦାୟ ୫୦୪.୨୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଓ ପରବର୍ତ୍ତୀ ପର୍ଯ୍ୟୟରେ ୨୦୨୧-୨୨ ସୁଦ୍ଧା ୩୫୧ଟି କମ୍ପାନି ସମୁଦାୟ ୬୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ଅର୍ଥ ଗତ ୫ ବର୍ଷ ଭିତରେ ଓଡ଼ିଶାରେ ‘ସି.ଏସ.ଆର’ ଖର୍ଚ୍ଚର ପରିମାଣ ଓ କମ୍ପାନିଙ୍କ ସଂଖ୍ୟା ଉଭୟ ବଢ଼ିଛି। ଏବେ ଆସନ୍ତୁ ଏହି ଅର୍ଥ କେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟରେ ନିୟୋଜିତ ହୋଇଛି ତାକୁ ଜାତୀୟ ସ୍ତରର ତଥ୍ୟ ସହ ତୁଳନା କରି ପରଖିବା।
ସର୍ବ-ଭାରତୀୟ ସ୍ତରରେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଅବଧିରେ ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ, ପରିବେଶ ସଂରକ୍ଷଣ ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସର୍ବାଧିକ ବ୍ୟୟ ହୋଇଛି, ଯାହା ହେଉଛି ସମୁଦାୟ ବ୍ୟୟର ୭୫ ପ୍ରତିଶତ। ହିସାବରୁ ଜଣାପଡ଼ିଛି ଯେ ବିଭିନ୍ନ କ୍ଷେତ୍ରରେ ହେଉଥିବା ବ୍ୟୟ ମଧ୍ୟରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୦%, ପରିବେଶ ସଂରକ୍ଷଣରେ ୨୮% ଏବଂ ଦକ୍ଷତା ବିକାଶରେ ୨୪% ହାରରେ ବୃଦ୍ଧି ଘଟିଛି। ତୁଳନାତ୍ମକ ଭାବେ ଓଡ଼ିଶା ବିଷୟ ବିଚାର କଲେ ଜଣାଯାଏ ଯେ ଉଭୟ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ଦିଗରେ ଖର୍ଚ୍ଚର ହାର ବୃଦ୍ଧି ପାଇଛି ସତ, କିନ୍ତୁ ଦକ୍ଷତା ବିକାଶ କ୍ଷେତ୍ରରେ ବ୍ୟୟରେ ବୃଦ୍ଧିର ହାର ଯଥେଷ୍ଟ କମ୍, ମାତ୍ର ୨ରୁ ୩ ପ୍ରତିଶତ। କିନ୍ତୁ କଥା ହେଲା ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅନେକ ଯୋଜନା ଥାଇ ପ୍ରଭୂତ ସରକାରୀ ବ୍ୟୟ ହେଉଥିବା ବେଳେ ‘ସି.ଏସ.ଆର.’ ବ୍ୟୟ ସେହି କ୍ଷେତ୍ରରେ ବୃଦ୍ଧି ପାଇବା ‘ତେଲିଆ ମୁଣ୍ଡରେ ତେଲ ଢାଳିବା’ ଭଳି ଦିଶି ନ ଥାଏ କି? ‘ସି.ଏସ.ଆର.’ ପାଣ୍ଠି କେବଳ ସେଇ ଦିଗରେ ଖର୍ଚ୍ଚ ହେବା କଥା, ଯେଉଁ କ୍ଷେତ୍ରରେ ଅର୍ଥାଭାବ ରହିଛି। ଉଦାହରଣ ସ୍ୱରୂପ, ଦକ୍ଷତା ବିକାଶ। ରାଜ୍ୟରେ ମହଜୁଦ ଥିବା ଖଣିଜ ସମ୍ପଦ ଅନୁସାରେ ଦକ୍ଷ ମାନବ ସମ୍ବଳର ଉପସ୍ଥିତି ରାଜ୍ୟର ଭାଗ୍ୟକୁ ବଦଳାଇ ଦେଇ ପାରନ୍ତା।
