କହିବାରେ ଦ୍ବିଧା ନାହିଁ ଯେ ଗଣତାନ୍ତ୍ରିକ ଭାରତରେ ଚୀନ ସୁଲଭ କଠୋରତା ଅବଲମ୍ବନ କରାଯିବା ଅସମ୍ଭବ। ଏବଂ ଏହା ମଧ୍ୟ ସତ ଯେ କଠୋରତାର ଅଭାବରେ ସାଂପ୍ରତିକ ଭାରତୀୟମାନଙ୍କ ଉପଭୋଗକୈନ୍ଦ୍ରିକ ଜୀବନଶୈଳୀ ଅନେକ ହିତକାରୀ କଟକଣାକୁ ଅମାନ୍ୟ କରିବ, ଯେମିତି ଦୀପାବଳି ସନ୍ଧ୍ୟାରେ ଘଟିଲା। ଏଭଳି ସ୍ଥଳେ କ୍ଷମତାରେ ଥିବା ରାଜନୈତିକ ଦଳଗୁଡ଼ିକ ବିଚାର କରିବା ଉଚିତ ଯେ ନିର୍ମଳ ପରିବେଶ ଓ ରାଷ୍ଟ୍ର ହିତ ପକ୍ଷ ନେଇ ନିର୍ବାଚନରେ ବିପଦ ବରଣ କରିବାର ଆଶଙ୍କା ଥିବା ସତ୍ତ୍ବେ ସେମାନେ କେତେକ ଅପ୍ରୀତିକର ଓ କଠୋର ପଦକ୍ଷେପ ନେବେ ନା ଭୋଟ ପାଇବା ସକାଶେ ପ୍ରଜାରଂଜନ ନାମରେ ସବୁ କିଛି ଜଳାଂଜଳି ଦେଇ କ୍ରମେ ଏକ ପୋଡ଼ା ଭୂଇଁରେ ପରିଣତ ହେବାର ଉପକ୍ରମ କରୁଥିବା ଏହି ଭୂଖଣ୍ଡକୁ ନିର୍ବିକାର ଭାବେ ଶାସନ କରି ଚାଲିବେ!

Advertisment

ଦୀପାବଳି ପରେ ପରେ ହୃଦ୍‌ବୋଧ ହୋଇଗଲା ଯେ ଭାରତୀୟ ସହରଗୁଡ଼ିକର ସାଂଘାତିକ ବାୟୁ ପ୍ରଦୂଷଣ ସମସ୍ୟା ସତ୍ତ୍ବେ ନାଗରିକମାନେ ଏ ନେଇ ଆଦୌ ବିବ୍ରତ ନୁହନ୍ତି; ଏବଂ ଚା’ ଖଟି ଆସରରୁ ଆରମ୍ଭ କରି ଭାବ ଗମ୍ଭୀର ଆଲୋଚନା-ଚକ୍ର ପର୍ଯ୍ୟନ୍ତ ସର୍ବତ୍ର ଏହି ସମସ୍ୟା ସମ୍ବନ୍ଧରେ ନିଷ୍ଫଳ ଚର୍ଚ୍ଚା ସହିତ କୁମ୍ଭୀରତୁଲ୍ୟ ପ୍ରବଞ୍ଚନାର ଅଶ୍ରୁ ତର୍ପଣ କରାଯାଉଛି ଯାହା! ତାହା ହୋଇ ନ ଥିଲେ ଦିଲ୍ଲୀର ଅସହନୀୟ ବାୟୁ ପ୍ରଦୂଷଣ କାରଣରୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ସତ୍ତ୍ବେ ଦିଲ୍ଲୀ ସହର ଆତସବାଜିର ଶବ୍ଦ ଏବଂ ଧୂଆଁରେ ଆତ୍ମ ବିସ୍ମୃତ ହୋଇ ଯାଇ ନ ଥାଆନ୍ତା! ତେବେ, କେବଳ ଦିଲ୍ଲୀ ନୁହେଁ, ଭାରତର ପ୍ରାୟ ସମସ୍ତ ସହର ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ଅମାନ୍ୟ କଲେ ଏବଂ କେବଳ ‘ସବୁଜ ବାଣ’ ଫୁଟାଇବାର ସଂଯମ ପ୍ରଦର୍ଶନ କରି ପାରିଲେ ନାହିଁ; ବିଡ଼ମ୍ବନା ହେଲା ଏହି ସହରମାନଙ୍କରେ ହିଁ ଶିକ୍ଷିତ, ସଂଭ୍ରାନ୍ତ ଏବଂ ତଥାକଥିତ ସଚେତନ ଭାରତୀୟମାନେ ଠୁଳ। ଏଭଳି ସ୍ଥଳେ ପଞ୍ଜାବ ଓ ହରିଆଣାର ଚାଷୀମାନେ ସେମାନଙ୍କ ବିଲରେ ଉଦ୍‌ବୃତ୍ତ ନଡ଼ାକୁ ଜଳାଇ ତହିଁରୁ ଜାତ ଘନ ଧୂଆଁରେ ସମଗ୍ର ସୈନ୍ଧବ-ଗାଙ୍ଗେୟ ସମତଳର ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବା କାରଣରୁ ଏହି ସହରୀ ବର୍ଗଙ୍କ ଦ୍ବାରା ଆକ୍ଷେପର ଶିକାର ହେବା କେବଳ ଏକ ବିଡ଼ମ୍ବନା ନୁହେଁ, ଶୁଦ୍ଧ କପଟା‌ଚରଣ ମଧ୍ୟ; ଯଦିଓ ଚାଷୀମାନଙ୍କ କାର୍ଯ୍ୟକଳାପ ମଧ୍ୟ ସମାଲୋଚନା ଯୋଗ୍ୟ! କିନ୍ତୁ ଏଭଳି ଏକ ସ୍ଥିତିରେ ଆମ ରାଷ୍ଟ୍ରକୁ କିଭଳି ଉଚ୍ଚ ମୂଲ୍ୟ ଦେବାକୁ ହେବ, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ।
ବାୟୁ ପ୍ରଦୂଷଣ କାରଣରୁ ବ୍ୟାଧି ଓ ଆୟୁଷ ହାନିର ବିଶାଳ ବୋଝ ତ ଭାରତ ବହନ କରିବାରେ ଲାଗିଛି; କିନ୍ତୁ ଏହା ଦ୍ବାରା ଆମ ରାଷ୍ଟ୍ରର ଭାବମୂର୍ତ୍ତି ଯେଉଁଭଳି କ୍ଷୁଣ୍ଣ ହେବାରେ ଲାଗିଛି ତାହା ମଧ୍ୟ ଘୋର ଉଦ୍‌ବେଗଜନକ। ଏହି ସଂଦର୍ଭରେ ୨୦୧୫ ମସିହା ଜାନୁଆରି ୨୬, ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଅବସରରେ ଅତିଥି ରୂପେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ରୂପେ ବାରାକ୍‌ ଓବାମାଙ୍କ ଭାରତ ଆଗମନ ସଂପର୍କରେ ‘ବ୍ଲୁମ୍‌ବର୍ଗ’ରେ ପ୍ରକାଶିତ ସମ୍ବାଦର ଶିରୋନାମା ସ୍ମରଣକୁ ଆସିଥାଏ, ଯାହା ଥିଲା ଏହିଭଳି: ‘ମିଷ୍ଟର ପ୍ରେସିଡେଣ୍ଟ, ପୃଥିବୀର ସର୍ବାଧିକ ପ୍ରଦୂଷିତ ବାୟୁ ଆପଣଙ୍କ ଆୟୁଷରୁ ଛଅ ଘଣ୍ଟା ଖାଇ ସାରିଲାଣି।’ ସେହିଭଳି ଚଳିତ କ୍ରିକେଟ୍‌ ବିଶ୍ବକପ୍‌ ଶୃଙ୍ଖଳାରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଦିଲ୍ଲୀରେ ଅନୁଷ୍ଠିତ ମ୍ୟାଚ୍‌ ସଂଦର୍ଭରେ ‘ଅଲ ଜଜିରା’ର ଶିରୋନାମା ଥିଲା: ‘ନୂଆଦିଲ୍ଲୀର ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପ୍ରଦୂଷଣ ଭିତରେ ବାଂଲାଦେଶ ଓ ଶ୍ରୀଲଙ୍କା ଖେଳିଲେ।’ କହିବା ବାହୁଲ୍ୟ ଏଭଳି ଶିରୋମାନାମାନ ବିଦେଶରେ ଭ୍ରୂକୁଂଚନ ସୃଷ୍ଟି କରିବା ସହିତ ସେଠାକାର ପୁଂଜି ଏବଂ ପର୍ଯ୍ୟଟକଙ୍କୁ ଭାରତରେ ପଦାର୍ପଣ କରିବାରୁ ନିରୁତ୍ସାହିତ କରୁଥିବ। ସୁତରାଂ, ଶୀତ ଋତୁ ପାରଂପରିକ ଭାବେ ଏଠାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ତୀକ୍ଷ୍‌ଣ ବୃଦ୍ଧି ଦେଖୁଥିବା ବେଳେ ଧୂମ-କୁହୁଡ଼ିର ପରଦା ଦ୍ବାରା ଆଚ୍ଛାଦିତ ତାଜମହଲ ଅଗତ୍ୟା ତା’ର ଆକର୍ଷଣ ହରାଇ ବସିବାରେ ବିସ୍ମୟର ବିଶେଷ କାରଣ ନାହିଁ। ‘ଏ.କ୍ୟୁ.ଆଇ.’ ବା ‘ବାୟୁର ଗୁଣମାନ ସୂଚକାଙ୍କ’ ଅନୁସାରେ ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଯଦି ଦିଲ୍ଲୀ ବାସିନ୍ଦାମାନଙ୍କ ଆୟୁଷରେ ପ୍ରାୟ ଏଗାର ବର୍ଷ ହାନି ଘଟାଉଛି କିମ୍ବା ଦିଲ୍ଲୀରେ ପ୍ରଶ୍ବାସ ନେବାର ଅର୍ଥ ଦଶଟି ସିଗାରେଟ ସମତୁଲ ଧୂଆଁ ପିଇବା ସହିତ ସମାନ; ତେବେ ବିଦେଶୀ ପର୍ଯ୍ୟଟକମାନେ ଭାରତ ଭୂମିରୁ ଦୂରେଇ ରହିବା ସ୍ବାଭାବିକ ମଧ୍ୟ। ଏଭଳି ସ୍ଥିତିରେ ଭାରତରେ ବିଦେଶୀ ପୁଂଜି ନିବେଶର ଭବିଷ୍ୟତ ନେଇ ଆକଳନ କଲା ବେଳେ ଚୀନ ସମ୍ବନ୍ଧୀୟ ଏକ ଅନୁଧ୍ୟାନ ରିପୋର୍ଟ ସାହାଯ୍ୟ କରିପା‌ରେ, ଯାହା କହିଥିଲା ଯେ ସେଠାକାର ବାୟୁ ପ୍ରଦୂଷଣ କାରଣରୁ ୨୩୦ ସହର ୨୦୦୦ ସରିକି ବିଦେଶୀ ପୁଂଜି ନିବେଶର ସ୍ରୋତ ହରାଇଥିଲା। ସୁତରାଂ, ଭାରତ ସକାଶେ ଉଦ୍‌ବିଗ୍ନ ହେବାର ଯଥାର୍ଥ କାରଣମାନ ରହିଛି।
ତେବେ, ଏଭଳି ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ ସଂଦର୍ଭରେ ସରକାରଙ୍କ ପଦକ୍ଷେପ କେବଳ ଆତ୍ମରକ୍ଷାମୂଳକ ଏବଂ ସଂଯମ-ପ୍ରଧାନ ଭଳି ଦିଶିଥାଏ, ଯେମିତି ସ୍କୁଲ ଛୁଟି କରି ଦିଆଯିବା ବା ଗାଡ଼ିମଟର ବ୍ୟବହାର କମାଇବା ଇତ୍ୟାଦି। କିନ୍ତୁ ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏଭଳି ବାୟୁ ପ୍ରଦୂଷଣ ପରିପ୍ରେକ୍ଷୀରେ ବିପୁଳ ଅର୍ଥ ବ୍ୟୟର ପ୍ରାବଧାନ ସହିତ ଅଧିକ ସକ୍ରିୟ ପଦ‌େକ୍ଷପ ଜରୁରୀ। ଏହାର