ସେହି ଦୃଷ୍ଟିରୁ ଅଧିକ ସଂଖ୍ୟକ ଉଚ୍ଚ ମାନର ଦକ୍ଷତା ବିକାଶ ପ୍ରତିଷ୍ଠାନମାନ ଖୋଲିବା ଦରକାର। ଓଡ଼ିଶାକୁ ପ୍ରକୃତି ଦ୍ବାରା ପ୍ରଦତ୍ତ ଉପହାରକୁ ବ୍ୟବହାର କରି ଏଠାରେ ଆଲୁମିନିଅମ, ଲୌହ ଇସ୍ପାତ, ଫେରୋଆଲୟ ଶିଳ୍ପ, ତାପଜ ବିଦ୍ୟୁତ କେନ୍ଦ୍ର, ପ୍ରାକୃତିକ ଗ୍ୟାସ, ବନ୍ଦର ଇତ୍ୟାଦି ଗଢ଼ି ଉଠିଛି। କିନ୍ତୁ ଏହି ସବୁ ଉଦ୍ୟୋଗରେ କାର୍ଯ୍ୟ କରିବା ଲାଗି ଆବଶ୍ୟକ ମାନବ ସମ୍ବଳର ତାଲିମ ପାଇଁ କେବଳ କିଛି ‘ଆଇ.ଟି.ଆଇ’ ଓ ‘ପଲିେଟକ୍ନିକ୍’କୁ ଛାଡ଼ିଦେଲେ ରାଜ୍ୟରେ ଉଚ୍ଚ ମାନର ଟ୍ରେନିଂ ସକାଶେ ଅନୁଷ୍ଠାନମାନ ନାହିଁ କହିଲେ ଚଳେ। ଏଇ ଯେମିତି ରାଜ୍ୟର ଖଣିଜ ସମ୍ପଦକୁ ଭିତ୍ତି କରି ଅନେକ ‘ମେଟାଲର୍ଜି’ ଉଦ୍ୟୋଗ ରାଜ୍ୟବାସୀଙ୍କ ଶ୍ରମରେ ଲାଭବାନ ହେଉଛନ୍ତି ସତ, ରାଜ୍ୟରେ ‘ମେଟାଲର୍ଜି’ ସଂପର୍କିତ ବିଦ୍ୟା ଓ ଦକ୍ଷତା ବିକାଶକୁ ନେଇ ଆଖିଦୃଶିଆ ପ୍ରଶିକ୍ଷଣ ସଂସ୍ଥା ନାହିଁ। ତେଣୁ ଓଡ଼ିଶାରେ ଥିବା କମ୍ପାନିମାନେ ‘ସି.ଏସ.ଆର’ ଅର୍ଥକୁ ରାଜ୍ୟରେ ଦକ୍ଷ ଶ୍ରମିକ ତିଆରି ଦିଗରେ ପର୍ଯ୍ୟାୟ କ୍ରମେ ଅଧିକ ଖର୍ଚ୍ଚ କରିବା ଉଚିତ। କହିବା ବାହୁଲ୍ୟ ଯେ ଏହା ସିଧାସଳଖ ରାଜ୍ୟବାସୀଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେବ।
୨୦୨୨ ମସିହାରେ ହର୍ଭାର୍ଡ ବିଶ୍ବବିଦ୍ୟାଳୟ ତରଫରୁ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ ଗବେଷଣା ବିବରଣୀ ପ୍ରକାଶ ପାଇଥିଲା, ଯାହା ଅନୁସାରେ ସ୍ୱାସ୍ଥ୍ୟ ସକାଶେ ରାଜ୍ୟବାସୀ କରୁଥିବା ଖର୍ଚ୍ଚ ପ୍ରତି ବର୍ଷ ମୁଣ୍ଡ ପିଛା ଅତି କମ୍ରେ ୧୦% ହାରରେ ବଢ଼ିବାରେ ଲାଗିଛି ଏବଂ ତାହା ହେଉଛି ଜଣଙ୍କର ବ୍ୟକ୍ତିଗତ ଆୟର ଅନ୍ୟୂନ ୨୦ ପ୍ରତିଶତ। ରାଜ୍ୟର ୮୬% ସାଧାରଣ ଲୋକେ ଘରୋଇ ଔଷଧ ଦୋକାନରୁ ଔଷଧ କିଣନ୍ତି ବୋଲି ଏହି ରିପୋର୍ଟ କହିଛି, ଯଦିଓ ସରକାରୀ ଡାକ୍ତରଖାନାରେ ମାଗଣା ଏବଂ ନିରାମୟ କେନ୍ଦ୍ରରେ ଶସ୍ତାରେ ଔଷଧ ଉପଲବ୍ଧ କରାଯାଉଛି। ସେମିତି ରାଜ୍ୟରେ ମାତ୍ର ୧୪% ପରିବାର ସ୍ୱାସ୍ଥ୍ୟ ବୀମା କରିପାରନ୍ତି। ଏଣେ ଘରୋଇ ଡାକ୍ତରଖାନାରେ ଚିକିତ୍ସାର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ଫଳରେ କେତେକ ସ୍ଥଳେ ସରକାରୀ ସ୍ବାସ୍ଥ୍ୟ କାର୍ଡଧାରୀମାନେ ମଧ୍ୟ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହୋଇ ପାରୁ ନାହାନ୍ତି। ଏଣେ ଏକ ବାସ୍ତବତା ହେଲା ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଗଲା ୫ ବର୍ଷ ଭିତରେ ‘ସି.ଏସ.ଆର.’ ବ୍ୟୟ ବାର୍ଷିକ ହାରାହାରି ୪୦% ହାରରେ ବୃଦ୍ଧି ପାଇଛି ଏବଂ କମ୍ପାନିଗୁଡ଼ିକର ବାର୍ଷିକ ବିବରଣୀ (ଆନୁଆଲ ରିପୋର୍ଟ)ରୁ ଜଣାଯାଏ ଯେ ଏହି ଅର୍ଥ ସରକାରୀ ଡାକ୍ତରଖାନାର ମାନ ଓ କ୍ଷମତା ବୃଦ୍ଧି ଦିଗରେ ଖର୍ଚ୍ଚ ହୋଇଛି। ତେଣୁ ପ୍ରଶ୍ନ ଉଠେ ଯେ ଉଭୟ ସରକାରୀ ଏବଂ ଘରୋଇ ସୂତ୍ରରୁ ସରକାରୀ ଚିକିତ୍ସା ସେବାରେ ବିପୁଳ ରାଶି ବ୍ୟୟ କରାଯାଉଥିଲେ ସୁଦ୍ଧା ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳୁନାହିଁ କାହିଁକି? ତେଣୁ ଉଚିତ ହୁଅନ୍ତା ନାହିଁ କି ‘ସି.ଏସ.ଆର.’ ଅର୍ଥରେ ନିର୍ଦ୍ଦିଷ୍ଟ ଭାବେ ଉଚ୍ଚ ମାନର “ମଲ୍ଟି ସ୍ପେସାଲିଟି ହସପିଟାଲ୍” ଖୋଲା ଯାଇ ତା’ର ପରିଚାଳନା କରାଯାଆନ୍ତା, ଯଦ୍ଦ୍ବାରା ରାଜ୍ୟର ଜନସାଧାରଣ ଉପକୃତ ହୁଅନ୍ତେ।
ଗଲା ପାଞ୍ଚ ବର୍ଷରେ ବିଭିନ୍ନ ଜିଲ୍ଲାରେ ହୋଇଥିବା ‘ସି.ଏସ.ଆର’ ଖର୍ଚ୍ଚର ତଥ୍ୟାନୁସାରେ କଳାହାଣ୍ଡି, କଟକ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, ପୁରୀ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରେ ଯଥାକ୍ରମେ ସବୁଠାରୁ ଅଧିକ ଖର୍ଚ୍ଚ ହୋଇଛି। ସେହି ପରି ସବୁଠାରୁ କମ୍ ଖର୍ଚ୍ଚ ହୋଇଥିବା ଜିଲ୍ଲା ଭିତରେ ଅଛନ୍ତି ଯଥାକ୍ରମେ ସୁବର୍ଣ୍ଣପୁର, ବୌଦ୍ଧ, ମାଲକାନଗିରି, ଗଜପତି, କେନ୍ଦ୍ରାପଡ଼ା, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଓ ବାଲେଶ୍ୱର। ଏବେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରକୁ ଉଦାହରଣ ଆକାରରେ ନିଆଯାଉ। ପାରାଦୀପ ବନ୍ଦରକୁ ଦୃଷ୍ଟିରେ ରଖି ବିଚାର କଲେ ଦେଖାଯିବ ଯେ ତାହାକୁ ସ୍ଥାନ ଦେଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ମାତ୍ରାଧିକ ସଡ଼କ ଦୁର୍ଘଟଣା, ବନ୍ଦରରେ ହେଉଥିବା ଖଣିଜ ପଦାର୍ଥ ଚାଲାଣ ଯୋଗୁଁ ପ୍ରଦୂଷଣ, ମଦ ଭାଟି, ଶସ୍ତା ଶ୍ରମିକ ଭଳି ସମସ୍ୟା ଏବଂ ବାଲେଶ୍ୱର ଜିଲ୍ଲା ସାମୁଦ୍ରିକ ଦ୍ରବ୍ୟ କାରବାର, କାଗଜ କାରଖାନା ଓ ଫେରୋଆଲୟ କାରଖାନା କାରଣରୁ ପରିବେଶ ପ୍ରଦୂଷଣ ସମସ୍ୟା ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ଥଳେ ‘ସି.ଏସ.ଆର.’ ବ୍ୟୟ କମ୍ ରହିବା ବିଡ଼ମ୍ବନାପୂର୍ଣ୍ଣ ଭଳି ଲାଗିଥାଏ। ତେଣୁ ‘ସି.ଏସ.ଆର.’ର ବ୍ୟୟରେ ଏକ ସମାନୁପାତିକତା ରହିବା ନିତାନ୍ତ ଆବଶ୍ୟକ। ‘ସି.ଏସ.ଆର.’ ବ୍ୟୟରେ ମଧ୍ୟ ଅନ୍ତର୍ଦୃଷ୍ଟି ଓ ଦୂରଦୃଷ୍ଟି ରହିବା ଆବଶ୍ୟକ। ଏହି ଆଲୋଚନା ଆଧାରରେ ବିଚାର କରି ଯଦି ପଦକ୍ଷେପ ନିଆଯାଏ, ତେବେ ବିକାଶ ସମାନୁପାତିକ ହେବା ସହିତ ଲୋକମାନେ ଭିନ୍ନ ଭିନ୍ନ କ୍ଷେତ୍ରରୁ ଅଧିକ ଉପକୃତ ହେବାର ମାର୍ଗ ଫିଟିବ।
ମୋ: ୯୭୯୧୧୨୧୦୬୮