କେତେକ ଉଦାହରଣ ଦେଇ ସେମାନେ କହିଥାଆନ୍ତି ଯେ ‘ପବ୍ଲିକ୍‌ ଟ୍ରାନ୍‌ସପୋର୍ଟ‌୍’ ବା ସାଧାରଣ ପରିବହନ ବ୍ୟବସ୍ଥାରେ ବିକାଶ ଅଧିକ ଗୁରୁତ୍ବ ଲାଭ କରିବା ଉଚିତ ଯାହା ସ୍ବାଭାବିକ ଭାବେ ବ୍ୟକ୍ତିଗତ ଯାନବାହନ ବ୍ୟବହାରକୁ ହ୍ରାସ କରନ୍ତା ବା କୃଷକମାନଙ୍କ ନଡ଼ା-ପୋଡ଼ିର ବିକଳ୍ପ ରୂପେ ଉନ୍ନତ ପ୍ରଯୁକ୍ତିିର ପ୍ରୟୋଗ ଆବଶ୍ୟକ କିଂବା ତାପଜ ବିଜୁଳି କେନ୍ଦ୍ରରେ ‘ପ୍ରେସିପିଟେଟର୍‌’ ବ୍ୟବହାର କରାଯାଇ ଚିମନି ଧୂଆଁରୁ ପାଉଁଶ ଅଂଶକୁ ବିଦାୟ ଦେଇ ହୁଅନ୍ତା ଅଥବା ଜୀବାଶ୍ମ ଇନ୍ଧନକୁ ବହିଷ୍କାର କରିବା ଉଦ୍ଦେଶ୍ୟରେ ନବୀକରଣକ୍ଷମ ସବୁଜ ଶକ୍ତି ଉତ୍ସର ବ୍ୟବହାର ଇତ୍ୟାଦି। କହିବା ବାହୁଲ୍ୟ, ଏଭଳି ପଦକ୍ଷେପମାନ ଅତ୍ୟନ୍ତ ବିଶାଳ ଅର୍ଥ ବ୍ୟୟ ଆବଶ୍ୟକ କରିବ। ଅବଶ୍ୟ, ଇତିମଧ୍ୟରେ କେନ୍ଦ୍ର ସରକାର କେତେକ ସକ୍ରିୟ ପଦକ୍ଷେପ ନେଇଛନ୍ତି, ଯେମିତି ୫୭,୬୩୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସହରରେ ୧୦,୦୦୦ଟି ବିଦ୍ୟୁତ୍‌ ଚାଳିତ ବସ୍‌ ଚଳାଚଳର ବ୍ୟବସ୍ଥା ବା ‘ଜାତୀୟ ବିଶୁଦ୍ଧ ବାୟୁ ଯୋଜନା’‌େର ଏକ ନିୟୁତରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ସେମାନଙ୍କ ପ୍ରଦୂଷଣ ସ୍ତରକୁ ବାର୍ଷିକ ୧୫% ହ୍ରାସ କଲେ ସେମାନଙ୍କ ଲାଗି ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ବା ‘ସାର୍ବଭୌମ ସବୁଜ ବଣ୍ଡ୍‌ର ପ୍ରଚଳନ’, ଯହିଁରୁ ଉପାର୍ଜିତ ଅର୍ଥ ସରକାର ପାରିବେଶିକ ଉନ୍ନତି ଦିଗରେ ବ୍ୟୟ କରିବେ। ଏହି ବଣ୍ଡ ଜରିଆରେ ଗଲା ଜାନୁଆରି ମାସ ସୁଦ୍ଧା ୮୦୦୦ କୋଟି ଟଙ୍କା ଉପଲବ୍‌ଧ ହୋଇଛି।
କିନ୍ତୁ ଏକ ଜଟିଳ ବାସ୍ତବତା ହେଲା ବାୟୁ ପ୍ରଦୂଷଣର ନିରାକରଣ ଉଦ୍ୟମ କେତେକ ଅତ୍ୟନ୍ତ ଅପ୍ରୀତିକର ବ୍ୟବସ୍ଥାଗତ ପରିବର୍ତ୍ତନ ଲୋଡ଼ିପାରେ ଏବଂ କେତେକ ସ୍ଥଳେ ଜନସାଧାରଣଙ୍କୁ ସେମାନଙ୍କ ଆରାମପ୍ରଦ ଇଲାକାରୁ ବାହାରି ଆସିବାକୁ ବାଧ୍ୟ କରିପାରେ। ଉଲ୍ଲେଖଯୋଗ୍ୟ ଯେ ଦୁଇ ଦଶନ୍ଧି ତଳେ ଚୀନର ରାଜଧାନୀ ସହର ବେଜିଂ ଥିଲା ପୃଥିବୀର ସର୍ବାଧିକ ପ୍ରଦୂଷିତ ସହର (ଏ.କ୍ୟୁ.ଆଇ. ହାରାହାରି ୮୦୦ରୁ ଅଧିକ), ଅଥଚ ସଂପ୍ରତି ପ୍ରଦୂଷିତ ସହରଗୁଡ଼ିକର ତାଲିକାରେ ଏହା ୨୨ତମ ସ୍ଥାନରେ ରହିଛି (ଏ.କ୍ୟୁ .ଆଇ. ୫୦ରୁ କମ୍‌)। ଏକ ରିପୋର୍ଟ ଅନୁସା‌େର ୨୦୧୫ ମସିହା ବେଳକୁ ଦିଲ୍ଲୀର ‘ଏ.କ୍ୟୁ.ଆଇ.’ରେ ୧୫% ବୃଦ୍ଧି ଓ ବେଜିଂର ‘ଏ.କ୍ୟୁ.ଆଇ.’ରେ ୧୭% ହ୍ରାସ ସହିତ ଉଭୟ ସହରର ବାୟୁ ପ୍ରଦୂଷଣ ମାତ୍ରା ଅନୁସାରେ ସମାନ ସ୍ତରକୁ ଚାଲି ଆସିଥିଲେ। ଅଥଚ, ପରବର୍ତ୍ତୀ ସାତ ବର୍ଷ ମଧ୍ୟରେ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ବେଜିଂ ଅଭୂତପୂର୍ବ ସଫଳତା ପ୍ରଦର୍ଶନ କରିଛି। ଏହା କେବଳ ସମ୍ଭବ ହୋଇଛି ବିପୁଳ ସରକାରୀ ବ୍ୟୟ, କଠୋର ପଦକ୍ଷେପ ଏବଂ ଖିଲାପକାରୀଙ୍କ ବିରୋଧରେ ଅତ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ବଳରେ। ସଂପ୍ରତି ପୃଥିବୀର ବୃହତ୍ତମ ଅତିକାୟ ‘ଏୟାର ପ୍ୟୁରିଫାଏର’ ବା ‘ବାୟୁ ବିଶୁଦ୍ଧକ’ ବେଜିଂରେ ନିର୍ମାଣାଧୀନ। କହିବାରେ ଦ୍ବିଧା ନାହିଁ ଯେ ଗଣତାନ୍ତ୍ରିକ ଭାରତରେ ଚୀନ ସୁଲଭ କଠୋରତା ଅବଲମ୍ବନ କରାଯିବା ଅସମ୍ଭବ। ଏବଂ ଏହା ମଧ୍ୟ ସତ ଯେ କଠୋରତାର ଅଭାବରେ ସାଂପ୍ରତିକ ଭାରତୀୟମାନଙ୍କ ଉପଭୋଗକୈନ୍ଦ୍ରିକ ଜୀବନଶୈଳୀ ଅନେକ ହିତକାରୀ କଟକଣାକୁ ଅମାନ୍ୟ କରିବ, ଯେମିତି ଦୀପାବଳି ସନ୍ଧ୍ୟାରେ ଘଟିଲା। ଏଭଳି ସ୍ଥଳେ କ୍ଷମତାରେ ଥିବା ରାଜନୈତିକ ଦଳଗୁଡ଼ିକ ବିଚାର କରିବା ଉଚିତ ଯେ ନିର୍ମଳ ପରିବେଶ ଓ ରାଷ୍ଟ୍ର ହିତ ପକ୍ଷ ନେଇ ନିର୍ବାଚନରେ ବିପଦ ବରଣ କରିବାର ଆଶଙ୍କା ଥିବା ସତ୍ତ୍ବେ ସେମାନେ କେତେକ ଅପ୍ରୀତିକର ଓ କଠୋର ପଦକ୍ଷେପ ନେବେ ନା ଭୋଟ ପାଇବା ସକାଶେ ପ୍ରଜାରଂଜନ ନାମରେ ସବୁ କିଛି ଜଳାଂଜଳି ଦେଇ କ୍ରମେ ଏକ ପୋଡ଼ା ଭୂଇଁରେ ପରିଣତ ହେବାର ଉପକ୍ରମ କରୁଥିବା ଏହି ଭୂଖଣ୍ଡକୁ ନିର୍ବିକାର ଭାବେ ଶାସନ କରି ଚାଲିବେ!